କୁଷ୍ଠର କଷ୍ଟ : ଆରୋଗ୍ୟ ନିଶ୍ଚିତ

କୁଷ୍ଠରୋଗ ମାଇକୋବ୍ୟାକ୍ଟେରିଅଲେପ୍ରା ଜୀବାଣୁ ଦ୍ୱାରା ହୁଏ ଏବଂ ଏହାର ନିରାକରଣ ପାଇଁ ସମୟୋଚିତ ପଦକ୍ଷେପ ଆବଶ୍ୟକ । ପ୍ରଥମେ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରିବା ଆବଶ୍ୟକ, କାରଣ ଆରମ୍ଭରୁ ଚିକିତ୍ସା କରାଇଲେ ସଂକ୍ରମଣ ପ୍ରସାରଣ ରୋକାଯାଇ ପାରିବ ।

ପୁରାଣ ଠାରୁ ଆରମ୍ଭ କରି କିମ୍ବଦନ୍ତୀ, ପୁଣି ସାମାଜିକ ବାସନ୍ଦରୁ ଆରମ୍ଭ କରି ଆତ୍ମନିର୍ବାସନର ଏକାନ୍ତ ଗୁପ୍ତ ଜୀବନଧାରା ଦେଇ ଗତି କରି ଆସିଛି କୁଷ୍ଠରୋଗର ଅବବୋଧ । ଆଧୁନିକ ଚିକିତ୍ସା ବିଜ୍ଞାନର ଆଶୀର୍ବାଦରୁ କୁଷ୍ଠ ରୋଗ ଏବେ ଆଉ ଆତଙ୍କ ପ୍ରଦାନକାରୀ ବ୍ୟାଧି ହୋଇ ରହିନାହିଁ । ବଡ଼ରୋଗର ଅପବାଦ ହୋଇ ରହିନାହିଁ । ପାପବୋଧ, ସାମାଜିକ ଘୃଣା, ବିଦ୍ୱେଷ ଓ ଅସ୍ପୃଶ୍ୟ ଭାବନା ସବୁ ଅଦ୍ୟାବଧି ବୃହତ ସାମାଜିକ ମାନସିକତାରୁ ସମ୍ପୂର୍ଣ୍ଣ ନିର୍ବାସିତ ହୋଇ ନ ଥିଲେ ମଧ୍ୟ ମାନବ ଜାତିକୁ ବର୍ଷ ବର୍ଷ ଧରି ହନ୍ତସନ୍ତ କରି ଆସିଥିବା ଏହି ରୋଗର ଯେ ପରାଭବ ଘଟିଛି, ତାହା ହିଁ ସତ୍ୟ । ଅଧିକନ୍ତୁ ନୂତନ ଭିନ୍ନକ୍ଷମ ଅଧିକାର ଅଧିନିୟମ, ୨୦୧୬ ଅନୁଯାୟୀ ୨୧ ପ୍ରକାରର ଭିନ୍ନକ୍ଷମତା ମଧ୍ୟରୁ ଲେପ୍ରୋସି କିୟୋର୍ଡ ପର୍ସନ, କୁଷ୍ଠ ଆରୋଗ୍ୟ ମଧ୍ୟ ଭିନ୍ନକ୍ଷମତାର ପରିସରଭୁକ୍ତ । କୁଷ୍ଠ ରୋଗର ଏହି ନିରନ୍ତର ବିବର୍ତ୍ତିତ ରୂପକୁ ନେଇ ଏକ ବିଶେଷ ଆଲେଖ୍ୟ “କୁଷ୍ଠର କଷ୍ଟ : ଆରୋଗ୍ୟ ନିଶ୍ଚିତ” ଏଠାରେ ଉପସ୍ଥାପିତ କରୁଛୁ ।

ପ୍ରସ୍ତୁତି ଓ ଉପସ୍ଥାପନା : ରବିନାରାୟଣ ଦାଶ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ

