® ISSN : 3107-4979 | A Bilingual (Odia & English) Bimonthly Special Newspaper Covering News and Views on Disabilities | ® RNI Regd. No. ODIBIL/2016/67738

ଜନ୍ମରୁ କିମ୍ବା କୌଣସି ଦୁର୍ଘଟଣାରେ ଭିନ୍ନ‌କ୍ଷମ ପାଲଟି ଯାଇଥିବା ସନ୍ତାନଙ୍କ ଜୀବନଯାପନ ପାଇଁ ସେମାନଙ୍କ ଅଭିଭାବକଙ୍କ ସଂଘର୍ଷର ତୁଳନା ନାହିଁ I କିନ୍ତୁ ସେମାନଙ୍କ ମୃତ୍ୟୁ ପରେ ନିଜ ଭିନ୍ନକ୍ଷମ ସନ୍ତାନଙ୍କ ସମ୍ପତ୍ତିର ସୁରକ୍ଷା କେମିତି ହେବ,ତାହା ସେମାନଙ୍କୁ ଶାନ୍ତିରେ ନିଃଶ୍ବାସ ମାରିବାକୁ ଦେଉ ନାହିଁ । ଭିନ୍ନକ୍ଷମ ସନ୍ତାନଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି ଉପରେ ନିକଟ ସମ୍ପର୍କୀୟଙ୍କ ଲୋଲୁପ ଦୃଷ୍ଟି ଶେଷରେ ସେମାନଙ୍କୁ ଭିକାରି କରିଦେଉଛି। ରାଜ୍ୟରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସମ୍ପତ୍ତି ଆତ୍ମସାତ୍ ଅଭିଯୋଗ କିଛି କମ୍ ନାହିଁ। ଏପରିସ୍ଥଳେ ଭିନ୍ନକ୍ଷମଙ୍କ ସମ୍ପତ୍ତି ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିବାକୁ ବିଭିନ୍ନ ମହଲରେ ଦାବି ଉଠିଛି।

ଭିନ୍ନକ୍ଷମ ବିଭିନ୍ନ କାର୍ଯ୍ୟ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ। ଏପରିସ୍ଥଳେ ଜମି ବାଡ଼ି ଝାମେଲା ତୁଟାଇବା ପାଇଁ ଥାନା, କୋର୍ଟ, ତହସିଲ, ଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ିବା; ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ଦୁଃଖ ଜଣାଇବା କଷ୍ଟକର ବ୍ୟାପାର । ପିତାମାତାଙ୍କ ମୃତ୍ୟୁ ପରେ ସମ୍ପୂର୍ଣ ଏକାକୀ ହୋଇଯାଉଥ‌ିବା ଭିନ୍ନକ୍ଷମ ନାଗରିକଙ୍କ ସମ୍ପତ୍ତି ଅଧିକାରର ସୁରକ୍ଷା ପାଇଁ ଆଇନର ବାସ୍ତବାୟନ ର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି । ଭିନ୍ନ‌କ୍ଷମଙ୍କ ଅଧିକାର ସୁରକ୍ଷା ପାଇଁ ରାଜ୍ୟ ଭିନ୍ନ‌କ୍ଷମ ଆୟୁକ୍ତ ରହିଛନ୍ତି। ହେଲେ ସମ୍ପଭି ସୁରକ୍ଷା କ୍ଷେତ୍ରରେ ଆୟୁକ୍ତଙ୍କ କ୍ଷମତା ସୀମିତ। ସେମାନଙ୍କ ଜାଣତ ବା ଅଜାଣତରେ କିଏ ସରକାରୀ କାଗଜରେ ସେମାନଙ୍କ ଟିପ ଚିହ୍ନ ନେଇ ଗଲାଣି ତ ଆଉ କିଏ ଜାଲ୍ ଦସ୍ତାବିଜ ପ୍ରସ୍ତୁତ କରି ସମ୍ପତ୍ତିରୁ ବେଦଖଲ କରି ଦେଲାଣି। ସାରା ରାଜ୍ୟରେ ଏପରି ସଂଖ୍ୟାଧିକ ନିର୍ଯାତିତ ଭିନ୍ନକ୍ଷମ ଅଛନ୍ତି । ବିବାହିତ ଭିନ୍ନ‌କ୍ଷମଙ୍କ ଜୀବନ ଯନ୍ତ୍ରଣା ଆହୁରି ଦୁର୍ବିସହ ହୋଇଯାଉଛି।

