୨୦୨୫ ବର୍ଷ ଓଡିଶା ପାରାକ୍ରୀଡା ପାଇଁ ଏକ ଉତ୍କର୍ଷର ବର୍ଷ ବୋଲି କହି ହେବ । ଓଡିଶାର ପାରାକ୍ରୀଡାବତ୍ ମାନେ ସର୍ବଭାରତୀୟ ପ୍ରତିଯୋଗୀତାଠାରୁ ଆରମ୍ଭ କରି ବିଭିନ୍ନ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା ଅର୍ଜନ କରି ନିଜର ଉତ୍କୃଷ୍ଠ କ୍ରୀଡାଦକ୍ଷତା ପ୍ରଦର୍ଶନ କରିବା ସହିତ ରାଜ୍ୟକୁ ମଧ୍ୟ ଗୌରବାନିତ୍ଵ କରିଛନ୍ତି ।
ପାରାକ୍ରୀଡା
ପାରାକ୍ରୀଡା ହେଉଛି ଏକ ଶବ୍ଦ ଯାହା ପାରାଅଲିମ୍ପିକ୍ ଆନ୍ଦୋଳନର ଅଂଶ ଭାବରେ ପ୍ରଦାନ କରାଯାଉଥିବା କ୍ରୀଡାକୁ ବର୍ଣ୍ଣନା କରେ। ଅନ୍ତର୍ଜାତୀୟ ପାରାଅଲିମ୍ପିକ୍ କମିଟି ଦ୍ୱାରା ସ୍ୱୀକୃତିପ୍ରାପ୍ତ ୩୧ଟି ପାରା କ୍ରୀଡ଼ା ଅଛି, ଯେଉଁଥିରୁ ୨୯ଟି ବର୍ତ୍ତମାନ ପାରାଅଲିମ୍ପିକ୍ ଗେମ୍ସରେ ପ୍ରତିଯୋଗିତା କରାଯାଉଛି (୨୩ ଗ୍ରୀଷ୍ମ ଏବଂ ୬ ଶୀତ)। ଏହି ପାରାକ୍ରୀଡ଼ାର ଏକ ବଡ଼ ସଂଖ୍ୟା ବର୍ତ୍ତମାନ ଭାରତ ମଧ୍ୟରେ ବିଭିନ୍ନ ସ୍ତରରେ ପ୍ରତିଯୋଗିତାରେ ଉପଲବ୍ଧ।
ପାରା-ଆଥଲେଟ୍ :
ପାରା-ଆଥଲେଟ୍ ହେଉଛନ୍ତି ଜଣେ ଆଥଲେଟ୍ ଯାହାଙ୍କର ଏକ ବା ଏକାଧିକ ଶାରୀରିକ ଅଥବା ବୌଦ୍ଧିକ ଅକ୍ଷମତା କିମ୍ବା ଦୁର୍ବଳତା ଅଛି, ଯାହା ସେମାନଙ୍କୁ ପାରାକ୍ରୀଡାରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଗ୍ୟ କରିଥାଏ। ପାରା ଆଥଲେଟ୍ ଙ୍କ ପାଇଁ ଚୂଡ଼ାନ୍ତ ଲକ୍ଷ୍ୟ ହେଉଛି ପାରାଅଲିମ୍ପିକ୍ ଗେମ୍ସରେ ସେମାନଙ୍କ ଦେଶକୁ ପ୍ରତିନିଧିତ୍ୱ କରିବା। ପାରାଅଲିମ୍ପିକ୍ ଗେମ୍ସ ପ୍ରତି ଚାରିର୍ଷରେ ଅନୁଷ୍ଠିତ ହୁଏ ଏବଂ ଏହା ବିଶ୍ୱର ସବୁଠାରୁ ପ୍ରତିଯୋଗିତାମୂଳକ ବହୁ-କ୍ରୀଡା ପ୍ରତିଯୋଗିତା ମଧ୍ୟରୁ ଗୋଟିଏ। ପାରାଅଲିମ୍ପିକ୍ ଗେମ୍ସ ଏବଂ ପାରାଅଲିମ୍ପିକ୍ ଖେଳାଳିମାନେ ସମସ୍ତେ ଶ୍ରେଷ୍ଠ ହେବାକୁ ଏବଂ ସେମାନଙ୍କର ପ୍ରଦର୍ଶନ ମାଧ୍ୟମରେ, ଅକ୍ଷମତା ପ୍ରତି ଧାରଣାକୁ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖନ୍ତି।
