ନୂତନ ଭିନ୍ନକ୍ଷମ ଆଇନ୍ ଓ ଆହ୍ୱାନ

ଏହି ନୂତନ ଆଇନ୍ ପ୍ରଣୟନର ଏକ ଦଶନ୍ଧି ସନ୍ନିକଟ ଯାତ୍ରାର ନିକଟବର୍ତ୍ତୀ ହୋଇ ମଧ୍ୟ ତାହାର ସୁଫଳ ଓ ପ୍ରଭାବର ଆଶାନୁରୂପକ ଲକ୍ଷ୍ୟଠାରୁ ତଥାପି ଆମେ ବହୁ ଦୂରରେ ।

New Disability Law and Call

ଭିନ୍ନକ୍ଷମମାନଙ୍କୁ ସମାଜର ଏକ ଅବିଭାଜ୍ୟ ଓ ସମ୍ମାନଜନକ ଅଂଶ ରୂପେ ବିବେଚନା କରିବା ଅଭିଲକ୍ଷ୍ୟରେ ମିଳିତ ଜାତିସଂଘ ୧୯୯୨ ମସିହାରୁ ୩ ଡିସେମ୍ବରକୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ରୂପେ ସ୍ୱୀକୃତି ପ୍ରଦାନ କରିଛି । ଏହି ତେତିଶ ବର୍ଷର ନିରବଧି ଯାତ୍ରା ଅନେକ ଐତିହାସିକ ଉପଲବ୍ଧିରେ ବଳିଷ୍ଠ ଓ ସମୃଦ୍ଧ । ଅନୁକମ୍ପା ଅଥବା ଦାନ ପରି ଦୟାର୍ଥବାଚକ ଶବ୍ଦରୁ ଅଧିକାର ଅବା ହକ୍ ପର୍ଯ୍ୟନ୍ତ ପ୍ରଳମ୍ବିତ ଏହି ସଂଘର୍ଷପୂର୍ଣ୍ଣ କାଳଖଣ୍ଡର ସୁଦୀର୍ଘ ଯାତ୍ରା ।

ଭାରତରେ ପ୍ରଥମ କରି ୧୯୯୫ ମସିହାରେ ଏକ ଭିନ୍ନକ୍ଷମ ଆଇନର ପ୍ରଣୟନ କରାଯାଇଥିଲା । ଏହି ଆଇନରେ ଅନ୍ୟ ନାଗରିକଙ୍କ ପରି ଭିନ୍ନକ୍ଷମମାନଙ୍କୁ ପ୍ରଥମ କରି ସମାଜରେ ସମାନ ସୁଯୋଗ, ଅଧିକାର ସୁରକ୍ଷା ଏବଂ ସମ୍ପୂର୍ଣ୍ଣ ଅଂଶଗ୍ରହଣ ସହିତ ସମାନତା ଓ ଆତ୍ମସମ୍ମାନପୂର୍ଣ୍ଣ ଜୀବନ ନିର୍ବାହ କରିବା ପାଇଁ ସୀମିତ ଭାବେ ନିୟମ ପ୍ରଣିତ ହୋଇଥିଲା । ଅନ୍ୟପକ୍ଷରେ, ଏହି ଆଇନରେ ଭିନ୍ନକ୍ଷମମାନଙ୍କ ଅଧିକାରକୁ ସୁନିଶ୍ଚିତ କରାଇବାର କୌଣସି ବଳିଷ୍ଠ ପଦକ୍ଷେପ ନିଆଯାଇ ନ ଥିଲା । ଯାହାଫଳରେ ବିଭିନ୍ନ ଭିନ୍ନକ୍ଷମ ସଂଗଠନ ଓ ସାମାଜିକ କର୍ମୀ ଏହାକୁ ବିରୋଧ କରିଥିଲେ । ସେମାନଙ୍କ ମତରେ ଏହି ଭିନ୍ନକ୍ଷମ ଆଇନ ପ୍ରଭାବଶାଳୀ ହୋଇ ନ ଥିବାରୁ ଏହାଦ୍ୱାରା ଭିନ୍ନକ୍ଷମମାନେ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପାଇବାରୁ ବଞ୍ଚିତ । ସେମାନଙ୍କୁ ଏହି ଅଧିକାର ଦେବାକୁ ହେଲେ ଏକ ଉତ୍ତରଦାୟୀ ବଳିଷ୍ଠ ଅଧିନିୟମର ଆବଶ୍ୟକତା ରହିଛି ।

