ମିଥ୍ୟା ଭିନ୍ନକ୍ଷମ ହିତାଧିକାରୀ ସାବଧାନ !

କେବଳ ସେତିକି ନୁହେଁ ଏଥି ନିମନ୍ତେ ଆବଣ୍ଟିତ ହୋଇଥିବା ଜନକଲ୍ୟାଣମୂଳକ ସରକାରୀ ପାଣ୍ଠିର ବ୍ୟାପକ ଅପବ୍ୟୟ କରାଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଅଧିକନ୍ତୁ, ଏହି ମିଥ୍ୟା ପ୍ରମାଣପତ୍ର ହାତେଇ ଭତ୍ତାଠାରୁ ଆରମ୍ଭ କରି ସଂରକ୍ଷଣ କୋଟାରେ ନିଯୁକ୍ତି ପାଇଥିବା ଅଯୋଗ୍ୟ ପ୍ରମାଣପତ୍ରଧାରୀଙ୍କ ହେତୁ ଅନେକ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଛନ୍ତି ।

ଜନମଙ୍ଗଳ ରାଷ୍ଟ୍ରରେ ଅସହାୟ ଓ ପଛୁଆ ନାଗରିକ ସମାଜକୁ ଏକ ସର୍ବନିମ୍ନ ସମ୍ମାନଜନକ ଜୀବନ ନିର୍ବାହନ ପାଇଁ ବିଭିନ୍ନ କଲ୍ୟାଣକାରୀ ବ୍ୟବସ୍ଥାମାନ ରହିଛି । ଗୋଟିଏ ସରକାର ପରେ ଆଉ ଗୋଟିଏ ସରକାର ବଦଳେ । କିନ୍ତୁ ବ୍ୟବସ୍ଥା ଚାଲେ । ଆହୁରି ଅଧିକ ବ୍ୟାପକ ଓ ସମୃଦ୍ଧ କଳେବର ନେଇ ନୂଆ ରୂପରେ ବ୍ୟବସ୍ଥା ଆସେ । ଭାରତୀୟ ସମ୍ବିଧାନର ଧାରା ୧୪ ଓ ୨୧ ମୁତାବକ ସମାନତା ଓ ସମ୍ମାନର ସହ ବଞ୍ଚି ରହିବାର ଅଧିକାର ପ୍ରତ୍ୟେକ ନାଗରିକଙ୍କର ରହିଛି । ସେହିପରି ଆର୍ଥିକ ଦୃଷ୍ଟିରୁ ସମାଜର ସବୁଠାରୁ ଦୁର୍ବଳ ଭିନ୍ନକ୍ଷମ ବର୍ଗଙ୍କୁ ପ୍ରଦାନ କରାଯାଇ ଆସୁଥିବା ପେନସନ୍ ଏବେ ଚର୍ଚ୍ଚାର ପରିସରକୁ ଆସିଛି ।

ଗତ ୨୦୨୪ ମସିହାରେ ଏହି ବିବାଦ ମୁଣ୍ଡ ଟେକି ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ପୁନଃ ପୁନଃ ପ୍ରଚାର ସହ ଶେଷକୁ ମାନ୍ୟବର ଅଦାଲତ ଯାଏଁ କଥା ପହଞ୍ଚିଥିଲା । ତାହା ଥିଲା ଭାରତୀୟ ପ୍ରଶାସନିକ ସେବାର ପ୍ରୋବେସନର ପୂଜା କ୍ଷେଦରଙ୍କ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ହାତେଇ ଉଚ୍ଚ କ୍ୟାଡ଼ର୍ର ଚାକିରୀ ପାଇଥିବାର ଖବର । ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ଏହିପରି ଏକ ଉଚ୍ଚାଙ୍ଗ ପ୍ରବେଶିକା ପରୀକ୍ଷାରେ କିପରି ବିବାଦୀୟ ପୂଜା କ୍ଷେଦକର ମିଥ୍ୟା ଭିନ୍ନକ୍ଷମ ପ୍ରମାଣପତ୍ର ଜରିଆରେ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଧିଷ୍ଟ ସରଂକ୍ଷଣ କୋଟାରେ ଆଇଏଏସ୍ ଅଧିକାରିଣୀ ହୋଇପାରିଥିଲେ, ତାହା ଏକ ବିରାଟ ପ୍ରଶ୍ନ ସୃଷ୍ଟି କରିଥିଲା ।

