ଦିବ୍ୟାଙ୍ଗନା ରାଜଶ୍ରୀ – ଏକ ବିରଳ ସୃଜନ ପ୍ରତିଭା

କେହି ସହୃଦୟ ବ୍ୟକ୍ତି, ଅନୁଷ୍ଠାନ ଅଥବା ସରକାରୀ ଅନୁଷ୍ଠାନ ଏଥିପ୍ରତି ଦୃଷ୍ଟି ପ୍ରଦାନ କଲେ ଏବଂ ତାଙ୍କର ଅପ୍ରକାଶିତ ପାଣ୍ଡୁଲିପିଗୁଡ଼ିକ ପ୍ରକାଶ କଲେ, ସେଗୁଡ଼ିକ ଓଡ଼ିଆ ସାହିତ୍ୟ ପାଇଁ ଅମୂଲ୍ୟ ସମ୍ପଦ ହୁଅନ୍ତା ।

ଜନ୍ମ ନୁହେଁ ତ ଏକ ଦାରୁଣ କାହାଣୀ –

ରାଜଶ୍ରୀ ପାତ୍ର । ୧୯୭୫ ମସିହା ଜୁଲାଇ ଚାରି ତାରିଖରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅନ୍ତର୍ଗତ ମଶାବାଡ଼ି ଗାଁରେ ଜନ୍ମ । ପିତା ରଘୁନାଥ ପାତ୍ର ଓ ମାତା ରମ୍ଭାରାଣୀ ପାତ୍ରଙ୍କର ସେ ଜ୍ୟେଷ୍ଠା କନ୍ୟା । ଶାରୀରିକ ଦୃଷ୍ଟିରୁ ଅପୂର୍ଣ୍ଣ ଥିଲେ, କିନ୍ତୁ ମାନସିକ ସ୍ତରରେ ସେ ଅସ୍ୱାଭାବିକ ଭାବେ ସକ୍ରିୟ । ଝିଅଟି ମାତୃଗର୍ଭରେ ଥିବାବେଳେ କିଛି ଅଘଟଣ ଆଶଙ୍କା କରୁଥିଲେ ମାଆ ରମ୍ଭାଦେବୀ ଓ ତାଙ୍କ ଅନ୍ତଃସତ୍ତ୍ୱାକାଳୀନ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର । ରାଜଶ୍ରୀଙ୍କ ମାଆଙ୍କ କହିବା ଅନୁଯାୟୀ, ରାଜଶ୍ରୀ ତାଙ୍କ ଗର୍ଭରେ ଥିବା ବେଳେ ସେ ବୈପାରୀଗୁଡ଼ାରେ ଥିଲେ । ସଂପୂର୍ଣ୍ଣ ମାଳ ଅଞ୍ଚଳ; ହାଡ଼ଫୁଟି ରୋଗ ତାଙ୍କୁ ଗୁରୁତର ଭାବରେ ଆକ୍ରାନ୍ତ କରିଥିଲା । ସେତେବେଳେ ସେ ଡାକ୍ତରଙ୍କ ପରାମର୍ଶ ନେଇ ନଥିଲେ । ପରେ ଯେତେବେଳେ ପରିସ୍ଥିତି ଅସମ୍ଭାଳ ହେଲା, ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଡାକ୍ତର ପରୀକ୍ଷା କରି ଦେଖିଥିଲେ ଯେ ଗର୍ଭସ୍ଥ ଶିଶୁ ଆକ୍ରାନ୍ତ ହୋଇଛି । ତେଣୁ ଗର୍ଭପାତ କରାଇଦେବା ବିଜ୍ଞତା ହେବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ । କିନ୍ତୁ ମାଆ ରମ୍ଭାଦେବୀ ଆଦୌ ଏଥିରେ ସହମତ ହେଲେ ନାହିଁ । 

ଡଃ. ବାସନ୍ତୀ ମହାନ୍ତି

୨୧୩ ସି-ବ୍ଲକ୍, ଏମେରାଲ୍ଡ ଆପାର୍ଟମେଣ୍ଟ୍, ଲକ୍ଷ୍ମୀସାଗର, ଭୁବନେଶ୍ୱର-୭୫୧୦୦୬ ମୋ: ୯୪୩୭୦୩୩୦୭୪ ଇ-ମେଲ୍: basantimohanty12@gmail.com