ଭାରତରେ ପାରାକ୍ରୀଡା:
ସମ୍ପ୍ରତି ଭାରତରେ ପାରାକ୍ରୀଡାର ଆଦର ଯଥେଷ୍ଠ ବୃଦ୍ଧି ପାଇଥିବାର ପରିଲକ୍ଷିତ ହୁଏ । ସରକାରୀ ପ୍ରୋତ୍ସାହନ ଏବଂ ଗତବର୍ଷ ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତର ସଫଳ ପ୍ରଦର୍ଶନ ଦେଶବାସୀଙ୍କ ପ୍ରସଂଶା ସାଉଁଟିବା ସହ ଏହି ଖେଳ ପ୍ରତି ସଭିଙ୍କ ଦୃଷ୍ଟି ଆକର୍ଷିତ କରିପାରିଛି । ୨୦୨୪ ପ୍ୟାରିସ୍ ଗେମ୍ସ ୨୯ଟି ପଦକ ସହିତ ଏପର୍ଯ୍ୟନ୍ତ ସବୁଠାରୁ ସଫଳ ଥିଲା। ପାରାଲିମ୍ପିକ୍ କମିଟି ଅଫ୍ ଇଣ୍ଡିଆ (ପିସିଆଇ) ହେଉଛି ଏହାର ପ୍ରମୁଖ ପରିଚାଳନା ସଂସ୍ଥା । ଜାତୀୟ ବାର୍ଷିକ ପାରାକ୍ରୀଡା ପ୍ରତିଯୋଗୀତା ଏବଂ ଖେଲୋ ଇଣ୍ଡିଆ ପାରା ଗେମ୍ସ ଭଳି ଇଭେଣ୍ଟର ଆୟୋଜନ ଏହି କ୍ରିଡାର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।
ଓଡ଼ିଶାରେ ପାରାକ୍ରୀଡ଼ା :-
ଅକ୍ଷମତାକୁ ନେଇ ରହିଥିବା ନକାରାତ୍ମକ ଧାରଣା ସବୁ ବଦଳିବାରେ ଲାଗିଛି। ଶାରୀରିକ କିମ୍ବା ବୌଦ୍ଧିକ ପ୍ରତିବନ୍ଧକତା ସତ୍ତ୍ୱେ ମଣିଷ ଯେ ତାହାର ସାମର୍ଥ୍ୟ ପ୍ରତିପାଦିତ କରିପାରେ ଏହା ସମ୍ପ୍ରତି ବିଭିନ୍ନ କ୍ଷେତ୍ରରେ ପ୍ରତି ପାଦିତ ହେବାରେ ଲାଗିଛି। ସେଥି ମଧ୍ୟରୁ ପାରା କ୍ରୀଡା ବା ପାରା ସ୍ପୋର୍ଟସ ସମ୍ପ୍ରତି ଏହି କ୍ରୀଡାବିତ୍ ମାନଙ୍କୁ ଏକ ଉତ୍କୃଷ୍ଟ ସମ୍ମାନ ଜଣକ ପରିଚୟ ଆଣିଦେବାରେ ସକ୍ଷମ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶେଷ କରି ସରକାରଙ୍କ ପକ୍ଷରୁ ମିଳୁଥିବା ପ୍ରୋତ୍ସାହନ ଓ ସୁବିଧା ସୁଯୋଗ ବ୍ୟତୀତ ଘୋରାଇ କ୍ଷେତ୍ରରେ ମଧ୍ୟ ପୃଷ୍ଠପୋଷକତା ସମ୍ଭବ ହୋଇପାରୁଛି। ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ସଫଳତା ଅର୍ଜନ କରିଥିବା ପାରାକ୍ରୀଡାବିତମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଓ ସଂରକ୍ଷଣର ସୁବିଧା ହେତୁ ଓଡ଼ିଶାର ଅନେକ ସଫଳ ପାରାକ୍ରୀଡାବିତ୍ ଚାକିରି କ୍ଷେତ୍ରରେ ଅବସ୍ଥାପିତ ହୋଇ ସମ୍ମାନଜନକ ଜୀବନ ନିର୍ବାହ କରିବା ସହିତ ସାମାଜିକ ପ୍ରତିଷ୍ଠା ମଧ୍ୟ ପାଇପାରିଛନ୍ତି ।
ଯଦିଓ ଓଡ଼ିଶାର ପାରାକ୍ରୀଡା କ୍ଷେତ୍ରରେ କ୍ରୀଡ଼ା ଭିତ୍ତିଭୂମିଗତ ସୁବିଧାଠାରୁ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ପରି ଆବଶ୍ୟକ କ୍ଷେତ୍ରରେ ଅଭାବ ପରିଦୃଷ୍ଟ ହୁଏ ତଥାପି ଓଡ଼ିଶାର ପାରାକ୍ରୀଡ଼ା ନିଜର ଏକ ସୁଦୃଢ ଗତିଶୀଳତା ଯେ ପାଇ ପାରିଛି ଏକଥା ନିଃସନ୍ଦେହରେ କହିହେବ।
ଅଧିକନ୍ତୁ, କହିବାକୁ ଗଲେ ଭିନ୍ନକ୍ଷମତା ଭୋଗକରୁଥିବା ଯୁବବର୍ଗଙ୍କ କ୍ଷେତ୍ରରେ ଏହି ପାରାକ୍ରୀଡ଼ା ଏକ ନୂଆ ଆଶା ଓ ନୂଆ ଦିଗନ୍ତର ସମ୍ଭାବନା ଯେ ସୃଷ୍ଟି କରିଛି ଏହା ଉଲ୍ଲେଖ କରିବାରେ ଦ୍ଵିମତ ନାହିଁ। ସାଧରଣ ଦୁର୍ଘଟଣା କିମ୍ବା ରୋଗଗ୍ରସ୍ତ ହୋଇ ଅସମୟରେ ଭିନ୍ନକ୍ଷମ ହୋଇପଡୁଥିବା ଯୁବବର୍ଗମାନେ ମୁଖ୍ୟଧାରାର ସମାଜ ଓ ଜୀବନଠାରୁ ବିଛିନ୍ନ ହୋଇ ନିଜର ଆର୍ଥିକ ଉତ୍ପାଦକ କ୍ଷମତା ହରାଇବା ସଙ୍ଗେ ସଙ୍ଗେ ଅସହାୟ ଓ ନୈରାଶ୍ୟ ମଧ୍ୟଦେଇ ଗତି କରୁଥିଲେ। ଏହି ପାରାକ୍ରୀଡ଼ା ମାଧ୍ୟମରେ ସେମାନେ ନିଜର ବିକଳ୍ପ ସାମର୍ଥ୍ୟ ପ୍ରତିପାଦନ କରି ସମାଜରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଆର୍ଥିକ ସ୍ୱାବଲମ୍ବନଶୀଳତା ମଧ୍ୟ ଅର୍ଜନ କରିପାରୁଛନ୍ତି। ତେଣୁ ଓଡ଼ିଶାରେ ପାରାକ୍ରୀଡ଼ା ଭିନ୍ନକ୍ଷମ ଯୁବବର୍ଗ ଙ୍କ ନିମନ୍ତେ ପର୍ଯ୍ୟାପ୍ତ ସମ୍ଭାବନାର ଏକ ସୁଯୋଗ ଯେ ସୃଷ୍ଟି କରିଛି କହିଲେ ଠିକ୍ ହେବ ।
ବର୍ଷ ୨୦୨୫: ଓଡିଆ ପାରାଆଥଲେଟ୍ କମାଲ୍:
କ୍ରମାଗତ ୨ୟ ଥର ଜାତୀୟ ୱିଲ୍ଚେୟାର ରଗ୍ବୀ ଚାମ୍ପିୟନ ଓଡ଼ିଶା