ଏହା ପରଠୁଁ କେବଳ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରୁଥିବା ଡାକ୍ତରୀ ବିଭାଗ ସଚେତନ ହୋଇ ନ ଥିଲା ବରଂ ଅନେକାଂଶରେ ଶିକ୍ଷିତ ସାଧାରଣ ଜନତାଙ୍କୁ ଜାଗୃତ କରି ପାରିଥିଲା ।

ଠିକ୍ ଏହାରି ପଛକୁ ଚଳିତ ବର୍ଷ ଫେବୃୟାରୀ ମାସରେ ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ମଧ୍ୟପ୍ରଦେଶ ଉଜ୍ଜୟିନୀର ଟ୍ରେଜେରୀ ଓ ଆକାଉଣ୍ଟସ୍ ବିଭାଗରେ ସହାୟକ ଅଡ଼ିଟ୍ ଅଧିକାରୀ ଭାବେ ଭିନ୍ନକ୍ଷମ କୋଟାରେ ନିଯୁକ୍ତି ପାଇଥିବା ଜଣେ ଅଧିକାରିଣୀଙ୍କ ସମ୍ପର୍କିତ ଖବର । ଯାହା ପୁଣି ଏହି ପ୍ରସଙ୍ଗକୁ ଆଉଥରେ ଉଦ୍ରେକ କରାଇଥିଲା । ଏକ ଭାଇରାଲ୍ ସୋସିଆଲ୍ ମିଡ଼ିଆ ଭିଡ଼ିଓରେ ଉକ୍ତ ଅଧିକାରିଣୀଙ୍କ ନୃତ୍ୟରତା ଦୃଶ୍ୟଚିତ୍ରକୁ ନେଇ ବିବାଦର ଝଡ଼ ଉଠିଥିଲା । ମଧ୍ୟପ୍ରଦେଶ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ରାଜ୍ୟ ସେବା ପରୀକ୍ଷା-୨୦୨୨ ନିମନ୍ତେ ତାଙ୍କୁ ଭିନ୍ନକ୍ଷମ କୋଟାରୁ ଚୟନ କରାଯାଇଥିଲା । ଶତକଡ଼ା ୪୫ ଭାଗ ଅସ୍ଥିଜନିତ ଭିନ୍ନକ୍ଷମତା ଭୋଗୁଥିବା ସେହି ଅଧିକାରିଣୀ ପ୍ରିୟଙ୍କା କଦମ୍ କିପରି ଏତେ ସହଜ ଓ ସାବଲୀଳ ନୃତ୍ୟ ପ୍ରଦର୍ଶନ କରି ପାରୁଛନ୍ତି, ତାହା ରହିଥିଲା ସୋସିଆଲ୍ ମିଡ଼ିଆ ଓ ଗଣମାଧ୍ୟମର ଚର୍ଚ୍ଚାର ପ୍ରସଙ୍ଗ । ପ୍ରତିକ୍ରିୟାରେ “ଆଭାସ୍କୁଲାର ନେକ୍ରୋସିସ୍”ରେ ପୀଡ଼ିତ ପ୍ରିୟଙ୍କା କଦମ୍ ନିଜ ପ୍ରମାଣପତ୍ରକୁ ଯଥାର୍ଥ ବୋଲି ସଫେଇ ରଖିଥିଲେ ।