ସନ୍ତାନ ଜନ୍ମ ଦେବା ପାଇଁ ସେ ଜିଦ୍ କରି ବସିଥିଲେ । ସେ ଥିଲେ କୃପାଳୁ ମହାରାଜ (ରାଧେ ରାଧେ)ଙ୍କ ଦୀକ୍ଷିତା । ସବୁ ସେଇ ବାବା ମହାରାଜଙ୍କ ଉପରେ ସମର୍ପି ଦେଇ ସେ କାଷ୍ଠା ନିଷ୍ଠାରେ ରହିଲେ । ଠିକ୍ ସମୟରେ ସୁସ୍ଥ ସବଳ ଶିଶୁଟିଏ ଜନ୍ମ ହେଲା । ସେ ଅଜସ୍ର ଧନ୍ୟବାଦ ଦେଇଥିଲେ ଈଶ୍ୱରଙ୍କୁ । ତାଙ୍କ ମାତୃତ୍ୱ ସାର୍ଥକ ହୋଇଛି । ସୁସ୍ଥ ସନ୍ତାନଟିଏ ମଧ୍ୟ ଜନ୍ମ ହୋଇଛି । କିନ୍ତୁ ଏ ଆନନ୍ଦ ତାଙ୍କର ବେଶି ଦିନ ରହିଲା ନାହିଁ । ପେଟେଇବା, ଆଣ୍ଠେଇବା, ବସିବା ଆଦି ସବୁ ଶିଶୁସୁଲଭ କ୍ରିୟାକଳାପ ସମୟଠାରୁ ଯଥେଷ୍ଟ ଡେରିରେ ହେଲା । ତାହା ପୁଣି ନିଜ ଚେଷ୍ଟାରେ ନୁହେଁ, ଅନ୍ୟ କାହାରି ସାହାଯ୍ୟରେ । ଠିକ୍ ବର୍ଷେ ପରେ କିନ୍ତୁ ଟିକେ ଅସ୍ୱାଭାବିକତା ପରିଲକ୍ଷିତ ହୋଇଥିଲା । ତା’ପରଠାରୁ ଶିଶୁଟି ଯେଉଁ ଅନୁକ୍ରମରେ ବଢ଼ିବା କଥା ତାହା ହେଲା ନାହିଁ । ଚାଲିବା ପାଇଁ ତିନି-ଚାରି ବର୍ଷ ଲାଗି ଯାଇଥିଲା । ଶାରୀରିକ ବିକାଶ ମଧ୍ୟ ଧୀରେ ଧୀରେ ଅସନ୍ତୁଳିତ ହେଲା । ମୁଣ୍ଡର ଆକୃତିର ବିକାଶ ବୟସ ଅନୁସାରେ ଠିକ୍ ଚାଲିଥିଲା, କିନ୍ତୁ ହାତ ଓ ଗୋଡ଼ ଠିକ୍ ଭାବରେ ବଢ଼ୁ ନଥିଲା । କିନ୍ତୁ ଯାହା ବି ହେଉ, ସେ ନିଜେ ଚାଲି ଚାଲି ଘର ପାଖରେ ଥିବା ସ୍କୁଲକୁ ଯାଉଥିଲେ । ସେ ଖୁବ୍ ଭଲ ପାଠ ପଢ଼ୁଥିଲେ ।

