ଦିବ୍ୟାଙ୍ଗଙ୍କ ରାଜନୈତିକ ଅନ୍ତର୍ଭୁକ୍ତି ଓ ବର୍ଦ୍ଧିଷ୍ଣୁ ସଂରକ୍ଷଣର ସ୍ୱର

ଏବେ ସମୟ ଆସିଛି, ନୂତନ ଭିନ୍ନକ୍ଷମ ଆଇନ୍ ଅନ୍ତର୍ଗତ ଏହି ୨୧ ପ୍ରକାର ଭିନ୍ନକ୍ଷମ ସମୂହଙ୍କ ସ୍ୱାର୍ଥ ଓ ନ୍ୟାଯ୍ୟ ଦାବି ନିମନ୍ତେ ମିଳିତ ଭାବେ ଅଭିଯାନ ଆରମ୍ଭ ହେବା ଆବଶ୍ୟକ

ନିକଟରେ ତାମିଲନାଡୁର ଡିଏମକେ ସରକାର ସମସ୍ତ ନଗରପାଳିକା ଓ ପଞ୍ଚାୟତ ନିର୍ବାଚନରେ ଭିନ୍ନକ୍ଷମମାନଙ୍କ ପ୍ରତିନିଧିତ୍ୱ ନିମନ୍ତେ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଛନ୍ତି । ଏହି ଘୋଷଣାନାମା ସାରା ଭାରତବର୍ଷରେ ଭିନ୍ନକ୍ଷମଙ୍କ ଅଧିକାର ପାଇଁ କାର୍ଯ୍ୟରତ ସଂଗଠନଗୁଡ଼ିକ ମଧ୍ୟରେ ଆଶା ସଞ୍ଚାର କରିଛି । ଏହାର କାର୍ଯ୍ୟକାରିତା ନିମନ୍ତେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ବଜେଟ୍ ଅଧିବେଶନରେ ଉକ୍ତ ପ୍ରଦେଶର ନଗରପାଳିକା ଆଇନ୍, ୧୯୯୮ ଓ ପଞ୍ଚାୟତ ଆଇନ୍, ୧୯୯୪କୁ ସଂଶୋଧନ କରିବାକୁ ପ୍ରସ୍ତାବ ରଖିଛନ୍ତି । ତାଙ୍କ ମତରେ ଉକ୍ତ ପଦକ୍ଷେପ ଦ୍ୱାରା ସମାଜର ଏହି ଅବହେଳିତ ଭିନ୍ନକ୍ଷମବର୍ଗ ଶକ୍ତିଶାଳୀ ଅନୁଷ୍ଠାନ ସବୁର ଅଂଶୀଦାର ହୋଇପାରିବେ । ଅଧିକନ୍ତୁ, ଏହା ସେମାନଙ୍କ ସ୍ୱରକୁ ତୃଣମୂଳ ପ୍ରଶାସନରେ ଉତ୍ଥାପିତ କରାଇବାରେ ସକ୍ଷମ ହେବ ।

ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କର ଏହି ଘୋଷଣା ପରେ ପରେ ପୁଣିଥରେ ଭିନ୍ନକ୍ଷମମାନଙ୍କ ରାଜନୈତିକ ସଂରକ୍ଷଣ ଦାବି ଜୋର୍ ଧରିବା ଆରମ୍ଭ କରିଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ୨୦୧୬ ମସିହାରେ ପ୍ରଣୟନ ହୋଇଥିବା ନୂତନ ଭିନ୍ନକ୍ଷମମାନଙ୍କ ଅଧିକାର ଆଇନ୍ ସେମାନଙ୍କ ଶିକ୍ଷା, ସାମାଜିକ ସୁରକ୍ଷାଠାରୁ ଆରମ୍ଭ କରି ନିଯୁକ୍ତି ଓ ଉନ୍ନତ ଯୋଜନା ସମୂହରେ ସୁନିଶ୍ଚିତ ନିର୍ଦ୍ଧାରିତ ସଂରକ୍ଷଣ ବ୍ୟବସ୍ଥା ପ୍ରାବଧାନ କରିଥିବା ବେଳେ ରାଜନୈତିକ ସଂରକ୍ଷଣ ବାବଦରେ ନିରବ ରହିଛି । ୨୦୧୧ ମସିହାର ଜନଗଣନା ପରିସଂଖ୍ୟାନ ଅନୁଯାୟୀ ଆମ ଦେଶରେ ୨.୬୮ କୋଟି ଜନସଂଖ୍ୟା ଭିନ୍ନକ୍ଷମ ଅଟନ୍ତି । ଏହା ୧୯୯୫ ମସିହା ଭିନ୍ନକ୍ଷମ ଆଇନ୍ ଅନ୍ତର୍ଗତ ୭ ପ୍ରକାର ଭିନ୍ନକ୍ଷମତା ପ୍ରକାର ଉପରେ ପରିଗଣିତ ହୋଇଥିଲା । ମାତ୍ର ୨୦୧୬ର ନୂତନ ଆଇନ୍ ପାରିତ ହେବାପରେ ଭିନ୍ନକ୍ଷମତାର ପ୍ରକାର ୭ରୁ ବୃଦ୍ଧିପାଇ ୨୧ରେ ପହଞ୍ଚିଛି । ଯଦିଓ ଏହା ମଧ୍ୟରେ ପରବର୍ତ୍ତୀ ଜନଗଣନା ସରିନାହିଁ, କିନ୍ତୁ ବିଶ୍ୱବ୍ୟାଙ୍କ୍ ଦ୍ୱାରା ପ୍ରକାଶିତ ୨୦୧୨ ମସିହାର ରିପୋର୍ଟ ଭାରତରେ ପାଖାପାଖି ୪୦ରୁ ୮୦ ନିୟୁତ ଲୋକେ ଅଳ୍ପବହୁତ ଭିନ୍ନକ୍ଷମତାର ଶିକାର ଅଟନ୍ତି ବୋଲି ଉଲ୍ଲେଖ କରିଛି । ଯାହା ସମୁଦାୟ ଜନସଂଖ୍ୟାର ଶତକଡ଼ା ୩.୫ରୁ ୭ ପାଖାପାଖି ଅଟନ୍ତି । ଏହାକୁ ଦୃଷ୍ଟିରେ ରଖିଲେ ଭାରତରେ ଦୀର୍ଘବର୍ଷ ଧରି ବିଭିନ୍ନ ଭିନ୍ନକ୍ଷମ ସଂଗଠନ ଦାବିକରି ଆସୁଥିବା ସେମାନଙ୍କ ରାଜନୈତିକ ସଂରକ୍ଷଣର ଯଥାର୍ଥତାକୁ ଅଣଦେଖା କରାଯାଉଛି ବୋଲି ପ୍ରକାଶ କରନ୍ତି ।

ସେମାନଙ୍କ ମତରେ ଭିନ୍ନକ୍ଷମ ବର୍ଗଙ୍କ ନିମନ୍ତେ ପ୍ରତିକ୍ଷେତ୍ରରେ ସମାନତା ଓ ସୁଗମ୍ୟତାକୁ ସୁନିଶ୍ଚିତ କରାଇବାକୁ ହେଲେ ରାଜନୈତିକ ସଂରକ୍ଷଣ ପାଇଁ ଆବଶ୍ୟକ ବ୍ୟବସ୍ଥା ନିହାତି ଆବଶ୍ୟକ । ଇଚ୍ଛାଶକ୍ତିର ଅଭାବ ଓ ଏମାନଙ୍କର ସଂଖ୍ୟା ନ୍ୟୂନ ସ୍ଥିତିକୁ ଦେଖି ପୂର୍ବରୁ ଅଦ୍ୟାବଧି ରାଜନୈତିକ ଦଳମାନେ ଏହି ଦୁର୍ବଳ ବର୍ଗଙ୍କର ଯଥାର୍ଥ ସଶକ୍ତିକରଣକୁ ଗୁରୁତ୍ୱ ଦେଇନାହାନ୍ତି । ଏବେ ସମୟ ଆସିଛି, ନୂତନ ଭିନ୍ନକ୍ଷମ ଆଇନ୍ ଅନ୍ତର୍ଗତ ଏହି ୨୧ ପ୍ରକାର ଭିନ୍ନକ୍ଷମ ସମୂହଙ୍କ ସ୍ୱାର୍ଥ ଓ ନ୍ୟାଯ୍ୟ ଦାବି ନିମନ୍ତେ ମିଳିତ ଭାବେ ଅଭିଯାନ ଆରମ୍ଭ ହେବା ଆବଶ୍ୟକ ବୋଲି କହନ୍ତି ଓଡ଼ିଶାର ପରିଚିତ ଭିନ୍ନକ୍ଷମ ଅଧିକାର କର୍ମୀ ଓ ସମାଜସେବୀ ଡ. ଶ୍ରୁତି ମହାପାତ୍ର ।

