ବରଜର ବିଜୟ ଗାଥା

କେନ୍ଦ୍ରାପଡ଼ା ଜିଲ୍ଲାର ଉପାନ୍ତ ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ବିଜୟନଗର ପଞ୍ଚାୟତର ଏକ ଅଖ୍ୟାତ ପଲ୍ଲୀରେ ଜନ୍ମ ହୋଇଥିବା ଅପାଂକ୍ତେୟ ବୋଲି ଗଣା ହୋଇଥିବା ଜଣେ ଯୁବକ ବରଜ କୁମାର ଦାସର ଅନନ୍ୟ ପ୍ରେରଣାଦାୟୀ ଜୀବନ କାହାଣୀକୁ ଉପସ୍ଥାପିତ କରୁଛି ।

ଜୀବନ ଯେପରି ବିଚିତ୍ର, ଶରୀର ମଧ୍ୟ ସେହିପରି କେବେକେବେ କାହାପାଇଁ ଅଦ୍ଭୁତ ଆହ୍ୱାନ ପାଲଟିଯାଏ । ପ୍ରତି ପାଦରେ ମଣିଷର ଜୀବନ ଯେପରି ଭାଗ୍ୟ ଓ ସମୟ ସହ ସଂଘର୍ଷରତ । ସେହିପରି ଅଦ୍ଭୁତ, ଅପୂର୍ଣ୍ଣ ଓ ଅଧାଗଢ଼ା ଶାରୀରିକ ଅବୟବ ଧରି ଜନ୍ମ ଲଭିଥିବା ମଣିଷ ଅନ୍ୟମାନଙ୍କ ଆଖିରେ ସୃଷ୍ଟିର ବିଚିତ୍ର ଜୀବ ପରି ପରିଲକ୍ଷିତ ହେଲେ ହେଁ ସେହି ବ୍ୟତିକ୍ରମ ଭିନ୍ନକ୍ଷମ ମଣିଷଟି ଯେ ମେଧା ଓ ସଫଳତାର ଦୌଡ଼ରେ ଶୀର୍ଷସ୍ଥାନରେ ରହିବ… ଏହା କେବଳ ଏକ ଚମକ୍‌ପ୍ରଦ ଘଟଣା ନୁହେଁ ବରଂ ଏକ ଦୁଃସାହସୀ ଭିନ୍ନକ୍ଷମ ଯୁବକର ଉଦାହରଣୀୟ ଜୀବନର ଅଭିଯାତ୍ରା ।

କେନ୍ଦ୍ରାପଡ଼ା ଜିଲ୍ଲାର ଉପାନ୍ତ ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ବିଜୟନଗର ପଞ୍ଚାୟତର ଏକ ଅଖ୍ୟାତ ପଲ୍ଲୀରେ ଜନ୍ମ ହୋଇଥିବା ଅପାଂକ୍ତେୟ ବୋଲି ଗଣା ହୋଇଥିବା ଜଣେ ଯୁବକ ବରଜ କୁମାର ଦାସର ଅନନ୍ୟ ପ୍ରେରଣାଦାୟୀ ଜୀବନ କାହାଣୀକୁ ଉପସ୍ଥାପିତ କରୁଛି ।

ଉପସ୍ଥାପନା ଓ ସାକ୍ଷାତକାର – ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ

ସଂକ୍ଷେପରେ ବରଜ କୁମାର ଦାସ
ବାପା – ରଞ୍ଜନ ଦାସ, ମାଆ – ସୁକାନ୍ତି ଦାସ
ଜନ୍ମ – ୩ ଡିସେମ୍ୱର ୨୦୦୦
ଜନ୍ମସ୍ଥାନ- ଶଙ୍ଖପଦା, ମହାକାଳପଡ଼ା, କେନ୍ଦ୍ରାପଡ଼ା
ଶତକଡ଼ା ୭୦ ଭାଗ ଚଳନଶକ୍ତି ବାଧିତ ଭିନ୍ନକ୍ଷମ
ସମ୍ପ୍ରତି ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାରରେ ପଦାର୍ଥ ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର ଦ୍ୱିତୀୟ ବର୍ଷର ମେଧାବୀ ଛାତ୍ର ।

