ଦିବ୍ୟାଙ୍ଗ ୟୁଟ୍ୟୁବର୍ ଜୁଲି କର

ଭଗବାନ କାହାକୁ ସମ୍ପୂର୍ଣ୍ଣ କରି ଗଢ଼ି ନାହାନ୍ତି । ଶ୍ରୀଜଗନ୍ନାଥଙ୍କର ତ ହାତ, ଗୋଡ଼ ନ ଥାଇ ସେ ବିଶ୍ୱନିୟନ୍ତା, ସେ ହିଁ ଆମର ଶ୍ରେଷ୍ଠ ପଥପ୍ରଦର୍ଶକ । ଏଣୁ ଦିବ୍ୟାଙ୍ଗଙ୍କୁ ହୀନ ଦୃଷ୍ଟିରେ ନ ଦେଖି ତାଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନନ୍ତୁ ।

ନିକଟରେ ରାଉରକେଲାର ଏହି ଦିବ୍ୟାଙ୍ଗ ୟୁଟ୍ୟୁବର୍ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ର ପାଲଟି ଯାଇଥିଲେ ।

ଚଳିତବର୍ଷର ପ୍ରସିଦ୍ଧ ଘୋଷଯାତ୍ରାରେ ବଡଦାଣ୍ଡରେ ଦେବଦାସୀ ପାଲଟି ନିଜର ନୃତ୍ୟ ବଡ଼ ଠାକୁରଙ୍କ ଉଦ୍ଦେଶ୍ୟରେ ନିଜର ଅଭିଶ୍ରାନ୍ତ ନୃତ୍ୟ ସମର୍ପିତ କରି ଆଲୋଚନାର କେନ୍ଦ୍ର ପାଲଟିଥିଲେ ।

“ନାଚୁଥିବିରେ କାଳିଆ ବଡ଼ଦାଣ୍ଡେ ଦେବଦାସୀ ମୁଁ ହୋଇ ।” ଆଡ଼ପ ମଣ୍ଡପରୁ ନାକଚଣା ଦ୍ୱାର ଦେଇ ପହଣ୍ଡି ବିଜେ ହୋଇ ବଡ଼ଠାକୁର ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ କାଳିଆ ସାଆନ୍ତେ ଯେତେବେଳେ ରଥାରୂଢ଼ ହେଉଥାନ୍ତି ସେହି ସମୟରେ ଦୁଇ ଗୋଡ଼ ନ ଥିବା ଜଣେ ଦିବ୍ୟାଙ୍ଗ ଯୁବତୀ ରଥ ସମ୍ମୁଖରେ ଅବିରତ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଦୁଇ ଗୋଡ଼ ନ ଥାଇ ସେ ଯେଭଳି ମନଲୋଭା ନୃତ୍ୟ ପରିବେଷଣ କରୁଥିଲେ, ତାହା ଅନେକଙ୍କୁ ବିମୋହିତ କରିଥିଲା । ସ୍ଥାନୀୟ ଫର୍ଟିଲାଇଜର ଅଞ୍ଚଳର ଜୁଲି କର (୨୭) ନିଜର ନୃତ୍ୟ ମାଧ୍ୟମରେ ହଜାର ହଜାର ଲୋକଙ୍କ ପ୍ରଶଂସା ସାଉଁଟିବାରେ ସକ୍ଷମ ହୋଇଛନ୍ତି । ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ୱେ ଜୁଲିଙ୍କ ପ୍ରତିଭା ଓ ଉଦ୍ୟମ ସମଗ୍ର ନାରୀ ଜାତି ପ୍ରତି ଉଦାହରଣ ହୋଇଛି ।

