ନାରୀ ଓ ଭିନ୍ନକ୍ଷମତା

ଭିନ୍ନକ୍ଷମ ନାରୀମାନଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କେବଳ ଆୟର ଉତ୍ସ ନୁହେଁ, ବରଂ ସ୍ୱାଭିମାନ, ଆତ୍ମନିର୍ଭରତା ଓ ସାମାଜିକ ସ୍ୱୀକୃତିର ମାଧ୍ୟମ । ଯଥାଯଥ ପ୍ରଶିକ୍ଷଣ କୌଶଳର ବିକାଶ ଓ ସହାୟତା ମିଳିଲେ ସେମାନେ ବିଭିନ୍ନ କ୍ଷେତ୍ରରେ ସଫଳତାର ସହ କାମ କରିପାରନ୍ତି ।

ନାରୀ ଓ ଭିନ୍ନକ୍ଷମତାର ଯାତ୍ରା ମଧ୍ୟରେ ଭରିରହିଛି ଏକ ଦନ୍ତୁରିତ ସଂଘର୍ଷପୂର୍ଣ୍ଣ ଇତିହାସ । ଯାହାକୁ ସମାଜ ଦିବ୍ୟାଙ୍ଗ ଓ ଭିନ୍ନକ୍ଷମ ପରି ଶବ୍ଦରେ ନାମିତ କରେ, ସେମାନେ ହିଁ ତଥାକଥିତ ସମାଜର ଏକ ଅଦୃଶ୍ୟ ଅବହେଳିତ ବର୍ଗ ହୋଇ ରହିଛନ୍ତି । ଏହି ଯାତ୍ରାର ବିକାଶରେ ସେମାନଙ୍କ ସୁରକ୍ଷା ଓ ଅଧିକାର ପାଇଁ ଆଇନ ପ୍ରଣୟନ ହୋଇସାରିଛି । ଧୀରେ ଧୀରେ ଦୃଷ୍ଟିକୋଣ ବଦଳୁଛି । ଏହାସତ୍ତ୍ୱେ ମଧ୍ୟ ଭିନ୍ନକ୍ଷମତା ଭୋଗ କରୁଥିବା ନାରୀଟିଏ ନିଜ ଜୀବନର ପ୍ରତିଟି କ୍ଷେତ୍ରରେ ବଞ୍ଚିତ ହୋଇ ରହିଯାଏ । ଆତ୍ମବଳ, ନିରନ୍ତର ସଂଘର୍ଷ ଓ ପ୍ରୋତ୍ସାହନର ପ୍ରବେଶ ପଥ ଦେଇ ସେମାନେ କ୍ରମଶଃ ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି । ଏହା ହିଁ ସାମ୍ପ୍ରତିକ ଦୃଶ୍ୟପଟ୍ଟରେ ଏକ ଆଶ୍ୱାସନାର ବିଷୟ । ଭିନ୍ନକ୍ଷମତା ଓ ନାରୀ ମଧ୍ୟରେ ରହିଥିବା ଏହି ଅନ୍ତଃହୀନ ନିର୍ଦ୍ଦୟ ସଂଘର୍ଷ ଓ ସଫଳତାର ବିବିଧ ଚିତ୍ର ଓ ଚରିତ୍ରକୁ ଏଠାରେ ଉପସ୍ଥାପିତ କରୁଛୁ ।

ପ୍ରସ୍ତୁତି ଓ ଉପସ୍ଥାପନା ସଂଯୋଜନା: ପୁନର୍ବାସ ସମାଚାର
ସହଯୋଗିତା: ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ

ପୌରାଣିକ ଗାଥା ଓ ଇତିହାସରେ ଭିନ୍ନକ୍ଷମ ନାରୀଙ୍କ ପଦଚିହ୍ନ:-

ପୌରାଣିକ ଗାଥା ଓ କିମ୍ବଦନ୍ତୀଗୁଡ଼ିକ କେବଳ ଧାର୍ମିକ କିମ୍ବା କଳ୍ପନାମୟ କଥା ନୁହେଁ, ସେଗୁଡ଼ିକ ସମାଜର ମାନସିକତା, ମୂଲ୍ୟବୋଧ ଓ ମାନବିକ ଦୃଷ୍ଟିକୋଣକୁ ପ୍ରତିବିମ୍ବିତ କରେ । ସେହି ଗାଥାଗୁଡ଼ିକ ଭିନ୍ନକ୍ଷମତାକୁ କେବଳ ଶାରୀରିକ ଅସମର୍ଥତା ଭାବରେ ନୁହେଁ, ବରଂ ଆନ୍ତରିକ ଶକ୍ତି, ଧୈର୍ଯ୍ୟ, ତ୍ୟାଗ ଓ ଅସାଧାରଣ କ୍ଷମତାର ପ୍ରତୀକ ଭାବେ ମଧ୍ୟ ଦେଖାଇଛନ୍ତି ।

କୁବ୍ଜା, ଗାନ୍ଧାରୀ, ଅହଲ୍ୟା, ସୂର୍ପଣଖା, ମନ୍ଥରା ଆଦି ମହିଳାମାନେ ଜନ୍ମତଃ ଭିନ୍ନକ୍ଷମ ହୁଅନ୍ତୁ ବା ଭିନ୍ନକ୍ଷମତାକୁ ସ୍ୱେଚ୍ଛାରେ ବରଣ କରନ୍ତୁ ନତୁବା କାହାଦ୍ୱାରା ଭିନ୍ନକ୍ଷମତାର ଶିକାର ହୋଇଥାନ୍ତୁ, ମାତ୍ର ସେମାନଙ୍କ ଭିନ୍ନକ୍ଷମତା ସତ୍ତ୍ୱେ ବି ସେମାନେ ଜଣେ ଜଣେ ମହତ୍ ମଣିଷର ପରିଚୟ ବହନ କରିଛନ୍ତି । ଯେପରିକି ଗାନ୍ଧାରୀ, ଯିଏ କି ମହାଭାରତର ଜଣେ ଚରିତ୍ର । ସେ ପତି ଧ୍ରୁତରାଷ୍ଟ୍ରଙ୍କ ଅନ୍ଧତାକୁ ସହି ନ ପାରି ସ୍ୱଇଚ୍ଛାରେ ଆଖିରେ ପଟି ବାନ୍ଧି ନିଜକୁ ଦୃଷ୍ଟିହୀନ କରିଥିଲେ । ଏହା ସତ୍ତ୍ୱେ ବି ସେ ନୀତି, ଧୈର୍ଯ୍ୟ ଓ ମାତୃସ୍ନେହର ଏକ ଅଦ୍ଭୁତ ଦୃଷ୍ଟାନ୍ତ । ଏଠାରେ ଶିକ୍ଷା ମିଳେ କି ଭିନ୍ନକ୍ଷମତା ଜଣେ ନାରୀର ବୌଦ୍ଧିକ ଓ ନୀତିଗତ ଶକ୍ତିକୁ କମାଇପାରେ ନାହିଁ । ପୁନଶ୍ଚ, କୁବ୍ଜା ଜଣେ ପୌରାଣିକ ଚରିତ୍ର । କାହାଣୀ ଅନୁଯାୟୀ ସେ କଂସର ନଗରୀ ମଥୁରାରେ ରହୁଥିବା ଜଣେ କୁଜି ସ୍ତ୍ରୀ, ଯାହାକୁ ଶ୍ରୀକୃଷ୍ଣ ଉଦ୍ଧାର କରିଥିଲେ । ଭାଗବତ ପୁରାଣ ଅନୁଯାୟୀ, କୃଷ୍ଣଙ୍କ ଦର୍ଶନ ପାଇ ତାଙ୍କର କୁଜିପଣ ଦୂର ହୋଇଥିଲା ଏବଂ ସେ ସୁନ୍ଦର ରୂପ ଲାଭ କରିଥିଲେ । ଏହି ଉଦ୍ଧାର ଲୀଳାଟି ଭାଦ୍ରବ ଶୁକ୍ଳ ଦଶମୀରେ ଶ୍ରୀମନ୍ଦିରରେ ପାଳନ କରାଯାଏ । ସେହିପରି ଖଳଚରିତ୍ର ହୋଇଥିଲେ ସୁଦ୍ଧା ସୂର୍ପଣଖା ଓ ମନ୍ଥରା ଉଭୟ ଶାରୀରିକ ଭାବରେ ଭିନ୍ନକ୍ଷମ ଥିଲେ ।

ଇତିହାସ ଆଉ କିମ୍ବଦନ୍ତୀକୁ ଦୃଷ୍ଟିପାତ କଲେ ନିରାଶ ହେବାକୁ ପଡ଼େନି । ଓଡ଼ିଆରେ ସୁପ୍ରଚଳିତ କିମ୍ବଦନ୍ତୀଟି ହେଉଛି ଖନାବଚନ । ଯାହା ବହୁ ପ୍ରାଚୀନ ହୋଇଥିଲେ ସୁଦ୍ଧା ବର୍ତ୍ତମାନର ବୈଜ୍ଞାନିକଙ୍କ ସିଦ୍ଧାନ୍ତକୁ ତାହା ଫିକା ପକାଇଦେବାର ସାମର୍ଥ୍ୟ ରଖିଛି । ସୁତରାଂ ସେହିଟି ରାଣୀ ଲୀଳାବତୀଙ୍କ ମୁଖର ବାଣୀ । ଭିନ୍ନକ୍ଷମତାକୁ ଆଦରି ନେବା ପୂର୍ବରୁ ସେ କହିଯାଇଥିବା ଅନେକ ଜରୁରୀ କଥା ହେଉଛି ଖନାବଚନ । ତେବେ ଇତିହାସରେ ଅନ୍ଧ ଓ ବଧିର ହୋଇ ମଧ୍ୟ ଜଣେ ପ୍ରସିଦ୍ଧ ଲେଖିକା, ଶିକ୍ଷାବିତ୍ ଓ ସାମାଜିକ କର୍ମୀ ଭାବରେ ହେଲେନ୍ କେଲର ଭିନ୍ନକ୍ଷମତାର ପରିଧିରେ ନ ଥିବାର ବୋଧ ହୁଏ । ଭିନ୍ନକ୍ଷମତା ସତ୍ତ୍ୱେ ସେହି ଯନ୍ତ୍ରଣାକୁ ଚିତ୍ରରେ ରୂପ ଦେଇଥିବା ବିଶ୍ୱପ୍ରସିଦ୍ଧ ଚିତ୍ରକାର ହେଉଛନ୍ତି ଫ୍ରିଡା କାଲୋ । ନୃତ୍ୟଶିଳ୍ପୀ ସୁଧା ଚନ୍ଦ୍ରନ୍ ମଧ୍ୟ ଥିଲେ ଭିନ୍ନକ୍ଷମ । ସେ ଦୁର୍ଘଟଣାରେ ଗୋଡ଼ ହରାଇବା ପରେ କୃତ୍ରିମ ଗୋଡ଼ ଦ୍ୱାରା ନୃତ୍ୟ ପରିବେଷଣ କରୁଥିଲେ । ଆରୁଣିମା ସିହ୍ନା ହେଉଛନ୍ତି ଏକପାଦୀ ପର୍ବତାରୋହୀ । ଟ୍ରେନ୍ ଦୁର୍ଘଟଣା ପରେ ଗୋଡ଼ ହରାଇଥିଲେ । ମାତ୍ର ମାଉଣ୍ଟ ଏଭରେଷ୍ଟ ଚଢ଼ି ଇତିହାସ ରଚିଥିଲେ ।

ସୁତରାଂ ଭିନ୍ନକ୍ଷମତା ଗୋଟିଏ ବ୍ୟାଧି ନୁହେଁ, ବରଂ ଭିନ୍ନକ୍ଷମତାକୁ ବିରୋଧ କରୁଥିବା ମଣିଷମାନେ ମାନସିକ ଭାବରେ ବ୍ୟାଧିଗ୍ରସ୍ତ ।