ରାଜନୈତିକ ସଂରକ୍ଷଣର ସମର୍ଥନରେ ସେ ଉପସ୍ଥାପିତ କରୁଥିବା ବଳିଷ୍ଠ ଯୁକ୍ତି ହେଉଛି -

୧ – ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଧିଷ୍ଟ କେନ୍ଦ୍ର ଓ ରାଜ୍ୟ ଦ୍ୱାରା ପ୍ରଣୟନ କରାଯାଉଥିବା ଯୋଜନା ତୃଣମୂଳ ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତି ସ୍ତରରେ ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ । ଯଦି ପଞ୍ଚାୟତିରାଜ ବ୍ୟବସ୍ଥାରେ ଗ୍ରାମସଭା ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ପ୍ରତିଟି ସୋପାନରେ ଏହି ବର୍ଗର ଲୋକମାନଙ୍କ ନିମନ୍ତେ ସଂରକ୍ଷଣର ବ୍ୟବସ୍ଥା ରୁହନ୍ତା, ତେବେ ଦିବ୍ୟାଙ୍ଗଲୋକଟି ସେମାନଙ୍କ ହିତ ବା ସ୍ୱାର୍ଥ ଉଦ୍ଧିଷ୍ଟେ ନିଜର ଦୃଷ୍ଟିକୋଣକୁ ଉପସ୍ଥାପିତ କରିବାର ସୁଯୋଗ ପାଆନ୍ତା । ଅଙ୍ଗନୱାଡ଼ି ଠାରୁ ଆରମ୍ଭ କରି ପ୍ରଣୟନ କରାଯାଉଥିବା ଛୋଟବଡ଼ ପ୍ରକଳ୍ପରେ ସେମାନଙ୍କ ସହଭାଗିତା ରହନ୍ତା । ମାତ୍ର ଏହା ସମ୍ଭବ ହୋଇପାରୁ ନ ଥିବାରୁ ସେମାନଙ୍କ ଜୀବନଧାରଣାର ଗୁଣାତ୍ମକ ମାନକୁ ପ୍ରଭାବିତ କରୁଛି ।

୨ – ଯେଉଁପରି ମହିଳାମାନଙ୍କ ସ୍ୱର ଓ ପଛୁଆ ବର୍ଗମାନଙ୍କ ପାଇଁ ସମ୍ବିଧାନ ସଂଶୋଧନ କରାଯାଇ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି, ସେହିପରି ମଧ୍ୟ ଭିନ୍ନକ୍ଷମ ବର୍ଗଙ୍କ ପାଇଁ କରାଯିବା ନିହାତି ଆବଶ୍ୟକତା ରହିଛି । ଆମର କେନ୍ଦ୍ରସ୍ତରରେ ରାଜ୍ୟସଭା ଓ ଲୋକସଭା ପରି ଉଚ୍ଚତର ପରିଷଦରେ ଓ ରାଜ୍ୟ ବିଧାନସଭାମାନଙ୍କରେ ସ୍ୱାଧୀନତାର ୭୬ ବର୍ଷ ଅତିକ୍ରାନ୍ତ ପରେ ସୁଦ୍ଧା କେତେଜଣ ଅବା ଦିବ୍ୟାଙ୍ଗଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଛି ବୋଲି ସେ ପ୍ରଶ୍ନ ଉତ୍ଥାପନ କରନ୍ତି । ଯାହାଫଳରେ ଏହି ବର୍ଗର ଅଭିବୃଦ୍ଧି ପାଇଁ ସେମାନଙ୍କର ସ୍ୱର ସଠିକ୍ ଜାଗାରେ ଉପସ୍ଥାପିତ ହୋଇପାରୁନାହିଁ ।