କୁଷ୍ଠ ରୋଗ :-

କୁଷ୍ଠ ରୋଗ ହେଉଛି ଏକ ସଂକ୍ରାମକ ରୋଗ । ମାଇକୋବ୍ୟାକ୍ଟେରିଅମଲେପ୍ରା ନାମକ ଜୀବାଣୁ ଦ୍ୱାରା ବ୍ୟାପୁଥିବା ଏକ ସାଧାରଣ ରୋଗ । ୧୮୭୩ ମସିହାରେ ଜି. ଏ. ହାମ୍‌ସେନ ନାମକ ଜଣେ ବୈଜ୍ଞାନିକ ଏହି ଜୀବାଣୁକୁ ଆବିଷ୍କାର କରିଥିଲେ । ସୁତରାଂ କୁଷ୍ଠ ରୋଗକୁ ଆମ ସମାଜରେ ଏକ ବିଶାଳ ରୋଗ ବୋଲାଯାଉଥିଲେ ହେଁ ଏହା ସେତେ ବଡ଼ ରୋଗ ନୁହେଁ । ସୃଷ୍ଟି ହୁଏନି କୌଣସି ଅଭିଶାପରୁ ବରଂ ଏହା ଏକ ବାୟୁବାହିତ ରୋଗ ଅଟେ ।

ବଡ଼ରୋଗର ଅପବାଦ :-

ଆକସ୍ମିକ ଭାବେ କେହି ଜଣେ ଅନ୍ୟ ଜଣକ ଉପରେ ଚିଡ଼ି ଉଠିଲେ, ଆପଣଛାଏଁ ତା’ ପାଟିରୁ ବାହାରିଯାଏ “ତୋତେ କୁଷ୍ଠ ହଉ” କିମ୍ବା “ତୋତେ ବଡ଼ରୋଗ ହଉ” । ସେହି ପ୍ରଚଣ୍ଡ ଅଭିଶାପକୁ ଶୁଣିଲା ମାତ୍ରେ ଅପର ପକ୍ଷର ଲୋକଟି ମଧ୍ୟ ବିଚଳିତ ହୋଇ ଉଠେ । ବଡ଼ରୋଗର ଅଭିଶାପ !

ହଁ, ଏଇ ବିଶ୍ୱାସ ଏବେ ମଧ୍ୟ ବଞ୍ଚିଛି ସମାଜର ଛାୟାଛବିରେ । ଏକବିଂଶ ଶତାବ୍ଦୀର ତୃତୀୟ ଦଶକରେ ମଧ୍ୟ କେତେକ ସ୍ଥାନରେ ଏହି ରୋଗକୁ ବଡ଼ ରୋଗର ଆଖ୍ୟା ଦେଇଥାଆନ୍ତି । ମନର କେଉଁ ନା କେଉଁ କୋଣରେ ତାଙ୍କର ଜମାଟ ବାନ୍ଧି ରହିଥାଏ କୁସଂସ୍କାରର ଦୁଷ୍ଟ ବୀଜାଣୁ । ହେଲେ ସେଇ ଭାବନାରେ ବଶୀଭୂତ ହୋଇ ମଣିଷ ଅଜ୍ଞାତରେ ନିଜର କ୍ଷତି କରିବା ସହିତ ସମାଜ, ରାଷ୍ଟ୍ର ଆଉ ସମଗ୍ର ବିଶ୍ୱର କ୍ଷତି କରିଥାଏ କହିଲେ ଠିକ୍ ହେବ ।

ପୁରାଣ ଓ କିମ୍ବଦନ୍ତୀରେ ସମର୍ଥନ :-

କେତେ ସତ କେତେ ମିଛ ଜଣା ନାହିଁ । ଲୋକ କଥାରେ କେଉଁ କାଳରୁ ରହି ଆସିଛି ଅନେକ କିମ୍ବଦନ୍ତୀ । ପୁରାଣଗୁଡିକର ପୃଷ୍ଠା ଲେଉଟାଇଲେ ଗୋଟି ଗୋଟି କରି ଅନେକ କାହାଣୀ ମୁଣ୍ଡ ଟେକନ୍ତି ।