ଯଦିଓ ସଦ୍ୟତମ ଜନଗଣନା ପରିସଂଖ୍ୟାନ ପ୍ରକ୍ରିୟା ଆରମ୍ଭ ହେବାକୁ ଅଛି ମାତ୍ର ନୂତନ ଭିନ୍ନକ୍ଷମ ଆଇନର ୨୧ ପ୍ରକାର ଅକ୍ଷମତା ଆଧାରରେ ରାଜ୍ୟରେ ଭିନ୍ନକ୍ଷମ ନାଗରିକଙ୍କ ସଂଖ୍ୟା ୨୫ ଲକ୍ଷରୁ ଉର୍ଧ୍ଵ ରହିଥିବାର ଅନୁମାନ କରାଯାଏ |ସେମାନଙ୍କ ମଧ୍ୟରୁ ଅଦ୍ୟାବଧି ମଧ୍ୟ ସଂଖ୍ୟାଧିକ ସମ୍ଭାବିତ ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀ ତୃଣମୂଳ ସ୍ତରରେ ଚି଼ହ୍ନଟ ହେବାକୁ ଅପେକ୍ଷାରତ ଅଛନ୍ତି | ଏହି ବିବିଧ ବର୍ଗର ହିତାଧିକାରୀଙ୍କ ନିକଟରେ ଉଦ୍ଧିଷ୍ଟ ସରକାରୀ ଯୋଜନା ପହଂଚାଇବା ସହିତ ସେମାନଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିବା ଏକ ବଡ଼ ଆହ୍ୱାନ ରୂପେ ପ୍ରତିଭାତ ହୋଇଅଛି | ଗୋଟିଏ ପଟେ ଶାରୀରିକ ଓ ମାନସିକ ଅକ୍ଷମତା ଜୀବନକୁ ସଂଘର୍ଷମୟ କରି ରଖୁଥ‌ିବା ବେଳେ ପୈତୃକ ସମ୍ପତ୍ତିରୁ ବଞ୍ଚିତ କରାଯିବା, ସେମାନଙ୍କୁ ସ୍ବାଭିମାନର ସହ ବଞ୍ଚିବା ମାଧ୍ୟମକୁ ବନ୍ଦ କରି ଦେଉଛି।

ପୌତୃକ ସମ୍ପତ୍ତି ଉପରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଆଇନଗତ ଅଧିକାର ‘: ଏକ ସମ୍ୟକ ଦୃଷ୍ଟିପାତ

୧. ପୌତୃକ ସମ୍ପତ୍ତି (Ancestral Property) ମାନେ ହେଉଛି ଏମିତି ସମ୍ପତ୍ତି ଯାହା ୪ ପୁସ୍ତରୁ ଆସୁଛି (ପିତା, ପିତାମହ, ପ୍ରପିତାମହ ଇତ୍ୟାଦି) ।
ଭାରତର ଆଇନ ଅନୁସାରେ ଦିବ୍ୟାଙ୍ଗତା କୌଣସି ଅଯୋଗ୍ୟତା ନୁହେଁ ଓ ସେମାନେ ସମାନ ଭାବରେ ଉତ୍ତରାଧିକାରୀ।

