ବରଫ ତରଳିବା ଆରମ୍ଭ କରିଛି…ଦିବ୍ୟାଙ୍ଗଙ୍କ ପ୍ରତି ଦୃଷ୍ଟି ବଦଳୁଛି

ଖୁବ୍ ଛୋଟ ବୟସରୁ ପୋଲିଓଗ୍ରସ୍ଥ ହୋଇ ଶାରୀରିକ ଭାବେ ଚଳନଶକ୍ତି ବାଧିତ ହୋଇଥିଲେ ସତ, କିନ୍ତୁ ନିଜର ଦୃଢ ମନୋବଳ ଓ ମେଧାଶକ୍ତିର ବିନିମୟରେ ଯେଉଁ ସଂଖ୍ୟାଧିକ ଗବେଷଣା ନିଃସୃତ ନିଦର୍ଶନ ସୃଷ୍ଟି କରି ଯାଇଛନ୍ତି, ତାହା ତାଙ୍କ ଅମଳିନ କୀର୍ତ୍ତିର ଏକ ଏକ ସ୍ଵାକ୍ଷର ଅଟେ ।

ନିକଟରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, କୋରାଫୁଟର ଭାରପ୍ରାପ୍ତ କୁଳପତି ଏବଂ ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସରଂକ୍ଷଣ ବିଭାଗର ଅଧ୍ୟକ୍ଷ ପଦରେ ଆସୀନ୍ନ ଥାଇ ଅବସର ଗ୍ରହଣ କରିଥିବା ବିଶିଷ୍ଟ ଜୀବ ଓ ପରିବେଶ ବିଜ୍ଞାନୀ ତଥା ଜୈବ ବିବିଧତା ବିଶେଷଜ୍ଞ ପ୍ରଫେସର ଡ଼.ଶରତ କୁମାର ପରିତା ନିଜେ ହିଁ ନିଜର ଉଦାହରଣ । ଦୀର୍ଘ ଚାରି ଦଶନ୍ଧିର ଅଧ୍ୟାପନା ଓ ତିନି ଦଶନ୍ଧି କାଳ ଜଣେ ପ୍ରତିବଦ୍ଧ ଅଧ୍ୟାପକ ଓ ବିଷୟନିଷ୍ଠ ଗବେଷକ ଭାବେ ବିରଳ ସୁନାମ ଅର୍ଜନ କରିଛନ୍ତି । ଖୁବ୍ ଛୋଟ ବୟସରୁ ପୋଲିଓଗ୍ରସ୍ଥ ହୋଇ ଶାରୀରିକ ଭାବେ ଚଳନଶକ୍ତି ବାଧିତ ହୋଇଥିଲେ ସତ, କିନ୍ତୁ ନିଜର ଦୃଢ ମନୋବଳ ଓ ମେଧାଶକ୍ତିର ବିନିମୟରେ ଯେଉଁ ସଂଖ୍ୟାଧିକ ଗବେଷଣା ନିଃସୃତ ନିଦର୍ଶନ ସୃଷ୍ଟି କରି ଯାଇଛନ୍ତି, ତାହା ତାଙ୍କ ଅମଳିନ କୀର୍ତ୍ତିର ଏକ ଏକ ସ୍ଵାକ୍ଷର ଅଟେ । ଜଣେ ମନନଶୀଳ ଓ ସ୍ୱାଧୀନଚେତା ଅଧ୍ୟାପକ ଭାବେ ଶ୍ରେଣୀକକ୍ଷରେ ଛାତ୍ରଛାତ୍ରୀଙ୍କ ମଗଜରେ ଯେପରି ନିଜର ଅଦୃଶ୍ୟ ଛାପ ଛାଡ଼ି ଯାଇଛନ୍ତି । ସେହିପରି ଉଚ୍ଚତ୍ତର ଶିକ୍ଷାନୁଷ୍ଠାନର ପରିଚାଳକ ଦାୟିତ୍ୱରେ ରହି ଦକ୍ଷତାର ଏକ ନଜିର ସୃଷ୍ଟି କରିଛନ୍ତି । ଏହି ସଫଳ ବ୍ୟକ୍ତିତ୍ବଙ୍କ ସହ “ପୁନର୍ବାସ ସମାଚାର” ଏଠାରେ ଉପସ୍ଥାପନ କରୁଛି ତାଙ୍କ ସହ ଏକ ବିଶେଷ ସାକ୍ଷାତକାରରେ ।