ସେହି କାହାଣୀ ଭିତରୁ ଅନ୍ୟତମ କାହାଣୀଟି ହେଉଛି ଶାମ୍ବଙ୍କ କାହାଣୀ । କୃଷ୍ଣଙ୍କ ପୁତ୍ର ଶାମ୍ବଙ୍କ ଦ୍ୱାରା ଅପମାନିତ ହୋଇ ଦୁର୍ବାସା କ୍ରୋଧବଶତଃ ଅଭିଶାପ ଦେଇଥିଲେ କୁଷ୍ଠ ରୋଗ ହେବା ପାଇଁ । ସେହି ରୋଗରେ ପୀଡ଼ିତ ହୋଇଥିଲେ ମଧ୍ୟ । ସେଥିପାଇଁ ସେ ଦୀର୍ଘ ବାରବର୍ଷ ସୂର୍ଯ୍ୟ ଉପାସନା କରିଥିଲେ ଓ ଉପଶମ ପାଇଥିଲେ । ଜନଶ୍ରୁତିରେ କୁହାଯାଏ କୋଣାର୍କ ମନ୍ଦିରଠାରେ ସେ ପ୍ରତିଦିନ ସୂର୍ଯ୍ୟ ପୂଜା କରୁଥିଲେ ।

ସମାଜର ଅସହନଶୀଳ ମାନସିକତା : ତଥାପି ବଞ୍ଚିଛି କୁଷ୍ଠ :-

ଆଜିର ସମୟରେ ବିଶ୍ୱ ବହୁତ ଆଗକୁ ଗତି କରିଛି । ବିଜ୍ଞାନ ଉନ୍ନତି କରିଛି, ଚିକିତ୍ସାରେ ଅଗ୍ରଗତି ହୋଇଛି, ପୁରୁଣା ଅସାଧ୍ୟ ରୋଗଗୁଡ଼ିକୁ ମନୁଷ୍ୟ ଦୂର କରିପାରିଛି । କୁଷ୍ଠରୋଗ, ଯାହା ପୂର୍ବରୁ ଭୟ, ଅସ୍ପୃଶ୍ୟତା ଓ ଘୃଣାର ପ୍ରତୀକ ଥିଲା, ଆଜି ସାଧାରଣ ଔଷଧରେ ସୁସାଧ୍ୟ ହୋଇପାରୁଛି । କିନ୍ତୁ ଦୁଃଖର କଥା, ସମାଜର ମାନସିକ କୁଷ୍ଠ ଏବେବି ବଞ୍ଚିଆସିଛି । ଅସହନଶୀଳତା, ଅସହିଷ୍ଣୁତା, ହିଂସା ଆଦି ସମାଜର ସବୁଠାରୁ ବଡ଼ କୁଷ୍ଠରୋଗ । ଯାହା ମଣିଷର କେଉଁ ନା କେଉଁ କୋଣରେ ରହୁଛି ଆଜି ।

ଏହି ଅସହନଶୀଳ ମାନସିକତା ମନୁଷ୍ୟତାକୁ ନଷ୍ଟ କରୁଛି । ଆମେ ଯେତେବେଳେ ପାଖରେ ଥିବା ଏକ ଦୁର୍ବଳକୁ, ଏକ ଭିନ୍ନକ୍ଷମ କୁଷ୍ଠରୋଗୀଟିକୁ ଅବହେଳା କରୁଛୁ । ବଡ଼ ରୋଗ କହି ସମାଜରୁ ତଡ଼ି ଦେଉଛେ । ତାହା କ’ଣ ଭୁଲ ନୁହେଁ !

ତେଣୁ ସତ୍ୟ, ସ୍ୱାସ୍ଥ୍ୟ କେବଳ ଶରୀରରେ ନୁହେଁ, ମନରେ ମଧ୍ୟ ଆଣିବାକୁ ପଡ଼ିବ । ସହିଷ୍ଣୁତା, ପ୍ରେମ, କରୁଣା ଓ ସମ୍ମାନ ଆଦି ହେଉଛନ୍ତି ସେଇ ‘ଔଷଧ’, ଯାହା ସମାଜରୁ ଅସହନଶୀଳତାର କୁଷ୍ଠକୁ ସବୁଦିନ ପାଇଁ ଦୂର କରିପାରିବ ।