ପ୍ରତିକୂଳ ଭାଗ୍ୟର ସାହାସୀ ସିପାହୀ –

ଶାରୀରିକ ବିକାଶ ସିନା ହେଉ ନଥିଲା କିନ୍ତୁ ମାନସିକ ସ୍ତରରେ ସେ ଆବଶ୍ୟକତାଠାରୁ ଅଧିକ ବିକାଶ କରୁଥିବା ପରି ମନେ ହେଉଥିଲା । ସେ ଠିକ୍ ସମୟରେ କଥା କହିଲେ । ଖୁବ୍ କମ୍ ଦିନରେ ସେ ଦରୋଟି ଭାଷାରେ କଥା ହେଉଥିଲେ । ପରେ ସ୍ୱଚ୍ଛ ଭାବରେ କଥା ହେଲେ । ସେହି ଅନୁସାରେ ଶ୍ରେଣୀରେ ସେ ପ୍ରଥମ ସ୍ଥାନ ଅଧିକାର କରି ଚାଲୁଥିଲେ । ଷଷ୍ଠ-ସପ୍ତମ ଶ୍ରେଣୀରେ ପଢ଼ିବା ବେଳକୁ ଆଉ ଚାଲବୁଲ କରିପାରିଲେ ନାହିଁ । ସାଙ୍ଗସାଥୀ ସାଇକେଲରେ ବସାଇ ତାଙ୍କୁ ସ୍କୁଲ ନେଉଥିଲେ । ଦଶମ ଶ୍ରେଣୀ ପଢ଼ିବା ବେଳକୁ ଧୀରେ ଧୀରେ ତାଙ୍କ ଶରୀରର ଅବକ୍ଷୟ ହେବାକୁ ଲାଗିଲା । ମୁଣ୍ଡ ବ୍ୟତୀତ ଅନ୍ୟ ସବୁ ଅଙ୍ଗ ଛୋଟ ହେବାକୁ ଲାଗିଲା । ଗୋଟାଏ ଜାଗାରେ ବସିବା ଛଡ଼ା ସେ ଆଉ କିଛି କରି ପାରିଲେ ନାହିଁ । କିନ୍ତୁ ମସ୍ତିଷ୍କ ଖୁବ୍ ସକ୍ରିୟ ଥିବାରୁ ସେ ପିଲାମାନଙ୍କୁ ଟିଉସନ୍ କରିବାକୁ ଚାହିଁଲେ । ନିଜେ ଜଣେ ଭଲ ଛାତ୍ରୀ ଥିବାରୁ ତାଙ୍କ ପାଖକୁ ଟିଉସନ୍ ପିଲାଙ୍କର ଭିଡ଼ ଲାଗିଲା । ପିଲାମାନଙ୍କୁ ଟିଉସନ୍ କରିବା ସଙ୍ଗେ ସଙ୍ଗେ ସେ ନିଜେ କଲେଜରେ ନାମ ଲେଖାଇଲେ । ସେତେବେଳକୁ କଲେଜ ଯାଇ ଆସିପାରିବା ତାଙ୍କ ପାଇଁ ସମ୍ଭବ ହେଉନଥିଲା, ତେଣୁ ସେ ଘରେ ରହି ପଢ଼ି କଲେଜରେ ପରୀକ୍ଷା ଦେଉଥିଲେ । ସେ ଭଲ ନମ୍ବର ରଖି ପାସ୍ କରିଥିଲେ । କିନ୍ତୁ ଘରୁ ବାହାରକୁ ଯିବା ତାଙ୍କ ପାଇଁ ଅସମ୍ଭବ ହୋଇପଡ଼ିଲା । ସ୍କୁଲରେ ପଢ଼ୁଥିବା ବେଳେ ସେ ଅନେକ ଥର ଅଚେତ ହୋଇ ପଡ଼ୁଥିଲେ । ମାଆଙ୍କୁ ଏ କଥା ନ କହିବା ପାଇଁ ସେ ଦିଦି ଓ ସାର୍‌ମାନଙ୍କୁ ଅନୁରୋଧ କରୁଥିଲେ, କାରଣ ବାପା-ମାଆଙ୍କୁ ତାଙ୍କ ପାଇଁ ଦୁଃଖ ଦେବା ସେ ଚାହୁଁ ନଥିଲେ । ସାନବେଳେ ଯାହା ଟିକେ ଚଲାବୁଲା କରୁଥିଲେ, ବଡ଼ ହେବା ପରେ ସେତକ ବି ହେଲା ନାହିଁ । କିଛି ଦିନ ପରେ ଆଣ୍ଠେଇ ଆଣ୍ଠେଇ ଚାଲିଲେ; ଆଉ ଠିଆ ହୋଇ ପାରିଲେ ନାହିଁ ।

ଡାକ୍ତରମାନଙ୍କ ମତରେ ରାଜଶ୍ରୀଙ୍କର ଅଷ୍ଟେଜେନେସିସ୍ ଇମ୍ପର୍ଫେକ୍ଟା (Osteogenesis Imperfecta) ବା ଅସ୍ଥି ଗଠନଗତ ଅସମ୍ପୂର୍ଣ୍ଣତା ବ୍ୟାଧି ଥିଲା । ଏହାକୁ ‘ବ୍ରିଟିଲ୍ ବୋନ୍’ (Brittle Bone) ଅଥବା ଅସ୍ଥିର ଅତିଭଙ୍ଗୁରତା ରୋଗ ବୋଲି କୁହାଯାଏ । ଏହା ଏକ ବିରଳ ରୋଗ; ଏହି ରୋଗରେ ରୋଗୀର ଅସ୍ଥିଗୁଡ଼ିକ ସାମାନ୍ୟ ଆଘାତରେ ଖଣ୍ଡବିଖଣ୍ଡିତ ହୋଇଯାଇଥାଏ । ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ଦେହରେ ଅସ୍ଥିକୁ ଶକ୍ତି ଓ ଆକୃତି ପ୍ରଦାନ କରିବାରେ ସାହାଯ୍ୟ କରୁଥିବା ‘କୋଲାଜେନ୍’ ନାମକ ପ୍ରୋଟିନ୍ ସୃଷ୍ଟି ହୁଏନାହିଁ । ଫଳରେ ଅସ୍ଥିଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ହୋଇଥାଏ । ନିର୍ଦ୍ଦିଷ୍ଟ ଆକୃତି ନେଇପାରୁ ନଥିବାରୁ ତାହା ବଙ୍କାଟଙ୍କା ଓ ତେଢ଼ାମେଢ଼ା ହୋଇଯାଏ । ଧୀରେ ଧୀରେ ଏହା ଛୋଟ ମଧ୍ୟ ହୋଇଯାଏ । ଏହା ଏକ ଦୁରାରୋଗ୍ୟ ବ୍ୟାଧି । କେବଳ ଚିକିତ୍ସା ବା ଥେରାପି ଦ୍ୱାରା ରୋଗୀକୁ ଯନ୍ତ୍ରଣାରୁ ଉପଶମ କରାଯାଇଥାଏ ।

