ଲୋକଙ୍କ ସମସ୍ୟା ତଥା ପଡ଼ି ରହିଥିବା ଲକ୍ଷାଧିକ ଆବେଦନକୁ ଦୃଷ୍ଟିରେ ରଖି ଉପଖଣ୍ଡ ଚିକିତ୍ସାଳୟରେ ୟୁଡିଆଇଡି କାର୍ଡ ବଣ୍ଟନ ଆରମ୍ଭ କରିବାକୁ ଚଳିତ ଜୁଲାଇ ମାସରେ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (ଏସ୍ଏସ୍ଇପିଡି) ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିଲା ।
ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଦହଗଞ୍ଜ ନ ହେବାକୁ ସରକାର ନେଇଥିଲେ ନିଷ୍ପତି ।
ରାଜ୍ୟର ୩୩ ଉପଖଣ୍ଡ ଡାକ୍ତରଖାନାରେ ମେଡିକାଲ ବୋର୍ଡ ଖୋଲିବାର ରହିଥିଲା ପ୍ରସ୍ତାବ ।
ଭିନ୍ନକ୍ଷମ ପ୍ରମାଣପତ୍ର କିମ୍ବା ୟୁଡିଆଇଡି କାର୍ଡ ପାଇବା ପାଇଁ ଦହଗଞ୍ଜ ହେବାକୁ ପଡ଼ିବ ନାହିଁ । ରାଜ୍ୟର ଉପଖଣ୍ଡ ଡାକ୍ତରଖାନା (ସବ୍ଡିଭିଜନ ହସ୍ପିଟାଲ)ରେ ଏହା ଉପଲବ୍ଧ ହେବ। ଲୋକଙ୍କ ସମସ୍ୟା ତଥା ପଡ଼ି ରହିଥିବା ଲକ୍ଷାଧିକ ଆବେଦନକୁ ଦୃଷ୍ଟିରେ ରଖି ଉପଖଣ୍ଡ ଚିକିତ୍ସାଳୟରେ ୟୁଡିଆଇଡି କାର୍ଡ ବଣ୍ଟନ ଆରମ୍ଭ କରିବାକୁ ଚଳିତ ଜୁଲାଇ ମାସରେ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (ଏସ୍ଏସ୍ଇପିଡି) ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିଲା ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଲେଖିଥିବା ପତ୍ରରେ ଉଲ୍ଲେଖ ରହିଥିଲା ଯେ ରାଜ୍ୟର ୩୩ଟି ବିଜ୍ଞପିତ ଡାକ୍ତରଖାନାରେ ମେଡିକାଲ ବୋର୍ଡ ବସୁଛି ଏବଂ ସେହିଠାରେ ୟୁଡିଆଇଡି କାର୍ଡ ବଣ୍ଟନ କରାଯାଉଛି । ବିଶେଷକରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭିନ୍ନକ୍ଷମ ପ୍ରମାଣ ପତ୍ର ଦିଆଯାଉଛି । ଭିଡ଼ ହେତୁ ବହୁ ସଂଖ୍ୟକ ଆବେଦନ ଆଗକୁ ବଢ଼ି ପାରୁ ନାହିଁ । ମାସକୁ ଦୁଇ ଥର ବସୁଥିବା ମେଡିକାଲ ବୋର୍ଡରେ ଆବେଦନକାରୀଙ୍କ ସଂଖ୍ୟା ଅଧିକ ରହୁଛି। ବୃହତ୍ ଜିଲାଗୁଡ଼ିକରେ ପଡ଼ି ରହିଥିବା ଆବେଦନ ସଂଖ୍ୟା ଢେର ଅଧିକ ହେବ । ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ମେଡିକାଲ ବୋର୍ଡ ବସିବା ଏବଂ କାର୍ଡ ବଣ୍ଟନ ହେତୁ ଦୂର ଦୁରାନ୍ତରୁ ବିଶେଷକରି ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ଲୋକେ ସେଠାରେ ପହଞ୍ଚିବା କଷ୍ଟକର ହେଉଛି। ଏପରିସ୍ଥଳେ ଉପଖଣ୍ଡ ଡାକ୍ତରଖାନାରେ ଏହି ସୁବିଧା ଆରମ୍ଭ ପାଇଁ ବିଭାଗ ନିଷ୍ପତି ନେଇଛି । ଏପରିସ୍ଥଳେ ୩୩ଟି ଉପଖଣ୍ଡ ଚିକିତ୍ସାଳୟରେ ଭିନ୍ନକ୍ଷମ ମେଡିକାଲ ବୋର୍ଡ ଖୋଲିବା ସହ ଭିନ୍ନକ୍ଷମ ପ୍ରମାଣପତ୍ର ବଣ୍ଟନ ଆରମ୍ଭ କରିବା ଲାଗି ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ନିବେଦନ କରାଯାଇଥିଲା । ଏହି ନିଷ୍ପତିର କାର୍ଯ୍ୟକାରିତାରେ ଦୀର୍ଘ ମାସର ବିଳମ୍ବ ଲାଗିରହିଥିବାରୁ ଭିନ୍ନକ୍ଷମ ପ୍ରମାଣ ପାତ୍ର ପାଇଁ ଦିବ୍ୟାଙ୍ଗମାନଙ୍କ କଷ୍ଟ ଦୂରୀଭୂତ ହୋଇ ପାରୁନାହିଁ । ତେଣୁ ଯଥା ଶୀଘ୍ର ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଗଲେ ଦୂରଦୂରାନ୍ତରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ବୋର୍ଡ ଉପରେ ନିର୍ଭର ନ କରି ଉପଖଣ୍ଡ ଡାକ୍ତରଖାନାରେ ଏହି ସୁବିଧା ଦିବ୍ୟାଙ୍ଗମାନେ ପାଇପାରିବେ ବୋଲି ଦିବ୍ୟାଙ୍ଗ ଅଧିକାର କର୍ମୀ ରବି ତ୍ରିପାଠୀ ପ୍ରକାଶ କରିଛନ୍ତି ।














