୨୦୨୧ରେ ଯେତେ ସଂଖ୍ୟକ ପାର୍କିନସନ ରୋଗୀ ଥିଲେ ୨୦୫୦ ବେଳକୁ ତାହା ୧୧୨% ବୃଦ୍ଧି ପାଇବ ବୋଲି ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ସୁତରାଂ ପାର୍କିନସନ ରୋଗୀଙ୍କ ସଂଖ୍ୟା ବଢ଼ିବା ଫଳରେ ସେମାନଙ୍କୁ ଦେଖାଶୁଣା କରିବା କ୍ଷେତ୍ରରେ ପରିବାର ଓ ସମାଜ ଉପରେ ଚାପ ବୃଦ୍ଧି ପାଇବ ।
୨୦୫୦ ସୁଦ୍ଧା ଅଢ଼େଇ କୋଟି ଟପିବ ପାର୍କିନସନ ରୋଗୀଙ୍କ ସଂଖ୍ୟା
ବିଶ୍ଵରେ ପାର୍କିନସନ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ୨୦୫୦ ସୁଦ୍ଧା ସମଗ୍ର ବିଶ୍ଵରେ ପାର୍କିନସନ ରୋଗୀଙ୍କ ସଂଖ୍ୟା ଅଢ଼େଇ କୋଟି ଟପିବ ବୋଲି ଆକଳନ କରାଯାଉଛି। ୨୦୨୧ରେ ଯେତେ ସଂଖ୍ୟକ ପାର୍କିନସନ ରୋଗୀ ଥିଲେ ୨୦୫୦ ବେଳକୁ ତାହା ୧୧୨% ବୃଦ୍ଧି ପାଇବ ବୋଲି ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ସୁତରାଂ ପାର୍କିନସନ ରୋଗୀଙ୍କ ସଂଖ୍ୟା ବଢ଼ିବା ଫଳରେ ସେମାନଙ୍କୁ ଦେଖାଶୁଣା କରିବା କ୍ଷେତ୍ରରେ ପରିବାର ଓ ସମାଜ ଉପରେ ଚାପ ବୃଦ୍ଧି ପାଇବ ।
ଚୀନର କ୍ୟାପିଟାଲ ମେଡିକାଲ ବିଶ୍ଵବିଦ୍ୟାଳୟ ଏବଂ ଅନ୍ୟ କେତେକ ସଂସ୍ଥା ତରଫରୁ ପାର୍କିନସନକୁ ନେଇ ଗବେଷଣା କରାଯାଇ ଏହି ତଥ୍ୟ ପ୍ରକାଶ ପାଇଛି। ୧୯୫ଟି ଦେଶର ରୋଗୀଙ୍କ ସଂଖ୍ୟାକୁ ଆକଳନ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୨୦୫୦ ସୁଦ୍ଧା ପୂର୍ବ ଏସିଆରେ ସର୍ବାଧିକ ପାର୍କିନସନ ରୋଗୀ ଥିବା ଆଶଙ୍କା କରାଯାଉଛି । ପାର୍କିନସନରେ ରୋଗୀର ହାତଗୋଡ଼ ଥରିବା ସହ କଥାବାର୍ତ୍ତା, ସ୍ମରଣ ଶକ୍ତିରେ ବିଲକ୍ଷଣ ଦେଖିବାକୁ ମିଳେ । ୨୦୫୦ ସୁଦ୍ଧା ପୂର୍ବ ଏସିଆରେ ପାର୍କିନସନ ରୋଗୀଙ୍କ ସଂଖ୍ୟା ଏକ କୋଟି ଟପିବ ବୋଲି ଆକଳନ କରାଯାଇଥିବା ବେଳେ ଦକ୍ଷିଣ ଏସିଆରେ ଏହି ସଂଖ୍ୟା ୬୦ ଲକ୍ଷ ଟପିବ। ସେହିପରି ପଶ୍ଚିମ ଆଫ୍ରିକାରେ ପାର୍କିନସନ ରୋଗୀଙ୍କ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା ରହିଛି। ଏହି ରୋଗର ଉପଯୁକ୍ତ ଚିକିତ୍ସା ପାଇଁ ଅଧିକ ଗବେଷଣା ଆବଶ୍ୟକ ବୋଲି ରିପୋର୍ଟରେ ଦର୍ଶାଯାଇଛି ।













