ମୋ ଜୀବନ ମୋ କାହାଣୀ

ମାତ୍ର ଅର୍ଥ ଅଭାବରୁ ସେଥିପାଇଁ ପ୍ରଶିକ୍ଷଣ ନେବା ମୋ ପାଇଁ ସମ୍ଭବପର ନ ଥିଲା । ଆସାମ ଗୌହାଟୀ ଠାରେ ଅନୁଷ୍ଠିତ ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ମଧ୍ୟ ଉପଯୁକ୍ତ ପ୍ରଶିକ୍ଷଣର ଅଭାବ ହେତୁ ସଫଳତା ପ୍ରଦର୍ଶନ କରିପାରିଲି ନାହିଁ । ଏବେ ଇଚ୍ଛା ସତ୍ତ୍ୱେ ବୋଉକୁ ଘରେ ଏକା ଛାଡି ଏ ଦିଗରେ ଅଗ୍ରସର ହେବା ପାଇଁ ଆଗ୍ରହ ଯେତିକି ଜନ୍ମୁ ନାହିଁ । ତା’ ଛଡା ଅର୍ଥର ବାଧକତା ମଧ୍ୟ ଏକ ବଡ଼ ପ୍ରତିବନ୍ଧକ ହୋଇ ଛିଡା ହୋଇଛି ।

ନୟାଗଡ଼ ନୂଆଗାଁର ପାରାପ୍ଲେଜିକ୍ ପ୍ରମୋଦ କୁମାର ସାହୁଙ୍କ ସଂଘର୍ଷମୟ କାହାଣୀ ସବୁ ସାଧାରଣ ମଣିଷଙ୍କ ଜୀବନ ପରି ମୋ ଜୀବନ ବି ଏକ ସମୟରେ ସରଳରେଖାରେ ଗତି କରୁଥିଲା । ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟ ଅସ୍ତ, ପାହାନ୍ତି ସକାଳ ଓ ସଂଧ୍ୟାର ମୁହଁସଞ୍ଜ ରଙ୍ଗ କିଛି ବି ଫରକ ପଡୁ ନ ଥିଲା ମୋ ବ୍ୟସ୍ତ ବହୁଳ ଜୀବନରେ । ଯଦିଓ ଜନ୍ମରୁ ହିଁ ପରିବାରର ଆର୍ଥିକ ଦୁଃସ୍ଥିତି ସହ ଜୁଝି ହୋଇ ନିଜ ଜୀବନକୁ ସେହି ବାଗରେ ଗଢ଼ାଇ ନେଇଥିଲି ।

ପରିବାର ଓ ପରିଚୟ:-

ମୋ ପିତା ବେଣୁଧର ସାହୁ ଜଣେ ଦିନମଜୁରିଆ । ଘରକୁ ସମ୍ଭାଳିବା ପାଇଁ ମା’ । ଆଉ ଜଣେ ଭଉଣୀ । ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୁଆଁବାରି ପଞ୍ଚାୟତର ପୋଡ଼ାସାହି ମୋର ଗାଁ । ଘରର ଆର୍ଥିକ ଅସ୍ୱଚ୍ଛଳତା ହେତୁ ବହୁ କଷ୍ଟରେ ଦଶମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲି । ତା’ପରେ ଅର୍ଥର ଅଭାବ ମୋର ଗତିପଥକୁ ଅଟକାଇ ରଖିଥିଲା । ବାପାଙ୍କୁ ସାହାଯ୍ୟ କରିବାକୁ ଯାଇ ଦିନମଜୁରିଆ ରୂପେ କାମ କରିବା ଆରମ୍ଭ କଲି । ଏହିପରି କାମ କରିବା ଭିତରେ ମୁଁ ଧୀରେଧୀରେ ରାଜମିସ୍ତ୍ରୀ ପାଲଟି ଯାଇଥିଲି । ଭଗବାନଙ୍କ ଦୟାରୁ ଧୀରେ ଧୀରେ ଘରର ଆର୍ଥିକ ଅବସ୍ଥା ବଦଳିବାକୁ ଆରମ୍ଭ କଲା । ଅନ୍ୟମାନଙ୍କ ପରି ମୁଁ ମଧ୍ୟ ସମାଜରେ ନିଜ ପରିଚୟରେ ସାମିଲ ହୋଇ ପାରିଲି ।