ରୋଗର ଲକ୍ଷଣ :-

କୌଣସି ମଣିଷଙ୍କୁ ଏହି ରୋଗ ହେଲେ ହଠାତ୍ ଜଣାପଡି ନ ଥାଏ । ପ୍ରାଥମିକ ସ୍ତରରେ ଆଦୌ ଲକ୍ଷଣ ରହି ନ ଥାଏ ମଧ୍ୟ । ଅଣଚିକିତ୍ସିତ ହେଲେ ଏହା ବୃଦ୍ଧି ପ୍ରାପ୍ତ ହୁଏ; ଚର୍ମ, ସ୍ନାୟୁ, ଅବୟବ ଓ ଚକ୍ଷୁମାନଙ୍କୁ ସ୍ଥାୟୀଭାବେ ନଷ୍ଟ କରିଦିଏ । ଏହି ରୋଗ ଯୋଗୁ ଦେହର ପ୍ରତିରୋଧ ଶକ୍ତି କମିଯାଏ । ଧୀରେ ଧୀରେ ଚର୍ମରେ ଇଷତ୍ ଧଳା ବା ତମ୍ବାଳିଆ ରଙ୍ଗର ଛଉ ବଢେ଼ । କାଳକ୍ରମେ ବଧିରା ହୋଇଯାଏ ସେହି ସ୍ଥାନଗୁଡିକ; ସେଥିରେ ସ୍ପର୍ଶଶକ୍ତି ନ ଥାଏ । ପାଦ, ହାତ ଆଉ ଆଖିର ସ୍ନାୟୁଗୁଡିକ ଆସ୍ତେ ଆସ୍ତେ ଦୁର୍ବଳ ହୋଇଯାଏ କିମ୍ବା ସମ୍ପୂର୍ଣ୍ଣ ପାରାଲିସିସ୍ ହୋଇଯାଏ । ଯାହା ଫଳରେ ଗୋଡ଼ କାଲୁଆ ହେଇଯାଏ, ଆଙ୍ଗୁଠି କାଲୁଆ ହେଇଯାଏ । ଆଖି ବନ୍ଦ କରି ହୁଏନି । କେତେକ କ୍ଷେତ୍ରରେ ଦେହରେ ଗୁଳିଗୁଳି ହୋଇ ବାହାରିପଡେ଼ । ଚର୍ମ ତେଲିଆ ଚିକ୍କଣିଆ ଦେଖାଯାଏ । ଗୋଡ଼ ହାତ ସରୁ ହେଇଯାଏ । ବଙ୍କା ହେଇଯାଏ । ବେଳେବେଳେ ଫଟୋକା ହେଇ ଯାଉଥାଏ ଅଥଚ ଶୁଖୁ ନ ଥାଏ । ଏହିପରି ଭାବରେ କୁଷ୍ଠରୋଗୀ କ୍ଷେତ୍ରରେ ଲକ୍ଷଣମାନ ଦେଖା ଯାଇଥାଏ ।

ରୋଗର କାରଣ :-

କୁଷ୍ଠ ରୋଗ ଏକ ଜୀବାଣୁବାହୀ ସଂକ୍ରାମକ ରୋଗ । ତେଣୁ ସମାଜର କେତେକଙ୍କ ମାନସିକତା ଅନୁଯାୟୀ ଏହା କୌଣସି ପ୍ରକାର ଅଭିଶାପ ଦ୍ୱାରା କେବେ ସୃଷ୍ଟି ହୋଇ ନ ଥାଏ । ବରଂ ଜଣେ କୁଷ୍ଠରୋଗୀ ସଂସ୍ପର୍ଶରେ ଅପର ସୁସ୍ଥ ବ୍ୟକ୍ତିଟି ଆସିଲେ, କୌଣସି ସୂତ୍ରରେ ସଂକ୍ରମିତ ହେବାର ସମ୍ଭାବନା ରହିଥାଏ । ଯେଉଁ ପରିବେଶରେ ରୋଗୀ ବସବାସ କରନ୍ତି ବା ଚଳାଚଳ କରନ୍ତି, ସେହି ସୀମିତ ପରିସରରେ ଘୂରି ବୁଲୁଥାନ୍ତି ମାଇକୋବ୍ୟାକ୍ଟେରିଅମଲେପ୍ରା ଜୀବାଣୁ । ସେହି ଘୂରି ବୁଲୁଥିବା ଜୀବାଣୁ ସାଧାରଣତଃ ନିଃଶ୍ୱାସ ପ୍ରଶ୍ୱାସ ନେବା ସମୟରେ ବା ଚର୍ମଦ୍ୱାରା ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ପ୍ରବେଶ କରେ । ପୁନଶ୍ଚ ଯେଉଁମାନଙ୍କ ଶରୀରରେ ପ୍ରଚୁର ପରିମାଣରେ ରୋଗପ୍ରତିରୋଧକ ଶକ୍ତି ଥାଏ, ସେମାନଙ୍କ ପାଖକୁ ଏହି ଜୀବାଣୁ କ୍ଷତି ପହଞ୍ଚାଇ ପାରେନାହିଁ । ମାତ୍ର ଯେ ଦୁର୍ବଳ, ତାକୁ ସହଜରେ ଆକ୍ରାନ୍ତ କରିଥାଏ ।

