ଏହାକୁ ଦୃଷ୍ଟିରେ ରଖି ଆଗାମୀ ବଜେଟ୍ ରେ ଏଥିପାଇଁ ଯଥେଷ୍ଟ ଅଧିକ ପ୍ରାବଧାନ ରଖିବା ସହ ଏହାର ସମୟାନୁଯାୟୀ ଓ ସାର୍ଥକ ବିନିଯୋଗ ଉପରେ ସରକାର ପ୍ରାଧାନ୍ୟ ଦେବା ଉଚିତ୍ । ଦିବ୍ୟାଂଗଜନ ବଜେଟ୍କୁ ବିକଳାଙ୍ଗ ନ କରି ଏହାକୁ ସାମର୍ଥ୍ୟବାନ କରିବା ଦିଗରେ ବଜେଟ୍ର ଗୁରୁତ୍ୱ ପ୍ରଦାନ ଏକାନ୍ତ ବାଞ୍ଛନୀୟ ।
ଶାରୀରିକ ଓ ମାନସିକ ଅକ୍ଷମତା ଥିବା ବ୍ୟକ୍ତିବିଶେଷମାନଙ୍କ ସ୍ଵାଭିମାନ ଓ ଆତ୍ମମର୍ଯ୍ୟାଦାକୁ ଗୁରୁତ୍ଵ ଦେଇ ଆମ ଦେଶର ପ୍ରଧାନମନ୍ତ୍ରୀ ୨୦୧୫ ମସିହାରେ ‘ବିକଳାଙ୍ଗ’ ପରିବର୍ତ୍ତେ ‘ଦିବ୍ୟାଙ୍ଗ’ ଶବ୍ଦ ପ୍ରୟୋଗ କଲେ । ୨୭ ସେପ୍ଟେମ୍ବର ୨୦୧୫ରେ ଏହି ଶବ୍ଦ ସ୍ଵତନ୍ତ୍ର ଭାବେ ବ୍ୟବହାର ଓ ପ୍ରୟୋଗକୁ ଆସିଲା । ଦିବ୍ୟାଙ୍ଗତା ସାଧାରଣତଃ ଦୁଇ ପ୍ରକାରର; ଯଥା – ଶାରୀରିକ ଓ ମାନସିକ । ଏହି ଉଭୟ ପ୍ରକାରର ଦିବ୍ୟାଙ୍ଗତା କିଛି ଜନ୍ମସୂତ୍ରରୁ ଆସିଥିବା ବେଳେ ଆଉ କିଛି ଅସ୍ଵାଭାବିକ ପରିସ୍ଥିତି ଯୋଗୁଁ ଘଟିଥାଏ, ଯଥା – ଦୁର୍ଘଟଣାଜନିତ କିମ୍ବା ମାନସିକ ବିଷାଦଜନିତ । ୨୦୧୧ ମସିହାର ସରକାରୀ ଜନଗଣନା ଅନୁଯାୟୀ, ଆମ ଦେଶର ମୋଟ ଜନସଂଖ୍ୟାର ୨.୨୦ ପ୍ରତିଶତ ଦିବ୍ୟାଙ୍ଗ, ଯାହା ପାଖାପାଖି ୨ କୋଟି ୬୮ ଲକ୍ଷ । ମାତ୍ର ବିଶ୍ଵବ୍ୟାଙ୍କର ରିପୋର୍ଟ ଏହି ତଥ୍ୟକୁ ଖଣ୍ଡନ କରି କହେ ଯେ ଏହି ସଂଖ୍ୟା ଆମ ଜନସଂଖ୍ୟାର ୪ ରୁ ୮ ପ୍ରତିଶତ । ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ICMR) ରିପୋର୍ଟ ମଧ୍ୟ କହେ ଏହା ୪.୫୨ ପ୍ରତିଶତରୁ ଅଧିକ ।
ରାଜ୍ୟବର୍ଦ୍ଧନ ଧଳମହାପାତ୍ର
ପଟିଆ, ଭୁବନେଶ୍ୱର
ମୋ - ୯୪୩୭୪୨୭୬୯୧