ସେହିପରି ଚଳିତ ଅଗଷ୍ଟ ମାସରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା କରାଯାଉଥିବା ଭିନ୍ନକ୍ଷମ ପ୍ରମାଣପତ୍ରର ପୁନଃଯାଞ୍ଚ ପ୍ରକ୍ରିୟା ଏକ ଅଭାବନୀୟ ଅପ୍ରିୟ ସତ୍ୟକୁ ପରିପ୍ରକାଶ କରିଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ଆନ୍ଧ୍ରପ୍ରଦେଶରେ ରହିଥିବା ସମୁଦାୟ ୭.୮୬ ଲକ୍ଷ ଭିନ୍ନକ୍ଷମ ପେନସନଧାରୀଙ୍କ ମଧ୍ୟରୁ ୫.୧୦ ଲକ୍ଷ ହିତାଧିକାରୀଙ୍କୁ ପୁନଃଯାଞ୍ଚ ନିମନ୍ତେ ନୋଟିସ୍ କରାଯାଇଥିଲା । ଏହି ପୁନଃଯାଞ୍ଚର ପରିଣାମ ଥିଲା ଅତ୍ୟନ୍ତ ଚିନ୍ତାଜନକ । ଅଦ୍ୟାବଧି ୪.୫ ଲକ୍ଷ ପ୍ରମାଣପତ୍ରର ଯାଞ୍ଚ ପରେ ସେଥିରୁ ପାଖାପାଖି ୧ ଲକ୍ଷ ଭିନ୍ନକ୍ଷମ ପ୍ରମାଣପତ୍ର ଅଯୋଗ୍ୟ ଚିହ୍ନଟ କରାଯାଇଛି । ପୁନଃଯାଞ୍ଚ ଅଭିଯାନ ପୂର୍ବରୁ ପୁଲିଭେନ୍ଦୁଲା (୧,୭୦୮ମାମଲା), ଚନ୍ଦ୍ରଗିରି (୧,୬୦୪) ଏବଂ ମଛଲିପାଟନମ୍ (୧,୫୩୯)ରେ ସର୍ବାଧିକ ନକଲି ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା । ତୁଳନାତ୍ମକ ପରିସଂଖ୍ୟାନ ଦୃଷ୍ଟିରୁ ସାରା ଦେଶରେ ଆନ୍ଧ୍ରପ୍ରଦେଶ ସରକାର ପ୍ରଦାନ କରୁଥିବା ଭିନ୍ନକ୍ଷମ ଭତ୍ତା କୌଣସି ରାଜ୍ୟ ତୁଳନାରେ ଅଧିକ ଉଦାର ଓ ସର୍ବାଧିକ । ମାସିକ ୬୦୦୦ ଟଙ୍କା ଭତ୍ତାରୁ ଆରମ୍ଭ କରି ଶତକଡ଼ା ୧୦୦ ଭାଗ ଗୁରୁତର ଶଯ୍ୟାଶାୟୀ ଭିନ୍ନକ୍ଷମମାନଙ୍କ ପାଇଁ ମାସିକ ୧୫୦୦୦ ଟଙ୍କାର ଭତ୍ତା ବ୍ୟବସ୍ଥା କରିଛନ୍ତି । ଏପରିକି ଆନ୍ଧ୍ରପ୍ରଦେଶରେ ଭିନ୍ନକ୍ଷମଙ୍କ ତାଲିକା ବୃଦ୍ଧି ପାଇ ଏବେ ୬୫ ଲକ୍ଷ ହିତାଧିକାରୀ ସଂଖ୍ୟାକୁ ଛୁଇଁଛି । ଯାହା ବାବଦେ ରାଜ୍ୟ ସରକାର ପ୍ରାୟ ପ୍ରତିବର୍ଷ ୩୩,୦୦୦ କୋଟିରୁ ଅଧିକ ଟଙ୍କା ଏହି ବାବଦରେ ବ୍ୟୟ କରୁଛନ୍ତି ।