ଯଦି ଶ୍ରୁତି ମହାପାତ୍ରଙ୍କ ଉପରୋକ୍ତ ଯୁକ୍ତିକୁ ପର୍ଯ୍ୟାଲୋଚନା କରାଯାଏ, ତେବେ ଅବଶ୍ୟ ବୁଝାପଡ଼ିବ ଯେ, ଏହି ବର୍ଗ ପ୍ରତି ରହିଥିବା ନକରାତ୍ମକ ଦୃଷ୍ଟିକୋଣ ଯୋଗୁଁ ପ୍ରତିଭା, ଯୋଗ୍ୟତା ଓ ସାମର୍ଥ୍ୟ ଥାଇ ସୁଦ୍ଧା ଏମାନଙ୍କ ମଧ୍ୟରୁ ଯୋଗ୍ୟତମମାନଙ୍କୁ ରାଜନୈତିକ କ୍ଷେତ୍ରରେ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳୁନାହିଁ । ଯେପର୍ଯ୍ୟନ୍ତ ସମାଜ ଓ ଶାସନର ଶକ୍ତିଶାଳୀ କ୍ଷେତ୍ରମାନଙ୍କରେ ଏହି ବର୍ଗର ଉପସ୍ଥିତି ସଦୃଶ୍ୟ ହୋଇନାହିଁ; ସେପର୍ଯ୍ୟନ୍ତ ସମାଜର ଦିବ୍ୟାଙ୍ଗମାନଙ୍କ ପ୍ରତି ଏହି କୁଣ୍ଠିତ ରକ୍ଷଣଶୀଳ ମନୋବୃତ୍ତିର ପରିବର୍ତ୍ତନ ଘଟିବ ନାହିଁ । ଗଣମାଧ୍ୟମ ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ରାଜନୈତିକ କ୍ଷେତ୍ରରେ ଦିବ୍ୟାଙ୍ଗମାନଙ୍କର ଉପସ୍ଥିତି ବା ପ୍ରତିନିଧିତ୍ୱ ସୁନିଶ୍ଚିତ ହେଲେ ଏହି ଅବଧାରଣାର କ୍ରମଶଃ ଅନ୍ତ ଘଟିବ ।

ଓଡ଼ିଶା ପ୍ରଦେଶ କଂଗ୍ରେସ ଭିନ୍ନକ୍ଷମ ସେଲ୍ ର ଅଧ୍ୟକ୍ଷ ରୂପେ ଅବସ୍ଥାପିତ ଥିବା ଭିନ୍ନକ୍ଷମ ଅଧିକାରୀ କର୍ମୀ ଜିତେନ୍ଦ୍ର ବିଶ୍ୱାଳ ମଧ୍ୟ ବିଶ୍ୱବ୍ୟାଙ୍କ୍ ଦ୍ୱାରା ଆକଳିତ ଭାରତର ୧୦ରୁ ୧୨ ପ୍ରତିଶତ ଭିନ୍ନକ୍ଷମ ବର୍ଗଙ୍କ ପ୍ରତିନିଧିତ୍ୱ ପାଇଁ ରାଜନୈତିକ ସଂରକ୍ଷଣର ଆବଶ୍ୟକତା ରହିଛି ବୋଲି ଯୁକ୍ତି ଦର୍ଶାନ୍ତି । ତାଙ୍କ ଦୃଷ୍ଟିରେ –

୧ – କ୍ଷମତାର ନିମ୍ନ କେନ୍ଦ୍ରଠାରୁ ଆରମ୍ଭ କରି ଉଚ୍ଚତମ କେନ୍ଦ୍ର ପର୍ଯ୍ୟନ୍ତ ଭିନ୍ନକ୍ଷମମାନଙ୍କ ସ୍ୱର ଓ ସ୍ୱାର୍ଥ ସମ୍ବଳିତ ଦାବିକୁ ଉତ୍ଥାପନ କରିବାକୁ ହେଲେ ରାଜନୈତିକ ସଂରକ୍ଷଣ ଜରୁରୀ ଓ ଯୁକ୍ତି ସଂଗତ ।