ପ୍ର – ନିଜକୁ ଭିନ୍ନକ୍ଷମ ବୋଲି କେବେ ଜାଣିଲେ?
ଉ – ଯେତେବେଳେ ଦଶ କି ବାର ବର୍ଷ ହୋଇଥିଲା, ସେତେବେଳେ ନିଜ ଶରୀର ଭିନ୍ନ ପ୍ରକାର ବୋଲି ଅନୁଭବ ହେଲା । ଜ୍ଞାନ ବଢିବା ସଙ୍ଗେ ସଙ୍ଗେ ପିଲାମାନଙ୍କ ଦେଖାଦେଖି ସମସ୍ତଙ୍କ ସହ ମିଶିବାବେଳେ ସମସ୍ତଙ୍କଠାରୁ ମୋ ଗଢ଼ଣ ଅଲଗା ବୋଲି ଲାଗିଲା । ଏହାଛଡା ଭିନ୍ନକ୍ଷମତାକୁ ନେଇ ଆୟୋଜନ ହେଉଥିବା ବିଭିନ୍ନ କ୍ୟାମ୍ପକୁ ଯାଇ ଭିନ୍ନକ୍ଷମ ବୋଲି ନିଜକୁ ଜାଣିଲି ।

ପ୍ର – ପ୍ରାଥମିକ ଅବସ୍ଥାରେ ଭିନ୍ନକ୍ଷମ ବୋଲି ବାପା ମା’ଙ୍କର ଧାରଣା କେମିତି ଥିଲା?
ଉ – ନିହାତି ଭାବରେ ସେହି ସମୟରେ ଚିନ୍ତିତ ଥିଲେ, ପରବର୍ତ୍ତୀ ସମୟରେ ମୋର ଭିନ୍ନକ୍ଷମତାକୁ ଆପଣାଇ ନେଲେ ।

ପ୍ର – ପାଖାପାଖି ପରିବେଶ ତଥା ସମାଜର ଦୃଷ୍ଟି ଆପଣଙ୍କ ପ୍ରତି କିପରି?
ଉ – ସମାଜ ଯଦିଓ ଭିତରେ କ’ଣ ମନେ କରୁଥିବ, କିନ୍ତୁ ମୋତେ ସାଧାରଣ ଭାବରେ ସାହାଯ୍ୟ କରିଛନ୍ତି । କୌଣସି କଟାକ୍ଷ କେବେ କରିବାର ମନେ ହୁଏନି, ବରଂ ମୋର ସ୍କୁଲ ଯିବାଠାରୁ କ୍ରିକେଟ ଖେଳିବା ଯାଏଁ ପ୍ରତିଟି କ୍ଷେତ୍ରରେ ସମସ୍ତେ ମୋତେ ସହଯୋଗ କରିଛନ୍ତି ।

ପ୍ର – କେବେ ପଢାକ୍ଷେତ୍ରରେ ପାଦ ଦେଲେ ଅର୍ଥାତ ସ୍କୁଲ ଜୀବନର ଯାତ୍ରା କେବେଠୁଁ ଆରମ୍ଭ?
ଉ – ବିଳମ୍ୱ କହିହେବ । ସ୍କୁଲରେ ଆଡ଼ମିଶନ୍ ହୋଇଥିଲା ସାତ କି ଆଠ ବର୍ଷ ବୟସରେ । ହେଲେ ପ୍ରତିଦିନ ସ୍କୁଲ ଯାଇ ପାରେନି, ପ୍ରାୟତଃ ପରୀକ୍ଷା ସମୟରେ ଯାଇଥାଏ ।

ପ୍ର – ଆପଣଙ୍କର ପାଠପଢା ପ୍ରତି ଆଗ୍ରହ କେବେ କେମିତି ଆସିଲା?
ଉ – ପ୍ରଥମରୁ ମାନସିକ ଅନଗ୍ରସର ଥିଲି । ପଢାପ୍ରତି ଆଦୌ ଆଗ୍ରହ ନ ଥିଲା । ଭାବନା ଥିଲା କେମିତି କ’ଣ ମ୍ୟାଟ୍ରିକ୍ ପାସ୍ କରିଦେଲେ ହେବ । ସମୟକ୍ରମେ ବିଭିନ୍ନ ଭିନ୍ନକ୍ଷମ କ୍ୟାମ୍ପରେ ଯୋଗଦେଇ ପଢାକ୍ଷେତ୍ରରେ ସରକାରୀ ସୂତ୍ରରୁ ସାହାଯ୍ୟ ମିଳେ ବୋଲି ଜାଣିଲି । ମନରେ ପରିବର୍ତ୍ତନ ଆସିଲା, ପ୍ରାୟ ଚତୁର୍ଥ କି ପଞ୍ଚମ ବେଳକୁ ପଢା ପ୍ରତି ତତ୍ପର ହେଲି।