ଆଖିର ଭ୍ରୂକୁଞ୍ଚନ ସୃଷ୍ଟି କରୁଥିବ ଏହି ତଥ୍ୟ ଭିନ୍ନକ୍ଷମ ପ୍ରମାଣପତ୍ର ସାଙ୍ଘାତିକ ଦୂରୁପଯୋଗକୁ ସୂଚାଇଥାଏ । ଅଯୋଗ୍ୟ ହିତାଧିକାରୀମାନେ କୌଣସି ପ୍ରକାର ଏହି ପ୍ରମାଣପତ୍ର ହାତେଇ ଦୀର୍ଘ ବର୍ଷ ଧରି ପେନସନ୍ ଓ ଅନ୍ୟାନ୍ୟ ସୁବିଧା ଭୋଗ କରି ଆସୁଛନ୍ତି । ଯାହାଦ୍ୱାରା ପ୍ରଚଳିତ ଭିନ୍ନକ୍ଷମ ପ୍ରମାଣପତ୍ର ପାଇବା ପ୍ରକ୍ରିୟାର ସ୍ୱଚ୍ଛତା ପ୍ରତି ସନ୍ଦେହ ଉଦ୍ରେକ ହୋଇଛି । କେବଳ ସେତିକି ନୁହେଁ ଏଥି ନିମନ୍ତେ ଆବଣ୍ଟିତ ହୋଇଥିବା ଜନକଲ୍ୟାଣମୂଳକ ସରକାରୀ ପାଣ୍ଠିର ବ୍ୟାପକ ଅପବ୍ୟୟ କରାଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଅଧିକନ୍ତୁ, ଏହି ମିଥ୍ୟା ପ୍ରମାଣପତ୍ର ହାତେଇ ଭତ୍ତାଠାରୁ ଆରମ୍ଭ କରି ସଂରକ୍ଷଣ କୋଟାରେ ନିଯୁକ୍ତି ପାଇଥିବା ଅଯୋଗ୍ୟ ପ୍ରମାଣପତ୍ରଧାରୀଙ୍କ ହେତୁ ଅନେକ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଛନ୍ତି ।

ଉପରେ ବର୍ଣ୍ଣିତ ଏହି ତିନୋଟି ଦୃଶ୍ୟପଟ୍ଟ ପ୍ରଚଳିତ ବ୍ୟବସ୍ଥା ପ୍ରତି ଯେ ସତର୍କ ସୂଚନା ସୃଷ୍ଟି କରୁନାହିଁ, ବରଂ ନିର୍ଣ୍ଣାୟକ ଭିନ୍ନକ୍ଷମ ଚିହ୍ନଟ ପ୍ରଣାଳୀରେ ସ୍ୱଚ୍ଛ ଓ ସମୁଚିତ ପଦକ୍ଷେପ ନେବାପାଇଁ ଆହ୍ୱାନ ଜଣାଇଛି ।

ଆନ୍ଧ୍ରପ୍ରଦେଶ ପରି କେବେ ଏହି ପୁନଃଯାଞ୍ଚ ପ୍ରକିୟାକୁ ଓଡ଼ିଶା ଆପଣାଇବ ? ଯାହାଫଳରେ ଏହି ହିତାଧିକାରୀଙ୍କ ବିସ୍ତୃତ କିଆରୀରୁ ଅଯୋଗ୍ୟ ବାଳୁଙ୍ଗାକୁ ବାହାର କରି ଯୋଗ୍ୟଙ୍କୁ ନ୍ୟାୟ ଦେଇହେବ ।

ଅତଏବ ମିଥ୍ୟା ଭିନ୍ନକ୍ଷମ ହିତାଧିକାରୀ ସାବଧାନ !!!

Share the post

Leave a Reply

Your email address will not be published. Required fields are marked *

Proposal for Medical Board for Divyang at Jhuli Sub-District Hospital Pending; Disabled Organizations Demand Swift Implementation

ଝୁଲିରହିଛି ଉପଖଣ୍ଡ ଡାକ୍ତରଖାନାରେ ଦିବ୍ୟାଙ୍ଗଙ୍କ ପାଇଁ ମେଡିକାଲ ବୋର୍ଡର ପ୍ରସ୍ତାବ ଶୀଘ୍ର କାର୍ଯ୍ୟକାରିତା ପାଇଁ ଭିନ୍ନକ୍ଷମ ସଂଘଠନର ଦାବି