୨ – ବିଭିନ୍ନ ଯୋଜନା ଓ ଉନ୍ନତିମୂଳକ କାର୍ଯ୍ୟରେ ଏମାନଙ୍କର ସମ୍ପୃକ୍ତି ରହିଲେ ଏହି ବର୍ଗର ଲୋକମାନଙ୍କ ଯଥାର୍ଥ ଉନ୍ନତି ହୋଇପାରିବ । ତାହା ହେଉଛି – “Nothing about us without us.” ସେହିପରି ଭୁବନେଶ୍ୱରର ଆଉଜଣେ ଭିନ୍ନକ୍ଷମ ଅଧିକାର କର୍ମୀ ଓ ଯୁବ ଉଦ୍ୟୋଗୀ

ସୁରେଶ କୁମାର ସାହୁ ମଧ୍ୟ ଏହି ସଂରକ୍ଷଣ ପ୍ରସ୍ତାବକୁ ସମର୍ଥନ କରି କୁହନ୍ତି –

୧ – ଭିନ୍ନକ୍ଷମମାନଙ୍କ ମଧ୍ୟରେ କିଛି ଲୋକଙ୍କର ନେତୃତ୍ୱ ନେବାର ଦୂରଦୃଷ୍ଟି, ପ୍ରତିଭା ଓ ଦକ୍ଷତା ଥାଇ ମଧ୍ୟ ଦବି ରହିଯାଉଛି ।

୨ – ଏମାନଙ୍କୁ ରାଜନୈତିକ ସଂରକ୍ଷଣର ସୁଯୋଗ ମିଳିଲେ, ଏମାନେ ମଧ୍ୟ ନିଜକୁ ପ୍ରତିପାଦିତ କରିବା ସହିତ ଭିନ୍ନକ୍ଷମବର୍ଗଙ୍କ ଅସୁବିଧା ଓ ଦାବି ପ୍ରତି ଅଧିକ ସଚେତନ ଓ ସମ୍ବେଦନଶୀଳ ରହିବେ ।

ଏହି ପ୍ରସଙ୍ଗରେ ଏଠାରେ ସୂଚାଇ ଦିଆଯାଇପାରେ ଯେ, ସଂଯୁକ୍ତ ରାଷ୍ଟ୍ର ପରି ବିକଶିତ ଦେଶଠାରୁ ଆରମ୍ଭ କରି ଆଫ୍ରିକାର ଘାନା ଓ ତାଞ୍ଜାନିଆ ପ୍ରଭୃତି କ୍ଷୁଦ୍ର ଦେଶଗୁଡ଼ିକରେ ମଧ୍ୟ ଦିବ୍ୟାଙ୍ଗଙ୍କ ପ୍ରତିନିଧିତ୍ୱ ନିମନ୍ତେ ରାଜନୈତିକ ସଂରକ୍ଷଣର ପ୍ରାବଧାନ କରାଯାଇଛି । ଯେହେତୁ ରାଜନୈତିକ ଦକ୍ଷତା ବିଶେଷ କରି ଏକ ମାନସିକ ସାମର୍ଥ୍ୟ ଅଟେ । ତେଣୁ ଏହାର ନିର୍ବାହନ ସେପରି ଏକ କାଠିକର କାର୍ଯ୍ୟ ନୁହେଁ ବୋଲି ଭିନ୍ନକ୍ଷମ ସଂଗଠନ ବର୍ଗର ପ୍ରତିନିଧିମାନେ ଦାବି କରନ୍ତି ।

ଏହାର ଯଥାର୍ଥ ଉଦାହରଣ ମଧ୍ୟ ଆମ ଓଡ଼ିଶା ପ୍ରଦେଶର ନିର୍ବାଚନ ପୃଷ୍ଠଭୂମିରେ ପାଇପାରିବା । କୌଣସି ସଂରକ୍ଷଣର ସୁବିଧା ନ ଥାଇ ମଧ୍ୟ ଆତ୍ମବିଶ୍ୱାସ ଓ ମନୋବଳର ଆଧାରରେ ଭିନ୍ନକ୍ଷମ ପ୍ରତିନିଧିମାନେ ସେମାନଙ୍କ ଦକ୍ଷତାକୁ ସାବ୍ୟସ୍ତ କରିପାରିଛନ୍ତି । କଳାହାଣ୍ଡି ଜିଲ୍ଲାର କର୍ଲା ମୁଣ୍ଡା ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟରୂପେ ନିର୍ବାଚିତ ହୋଇଥିବା ଚଳନଶକ୍ତି ବାଧିତ ସୁରେଶ ଚୌଧୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲା କାଟଣାଗଡ଼ ଗ୍ରାମ ପଞ୍ଚାୟତ ଅଧିନ ବାଜପୁର ଗ୍ରାମ ୧୦ ନଂ ୱାର୍ଡ଼ର ୨୦୧୭ରୁ ୨୦୨୨ ଯାଏଁ ୱାର୍ଡ ସଭ୍ୟା ରୂପେ ନିର୍ବାଚିତ ହୋଇଥିବା ଚଳନଶକ୍ତି ବାଧିତା ମିନତି ବାରିକ ଏହି କ୍ଷେତ୍ରରେ ସଫଳତାର ଦୃଷ୍ଟାନ୍ତ ପ୍ରଦର୍ଶନ କରିସାରିଛନ୍ତି ।