ଜଣେ ଦିବ୍ୟାଙ୍ଗ ୟୁଟ୍ୟୁବର୍ ଭାବେ ସାମାଜିକ ଗଣମାଧ୍ୟମରେ ତାଙ୍କର ଲକ୍ଷାଧିକ ଅନୁଗାମୀ । ଇନଷ୍ଟାଗ୍ରାମରେ ଲଲକ୍ଷେ ୬୯ ହଜାର ଅନୁଗାମୀ ଥିବାବେଳେ ଫେସବୁକ୍‌ରେ ୩ ଲକ୍ଷରୁ ଉର୍ଦ୍ଧ ଓ ୟୁଟ୍ୟୁବ୍‌ରେ ୧.୩ ମିଲିୟନ ଅନୁଗାମୀ ରହିଛନ୍ତି । ତେବେ ତାଙ୍କ ସଫଳତାର ଯାତ୍ରା ସହଜ ନଥିଲା । ସେ ୭୦ ପ୍ରତିଶତ ଦିବ୍ୟାଙ୍ଗ । ଜନ୍ମବସ୍ଥାରୁ ହିଁ ଦୁଇ ଗୋଡ଼ ହରାଇଛନ୍ତି । ପିଲାବେଳୁ ବାପାମା’ଙ୍କୁ ହରାଇ ଅଜା, ଆଈଙ୍କ ପାଖରେ ବଢ଼ିଛନ୍ତି । ବାପା, ମା’ ବିନା ବଞ୍ଚିବା କେତେ ଯେ କଷ୍ଟକର ତାହା ସେ ବୁଝିଛନ୍ତି । ରାଉରକେଲା ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଜୁଲି । ୨୦୧୭ରେ ସେ ନୃତ୍ୟ ଜଗତରେ ପାଦ ଥାପିଥିଲେ । ବିଭିନ୍ନ ରିଏଲିଟି ସୋ’ରେ ସେ ନିଜର ଦକ୍ଷତା ଦେଖାଇ ପ୍ରଶଂସିତ ଓ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଏପରିକି ୨୦୧୯ରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଦିବ୍ୟଶକ୍ତି ସାଂସ୍କୃତିକ କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଭାବେ ପୁରସ୍କୃତ ହୋଇଛନ୍ତି । ଆଗ୍ରା, ରାଜସ୍ଥାନ, କଲିକତା ଭଳି ରାଜ୍ୟରେ ସେ ନୃତ୍ୟ ପରିବେଷଣ କରି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି । ଓଲିଉଡ଼ ଜଗତରେ ମଧ୍ୟ ତାଙ୍କର ପ୍ରବେଶ ରହିଛି ।

ସବ୍ୟସାଚୀଙ୍କ ଅଭିନୀତ ମାଲ ମହୁ ଜୀବନ ମାଟିରେ ସେ ଏକ ଚରିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ସମାଜରେ ଦିବ୍ୟାଙ୍ଗଙ୍କୁ ଉଚିତ୍ ସମ୍ମାନ ମିଳୁ ନ ଥିବାବେଳେ ଅନେକ ଆଜି ମଧ୍ୟ ହୀନ ଚକ୍ଷୁରେ ଦେଖୁଛନ୍ତି । ଭଗବାନ କାହାକୁ ସମ୍ପୂର୍ଣ୍ଣ କରି ଗଢ଼ି ନାହାନ୍ତି । ଶ୍ରୀଜଗନ୍ନାଥଙ୍କର ତ ହାତ, ଗୋଡ଼ ନ ଥାଇ ସେ ବିଶ୍ୱନିୟନ୍ତା, ସେ ହିଁ ଆମର ଶ୍ରେଷ୍ଠ ପଥପ୍ରଦର୍ଶକ । ଏଣୁ ଦିବ୍ୟାଙ୍ଗଙ୍କୁ ହୀନ ଦୃଷ୍ଟିରେ ନ ଦେଖି ତାଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନନ୍ତୁ । ବାପା, ମା’ ହିଁ ବୁଝିପାରିବେ ପିଲା ଭିତରେ କ’ଣ ପ୍ରତିଭା ରହିଛି । ଆମେ ଯେ ସ୍ୱତନ୍ତ୍ର ଏହି ଭାବନା ପ୍ରତ୍ୟେକଙ୍କ ମନରେ ରହିବା ଉଚିତ୍ ବୋଲି ସେ କହିଛନ୍ତି ।

Share the post

Leave a Reply

Your email address will not be published. Required fields are marked *

Year 2025: Odia Para-Athletes' Excellence

ବର୍ଷ ୨୦୨୫: ଓଡିଆ ପାରା-ଆଥଲେଟ୍‌ଙ୍କ କମାଲ୍

୨୦୨୫ ବର୍ଷ ଓଡିଶା ପାରାକ୍ରୀଡା ପାଇଁ ଏକ ଉତ୍କର୍ଷର ବର୍ଷ ବୋଲି କହି ହେବ । ଓଡିଶାର ପାରାକ୍ରୀଡାବତ୍ ମାନେ ସର୍ବଭାରତୀୟ ପ୍ରତିଯୋଗୀତାଠାରୁ ଆରମ୍ଭ କରି ବିଭିନ୍ନ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା ଅର୍ଜନ କରି...