ପଥକୁ ରୋଧିଲା ବିପଦ :-

ସବୁକିଛି ଠିକ୍‌ ଠାକ୍ ଚାଲିଥିଲା ଜୀବନରେ । ୨୦୧୨ ମସିହାରେ ମୋର ବାହାଘର ମଧ୍ୟ ସମ୍ପନ୍ନ ହୋଇଥିଲା । ଆମ ଦାମ୍ପତ୍ୟ ଜୀବନର ସ୍ନେହ ସମ୍ପର୍କରୁ ନେଇ ଜନ୍ମ ହୋଇଥିଲା ପୁଅଟିଏ । କିନ୍ତୁ ଥିଲା ଥିଲା ଭାଗ୍ୟର ଅଣଚାଶ ପବନ ଯେପରି ସୁଖଦ ଜୀବନଯାତ୍ରାକୁ ଧ୍ୱସ୍ତବିଧ୍ୱସ୍ତ କରିବାକୁ ପଣ କରି ନେଇଥିଲା । ୨୦୧୩ ମସିହା ଅଗଷ୍ଟ ମାସର କଥା ଯେପରି ଦୁର୍ଯୋଗ ଅପେକ୍ଷା କରି ରହିଥିଲା ଛଦ୍ମବେଶରେ । ଶ୍ରାବଣ ମାସ ଥିବାରୁ ସାଙ୍ଗମାନଙ୍କ ସହ ବୋଲବମ୍ ଯାଉଥିଲି । ହଠାତ୍ ପଛପଟୁ ଗାଡି ଧକ୍କାରେ ମୋ ଜୀବନର ମୋଡ଼ ସବୁଦିନ ପାଇଁ ବଦଳି ଯାଇଥିଲା । ସେହି ଦୁର୍ଘଟଣାର ପରିଣାମ ଭୋଗିବାକୁ ଯାଇ ସାରା ଜୀବନ ମୋ ଅଣ୍ଟା ତଳକୁ ପାକ୍ଷାଘାତର ଶିକାର ହୋଇଗଲି । ମେରୁଦଣ୍ଡ ଆଘାତଜନିତ ଏହି ପାକ୍ଷାଘାତର ନା କିଛି ଉପଚାର ଥିଲା ନା ଥିଲା ଭଲ ହେବାର ଆଶ୍ୱାସନା । ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡ଼ିଦୌଡ଼ି ହତାଶରେ ଭାଙ୍ଗି ପଡିଥାଏ । ଘରେ ବାପା ବୋଉ ମଧ୍ୟ ମୋ ଦୁଃଖ କଷ୍ଟରେ ମ୍ରିୟମାଣ ହୋଇ ପଡ଼ିଥିଲେ । ବାର୍ଦ୍ଧକ୍ୟ ଜନିତ ଅବସ୍ଥା ହେତୁ ବାପାଙ୍କର କାମ କରିବାର ଶକ୍ତି ମଧ୍ୟ ନ ଥାଏ । ଘରେ ଘୋର ଆର୍ଥିକ ଅବସ୍ଥାର ପରିସ୍ଥିତି । ଏହି ଦୁଃସମୟରେ ଆଉ ଚଡ଼କ ପଡିବା ପରି ଘଟଣା ଘଟିଗଲା ମୋ ଜୀବନରେ । ଏହି ସମୟରେ ମୋର ସାହସ ଓ ଧୈର୍ଯ୍ୟ ହୋଇ ଛିଡାହେବା ବଦଳରେ ମୋ ସ୍ତ୍ରୀ ପୁଅକୁ ସାଙ୍ଗରେ ଧରି ସବୁଦିନ ପାଇଁ ସମ୍ପର୍କ ଛିନ୍ନ କରି ଚାଲିଗଲା ବାପଘରକୁ ।