ବିଶ୍ୱ ପରିପ୍ରେକ୍ଷୀରେ ନାରୀ ଓ ଭିନ୍ନକ୍ଷମତା:-

ନାରୀ ଭିନ୍ନକ୍ଷମତା ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ମାନବାଧିକାର ଓ ଉନ୍ନୟନମୂଳକ ବିଷୟ । ସାରା ବିଶ୍ୱରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ମଧ୍ୟରେ ନାରୀମାନେ ସବୁଠାରୁ ଅଧିକ ଅବହେଳିତ ଶ୍ରେଣୀ ଭାବେ ଗଣ୍ୟ । ଜଣେ ନାରୀ ଓ ଭିନ୍ନକ୍ଷମ ବ୍ୟକ୍ତି ଭାବରେ – ଏହି ଦ୍ୱିତୀୟ ପରିଚୟ ତାଙ୍କକୁ ବହୁ ଦିଗରୁ ବଞ୍ଚିତ କରିଥାଏ ।

ବିଶ୍ୱର ମୋଟ୍ ମହିଳାଙ୍କ ମଧ୍ୟରୁ ୨୦% ହେଉଛନ୍ତି ଦିବ୍ୟାଙ୍ଗ ଅର୍ଥାତ୍ ୫ ଜଣରେ ୧ ଜଣ ସେହି ବର୍ଗ ଅନ୍ତର୍ଗତ । ଅଧିକାଂଶ ସମାଜରେ ସେମାନଙ୍କୁ ଦୁର୍ବଳ, ନିର୍ଭରଶୀଳ ଓ ଅକ୍ଷମ ଭାବେ ଦେଖାଯାଏ । ସେମାନେ ପରିବାର ଓ ସମାଜର ନିଷ୍ପତ୍ତି ପ୍ରକ୍ରିୟାରୁ ବାହାରେ ରହନ୍ତି । ବିବାହ, ମାତୃତ୍ୱ ଓ ସମ୍ପତ୍ତି ଅଧିକାରରେ ଅସମାନତା ସହ ଲିଙ୍ଗଭିତ୍ତିକ ହିଂସା ଓ ଶୋଷଣର ଶିକାର ହୁଅନ୍ତି ମଧ୍ୟ । ଏହା ମଧ୍ୟ ଯେ ଭିନ୍ନକ୍ଷମ ନାରୀମାନଙ୍କର ସାକ୍ଷରତା ହାର ପୁରୁଷ ଓ ସାଧାରଣ ନାରୀମାନଙ୍କ ତୁଳନାରେ କମ୍ । ଅନେକ ଦେଶରେ ସୁଗମ ବିଦ୍ୟାଳୟ ଓ ଶିକ୍ଷା ସାଧନର ଅଭାବ । ଡିଜିଟାଲ୍ ଡିଭାଇସ ଯୋଗୁଁ ଅନ୍‌ଲାଇନ୍ ଶିକ୍ଷାରୁ ବଞ୍ଚିତ । ଏପରିକି ଭାରତରେ ପ୍ରାୟ ୪୫% ନିରକ୍ଷର ଅଟନ୍ତି । ଏ ଦୃଷ୍ଟିରୁ ଦେଖିଲେ, ଦକ୍ଷତା ବିକାଶର ସୁଯୋଗ କମିଯାଏ । ସେହିପରି ବିଶ୍ୱସ୍ତରରେ ଭିନ୍ନକ୍ଷମ ନାରୀମାନଙ୍କର ନିଯୁକ୍ତି ହାର ଅତ୍ୟନ୍ତ କମ୍ । ସେମାନଙ୍କ ପାଇଁ ବେସରକାରୀ କ୍ଷେତ୍ରରେ ଭେଦଭାବ, ସୁଗମ କାର୍ଯ୍ୟସ୍ଥଳ ଓ ଯାତାୟାତର ଅଭାବ ମୁଖ୍ୟ ପ୍ରତିବନ୍ଧକ ସାଜେ । ତଥ୍ୟ ଦର୍ଶାଏ, ରାଜନୀତି କ୍ଷେତ୍ରରେ କେବଳ ୨.୩% ଅକ୍ଷମ ମହିଳା ବିଧାୟକ, ବରିଷ୍ଠ କର୍ମଚାରୀ ବା ସମୂହ ପରିଚାଳକ ରୂପେ ପଦପଦବୀରେ ଅଛନ୍ତି । ଦିବ୍ୟାଙ୍ଗମାନେ ସ୍ୱାସ୍ଥ୍ୟସେବା ପାଇଁ ଅଧିକ ସମସ୍ୟାର ସମ୍ମୁଖୀନ । ମାତୃସ୍ୱାସ୍ଥ୍ୟ, ମନୋସ୍ୱାସ୍ଥ୍ୟ ଉପରେ ଅଳ୍ପ ଧ୍ୟାନ, ଗରିବ ଦେଶଗୁଡ଼ିକରେ ପୁନର୍ବାସ ସୁବିଧାର ବିପର୍ଯ୍ୟସ୍ତ ଅବସ୍ଥାକୁ ଦେଖିବାକୁ ମିଳେ । ୨୦୨୫ ମସିହାର ଗୋଟିଏ ସର୍ଭେରୁ ଜଣାପଡ଼ିଛି, ୮୦%ରୁ ଅଧିକ ଅକ୍ଷମ ବ୍ୟକ୍ତି, ବିଶେଷ କରି ମହିଳାଙ୍କର ଉପଯୁକ୍ତ ସ୍ୱାସ୍ଥ୍ୟବୀମା ନାହିଁ । ଆଇନ କ୍ଷେତ୍ରରେ ଆନ୍ତର୍ଜାତୀୟ ସ୍ତରରେ ୟୁଏନ୍ କନଭେନ୍ସନ୍ ଅନ୍ ଦ ରାଇଟ୍ସ ଅଫ୍ ପର୍ସନ୍ସ ୱିଥ୍ ଡିଜାବିଲିଟିଜ୍ (UNCRPD) ଭିନ୍ନକ୍ଷମ ନାରୀମାନଙ୍କ ଅଧିକାରକୁ ସ୍ୱୀକୃତି ଦେଇଛି । ତେବେ ଅନେକ ଦେଶ ଆଇନ ପ୍ରଣୟନ କରିଛନ୍ତି । କିନ୍ତୁ ନୀତି ଓ ବାସ୍ତବ ପ୍ରୟୋଗ ମଧ୍ୟରେ ଅନ୍ତର ରହିଛି ।

ପାରା ଅଲମ୍ପିକ୍ସ, କଳା ଓ ସାହିତ୍ୟ କ୍ଷେତ୍ରରେ କିଛି ଭିନ୍ନକ୍ଷମ ନାରୀ ବିଶ୍ୱସ୍ତରରେ ସଫଳତା ହାସଲ କରିଛନ୍ତି । ଏହା ସତ୍ତ୍ୱେ, ପ୍ରତିନିଧିତ୍ୱ ଏବେ ମଧ୍ୟ ସୀମିତ । ମିଡ଼ିଆ ଓ ସାମାଜିକ ସ୍ୱୀକୃତି ବିପର୍ଯ୍ୟସ୍ତ ।

ବିଶ୍ୱ ପରିପ୍ରେକ୍ଷୀରେ ନାରୀ ଭିନ୍ନକ୍ଷମତାର ସ୍ଥିତି ଧୀରେ ଧୀରେ ସୁଧାର ହେଉଥିଲେ ମଧ୍ୟ, ସମାନତା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ଶିକ୍ଷା, ନିଯୁକ୍ତି, ସ୍ୱାସ୍ଥ୍ୟ, ସୁରକ୍ଷା ଓ ସମ୍ମାନ – ସମସ୍ତ କ୍ଷେତ୍ରରେ ସମାବେଶୀ ନୀତି ଓ ଦୃଢ଼ ପ୍ରୟୋଗ ହେଲେ, ଭିନ୍ନକ୍ଷମ ନାରୀମାନେ ସମାନ ଅଧିକାର ଓ ସୁଯୋଗ ପାଇପାରିବେ ।

ନାରୀ ଭିନ୍ନକ୍ଷମତା ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ, ମାନବାଧିକାର ଓ ଉନ୍ନୟନମୂଳକ ବିଷୟ । ସାରା ବିଶ୍ୱରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ମଧ୍ୟରେ ନାରୀମାନେ ସବୁଠାରୁ ଅଧିକ ଅବହେଳିତ ଶ୍ରେଣୀ ଭାବେ ଗଣ୍ୟ । ଜଣେ ନାରୀ ଭାବରେ ଓ ଭିନ୍ନକ୍ଷମ ବ୍ୟକ୍ତି ଭାବରେ – ଏହି ଦ୍ୱିତୀୟ ପରିଚୟ ତାଙ୍କୁ ବହୁ ଦିଗରେ ବଞ୍ଚିତ କରିଥାଏ ।

୨୦୧୧ ମସିହା ଜନଗଣନା ଆଧାରରେ ଭାରତରେ ଭିନ୍ନକ୍ଷମ ମହିଳା ଏବଂ ବାଳିକାମାନଙ୍କ ପରିସଂଖ୍ୟାନ ଓ ଶୈକ୍ଷିକ ସ୍ଥିତି –

ଏହି ଜନଗଣନା ଅନୁଯାୟୀ ଭାରତରେ ୧୧,୮୨୪,୩୫୫ ମହିଳା ଭିନ୍ନକ୍ଷମ ଅଟନ୍ତି, ଯାହା ମୋଟ ଭିନ୍ନକ୍ଷମ ଜନସଂଖ୍ୟାର ୪୪.୦୯% ।
ମହିଳା ଓ ବାଳିକାମାନଙ୍କ ମଧ୍ୟରେ ରହିଥିବା ଭିନ୍ନକ୍ଷମତାର ପ୍ରକାର:
୨୦% ଭିନ୍ନକ୍ଷମ ମହିଳାଙ୍କ ଦୃଷ୍ଟି ଦୁର୍ବଳତା ଅଛି
୨୦% ଶ୍ରବଣ ଦୁର୍ବଳତା ଅଛି
୧୮% ଗତିଶୀଳତାଜନିତ ଦୁର୍ବଳତା ଅଛି
୮% ବହୁବିଧ ଅକ୍ଷମତା ଅଛି

ସର୍ବାଧିକ ସଂଖ୍ୟକ ଭିନ୍ନକ୍ଷମ ମହିଳା ୧୦ରୁ ୧୯ ବୟସ ବର୍ଗ ମଧ୍ୟରେ ବାସ କରନ୍ତି । ଏହା ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ସହଳ ହସ୍ତକ୍ଷେପ ସେବା (Early Intervention Programme) କାର୍ଯ୍ୟକ୍ରମର ଗୁରୁତ୍ୱକୁ ସୂଚାଇଥାଏ ।

ନାରୀ ଭିନ୍ନକ୍ଷମତା: ଶିକ୍ଷା ଓ ନିଯୁକ୍ତି:-

ଭିନ୍ନକ୍ଷମତା ସହ ଲଢୁଥିବା ନାରୀଟିର ଶିକ୍ଷାଗ୍ରହଣ ଓ ନିଯୁକ୍ତି ଆଧୁନିକ ସମାଜରେ ସମାନତା ଓ ସଶକ୍ତିକରଣର ଗୁରୁତ୍ୱପୂର୍ଣ୍ଣ ବିଷୟ । ଭିନ୍ନକ୍ଷମ ନାରୀମାନେ ଦ୍ୱିତୀୟ ଭେଦଭାବର ସମ୍ମୁଖୀନ – ଏକପଟେ ନାରୀ ହେବାରୁ ଓ ଅନ୍ୟପଟେ ଭିନ୍ନକ୍ଷମ ହେବାରୁ । ଏହି କାରଣରୁ ସେମାନଙ୍କୁ ଶିକ୍ଷା, ପ୍ରଶିକ୍ଷଣ ଓ ନିଯୁକ୍ତିର ସୁଯୋଗ ସମାନ ଭାବେ ମିଳୁନାହିଁ ।

ଜନଗଣନା ୨୦୧୧ ଆଧାରରେ ଭିନ୍ନକ୍ଷମ ମହିଳାଙ୍କ ଶିକ୍ଷାଗତ ସ୍ତର:

ଏହି ଗଣନା ଆଧାରରେ ଭିନ୍ନକ୍ଷମତା ଥିବା ବାଳକମାନଙ୍କ ତୁଳନାରେ ଭିନ୍ନକ୍ଷମ ଝିଅମାନଙ୍କ ସ୍କୁଲ ଯିବାର ପରିସଂଖ୍ୟାନ କମ୍ ପରିଲକ୍ଷିତ ହୁଏ ।