ପ୍ରଫେସର ଡ଼.ଶରତ କୁମାର ପଳିତା

ପ୍ରାକ୍ତନ କୁଳପତି (ଭାରପ୍ରାପ୍ତ), କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ, ଓଡିଶା

ପ୍ରଶ୍ନ – ଏକା ଧାରାରେ ଜଣେ ପ୍ରାଣୀବିଜ୍ଞାନ ବିଭାଗର ପ୍ରଫେସର, ଗବେଷକ, ପରିବେଶ ଓ ପ୍ରାକୃତିକ ସମ୍ପଦ ସରଂକ୍ଷଣ ବିଶେଷଜ୍ଞ, ବଳିଷ୍ଠ ଲେଖକ ଏବଂ ପ୍ରଭାବଶାଳୀ ବକ୍ତା ଭାବେ ଆପଣଙ୍କ ସୁନାମ ରହିଅଛି। ଏହି ସବୁ ପରିଚୟ ମଧ୍ୟରୁ କେଉଁଟିରେ ଆପଣ ନିଜକୁ ଅଧିକ ଆତ୍ମସନ୍ତୋଷପୂର୍ଣ୍ଣ ମନେକରନ୍ତି ?

ଉତ୍ତର- ଏହି ସବୁ ପରିଚୟ ମଧ୍ୟରୁ ଜଣେ ଶିକ୍ଷକ/ଅଧ୍ୟାପକ ଭାବେ ମୁଁ ଅଧିକ ଆତ୍ମସନ୍ତୋଷ ପାଇଛି । ମୋତେ ଲାଗେ ଜଣେ ଅଧ୍ୟାପକ ବା ଶିକ୍ଷକର ଅନେକ ସ୍ଵାଧୀନତା ଥାଏ । ଶେଣୀଗୃହର ଚାରିକାନ୍ଥ ଭିତରେ ହେଉ ବା ବାହାରେ ହେଉ ସେ ନିଜର ଉଚ୍ଚତ୍ତର ଶିକ୍ଷଣ ତଥା ବଳିଷ୍ଠ/ଆକର୍ଷଣୀୟ ବ୍ୟକ୍ତିତ୍ଵ ମାଧ୍ୟମରେ ଛାତ୍ର-ଛାତ୍ରୀ ମାନଙ୍କ ଉପରେ ଗଭୀର ଛାପ ଛାଡିଯିବାରେ ସଫଳ ହୋଇଥାଏ । ପାଠ୍ୟ ଖସଡାର ପରିସୀମାର ଉର୍ଦ୍ଧକୁ ଯାଇ ତାର ସାମଗ୍ରିକ ବିକାଶ ପାଇଁ ଦୃଷ୍ଟାନ୍ତ ତିଆରି କରିବାକୁ ପଡିଥାଏ । ଶିକ୍ଷକ ଭୂମିକାରେ ଥରେ ସଫଳ ହୋଇଗଲେ ଅନେକ କଥା ସହଜ ହୋଇଯାଏ । ମୋର ଛାତ୍ର-ଛାତ୍ରୀ ମାନଙ୍କର ଭଲ ପାଇବା ମୋର ସବୁଠୁ ବଡ ପୁଞ୍ଜି । ୪୧ ବର୍ଷର ଅଧ୍ୟାପକ ଜୀବନ ସେହି ଦୃଷ୍ଟିରୁ ମୋତେ ଅଧିକ ଆତ୍ମସନ୍ତୋଷ ଦେଇଛି । ଏହା ମୋର ଅନ୍ୟ ପରିଚୟ ମାନଙ୍କୁ ପ୍ରଭାବିତ କରିଛି ବୋଲି ମୋର ମନେହୁଏ । ଏହାପରେ ଦ୍ୱିତୀୟରେ ଆସିବ ମୋର ପରିବେଶ ଓ ଜୈବ-ବିବିଧତା ସମ୍ପର୍କିତ ଗବେଷଣା, ଯାହା ଏବେବି ଜାରି ରହିଛି ।