ଯେହେତୁ ଏକ ସ୍ଵତନ୍ତ୍ର ଦିବ୍ୟାଙ୍ଗ ଗଣନା ପଦ୍ଧତି ଏଯାଏଁ ଅନୁସୃତ ହୋଇନାହିଁ, ଏଭଳି ପ୍ରତିଶତଗତ ପ୍ରମାଦ ରହିବା ସ୍ଵାଭାବିକ । ପରିସଂଖ୍ୟାନ ଯାହା ହେଉନା କାହିଁକି, ଆମ ଜନସଂଖ୍ୟାର ଏକ ପ୍ରମୁଖ ଭାଗ ଯେ ଦିବ୍ୟାଙ୍ଗ, ଏଥିରେ ସନ୍ଦେହ ନାହିଁ ।
ଗୋଟିଏ ଜନମଙ୍ଗଳକାରୀ ରାଷ୍ଟ୍ରରେ ଅନ୍ୟ ସମସ୍ତ ସାଧାରଣ ନାଗରିକଙ୍କ ପରି ସ୍ଵାଭିମାନ ଓ ସମ୍ମାନର ସହ ବଞ୍ଚିବାର ଅଧିକାର ଦିବ୍ୟାଙ୍ଗ ମାନଙ୍କର ମଧ୍ୟ ରହିଛି । କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଯେ, ସେମାନେ ଅନେକ ସ୍ଥାନରେ ପାରିବାରିକ ଅବହେଳାର ଶିକାର ହେବା ସହ ରାଷ୍ଟ୍ରୀୟ ଅଣଦେଖାର ଶିକାର ମଧ୍ୟ ହେଉଛନ୍ତି । ଆମ ବଜେଟ୍ରେ ଖର୍ଚ୍ଚର ବରାଦ ପ୍ରତିବର୍ଷ ବଢ଼ି ବଢ଼ି ଚାଲିଥିବା ବେଳେ, ଦୁର୍ଭାଗ୍ୟଜନକ ଭାବେ ଦିବ୍ୟାଙ୍ଗମାନଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥରାଶିର ପରିମାଣ କମିବାରେ ଲାଗିଛି । ୨୦୨୦-୨୧ରେ ଦିବ୍ୟାଙ୍ଗମାନଙ୍କ ପାଇଁ ବଜେଟ୍ରେ ୧୩୨୫ କୋଟି ଟଙ୍କାର ପ୍ରାବଧାନ ରଖାଯାଇଥିବା ବେଳେ, ୨୦୨୪-୨୫ ବଜେଟ୍ରେ ଏହା ଆସି ପହଞ୍ଚିଛି ୧୨୨୫ କୋଟିରେ, ଯାହା ଆମ ସମୁଦାୟ ବଜେଟ୍ର ମାତ୍ର ୦.୦୨୫ ପ୍ରତିଶତ । ଆମ ଜନସଂଖ୍ୟାର ଏକ ପ୍ରମୁଖ ଅଂଶ ଥିବା ଦିବ୍ୟାଙ୍ଗମାନଙ୍କ ବିକାଶ ପାଇଁ ଏହି ପରିମାଣ ଅତି ନଗଣ୍ୟ । ଅନେକ ସମୟରେ ଦେଖାଯାଏ ଯେ, ଏହି ସ୍ଥିରୀକୃତ ଅର୍ଥରାଶି ମଧ୍ୟ ପ୍ରଶାସନିକ ଲାଲ୍ଫିତା ଅନ୍ତରାଳରେ ବାନ୍ଧି ହୋଇ ଖର୍ଚ୍ଚ ନହୋଇ ପଡ଼ିରହେ ।