ସମୁଦାୟ ଭିନ୍ନକ୍ଷମ ନିରକ୍ଷର ଜନସଂଖ୍ୟା:
ମୋଟ୍ : ୧,୨୧,୯୬,୬୪୧
ପୁରୁଷ ଭିନ୍ନକ୍ଷମ : ୫୬,୪୦,୨୪୦
ମହିଳା ଭିନ୍ନକ୍ଷମ : ୬୫,୫୬,୪୦୧

ପୁରୁଷଙ୍କ ତୁଳନାରେ ଭିନ୍ନକ୍ଷମ ମହିଳାମାନଙ୍କର ନିରକ୍ଷର ହେବାର ସମ୍ଭାବନା ଅଧିକ ।

ଭିନ୍ନକ୍ଷମ ନାରୀମାନଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କେବଳ ଆୟର ଉତ୍ସ ନୁହେଁ, ବରଂ ସ୍ୱାଭିମାନ, ଆତ୍ମନିର୍ଭରତା ଓ ସାମାଜିକ ସ୍ୱୀକୃତିର ମାଧ୍ୟମ । ଯଥାଯଥ ପ୍ରଶିକ୍ଷଣ କୌଶଳର ବିକାଶ ଓ ସହାୟତା ମିଳିଲେ ସେମାନେ ବିଭିନ୍ନ କ୍ଷେତ୍ରରେ ସଫଳତାର ସହ କାମ କରିପାରନ୍ତି ।

ଆଗରୁ ଭିନ୍ନକ୍ଷମ ନାରୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବହୁତ ସୀମିତ ଥିଲା । ସରକାରୀ କିମ୍ବା ବେସରକାରୀ କ୍ଷେତ୍ରରେ ଅଲଗା କୋଟା ପ୍ରାୟ ନ ଥିଲା । ଶିକ୍ଷା, ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ସୁବିଧାର ଅଭାବ ଥିଲା । ବିଭିନ୍ନ ସଭାସମିତି ଭୌତିକ ଭାବେ ସୁଗମ ନଥିଲା । ରାମ୍ପ, ଲିଫ୍ଟ ଓ ଟଏଲେଟ୍ ଆଦିର ଅଣବ୍ୟବସ୍ଥା ରହିଥିଲା । ସେମାନେ ଅଧିକାଂଶ ସମୟରେ ଗୃହକାର୍ଯ୍ୟ, ହସ୍ତଶିଳ୍ପ କିମ୍ବା ଅନୌପଚାରିକ କାମରେ ସୀମିତ ଥିଲେ । ୧୯୯୫ର ପର୍ସନ୍ସ ଉଇଥ୍ ଡିଜାବିଲିଟିସ୍ ଆକ୍ଟ ଥିଲେ ମଧ୍ୟ, ତାହାର ପ୍ରୟୋଗ ଦୁର୍ବଳ ଥିଲା ଏବଂ ନାରୀ ଉପରେ ଭିନ୍ନ ଭାବେ ଧ୍ୟାନ ଦିଆଯାଇ ନ ଥିଲା । ସୁତରାଂ ବର୍ତ୍ତମାନ ସମୟରେ ସେମାନଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତିର ସ୍ଥିତି ଟିକିଏ ଉନ୍ନତ ହେବାର ମନେ ହୁଏ । ଯଦିଓ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହୋଇନାହିଁ, ମାତ୍ର କିଛିମାତ୍ରାରେ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ୨୦୧୬ର ରାଇଟ୍ସ ଅଫ୍ ପର୍ସନ୍ସ ଉଇଥ୍ ଡିଜାବିଲିଟିସ୍ (RPwD) ଆକ୍ଟ ଅନୁସାରେ ସରକାରୀ ଚାକିରିରେ ୪% ଆରକ୍ଷଣ ହୋଇଥିଲା । ୭ରୁ ବଢ଼ି ୨୧ ପ୍ରକାରର ଭିନ୍ନକ୍ଷମତା ସ୍ୱୀକୃତ ହୋଇଥିଲା । ତେବେ ଆଜିର ସମୟରେ ସରକାରୀ ତଥା ବେସରକାରୀ ସ୍ତରରେ ବିଭିନ୍ନ ପ୍ରକାରର ବ୍ୟବସ୍ଥା ରହିଛି ସେମାନଙ୍କ ପାଇଁ । ଆତ୍ମନିର୍ଭର ହେବା ପାଇଁ ବାହାରକୁ ପାଦ କାଢ଼ିବା ଜରୁରୀ । ଏ ସୁନ୍ଦର ପୃଥିବୀର ସେ ଯେ ଗୋଟିଏ ମୁଖ୍ୟ ଅଂଶ, ସେଇ କଥାକୁ ସେମାନେ ହୃଦୟଙ୍ଗମ କରିବା ନିହାତି ଆବଶ୍ୟକ ।

ନାରୀ ଭିନ୍ନକ୍ଷମତା ଭିତରେ ଶିକ୍ଷା ଓ ନିଯୁକ୍ତିର ସମାନତା ସ୍ଥାପନ ପାଇଁ ସରକାର, ନିୟୋଗକର୍ତ୍ତା ଓ ସମାଜର ସଂଯୁକ୍ତ ପ୍ରୟାସ ଆବଶ୍ୟକ । ସମାନ ସୁଯୋଗ, ଆଇନଗତ ସୁରକ୍ଷା ଓ ସମାବେଶୀ କାର୍ଯ୍ୟସ୍ଥଳ ମାଧ୍ୟମରେ ଭିନ୍ନକ୍ଷମ ନାରୀମାନେ ଦେଶର ଉନ୍ନତିରେ ସକ୍ରିୟ ଭୂମିକା ନେଇପାରିବେ ।

ସାକ୍ଷାତକାର

“ସମୁଚିତ ସହଯୋଗ ରହିଲେ, ପିଏଚ୍ଡ଼ି କ’ଣ ଓଏଏସ୍, ଆଇଏଏସ୍ ପର୍ଯ୍ୟନ୍ତ ଜଣେ ଦୃଷ୍ଟିବାଧିତ ପହଞ୍ଚି ପାରିବ…”

ସମ୍ପ୍ରତି ଶିକ୍ଷା ବ୍ୟବସ୍ଥାର ଦ୍ୱାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ସଂରକ୍ଷିତ, ସୁଗମ ଓ ସହଜଲଭ୍ୟତା ହେତୁ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ଓ ଗବେଷଣା ପ୍ରଭୃତି କ୍ଷେତ୍ରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍ୱକୀୟ ପଦଚିହ୍ନର ନଜିର ସୃଷ୍ଟି କରିପାରୁଛନ୍ତି । ଆଜକୁ ତିରିଶ କି ଚାଳିଶ ବର୍ଷ ପୂର୍ବରୁ ଉଚ୍ଚଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ କାଁ ଭାଁ ବ୍ୟତିକ୍ରମଟିଏ ପରି ଭିନ୍ନକ୍ଷମ ବ୍ୟକ୍ତିର ଅସ୍ତିତ୍ୱ ରହିଥିଲା । ଆଇନଗତ ପ୍ରାବଧାନ, ସଂରକ୍ଷଣ ଓ ପ୍ରୋତ୍ସାହନ ଉଭୟ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଏକ ନୂତନ ଆଶାବାଦ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଉଚ୍ଚତର ଗବେଷଣା କ୍ଷେତ୍ରରେ କିପରି ଦିବ୍ୟାଙ୍ଗମାନେ ପ୍ରବେଶ କରି ସେମାନଙ୍କର ଭିନ୍ନ ଦକ୍ଷତାକୁ ପ୍ରତିପାଦିତ କରୁଛନ୍ତି ତାହାର ଉଦାହରଣ ହେଉଛନ୍ତି ଦୃଷ୍ଟିବାଧିତ ସ୍ନେହପ୍ରଭା ଲେଙ୍କା । ବର୍ତ୍ତମାନ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଜଣେ ଗବେଷିକା । 

ସ୍ନେହପ୍ରଭା ଲେଙ୍କା

ଦୃଷ୍ଟିବାଧିତା ମେଧାବୀ ଗବେଷିକା

ନିଜର ଗବେଷଣା, ଶୈକ୍ଷିକ ବାତାବରଣ ଓ ଜୀବନ ଦୃଷ୍ଟିକୁ ନେଇ ସେ ପ୍ରକାଶ କରିଥିବା କେତୋଟି ପ୍ରଶ୍ନର ଉତ୍ତର ଏଠାରେ ଉପସ୍ଥାପିତ କରୁଛୁ ।

୧ । ଆପଣ ଜନ୍ମରୁ ଦୃଷ୍ଟିବାଧିତା । ଏହା ମଧ୍ୟରେ ସଂଘର୍ଷ କରି ଶିକ୍ଷାକ୍ଷେତ୍ରରେ ଏତେ ବାଟ ଆସିଛନ୍ତି, ପରିବେଶର ଅନୁଭୂତିକୁ କିପରି କହିବେ?

ଉ – ପିଲାବେଳେ କଟକରେ ଯେହେତୁ ରହିଲି, ତେଣୁ ଘରେ କି ପଡ଼ୋଶୀଙ୍କ ପାଖରୁ ସେପରି କିଛି ଖରାପ ଆକ୍ଷେପ ମିଳିନି । ଭୀମଭୋଇ ସ୍କୁଲ, ଭୁବନେଶ୍ୱରରୁ ଆଜିର ପିଏଚ୍ଡ଼ି ଯାଏଁ ମୁଁ ବାହାରେ । ପ୍ରାୟତଃ ସବୁ ପରିବେଶରେ ସହଯୋଗ କରିଛନ୍ତି ମୋତେ । ମୋ ପାଠପଢ଼ା ପାଇଁ ସମସ୍ତେ ସାହାଯ୍ୟ କରିଛନ୍ତି । କେବଳ ଏମ୍ଫିଲ୍ ସମୟରେ ପ୍ରଥମରୁ କିଛି ଦିନ ପାଇଁ ହଷ୍ଟେଲ ପିଲା ମୋ ସହ ମିଶିନାହାନ୍ତି । ମୋ ଦୁର୍ବଳତାକୁ ଦେଖି ପ୍ରଥମରୁ ପିଲାମାନେ ଦୂରେଇ ଦୂରେଇ ରହିଛନ୍ତି । ମାତ୍ର ପରେ ମୋ କାର୍ଯ୍ୟକଳାପ ଦେଖି ସନ୍ତୁଷ୍ଟ ହୋଇ ମିଶିଛନ୍ତି ଖୁବ୍ ଅନ୍ତରଙ୍ଗ ଭାବରେ ।

୨ । ସାମ୍ପ୍ରତିକ ସମୟରେ ଜଣେ ଦିବ୍ୟାଙ୍ଗ ଝିଅର ନିଯୁକ୍ତିକୁ କିପରି ଦେଖୁଛନ୍ତି?

ଉ – କଷ୍ଟ ହୋଇପାରେ । ପାଠ ପଢୁଛୁ ମାନେ ଚାକିରି କରିବା ସୁନିଶ୍ଚିତ, ନ ହେଲେ ଏ ଡିଗ୍ରୀର ମୂଲ୍ୟ କ’ଣ! ରାମଚନ୍ଦ୍ର ମିଶ୍ରଙ୍କ ନାଟକ “ଗୋଧୂଳି ଲଗ୍ନ’ ଭିତରେ ସଂଳାପଟେ ଅଛି, ବିଶ୍ୱବିଦ୍ୟାଳୟର ଡିଗ୍ରୀ ଯଦି ଚାକିରି ନ ଦେଲା, ତା’ ହେଲେ ତାହା କାଗଜର ଫୁଲ ସଦୃଶ । ତେବେ ଦିବ୍ୟାଙ୍ଗ ଝିଅଟିଏ ସବୁ କରିପାରିବ । ସମୁଚିତ ସହଯୋଗ ରହିଲେ ପିଏଚ୍ଡ଼ି କ’ଣ ଓଏଏସ୍, ଆଇଏଏସ୍ ପର୍ଯ୍ୟନ୍ତ ଜଣେ ଦୃଷ୍ଟିବାଧିତ ପହଞ୍ଚି ପାରିବ । “ହଁ, ତୁ ସବୁ କରିପାରିବୁ…” ଏଇ ଗୋଟିଏ ଧାଡ଼ି ଆମ କାନକୁ ଶୁଭିବା ଆବଶ୍ୟକ ।

୩ । ସମ୍ପ୍ରତି ଆମ ସମାଜରେ ଭିନ୍ନକ୍ଷମ ମହିଳାମାନଙ୍କ ପ୍ରତି ଦୃଷ୍ଟିକୋଣ କିପରି ରହିଛି?