କେତେକ ଅନୁମାନ କରନ୍ତି, ଏହି ରୋଗ ବଂଶଗତ ରୋଗ । ଏହି ଧାରଣା ସମ୍ପୂର୍ଣ୍ଣ ଭାବରେ ଭୁଲ୍ । ଯଦିଓ ଗୋଟିଏ ପରିବାରରେ ଲଗାତାର ଭାବରେ ଜଣକ ପରେ ଜଣଙ୍କୁ ଏହି ରୋଗ ଆକ୍ରାନ୍ତ କରେ, କିନ୍ତୁ ଆକ୍ରାନ୍ତ କରିବାର କାରଣ ଉପରେ ନିର୍ଦ୍ଧିଷ୍ଟ କରାଯାଇଛି । ଲଗାତାର ଭାବରେ ରୋଗୀ ସଂସ୍ପର୍ଶରେ ଘର ଲୋକ ଆସିଥାଆନ୍ତି । ହୁଏତ ସେହି ପରିବାରର ସଦସ୍ୟମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କ୍ଷୀଣ ହୋଇ ଥାଇପାରେ, ଯାହା ଫଳରେ ଅତି ସହଜରେ ଗୃହରେ ଘୂରି ବୁଲୁଥିବା ଜୀବାଣୁ ତାଙ୍କ ଶରୀରକୁ ପ୍ରବେଶ କରେ ।

ସୁତରାଂ କୁଷ୍ଠ ରୋଗ ବ୍ୟାପିବାର ଅନ୍ୟ କାରଣ ମଧ୍ୟ ରହିଛି । ଯେପରିକି ଏହା ଆର୍ଦ୍ର ପରିବେଶ ଖୋଜିଥାଏ । ଶରୀରର ସେହିପରି ସ୍ଥାନ ଯଥା – ଆଖି, ହାତ, ଗୋଡ଼, କାଖସନ୍ଧି, ନାକ ଆଦିରେ ସହଜରେ ରହିପାରନ୍ତି । ପୁଣି ରୋଗୀର କାଶ, କଫ ଆଉ ଛିଙ୍କ ଦ୍ୱାରା ଏହା ସୁସ୍ଥ ଶରୀରକୁ ପ୍ରବେଶ କରେ ।

ଯଦି ରୋଗର ଲକ୍ଷଣକୁ ଚିହ୍ନଟ କରି ଯଥାଶୀଘ୍ର ଚିକିତ୍ସା କରାଯାଆନ୍ତା, ତ ଏହି ରୋଗ ଅଧିକ ବ୍ୟାପି ପାରନ୍ତା ନାହିଁ । ତେଣୁ ସଚେତନ ହେବା ନିତ୍ୟାନ୍ତ ଆବଶ୍ୟକ ।