ପ୍ରଶ୍ନ – ଆପଣ ଦୀର୍ଘ ଚାରିଦଶନ୍ଧିରୁ ଊର୍ଦ୍ଧ୍ଵକାଳ ଧ୍ୟାପନା ଓ ତିନିଦଶନ୍ଧିରୁ ଊର୍ଦ୍ଧ୍ଵକାଳ ଗବେଷଣାରେ ସଂପୃକ୍ତ ରହି ପ୍ରାଣୀବିଜ୍ଞାନ ଓ ପରିବେଶ ସମ୍ପର୍କିତ ବିବିଧ ବିଷୟରେ ଗଭୀର ଅଧ୍ୟୟନ ସହିତ ବ୍ୟାପକ ଅଭିଜ୍ଞତା ଅର୍ଜ୍ଜନ କରିଛନ୍ତି। ଓଡ଼ିଶାର ଜୈବ ବିବିଧତା ଓ ପ୍ରାକୃତିକ ବିଭବର ସ୍ଥିତି ଓ ସମ୍ଭାବନାକୁ କିପରି ଦେଖନ୍ତି ?

ଉତ୍ତର- ଭାରତର ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ, ଓଡିଶା ଜୈବ-ବିବିଧତା ଓ ପ୍ରାକୃତିକ ସମ୍ପଦ ଦୃଷ୍ଟିରୁ ଏକ ବିଭବଶାଳୀ ରାଜ୍ୟ । ଆମ ରାଜ୍ୟ ଓଡିଶାରେ ରହିଛି ସୁଦୀର୍ଘ ସମୁଦ୍ର ଉପକୂଳ, ବିସ୍ତୃତ ପାହାଡିଆ ମାଳଭୂମି, ଉର୍ବର ନଦୀ ଉପତ୍ୟକା ଅଞ୍ଚଳ ଓ ସମୁଦ୍ର କୂଳବର୍ତୀ ବିସ୍ତୀର୍ଣ୍ଣ ସମତଳଭୂମି । ଭାରତରେ ପରିଦୃଷ୍ଟ ଷୋହଳଟି ପ୍ରକାର ଅରଣ୍ୟ ମଧ୍ୟରୁ ଆମ ଓଡିଶାରେ ପାଞ୍ଚପ୍ରକାର ଅରଣ୍ୟ ଦେଖା ଯାଇଥାଏ । ସେଥିମଧ୍ୟରୁ ମୁଖ୍ୟ ଚାରିଟି ହେଲା- ରାଜ୍ୟର ବ୍ୟାପକ ଅଞ୍ଚଳରେ ପରିଦୃଷ୍ଟ ଶୁଷ୍କ ଗ୍ରୀଷ୍ମମଣ୍ଡଳୀୟ ଅରଣ୍ୟ, ଅପେକ୍ଷାକୃତ କମ ଅଞ୍ଚଳରେ ପରିଦୃଷ୍ଟ ଆର୍ଦ୍ର ଗ୍ରୀଷ୍ମମଣ୍ଡଳୀୟ ଅରଣ୍ୟ, ଉତ୍ତରଭାଗରେ ଥିବା ଅର୍ଦ୍ଧ-ଚିରସବୁଜ ଅରଣ୍ୟ, ଓ ସମୁଦ୍ର ଉପକୂଳର ବିରଳ ଲୁଣା ଜଙ୍ଗଲ । ଓଡିଶାରେ ପରିଦୃଷ୍ଟ ବିବିଧ ପରିସଂସ୍ଥା ଯଥା: ଜଙ୍ଗଲ, ତୃଣଭୂମି, ଆର୍ଦ୍ରଭୂମି ଓ କୃଷିଭିତ୍ତିକ ପରିସଂସ୍ଥା ମାନେ ଅନନ୍ୟ ଉଦ୍ଭିଦ ଓ ଜୀବଜନ୍ତୁରେ ଭରପୁର |