ଉ – ଗାଁରୁ କି ସହରରୁ ଝିଅଟେ ଯେତେବେଳେ ଜନ୍ମ ହୁଏ, ପ୍ରଥମେ ବହୁତ ଲୋକ ବିବ୍ରତ ହୋଇଯାଆନ୍ତି । ଜନ୍ମ ହୋଇଥିବା ଝିଅଟିକୁ କେମିତି ସୁରକ୍ଷା ଦେବେ ଚିନ୍ତା ନ କରି ସେମାନେ ଭାବନ୍ତି ତାକୁ ବିବାହ କରିବାକୁ ହେଲେ ବହୁତ ଟଙ୍କା ଦରକାର । କେହି ଭାବନ୍ତିନି ଏ ଝିଅଟି ବଡ଼ ହେଲା ପରେ ୟାକୁ ପାଠ ପଢ଼ାଇ ମଣିଷ କଲେ ସିଏ ତା’ ପରିଚୟ, ତା’ ଦକ୍ଷତା, ତା’ ପଇସା ଅନୁସାରେ ଭଲ ପ୍ରସ୍ତାବଟିଏ ବାଛିକି ବାହା ହେବ । ସମସ୍ତେ ତାକୁ ବୋଝ ଭାବନ୍ତି । ଭିନ୍ନକ୍ଷମଙ୍କ କଥା ତ ଆହୁରି । ଇଏ ତ କିଛି କରିପାରିବନି । ୟା ଦ୍ୱାରା କ’ଣ ହେବ । ଇଏ ତ କିଛି ଦେଖି ପାରୁନି । ଜନ୍ମ ହୋଇଛି କରିବ କ’ଣ? ଆଗ ଅପେକ୍ଷା ଏବେ ଏବେ ଟିକିଏ ଦୃଷ୍ଟିକୋଣ ବଦଳୁଛି ।

୪ । କୁହାଯାଏ ଦୃଷ୍ଟିବାଧିତ ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଗୁଣାବଳୀ ଭରି ରହିଥାଏ । ଆପଣ ମଧ୍ୟ ସେହିପରି ଖୁବ୍ ସୁନ୍ଦର ଗୀତ ଗାଇପାରନ୍ତି । ତେବେ ଏଇ କଳା ଆପଣଙ୍କୁ କେମିତି ଆତ୍ମସନ୍ତୋଷ ଦିଏ?

ଉ – ଖୁବ୍ ସୁନ୍ଦର ତ ନୁହେଁ, ଚଳନୀୟ ବୋଲେ । ଭଲ ଲାଗେ । ଏକୁଟିଆ ଲାଗେନି । ଗୀତ ଥାଏ ବୋଲି ନିଃସଙ୍ଗତାକୁ ଅନୁଭବ କରିପାରେନି । ଗୋଟେ ସୁନ୍ଦର ଦୃଶ୍ୟ ଦେଖିଲେ ସମସ୍ତେ ଯେଉଁ କଥାବାର୍ତ୍ତା କରନ୍ତି, ସେଥିରୁ ଆମେ ଅନୁଭବ କରୁ କି ସେଇଟା ସୁନ୍ଦର ହୋଇଥିବ । ବାସ୍ତବ ଅନୁଭବ ନ କରିବାର ଦୁଃଖକୁ ଗୀତ ଦ୍ୱାରା ଭୁଲିପାରୁ ଆମେ ।

୫ । ଆପଣଙ୍କ ପରି ଜୀବନରେ ଉଚ୍ଚତର ଅଭିଳାଷ ରଖୁଥିବା ଦୃଷ୍ଟିବାଧିତା ବା ଅନ୍ୟାନ୍ୟ ଦିବ୍ୟାଙ୍ଗତା ଥିବା ଝିଅମାନଙ୍କ ପାଇଁ କେଉଁ ବାର୍ତ୍ତା ରଖିବେ?

ଉ – ସମାଜରେ ବିଭିନ୍ନ ଲୋକଙ୍କର ବିଭିନ୍ନ ଦୃଷ୍ଟିକୋଣ । ତେବେ ସବୁବେଳେ ଭଲ ଜିନିଷକୁ ଗ୍ରହଣ କରିବାକୁ ପଡ଼ିବ । ନକାରାତ୍ମକତାକୁ ଏଡ଼ାଇ ବଞ୍ଚିବାକୁ ପଡ଼ିବ । ସେମିତି ହେଲେ ବହୁତ ଆଗକୁ ଯାଇ ପାରିବା । ଗୋଟେ ଭିନ୍ନକ୍ଷମଟିଏ ସବୁକିଛି କରି ପାରିବ । ମୋ ମତରେ ସେ ପାଠ ପଢ଼ିପାରିବ, ବାହା ବି ହୋଇପାରିବ । ଘର ସଂସାର କରିପାରିବ । ତା’ ଦ୍ୱାରା ସବୁକିଛି ସମ୍ଭବ । ତା’ ଭିତରେ ଦୃଢ଼ ଇଚ୍ଛାଶକ୍ତି ରହିବା ଦରକାର । ସେ ଯେଉଁମାନଙ୍କ ସହ ମିଶୁଥିବ, ସେମାନେ ତାକୁ ସପୋର୍ଟ କରିବା ଦରକାର । ସେ ସବୁକିଛି କରିପାରିବ । ତେବେ ଆମକୁ ନିଜ ଭିତରେ ନିଜର ସକାରାତ୍ମକତାକୁ ତିଆରି କରିବାକୁ ପଡ଼ିବ । ଗୋଟେ ବାଟରେ ଯାଉଛେ ମାନେ କେଉଁଠି କଣ୍ଟା, କେଉଁଠି ଫୁଲ, କେଉଁଠି ଖାଲ, କେଉଁଠି ଉଞ୍ଚା… ଏସବୁକୁ ଭେଟିବାକୁ ପଡ଼ିବ । ବିଭିନ୍ନ ମାନସିକତାର ଲୋକଙ୍କୁ ଭେଟିବାକୁ ପଡ଼ିବ । ସୁତରାଂ ପ୍ରତ୍ୟେକ ଜିନିଷରୁ ଆମକୁ ଶିଖିବାର ଅଛି ।

କୁନିଲତା ବାରିକ

ସଫଳ ଦିବ୍ୟାଙ୍ଗ କର୍ମଜୀବୀ

ସଂଘର୍ଷପୂର୍ଣ୍ଣ ଯାତ୍ରା ମୋତେ ଶିଖାଇଛି, ସଫଳତା ପାଇବା ପାଇଁ ଅସମ୍ଭବ କିଛି ନୁହେଁ…

ନିଯୁକ୍ତି କ୍ଷେତ୍ରରେ ଦିବ୍ୟାଙ୍ଗ ମହିଳାମାନଙ୍କ ପ୍ରବେଶର ପ୍ରକ୍ରିୟା ବିବିଧ କାରଣରୁ ବିଳମ୍ବିତ ହୋଇ ରହିଥିଲା । ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଓ ସରକାରଙ୍କ ପାରାକ୍ରୀଡ଼ା ପ୍ରତି ପ୍ରୋତ୍ସାହନ ନିଯୁକ୍ତି କ୍ଷେତ୍ରରେ ଏ ଦିଗରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି । ଆମ ସମାଜରେ ଭିନ୍ନକ୍ଷମତା ଭୋଗୁଥିବା ନାରୀ ଏକଦା ଅବହେଳିତ ଓ ଅଣଦେଖା ହୋଇ ରହିଯାଇଥିବା ସ୍ଥଳେ ଏବେ ବିଭିନ୍ନ କ୍ଷେତ୍ରରେ ଜଣେ କର୍ମଜୀବୀ ଭାବେ ସେମାନେ ନିଜର ଦକ୍ଷତା ପ୍ରଦର୍ଶନ କରି ପାରୁଛନ୍ତି । ଏହା କେବଳ ସେମାନଙ୍କୁ ସ୍ୱାବଲମ୍ବୀ କରାଇନାହିଁ, ଅଧିକନ୍ତୁ ଆତ୍ମପରିଚୟ ସୃଷ୍ଟି କରିବାରେ ଏକ ଗରିମାମୟ ଅନୁଭବ ଆଣି ଦେଇଛି । 

ଏକଦା ସଫଳ ଜାତୀୟ ପାରା ଆଥଲେଟ୍ ରୂପେ ଶହେ ମିଟର ଓ ଆଠଶହ ମିଟର ବର୍ଗରେ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିବା କଟକ ଜିଲ୍ଲାର କୁନିଲତା ବାରିକ ପୁଣି ମଧ୍ୟ ଜାତୀୟ ହୁଇଲଚେୟାର ବାସ୍କେଟ ବଲ ଦଳର ସଦସ୍ୟା ରହିଛନ୍ତି । ସମ୍ପ୍ରତି କଟକ ଜିଲ୍ଲା ପହଙ୍ଗା ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ କନିଷ୍ଠ ସହାୟିକା ରୂପେ ସେ କାର୍ଯ୍ୟରତା । ଭିନ୍ନକ୍ଷମତାକୁ ନେଇ ତାଙ୍କର ତିରିଶ ବର୍ଷର ଜୀବନଯାତ୍ରା ଅନେକ ସଂଘର୍ଷ ଦେଇ ଗତି କରିଛି । ଏବେ ଜଣେ ଦକ୍ଷ କର୍ମଜୀବୀ ମହିଳା ଭାବେ ନିଜକୁ ପ୍ରତିପାଦିତ କରିବା ସହ ନିଖିଳ ଭାରତ ମେରୁଦଣ୍ଡ ଆଘାତ ବର୍ଗର ପ୍ରଶିକ୍ଷିକା ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି । ତାଙ୍କ ଜୀବନର ସଂଘର୍ଷ ଓ ସଫଳତା ଆତ୍ମବିଶ୍ୱାସର ସ୍ୱର ପାଲଟି ପ୍ରତିଫଳିତ ହୋଇଛି ଏହି ସାକ୍ଷାତକାରରେ ।

୧ । ସମ୍ପ୍ରତି ଆମ ସମାଜରେ ଭିନ୍ନକ୍ଷମ ମହିଳାମାନଙ୍କ ପ୍ରତି ଦୃଷ୍ଟିକୋଣ କିପରି ରହିଛି?

ଉ – ସମ୍ପ୍ରତି ସମାଜର ଦୃଷ୍ଟିକୋଣ ଆଗ ଅପେକ୍ଷା ବର୍ତ୍ତମାନ ସମୟରେ କିଛି ମାତ୍ରାରେ କମ୍ (ଭ୍ରାନ୍ତ ଧାରଣା) ହୋଇଛି । ଆଜିକାଲିର କିଛି ଶିକ୍ଷିତ ଲୋକମାନେ ଏବେ ଭିନ୍ନକ୍ଷମ ମହିଳାମାନଙ୍କୁ କେବଳ ସହାନୁଭୂତିର ଦୃଷ୍ଟିକୋଣରେ ନୁହେଁ, ବରଂ ସାମର୍ଥ୍ୟ ଓ ସକ୍ଷମତାର ଦୃଷ୍ଟିରେ ଦେଖୁଛନ୍ତି । ଶିକ୍ଷା, ଖେଳ, ଚାକିରି ଓ ସାମାଜିକ କ୍ଷେତ୍ରରେ ସେମାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି । ଯେଉଁଟା କି କେବଳ ସୋସିଆଲ୍ ମିଡ଼ିଆ ଦ୍ୱାରା ସମ୍ଭବପର ହୋଇପାରିଛି । ତଥାପି କେତେକ ଗ୍ରାମାଞ୍ଚଳ ସ୍ଥାନରେ ଅଜ୍ଞାନତା, ସଚେତନତାର ଅଭାବ ଓ ଅବହେଳା ଏବେ ପର୍ଯ୍ୟନ୍ତ ଦେଖାଯାଏ, ଯେଉଁଥିପାଇଁ ସେହି ସ୍ଥାନରେ ରହୁଥିବା ଭିନ୍ନକ୍ଷମ ପିଲାମାନେ ବହୁତ କିଛି ସୁବିଧା ପାଇବାରୁ ବଞ୍ଚିତ ରହୁଛନ୍ତି ।

୨ । ଜଣେ ଭିନ୍ନକ୍ଷମ କର୍ମଜୀବୀ ମହିଳା ଭାବେ ଆପଣ ନିଜର ଅତୀତ ଓ ବର୍ତ୍ତମାନର ଜୀବନ ମଧ୍ୟରେ କ’ଣ ପାର୍ଥକ୍ୟ ଦେଖୁଛନ୍ତି?