କୁଷ୍ଠରୋଗର ସ୍ଥିତି :-

୧୯୮୨ ମସିହାରେ ବହୁ-ଔଷଧ ଚିକିତ୍ସା (ଏମ୍‌ଡିଟି) ପ୍ରଚଳିତ ହେବା ପରେ କୁଷ୍ଠରୋଗ ସମ୍ପୂର୍ଣ୍ଣ ସୁସ୍ଥ ହେବା ଯୋଗ୍ୟ ହୋଇଛି ଏବଂ ସାରା ପୃଥିବୀରେ ମାଗଣା ଚିକିତ୍ସା ଉପଲବ୍ଧ ହେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଅନୁସାରେ, ବହୁତ ଦେଶରେ କୁଷ୍ଠରୋଗକୁ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ଭାବେ ନିରାକରଣ କରାଯାଇଛି, ଅର୍ଥାତ୍ ୧୦, ୦୦୦ ଲୋକଙ୍କ ମଧ୍ୟରେ ରୋଗୀ ସଂଖ୍ୟା ୧ରୁ କମ୍ । କିନ୍ତୁ ଭାରତ, ବ୍ରାଜିଲ ଓ ଇଣ୍ଡୋନେସିଆ ଆଦି ରାଷ୍ଟ୍ରରେ ସାରା ପୃଥିବୀର ସର୍ବାଧିକ ନୂଆ କେସ୍ ରହିଛି । ଭାରତ ଏକାକୀ ପ୍ରତିବର୍ଷ ସାରା ପୃଥିବୀର ୫୦%ରୁ ଅଧିକ ନୂଆ କୁଷ୍ଠରୋଗ କେସ୍ ରିପୋର୍ଟ କରୁଛି । ଯଦିଓ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ (ଏନ୍ଏଲ୍ଇପି) ଆରମ୍ଭ ହେବା ପରେ ପ୍ରଚୁର ପ୍ରମାଣରେ ରୋଗୀ ସଂଖ୍ୟା କମିଛି । ବର୍ତ୍ତମାନ ସର୍ବାଧିକ କେସ୍ ଆରମ୍ଭରୁ ଚିହ୍ନଟ ହେଉଛି ଏବଂ ସଫଳଭାବେ ଚିକିତ୍ସା ହେଉଛି, ଯାହାରୁ ବିକଳାଙ୍ଗତା ଓ ବିକୃତି ରୋକାଯାଉଛି । ଡବ୍ଲୁଏଚ୍ଓ, ଏନଜିଓ ଓ ଜାତୀୟ କାର୍ଯ୍ୟକ୍ରମଗୁଡ଼ିକ ମିଶି “ଲେପ୍ରୋସି-ଫ୍ରୀ ୱାର୍ଲ୍ଡ” ବା (କୁଷ୍ଠମୁକ୍ତ ବିଶ୍ୱ) ଲକ୍ଷ୍ୟ ପ୍ରାପ୍ତି ପାଇଁ ପ୍ରୟାସରତ ।

ଅନ୍ଧବିଶ୍ୱାସ ଓ କଳଙ୍କର ଛାପ : ବିବର୍ତ୍ତିତ ଭାରତୀୟ ସାମାଜିକ ମାନସିକତାରେ କୁଷ୍ଠରୋଗ :-

କୁଷ୍ଠରୋଗ ପ୍ରାଚୀନ କାଳରୁ ଭାରତୀୟ ସମାଜରେ ଏକ କୁସଂସ୍କାରପୂର୍ଣ୍ଣ ଏବଂ ଅପବାଦୀୟ ରୋଗ ଭାବେ ଗଣାଯାଇଥିଲା । ପୁରାଣ, କିମ୍ବଦନ୍ତୀ ଓ ପୌରାଣିକ କାହାଣୀମାନଙ୍କର କୁଷ୍ଠକୁ ପାପର ଫଳ, ଅଭିଶାପ କିମ୍ବା ଦେବତାଙ୍କ କୋପର ପରିଣାମ ଭାବେ ବ୍ୟାଖ୍ୟା କରିଥିଲେ । ଏହି କାରଣରୁ କୁଷ୍ଠରୋଗୀମାନେ ସମାଜରୁ ବିଚ୍ଛିନ୍ନ, ଅବହେଳିତ ଓ ଅସ୍ପୃଶ୍ୟ ଭାବେ ବ୍ୟବହାରିତ ହୋଇଥିଲେ ।

ଭାରତୀୟ ସମାଜରେ ଦୀର୍ଘ ସମୟ ପର୍ଯ୍ୟନ୍ତ କୁଷ୍ଠରୋଗୀଙ୍କୁ ଅପବିତ୍ର, ଅଶୁଚି ଏବଂ ଅଶୁଭ ମନାଯାଇଥିଲା । ସେମାନଙ୍କୁ ସାଧାରଣ ସାମାଜିକ, ଧାର୍ମିକ ଓ ପାରିବାରିକ କାର୍ଯ୍ୟରୁ ଦୂରେଇ ରଖାଯାଇଥିଲା । ଏହି ଭୟ, ଅଜ୍ଞାନ ଓ ଅସହନଶୀଳତା କୁଷ୍ଠରୋଗୀଙ୍କୁ ମାନସିକ ଯନ୍ତ୍ରଣା ଓ ସାମାଜିକ ବିଚ୍ଛିନ୍ନତାରେ ଠେଲିଦେଇଥିଲା ।