ପାରାକ୍ରୀଡା କ୍ଷେତ୍ରରେ ଓଡ଼ିଶା ପୁଣି ପ୍ରାଧାନ୍ୟ ପ୍ରମାଣିତ କରିଛି। ମଧ୍ୟପ୍ରଦେଶର ଗ୍ଵାଲିଅରସ୍ଥିତ ଅଟଳ ବିହାରୀ ବାଜପେୟୀ ଟ୍ରେନିଂ ସେଣ୍ଟର ଫର ଡିଜାବିଲିଟି ସ୍ପୋର୍ଟଠାରେ ଅନୁଷ୍ଠିତ ସପ୍ତମ ଜାତୀୟ ୱିଲ୍ଚେୟାର ରଗ୍ବୀ ଚାମ୍ପିୟନଶିପ୍ରେ ଓଡ଼ିଶା ଦଳ ଚାମ୍ପିୟନ ହୋଇଛି। ଫାଇନାଲରେ ଓଡ଼ିଶା ୧୬– ୧୧ ବ୍ୟବଧାନରେ ରାଜସ୍ଥାନକୁ ପରାସ୍ତ କରି ଲଗାତର ଦ୍ଵିତୀୟ ଥର ପାଇଁ ଜାତୀୟ ଟାଇଟଲ ହାସଲ କରିଛି। ଗତ ବର୍ଷ ଓଡ଼ିଶା ଦଳ ଫାଇନାଲରେ କେରଳକୁ ପରାସ୍ତ କରିଥିଲା । ଦଳର ସ୍ଥିର ପ୍ରଦର୍ଶନ ଓଡ଼ିଶାରେ ପାରା ସ୍ପୋର୍ଟ୍ସର ଉନ୍ନତିକୁ ଦର୍ଶାଉଛି। ଓଡ଼ିଶା ଦଳର ୩ ଖେଳାଳି ଗୌତମ ସିଂ, ସୁଧୀର ମଲିକ ଓ ମୁରଲି ବେନିଆନଙ୍କୁ ଆଗାମୀ ଅନ୍ତର୍ଜାତୀୟ ୱିଲ୍ଚେୟାର ରଗ୍ବୀ କ୍ୟାମ୍ପ ଲାଗି ଚୟନ କରାଯାଇଛି।
ଜାତୀୟ ପାରା ସନ୍ତରଣରେ ଓଡ଼ିଶାକୁ ୩୯ ପଦକ: ଅତିକ୍ରମ କଲା ପୂର୍ବବର୍ଷର ରେକର୍ଡ
ନିକଟରେ ହାଇଦ୍ରାବାଦରେ ଆୟୋଜିତ ୨୫ତମ ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରି ୮ ସ୍ଵର୍ଣ୍ଣ, ୧୮ ରୌପ୍ୟ ଓ ୧୩ କାଂସ୍ୟ ପଦକ ସହ ୩୯ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏଥିରେ ୨୮ ରାଜ୍ୟର ୬୨୮ ସନ୍ତରଣ ତାରକା ଅଂଶଗ୍ରହଣ କରିଥିଲେ । ୩୨ଜଣ ଖେଳାଳି ଓଡ଼ିଶାରୁ ପ୍ରତିନିଧିତ୍ଵ କରିଥିଲେ। କର୍ଣ୍ଣାଟକ ବିଜେତା ହୋଇଥିଲା ବେଳେ ଓଡ଼ିଶା ସପ୍ତମ ସ୍ଥାନରେ ରହିଥିଲା। ଏହି ପ୍ରତିଯୋଗିତାକୁ ଯିବା ପୂର୍ବରୁ ଖେଳାଳିମାନେ ପାରା ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ଏଚ୍ପିସି ପୁଲ୍ରେ ୧୫ଜଣିଆ ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ । ସନ୍ତରଣ ଆୟୋଜିତ ଶିବିରରେ ପ୍ରତିଷ୍ଠିତ ପ୍ରଶିକ୍ଷକ ସୁନିତା ବହିଦାର