ପ୍ର – ଆପଣଙ୍କ ଏଇ ଭିନ୍ନକ୍ଷମତାକୁ ସ୍କୁଲର ପରିବେଶ କିପରି ଗ୍ରହଣ କରିଲା?
ଉ – ବିଦ୍ୟାଳୟରେ ଭିନ୍ନକ୍ଷମ ଛାତ୍ରଟିଏ ଭାବରେ ମୋତେ ସମସ୍ତେ ସହଯୋଗ କରନ୍ତି । ଯିବା ଆସିବାରେ କି ପଡିଆରେ ଖେଳିବା କି ଖାଇବା ସମୟରେ ମୋତେ କଷ୍ଟ ଅନୁଭବ ହେବାକୁ କେହି ଦିଅନ୍ତିନି।

ପ୍ର – ଶିକ୍ଷାକ୍ଷେତ୍ରରେ ଗୋଟିଏ ଗୋଟିଏ ସ୍ତର ଦେଇ ଆଜି ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନର ଶେଷ ପର୍ଯ୍ୟାୟକୁ ଅତିକ୍ରମ କରି ସାରିଛନ୍ତି ଆପଣ, ତେବେ ସେସବୁରେ କି ପ୍ରକାର ଉପଲବ୍ଧି ଅନୁଭବ କରନ୍ତି?
ଉ – ଶ୍ରେଣୀଗୁଡିକୁ ଡେଇଁବା ସହ ମୋର ପାଠପଢାରେ ଏତେ ଅଧିକ ନଜର ନ ଥିଲା, ଭାବୁଥିଲି ଯଥା ତଥା ନମ୍ୱର ରଖିଲେ ପାଖ କଲେଜରେ ପଢ଼ିବି । ହେଲେ ଭାଗ୍ୟ ଥିଲା ଅଲଗା ! ମ୍ୟାଟ୍ରିକ ପରୀକ୍ଷାର ଛଅମାସ ପୂର୍ବରୁ କାହିଁକି କେଜାଣି ପଢାପ୍ରତି ଅଧିକ ଧ୍ୟାନ ଦେଲି, ଫଳରେ ଭିନ୍ନକ୍ଷମତାକୁ ନେଇ ଜିଲ୍ଲାରେ ସର୍ବୋଚ୍ଚ ମାର୍କ ମୋର ଥିଲା ୮୬.୩% । ଯାହା ମୋତେ ଆଗକୁ ଯିବାର ପ୍ରେରଣା ଯୋଗାଇଲା । ପୁଣି ବିଜ୍ଞାନ ମୋର ପ୍ରିୟ ଥିଲା, ତେଣୁ +୨ ବିଜ୍ଞାନରେ ଯୋଗଦେଲି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ, ସେଠାରେ ମୋର ୮୪.୧% ମାର୍କ ରହିଥିଲା । ତଥାପି ସ୍ୱପ୍ନ ଥିଲା ଆଉ କିଛି, ଡାକ୍ତରୀ ପ୍ରବେଶିକା ପାଇଁ ପ୍ରସ୍ତୁତ ଥିଲି, ହେଲେ ନିଜର ଶାରୀରିକ ତ୍ରୁଟିରେ ତଥା ମୋର ଏକାକୀପଣର ବଞ୍ଚିବାରେ ଅସୁବିଧା ହେବାର ଆଶଙ୍କା କରି ପଛକୁ ପାଦ ଫେରାଇଲି । ସେଇଠି ପଢ଼ିଲି +୩ ପଦାର୍ଥ ବିଜ୍ଞାନ, ବିଭାଗ ତଥା ଜିଲ୍ଲାରେ ପଦାର୍ଥ ବିଜ୍ଞାନରେ ସର୍ବୋଚ୍ଚ ୯୧.୪% ରଖି ପାଦ ରଖିଛି ବାଣୀବିହାରରେ, ଯାହାର ଫଳ ଅପେକ୍ଷାରେ ଏବେ । କହିବାକୁ ଗଲେ ଏଇ ଗତିଶୀଳ ପାଠପଢାର ଯାତ୍ରା ଜୀବନ ଜିଇଁବାର ଆଶା ଯୋଗାଇଛି ।