ଏବେ ମଧ୍ୟ ସୁଯୋଗ ମିଳିଲେ ମାଟ୍ରିକ୍ ପାସ ୩୨ ବର୍ଷୀୟା ମିନତି ବାରିକ ପୁଣିଥରେ ଜନପ୍ରତିନିଧି ହେବାକୁ ଆଗ୍ରହୀ ହେବେ ବୋଲି ପ୍ରକାଶ କରନ୍ତି । ନିଜ ୱାର୍ଡର ୫ ବର୍ଷ ପ୍ରତିନିଧି ଥାଇ ୱାର୍ଡ- ବାସୀଙ୍କ ସୁବିଧା ନିମନ୍ତେ ଟ୍ୟୁୱେଲ୍‌ ସ୍ଥାପନ ଠାରୁ ପଞ୍ଚାୟତ କାର୍ଯ୍ୟାଳୟରେ ବିଭିନ୍ନ ବୈଠକରେ ସକ୍ରିୟ ଅଂଶଗ୍ରହଣ କରିଥିବା ଏହି ଦିବ୍ୟାଙ୍ଗ ଯୁବତୀ ନିଜ ସୀମିତ ରାଜନୈତିକ ସମ୍ପୃକ୍ତି କାଳରୁ ବଞ୍ଚିବା ଓ ସମାଜ ପାଇଁ କିଛି କାର୍ଯ୍ୟ କରିବାର ଆତ୍ମବଳ ପାଇଛନ୍ତି ବୋଲି ପ୍ରକାଶ କରନ୍ତି । ପୂର୍ବରୁ ମିନତିଙ୍କ ପକ୍ଷରେ ତିନିଚକିଆ ସାଇକେଲରେ ଗାଁର ଖାଲଢିପ ରାସ୍ତାକୁ ପାରି ହୋଇ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା ପରି ଦୁରୂହ ହୋଇ ପଡ଼ିଥିବା ବେଳେ ସମ୍ପ୍ରତି ସେ ବ୍ୟବହାର କରୁଥିବା ସ୍କୁଟି ଗାଡ଼ି ତାଙ୍କର ଗତିଶୀଳତାକୁ ଆହୁରି ବୃଦ୍ଧି କରିପାରିଛି ବୋଲି ସେ ପ୍ରକାଶ କରନ୍ତି ।

ଯଦି ରାଜକନିକାର ମିନତି ବାରିକ ଓ କଳାହାଣ୍ଡିର ସୁରେଶ ଚୌଧୁରୀ ତୃଣମୂଳ ଶାସନରେ ଜନପ୍ରତିନିଧି ହେବାର ସଫଳ ଦୃଷ୍ଟାନ୍ତ ତିଆରି କରିପାରିଲେ, ତେବେ ଏହି ବର୍ଗଙ୍କୁ ରାଜନୈତିକ କ୍ଷେତ୍ରରେ ପଲ୍ଲୀରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ସଂରକ୍ଷଣର ସୁବିଧା ପ୍ରଦାନ କରାଗଲେ ଏମାନଙ୍କ ମଧ୍ୟରୁ ଅନେକ ଯୋଗ୍ୟ ଯେ ସେମାନଙ୍କ ଅସାମାନ୍ୟ ପ୍ରତିନିଧୀୟ ଦକ୍ଷତା ସାବ୍ୟସ୍ତ କରିପାରିବେ ଏଥିରେ ସନ୍ଦେହ ନାହିଁ ।