ରାଜ୍ୟରେ ୫,୧୭୪ ରୁ ଅଧିକ ପ୍ରଜାତିର ଉଦ୍ଭିଦ ଏବଂ କବକ ଦେଖାଯାନ୍ତି |ଏଥିରେ ୨୮୦୦ ପ୍ରଜାତିର ଉଚ୍ଚ ଉଦ୍ଭିଦ, ୩୦୦ ପ୍ରଜାତିର ଘାସ ଏବଂ ୧୫୩ ପ୍ରଜାତିର ଅର୍କିଡ୍ ଅନ୍ତର୍ଭୁକ୍ତ। ଓଡିଶା ଉପକୂଳର ଭିତରକନିକା ଜାତୀୟ ଉଦ୍ୟାନରେ ୬୩ ପ୍ରଜାତିର ଲୁଣା ଜଙ୍ଗଲ ବୃକ୍ଷ ପରିଦୃଷ୍ଟ ହୋଇଥାନ୍ତି ଏବଂ ଏଠିକାର ଜୈବ-ବିବିଧତା ସୁନ୍ଦରବନ ଠାରୁ ଅଧିକ |

ଓଡିଶା ମଧ୍ୟ ଅନନ୍ୟ ପ୍ରାଣୀ ସମ୍ପଦରେ ଭରପୁର । ଏଠାରେ ୮୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ (ହାତୀ, ବାଘ, ଚିତାବାଘ, ଭାଲୁ ଏବଂ ହରିଣ) ଦୃଶ୍ୟମାନ ହୁଅନ୍ତି । ଓଡିଶାରେ ମୋଟ ୪୭୯ ପ୍ରଜାତିର ପକ୍ଷୀ ରେକର୍ଡ କରାଯାଇଛି । ଚିଲିକା ହ୍ରଦ, ଫ୍ଲେମିଙ୍ଗୋ ଏବଂ ପେଲିକାନ୍ ସମେତ ଦଶ ଲକ୍ଷରୁ ଅଧିକ ପ୍ରବାସୀ ପକ୍ଷୀଙ୍କ ପାଇଁ ଏକ ପ୍ରମୁଖ ଶୀତକାଳୀନ ସ୍ଥାନ। କେନ୍ଦ୍ରାପଡା ଜିଲ୍ଲାର ଭିତରକନିକାରେ ମଧ୍ୟ ୧୧୮ ପ୍ରଜାତିର ଲକ୍ଷାଧିକ ପ୍ରବାସୀ ପକ୍ଷୀଙ୍କର ଅନ୍ୟତମ ଆଶୟସ୍ତଳ । ଓଡିଶାରେ ୧୧୦ ପ୍ରଜାତିର ସରୀସୃପ ଓ ୧୯ ପ୍ରଜାତିର ଉଭୟଚର ପ୍ରାଣୀ ଅଦ୍ୟାବଧି ଆବିଷ୍କୃତ ହୋଇଛନ୍ତି । ସରୀସୃପ ମାନଙ୍କ ମଧ୍ୟରୁ ଭାରତରେ ଦେଖାଯାଉଥିବା ୩ଟି ପ୍ରଜାତିର କୁମ୍ଭୀର (ଘଡିଆଳ କୁମ୍ଭୀର, ବଉଳା କୁମ୍ଭୀର ଓ ମଗର କୁମ୍ଭୀର) ଓଡିଶାରେ ଦେଖାଯାଇଥାନ୍ତି । ଭିତରକନିକାର ଗହୀରମଥା ବେଳାଭୂମି ବିଲୁପ୍ତପ୍ରାୟ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ପାଇଁ ବିଶ୍ୱର ସର୍ବବୃହତ ଗଣ-ଅଣ୍ଡାଦାନସ୍ଥଳୀ (rookery) ଭାବରେ ପ୍ରସିଦ୍ଧ। ଚିଲିକା ହ୍ରଦ ଅବଲୁପ୍ତପ୍ରାୟ ଇରାୱାଡି ଡଲଫିନଙ୍କ ଆବାସସ୍ଥଳ। ଏଠାରେ ଯାହା କୁହାଗଲା ତାହା ଓଡିଶାର ବିଶାଳ ଜୈବ-ବିବିଧତାର ଏକ ସଂକ୍ଷିପ୍ତ ଦୃଷ୍ଟିପାତ ମାତ୍ର |