ପ୍ର – ଏତେ ସଂଘର୍ଷ ଭିତରେ ପଢିବାକୁ ଚାହିଁଲେ କାହିଁକି?
ଉ – ମୋର ଛୋଟବେଳରୁ ଲକ୍ଷ୍ୟ ଥିଲା ବାହାର ଦୁନିଆ ବିଷୟରେ ଜାଣିବା । କିଛି କିଛି ଜାଣିବା ପରେ ମୋତେ ଲାଗିଲା – ପଢା ହିଁ ଗୋଟିଏ ବାଟ, ଯାହା ମୋ ଭଳି ପିଲାଙ୍କୁ କିଛି କରିବାର ସୁଯୋଗ ଦେବ । ପଢିବା ପାଇଁ ଯେ ମୋ ଭଳି ଭିନ୍ନକ୍ଷମ ପିଲାଙ୍କ ପାଇଁ ସରକାରୀ ତଥା ବେସରକାରୀ ସ୍ତରରେ ଅନେକ ସହାୟତା ମିଳୁଛି, ତାହା ନ ପଢୁଥିବା ପିଲା ଜାଣି ପାରନ୍ତିନି, ସେମିତି ଅନ୍ଧ ହୋଇ ନିଜର ସ୍ଥିତିକୁ ଜାବୁଡି ରହି ଯାଆନ୍ତି । ତେବେ ମ୍ୟାଟ୍ରିକ୍ ପରଠାରୁ ସେଇଭଳି ଅନେକ ସହାୟତା ପାଇଛି ମୋ ନିଜ ପାଇଁ ଆଉ ଘର ପାଇଁ । ଗୋଟିଏ ପରେ ଗୋଟିଏ ସଫଳତା ପାଇଁ ସମସ୍ତେ ମୋ ମନୋବଳକୁ ଦୃଢ଼ କରିଛନ୍ତି, ଯାହା ଫଳରେ ମୁଁ ଆଗକୁ ଯିବାକୁ ସାହସ ପାଇଛି । ସେଥିପାଇଁ ମୁଁ ସମସ୍ତଙ୍କୁ କୁହେ, ତମର ପଢ଼ିବାର ଅଛି ତ ଅର୍ଥର ଅଭାବ ହେବନାହିଁ ।

ପ୍ର – ସରକାରୀ ତଥା ବେସରକାରୀ ସ୍ତରରେ କେତେ ପରିମାଣରେ ସହଯୋଗ ଆପଣ ପାଇଛନ୍ତି?
ଉ – ସରକାରୀ ଆଉ ବେସରକାରୀ ସ୍ତରରେ ବିଭିନ୍ନ ପ୍ରକାର ସାହାଯ୍ୟ ପାଇଛି । ମୋ ସଫଳତାରେ ଜିଲ୍ଲା ପ୍ରଶାସନ ପ୍ରତିଥର କିଛି ଅର୍ଥ ସହିତ ସମ୍ମାନିତ କରିଛନ୍ତି । ତା’ ପରେ ବିଭିନ୍ନ ବେସରକାରୀ ସଂସ୍ଥା, ଯେମିତି କି କେନ୍ଦ୍ରାପଡ଼ାର “ପୁନର୍ବାସ” ଅନୁଷ୍ଠାନ ମୋ ପାଇଁ ଏବେବି ସହାୟତା ଜାରି ରଖିଛନ୍ତି । ଏହାଛଡା ବ୍ୟକ୍ତିଗତ ଭାବରେ ବହୁତ ଲୋକ ମୋତେ ସାହାଯ୍ୟ କରିଛନ୍ତି । ତେଣୁ ଘରର ଅସୁବିଧା ଭିତରେ ବି କେବେ ଅନୁଭବ କରିନି ଅସୁବିଧା ହୋଇଛି ବୋଲି ।