ଯାହା ଦ୍ୱାରା ସମାଜର ଏହି ଅବହେଳିତ ବର୍ଗଙ୍କୁ ଏକ ଭେଦଭାବହୀନ ସମ୍ମାନଜନକ ଜୀବନ ନିର୍ବାହର ସୁଯୋଗ ମିଳିବା ସହିତ ଏକ ଯଥାର୍ଥ ସମାବେସୀ ସମାଜର ବାସ୍ତବାୟନ ସମ୍ଭବପର ହୋଇପାରିବ ।

୨୦୦୬ ମସିହା ଡିସେମ୍ବର ୧୩ ତାରିଖରେ ଅନୁଷ୍ଠିତ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଆଧାରିତ ପ୍ରସ୍ତାବମାନ ଗୃହୀତ ହୋଇଥିଲା । ଭାରତ ଉକ୍ତ ସମ୍ମିଳନୀର ଏକ ସ୍ୱାକ୍ଷରକାରୀ ଦେଶ ଭାବେ ସେହି ସବୁ ସୁପାରିଶଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ଆଗଭର ହୋଇଥିଲା । ସଂସଦର ଉଭୟ ଗୃହରେ ୨୦୧୬ ମସିହାରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ ବିଧେୟକକୁ ପାରିତ କରାଯାଇଥିଲା । ଯାହା ଏକ ସ୍ୱତନ୍ତ୍ର ଅଧିନିୟମ ରୂପେ ୨୦୧୬ ମସିହା ଡିସେମ୍ବର ୨୭ ତାରିଖ ଠାରୁ ମହାମହିମ ରାଷ୍ଟ୍ରପତିଙ୍କ ସ୍ୱୀକୃତିପ୍ରାପ୍ତ ହୋଇ ଆଇନରେ ପରିଣତ ହୋଇଅଛି ।

ଏହି ନୂତନ ଭିନ୍ନକ୍ଷମ ଆଇନ୍ରେ ୧୯୯୫ ମସିହାରେ ପ୍ରଦତ୍ତ ଆଇନଠାରୁ ଅଧିକ ବିସ୍ତୃତ ଭାବରେ ପ୍ରତ୍ୟେକ ଦିଗ ଯେପରି ଶିକ୍ଷା ଓ ଦକ୍ଷତା ବିକାଶ, କ୍ରୀଡ଼ା ଓ ମନୋରଞ୍ଜନ, ସାମାଜିକ ସୁରକ୍ଷା, ନିଯୁକ୍ତି, ସ୍ୱତନ୍ତ୍ର ନ୍ୟାୟାଳୟର ସୁବିଧା ଓ ଉନ୍ନତ ଯୋଜନା ତଥା ବିକାଶମୂଳକ କାର୍ଯ୍ୟକ୍ରମ ପ୍ରଭୃତି ବିବିଧ କ୍ଷେତ୍ରରେ ସୁନିଶ୍ଚିତ ଆରକ୍ଷଣର ବ୍ୟବସ୍ଥା କରାଯାଇ ବିଭିନ୍ନ ବର୍ଗ ପାଇଁ ସଂରକ୍ଷଣର ପ୍ରତିଶତକୁ ସୁନିର୍ଦ୍ଧିଷ୍ଟ କରାଯାଇଛି । ବିଶେଷକରି ଭିନ୍ନକ୍ଷମ ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ସ୍ୱତନ୍ତ୍ର ଆଇନଗତ ପଦକ୍ଷେପର ପ୍ରାବଧାନ କରାଯାଇ ଶୋଷଣ ଓ ନିର୍ଯ୍ୟାତନା ପ୍ରଭୃତିରୁ ସେମାନଙ୍କର ଅଧିକାରକୁ ସୁରକ୍ଷିତ କରାଯାଇଛି । ସର୍ବୋପରି ଏହି ନୂତନ ଆଇନରେ ଥିବା ଖିଲାପକାରୀ ଓ ଦୋଷୀମାନଙ୍କ ନିମନ୍ତେ ଦଣ୍ଡବିଧାନର ବ୍ୟବସ୍ଥା ଏହାକୁ ଏକ ମଜବୁତ୍ ଓ ଶକ୍ତିଶାଳୀ ଆଇନରେ ପରିଣତ କରିଛି ।