ଓ ପୁର୍ଣ୍ଣଚନ୍ଦ୍ର ସେଠୀ ସେମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି ସଫଳତା ଲାଗି ଓଡ଼ିଶା ଖେଳାଳିଙ୍କୁ ପାରା ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ରାଜ୍ୟ ଦଳକୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଗତବର୍ଷ ଓଡ଼ିଶା ଏହି ପ୍ରତିଯୋଗିତାରେ ୨୭ ପଦକ ଜିତିଥିଲା । ଏବର୍ଷ ୩୯ପଦକ ଜିତିବା ଓଡ଼ିଶାରେ ପାରା କ୍ରୀଡ଼ାର ଖେଳାଳିଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।
ବିଶ୍ଵ ଆବିଲିଟି ସ୍ପୋର୍ଟରେ ଓଡ଼ିଶାକୁ ୬ ସ୍ଵର୍ଣ୍ଣ ସହ ୪ ରୌପ୍ୟ ୨ ବ୍ରୋଞ୍ଚ
ଥାଇଲାଣ୍ଡରେ ଅନୁଷ୍ଠିତ ହୋଇଥିବା ବିଶ୍ଵ ଆବିଲିଟି ସ୍ପୋର୍ଟ୍ସ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ଵ କରୁଥିବା ଓଡ଼ିଶା ଖେଳାଳି ୩ ଲେଖାଏଁ ସ୍ଵର୍ଣ୍ଣ ଓ ରୌପ୍ୟ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଗୋବିନ୍ଦ ଦୁବେ ଦୁଇଟି, କମଳା କାନ୍ତ ନାୟକ ଦୁଇଟି , ସୁଚିତ୍ରା ପରିଡା ଗୋଟିଏ ଓ ରଞ୍ଜିତ ଚାନ୍ଦ ଗୋଟିଏ ଲେଖାଏଁ ସ୍ଵର୍ଣ୍ଣ ଜିତିଥିଲା ବେଳେ ରଞ୍ଜନା ନାହାକ ଦୁଇଟି ,ପ୍ରଫୁଲ୍ଲ ଖଣ୍ଡାୟତରାୟ ଓ ସୁଚିତ୍ରା ପରିଡ଼ା ଗୋଟିଏ ଲେଖାଏଁ ରୌପ୍ୟ ପଦକ ଜିତିଥିବା ବେଳେ ସୁଚିତ୍ରା ପରିଡ଼ା ଓ ପ୍ରଫୁଲ୍ଲ ଖଣ୍ଡାୟତରାୟ ଗୋଟିଏ ଲେଖାଏଁ ବ୍ରୋଞ୍ଚ ପଦକ ପାଇଛନ୍ତି। ପୁରୁଷ ଟି୪୬/୪୭ ୨୦୦ ମିଟର ଦୌଡ଼ ଓ ଲଙ୍ଗଜମ୍ପରେ ଗୋବିନ୍ଦ ଦୁଇଟି ସ୍ଵର୍ଣ୍ଣ ପଦକ ଅକ୍ତିଆର କରିଥିଲେ। ସେ ୨୦୦ ମିଟର ଦୌଡ଼କୁ ୨୩,୪୪ ସେକେଣ୍ଡରେ ଏବଂ ଲଙ୍ଗଜମ୍ପରେ ୬.୧୮ ମିଟର ଡେଇଁ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପୁରୁଷ ଏଫ୍୪୬ ଜାଭଲିନ୍ରେ ରଞ୍ଜିତ (୫୩,୩୨ ମିଟର) ସ୍ବର୍ଣ୍ଣ ଜିତିଥିଲା ବେଳେ ଏଫ୍୫୫ରେ ପ୍ରଫୁଲ୍ଲ (୨୧.୦୪ ମିଟର) ରୌପ୍ୟ ପାଇଥିଲେ । ମହିଳା ସଟ୍ପୁଟ୍ ଏଫ୍୫୫/୫୬ରେ ସୁଚିତ୍ରା (୫.୯୪ ମିଟର) ଏବଂ ଏଫ୍୫୪ରେ ରଞ୍ଜନା (୫.୧୧ ମିଟର) ଦ୍ବିତୀୟ ସ୍ଥାନରେ ରହିଥିଲେ |