ପ୍ର – ନିଜ ଜୀବନରେ ଭିନ୍ନକ୍ଷମତା ଭିତରେ ବିଭିନ୍ନ ପ୍ରକାର ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି, ତେବେ ସେଇ ଶାରୀରିକ ଆହ୍ୱାନ ହେଉ ବା ଆର୍ଥିକ ତଥା ପାରିବାରିକ ଆହ୍ୱାନ ପୁଣି ସାମାଜିକ କୁସଂସ୍କାର ଜନିତ ଆହ୍ୱାନକୁ କିପରି ସାମ୍ନା କରିଛନ୍ତି?
ଉ – ଆର୍ଥିକ ଆହ୍ୱାନ କଥା କହିଲେ ମୁଁ କହିବି ଯଦି ଗୋଟିଏ ଭିନ୍ନକ୍ଷମ ପିଲା ନିଜର ପରିଶ୍ରମ ବଳରେ ଉଚ୍ଚମାନର ନ ହେଲେ ବି ମଧ୍ୟମ ଧରଣର ମାର୍କ ରଖିଲେ ଆର୍ଥିକ ଆହ୍ୱାନ ଦୂର ହୋଇଯିବ । ସରକାରୀ ସ୍ତରରେ ବିଭିନ୍ନ ସ୍କଲାର୍‌ସିପ୍, ବିଭିନ୍ନ ଦାତବ୍ୟ ସଂସ୍ଥାରୁ ସାହାଯ୍ୟ ମିଳୁଅଛି । ସେଇ ସାହାଯ୍ୟକୁ ନେଇ ଜଣେ ମେଧାବୀ ଭିନ୍ନକ୍ଷମ ଛାତ୍ର ନିଜର ଆର୍ଥିକ ଅବସ୍ଥାକୁ ଦୂର କରି ପାରିବ । ତା’ପରେ ଶାରୀରିକ କଥା କହିଲେ, ପିଲାର ମାନସିକ ସ୍ଥିତି ଉପରେ ନିର୍ଭର କରୁଛି । ଯଦି ତା’ ପରିବେଶରେ ତାକୁ ଭିନ୍ନ ବୋଲି ପରିଚିତ କରନ୍ତି, ତେବେ ତା’ର ମନେହେବ ମୁଁ ଏଇ କାର୍ଯ୍ୟ କରି ପାରିବିନି । ସୁତରାଂ ମନୋବଳ ଶାରୀରିକ ଅକ୍ଷମତାକୁ କିଛି ମାତ୍ରାକୁ କମେଇ ଦେଇପାରେ ବୋଲି ମୁଁ ଭାବେ । ସେହିପରି ସାମାଜିକ କୁସଂସ୍କାର ଜନିତ ଆହ୍ୱାନ କଥା କହିଲେ, ଭିନ୍ନକ୍ଷମତାକୁ ନେଇ ନିଶ୍ଚିତ ଭାବରେ ତ କହିବେ । ଯେମିତି କି ପ୍ରଥମେ ପ୍ରଥମେ ଜନ୍ମ ହେଲେ, ତମେ ଜୀବନ ସାରା କିଛି କରି ପାରିବନି, ବୋଝ ହେଇକି ଘର ଉପରେ ରହିବ । ସେମିତି ଅନେକ କଥା ଆସେ ସମାଜରେ । ତେବେ ସେହି ସମୟରେ ମୁଖ୍ୟ ଭୂମିକାରେ ରୁହନ୍ତି ଘର ଲୋକ; ବାପା, ମା’, ଭାଇ, ଜେଜେବାପା, ଜେଜେମା’ । ବାହାରର କଟାକ୍ଷ ଯେପରି ତମ ପାଖରେ ନ ପହଞ୍ଚିପାରୁ, ସେ ସବୁଠୁଁ ଦୁରେଇ ରଖିଲେ ଗୋଟେ ଭିନ୍ନକ୍ଷମ ପିଲା ଆଗକୁ ଯାଇ ପାରିବ । ନିଜ କଥା କହିଲେ, ମୁଁ ମଧ୍ୟ ସେହିଭଳି କଥାର ସାମ୍ନା କରିଛି । ଗାଁ ପରିବେଶର ଲୋକ କୁହନ୍ତି, ତାକୁ ଭତ୍ତାଟା ମିଳିଯାଉ, କେମିତି କ’ଣ ସେ ଚଳିଯାଉ । ଆଉ ଗୋଟେ ଛୋଟମୋଟ ଦୋକାନ କରିଲେ ହେଇଯିବ । ହେଲେ ଏବେ ମୋର ସଫଳତାରେ ସମସ୍ତେ କୁହନ୍ତି, ତୋ ଯୋଗୁଁ ଆଜି ଆମ ଗାଁକୁ ସମସ୍ତେ ଜାଣିଲେ, ଏତେ ସରକାରୀ ବଡ଼ଲୋକ ଗାଁକୁ ଆସିଲେ ।