ପ୍ରଥମଥର ପାଇଁ ଭିନ୍ନକ୍ଷମତାର ସଂଜ୍ଞାକୁ ପୂର୍ବ ପ୍ରଚଳିତ ଏକ ଡାକ୍ତରୀ ମଡେ଼ଲର ପରିସରରୁ ବ୍ୟାପକ କରି ଏହାକୁ ଜୈବ-ମାନସିକ ଏବଂ ସାମାଜିକ ମଡେ଼ଲର ଦୃଷ୍ଟିକୋଣରୁ ବିଚାର କରାଯାଇଛି । ବିଶେଷ କରି ଭାରତ ପରି ଏକ ବିକାଶଶୀଳ ଦେଶରେ ବ୍ୟାପକ ଦାରିଦ୍ର୍ୟ, ନିରକ୍ଷରତା, ବେରୋଜଗାରୀ ଏବଂ ସମ୍ବଳ ଉପଲବ୍ଧତାର ଅଭାବ ପ୍ରଭୃତି ବହୁବିଧ କାରଣ ପରିପ୍ରେକ୍ଷୀରେ ଭିନ୍ନକ୍ଷମତାକୁ ଏକ ବ୍ୟାପକ ପୃଷ୍ଠପଟ୍ଟରେ ଗ୍ରହଣ କରାଯାଇଛି । ପୂର୍ବ ୧୯୯୫ ଆଇନରେ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅର୍ଥ, “ଡାକ୍ତରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରମାଣିତ କୌଣସି ଭିନ୍ନକ୍ଷମତା ମଧ୍ୟରୁ ଅତିକମରେ ୪୦ ପ୍ରତିଶତରୁ କମ୍ ନ ଥିବା ବ୍ୟକ୍ତି’ । ମାତ୍ର ୨୦୧୬ର ଆଇନ ଏହି ସଂଜ୍ଞାକୁ ବ୍ୟାପକ ଓ ସାମଗ୍ରିକ ଦୃଷ୍ଟିକୋଣ ପ୍ରଦାନ କରି “ଭିନ୍ନକ୍ଷମ ବ୍ୟକ୍ତି ଅର୍ଥାତ୍ ଯାହାର ଦୀର୍ଘକାଳୀନ ଶାରୀରିକ, ମାନସିକ, ବୌଦ୍ଧିକ କିମ୍ବା ସମ୍ବେଦନଶୀଳ ଦୁର୍ବଳତା ଥିବ ଏବଂ ଯାହାଙ୍କର ଅନ୍ୟ ସାଧାରଣମାନଙ୍କ ସହିତ ସମାଜରେ ପୂର୍ଣ୍ଣ ଏବଂ ପ୍ରଭାବଶାଳୀ ଅଂଶଗ୍ରହଣରେ ପ୍ରତିବନ୍ଧକତା ସହିତ ଯୋଗାଯୋଗ କରିବାରେ ବାଧା ସୃଷ୍ଟି କରୁଥିବ ।”

ଏହି ନୂତନ ଆଇନ୍ ପ୍ରଣୟନର ଏକ ଦଶନ୍ଧି ସନ୍ନିକଟ ଯାତ୍ରାର ନିକଟବର୍ତ୍ତୀ ହୋଇ ମଧ୍ୟ ତାହାର ସୁଫଳ ଓ ପ୍ରଭାବର ଆଶାନୁରୂପକ ଲକ୍ଷ୍ୟଠାରୁ ତଥାପି ଆମେ ବହୁ ଦୂରରେ ।