ସୃଜନ ରୁଚି ଓ ପଠନ ଅନୁରାଗ-

ରାଜଶ୍ରୀ ଏହି ରୋଗରେ ପୀଡ଼ିତା ଥିଲେ; ଶାରୀରିକ ଦୃଷ୍ଟିରୁ ତାଙ୍କର ବୃଦ୍ଧି ଆଦୌ ହେଉ ନଥିଲା, ବରଂ ଅବକ୍ଷୟ ହୋଇ ଚାଲିଥିଲା । ତାଙ୍କର ଉଚ୍ଚତା କମି କମି ଆସୁଥିଲା ଏବଂ ସେ ଜଣେ କଣ୍ଢେଇ ପରି ଦିଶୁଥିଲେ । ତାଙ୍କ ମାଆ ତାଙ୍କ ପାଇଁ ସୁନ୍ଦର ସୁନ୍ଦର ପୋଷାକ ତିଆରି କରିଦିଅନ୍ତି, ଯେଉଁଥିରେ ତାଙ୍କର ହାତଗୋଡ଼ ଦେଖାଯାଏ ନାହିଁ । ତାଙ୍କର ମୁହଁଟି ଖୁବ୍ ସୁନ୍ଦର ଓ ଗୋରା ତକ୍ ତକ୍ ଥିଲା । ପୂର୍ବରୁ କୁହାଯାଇଛି ଯେ, ରାଜଶ୍ରୀଙ୍କ ମସ୍ତକଟି ଅନ୍ୟମାନଙ୍କ ପରି ସ୍ୱାଭାବିକ ଭାବରେ ବଢ଼ୁଥିଲା । କେବଳ ମସ୍ତକର ଆକୃତି ନୁହେଁ, ତାଙ୍କର ବୁଦ୍ଧିମତା ଓ ସର୍ଜନଶୀଳତା ମଧ୍ୟ ଖୁବ୍ ପ୍ରଖର ଥିଲା । ସେ ଖୁବ୍ ଭଲ ପଢ଼ୁଥିଲେ; ଆଞ୍ଚଳିକ ସମ୍ବାଦଠାରୁ ଆରମ୍ଭ କରି ଆନ୍ତର୍ଜାତିକ ସମ୍ବାଦ ପର୍ଯ୍ୟନ୍ତ ସବୁକିଛି ତାଙ୍କ ନଖଦର୍ପଣରେ ଥିଲା । ସେ ଟିଭି ସାମ୍ନାରେ ଖଣ୍ଡେ ମସିଣାରେ ଗଡ଼ୁଥାନ୍ତି । ସେଇଠି ଶୋଇ ରହି ସେ ଦେଶ-ଦୁନିଆର ଖବର ରଖୁଥିଲେ । ଆବଶ୍ୟକ ସ୍ଥଳେ ସେ ବାପା କିମ୍ବା ଘରକୁ ଆସୁଥିବା ଅତିଥିମାନଙ୍କ ସହ ଦେଶ-ବିଦେଶର ସମ୍ବାଦ ଓ ଚର୍ଚ୍ଚା ଆଲୋଚନାରେ ଭାଗ ନେଉଥିଲେ ।