ଆମେ ପ୍ରଥମେ ଧ୍ୟାନ ଦେବା ଯେ ଦିବ୍ୟାଙ୍ଗଜନଙ୍କର ଆବଶ୍ୟକତା କ’ଣ ? ଆବଶ୍ୟକତା ଅନୁଯାୟୀ ଶିକ୍ଷା, ସ୍ୱାସ୍ଥ୍ୟ ସହ ନିଯୁକ୍ତି ସୁବିଧା ଉପରେ ପ୍ରାଥମିକତା ପ୍ରଦାନ କରିବାର ଅଛି । ଦିବ୍ୟାଙ୍ଗଜନମାନଙ୍କର ସୁବିଧାଜନକ ଯାତାୟାତ ପାଇଁ ପ୍ରତ୍ୟେକ ଅଫିସ୍ ଓ ଶିକ୍ଷାନୁଷ୍ଠାନମାନଙ୍କରେ ରାମ୍ପ (Ramp) ଓ ଏଲେଭେଟର (Elevator) ର ବ୍ୟବସ୍ଥା ରହିବା ଆବଶ୍ୟକ । ଯଦିଓ ଏ ବିଷୟରେ ଆଇନ ପ୍ରଣୟନ ହୋଇଛି, ମାତ୍ର ସେହି ଆଇନର କାର୍ଯ୍ୟକାରିତା ଅନେକ ସ୍ଥାନରେ ଦେଖିବାକୁ ମିଳୁନାହିଁ । ଦିବ୍ୟାଙ୍ଗଜନଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକ ଓ ପ୍ରଶିକ୍ଷକମାନଙ୍କର ମଧ୍ୟ ଘୋର ଅଭାବ ରହିଛି । ସର୍ବସାଧାରଣ ଗମନାଗମନ ବ୍ୟବସ୍ଥାରେ ମଧ୍ୟ ଆମେ ଏପର୍ଯ୍ୟନ୍ତ ଦିବ୍ୟାଙ୍ଗଜନ ସହାୟକ ବ୍ୟବସ୍ଥା କରିପାରିନାହୁଁ ।
୨୦୨୫ ମସିହା ବଜେଟ୍ରେ ଦିବ୍ୟାଙ୍ଗଜନ ମଙ୍ଗଳ ଯୋଜନା ଅପେକ୍ଷା ଦିବ୍ୟାଙ୍ଗଜନ ସଶକ୍ତିକରଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । କାରଣ ସରକାରଙ୍କର ହୃଦ୍ବୋଧ ହୋଇଥିଲା ଯେ ଦିବ୍ୟାଙ୍ଗତା କେବଳ ଏକ ସାମାଜିକ ସମସ୍ୟା ନୁହେଁ, ଏହା ଏକ ଅର୍ଥନୈତିକ ସମସ୍ୟା ମଧ୍ୟ । ଅର୍ଥନୈତିକ ସର୍ଭେର ପର୍ଯ୍ୟବେକ୍ଷଣ ଅନୁଯାୟୀ, ଦିବ୍ୟାଙ୍ଗମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ ନ କରିବା ଫଳରେ ପାଖାପାଖି ସାଢ଼େ ଚାରି ଲକ୍ଷ କୋଟି ଟଙ୍କା ବାର୍ଷିକ କ୍ଷତି ଘଟୁଅଛି, ଯାହା ଆମ ମୋଟ ଘରୋଇ ଉତ୍ପାଦନର ଚାରି ପ୍ରତିଶତ । ଦିବ୍ୟାଙ୍ଗଜନଙ୍କ ସଂଖ୍ୟା ନେଇ ଯାହାବି ଦ୍ୱନ୍ଦ୍ୱ ଥାଉ, ମୋଟାମୋଟି ତିନି କୋଟି ଲୋକଙ୍କ ସୃଜନାତ୍ମକ ତଥା ଶ୍ରମଶକ୍ତିକୁ ଆମେ ଅବହେଳା କରି ଏଭଳି କ୍ଷତି ଘଟାଇ ଚାଲିଛୁ । ଏହାର ମୁଖ୍ୟ କାରଣ ହେଉଛି ଦିବ୍ୟାଙ୍ଗଜନଙ୍କ ସଂଖ୍ୟାର ସଠିକ୍ ନିରୂପଣର ଅଭାବ ଏବଂ ସେମାନଙ୍କୁ ସେମାନଙ୍କ ଯୋଗ୍ୟତାଭିତ୍ତିକ କାର୍ଯ୍ୟ ଯୋଗାଇବାରେ ଆମର ଅସାମର୍ଥ୍ୟ ।