ଜୀବନର ଏଇ ଚରମ ବିପର୍ଯ୍ୟୟ ସମୟରେ ମୋର ସାଙ୍ଗମାନେ ହିଁ ସହାୟତା କରିବା ପାଇଁ ଆଗଭର ହୋଇ ଆସିଥିଲେ । ମାଟ୍ରିକ ଯାଏଁ ପାଠ ପଢିଥିବାରୁ ଘରେ ଛୋଟପିଲାଙ୍କୁ ଟ୍ୟୁସନ୍ କରିବା ଆରମ୍ଭ କରିଦେଲି ଏବଂ ହ୍ଵିଲ୍‌ଚେୟାର୍‌ରେ ଦୋକାନରୁ ଜିନିଷ ଆଣି ହ୍ଵିଲ୍‌ଚେୟାର୍‌ରେ ଘରଘର ବୁଲି ବିକ୍ରି କରିବାର ଦୃଶ୍ୟ ଦେଖି ମୋ ସାଙ୍ଗ ଓ ଓଡିଶା ସ୍ପାଇନାଲ୍ ଗ୍ରୁପର ବନ୍ଧୁମାନେ ମିଳିତ ଭାବେ ସାହାଯ୍ୟ କରିବାରୁ ଗୋଟେ ଛୋଟ ସ୍ଥାୟୀ ଦୋକାନଟେ କରିପାରିଲି । ଏବେ ସେଇ ଦୋକାନରୁ ଯାହା ଆୟ ଓ ଟ୍ୟୁସନରୁ ପରିବାର ପରିପୋଷଣ ହେଇ ପାରୁଛି । ଏହା ଭିତରେ ବାପା ମଧ୍ୟ ଚିନ୍ତାଗ୍ରସ୍ତ ହୋଇ ଦେହତ୍ୟାଗ କରି ସାରିଲେଣି । ଘରେ ପାଖରେ କେବଳ କହିଲେ ବୋଉ ।

ପ୍ରମୋଦଙ୍କ ପାରା ସୁଇମର୍ ପ୍ରତିଭା :-

କେବଳ ଟ୍ୟୁସନ ଓ ଦୋକାନକୁ ମୋର ଲକ୍ଷ୍ୟ ବୋଲି ନ ଭାବି ଅନ୍ତର୍ନିହିତ ପ୍ରତିଭାର ପ୍ରଦର୍ଶନ ପାଇଁ ଆଗଭର ଥିଲି । ପିଲାବେଳେ ଗାଁ ପୋଖରୀରେ ଗାଧେଇବା ଓ ପହଁରିବାର ଅନୁଭୂତି ଥାଏ । ସେହି ସାହସରେ ୨୦୨୨ ମସିହାରେ ଅନୁଷ୍ଠିତ ଓଡିଶାର ରାଜ୍ୟସ୍ତରୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ଭାଗନେଲି । ସୌଭାଗ୍ୟକୁ ୫୦ ମିଟର ଓ ୧୦୦ ମିଟର ବ୍ୟାକ୍ ଷ୍ଟ୍ରୋକରେ ସ୍ୱର୍ଣ୍ଣ ପଦକ ଜିତିଲି । ଭଲ ପ୍ରଦର୍ଶନ ପାଇଁ ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେବାପାଇଁ ମନୋନୀତ ମଧ୍ୟ ହୋଇଥିଲି । ମାତ୍ର ଅର୍ଥ ଅଭାବରୁ ସେଥିପାଇଁ ପ୍ରଶିକ୍ଷଣ ନେବା ମୋ ପାଇଁ ସମ୍ଭବପର ନ ଥିଲା । ଆସାମ ଗୌହାଟୀ ଠାରେ ଅନୁଷ୍ଠିତ ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ମଧ୍ୟ ଉପଯୁକ୍ତ ପ୍ରଶିକ୍ଷଣର ଅଭାବ ହେତୁ ସଫଳତା ପ୍ରଦର୍ଶନ କରିପାରିଲି ନାହିଁ । ଏବେ ଇଚ୍ଛା ସତ୍ତ୍ୱେ ବୋଉକୁ ଘରେ ଏକା ଛାଡି ଏ ଦିଗରେ ଅଗ୍ରସର ହେବା ପାଇଁ ଆଗ୍ରହ ଯେତିକି ଜନ୍ମୁ ନାହିଁ । ତା’ ଛଡା ଅର୍ଥର ବାଧକତା ମଧ୍ୟ ଏକ ବଡ଼ ପ୍ରତିବନ୍ଧକ ହୋଇ ଛିଡା ହୋଇଛି ।

ତଥାପି ଏତିକି ଖୁସି ଯେ ଜୀବନ ତା’ ବାଟରେ ଚାଲିଛି । ସେ ହେଉ ବରଂ ହୁଇଲ୍ ଚେୟାର ଚକାରେ ଭରା ଦେଇ, ସେ ହେଉ ବରଂ ଖିଲିପାନ ଦୋକାନରେ ସିଙ୍ଗାପୁରୀ, ସଫଲ୍ ବିକି କିମ୍ବା ହେଉ ବରଂ ଛୋଟଛୋଟ ଛୁଆଙ୍କୁ ଜାଣିଥିବା ପାଠକୁ ବାଣ୍ଟି…. ଯେପରି ହେଉ ଯେମିତି ହେଉ ଜୀବନ ତା’ ବାଟରେ ଚାଲିଛି… ।