“ଆପଣ ଚାଲି ପାରିବେ ନାହିଁ ବୋଲି ସ୍ଵପ୍ନକୁ ଅଟକାନ୍ତୁ ନାହିଁ। ଖେଳ ଆପଣଙ୍କ ଜୀବନକୁ ପୁନର୍ଜୀବନ ଦେଇପାରିବ।”
ସୁନୀଲ ପ୍ରଧାନ
ସମ୍ପାଦକ: ଓଡିଶା ପାରାକ୍ରୀଡା ସଂଘ
ଆନ୍ତର୍ଜାତୀୟ ଓ ସର୍ବଭାରତୀୟସ୍ତରରେ ଓଡିଶାର ପାରାକ୍ରୀଡାବୀତ୍ ମାନେ ସମ୍ପ୍ରତି ଯେଉଁ ସଫଳତା ଅର୍ଜନ କରୁଛନ୍ତି, ଏହାର ନେପଥ୍ୟରେ ରହିଛି ଓଡିଶା ପାରାକ୍ରୀଡା ସଂଘର ଅତୁଳନୀୟ ଭୂମିକା । ପ୍ରୋତ୍ସାହନଠାରୁ ପ୍ରଶିକ୍ଷଣ ଓ କ୍ରୀଡାବୀତଙ୍କ ମନୋବଳ ବୃଦ୍ଧି କରିବାରେ ଏହି ସଂଘର ନିରନ୍ତର ପ୍ରୟାସ ସୁଫଳ ଆଣି ପାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ସଂଘର ସଭାପତି ଏବଂ ସମ୍ପାଦକ ରୂପେ ଦାଇତ୍ଵ ନିର୍ବାହ କରୁଥିବା ନେପଥ୍ୟର ଅନ୍ୟତମ ନାୟକ କମଳକାନ୍ତ ରଥ ଓ ସୁନୀଲ ପ୍ରଧାନଙ୍କ ଉଦ୍ୟମ ଯଥେଷ୍ଠ ପ୍ରସଂଶନୀୟ । ଏହାର ସମ୍ପାଦକ ସୁନୀଲ ପ୍ରଧାନ ଜଣେ ଆନ୍ତର୍ଜାତୀୟ କ୍ଷେତ୍ରରେ ପ୍ରତିଷ୍ଠିତ ପାରାକ୍ରୀଡାବୀତ୍ । ଭାରତର ପାରାଅଲମ୍ପିକ୍ କମିଟିର କୋଷାଦକ୍ଷ ଦାଇତ୍ଵ ନିର୍ବାହ କରିବା ସହିତ ଓଡିଶା ପାରାକ୍ରୀଡାର ସମ୍ପାଦକ ରୂପେ ସେ ଓଡିଶାରେ ପାରା ସ୍ପୋର୍ଟ୍ସର ବିକାଶ ଓ ପରିପ୍ରସାର ନିମନ୍ତେ ପ୍ରୟାସଶୀଳ ରହିଛନ୍ତି ।
“ପୁନର୍ବାସ ସମାଚାର”କୁ ଓଡିଶାରେ ପାରାକ୍ରୀଡାର ସମ୍ପ୍ରତିକ ସ୍ଥିତି ଓ ସମ୍ଭାବନାକୁ ନେଇ ଏହି ସ୍ଵତନ୍ତ୍ର ସାକ୍ଷାତକାରରେ ଅନେକ ଗୁରୁତ୍ଵପୂର୍ଣ୍ଣ ଦିଗ ଉତ୍ଥାପନ କରିଛନ୍ତି ।
ବର୍ତ୍ତମାନ ଆନ୍ତର୍ଜାତୀୟ କ୍ଷେତ୍ରରେ ପାରାସ୍ପୋର୍ଟସର ଗୁରୁତ୍ୱ ବଢ଼ିଛି। ଏଥିରେ ଓଡ଼ିଶାରେ ପାରାକ୍ରୀଡାର ସ୍ଥିତି କେମିତି?