ଏହି ସଶକ୍ତ ଆଇନରେ ରହିଥିବା ଅଧିକାର ଓ ପ୍ରାବଧାନ ଆଦି ଯଦି ଭିନ୍ନକ୍ଷମ ବ୍ୟକ୍ତିବିଶେଷମାନେ ସଠିକରେ ଅବଗତ ହୋଇପାରନ୍ତେ, ତେବେ ସେମାନେ ସେମାନଙ୍କ ଆଇନଗତ ଅଧିକାର ପାଇବା ସହିତ ଏହି ଅଧିନିୟମର ଉଦ୍ଧିଷ୍ଟ ଲକ୍ଷ୍ୟସାଧନ ହୋଇପାରନ୍ତା । ଅଧିକନ୍ତୁ, ସରକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ତରଫରୁ ଏହି ନୂତନ ଭିନ୍ନକ୍ଷମ ଅଧିକାର ଆଇନ ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆହୁରି ଆବଶ୍ୟକତା ରହିଛି । ଏତତବ୍ୟତୀତ ବୈଦୁତିକ, ପ୍ରିଣ୍ଟ ଓ ସାମାଜିକ ଗଣମାଧ୍ୟମରେ ମଧ୍ୟ ଭିନ୍ନକ୍ଷମତା ସମ୍ପର୍କିତ ପରିଭାଷା, ଚିତ୍ରଣ ଓ ସଚେତନତାଧର୍ମୀ ପ୍ରସାରଣର ଗୁରୁତ୍ୱ ଦେବାକୁ ହେବ । ଅଧିକନ୍ତୁ, ସମ୍ବିଧାନ ଓ ଆଇନସମ୍ମତ ଏକ ସମାନତା ତଥା ଭେଦଭାବହୀନ ସମାଜର ବାସ୍ତବାୟନରେ ଏହି ସବୁ ମାଧ୍ୟମର ଭୂମିକା ଅପରିହାର୍ଯ୍ୟ ଅଟେ ।

୨୦୧୧ ମସିହା ଜନଗଣନା ଅନୁସାରେ ଭାରତବର୍ଷରେ ବାସ କରୁଥିବା ସମୁଦାୟ ଜନସଂଖ୍ୟାର ୨.୨୧ ପ୍ରତିଶତ ଭିନ୍ନକ୍ଷମ ଅଟନ୍ତି । ପରବର୍ତ୍ତୀ ଜନଗଣନା ଅଦ୍ୟାବଧି ସମାପ୍ତ ହୋଇ ନ ଥିବା ବେଳେ ଅନୁମାନ କରାଯାଏ, ପୂର୍ବରୁ ରହିଥିବା ୭ରୁ ୨୧ ପ୍ରକାର ଭିନ୍ନକ୍ଷମତାର ପରିସର ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ଭାରତବର୍ଷରେ ଏହି ଜନସଂଖ୍ୟା ପାଖାପାଖି ୫ ରୁ ୯ କୋଟିରେ ପହଞ୍ଚିଥିବ । ଏମାନେ କୌଣସି ନା କୌଣସି ପ୍ରକାରର ଅଳ୍ପ କିମ୍ବା ଅଧିକ ଅକ୍ଷମତାର ଶିକାର ଅଟନ୍ତି । 

ଭାରତର ଜଣେ ନାଗରିକ ଭାବରେ ସେମାନେ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରକୁ ଉପଭୋଗ କରିଥାନ୍ତି ସତ; ମାତ୍ର ଜୀବନ ନିର୍ବାହନରେ ଯାବତୀୟ ପ୍ରତିବନ୍ଧକତା, ପାରିପାଶ୍ୱିର୍କ ପ୍ରତିକୂଳତା, ସମାନ ସୁଯୋଗର ଅଭାବ, ସାମାଜିକ ଭେଦଭାବ ଓ କୁସଂସ୍କାର ପ୍ରଭୃତିର ସମ୍ମୁଖୀନ ହୋଇଥାନ୍ତି । ଯଦିଓ ସାମ୍ପ୍ରତିକ ପୃଷ୍ଠଭୂମିରେ ଆଇନଗତ ଅଧିକାର ଓ ନ୍ୟାୟିକ ସୁରକ୍ଷା ସମାଜର ଏହି ଅବହେଳିତ ବର୍ଗଙ୍କୁ ଏକ ଆତ୍ମସମ୍ମାନପୂର୍ଣ୍ଣ ଜୀବନ ନିର୍ବାହ ଓ ପରିଚୟ ସୃଷ୍ଟି କରିବାରେ ଅନେକ ପରିମାଣରେ ସହାୟକ ସାବ୍ୟସ୍ତ ହୋଇଛି; ମାତ୍ର ଗ୍ରାମୀଣ ଓ ରକ୍ଷଣଶୀଳ ଅସ୍ୱଚ୍ଛ ମାନସିକତାରେ ଏହି ଉପଲବ୍ଧି ତଥାପି ଏକ ଅପହଞ୍ଚ ଆହ୍ୱାନ ସଦୃଶ ହୋଇ ରହିଛି ।