ଜଣେ ସାଧାରଣ ଲୋକ ଅପେକ୍ଷା ଜଣେ ଦିବ୍ୟାଂଗର ଖର୍ଚ୍ଚ ଅଧିକ । ସେମାନେ ଅଫିସ୍ ଯାଆନ୍ତୁ କି ପାଠ ପଢ଼ିବାକୁ ଯାଆନ୍ତୁ, ଗମନାଗମନ ପାଇଁ ତାଙ୍କୁ ଅନ୍ୟର ସାହାଯ୍ୟ ଓ ସାହଚର୍ଯ୍ୟର ଆବଶ୍ୟକତା ପଡେ଼ । ସେଥିପାଇଁ ତାଙ୍କୁ ଅନ୍ୟର ସାହାଯ୍ୟ ଓ ସାହଚର୍ଯ୍ୟର ଆବଶ୍ୟକତା ପଡେ଼ । ସେଥିପାଇଁ ତାଙ୍କୁ ଅଧିକ ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ । ବଡ଼ ବଡ଼ ସହରମାନଙ୍କରେ ଏ ସମସ୍ୟା ଅଧିକ ଏବଂ ଜଟିଳ ମଧ୍ୟ । ତେଣୁ ସେଠାରେ ଦିବ୍ୟାଂଗଜନଙ୍କର ଜୀବନଧାରଣର ଖର୍ଚ୍ଚ ଅଧିକ । ମାତ୍ର ଦିବ୍ୟାଙ୍ଗଜନମାନଙ୍କର ଏ ସମସ୍ୟା ପ୍ରତି କୌଣସି ବଜେଟ୍ରେ ଧ୍ୟାନ ଦିଆଯାଇନାହିଁ । ସହଜଗମ୍ୟ ଭାରତ ଯୋଜନା ମାଧ୍ୟମରେ ଲକ୍ଷ୍ୟ ରଖାଯାଇଥିଲା ଯେ, ପଚାଶ ପ୍ରତିଶତ ସରକାରୀ କାର୍ଯ୍ୟାଳୟକୁ ଦିବ୍ୟାଂଗମାନଙ୍କ ପାଇଁ ସୁଗମ ଯାତାୟାତର ବ୍ୟବସ୍ଥା କରାଯିବ । ମାତ୍ର ଧାର୍ଯ୍ୟ ସମୟସୀମା କେବେଠାରୁ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏ ଦିଗରେ ଯଥେଷ୍ଟ ପ୍ରଗତି ସମ୍ଭବ ହୋଇପାରିନାହିଁ । ସେହିଭଳି ଯାତାୟାତ କ୍ଷେତ୍ର ଯଥା ବସ୍ ଓ ଟ୍ରେନ୍ ରେ ମଧ୍ୟ ସହଜ ଆରୋହଣ ଓ ଅବତରଣର ସୁବିଧା ଦେବା ଏଯାଏଁ ସମ୍ଭବ ହୋଇନାହିଁ ।
ଜନସଂଖ୍ୟାର ଏକ ଆଖିଦୃଶିଆ ଅଂଶ ଦିବ୍ୟାଂଗଜନ ହୋଇଥିବା ବେଳେ ସେମାନଙ୍କ ପାଇଁ ଖର୍ଚ୍ଚର ବଜେଟ୍ ପ୍ରତିଶତ ବଢ଼ି ବଢ଼ି ଯିବା ସ୍ଥାନରେ କମିବାଟା ଚିନ୍ତାଜନକ । ତେଣୁ ସରକାର ଏ ଦିଗରେ ଧ୍ୟାନଦେବା ସହ ପ୍ରାବଧାନିତ ଅର୍ଥକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଖର୍ଚ୍ଚ କରିବାର ବ୍ୟବସ୍ଥା କରିବା ଆବଶ୍ୟକ । ଏହି ଦିବ୍ୟାଂଗଜନ ମଙ୍ଗଳ କାର୍ଯ୍ୟକ୍ରମ କେବଳ ସରକାରଙ୍କ ଦ୍ୱାରା କରିବା ବି ସମ୍ଭବପର ନୁହଁ । ସେମାନଙ୍କୁ ସାହାଯ୍ୟ, ସହଯୋଗ ଓ ଦିଗଦର୍ଶନ ପାଇଁ ବହୁ ସ୍ୱେଚ୍ଛାସେବୀ ସଂସ୍ଥା ଏ ଦିଗରେ କାର୍ଯ୍ୟରତ । ଦେଖାଯାଏ ଉପଯୁକ୍ତ ଆର୍ଥିକ ଅନୁଦାନ ଅଭାବରୁ ଜନସାଧାରଣଙ୍କ ବଦାନ୍ୟ ସହଯୋଗରେ ସେମାନେ ଏହି ସେବାକାର୍ଯ୍ୟକୁ ଆଗେଇ ନିଅନ୍ତି । ଏ ଦିଗରେ ନିଷ୍ଠାପର ଭାବରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କୁ ସରକାରା ଉପଯୁକ୍ତ ପରିମାଣର ସହାୟତା ପ୍ରଦାନ କରିବା ଉଚିତ୍ । ପ୍ରତ୍ୟେକ ରାଜ୍ୟରେ ଏ ଭଳି ବହୁ ସଂସ୍ଥା କାର୍ଯ୍ୟରତ । ସେମାନଙ୍କୁ ବିଶ୍ୱାସକୁ ନିଆଯାଇ ଯଦି ନିଷ୍ଠାର ସହ ଏ କାର୍ଯ୍ୟକୁ ଆଗେଇ ନିଆଯିବ ତେବେ ବହୁ ଦିବ୍ୟାଂଗ ସଶକ୍ତ ଓ ଆତ୍ମନିର୍ଭର ହୋଇ ଆମ ଦେଶର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିଲେ । ସେମାନେ ସଶକ୍ତ ହେଲେ ଆମ ମୋଟ୍ ଘରୋଇ ଉତ୍ପାଦାନ ର ଯେଉଁ ବିପୁଳ କ୍ଷତି ଘଟୁଛି, ତାହା ଭରଣା ହୋଇପାରିବା ସହ ଏକ ବିପୁଳ ଦିବ୍ୟାଂଗଜନ ସଂଖ୍ୟାର ମଙ୍ଗଳ ସହ ସ୍ୱାଭିମାନ ଓ ଆତ୍ମନିର୍ଭରତା ସୃଷ୍ଟି ହୋଇପାରିବ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ବଜେଟ୍ ରେ ଏଥିପାଇଁ ଯଥେଷ୍ଟ ଅଧିକ ପ୍ରାବଧାନ ରଖିବା ସହ ଏହାର ସମୟାନୁଯାୟୀ ଓ ସାର୍ଥକ ବିନିଯୋଗ ଉପରେ ସରକାର ପ୍ରାଧାନ୍ୟ ଦେବା ଉଚିତ୍ । ଦିବ୍ୟାଂଗଜନ ବଜେଟ୍କୁ ବିକଳାଙ୍ଗ ନ କରି ଏହାକୁ ସାମର୍ଥ୍ୟବାନ କରିବା ଦିଗରେ ବଜେଟ୍ର ଗୁରୁତ୍ୱ ପ୍ରଦାନ ଏକାନ୍ତ ବାଞ୍ଛନୀୟ ।