ସବୁଠୁ ଗୁରୁତ୍ୱପୂର୍ଣ କଥା ହେଲା ଓଡିଶା ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ନୂଆ ନୂଆ ପ୍ରାଣୀ, ଉଦ୍ଭିଧ ତଥା ଅଣୁଜିବ ମାନ ଅବିଷ୍କୃତ ହେଉଛନ୍ତି । ଓଡିଶାର ଅଭିଭକ୍ତ କୋରାପୁଟ ଜିଲ୍ଲା, କଳାହାଣ୍ଡି, କନ୍ଧମାଳ, ଫୁଲବାଣୀ, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାର ଅନେକ ଅଗମ୍ୟ ଅଞ୍ଚଳର ଜୈବ -ବିବିଧତାର ଅନୁସନ୍ଧାନ ଅଦ୍ୟାବଧି ହୋଇପାରିନାହି । ଏଥିନିମନ୍ତେ ଗବେଷଣା ଜାରି ରହିବା ନିତାନ୍ତ ଆବଶ୍ୟକ ।

ମୋର କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟଳୟରେ ବାର ବର୍ଷର ଅଧ୍ୟାପନା ସମୟରେ ଗବେଷକ ଛାତ୍ର-ଛାତ୍ରୀ ମାନଙ୍କ ମିଳିତ ଉଦ୍ୟମରେ ଗୋଟିଏ ନୂଆ ପ୍ରଜାତିର ମାଛ ଓ ତିନିଟି ନୂଆ ପ୍ରଜାତିର ଜିଆ ଅବିଷ୍କୃତ ହୋଇପାରିଛି । ଏତଦବ୍ୟତିତ କୋରାପୁଟରୁ ଜୈବ-ବିବିଧତା ଗବେଷଣା ଦ୍ୱାରା ପ୍ରଥମ କରି ୧୬ ପ୍ରଜାତିର ଚେମେଣିଆ, ୨୬୯ ପ୍ରଜାତିର ପକ୍ଷୀ, ୧୪୮ ପ୍ରଜାତିର ପ୍ରଜାପତି, ୮୨ ପ୍ରଜାତିର ମାଛ, ୧୮ ପ୍ରଜାତିର ଜିଆ ଓ ୨ ପ୍ରଜାତିର ମହାଶିର ମାଛ ରେକର୍ଡ କରାଯିବା ସହିତ ସେମାନଙ୍କ ପରିସଂସ୍ଥା ସମ୍ପର୍କୀୟ ଗବେଷଣା କରାଯାଇଛି । ଭିତରକନିକା ଜାତୀୟ ଉଦ୍ୟାନ ଓ ତତସଂଲଗ୍ନ ଲୁଣ ଜଙ୍ଗଲ ପରିସଂସ୍ଥାରେ ଗବେଷଣା ଦ୍ୱାରା ୬ ପ୍ରଜାତିର ମଡସ୍କିପର (ଡିଆଁ ଚେରୁଆଁ), ୧୪ ପ୍ରକାର ଉଭୟଚର ପ୍ରାଣୀ, କାଳିଭଞ୍ଜଡିଆ l ଲୁଣା ଜଙ୍ଗଲରୁ ୧୨ ପ୍ରଜାତିର ଲୁଣୀ କଙ୍କଡା ରେକର୍ଡ କରାଯାଇଛି ।

ମୋର ବିଶ୍ଵାସ ଆଗାମୀ ଦିନରେ ଜୈବ-ବିବିଧତା ସମ୍ପର୍କୀୟ ଗବେଷଣା ଜାରି ରହିବ ଓ ଅନେକ ଯୁବ-ବୈଜ୍ଞାନିକ ଏଥିରେ ଯୋଗ ଦେବେ ।

ପ୍ରଶ୍ନ – ଜଣେ ସଫଳ ଅଧ୍ୟାପକ ହେବା ସହିତ ଆପଣ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ, କୋରାପୁଟ, ଓଡ଼ିଶାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଅଧ୍ୟକ୍ଷ ରୂପେ ସ୍ଵକୀୟ ପାରଙ୍ଗମତା ପ୍ରଦର୍ଶନ କରିଛନ୍ତି । ଏହା ସଙ୍ଗେ ଏହି ବିଶ୍ୱ ବିଦ୍ୟାଳୟର କାର୍ଯ୍ୟକାରୀ କୁଳପତି ଭାବେ ମଧ୍ୟ ନିଜର ପରିଚାଳନାଗତ ଦକ୍ଷତା ପ୍ରଦର୍ଶନ କରିପାରିଛନ୍ତି। ଏ ସମସ୍ତ ଗୁରୁଦାଇତ୍ୱ ସମ୍ପାଦନାରେ ଆପଣଙ୍କ ଶାରୀରିକ ପ୍ରତିବନ୍ଧକତା ଅନ୍ତରାୟ ସୃଷ୍ଟି କରିଛି କି ?