ପ୍ର – ପଦାର୍ଥ ବିଜ୍ଞାନରେ ଏବେ ସ୍ନାତକୋତ୍ତର ସରିଲା, ତେବେ ସେଇ ବିଷୟକୁ ନେଇ ଜୀବନରେ ଆଗକୁ କେଉଁ ଯୋଜନା ରଖିଛନ୍ତି?
ଉ – ପ୍ରଥମ ଲକ୍ଷ୍ୟ ହେଉଛି, ମୁଁ ଗୋଟେ ଅଧ୍ୟାପକ ହେବାକୁ ଚାହିଁବି । ତା’ ପରେ ମୋ ବଡ଼ଲକ୍ଷ୍ୟ ହେଉଛି ପ୍ରଶାସନିକ ସେବା କ୍ଷେତ୍ରରେ ମୁଁ ପାଦଦେବି । ବିଜ୍ଞାନ ଆଉ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରିକି ସମାଜରେ କିଛି ମଙ୍ଗଳ କରିବି । ଏହାଛଡା ମୁଁ ଯେହେତୁ ଜଣେ ଭିନ୍ନକ୍ଷମ, ତେଣୁ ଭିନ୍ନକ୍ଷମତା ଭିତରେ କେଉଁ ପ୍ରକାର ଅସୁବିଧାମାନ ସମାଜରେ ଲୋକ ଭୋଗୁଛନ୍ତି ସେ ସବୁ ଅନୁଭବ କରିଛି, ତେଣୁ ତାଙ୍କର ଅସୁବିଧାକୁ ଦୂର କରିବାକୁ ଚେଷ୍ଟା କରିବି ।

ପ୍ର – ସମାଜରେ ଭିନ୍ନକ୍ଷମତା ଭିତରେ ଲଢୁଥିବା ମେଧାବୀ ପିଲାଙ୍କ ପାଇଁ ଆପଣଙ୍କର କେଉଁ ବାର୍ତ୍ତା ରହିବ?
ଉ – ମୋର ଯଦି ବାର୍ତ୍ତା ଦେଖିବେ, ତେବେ ସମାଜରେ ଭିନ୍ନକ୍ଷମତାକୁ ନେଇ ଯେଉଁ ସବୁ କଥା ଉଠୁଛି, ସେସବୁକୁ ଅବହେଳା କରିବାର ଅଛି । କେବଳ ପାଠପଢା ଆଉ ମନୋବଳକୁ ଦୃଢ଼ ରଖିବାର ଅଛି । ପାଠପଢା ଯଦି ଠିକ୍‌ ଚାଲିବ, ତେବେ ବାକି ଜିନିଷ ଆପେଆପେ ମିଳିଯିବ । କାହାଠୁଁ ସ୍ୱତନ୍ତ୍ରତା ଆଶା କରିବା ଅନୁଚିତ ବା କେହି ସ୍ୱତନ୍ତ୍ରତା ଦେଲେ ତାକୁ ଗ୍ରହଣ କରିବା ମଧ୍ୟ ଅନାବଶ୍ୟକ । ସାଧାରଣ ଭାବରେ ରହିବା, ପଢା ପ୍ରତି ଧ୍ୟାନ ଦେବା । ଶିକ୍ଷା ହିଁ ଗୋଟେ ବାଟ, ଯାହା ସାମାଜିକ, ଆର୍ଥିକ ସବୁ ଅସୁବିଧାକୁ ଦୂର କରିବ । ଏହାଛଡା ଭିନ୍ନକ୍ଷମତାକୁ ନେଇ ସମସ୍ତ କୁସଂସ୍କାରରୁ ଶିକ୍ଷା ହିଁ ଭଲ ଧାରଣା ଦେଇପାରିବ ।

ଶ୍ରୀଧଳ କୁମାର ଭୋଳ

ବରଜ ଦାସର ଆଦ୍ୟ ଶୈକ୍ଷିକ ଜୀବନର ମାର୍ଗଦର୍ଶକ ଭାବେ ମହାକାଳପଡ଼ା ମଣ୍ଡଳ ସମ୍ବଳ ଶିକ୍ଷକ ଶ୍ରୀଧଳ କୁମାର ଭୋଳଙ୍କର ଭୂମିକା ଉଲ୍ଲେଖନୀୟ କହିଲେ ଅତ୍ୟୁକ୍ତି ହେବନାହିଁ । ବରଜର ସଫଳତା ସମ୍ପର୍କରେ “ପୁନର୍ବାସ ସମାଚାର’କୁ ଏକ ସ୍ୱଳ୍ପ ବାର୍ତ୍ତାଳାପରେ ଯାହା ସେ ପ୍ରକାଶ କରନ୍ତି