ଉ – ଅତୀତରେ ଯେହେତୁ ଏକ ଭିନ୍ନକ୍ଷମ ଆଉ ତା’ ସହିତ ଜଣେ ମହିଳା ବା ଝିଅ ହେବା ଏକ ଅଭିଶାପ ବୋଲି ମୁଁ ମନେ କରୁଥିଲି, କାରଣ ଅନେକ କିଛି କରିବା ପାଇଁ ଇଚ୍ଛା ଥିଲେ ମଧ୍ୟ ଜଣେ ଭିନ୍ନକ୍ଷମକୁ ଆମ ସମାଜ କେବେବି ଆଗକୁ ଯିବା ପାଇଁ ମଉକା ଦେଇ ନ ଥାଏ ଆଉ ଅନେକ ସମୟ ସାହାଯ୍ୟ ଓ ସହଯୋଗର ଅଭାବ, ଆତ୍ମବିଶ୍ୱାସର ଅଭାବ ଓ ସମାଜର କୁତ୍ସିତ ମନୋଭାବ ମୋତେ ବାଧା ଦେଇଥିଲା ଆଗକୁ ବଢ଼ିବାରେ । କିନ୍ତୁ ସେହି ସବୁ ବାଧା ବିଘ୍ନକୁ ଖାତିର ନ କରି ମୁଁ ମୋ ଲକ୍ଷ୍ୟ ପାଇଁ ଶିକ୍ଷା ସହିତ ଖେଳକୁ ମଧ୍ୟ ଆପଣେଇ ନେଇଥିଲି । ଯାହା କି ବର୍ତ୍ତମାନ ମୋତେ ସମାଜରେ ଆତ୍ମସମ୍ମାନ ସହିତ ବଞ୍ଚିବା ଶିଖାଇଛି । ଶିକ୍ଷା, ଖେଳ, ସ୍ୱାଧୀନତା ଓ ଅନୁଭବ ମୋତେ ଆତ୍ମନିର୍ଭର କରିବାରେ ପ୍ରେରଣା ଦେଇଛି । ଏବେ ମୁଁ ନିଜକୁ ସମାଜର ଏକ ପ୍ରତିଷ୍ଠିତ ଓ ସମସ୍ତଙ୍କ ପରି ସକ୍ରିୟ ମନୋଭାବ ଓ ସମ୍ମାନିତ ସଦସ୍ୟ ଭାବେ ଗର୍ବିତ ଅନୁଭବ କରୁଅଛି ।

୩ । ଆପଣଙ୍କର ପରିଚୟ ପାଇଁ ସଂଘର୍ଷରତ ଜଣେ ଭିନ୍ନକ୍ଷମ ଝିଅରୁ ବର୍ତ୍ତମାନ ଜଣେ ସଫଳ କର୍ମଜୀବୀ ଭାବେ ଏହି ଜୀବନଯାତ୍ରା ସାରାଂଶକୁ କିପରି ସଂକ୍ଷିପ୍ତରେ ବୟାନ କରିବେ?

ଉ – ସଂକ୍ଷିପ୍ତରେ ପୂରା ୩୦ ବର୍ଷ କାହାଣୀ କହିବା ବା ଲେଖିବା କେବେ ବି ସମ୍ଭବପର ନୁହେଁ । କାରଣ ମୋ ଜୀବନ ବହୁତ ଘାତ ଓ ପ୍ରତିଘାତ ଦେଇ ଗତି କରିଛି । ସବୁ କିଛି କହିବା କେବେବି ସମ୍ଭବପର ହେବ ନାହିଁ । ତେଣୁ କିଛିଟା ମୁଁ ମୋ ହିସାବରେ କହୁଛି । ମୋର ଜୀବନଯାତ୍ରା ଏକ ବଡ଼ ସଂଘର୍ଷପୂର୍ଣ୍ଣ, ସହନଶୀଳତା ଓ ଦୃଢ଼ ସଂକଳ୍ପର ଏକ ଉଦାହରଣ । ଅନେକ ବାଧା ବିପତ୍ତିକୁ ଏଡ଼ାଇ ମୁଁ ନିଜର ଲକ୍ଷ୍ୟକୁ ପ୍ରାପ୍ତ କରିପାରିଛି । ସଂଘର୍ଷପୂର୍ଣ୍ଣ ଯାତ୍ରା ମୋତେ ଶିଖାଇଛି, ସଫଳତା ପାଇବା ପାଇଁ ଅସମ୍ଭବ କିଛି ନୁହେଁ, ଯଦି ଆମେ ନିଜ ଉପରେ ଆତ୍ମବିଶ୍ୱାସ ରଖିବା ଦିନେ ନା ଦିନେ ସଫଳତା ଆମକୁ ନିଶ୍ଚିନ୍ତ ମିଳିବ ।

୪ । ବର୍ତ୍ତମାନ ବିବିଧ ଭିନ୍ନକ୍ଷମତା ସହିତ ଜୀବନଧାରଣ କରୁଥିବା ସମାଜର ଝିଅମାନଙ୍କୁ କେଉଁ ବାର୍ତ୍ତା ଦେବେ?

ଉ – ମୋର ବାର୍ତ୍ତା ହେଉଛି – ନିଜକୁ କେବେ ବି ଛୋଟ ବା ମୁଁ କିଛି କରିପାରିବିନି ବୋଲି ଚିନ୍ତା କରିବେ ନାହିଁ । ନିଜ ଭିତରେ ଲୁଚି ରହିଥିବା ସକ୍ଷମତାକୁ ଜାଣନ୍ତୁ ଓ ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ ଅବିରତ ପ୍ରୟାସ କରନ୍ତୁ । ବର୍ତ୍ତମାନ ଆମ ସରକାର ପାରା ଅଲମ୍ପିକ୍ ପିଲା ଖେଳିବା ପାଇଁ ମଧ୍ୟ ବହୁତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି, ଆମେ ଖେଳ ମାଧ୍ୟମରେ ମଧ୍ୟ ନିଜକୁ ସମାଜରେ ପ୍ରତିଷ୍ଠିତ କରି ପାରିବା, ସେଥିପାଇଁ ଆମ ଭିତରେ ଆତ୍ମବିଶ୍ୱାସ, ଧୈର୍ଯ୍ୟ, ଶିକ୍ଷା ଓ ଅବିରତ ପ୍ରୟାସ ରହିବା ନିତ୍ୟାନ୍ତ ଆବଶ୍ୟକ । ତେବେ ଯାଇ ଆମେ ସଫଳତାକୁ ଆମ ହାତ ପାହାନ୍ତାରେ ପାଇପାରିବା । ସମସ୍ୟାକୁ ଭୟ ନ କରି ସାହସର ସହ ମୁକାବିଲା କରନ୍ତୁ । ହଁ ଆଜିକାଲି ସୋସିଆଲ ମିଡ଼ିଆ ହେତୁ ମଣିଷ ଘରେ ବସି ମଧ୍ୟ ବହୁତ୍ କିଛି ଜାଣିବା ସହ, ନିଜେ କିଛି କରିବା ପାଇଁ ମଧ୍ୟ ସକ୍ଷମ ହୋଇପାରୁଛି । ମୋ ମତରେ ଯଦି ଆମେ ଆମ ସମୟକୁ ସଠିକ୍ କାମରେ ଲଗାଇପାରିବା, ତେବେ ଆମେ ଦିନେ ନା ଦିନେ ଏଇ ସମାଜକୁ ଦେଖେଇ ଦେବା ଯେ ଆମେ ବି କାହାଠୁ କମ୍ ନୋହୁଁ ।

ପାରାକ୍ରୀଡ଼ାରେ ଭିନ୍ନକ୍ଷମ ନାରୀ:-

ନାରୀ ଭିନ୍ନକ୍ଷମତା ଓ ପାରାକ୍ରୀଡ଼ା ଆଧୁନିକ ସମାଜରେ ସଶକ୍ତିକରଣର ଏକ ପ୍ରେରଣାଦାୟକ ଦୃଷ୍ଟାନ୍ତ । ଦୀର୍ଘ ବର୍ଷ ଧରି ଭିନ୍ନକ୍ଷମ ନାରୀମାନେ ଲିଙ୍ଗ ଭେଦଭାବ, ସାମାଜିକ ଅବହେଳା ଓ ଶାରୀରିକ ସୀମାବଦ୍ଧତାର ସମ୍ମୁଖୀନ ହୋଇଆସୁଥିଲେ । ସେମାନଙ୍କକୁ ଦୁର୍ବଳ ଭାବେ ଦେଖାଯାଉଥିଲା ଏବଂ କ୍ରୀଡ଼ା କ୍ଷେତ୍ରରୁ ପ୍ରାୟତଃ ବଞ୍ଚିତ କରାଯାଉଥିଲା ।

ଆଗରୁ ଭିନ୍ନକ୍ଷମ ନାରୀମାନେ ପାରାକ୍ରୀଡ଼ା କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳିତ ହୋଇ ଆସୁଥିଲେ । ପାରାକ୍ରୀଡ଼ାକୁ ପେଶା ଭାବରେ ଗ୍ରହଣ କରିବା, ସେଠାରୁ ନିଯୁକ୍ତି, ଆର୍ଥିକ ସୁରକ୍ଷା ଓ ସାମାଜିକ ସମ୍ମାନ ପାଇବା, ଏସବୁ କିଛି ବର୍ଷ ପୂର୍ବରୁ ଭିନ୍ନକ୍ଷମ ନାରୀମାନଙ୍କ ପାଇଁ ବହୁତ କଷ୍ଟସାଧ୍ୟ ଥିଲା ।

ପୂର୍ବେ ଭିନ୍ନକ୍ଷମ ନାରୀମାନଙ୍କ ପାରାକ୍ରୀଡ଼ାରେ ଅଂଶଗ୍ରହଣ ବହୁତ କମ୍ ଥିଲା । ପାରାକ୍ରୀଡ଼ାକୁ ଚାକିରି କିମ୍ବା ପେଶାଗତ ଜୀବନ ଭାବରେ ଦେଖାଯାଉନଥିଲା । ମହିଳା ପାରାକ୍ରୀଡ଼ାବିତ୍ ଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ନ ଥିଲା । ଖେଳ ସାଧନ, କୋଚ୍, ଚିକିତ୍ସା ଓ ପୁନର୍ବାସ ସୁବିଧାର ସମ୍ପୂର୍ଣ୍ଣ ଅଭାବ ଥିଲା । ପୁରସ୍କାର ଜିତିଲେ ମଧ୍ୟ ନିୟମିତ ଆର୍ଥିକ ସହାୟତା କିମ୍ବା ଚାକିରି ମିଳୁ ନ ଥିଲା । ସର୍ବୋପରି ସମାଜର ଧାରଣା ଥିଲା ଯେ “ଭିନ୍ନକ୍ଷମ ନାରୀ ଖେଳି ପାରିବେ ନାହିଁ ।”