ଲୋକଙ୍କ ସମସ୍ୟା ତଥା ପଡ଼ି ରହିଥ‌ିବା ଲକ୍ଷାଧିକ ଆବେଦନକୁ ଦୃଷ୍ଟିରେ ରଖି ଉପଖଣ୍ଡ ଚିକିତ୍ସାଳୟରେ ୟୁଡିଆଇଡି କାର୍ଡ ବଣ୍ଟନ ଆରମ୍ଭ କରିବାକୁ ଚଳିତ ଜୁଲାଇ ମାସରେ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ‌(ଏସ୍ଏସ୍‌ଇପିଡି) ବିଭାଗ...
Dead Freeing the Blind: Posthumous Eye Donations Surge in Odisha

ଅନ୍ଧତ୍ୱ ମୁକ୍ତ କରୁଛନ୍ତି ମୃତକ

ସୂଚନା ଅନୁସାରେ ୨୦୦୭ରୁ ୨୦୧୭ମଧ୍ୟରେ ୫, ୭୧୪ ସ୍ଵଚ୍ଛପଟଳ ସଂଗ୍ରହ କରାଯାଇଥିବାବେଳେ ୪୭୯୫ ଜଣ ଏଥିଯୋଗୁଁ ଉପକୃତ ହୋଇଛନ୍ତି । ସେହିପରି ଆରମ୍ଭରୁ ଗତ ଜୁଲାଇ ୨୦୨୫ ସୁଦ୍ଧା ମୋଟ ପ୍ରାୟ ୧୯ ହଜାର...
Disability's New Terror: Parkinson's Disease

ଅକ୍ଷମତାର ନୂଆ ଆତଙ୍କ: ପାର୍କିନସନ ରୋଗ

୨୦୨୧ରେ ଯେତେ ସଂଖ୍ୟକ ପାର୍କିନସନ ରୋଗୀ ଥିଲେ ୨୦୫୦ ବେଳକୁ ତାହା ୧୧୨% ବୃଦ୍ଧି ପାଇବ ବୋଲି ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ସୁତରାଂ ପାର୍କିନସନ ରୋଗୀଙ୍କ ସଂଖ୍ୟା ବଢ଼ିବା ଫଳରେ...
0-6 Years Old Disabled Children Early Identification For Extensive Survey Begins

୦-୬ ବର୍ଷ ବୟସର ଭିନ୍ନକ୍ଷମ ପିଲାମାନଙ୍କ ପ୍ରାଥମିକ ଚିହ୍ନଟ ପାଇଁ ବ୍ୟାପକ ସର୍ଭେ ଆରମ୍ଭ

ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମବ୍ୟକ୍ତିଙ୍କ ସଶକ୍ତିକରଣ (ଏସଏସଇପିଡି) ବିଭାଗ ଦ୍ଵାରା ଘୋଷଣା କରାଯାଇଥିବା ଏହି ପଦକ୍ଷେପ ଭିନ୍ନକ୍ଷମବ୍ୟକ୍ତିଙ୍କ ଅଧିକାର (ଆରପିଡବ୍ଲୁଡି) ଆଇନ, ୨୦୧୬ ଅନୁଯାୟୀ ପରିଭାଷିତ ସମସ୍ତ ୨୧ ପ୍ରକାରର ଅକ୍ଷମତାକୁ ଅନ୍ତର୍ଭୁକ୍ତ କରିବ...
High-Support Disabled Persons to Receive ₹40,000 Assistance

ଉଚ୍ଚ-ସହାୟତା ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ମିଳିବ ୪୦,୦୦୦ ଟଙ୍କାର ସହାୟତା

ଗୋଆ ସରକାର ଗୁରୁତର ଭିନ୍ନକ୍ଷମ ବର୍ଗର ବ୍ୟକ୍ତିବିଶେଷମାନଙ୍କ ନିମନ୍ତେ ଏକ ଆର୍ଥିକ ସହାୟତା ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରେ ଉଚ୍ଚ-ସହାୟତା ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ଏକକାଳୀନ ସହାୟତା ରାଶି ଭାବରେ ୪୦,୦୦୦...