Share the post

Leave a Reply

Your email address will not be published. Required fields are marked *

Autism Spectrum Disorder: 21st Century's New Challenge

ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ : ଏକବିଂଶ ଶତାବ୍ଦୀର ନୂତନ ଆହ୍ୱାନ୍

ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ (Autism Spectrum Disorder) ଏକ ସ୍ନାୟୁଗତ ବିକାଶ ଜନିତ ସ୍ଥିତି । ବିଗତ କିଛି ବର୍ଷ ମଧ୍ୟରେ ଅଟିଜିମ୍ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଥିଲେ ମଧ୍ୟ, ବର୍ତ୍ତମାନ ସମୟରେ ଏହି...
New Stream in Denial of Disability: Combined Effort of Technology, Humanity, and Social Justice

ଦିବ୍ୟାଙ୍ଗତା ନିରାକରଣ କ୍ଷେତ୍ରରେ ନୂତନ ଧାରା: ପ୍ରଯୁକ୍ତିବିଦ୍ୟା, ମାନବିକତା ଏବଂ ସାମାଜିକ ନ୍ୟାୟର ମିଳିତ ପ୍ରୟାସ

ଦିବ୍ୟାଙ୍ଗତାକୁ ସମ୍ବୋଧିତ କରିବାର ନୂତନ ପଥ ଏକ ବ୍ୟାପକ ଏବଂ ଅନ୍ତର୍ଭୁକ୍ତିକାରୀ (Inclusive) ଦୃଷ୍ଟିକୋଣକୁ ଗ୍ରହଣ କରେ । ଏହା କେବଳ ବ୍ୟକ୍ତିବିଶେଷଙ୍କର କ୍ଷତିପୂରଣ ଉପରେ ଗୁରୁତ୍ଵ ନ ଦେଇ, ସେମାନଙ୍କର ସମ୍ଭାବନାକୁ (Potential)...

ବରଫ ତରଳିବା ଆରମ୍ଭ କରିଛି…ଦିବ୍ୟାଙ୍ଗଙ୍କ ପ୍ରତି ଦୃଷ୍ଟି ବଦଳୁଛି

ଖୁବ୍ ଛୋଟ ବୟସରୁ ପୋଲିଓଗ୍ରସ୍ଥ ହୋଇ ଶାରୀରିକ ଭାବେ ଚଳନଶକ୍ତି ବାଧିତ ହୋଇଥିଲେ ସତ, କିନ୍ତୁ ନିଜର ଦୃଢ ମନୋବଳ ଓ ମେଧାଶକ୍ତିର ବିନିମୟରେ ଯେଉଁ ସଂଖ୍ୟାଧିକ ଗବେଷଣା ନିଃସୃତ ନିଦର୍ଶନ ସୃଷ୍ଟି କରି...
Lifestyle-Induced Spinal Problems and Progressive Disability

ଜୀବନଶୈଳୀ ଜନିତ ମେରୁଦଣ୍ଡ ସମସ୍ୟା ଓ କ୍ରମବର୍ଦ୍ଧିଷ୍ଣୁ ଅକ୍ଷମତା

ମେରୁଦଣ୍ଡର ଅନେକ ସମସ୍ୟା ମଧ୍ୟରେ, ପିଠି ଯନ୍ତ୍ରଣା ସବୁଠାରୁ ସାଧାରଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ ପ୍ରାୟ ୬୧୯ ନିୟୁତ ଲୋକ ପିଠି ଯନ୍ତ୍ରଣା ସହିତ ବଞ୍ଚନ୍ତି। ଏହା ମଧ୍ୟ ଅକ୍ଷମତାର...
New Disability Law and Call

ନୂତନ ଭିନ୍ନକ୍ଷମ ଆଇନ୍ ଓ ଆହ୍ୱାନ

ଏହି ନୂତନ ଆଇନ୍ ପ୍ରଣୟନର ଏକ ଦଶନ୍ଧି ସନ୍ନିକଟ ଯାତ୍ରାର ନିକଟବର୍ତ୍ତୀ ହୋଇ ମଧ୍ୟ ତାହାର ସୁଫଳ ଓ ପ୍ରଭାବର ଆଶାନୁରୂପକ ଲକ୍ଷ୍ୟଠାରୁ ତଥାପି ଆମେ ବହୁ ଦୂରରେ ।