ଉତ୍ତର- ଏସବୁ ଦାୟିତ୍ଵ ନିର୍ବାହ କଲାବେଳେ ମୋର ଶାରୀରିକ ପ୍ରତିବନ୍ଧକତା କୌଣସି ଅନ୍ତରାୟ ସୃଷ୍ଟି କରିପାରିନାହିଁ । ଏକଥା କହିଲା ବେଳେ ଗୋଟିଏ କଥା ସ୍ପଷ୍ଟ କରିବି, ଆପଣ ଯେତେବେଳେ କୌଣସି ପଦ ପଦବୀରେ ଅଧିଷ୍ଠିତ ହେବେ ସେତେବେଳେ ଶହ-ଶହ ଆଖି ଆପଣଙ୍କ ଉପରେ ଘୁରି ବୁଲିବ, ଆପଣ କେମିତି ଅନ୍ୟ ପ୍ରତି ବ୍ୟବହାର କରୁଛନ୍ତି, ଆପଣ ସେହି ପଦବୀ ପାଇଁ ଯୋଗ୍ୟ କି ନୁହେଁ, ପଦ ଅନୁଯାୟୀ କର୍ତବ୍ୟ ନିର୍ବାହ କରିବାର ନିଷ୍ଠା ଅଛିକି ନାହିଁ, ସେ ସବୁ ବିଷୟ ଖୁବ ଶୀଘ୍ର ଜଣାପଡିଯିବ । ଏହାମାନେ ନୁହେଁ ଯେ ସମସ୍ତ ଆପଣଙ୍କୁ ଭଲ ପାଇବେ, ମାତ୍ର ଅନେକ ସହଯୋଗର ହାତ ଆପଣଙ୍କ ଆଡକୁ ପ୍ରସାରିତ ହୋଇଯିବ । ମୋ କ୍ଷେତ୍ରରେ ସେଇଆ ହୋଇଛି । କର୍ତ୍ତବ୍ୟ ସମ୍ପାଦନ କରୁକରୁ ଶାରୀରିକ ଅକ୍ଷମତା ଦୂରେଇ ଯାଇଛି । ମୋର ଅନେକ ସମୟରେ ମନେ ହୁଏ, ଏହା ଅନେକ ଅଂଶରେ ମାନସିକ ମଧ୍ୟ ।

ପ୍ରଶ୍ନ- ଖୁବ୍ କ୍ଵଚିତ୍ ଦେଖାଯାଏ ଆପଣଙ୍କ ପରି ଶାରୀରିକ ଅବା ବୌଦ୍ଧିକ ଅକ୍ଷମତା ଥାଇ କୌଣସି ବ୍ୟକ୍ତି ବା କତିପୟ ବ୍ୟକ୍ତିବିଶେଷ ନିଜର ଉତକର୍ଷତା ପ୍ରତିପାଦିତ କରି ପାରିଛନ୍ତି । ଆପଣ ଏହି ଅବଧାରଣାକୁ କିପରି ଦୃଷ୍ଟିରେ ଗ୍ରହଣ କରିବେ ?