ଉତ୍ତର- ସତ କହିବାକୁ ଗଲେ, ବର୍ତ୍ତମାନ ଓଡ଼ିଶାର ପାରାକ୍ରୀଡା ଭାରତରେ ସର୍ବଶ୍ରେଷ୍ଠ ମଧ୍ୟରେ ଗଣାଯାଉଛି। ଆମ ଖେଳାଳିମାନେ ଆଜି ପାରା ଅଲମ୍ପିକ, ଏସିଆନ, ୱର୍ଲ୍ଡ ଚାମ୍ପିୟନଶିପ୍ ଓ ୱର୍ଲ୍ଡ ଗେମ୍ସ ଭଳି ଆନ୍ତର୍ଜାତୀୟ କ୍ରୀଡା ରେ ମେଡାଲ ଜିତୁଛନ୍ତି। କଳିଙ୍ଗଷ୍ଟାଡିୟମ ରେ ବିଶ୍ୱସ୍ତରୀୟ ସୁବିଧା, ରାଜ୍ୟ ସରକାରଙ୍କ ସମର୍ଥନ ଓ ଆମ କୋଚମାନଙ୍କ ପ୍ରଶିକ୍ଷଣ ଫଳରେ ପାରାକ୍ରୀଡା ଆଜି ଓଡ଼ିଶାର ପାରା କ୍ରୀଡ଼ା କୁ ଶିଖରରେ ପହଞ୍ଚାଇଛି ।
ସରକାରୀ ଓ ବେସରକାରୀ ସ୍ତରରେ ଓଡ଼ିଶାର ପାରା କ୍ରୀଡାବିତ୍ ମାନଙ୍କୁ ପ୍ରୋତ୍ସାହନ ଯଥେଷ୍ଟ କି?
ଉତ୍ତର- ହଁ, ଗତ କିଛି ବର୍ଷରେ ସରକାରଙ୍କ ସମର୍ଥନ ନିଶ୍ଚୟ ଫଳପ୍ରଦ ହୋଇଛି। DSYS ଦ୍ୱାରା କ୍ୟାମ୍ପ୍, ଟ୍ରେନିଙ୍ଗ୍, ଇକ୍ୟୁପମେଣ୍ଟ, ଟ୍ରାଭେଲ ସପୋର୍ଟ ଓ କ୍ୟାଶ୍ ଆୱାର୍ଡ ପାଇ ପାରା କ୍ରୀଡ଼ାବିତ ମାନଙ୍କର ଭଲ ଉନ୍ନତି ହୋଇଛି। କିନ୍ତୁ ବେସରକାରୀ ସଂସ୍ଥାମାନଙ୍କ ସହଯୋଗ ଅଧିକ ଆସିବା ଦରକାର। କର୍ପୋରେଟ୍ ସେକ୍ଟର CSR ମାଧ୍ୟମରେ ଯଦି ଆଗକୁ ଆସିବେ, ତେବେ ଅଧିକ ଦିବ୍ୟାଙ୍ଗ ଯୁବଶକ୍ତିଙ୍କୁ ପାରାସ୍ପୋର୍ଟସ୍ ସହିତ ଯୋଡି ହେବାକୁ ସହଜ ହେବ ।
ଜିଲ୍ଲା/ଉପଖଣ୍ଡ/ବ୍ଲକ୍ ସ୍ତରରେ ପାରାକ୍ରୀଡାର ଭିତ୍ତିଭୂମି ଅଭାବ ଅଛି। ଓଡ଼ିଶା ପାରାକ୍ରୀଡା ସଂଘ କେଉଁ ପଦକ୍ଷେପ ନେଇଛି ?