ମାତ୍ର ବର୍ତ୍ତମାନ ସମୟରେ ପାରାକ୍ରୀଡ଼ାକୁ ନିଯୁକ୍ତି ଓ ଜୀବିକାର ଏକ ମାଧ୍ୟମ ଭାବେ ସ୍ୱୀକୃତି ମିଳିଛି । ପାରା ଅଲମ୍ପିକ୍ସ, ଏସିଆନ୍ ପାରା ଗେମ୍ସରେ ମହିଳାଙ୍କ ଅଂଶଗ୍ରହଣ ବଢ଼ିଛି । ପଦକ ଜିତିଲେ ସରକାରୀ ଚାକିରି, ନଗଦ ପୁରସ୍କାର, ପେନ୍ସନ୍ ଆଦି ଆର୍ଥିକ ସହାୟତା ମିଳୁଛି । ସେମାନଙ୍କ ପାଇଁ କୋଚିଂ, ଖାଦ୍ୟ, ଯାତାୟାତ, ଖେଳ ସାଧନ ଆଦି ସମସ୍ତ ସୁବିଧା ଉପଲବ୍ଧ ହୋଇଛି । ସେମାନଙ୍କ ମଧ୍ୟରେ କୋଚ୍, ଟ୍ରେନର୍, ଖେଳ ଅଧିକାରୀ ଭାବେ ନିଯୁକ୍ତ ହେଉଛନ୍ତି ।

ଏବେ ପାରାକ୍ରୀଡ଼ା ଭିନ୍ନକ୍ଷମ ନାରୀମାନଙ୍କ ପାଇଁ ଏକ ନୂଆ ପରିଚୟ ଓ ସମ୍ମାନର ମଞ୍ଚ ସୃଷ୍ଟି କରିଛି । ଏହା ମାଧ୍ୟମରେ ସେମାନେ ନିଜ ଶାରୀରିକ ସୀମାକୁ ଜୟ କରି ଆତ୍ମବିଶ୍ୱାସ, ଧୈର୍ଯ୍ୟ ଓ ମାନସିକ ଶକ୍ତିର ପରିଚୟ ଦେଇଛନ୍ତି । ପାରା ଅଲମ୍ପିକ୍ସ ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ଭିନ୍ନକ୍ଷମ ନାରୀ କ୍ରୀଡ଼ାବିତ୍ମାନଙ୍କ ସଫଳତା ସମାଜର ଦୃଷ୍ଟିକୋଣକୁ ବଦଳାଇଛି । ୨୦୨୪ ପାରା ଅଲମ୍ପିକ୍ସରେ ମୋଟ୍ ଆଥଲେଟ୍‌ଙ୍କ ମଧ୍ୟରୁ ପ୍ରାୟ ଭିନ୍ନକ୍ଷମ ମହିଳା ଥିଲେ ୪୫%, ଯାହା ୧୯୮୮ ମସିହାରେ ଥିଲା ମାତ୍ର ୨୨% । ଅନ୍ତର୍ଜାତୀୟ ପାରାଅଲମ୍ପିକ୍ କମିଟି ବିକାଶ ପାଇଁ ପ୍ରଚୁର ଅର୍ଥ ନିବେଶ କରିଛି, ଯାହା ଫଳରେ ସବୁଠି ମହିଳା ଅଂଶଗ୍ରହଣ ବୃଦ୍ଧି ପାଇଛି । ତେବେ ୨୦୨୪ ମସିହାର ଗୋଟିଏ ସର୍ଭେ ଅନୁସାରେ ମାତ୍ର ୩୬% ଦିବ୍ୟାଙ୍ଗ ଝିଅ କ୍ରୀଡ଼ା କ୍ଷେତ୍ରରେ ପ୍ରସିଦ୍ଧି ପାଇବାକୁ ସ୍ୱପ୍ନ ଦେଖନ୍ତି । ପୁନଶ୍ଚ ପ୍ରାୟ ୯୩% କ୍ରୀଡ଼ା କ୍ଷେତ୍ରରେ ଆଦୌ ସାମିଲ ନୁହନ୍ତି । ତେଣୁ ସେମାନଙ୍କୁ ଉତ୍ସାହିତ କରିବା ନିହାତି ଆବଶ୍ୟକ । ସେହିପରି ଭାରତର ମହିଳା ପାରାକ୍ରୀଡ଼ାବିତ୍‌ଙ୍କ ସଫଳତା ଦେଖିବାକୁ ମିଳେ ୨୦୨୫ ମସିହାରେ । ପାରା ଆଥଲେଟ୍‌ମାନେ ଐତିହାସିକ ପ୍ରଦର୍ଶନ କରି ବିଜୟୀ ହୋଇଥିଲେ । ସେମାନଙ୍କ ଭିତରୁ ପ୍ରମୁଖ ଥିଲେ ପ୍ରୀତି ପାଲ୍, ସିମରନ୍ ଶର୍ମା ।

ଟାଟିଆନା ମ୍ୟାକ୍ଫ୍ୟାଡେନ୍, ଏଲି ଆଣ୍ଡାରସନ୍, ବେବି ଭିଓ, ଜେସିକା ଲଙ୍ଗ୍, ଲି ଡୁଆନ୍, ଦୀପା ମଲ୍ଲିକ ପ୍ରଭୃତି ଖେଳାଳିମାନେ ସାରା ବିଶ୍ୱରେ ଜଣେ ଜଣେ ଚର୍ଚ୍ଚିତ ଭିନ୍ନକ୍ଷମ ଖେଳାଳି । ଭାରତରେ ସିମରନ୍ ଶର୍ମା, ଦୀପା ମଲ୍ଲିକ, ଅବନୀ ଲେଖରା, ଶୀତଲ୍ ଦେବୀ, ଭାବିନା ପଟେଲ, ପ୍ରୀତି ପାଲ୍ ପରି କ୍ରୀଡ଼ାବିତ୍ମାନେ ପ୍ରମାଣ କରିଛନ୍ତି ଯେ ଭିନ୍ନକ୍ଷମତା କୌଣସି ଅସମର୍ଥତା ନୁହେଁ । ସେହିପରି ଆମ ଓଡ଼ିଶା ପ୍ରଦେଶରେ ଜୟନ୍ତୀ ବେହେରା, ପାୟଲ ନାଗ, ସୁଚିତ୍ରା ପରିଡ଼ା, ଜାନକୀ ଓରାମ, ରଞ୍ଜନା ନାହାକ, ସରୋଜିନୀ ପରିଡ଼ା ପ୍ରମୁଖ ପାରାକ୍ରୀଡ଼ାରେ ଆଗୁଆ ଅଛନ୍ତି ।

ସବୁ ସତ୍ତ୍ୱେ ଆଜି ମଧ୍ୟ ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ସାମାଜିକ ସ୍ୱୀକୃତିର ଅଭାବ ଏକ ବଡ଼ ଚ୍ୟାଲେଞ୍ଜ । ତେବେ ସରକାର, ସମାଜ ଓ ପରିବାରର ସହଯୋଗ ମିଳିଲେ ଭିନ୍ନକ୍ଷମ ନାରୀମାନେ କ୍ରୀଡ଼ାକ୍ଷେତ୍ରରେ ଆହୁରି ଉଚ୍ଚ ସଫଳତା ହାସଲ କରିପାରିବେ ।

ଅକ୍ଷମତା ହେଉଛି ଜୀବନର ଏକ ଅଂଶ, ସ୍ୱପ୍ନମାନଙ୍କର ପୂର୍ଣ୍ଣଚ୍ଛେଦ ନୁହେଁ…

ଏକବିଂଶ ଶତାବ୍ଦୀର ଏହି ଚଳନ୍ତି ତୃତୀୟ ଦଶନ୍ଧିକୁ ପାରାକ୍ରୀଡ଼ାର ଦଶନ୍ଧି ବୋଲି ଯଥାର୍ଥରେ କହିହେବ । ବିଶେଷ କରି ଏକବିଂଶ ଶତାବ୍ଦୀ କାଳରେ ବିଶ୍ୱବ୍ୟାପୀ ପାରାକ୍ରୀଡ଼ାର ସଫଳ ପ୍ରଦର୍ଶନ ଓ ଉତ୍କର୍ଷର ଯୁଗ ବୋଲି କହିପାରିବା । ଗତ ଏକ ଦଶନ୍ଧିରେ ଓଡ଼ିଶା ପାରାକ୍ରୀଡ଼ାରେ ତା’ର ସ୍ୱର୍ଣ୍ଣିମ ଡିଆଁ ଆରମ୍ଭ କରି ସାରିଛି କହିଲେ ଅତ୍ୟୁକ୍ତି ହେବନାହିଁ । ପୁରୁଷ ପାରାଆଥଲେଟ୍‌ଙ୍କ ପରି ଓଡ଼ିଶାର ମହିଳା ଆଥଲେଟ୍‌ମାନେ ମଧ୍ୟ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସେମାନଙ୍କ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ଉଭୟ ଦେଶ ଓ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ଗତବର୍ଷ ଅନୁଷ୍ଠିତ ହୋଇଥିବା ବିଶ୍ୱ ଆବିଲିଟି ପ୍ରତିଯୋଗିତାରେ ଦୁଇଟି ରୌପ୍ୟ ପଦକ ହାସଲ କରି ଓଡ଼ିଶାର ଅନ୍ତର୍ଜାତୀୟ ପାରା ଆଥଲେଟ୍ ରଞ୍ଜନା ନାଏକ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । 

ରଞ୍ଜନା ନାଏକ

ଅନ୍ତର୍ଜାତୀୟ ପାରା କ୍ରୀଡ଼ାବିତ୍

ପାରାକ୍ରୀଡ଼ା କ୍ଷେତ୍ରରେ ଜଣେ ସଫଳ ଦିବ୍ୟାଙ୍ଗ ନାରୀ ଭାବେ ତାଙ୍କର ଦୃଷ୍ଟିକୋଣକୁ ସେ ନିମ୍ନମତେ ଉପସ୍ଥାପିତ କରନ୍ତି ।

୧ । ସମ୍ପ୍ରତି ଆମ ସମାଜରେ ଭିନ୍ନକ୍ଷମ ମହିଳାମାନଙ୍କ ପ୍ରତି ଦୃଷ୍ଟିକୋଣ କିପରି ରହିଛି?

ଉ – ସମାଜ ପରିବର୍ତ୍ତିତ ହେଉଛି, କିନ୍ତୁ ସେ ପରିବର୍ତ୍ତନ ଧୀର ଗତିରେ ଅଗ୍ରସର । ସଚେତନତା କିଛି ପରିମାଣରେ ବଢ଼ିଛି ଏବଂ ଆଜି ଲୋକମାନେ ପୂର୍ବପେକ୍ଷା ଅଧିକ ଗ୍ରହଣଶୀଳ । ତଥାପି ଅନେକ ଭିନ୍ନକ୍ଷମତାଗ୍ରସ୍ତ ନାରୀ ଏଯାଏଁ ଭ୍ରାନ୍ତ ଧାରଣା ଓ ନିମ୍ନ ଆଶାର ଭାର ବହନ କରୁଛନ୍ତି । କରୁଣାର ସ୍ଥାନରେ କ୍ଷମତାକୁ ଯେତେବେଳେ ମୂଲ୍ୟ ଦିଆଯିବ, ସେହିଦିନ ମାତ୍ର ସତ୍ୟ ଅନ୍ତର୍ଭୁକ୍ତି ସାକାର ହେବ ।

୨ । ଜଣେ ଭିନ୍ନକ୍ଷମ କର୍ମଜୀବୀ ମହିଳା ଭାବେ ଆପଣ ନିଜର ଅତୀତ ଓ ବର୍ତ୍ତମାନର ଜୀବନ ମଧ୍ୟରେ କ’ଣ ପାର୍ଥକ୍ୟ ଦେଖୁଛନ୍ତି?

ଉ – ପୂର୍ବେ ମୋ ଜୀବନ ଅନିଶ୍ଚିତତା ଓ ମାନସିକ ସଂଘର୍ଷର ସୀମାରେ ବନ୍ଧିତ ଥିଲା । ଆଜି ମୁଁ ଆତ୍ମବିଶ୍ୱାସ, ଲକ୍ଷ୍ୟବୋଧ ଓ ସ୍ୱାଧୀନତା ସହିତ ଜୀବନଯାପନ କରୁଛି । ସବୁଠାରୁ ବଡ଼ ପରିବର୍ତ୍ତନ ଶାରୀରିକ ନୁହେଁ, ସେହିଟି ହେଉଛି ମାନସିକ ତଥା ଆତ୍ମବିଶ୍ୱାସର ସାମର୍ଥ୍ୟ ।

୩ । ଆପଣଙ୍କର ପରିଚୟ ପାଇଁ ସଂଘର୍ଷରତ ଜଣେ ଭିନ୍ନକ୍ଷମ ଝିଅରୁ ବର୍ତ୍ତମାନ ଜଣେ ସଫଳ ପାରା କ୍ରୀଡ଼ାବିତ୍ ଭାବେ ଏହି ଜୀବନଯାତ୍ରା ସାରାଂଶକୁ କିପରି ସଂକ୍ଷିପ୍ତରେ ବୟାନ କରିବେ?