ଉତ୍ତର- ଶିଶୁଟିଏ ଜନ୍ମ ହେଲା ପରେ ତାର ଶାରୀରିକ ଓ ମାନସିକ ବିକାଶ ପାଇଁ ତାର ପରିବେଶର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ତାର ବାପା-ମା, ଭାଇ-ଭଉଣୀ, ପରିବାରର ଅନ୍ୟ ସଦସ୍ୟ ତଥା ସମ୍ପର୍କୀୟ ମାନଙ୍କ ଭଲ ପାଇବା, ସ୍ନେହପୂର୍ଣ୍ଣ ବ୍ୟବହାର, ତାକୁ ଭଲ ମଣିଷ କରି ଗଢି ତୋଳିବା ପାଇଁ ତଥା ଏକ ସୁନ୍ଦର ଭବିଷ୍ୟତ ଆଡକୁ ଆଗେଇନେବାରେ ସହାୟକ ହୋଇଥାଏ । ଏହା ସମସ୍ତ ଶିଶୁ ମାନଙ୍କ ପାଇ ପ୍ରଯୁଜ୍ୟ । ଆମେ ଅନେକ ସମୟରେ ଲକ୍ଷ କରୁଯେ ଶାରୀରିକ ତଥା ମାନସିକ ଅକ୍ଷମ ଶିଶୁଟିଏ ପାଇଁ ସମାନ ପ୍ରକାର ସହଯୋଗ ମିଳି ନ ଥାଏ । ତାକୁ ଦୟା କରାଯାଏ, ଛୋଟ ବା ନ୍ୟୁନ କରି ଦେଖାଯାଏ, ସେ ଅନ୍ୟ ସାଧାରଣ ଶିଶୁ ସହ ସମାନ ନୁହେଁ ବା ସମାନ ହୋଇ ପାରିବ ନାହିଁ , ଏହି ଭଳି ଚିନ୍ତା ତାର ମନ ଓ ମସ୍ତିସ୍କ ମଧ୍ୟରେ ଭାରି ଦିଆ ଯାଏ । ବୟସ ବଢିବା ସହ, ସେ ସମାଜର ଅପାଂକ୍ତେୟ, ଦୟାର ପାତ୍ର ବୋଲି ତାର ଧାରଣା ଦୃଢୀଭୂତ ହୋଇଯାଏ । ଉତ୍ତକର୍ଷତା ପ୍ରତିପାଦନ ଦୂରେଥାଉ ସେ କେବେ ଉତ୍କର୍ଷତାକୁ ଛୁଇଁ ପାରିବ ତାହା ଭାବି ପାରେନାହିଁ |

କିନ୍ତୁ ଏସବୁ ସତ୍ତ୍ୱେ କେତେକ କ୍ଷେତ୍ରରେ ମଧ୍ୟ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ଆମ ଆଗରେ ଅନେକ ଉଦାହରଣ ଅଛନ୍ତି, ଯେଉ ମାନେ ଶାରୀରିକ ଅକ୍ଷମତା ସତ୍ତ୍ୱେ ଉତୁଙ୍ଗ ଶିଖରକୁ ଛୁଇଞ୍ଚନ୍ତି । ସେସବୁ କ୍ଷେତ୍ରରେ ଦେଖାଯାଇଛି, ପରିବେଶ ବା କୌଣସି ଆତ୍ମୀୟଙ୍କ ସ୍ନେହ-ଭଲ ପାଇବା ଓ ପ୍ରେରଣା ସେମାନଙ୍କୁ ଆଗେଇ ଯିବାକୁ ସାହାଯ୍ୟ କରିଛି |