୨. ପୌତୃକ ସମ୍ପତ୍ତି ସମ୍ବନ୍ଧିତ ମୂଳ ଆଇନ
      ହିନ୍ଦୁ ଉତ୍ତରାଧିକାର ଆଇନ,୧୯୫୬

       କ. ଧାରା ୬ – କୋପାର୍ସୀନାରୀ ବା ସହଭାଗୀ ଅଧିକାର
            ପୌତୃକ ସମ୍ପତ୍ତିରେ ଜନ୍ମସିଦ୍ଧ ଅଧିକାର ୨୦୦୫ ସଂଶୋଧନ ପରେ:
            ଝିଅମାନେ ମଧ୍ୟ ପୁଅମାନଙ୍କ ପରି କୋପାର୍ସୀନାର ବା ସହଅଧିକାରୀ
            ଦିବ୍ୟାଙ୍ଗ ହେଲେ ମଧ୍ୟ ଏହି ଅଧିକାର ଅବିଚ୍ଛିନ୍ନ।
      ଖ. ଧାରା ୮ – ଉତ୍ତରାଧିକାର (Intestate succession )
           ବ୍ୟକ୍ତି ଇଚ୍ଛାପତ୍ର ବିନା ମରିଲେ: ପ୍ରଥମଶ୍ରେଣୀ ଉତ୍ତରାଧିକାରୀ (ପୁଅ, ଝିଅ, ବିଧବା, ମାତା) ସମାନ ଅଂଶ। ଦିବ୍ୟାଙ୍ଗ ସନ୍ତାନଙ୍କୁ ସମାନ ଅଂଶ ମିଳେ ।
      ଗ.  ଧାରା ୨୪ ୨୫, ୨୬ (ଅଯୋଗ୍ୟତା)
            କେତେକ ଅପରାଧ ଆଧାରରେ ଅଯୋଗ୍ୟତା ଥାଏ । ଦିବ୍ୟାଙ୍ଗତା କେବେ ବି ଅଯୋଗ୍ୟତା ନୁହେଁ ।

୩. ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ବିଶେଷ ଆଇନ
ଭିନ୍ନକ୍ଷମ ଅଧିକାର ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ , ୨୦୧୬

ଧାରା ୩ – ସମାନତା ଓ ଭେଦଭାବ ନିଷେଧ । ସମସ୍ତ ସରକାରୀ/ବେସରକାରୀ କ୍ଷେତ୍ରରେ ସମାନ ଅଧିକାର। ସମ୍ପତ୍ତି ବଣ୍ଟନରେ ଭେଦଭାବ ଅବୈଧ ।

ଧାରା ୧୩ – ସମ୍ପତ୍ତିରେ ଆଇନଗତ ଅଧିକାର: ଦିବ୍ୟାଙ୍ଗ ବ୍ୟକ୍ତି ସମ୍ପତ୍ତି ରଖିପାରିବେ । ବଂଶ ପାରମ୍ପରିକ ଭାବରେ ଅଧିକାରୀ ହେବେ । ଅନ୍ୟମାନଙ୍କ ପରି ସମାନ ଆଇନଗତ ସୁବିଧା ପାଇପାରିବେ । ଏହା ମଧ୍ୟ ସମୁଚିତ ସରକାର ସୁନିଶ୍ଚିତ କରାଇବେ ଯେ ଭିନ୍ନକ୍ଷମମାନେ ଅନ୍ୟ ସାଧାରଣଙ୍କ ପରି ସମ୍ପତିଗତ ଅଧିକାର, ଉତ୍ତରାଧିକାର, ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଅଧିକାର, ନିଜର ଆର୍ଥିକ ମାମଲାର ସ୍ଵନିୟନ୍ତ୍ରଣ ଓ ବ୍ୟାଙ୍କ ଋଣ, ମଡଗେଜ ତଥା ଅନ୍ୟାନ୍ୟ ଆର୍ଥିକ କାରବାର ସମ୍ପାଦନା କରିବାର ଅଧିକାର ଉପଭୋଗ କରିବେ ।