ଉତ୍ତର – ଏହା ନିଶ୍ଚୟ ଏକ ଚ୍ୟାଲେଞ୍ଜ୍। Para Sports Association of Odisha (PSAO) ପକ୍ଷରୁ ଆମେ—
• ପ୍ରତ୍ୟେକ ଜିଲ୍ଲାରେ ପାରା ସ୍ପୋର୍ଟ ଆଇଡେଣ୍ଟିଫିକେସନ୍ କ୍ୟାମ୍ପ କରିବାକୁ ଚାହୁଁଛୁ କିନ୍ତୁ ସହଯୋଗ ମିଲିନାହିଁ।
• ଶାରୀରିକ ମୂଲ୍ୟାଙ୍କନ (Classification) ସୁବିଧା ପ୍ରଦାନ କରୁଛୁ,
• ଜିଲ୍ଲା ସଂଘମାନଙ୍କୁ ଗଠନ ଓ ସକ୍ରିୟ କରିବା ପାଇଁ ନିୟମିତ ମିଟିଂ କରୁଛୁ,
• ବ୍ଲକ୍ ସ୍ତରରେ ପ୍ରାକ୍ଟିସ୍ ଜାଗା, ହ୍ୱିଲଚେୟର୍, ଜାଭେଲିନ୍, ଶଟପୁଟ୍ ପରି ପ୍ରମୁଖ ଇକ୍ୟୁପଣ୍ଟ ପହଞ୍ଚାଇବା ପାଇଁ ପ୍ରୟାସ କରୁଛୁ।
ସରକାରଙ୍କ ସହିତ ମିଶି ଏହି ଭିତ୍ତିଭୂମିକୁ ଶୀଘ୍ର ଓ ମଜବୁତ କରିବା ଆମ ଲକ୍ଷ୍ୟ।
ଦୁର୍ଘଟଣା ବା ରୋଗରେ ହଠାତ୍ ଦିବ୍ୟାଙ୍ଗ ହୋଇପଡୁଥିବା ଯୁବମାନଙ୍କୁ କେଉଁ ସନ୍ଦେଶ ଦେବାକୁ ଚାହିଁବେ?
ଉତ୍ତର – ଦିବ୍ୟାଙ୍ଗତା କେବେ ମଧ୍ୟ ଜୀବନର ଶେଷ ନୁହେଁ; ଏହା ନୂତନ ସମ୍ଭାବନାର ଆରମ୍ଭ। ଖେଳ ଯୋଗେ ଆପଣ ଆତ୍ମବିଶ୍ୱାସ, ଶକ୍ତି ଏବଂ ନୂତନ ପରିଚୟ ପାଇପାରିବେ। ଆମ ପାଖରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଦିବ୍ୟାଙ୍ଗତା ପରେ ମଧ୍ୟ ଭାରତକୁ ମେଡାଲ ଦେଇଛନ୍ତି ଓ ବିଶ୍ୱକୁ ପ୍ରେରଣା ଦେଇଛନ୍ତି ।
ମୁଁ କେବଳ ଏତିକି କହିବି—
“ଆପଣ ଚାଲି ପାରିବେ ନାହିଁ ବୋଲି ସ୍ବପ୍ନକୁ ଅଟକାନ୍ତୁ ନାହିଁ। ଖେଳ ଆପଣଙ୍କ ଜୀବନକୁ ପୁନର୍ଜୀବନ ଦେଇପାରିବ ।”