ଉପନ୍ୟାସିକା ରାଜଶ୍ରୀ-

ସେ ଖୁବ୍ ପଢ଼ୁଥିଲେ । ପିତା ରଘୁନାଥ ବାବୁ ତାଙ୍କ ପାଇଁ ପତ୍ରପତ୍ରିକା ଓ କିଛି ବହି ମଧ୍ୟ କିଣି ଦେଉଥିଲେ । କିନ୍ତୁ ସେତିକିରେ ସେ ସନ୍ତୁଷ୍ଟ ହୋଇପାରୁ ନଥିଲେ । ବହି ପାଇଁ ସେ ରଙ୍କ ପରି ହେଉଥିଲେ । ସେ କବିତା, ଗଳ୍ପ ଓ ଉପନ୍ୟାସ ଆଦି ଖୁବ୍ ଭଲ ଲେଖୁଥିଲେ । ସେ ଯେତେବେଳେ ବି.ଏ. ପଢ଼ୁଥିଲେ, ତାଙ୍କ ବାପା ଥିଲେ ବୈପାରୀଗୁଡ଼ାରେ ଅର୍ଥାତ୍ ଶହୀଦ୍ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନରେ । ସେଇଠାରୁ ଅନୁପ୍ରେରିତ ହୋଇ ସେ ଲକ୍ଷ୍ମଣ ନାୟକଙ୍କ ଜୀବନ ଆଧାରିତ ଏକ ନାଟକ ଲେଖିଥିଲେ, ଯାହାର ଶୀର୍ଷକ ଥିଲା ‘ସ୍ୱର୍ଗାଦପି ଗରୀୟସୀ’ । ତାଙ୍କ ବାପା ବ୍ଲକ୍ ରେ ଚାକିରି କରୁଥିଲେ । ବ୍ଲକ୍ କଲୋନୀର ପିଲାମାନଙ୍କ ଦ୍ୱାରା ଏହି ନାଟକଟିକୁ ମଞ୍ଚସ୍ଥ କରାଇ ସେ ଖୁବ୍ ସଫଳତା ହାସଲ କରିଥିଲେ । ହାତଲେଖାରେ ଥିବା ଏହି ନାଟକଟି ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶା ସଂସ୍କୃତି ବିଭାଗ ତରଫରୁ ଭିନ୍ନକ୍ଷମମାନଙ୍କୁ ପ୍ରଦତ୍ତ ପାଞ୍ଚ ହଜାର ଟଙ୍କା ସହାୟତାରେ ପୁସ୍ତକ ଆକାରରେ ପ୍ରକାଶିତ ହୋଇଥିଲା । ସେ ଅଜସ୍ର ଲେଖୁଥିଲେ ଏବଂ ତାଙ୍କର କଳ୍ପନା ଶକ୍ତି ଅଦ୍ଭୁତ ଥିଲା । ସେ ତିନିଖଣ୍ଡ ଉପନ୍ୟାସ ଲେଖିଥିଲେ: “ଜହ୍ନର ଅଭିସାର”, “ଅଗ୍ନି ଅଶ୍ରୁ” ଓ “କଚ୍ଛପ କଙ୍କାଳ” । ଏହି ତିନୋଟିଯାକ ଜୀବନବାଦୀ ଉପନ୍ୟାସ । ‘ଜହ୍ନର ଅଭିସାର’ ଓ ‘ଅଗ୍ନି ଅଶ୍ରୁ’ ଏଥେନା ପବ୍ଳିକେଶନ ଦ୍ୱାରା ପ୍ରକାଶିତ ହୋଇଥିବାବେଳେ ‘କଚ୍ଛପ କଙ୍କାଳ’କୁ ତିଥି ପ୍ରକାଶନ ପ୍ରକାଶ କରିଥିଲେ । ଜୀବନର ଯାବତୀୟ ସଂଘର୍ଷ ଓ ସଂଘାତ ମଧ୍ୟରେ ରାଜଶ୍ରୀଙ୍କ ଚରିତ୍ରମାନେ ସର୍ବଦା ଜୀବନକୁ ଭଲ ପାଇଛନ୍ତି; ସେହି ଭଲପାଇବା ସେମାନଙ୍କୁ ଅସାଧ୍ୟ ସାଧନା କରିବା ପାଇଁ ପ୍ରେରଣା ଦେଇଛି । ନୈରାଶ୍ୟ ଭିତରେ ଥାଇ ମଧ୍ୟ ସେମାନେ ଆଶାର ପ୍ରଦୀପ ପ୍ରଜ୍ୱଳିତ କରିଛନ୍ତି ।

“କଚ୍ଛପ କଙ୍କାଳ” ବହିଟି ପ୍ରାୟତଃ ତାଙ୍କର ଆତ୍ମକଥା । ଏହି ଉପନ୍ୟାସଟିର ମୁଖ୍ୟ ଚରିତ୍ର ନାରୀ ପରିବର୍ତ୍ତେ ଜଣେ ପୁରୁଷ । ସେ ନିଜେ ଭିନ୍ନକ୍ଷମ; ସେହି ଭିନ୍ନକ୍ଷମ ନାୟକଟିର ଜୀବନ ସଂଗ୍ରାମ ଭିତରେ ରାଜଶ୍ରୀଙ୍କ ସଂଘର୍ଷଶୀଳ ଜୀବନ ଗାଥା ହିଁ ପ୍ରତିଫଳିତ ହୋଇଛି । ବହିଟିର ପ୍ରକାଶିତ ରୂପ ସେ ଦେଖିପାରି ନଥିଲେ । ସେହି ବହିଟି ପାଇଁ ସେ ଖୁବ୍ ବ୍ୟସ୍ତ ହେଉଥିଲେ । କିନ୍ତୁ କେତେକ ଅବାଞ୍ଛିତ କାରଣ ହେତୁ ବହିଟି ଲୋକଲୋଚନକୁ ଆସିପାରି ନଥିଲା । ତାଙ୍କ ମୃତ୍ୟୁ ପରେ ବହୁ ଚେଷ୍ଟା କରାଯାଇ ବହିଟିକୁ ପ୍ରକାଶ କରାଗଲା । କଟକର ତିଥି ପ୍ରକାଶନୀ ଏହାର ପ୍ରକାଶକ । ରାଜଶ୍ରୀଙ୍କ ମୃତ୍ୟୁବାର୍ଷିକୀ ଅବସରରେ ପୁସ୍ତକଟି ଉନ୍ମୋଚିତ ହୋଇଥିଲା ।

ଉପନ୍ୟାସ ବ୍ୟତୀତ ରାଜଶ୍ରୀଙ୍କ ଅନେକ ଗଳ୍ପ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ବେଶ୍ ଲୋକପ୍ରିୟତା ହାସଲ କରିଛି । ସେଗୁଡ଼ିକ ଏପର୍ଯ୍ୟନ୍ତ ସଂକଳିତ ହୋଇପାରି ନାହିଁ । କବିତାଗୁଡ଼ିକ ମଧ୍ୟରେ ରାଜଶ୍ରୀଙ୍କ “ରାବଣାୟନ” କବିତାଟି ସେତେବେଳେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସମସାମୟିକ ସମସ୍ୟାକୁ ନେଇ ତାଙ୍କର କେତେକ ଅପ୍ରକାଶିତ ପ୍ରବନ୍ଧ ମଧ୍ୟ ରହିଛି । କଲିକତାରୁ ଶମ୍ଭୁନାଥ ଦାସଙ୍କ ଦ୍ୱାରା ପ୍ରକାଶିତ ‘ଅଭିଯାନ’ ଓ ଦିଲ୍ଲୀପ ବେହୁରାଙ୍କ ‘ଜନସୁଧା’ ପତ୍ରିକାରେ ତାଙ୍କର ଅନେକ ଗଳ୍ପ ଓ କବିତା ପ୍ରକାଶିତ ହୋଇଥିଲା ।

ରାଜଶ୍ରୀଙ୍କ ପରିବାର କୃପାଳୁଜୀ ମହାରାଜଙ୍କଠାରୁ ଦୀକ୍ଷିତ ଥିଲେ । ସେ କୃପାଳୁଜୀଙ୍କ ଦର୍ଶନ ସମ୍ବଳିତ ହିନ୍ଦୀ ବହିଗୁଡ଼ିକୁ ଓଡ଼ିଆରେ ଅନୁବାଦ କରିଥିଲେ । ବହିଗୁଡ଼ିକ କୃପାଳୁଜୀଙ୍କ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଥିଲା । ଏହି ପୁସ୍ତକଗୁଡ଼ିକରେ ଅନୁବାଦକଙ୍କ ନାମ ରହୁ ନଥିବାରୁ ସେ ମନ ଊଣା କରୁଥିଲେ; ତଥାପି ଧାର୍ମିକ କର୍ମ ହିସାବରେ ସେ ଏହା ସମ୍ପନ୍ନ କରୁଥିଲେ । ରାଜଶ୍ରୀଙ୍କ “କୃଷ୍ଣାୟନ” ଶୀର୍ଷକରେ ଏକ ଅସମ୍ପୂର୍ଣ୍ଣ ଉପନ୍ୟାସ ରହିଛି । ଏହାଛଡ଼ା ତାଙ୍କର ଆହୁରି ଅନେକ ଅପ୍ରକାଶିତ ବିଭିନ୍ନ ଲେଖାମାନ ରହିଛି ।

ସୀମିତ ଆୟୁଷ ଓ ଅସୀମ ସୃଜନ ଶୋଷ-

ରାଜଶ୍ରୀ ୪୨ ବର୍ଷ ବଞ୍ଚିଥିଲେ । ଡାକ୍ତରମାନଙ୍କର ସବୁ ଭବିଷ୍ୟତବାଣୀକୁ ସେ ଭୁଲ୍ ପ୍ରମାଣିତ କରିଦେଇଥିଲେ । ସେ ଯେଉଁ ରୋଗରେ ପୀଡ଼ିତ ହୋଇଥିଲେ, ସେଥିରେ ରୋଗୀ କ୍ଷୀଣାୟୁ ହୋଇଥାନ୍ତି । ରାଜଶ୍ରୀଙ୍କ ଆୟୁଷ ମାତ୍ର ୧୮ ବର୍ଷ ବୋଲି ଡାକ୍ତର କହିଥିଲେ । କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ସେ ୪୨ ବର୍ଷ ବଞ୍ଚିଥିଲେ । ଏହାର କାରଣ ସମ୍ପର୍କରେ ଡାକ୍ତର କହିଥିଲେ ଯେ, ତାଙ୍କର ସୃଜନଶୀଳତା ହିଁ ତାଙ୍କର ଜୀବନୀଶକ୍ତିକୁ ଆହୁରି ଶକ୍ତ କରିଦେଇଥିଲା । ସେ ଖୁବ୍ ସକ୍ରିୟ ହୋଇ ପଡ଼ୁଥିଲେ; ଲେଖୁଥିଲେ ଓ ପଢ଼ୁଥିଲେ । ଘରର ବୟସ୍କମାନେ ତାଙ୍କୁ ଲେଖାପଢ଼ା ଛାଡ଼ି ଦୀକ୍ଷାଗୁରୁ କୃପାଳୁଜୀ ମହାରାଜଙ୍କ ଶରଣରେ ରହିବାକୁ ଉପଦେଶ ଦେଉଥିଲେ । କେଉଁ ଜନ୍ମରେ କି ପାପ କରିଥିବାରୁ ଏ ଜନ୍ମରେ ଏମିତି ଭୋଗୁଛ କହି ଠାକୁରଙ୍କ ଧ୍ୟାନରେ ରହି ପାପ ପ୍ରକ୍ଷାଳନ କରିବାକୁ ପରାମର୍ଶ ଦେଉଥିଲେ । ରାଜଶ୍ରୀ କିନ୍ତୁ ଏସବୁକୁ ଅନ୍ଧବିଶ୍ୱାସ କହି ସେମାନଙ୍କର ଅପ୍ରିୟ ହେଉଥିଲେ । ତାଙ୍କର ଅନେକ ଅକୁହା କଥା ସେ ଏହି ଲେଖିକାଙ୍କ ଆଗରେ ପ୍ରକାଶ କରି ମାନସିକ ଶାନ୍ତି ପାଉଥିଲେ । ତାଙ୍କର ଲେଖାଗୁଡ଼ିକ ପ୍ରକାଶ କରିବାର ଦାୟିତ୍ୱ ନେଇଥିବାରୁ ଲେଖିକାଙ୍କ ଉପରେ ତାଙ୍କର ଖୁବ୍ ଭରସା ଥିଲା । ଏହାଛଡ଼ା ଲେଖାଲେଖି ପାଇଁ ଆବଶ୍ୟକ ସ୍ଥଳେ ସେ ପରାମର୍ଶ ନେଉଥିଲେ ।