Share the post

Leave a Reply

Your email address will not be published. Required fields are marked *

ଆସନ୍ତୁ ବୁଝିବା ମସ୍ତିଷ୍କ ପକ୍ଷାଘାତ/ସେରେବ୍ରାଲ ପାଲସି

ସେରେବ୍ରାଲ ପାଲସି ହେଉଛି ଏକ ସ୍ନାୟୁଗତ ବ୍ୟାଧି ଯାହା ପିଲାମାନଙ୍କର ଶାରୀରିକ ଗତିବିଧି ଏବଂ ଚାଲିବାର କ୍ଷମତାକୁ ପ୍ରଭାବିତ କରିଥାଏ । ବାସ୍ତବରେ, ସେରେବ୍ରାଲ ଶବ୍ଦର ଅର୍ଥ ହେଉଛି ମସ୍ତିଷ୍କ ସମ୍ୱନ୍ଧୀୟ ଏବଂ ପାଲସି...

ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସର ବିବର୍ତ୍ତନ: ପ୍ରାଚୀନ କାଳରୁ କୃତ୍ରିମ ବୁଦ୍ଧିମତ୍ତା ଯୁଗ ପର୍ଯ୍ୟନ୍ତ

୍ରୋସ୍ଥେଟିକ୍ସର ପ୍ରମାଣ ପ୍ରାଚୀନ ସଭ୍ୟତାରୁ ମିଳିଆସିଛି, ଯାହାର ଉଦାହରଣ ମିଶରୀୟ ମମି ଏବଂ ଗ୍ରୀକ୍/ରୋମାନ୍ କଳାକୃତିରେ ମିଳିଛି । ପ୍ରାଚୀନ ମିଶରର ‘କାଇରୋ ଟୋ’ ଏବଂ ‘ଗ୍ରେଭିଲ୍ ଚେଷ୍ଟର ଟୋ’ ପରି କୃତ୍ରିମ ଅଙ୍ଗର...

ମୋ ଜୀବନ ମୋ କାହାଣୀ

ମାତ୍ର ଅର୍ଥ ଅଭାବରୁ ସେଥିପାଇଁ ପ୍ରଶିକ୍ଷଣ ନେବା ମୋ ପାଇଁ ସମ୍ଭବପର ନ ଥିଲା । ଆସାମ ଗୌହାଟୀ ଠାରେ ଅନୁଷ୍ଠିତ ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ମଧ୍ୟ...

ବରଜର ବିଜୟ ଗାଥା

କେନ୍ଦ୍ରାପଡ଼ା ଜିଲ୍ଲାର ଉପାନ୍ତ ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ବିଜୟନଗର ପଞ୍ଚାୟତର ଏକ ଅଖ୍ୟାତ ପଲ୍ଲୀରେ ଜନ୍ମ ହୋଇଥିବା ଅପାଂକ୍ତେୟ ବୋଲି ଗଣା ହୋଇଥିବା ଜଣେ ଯୁବକ ବରଜ କୁମାର ଦାସର ଅନନ୍ୟ ପ୍ରେରଣାଦାୟୀ ଜୀବନ...

କାହାଣୀ ନୁହେଁ ସେ କାହାଣୀ କନ୍ୟା: ଜୟନ୍ତୀ ଓ ସୁଚିତ୍ରା

ଆନ୍ତର୍ଜାତୀୟ ପାରାକ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଯେଉଁ କତିପୟ ମହିଳା କ୍ରୀଡ଼ାବିତ୍ ନିଜର ସ୍ୱର୍ଣ୍ଣିମ ସ୍ୱାକ୍ଷର ସୃଷ୍ଟି କରିଛନ୍ତି, ସେମାନଙ୍କ ମଧ୍ୟରେ ଜୟନ୍ତୀ ବେହେରା ଓ ସୁଚିତ୍ରା ପରିଡ଼ା ଅନ୍ୟତମ । ଦୁହେଁ ଜୀବନର ଚରମ...