ଉ – ଏହା ଥିଲା ହରାଇବାଠାରୁ ଗ୍ରହଣ ପର୍ଯ୍ୟନ୍ତ, ଗ୍ରହଣଠାରୁ କାର୍ଯ୍ୟ ପର୍ଯ୍ୟନ୍ତ ଏବଂ କାର୍ଯ୍ୟଠାରୁ ସାଧନା ପର୍ଯ୍ୟନ୍ତ ଏକ ଦୀର୍ଘଯାତ୍ରା । ପାରାକ୍ରୀଡ଼ା ମୋ ଜୀବନକୁ ଦିଗ, ମର୍ଯ୍ୟାଦା ଓ ଏକ ନୂତନ ପରିଚୟ ପ୍ରଦାନ କରିଛି ।

୪ । ବର୍ତ୍ତମାନ ବିବିଧ ଭିନ୍ନକ୍ଷମତା ସହିତ ଜୀବନଧାରଣ କରୁଥିବା ସମାଜର ଝିଅମାନଙ୍କୁ କେଉଁ ବାର୍ତ୍ତା ଦେବେ?

ଉ – ସମାଜକୁ ତୁମ ସୀମା ନିର୍ଦ୍ଧାରଣ କରିବାକୁ କେବେ ମଧ୍ୟ ଦିଅନି । ନିଜ ଉପରେ ଦୃଢ଼ ବିଶ୍ୱାସ ରଖ, ଅବିଚଳ ରୁହ ଏବଂ ନିରନ୍ତର ଅଗ୍ରସର ହୋଇଚାଲ । ଅକ୍ଷମତା ହେଉଛି ଜୀବନର ଏକ ଅଂଶ, ସ୍ୱପ୍ନମାନଙ୍କର ପୂର୍ଣ୍ଣଚ୍ଛେଦ ନୁହେଁ ।

ନାରୀ ଭିନ୍ନକ୍ଷମତା ଓ ସାହିତ୍ୟ:-

ଭିନ୍ନକ୍ଷମତା ଭୋଗୁଥିବା ନାରୀଟିଏ ବେଳେବେଳେ ମନ କଥାକୁ, ଆଖିର ଦେଖାକୁ କାହା ଆଗରେ ପ୍ରକାଶ କରି ନ ପାରି ସାହିତ୍ୟରେ ରୂପ ଦିଏ । ସେଇ ଲେଖା କେବେ କେବେ ତାକୁ ସ୍ୱତନ୍ତ୍ର ପରିଚିତି ଦିଏ । ତେବେ ନାରୀ ଭିନ୍ନକ୍ଷମତା ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସମସ୍ୟା, ଯେଉଁଥିପାଇଁ ଶିକ୍ଷା, ଚିକିତ୍ସା, ରୋଜଗାର, ବିବାହ ଓ ସାମାଜିକ ସମ୍ମାନ ଭଳି କ୍ଷେତ୍ରରେ ଗଭୀର ବିଭେଦର ସମ୍ମୁଖୀନ ହୁଅନ୍ତି ସେମାନେ । ସମାଜ ଅନେକ ସମୟରେ ଭିନ୍ନକ୍ଷମତାକୁ ଦୁର୍ବଳତା ଭାବେ ଦେଖି, ନାରୀଙ୍କ ସ୍ୱାଭାବିକ ଅଧିକାର ଓ ସମ୍ଭାବନାକୁ ଅସ୍ୱୀକାର କରେ । ଏହି ପରିସ୍ଥିତିରେ ସାହିତ୍ୟ ଭିନ୍ନକ୍ଷମ ନାରୀଙ୍କ ନୀରବ ଯନ୍ତ୍ରଣା, ସଂଘର୍ଷ ଓ ଆତ୍ମସଂଘର୍ଷକୁ ମୁଖର କରେ ।

ପ୍ରାଚ୍ୟ ସାହିତ୍ୟରେ ଭିନ୍ନକ୍ଷମ ନାରୀଙ୍କ ଚିତ୍ରଣ ଦୀର୍ଘ ସମୟ ଧରି କରୁଣା, ତ୍ୟାଗ ଓ ସହନଶୀଳତାର ପ୍ରତୀକ ଭାବେ ହୋଇଆସିଛି । ପୁରାତନ ଓ ମଧ୍ୟଯୁଗୀୟ ରଚନାରେ ସେମାନେ ଅଧିକାଂଶତଃ ଭାଗ୍ୟବିଡ଼ମ୍ବିତ କିମ୍ବା ନୀରବ ପୀଡ଼ିତା ଭାବେ ଉପସ୍ଥିତ । କିନ୍ତୁ ଆଧୁନିକ ପ୍ରାଚ୍ୟ ସାହିତ୍ୟରେ ଏହି ଦୃଷ୍ଟିକୋଣରେ ପରିବର୍ତ୍ତନ ଦେଖାଯାଏ । ଆତ୍ମଜୀବନୀ, ଉପନ୍ୟାସ ଓ କବିତାରେ ଭିନ୍ନକ୍ଷମ ନାରୀମାନେ ସଂଘର୍ଷଶୀଳ, ସଚେତନ ଓ ଆତ୍ମସମ୍ମାନିତ ଚରିତ୍ର ଭାବେ ଉପସ୍ଥିତ ହୁଅନ୍ତି । ସେମାନେ ସମାଜର ଦୟା ନୁହେଁ, ସମାନ ଅଧିକାର ଓ ସ୍ୱାଧୀନତାର ଦାବି କରନ୍ତି ।

ପ୍ରାଶ୍ଚାତ୍ୟ ସାହିତ୍ୟରେ ଭିନ୍ନକ୍ଷମ ନାରୀଙ୍କୁ ଅଧିକ ଗଭୀର ମାନସିକ ଓ ଦାର୍ଶନିକ ଦୃଷ୍ଟିକୋଣରେ ଦେଖାଯାଇଛି । ଏଠାରେ ଭିନ୍ନକ୍ଷମତା କେବଳ ଶରୀରର ସୀମାବଦ୍ଧତା ନୁହେଁ, ବରଂ ଆତ୍ମପରିଚୟ, ସ୍ୱାଧୀନତା ଓ ମାନବ ମର୍ଯ୍ୟାଦା ସହିତ ଜଡ଼ିତ ଏକ ଗଭୀର ପ୍ରସଙ୍ଗ ।

ହେଲେନ୍ କେଲର, ଅକ୍ଟାଭିଆ ଇ. ବଟଲର୍, କେଆ ବ୍ରାଉନ୍, ଆଲିସ୍ ୱଙ୍ଗ୍, ଜୀଜା ଘୋଷ, ମାୟା ଆଞ୍ଜେଲୋ ପରି ସାହିତ୍ୟିକମାନେ ନିଜ ଜୀବନାନୁଭୂତି ତଥା ଅନ୍ୟାନ୍ୟ କଥାକୁ ସାହିତ୍ୟରେ ପରିଣତ କରି ଭିନ୍ନକ୍ଷମ ନାରୀଙ୍କ ସମ୍ଭାବନା ଓ ସୃଜନଶୀଳତାକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରିଛନ୍ତି । ଭାରତୀୟ ଭାବରେ ମାଲିନୀ ଚିବ୍, ଶିବାନୀ ଗୁପ୍ତା, ପ୍ରୀତି ମୋଙ୍ଗା, ଜୀଜା ଘୋଷ, ୟାସମିନ୍ ସାହନି, ଶ୍ରୁତି ମହାପାତ୍ର ପ୍ରମୁଖ ଜଣେ ଜଣେ ପ୍ରମୁଖ ସାହିତ୍ୟିକ ଅଟନ୍ତି । ତେବେ ଏମାନେ ସାହିତ୍ୟରେ ଭିନ୍ନକ୍ଷମତାକୁ ଦୁର୍ବଳତା ଭାବରେ ନୁହେଁ, ବରଂ ନୂତନ ଅନୁଭୂତି ଓ ଚିନ୍ତାର ଉତ୍ସ ଭାବେ ଦେଖାଇଛନ୍ତି । ଭିନ୍ନକ୍ଷମ ନାରୀ ସାହିତ୍ୟିକ ଭାବେ କଲମ ଚାଳନା କରି ସାମାଜିକ ସଚେତନତା ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି । ସେମାନେ ସାହିତ୍ୟ ମାଧ୍ୟମରେ ସମାଜର ପ୍ରଚଳିତ ଭ୍ରାନ୍ତ ଧାରଣା, କରୁଣାମୂଳକ ଦୃଷ୍ଟିକୋଣ ଓ ଭେଦଭାବକୁ ଆହ୍ୱାନ ଜଣାଇଛନ୍ତି ।

ତେବେ କୁହାଯାଇପାରେ କି, ନାରୀ ଭିନ୍ନକ୍ଷମତା ଓ ସାହିତ୍ୟ ଏକ ଗଭୀର ଚର୍ଚ୍ଚାକ୍ଷେତ୍ର । ସାହିତ୍ୟ ଭିନ୍ନକ୍ଷମ ନାରୀଙ୍କୁ କେବଳ ଦୟାର ପାତ୍ର ଭାବେ ନୁହେଁ, ବରଂ ସଚେତନ, ସଂଘର୍ଷଶୀଳ ଓ ସୃଜନଶୀଳ ମାନବ ଭାବେ ପ୍ରତିଷ୍ଠା କରିଛି । ଏହି ସାହିତ୍ୟ ସମାନତା, ସମ୍ମାନ ଓ ସମାବେଶୀ ସମାଜ ଗଢ଼ିବାରେ ଏକ ସଶକ୍ତ ମାଧ୍ୟମ ।

କଳା ଓ ସଂସ୍କୃତି କ୍ଷେତ୍ରରେ ଦିବ୍ୟାଙ୍ଗ ନାରୀ:-

ନାରୀ ଭିନ୍ନକ୍ଷମତା ଓ ସଂସ୍କୃତି ତଥା କଳାକୃତି ମଧ୍ୟରେ ଗଭୀର ସମ୍ପର୍କ ରହିଛି । ପ୍ରାଚୀନ କାଳରୁ ଭିନ୍ନକ୍ଷମ ନାରୀମାନେ ସମାଜରେ ଅବହେଳିତ ହୋଇଥିଲେ ମଧ୍ୟ କଳା ଓ ସଂସ୍କୃତି ମାଧ୍ୟମରେ ସେମାନେ ନିଜ ଭାବନା, ସୃଜନଶୀଳତା ଓ ପ୍ରତିଭାକୁ ପ୍ରକାଶ କରିଆସୁଛନ୍ତି । କଳା ସେମାନଙ୍କ ପାଇଁ ଆତ୍ମପ୍ରକାଶ ଓ ଆତ୍ମମର୍ଯ୍ୟାଦାର ଏକ ଶକ୍ତିଶାଳୀ ମାଧ୍ୟମ ହୋଇଉଠିଛି ।

ଚିତ୍ରକଳା, ସଙ୍ଗୀତ, ନୃତ୍ୟ, ହସ୍ତଶିଳ୍ପ, ନାଟକ ଓ ସାହିତ୍ୟରେ ଅନେକ ଭିନ୍ନକ୍ଷମ ନାରୀ ନିଜ ସ୍ୱତନ୍ତ୍ର ଶୈଳୀ ଓ ଦୃଷ୍ଟିକୋଣ ଦ୍ୱାରା ସଂସ୍କୃତିକୁ ସମୃଦ୍ଧ କରିଛନ୍ତି । ଶାରୀରିକ କିମ୍ବା ଇନ୍ଦ୍ରିୟଗତ ସୀମାବଦ୍ଧତା ସତ୍ତ୍ୱେ ସେମାନଙ୍କ ସୃଜନାତ୍ମକ ଶକ୍ତି କମିନାହିଁ; ବରଂ ସେହି ସୀମାବଦ୍ଧତା ତାଙ୍କ କଳାକୃତିକୁ ଆହୁରି ଗଭୀର ଓ ସଂବେଦନଶୀଳ କରିଛି ।