କିନ୍ତୁ ବର୍ତ୍ତମାନ ବିଜ୍ଞାନ, ଚିକିତ୍ସା ପ୍ରଗତି ଓ ସରକାରୀ କାର୍ଯ୍ୟକ୍ରମ ଦ୍ୱାରା ଏହି ମନୋଭାବକୁ ଦୂର କରାଯାଉଛି । ଶିକ୍ଷା, ସଚେତନତା ଓ ସାମାଜିକ ସମାବେଶୀକରଣ ଦ୍ୱାରା ଲୋକଙ୍କ ମଧ୍ୟରେ “କୁଷ୍ଠ ହେଉଛି ଚିକିତ୍ସାଯୋଗ୍ୟ ରୋଗ, ପାପର ଫଳ ନୁହେଁ” ବୋଧ ଜାଗୃତ ହୋଇଛି ।

ରୋଗର ନିରାକରଣ :-

କୁଷ୍ଠରୋଗ ମାଇକୋବ୍ୟାକ୍ଟେରିଅଲେପ୍ରା ଜୀବାଣୁ ଦ୍ୱାରା ହୁଏ ଏବଂ ଏହାର ନିରାକରଣ ପାଇଁ ସମୟୋଚିତ ପଦକ୍ଷେପ ଆବଶ୍ୟକ । ପ୍ରଥମେ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରିବା ଆବଶ୍ୟକ, କାରଣ ଆରମ୍ଭରୁ ଚିକିତ୍ସା କରାଇଲେ ସଂକ୍ରମଣ ପ୍ରସାରଣ ରୋକାଯାଇ ପାରିବ । ଡବ୍ଲୁଏଚ୍ଓ ପକ୍ଷରୁ ମାଗଣା ଦିଆଯାଉଥିବା ବହୁ-ଔଷଧ ଚିକିତ୍ସା (ଏମ୍‌ଡିଟି) ଦ୍ୱାରା ଏହି ରୋଗ ସଫଳ ଭାବେ ସୁସ୍ଥ ହୁଏ । ଏପରିକି ରୋଗୀଟିଏ ଯଦି ଗୋଟିଏ ଏମ୍‌ଡିଟି ଖାଏ, ତେବେ ତା’ ଶରୀରରୁ ୯୯.୯% ଜୀବାଣୁ ନଷ୍ଟ ହୋଇଯାଆନ୍ତି । ତେଣୁ ରୋଗୀଙ୍କୁ ପୂର୍ଣ୍ଣ କୋର୍ସ ସମାପ୍ତ କରାଇବା ବହୁତ ଆବଶ୍ୟକ । କାରଣ ଏଯାବତ୍ ଏହି ରୋଗର କୌଣସି ଭାକ୍ସିନ୍ ସୃଷ୍ଟି ହେଇନାହିଁ । ରୋଗୀଙ୍କ ପରିବାର ସଦସ୍ୟ ଓ ସଂସ୍ପର୍ଶୀୟଙ୍କୁ ସମୟ ସମୟରେ ପରୀକ୍ଷା କରିବା ଉଚିତ୍ । ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା, କୁସଂସ୍କାର ଦୂର କରିବା ଏବଂ ସାମାଜିକ ସମର୍ଥନ ଦେଇ ରୋଗୀଙ୍କୁ ସାଧାରଣ ଜୀବନରେ ଅଂଶଗ୍ରହଣ କରାଇବା ଜରୁରୀ । ସ୍ୱଚ୍ଛତା, ପୌଷ୍ଟିକ ଖାଦ୍ୟ ଓ ଦୁର୍ବଳ ପ୍ରତିରୋଧକ କ୍ଷମତାରୁ ସୁରକ୍ଷା ମଧ୍ୟ ବଡ଼ ଭୂମିକା ନିଭାଏ । ସରକାରୀ ଏନ୍ଏଲ୍ଇପି ଅଧୀନରେ ସର୍ଭେ, ଶିକ୍ଷା, ଚିକିତ୍ସା ଓ ପୁନର୍ବାସନ କାର୍ଯ୍ୟକ୍ରମ ଚାଲିଥିବାରୁ ଆଜି ଏହି ରୋଗକୁ ନିୟନ୍ତ୍ରଣ କରିବାରେ ସଫଳତା ମିଳୁଛି ।