Share the post

Leave a Reply

Your email address will not be published. Required fields are marked *

କର୍ପୋରେଟ୍ ସେକ୍ଟରରେ ଦିବ୍ୟାଙ୍ଗଙ୍କ ପ୍ରତିନିଧିତ୍ୱ ଅତ୍ୟନ୍ତ ନୈରାଶ୍ୟଜନକ

କମ୍ପାନୀମାନଙ୍କର ବାସ୍ତବ ଚିତ୍ର ଆକଳନ କଲେ ଜଣାପଡ଼େ ଯେ, ୧୮୪ଟି ସଂଗଠନ ପିଡବ୍ଲୁଡ଼ିଙ୍କ ଅଂଶଗ୍ରହଣ ବଢ଼ାଇଥିବା ବେଳେ ୨୪୭ଟି ସଂଗଠନରେ ନିଯୁକ୍ତି କମିଛି ଏବଂ ୨୧୨ଟି କମ୍ପାନୀରେ ଗତ ଦୁଇ ବର୍ଷ ଧରି ଜଣେ...

ଭିନ୍ନକ୍ଷମତା ଆଧାରରେ ହୋଇପାରୁନି ପଦବୀ ବର୍ଗୀକରଣ: ଅନିଶ୍ଚିତତାରେ ନିଯୁକ୍ତି ଓ ପଦୋନ୍ନତି

କେବଳ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ଓଡ଼ିଶାର ଲକ୍ଷାଧିକ ଭିନ୍ନକ୍ଷମ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଅଦାଲତଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରାଯାଉନାହିଁ । ଏହା ବିରୋଧରେ ଆମେ ଏକ୍‌ଜୁଟ ହୋଇ ରାସ୍ତାକୁ...

ୟୁପି ସରକାରଙ୍କ କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନାରେ ଭିନ୍ନକ୍ଷମତା ପାଇଁ ୫ ଲକ୍ଷ

ଯୋଜନା ସମ୍ପୂର୍ଣ୍ଣ ଅନଲାଇନ୍ ହେବା ପରେ କୃଷକମାନଙ୍କୁ ଆଉ ବାରମ୍ବାର ତହସିଲ୍ କିମ୍ବା ଜିଲ୍ଲା କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ, ଯାହାଫଳରେ ଦୁର୍ନୀତିର ସମ୍ଭାବନା ହ୍ରାସ ପାଇବ । ଏହି ପୋର୍ଟାଲ୍ ମାଧ୍ୟମରେ ଆବେଦନ...

ଦିବ୍ୟାଙ୍ଗଜନ ବଜେଟ୍ ବିକୃତ ନ ହେଉ

ଏହାକୁ ଦୃଷ୍ଟିରେ ରଖି ଆଗାମୀ ବଜେଟ୍ ରେ ଏଥିପାଇଁ ଯଥେଷ୍ଟ ଅଧିକ ପ୍ରାବଧାନ ରଖିବା ସହ ଏହାର ସମୟାନୁଯାୟୀ ଓ ସାର୍ଥକ ବିନିଯୋଗ ଉପରେ ସରକାର ପ୍ରାଧାନ୍ୟ ଦେବା ଉଚିତ୍ । ଦିବ୍ୟାଂଗଜନ ବଜେଟ୍‌କୁ...

କେନ୍ଦ୍ରୀୟ ବଜେଟ୍‌ରେ ଦିବ୍ୟାଙ୍ଗ ଭାଗ : କମ୍ ତରଙ୍ଗ ବେଶୀ ନିସ୍ତରଙ୍ଗ

ମୋଟ୍ ଉପରେ ଦେଖିବାକୁ ଗଲେ ଚଳିତ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ର ଦିବ୍ୟାଙ୍ଗ ବର୍ଗଙ୍କ ପ୍ରତି ପ୍ରଭାବ ମୁଖ୍ୟତଃ ପରୋକ୍ଷ । ଦିବ୍ୟାଙ୍ଗମାନଙ୍କ ପାଇଁ ଜରୁରୀ ରହିଥିବା ଆହ୍ୱାନପ୍ରଦ କ୍ଷେତ୍ରଗୁଡ଼ିକରେ ସୁନିର୍ଦ୍ଧିଷ୍ଟ ହସ୍ତକ୍ଷେପ ପରି ଯୋଜନାର...