ମୋ କଥାକୁ ଆସିବା । ମୁଁ ଅଢେଇ ବର୍ଷ ହୋଇଥିବା ବେଳେ ପୋଲିଓ ରୋଗ ଦ୍ଵାରା ଆକ୍ରାନ୍ତ ହୋଇ ମୋର ଡାହାଣ ଗୋଡ ଛୋଟ ହୋଇଗଲା । ମୋ ବାପା ସେତେବେଳେ ଅନେକ ଚେଷ୍ଟା କରିଥିଲେ ମୋତେ ଭଲ କରିବାକୁ, ମାତ୍ର ୬୪ ବର୍ଷ ତଳେ ପୋଲିଓର କିଛି ଚିକିତ୍ସା ନଥିବାରୁ ତାହା ସମ୍ଭବ ହୋଇ ପରି ନଥିଲା । ମୁଁ ତୃତୀୟ ଶ୍ରେଣୀ ପଢିବା ପୂର୍ବରୁ ବାପା ମରିଗଲେ । ଆମ ପରିବାର ଏକାର୍ଣ୍ଣବର୍ତ୍ତୀ ପରିବାର ଥିଲା । ମୋର ମଝିଆଁ ବାପା, ସାନବାପା ଓ ଦାଦା ସ୍ନେହ-ମମତା ଦେବାରେ ସାମାନ୍ୟତମ ହେଳା କରିନଥିଲେ । ପାଠ ପଢିବା ପାଇଁ ଯାହା ଦରକାର ସବୁ କରିଥିଲେ । ଗାଁ ସ୍କୁଲରେ ପାଠ ପଢା ସାରିବାପରେ ଗାଁ ଠାରୁ ଦୂରରେ ଥିବା ସ୍କୁଲରେ ଚତୁର୍ଥ-ପଞ୍ଚମ ଶ୍ରେଣୀ ପାଇଁ ନାମ ଲେଖାଯାଇଥିଲେବି ଘରେ ଟ୍ୟୁସନ ଶିକ୍ଷକ ଦ୍ଵାରା ପାଠ ପଢାର ବ୍ୟବସ୍ଥା କର ଯାଇଥିଲା । ସ୍କୁଲ ପାଠ ପଢାରୁ ଆରମ୍ଭ କରି ପିଜି (M.Sc. Zoology) ପାସ କରିବା ପର୍ଯନ୍ତ ଦାଇତ୍ଵ ନେବାରେ ହେଲା କରିନଥିଲେ । ହୀନମନ୍ୟତା କେବେ ସ୍ପର୍ଶ କଲାଭଳି ମୋର ମାନେ ପଡୁନି
ମୋର ଶିକ୍ଷକ ମାନଙ୍କ ଭଲ ପାଇବା, ଓ ସ୍ନେହ ସ୍କୁଲ ଓ କଲେଜ ଜୀବନରେ ଅନେକ ସାହାଯ୍ୟ କରିଛି । ଏମିତି କିଛି କାମ ନାହିଁ ଯାହା ମୁଁ କରିପାରିବିନି, ସେଥିପାଇଁ ପ୍ରେରଣା ମୋ ପରିବେଶରୁ ମିଳିଛି ବୋଲି ମୁଁ କହିବି ।

ପ୍ରଶ୍ନ – ପୂର୍ବାପେକ୍ଷା ଦିବ୍ୟାଙ୍ଗମାନେ ଆଜି ସମାଜରେ ଅଣଦେଖା ହୋଇ ନ ରହି ନିଜର ସାମର୍ଥ ପ୍ରତିପାଦିତ କରି ପାରୁଛନ୍ତି । ଏହି ଅଗ୍ରଗତି ଦିବ୍ୟାଙ୍ଗଙ୍କ ପ୍ରତି ସମାଜର ପ୍ରଥାସିଦ୍ଧ ରୁଢ଼ିବାଦୀ ମନୋଭାବ ପରିବର୍ତ୍ତନ କରିବାରେ ସକ୍ଷମ ହୋଇଛି କି ?

ଉତ୍ତର- ମୋର ବିଶ୍ଵାସ ବରଫ ତରଳିବା ଆରମ୍ଭ ହୋଇଛି । ସମାଜ ଏକ ନୂତନ ଦୃଷ୍ଟିଭଙ୍ଗୀ ନେଇ ଦେଖିବାକୁ ଆରମ୍ଭ କରିଛି । ଆଜି ସଫଳତାର ଅନେକ ଉଦାହରଣ ଆମ ଆଗରେ । ପ୍ରଯୁକ୍ତିବିଦ୍ୟାର ବିକାଶ, ଶାରୀରିକ ଓ ମାନସିକ ଅନଗ୍ରସରତାକୁ ଦୂର କରିବା ପାଇଁ ଅନେକ ସାହାଯ୍ୟ କରୁଛି । ତଥାପି ଅନେକ ଅନେକ ରାସ୍ତା ଆଗେଇବାକୁ ପଡିବ ଏହି ଅନଗ୍ରସରତାକୁ ଦୂର କରିବା ପାଇଁ । ଶାରୀରିକ ଅକ୍ଷମତାକୁ ଦୂର କରାଯାଇପାରିବ, ମାତ୍ର ମାନସିକ ଅକ୍ଷମତାକୁ ଦୂର କରିବା ପାଇଁ ଆମ ସମସ୍ତଙ୍କୁ ହାତ ବଢାଇବାକୁ ପଡିବ, ଏକ ସୁନ୍ଦର ସକାଳ ପାଇଁ ……. ।

Share the post

Leave a Reply

Your email address will not be published. Required fields are marked *