Share the post

Leave a Reply

Your email address will not be published. Required fields are marked *

କର୍ପୋରେଟ୍ ସେକ୍ଟରରେ ଦିବ୍ୟାଙ୍ଗଙ୍କ ପ୍ରତିନିଧିତ୍ୱ ଅତ୍ୟନ୍ତ ନୈରାଶ୍ୟଜନକ

କମ୍ପାନୀମାନଙ୍କର ବାସ୍ତବ ଚିତ୍ର ଆକଳନ କଲେ ଜଣାପଡ଼େ ଯେ, ୧୮୪ଟି ସଂଗଠନ ପିଡବ୍ଲୁଡ଼ିଙ୍କ ଅଂଶଗ୍ରହଣ ବଢ଼ାଇଥିବା ବେଳେ ୨୪୭ଟି ସଂଗଠନରେ ନିଯୁକ୍ତି କମିଛି ଏବଂ ୨୧୨ଟି କମ୍ପାନୀରେ ଗତ ଦୁଇ ବର୍ଷ ଧରି ଜଣେ...

ଭିନ୍ନକ୍ଷମତା ଆଧାରରେ ହୋଇପାରୁନି ପଦବୀ ବର୍ଗୀକରଣ: ଅନିଶ୍ଚିତତାରେ ନିଯୁକ୍ତି ଓ ପଦୋନ୍ନତି

କେବଳ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ଓଡ଼ିଶାର ଲକ୍ଷାଧିକ ଭିନ୍ନକ୍ଷମ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଅଦାଲତଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରାଯାଉନାହିଁ । ଏହା ବିରୋଧରେ ଆମେ ଏକ୍‌ଜୁଟ ହୋଇ ରାସ୍ତାକୁ...

ୟୁପି ସରକାରଙ୍କ କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନାରେ ଭିନ୍ନକ୍ଷମତା ପାଇଁ ୫ ଲକ୍ଷ

ଯୋଜନା ସମ୍ପୂର୍ଣ୍ଣ ଅନଲାଇନ୍ ହେବା ପରେ କୃଷକମାନଙ୍କୁ ଆଉ ବାରମ୍ବାର ତହସିଲ୍ କିମ୍ବା ଜିଲ୍ଲା କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ, ଯାହାଫଳରେ ଦୁର୍ନୀତିର ସମ୍ଭାବନା ହ୍ରାସ ପାଇବ । ଏହି ପୋର୍ଟାଲ୍ ମାଧ୍ୟମରେ ଆବେଦନ...

ଦିବ୍ୟାଙ୍ଗଜନ ବଜେଟ୍ ବିକୃତ ନ ହେଉ

ଏହାକୁ ଦୃଷ୍ଟିରେ ରଖି ଆଗାମୀ ବଜେଟ୍ ରେ ଏଥିପାଇଁ ଯଥେଷ୍ଟ ଅଧିକ ପ୍ରାବଧାନ ରଖିବା ସହ ଏହାର ସମୟାନୁଯାୟୀ ଓ ସାର୍ଥକ ବିନିଯୋଗ ଉପରେ ସରକାର ପ୍ରାଧାନ୍ୟ ଦେବା ଉଚିତ୍ । ଦିବ୍ୟାଂଗଜନ ବଜେଟ୍‌କୁ...

କେନ୍ଦ୍ରୀୟ ବଜେଟ୍‌ରେ ଦିବ୍ୟାଙ୍ଗ ଭାଗ : କମ୍ ତରଙ୍ଗ ବେଶୀ ନିସ୍ତରଙ୍ଗ

ମୋଟ୍ ଉପରେ ଦେଖିବାକୁ ଗଲେ ଚଳିତ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ର ଦିବ୍ୟାଙ୍ଗ ବର୍ଗଙ୍କ ପ୍ରତି ପ୍ରଭାବ ମୁଖ୍ୟତଃ ପରୋକ୍ଷ । ଦିବ୍ୟାଙ୍ଗମାନଙ୍କ ପାଇଁ ଜରୁରୀ ରହିଥିବା ଆହ୍ୱାନପ୍ରଦ କ୍ଷେତ୍ରଗୁଡ଼ିକରେ ସୁନିର୍ଦ୍ଧିଷ୍ଟ ହସ୍ତକ୍ଷେପ ପରି ଯୋଜନାର...