ସେ ପରିବାରର ଜ୍ୟେଷ୍ଠ କନ୍ୟା ଥିଲେ । ବୁଦ୍ଧି-ବିବେକରେ ମଧ୍ୟ ସେ ସେମିତି ଜ୍ୟେଷ୍ଠ ସୁଲଭା ଥିଲେ । ଘରେ ସେ ଜଣେ ପୁଅ ପରି ସବୁ ନ୍ୟାୟ-ନିଷ୍ପତ୍ତିରେ ଭାଗ ନେଉଥିଲେ । ଘରେ ଯାହା କିଛି ହେଉଥିଲା, ତାଙ୍କ ବିନା ଅନୁମତିରେ କିଛି ହେଉ ନଥିଲା । ସାନ ଭାଇଭଉଣୀଙ୍କ ବିବାହ ପାଇଁ ପ୍ରାର୍ଥୀ ବାଛିବା, ସାନ ଭାଇଭଉଣୀଙ୍କ ପଢ଼ାପଢ଼ି ଓ ଗୃହ ନିର୍ମାଣରେ ବାସ୍ତୁଶାସ୍ତ୍ରାନୁମୋଦିତ ପରାମର୍ଶମାନ ମଧ୍ୟ ଦେଉଥିଲେ । ପରିବାରରେ ବୟସ୍କ ବୃଦ୍ଧାମାନଙ୍କ ପରି ସେ ସବୁ ଟିକିନିଖି ଖବର ରଖୁଥିଲେ । ଆବଶ୍ୟକ ସ୍ଥଳେ ସେ ସୁଚିନ୍ତିତ ପରାମର୍ଶ ଦେଉଥିଲେ । ଏବେ ସୁଦ୍ଧା ତାଙ୍କର ପିତାମାତା ଓ ପରିବାରର ଅନ୍ୟାନ୍ୟ ସଦସ୍ୟ ଏହି ଗୁଣବତୀ ପ୍ରତିଭାମୟୀ ଝିଅଟିକୁ ଝୁରି ହେଉଛନ୍ତି । କହିବା ବାହୁଲ୍ୟ ଯେ, ରାଜଶ୍ରୀଙ୍କ ଜୀବନ ଆଧାରିତ ଦୁଇଟି ଗଳ୍ପ ‘ଆତ୍ମଲିପି’ ଓ ‘ଝଙ୍କାର’ରେ ପ୍ରକାଶିତ ହୋଇ ବେଶ୍ ପାଠକୀୟତା ଅର୍ଜନ କରିଥିଲା ।

ଆଲୋଚନାର ଅନ୍ତରାଳରେ ରହିଗଲା ଏହି ବିରଳ ଦିବ୍ୟାଙ୍ଗ ପ୍ରତିଭା-

୨୦୧୮ ମସିହା ଡିସେମ୍ବର ୧୪ ତାରିଖରେ ରାଜଶ୍ରୀ ମୃତ୍ୟୁବରଣ କରିଥିଲେ । ତାଙ୍କର ପ୍ରତିଭା ତୁଳନାରେ ସେ ସମାଜରୁ ଉପଯୁକ୍ତ ସମ୍ମାନ ପାଇପାରିଲେ ନାହିଁ । ବଣମଲ୍ଲୀ ପରି ସେ ତାଙ୍କର ପ୍ରତିଭାକୁ କିଛିକ୍ଷଣ ପାଇଁ ସୁରଭିତ କରି ସେମିତି ହଜିଗଲେ । ସେ ଲେଖିଥିବା ଅନେକ ଅପ୍ରକାଶିତ ଲେଖା ସେମିତି କାର୍ଟୁନ୍ ମାନଙ୍କରେ ଭର୍ତ୍ତି ହୋଇ ରହିଛି । ତାଙ୍କର ପ୍ରକାଶିତ ବହିଗୁଡ଼ିକ ମଧ୍ୟ ସେହିପରି ଘରେ ଗଦା ହୋଇ ରହିଛି । କେହି ସହୃଦୟ ବ୍ୟକ୍ତି, ଅନୁଷ୍ଠାନ ଅଥବା ସରକାରୀ ଅନୁଷ୍ଠାନ ଏଥିପ୍ରତି ଦୃଷ୍ଟି ପ୍ରଦାନ କଲେ ଏବଂ ତାଙ୍କର ଅପ୍ରକାଶିତ ପାଣ୍ଡୁଲିପିଗୁଡ଼ିକ ପ୍ରକାଶ କଲେ, ସେଗୁଡ଼ିକ ଓଡ଼ିଆ ସାହିତ୍ୟ ପାଇଁ ଅମୂଲ୍ୟ ସମ୍ପଦ ହୁଅନ୍ତା ।