ପ୍ର – ମହାକାଳପଡ଼ା ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଆପଣ ମଣ୍ଡଳ ସମ୍ବଳ ଶିକ୍ଷକ ଭାବେ ପ୍ରାୟ ଗତ ମାର୍ଚ୍ଚ ମାସ ୨୦୧୫ ମସିହାଠାରୁ ଅଦ୍ୟାବଧି ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ କାର୍ଯ୍ୟ କରି ଆସୁଛନ୍ତି, ଆପଣ ବରଜ କୁମାର ଦାସଙ୍କ ପରି ଏକ ଅନନ୍ୟ ପ୍ରତିଭାକୁ କିପରି ଏବଂ କେଉଁ ପରିସ୍ଥିତିରେ ପାଇଥିଲେ?
ଉ – ମୁଁ ମଣ୍ଡଳ ସମ୍ବଳ ଶିକ୍ଷକ ଭାବରେ ଗତ ୨୦୧୫ ମସିହାରୁ ଡେରାବିଶ ବ୍ଲକରୁ ମହାକାଳପଡ଼ା ବ୍ଲକକୁ ବଦଳି ହୋଇ ଆସିଲା ବେଳକୁ ବରଜ ବିଜୟନଗର ନୋଡାଲ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ । ଆମଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସେ ତାଙ୍କ ପିତା ରଞ୍ଜନ କୁମାର ଦାସଙ୍କ ସହ ଆସି ଯୋଗ ଦେଇଥିଲେ । ତୁଳସୀ ଦୁଇପତ୍ରରୁ ବାସିଲା ପରି ସେ ବାଲ୍ୟାବସ୍ଥାରୁ ମଧ୍ୟ ବହୁତ ମେଧାବୀ ଥିଲେ । ବହୁ ପ୍ରତିକୂଳ ପରିସ୍ଥିତି ସହ ଲଢେ଼ଇ କରି ସେ ନିୟମିତ ବିଦ୍ୟାଳୟକୁ ଆସୁଥିଲେ, ଏଥିପାଇଁ ତାଙ୍କୁ ହୁଇଲ୍ ଚେୟାର, ତିନିଚକିଆ ସାଇକେଲ, ଆର୍ଥିକ ପ୍ରୋତ୍ସାହନର ସମ୍ୟକ ବ୍ୟବସ୍ଥା କରାଯାଇଥିଲା ।

ପ୍ର – ଆପଣ ଦଶ ବର୍ଷର ଯାତ୍ରା ଭିତରେ ବରଜକୁ ତା’ର ଶୈକ୍ଷିକ ବିକାଶ କ୍ଷେତ୍ରରେ କେଉଁଭଳି ଭାବରେ ସହଯୋଗ କରିଛନ୍ତି?
ଉ – ବରଜର ଯେହେତୁ ଚଳପ୍ରଚଳ କରିବାରେ ସମସ୍ୟା ଥିଲା, ତା’ପାଇଁ ଯିବା ଆସିବା କରିବା ପାଇଁ ତିନିଚକିଆ ସାଇକେଲ, ହୁଇଲ୍ ଚେୟାର ଯୋଗାଇ ଦିଆଯାଉଛି, ସେ ମଧ୍ୟ ଗୋଟିଏ ନିମ୍ନ ମାଧ୍ୟମିକ ପରିବାରରୁ ଆସିଥିବା ବେଳେ, ତା’ର ଆର୍ଥିକ ପ୍ରୋତ୍ସାହନ ସ୍ୱରୂପ ବାଣୀଶ୍ରୀ ସ୍କଲାରସିପ୍, ଏସ୍କୋର୍ଟ ଅଲ୍ଲୋଏନ୍ସ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରାକ୍ ମାଟ୍ରିକ ଶିକ୍ଷାବୃତ୍ତି, ପୋଷ୍ଟ ମାଟ୍ରିକ ଶିକ୍ଷାବୃତ୍ତି ଇତ୍ୟାଦି ଯୋଗାଇ ଦିଆଯାଉଛି । ସେ ମ୍ୟାଟ୍ରିକ, +୨, +୩ ପରୀକ୍ଷାରେ କୃତିତ୍ୱର ସହ ଲଢେ଼ଇ କରି ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି । ସେଥିପାଇଁ ଅନେକ ଅନୁଷ୍ଠାନ ସହାୟତାର ହାତ ବଢାଇ ଚାଲିଛନ୍ତି ।