ଧାରା ୧୪ – ଆଇନଗତ କ୍ଷମତା : ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଆଇନଗତ କ୍ଷମତା । ଆବଶ୍ୟକ ହେଲେ “ସହାୟତା ବ୍ୟବସ୍ଥା” “support system” ଦିଆଯିବ। ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପକ୍ଷରୁ ଆଇନଗତ ନିଷ୍ପତି ନେବା ନିମନ୍ତେ ଏହି ଧାରାରେ Limited Guardianship ବା ସୀମିତ ଅଭିଭାବକତ୍ଵର ବ୍ୟବସ୍ଥା ରହିଅଛି । ସମ୍ପୃକ୍ତ ଜିଲ୍ଲା ନ୍ୟାୟାଳୟ ଏ ଦିଗରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ନିଷ୍ପତିଗତ ଅଧିକାର ପାଇଁ ଏହି ସୀମିତ ଅଭିଭାବକତ୍ଵ ପ୍ରଦାନ କରିଥାଏ । ଯାହା ମୁଖ୍ୟତ ନିଯୁକ୍ତ ଅଭିଭାବକ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାରସ୍ପରିକ ଆସ୍ଥା ଉପରେ ପର୍ଯ୍ୟବେସିତ ।

୪. ଭାରତୀୟ ସଂବିଧାନ ଅନୁସାରେ ସୁରକ୍ଷା ଭାରତୀୟ ସମ୍ବିଧାନ,
     ଅନୁଚ୍ଛେଦ ୧୪ –ସମସ୍ତେ ଆଇନ ସମ୍ମୁଖରେ ସମାନ ।
     ଅନୁଚ୍ଛେଦ ୧୫ – “ବୈଷମ୍ୟହୀନତା” (Non-discrimination)
                             ଧର୍ମ, ଲିଙ୍ଗ, ଜନ୍ମ ସହିତ ଅନ୍ୟ ଆଧାରରେ ଭେଦଭାବ ନିଷେଧ ।
     ଅନୁଚ୍ଛେଦ ୨୧– “ଜୀବନ ଧାରଣର ଅଧିକାର” (Right to Life)
                            ମର୍ଯ୍ୟାଦାପୂର୍ଣ୍ଣ ଜୀବନ → ସମ୍ପତ୍ତି ଅଧିକାର ସହ ଜଡିତ।

ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସମ୍ପତିଗତ ଅଧିକାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟର ମହତ୍ତ୍ୱପୂର୍ଣ୍ଣ ରାୟ-

ଭିନୀତ ଶର୍ମା ବନାମ୍ ରାକେଶ ଶର୍ମା (୨୦୨୦)

ମୁଖ୍ୟ ନିଷ୍କର୍ଷ: ଝିଅମାନେ ଜନ୍ମରୁ କୋପାର୍ସନେର ବା ସହଅଧିକାରୀ । ପିତା ବଞ୍ଚିଥିବେ କି ନାହିଁ ପ୍ରଭାବ ପଡ଼େ ନାହିଁ । ଦିବ୍ୟାଙ୍ଗ ଝିଅ/ପୁଅ ମଧ୍ୟ ସମାନ ଅଧିକାରୀ।

ଜିଜା ଘୋଷ ବନାମ୍ ୟୁନିୟନ ଅଫ ଇଣ୍ଡିଆ (୨୦୧୬)

ମୁଖ୍ୟ ନିଷ୍କର୍ଷ: ଦିବ୍ୟାଙ୍ଗଙ୍କ ମର୍ଯ୍ୟାଦା ଓ ଅଧିକାର ସୁରକ୍ଷା ଆବଶ୍ୟକ। ଭେଦଭାବ ହେଲେ ସଂବିଧାନ ବିରୋଧୀ ।

ଅନୁଜ ଗର୍ଗ ବନାମ୍ ହୋଟେଲ ଆସୋସିଏସନ ଅଫ ଇଣ୍ଡିଆ (୨୦୦୮)