ତଥାପି, ଭିନ୍ନକ୍ଷମ ନାରୀମାନେ ନିଜ ଭିତରର କଳାକୁ ଆଗକୁ ନେବାରେ ସୁଯୋଗର ଅଭାବ, ପ୍ରଶିକ୍ଷଣର ଅସୁବିଧା ଓ ସାମାଜିକ ମନୋଭାବର ସମସ୍ୟାକୁ ସମ୍ମୁଖୀନ କରନ୍ତି । ଯଥାଯଥ ସମର୍ଥନ, ସମାବେଶୀ ମଞ୍ଚ ଓ ପ୍ରୋତ୍ସାହନ ମିଳିଲେ ସେମାନେ ଆହୁରି ସୁଦୃଢ଼ ଭାବେ ସଂସ୍କୃତି ଓ କଳାକୁ ଆଗକୁ ନେଇପାରିବେ ।

ନାରୀ ଭିନ୍ନକ୍ଷମତା କୌଣସି ସୃଜନଶୀଳତାର ବାଧା ନୁହେଁ । କଳା ଓ ସଂସ୍କୃତି ମାଧ୍ୟମରେ ଭିନ୍ନକ୍ଷମ ନାରୀମାନେ ସମାଜକୁ ମାନବିକତା, ସମବେଦନା ଓ ସମାନତାର ପାଠ ପଢ଼ାଇଛନ୍ତି । ବିଶିଷ୍ଟ ନୃତ୍ୟଶିଳ୍ପୀ ସୁଧା ଚନ୍ଦ୍ରନ୍ ଦୁର୍ଘଟଣାରେ ଗୋଡ଼ ହରାଇଥିଲେ ମଧ୍ୟ ନିରାଶ ହୋଇ ନ ଥିଲେ । କୃତ୍ରିମ ଗୋଡ଼ ସାହାଯ୍ୟରେ ନିଜ ଭିତରର କଳାକୁ ସାରା ବିଶ୍ୱ ଆଗରେ ଉପସ୍ଥାପନା କରିଥିଲେ । ସେହିପରି ବିଶ୍ୱପ୍ରସିଦ୍ଧ ଚିତ୍ରଶିଳ୍ପୀ ଫ୍ରିଡା କାଲୋ, ଯିଏ କି ଚିତ୍ର ମାଧ୍ୟମରେ ନାରୀ ଜୀବନର ଯନ୍ତ୍ରଣାକୁ ଲିପିବଦ୍ଧ କରିଛନ୍ତି । ତେବେ ନାରୀଟିଏ ଭିନ୍ନକ୍ଷମ ହେଲେ ସୁଦ୍ଧା ତା’ ଭିତରର କଳା ମ୍ଳାନ ହୁଏନି, ବରଂ ବେଶୀ ବେଶୀ ଉଜ୍ଜ୍ୱଳ ଦିଶେ ଥରକୁ ଥର ।

ପଶ୍ଚାତ୍ ଗତିର କାରଣ:-

ଭିନ୍ନକ୍ଷମ ମହିଳାମାନେ ସମାଜର ସବୁଠାରୁ ଅଧିକ ଅବହେଳିତ ଓ ପଛୁଆ ଶ୍ରେଣୀ ମଧ୍ୟରେ ପରିଗଣିତ ହୁଅନ୍ତି । ସେମାନେ ସାମାଜିକ, ଆର୍ଥିକ, ଶିକ୍ଷାତ୍ମକ, ସାଂସ୍କୃତିକ ତଥା ମନୋରଞ୍ଜନ ଆଦି କ୍ଷେତ୍ରରେ ନିଜକୁ ଉପଯୁକ୍ତ ସ୍ଥାନ ଦେଇପାରନ୍ତି ନାହିଁ । ସମାଜର ଅହଂମୟ ପରିବେଶରେ ତାକୁ ଦୟାର ପାତ୍ର, ଅସମର୍ଥ ଓ ସମ୍ପର୍କୀୟଙ୍କ ପାଇଁ ଭାର ଭାବରେ ଦେଖାଯାଏ । ତେବେ ଦିବ୍ୟାଙ୍ଗ ପୁରୁଷ ଅପେକ୍ଷା ଦିବ୍ୟାଙ୍ଗ ନାରୀଟିଏ ବେଶୀ ଅବହେଳିତ ହୁଏ । ପରିବାର ତଥା ପରିବେଶ ତାକୁ ଘର ଭିତରେ ସୀମିତ ରଖିବାକୁ ଚେଷ୍ଟା କରେ ଏବଂ ତା’ର ଆତ୍ମବିଶ୍ୱାସକୁ ଦୁର୍ବଳ କରିବାକୁ ଲାଗେ । ସବୁରି କ୍ଷେତ୍ରରେ ତାକୁ ପରାଧୀନତାର ବେଢ଼ିରେ କବଳିତ କରି ରଖି ଦିଆଯାଏ । ସବୁରି ସୁବିଧା ସୁଯୋଗ, ଆଇନ, ନୀତିନିୟମ ଥିଲେ ମଧ୍ୟ ତା’ ମନରେ ହତାଶା ଭାବ ଭରି ତାକୁ କୂପମଣ୍ଡୁକ କରିଦିଆଯାଏ । ଶିକ୍ଷିତ ହେବାକୁ ଦିଆଯାଇ ନ ଥାଏ । ଫଳତଃ ଅନେକ କ୍ଷେତ୍ରରେ ଭିନ୍ନକ୍ଷମ ନାରୀଟିଏ ସମାଜ ସହ ତାଳ ନ ଦେଇପାରି ପଛୁଆ ରହିଯାଏ ଓ ଭାଗ୍ୟକୁ ଆଦରି ଜୀବନକୁ ନିଷ୍ଠୁର ଭାବରେ ଅତିବାହିତ କରେ ।

ଭିନ୍ନକ୍ଷମ ନାରୀଙ୍କ ବିକାଶ : ବାଧକ ଓ ସମ୍ଭାବନା :-

ଭିନ୍ନକ୍ଷମ ନାରୀମାନେ ସମାଜର ଗୋଟିଏ ସଂବେଦନଶୀଳ ଓ ଅବହେଳିତ ଶ୍ରେଣୀ ଅନ୍ତର୍ଗତ । ଶାରୀରିକ କିମ୍ବା ମାନସିକ ଭିନ୍ନକ୍ଷମତା ସହିତ ସେମାନେ ନାରୀ ହେବାରୁ ଦୁଇଗୁଣ ଭେଦଭାବର ସମ୍ମୁଖୀନ ହୁଅନ୍ତି । ତଥାପି ବର୍ତ୍ତମାନ ସମୟରେ ସେମାନଙ୍କ ବିକାଶ ପାଇଁ କିଛି ସୁଯୋଗ ଥିବା ସହିତ ଅନେକ ପ୍ରତିବନ୍ଧକ ମଧ୍ୟ ରହିଛି । ସେମାନଙ୍କ ବିକାଶ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ସୁଯୋଗ ସୃଷ୍ଟି ହେଉଛି । ଶିକ୍ଷାରେ ଆରକ୍ଷଣ, ଛାତ୍ରବୃତ୍ତି, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ସ୍ୱୟଂରୋଜଗାର ଯୋଜନା ଓ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ସେମାନେ ଆତ୍ମନିର୍ଭର ହେବାର ସୁଯୋଗ ପାଉଛନ୍ତି । ଏହା ସହିତ ଆଇନଗତ ଅଧିକାର ଓ ସଚେତନତା ବୃଦ୍ଧି ହେବା ଫଳରେ ସେମାନଙ୍କ ସାମାଜିକ ସ୍ୱୀକୃତି ଧୀରେଧୀରେ ବଢ଼ୁଛି ।

କିନ୍ତୁ ଏହି ସୁଯୋଗ ସତ୍ତ୍ୱେ ଭିନ୍ନକ୍ଷମ ନାରୀଙ୍କ ପଥରେ ଅନେକ ପ୍ରତିବନ୍ଧକ ରହିଛି । ଅଶିକ୍ଷା, ଦାରିଦ୍ର୍ୟ, ପରିବାରର ଅବହେଳା, ସାମାଜିକ ଭେଦଭାବ ଓ ନକାରାତ୍ମକ ମନୋଭାବ ସେମାନଙ୍କ ବିକାଶର ପ୍ରଧାନ ବାଧା । ଗ୍ରାମୀଣ ଅଞ୍ଚଳରେ ଚିକିତ୍ସା, ଶିକ୍ଷା ଓ ଯାତାୟାତ ସୁବିଧାର ଅଭାବ ତାଙ୍କୁ ଅଧିକ ପଛକୁ ଠେଲିଦେଉଛି । ଏହା ସହିତ ଲିଙ୍ଗଭିତ୍ତିକ ଭେଦଭାବ ତାଙ୍କ ସମସ୍ୟାକୁ ଆହୁରି ଗୁରୁତର କରୁଛି । ଏହିପରି ଭାବରେ ଦେଖାଯାଏ କି ଭିନ୍ନକ୍ଷମ ନାରୀଙ୍କ ବିକାଶ ସୁଯୋଗ ଓ ପ୍ରତିବନ୍ଧକ, ଏହି ଦୁଇଟି ମଧ୍ୟରେ ଦୋଦୁଲ୍ୟମାନ ଅବସ୍ଥାରେ ରହିଛି । ସଠିକ୍ ନୀତି, ସାମାଜିକ ସଚେତନତା ଓ ସମାନ ଦୃଷ୍ଟିଭଙ୍ଗୀ ଗ୍ରହଣ କରାଗଲେ, ସେମାନଙ୍କର ସର୍ବାଙ୍ଗୀନ ବିକାଶ ହେବ ।

ଭିନ୍ନକ୍ଷମତା କେବଳ ଶାରୀରିକ ସୀମାବଦ୍ଧତା ବା ସାମର୍ଥ୍ୟର ଶେଷ ସୀମା ନୁହେଁ । ଯଦି ସମାଜ, ପରିବାର ଓ ପ୍ରଶାସନର ସହଯୋଗ ମିଳେ, ତେବେ ଭିନ୍ନକ୍ଷମ ନାରୀମାନେ ଶିକ୍ଷା, କ୍ରୀଡ଼ା, କଳା, ନିଯୁକ୍ତି ଓ ସାମାଜିକ ନେତୃତ୍ୱ ସମେତ ପ୍ରତ୍ୟେକ କ୍ଷେତ୍ରରେ ଅସାଧାରଣ ସଫଳତା ହାସଲ କରିପାରନ୍ତି । ତେଣୁ ସମାଜର ଦାୟିତ୍ୱ ହେଉଛି ଭିନ୍ନକ୍ଷମ ନାରୀମାନଙ୍କୁ ସମାନ ସୁଯୋଗ, ସମ୍ମାନ ଓ ସ୍ୱାଧୀନତା ପ୍ରଦାନ କରିବା । ଏହା ସାକାର ହେବ ସେତେବେଳେ, ଯେତେବେଳେ ସମାଜ ସେମାନଙ୍କୁ ଏକ ସମ୍ଭାବନାପୂର୍ଣ୍ଣ ଅଂଶୀଦାର ରୂପେ ବିଚାର କରିବ ।

Share the post

Leave a Reply

Your email address will not be published. Required fields are marked *

Year 2025: Odia Para-Athletes' Excellence

ବର୍ଷ ୨୦୨୫: ଓଡିଆ ପାରା-ଆଥଲେଟ୍‌ଙ୍କ କମାଲ୍

୨୦୨୫ ବର୍ଷ ଓଡିଶା ପାରାକ୍ରୀଡା ପାଇଁ ଏକ ଉତ୍କର୍ଷର ବର୍ଷ ବୋଲି କହି ହେବ । ଓଡିଶାର ପାରାକ୍ରୀଡାବତ୍ ମାନେ ସର୍ବଭାରତୀୟ ପ୍ରତିଯୋଗୀତାଠାରୁ ଆରମ୍ଭ କରି ବିଭିନ୍ନ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା ଅର୍ଜନ କରି...