ପ୍ର – କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳରେ ଅବସ୍ଥିତ ମହାକାଳପଡ଼ା ବ୍ଲକରେ ବରଜ ଭଳି ଅନେକ ପ୍ରତିଭା ଅଛନ୍ତି । ଆପଣ ସେମାନଙ୍କ ଶୈକ୍ଷିକ ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ କ’ଣ ସବୁ ପ୍ରତିବନ୍ଧକ ଦେଖୁଛନ୍ତି ? ଏବଂ କିପରି ଏହାର ଦୂରୀକରଣ କରାଯାଇ ପାରିବ?
ଉ – ମହାକାଳପଡ଼ା ବ୍ଲକ ଏକ ନଦୀ ନାଳ, ବଣ ଜଙ୍ଗଲ ତଥା ସମୁଦ୍ରଘେରା ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ପରିବହନ, ଗମନାଗମନ ତଥା ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସେମାନଙ୍କ ନିକଟରେ ପହଞ୍ଚାଇବା ନିଶ୍ଚିନ୍ତ ଭାବରେ ପ୍ରତିବନ୍ଧକ ସୃଷ୍ଟି କରେ ତଥାପି ସବୁ ପ୍ରତିବନ୍ଧକକୁ ଯଥାସମ୍ଭବ ଦୂର କରିବା ଆମର ମୁଖ୍ୟଲକ୍ଷ୍ୟ । ବରଜ ଭଳି ଆମ ଅଞ୍ଚଳରେ ଅନେକ ଛାତ୍ରଛାତ୍ରୀ ସଫଳତା ହାସଲ କରୁଛନ୍ତି । ସାଧାରଣତଃ ଏହି ପିଲାମାନେ ବେଳେବେଳେ ସେମାନଙ୍କ ପରିବାର, ସାଙ୍ଗସାଥୀ, ଶିକ୍ଷକ, ସମାଜରେ ଅବହେଳିତ ଅବସ୍ଥାରେ ଅଛନ୍ତି ।

କେତେକ ପିଲାମାନେ ମଧ୍ୟ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଆଗେଇ ଆସି ସମାଜର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରିପାରିଛନ୍ତି । ଏଥିପାଇଁ ସରକାର ତଥା ବେସରକାରୀ ସ୍ତରରେ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ ହେଲେ, ସେମାନଙ୍କର ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ହେବ ଏବଂ ଆମର ମୁଖ୍ୟ ଉଦ୍ଦେଶ୍ୟ ସାଧନ ସମ୍ଭବ ହୋଇପାରିବ ।

Share the post

Leave a Reply

Your email address will not be published. Required fields are marked *

ଘରୋଇ ବିଦ୍ୟାଳୟଗୁଡିକୁ ଦିଲ୍ଲୀ ହାଇକୋର୍ଟର ଛାଟ : ଏଣିକି ନାମ ଲେଖାରୁ ମନା କରିବେନି ଦିବ୍ୟାଙ୍ଗ ଛାତ୍ରଙ୍କୁ

ଏହି ମାମଲାରେ, କୋର୍ଟ କେବଳ ପିଲାଟିର ଉକ୍ତ ସ୍କୁଲ୍‌ରେ ପୁନଃ ପ୍ରବେଶ କରିବାକୁ ନିର୍ଦ୍ଦେଶ ଦେଇ ନ ଥିଲେ ବରଂ ତା'ର ଶିକ୍ଷା ନିମନ୍ତେ ଆବଶ୍ୟକୀୟ ସହାୟତା ଯୋଗାଇବାକୁ ସ୍କୁଲକୁ ନିର୍ଦ୍ଦେଶ ଦେଇଥିଲେ ।

ମିଥ୍ୟା ଭିନ୍ନକ୍ଷମ ହିତାଧିକାରୀ ସାବଧାନ !

କେବଳ ସେତିକି ନୁହେଁ ଏଥି ନିମନ୍ତେ ଆବଣ୍ଟିତ ହୋଇଥିବା ଜନକଲ୍ୟାଣମୂଳକ ସରକାରୀ ପାଣ୍ଠିର ବ୍ୟାପକ ଅପବ୍ୟୟ କରାଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଅଧିକନ୍ତୁ, ଏହି ମିଥ୍ୟା ପ୍ରମାଣପତ୍ର ହାତେଇ ଭତ୍ତାଠାରୁ ଆରମ୍ଭ କରି...