ମୁଖ୍ୟ ନିଷ୍କର୍ଷ: ସମାନତା ନୀତିକୁ ଜୋରଦାର କରାଯାଇଛି। ଆଇନରେ ଅସମାନତା ଅସ୍ୱୀକୃତ ।

ପ୍ରାୟୋଗିକ ପରିସ୍ଥିତି (Practical Aspects)

ଯଦି ଅଧିକାର ବଞ୍ଚିତ କରାଯାଏ:

ସିଭିଲ କୋର୍ଟରେ “ବଣ୍ଟୁଆରା ମୋକଦ୍ଦମା” (Partition Suit) ଦାଖଲ କରିପାରିବେ । ନ୍ୟାୟାଳୟ ସମାନ ଅଂଶ ଦେବାକୁ ଆଦେଶ କରିବ ।

ଯଦି ବ୍ୟକ୍ତି ମାନସିକ ଭାବେ ଅସକ୍ଷମ

ଆଇନଗତ ଅଭିଭାବକ” (Court Guardian) ନିଯୁକ୍ତ କରିପାରିବ। ତାଙ୍କ ହିତ ସୁରକ୍ଷା ହେବ।

(ଭରଣପୋଷଣ) Maintenance

ପରିବାର ସଦସ୍ୟଙ୍କର ଦାୟିତ୍ୱ ରହିଛି । ବିଶେଷକରି ଦିବ୍ୟାଙ୍ଗଙ୍କ ପାଇଁ ।

ଅତଏବ ଆମ ଦେଶର ଆଇନ ଦିବ୍ୟାଙ୍ଗମାନଙ୍କ ପ୍ରତି ପ୍ରତିବଦ୍ଧ ରହିଥିବାବେଳେ ଆଇନଗତ ଅଜ୍ଞାନତା,ଗମ୍ଭୀର ଭିନ୍ନକ୍ଷମତା ବ୍ୟକ୍ତିବିଶେଷଙ୍କ ଉପଯୁକ୍ତ ପ୍ରତିନିଧିତ୍ବ ବା ଅଧିକାରର ସ୍ୱରର ଅନୁପସ୍ଥିତି ଏହିପରି ଜଟିଳ ଅବସ୍ଥା ସୃଷ୍ଟି କରୁଛି | ଯାହାଦ୍ୱାରା ଏହି ଅସହାୟ ବର୍ଗଙ୍କ ସମ୍ପତିଗତ ଅଧିକାର ଆଇନ କାର୍ଯ୍ୟାନୟନ ହେବାରେ ଦୂରତା ସୃଷ୍ଟି ହୋଇଛି | ଏହା ଜାଣିରଖିବା ଉଚିତ ଯେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷ ଭାବେ ଭାରତୀୟ ସମ୍ବିଧାନ ଏବଂ ବିଭିନ୍ନ ଆଇନଗତ ଅଧିନିୟମ ସେମାନଙ୍କ ପୌତୃକ ସମ୍ପତ୍ତିରେ ଜନ୍ମସିଦ୍ଧ ଅଧିକାରୀ ଅଟେ । କୌଣସି ଭେଦଭାବ ଆଇନଗତ ଭାବେ ଅବୈଧ । ସଂବିଧାନ ଏବଂ ବିଶେଷ ଆଇନ ଦ୍ୱାରା ସେମାନଙ୍କର ଏହି ଅଧିକାର ସୁରକ୍ଷିତ । ବିଭିନ୍ନ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଦିବ୍ୟାଙ୍ଗମାନଙ୍କ ସମ୍ପତିଗତ ଅଧିକାର ସପକ୍ଷରେ ବଳିଷ୍ଠ ମତପୋଷଣ କରିଛି ।

Leave a Reply

Your email address will not be published. Required fields are marked *

Related Posts