Share the post

Leave a Reply

Your email address will not be published. Required fields are marked *

Autism Spectrum Disorder: 21st Century's New Challenge

ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ : ଏକବିଂଶ ଶତାବ୍ଦୀର ନୂତନ ଆହ୍ୱାନ୍

ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ (Autism Spectrum Disorder) ଏକ ସ୍ନାୟୁଗତ ବିକାଶ ଜନିତ ସ୍ଥିତି । ବିଗତ କିଛି ବର୍ଷ ମଧ୍ୟରେ ଅଟିଜିମ୍ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଥିଲେ ମଧ୍ୟ, ବର୍ତ୍ତମାନ ସମୟରେ ଏହି...
New Stream in Denial of Disability: Combined Effort of Technology, Humanity, and Social Justice

ଦିବ୍ୟାଙ୍ଗତା ନିରାକରଣ କ୍ଷେତ୍ରରେ ନୂତନ ଧାରା: ପ୍ରଯୁକ୍ତିବିଦ୍ୟା, ମାନବିକତା ଏବଂ ସାମାଜିକ ନ୍ୟାୟର ମିଳିତ ପ୍ରୟାସ

ଦିବ୍ୟାଙ୍ଗତାକୁ ସମ୍ବୋଧିତ କରିବାର ନୂତନ ପଥ ଏକ ବ୍ୟାପକ ଏବଂ ଅନ୍ତର୍ଭୁକ୍ତିକାରୀ (Inclusive) ଦୃଷ୍ଟିକୋଣକୁ ଗ୍ରହଣ କରେ । ଏହା କେବଳ ବ୍ୟକ୍ତିବିଶେଷଙ୍କର କ୍ଷତିପୂରଣ ଉପରେ ଗୁରୁତ୍ଵ ନ ଦେଇ, ସେମାନଙ୍କର ସମ୍ଭାବନାକୁ (Potential)...

ବରଫ ତରଳିବା ଆରମ୍ଭ କରିଛି…ଦିବ୍ୟାଙ୍ଗଙ୍କ ପ୍ରତି ଦୃଷ୍ଟି ବଦଳୁଛି

ଖୁବ୍ ଛୋଟ ବୟସରୁ ପୋଲିଓଗ୍ରସ୍ଥ ହୋଇ ଶାରୀରିକ ଭାବେ ଚଳନଶକ୍ତି ବାଧିତ ହୋଇଥିଲେ ସତ, କିନ୍ତୁ ନିଜର ଦୃଢ ମନୋବଳ ଓ ମେଧାଶକ୍ତିର ବିନିମୟରେ ଯେଉଁ ସଂଖ୍ୟାଧିକ ଗବେଷଣା ନିଃସୃତ ନିଦର୍ଶନ ସୃଷ୍ଟି କରି...
Lifestyle-Induced Spinal Problems and Progressive Disability

ଜୀବନଶୈଳୀ ଜନିତ ମେରୁଦଣ୍ଡ ସମସ୍ୟା ଓ କ୍ରମବର୍ଦ୍ଧିଷ୍ଣୁ ଅକ୍ଷମତା

ମେରୁଦଣ୍ଡର ଅନେକ ସମସ୍ୟା ମଧ୍ୟରେ, ପିଠି ଯନ୍ତ୍ରଣା ସବୁଠାରୁ ସାଧାରଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ ପ୍ରାୟ ୬୧୯ ନିୟୁତ ଲୋକ ପିଠି ଯନ୍ତ୍ରଣା ସହିତ ବଞ୍ଚନ୍ତି। ଏହା ମଧ୍ୟ ଅକ୍ଷମତାର...
New Disability Law and Call

ନୂତନ ଭିନ୍ନକ୍ଷମ ଆଇନ୍ ଓ ଆହ୍ୱାନ

ଏହି ନୂତନ ଆଇନ୍ ପ୍ରଣୟନର ଏକ ଦଶନ୍ଧି ସନ୍ନିକଟ ଯାତ୍ରାର ନିକଟବର୍ତ୍ତୀ ହୋଇ ମଧ୍ୟ ତାହାର ସୁଫଳ ଓ ପ୍ରଭାବର ଆଶାନୁରୂପକ ଲକ୍ଷ୍ୟଠାରୁ ତଥାପି ଆମେ ବହୁ ଦୂରରେ ।