ଯୁଦ୍ଧ ଓ ଭିନ୍ନକ୍ଷମତା, ପରସ୍ପର ସହ ସମ୍ମନ୍ଧିତ ଏକ ଅପରିହାର୍ଯ୍ୟ ପରିଣାମ । ଯୁଦ୍ଧର ଉପସଂହାର ଆସେ ସତ କିନ୍ତୁ ପରିଶେଷରେ ଯେଉଁ ଅବଶେଷର ଚିହ୍ନ ଛାଡିଯାଏ, ତାହା ମାନବ ଇତିହାସର ଲଲାଟରେ ଏକ ଅଲିଭା କ୍ଷତର ଗାର ପାଲଟି ସବୁଦିନ ପାଇଁ ରହିଯାଏ । ବିବିଧ ରୂପରେ ମଣିଷ ଏହି ଯୁଦ୍ଧର ପରିଣତିକୁ ଭରଣା କରିଥାଏ । ଅସଂଖ୍ୟ ଜୀବନହାନୀଠାରୁ ଅଙ୍ଗହାନୀ ଓ ଅସହ୍ୟ ମାନସିକ ପୀଡାର ଫର୍ଦ୍ଦ ଫର୍ଦ୍ଦ ରକ୍ତାକ୍ଷରା କରୁଣ କାହାଣୀ ତିଆରି କରିଥାଏ ଯୁଦ୍ଧ । ଯେଉଁଠି ପ୍ରତି ପୃଷ୍ଠାରେ ଗୋଳି ହୋଇଥାଏ ଧୂଳିସିକ୍ତ ଝରା ରୁଧିରର ଅକଥନୀୟ ଯନ୍ତ୍ରଣା ଓ କୋହର ଅବ୍ୟକ୍ତ ଆର୍ତ୍ତି ।
କ୍ଷମତା,ଅହଂକାର,ପ୍ରତିପତ୍ତି ପୁଣି ଧର୍ମର ଧ୍ଵଜା ସ୍ଥାପନ ପାଇଁ ପୃଥିବୀ ଇତିହାସରେ ଆଜି ଯାଏଁ ସଂଗଠିତ ଅଗଣିତ ଯୁଦ୍ଧର ଯଜ୍ଞରେ କେତେ ଯେ କେତେ କଟା ହାତର ପାପୁଲି, ଛିନ୍ନ ବାହୁ, ପାଦ ଓ ମସ୍ତକ ପ୍ରଭୃତି ଆହୂତି ହୋଇଛି ତା’ର ଗଣନା କେଉଁ ଇତିହାସ ଅବା ସଠିକ ରଖିପାରିଛି !!
ସମ୍ପ୍ରତି ପଶ୍ଚିମ ଏସିଆରେ ସଂଘଟିତ ହେଉଥିବା ଭୟାବହ ଯୁଦ୍ଧ ପୁଣିଥରେ ମାନବ ସଭ୍ୟତାର କ୍ଷମତା ଓ ସ୍ଵାର୍ଥଲିପ୍ସୁ ରକ୍ତପିପାସୀ ଦାନବ ମୁଖାକୁ ପଦାରେ ପକାଇଛି । ଆଉ ଗୁଳିଗୋଲା କି ହାତହତିଆର ଶସ୍ତ୍ରରେ ନୁହେଁ ଆକାଶୀ ଡ୍ରୋନ୍ ଓ ମିସାଇଲର ଘନ ଘନ ଅତର୍କିତ ଆକ୍ରମଣ ଓ ବିଧ୍ବସ୍ତ କୋଠାର ଆଘାତରେ କରାଳ ମୃତ୍ଯୁ ଯେପରି ଛୁଇଁ ଯାଇଛି ଶହ ଶହ ନିରୀହ ଜୀବନକୁ ସେହିପରି ଅସଂଖ୍ୟ ଶିଶୁ ଓ ମଣିଷଙ୍କୁ କରିଛି ପଙ୍ଗୁ ଓ ବିକଳାଙ୍ଗ!
ପ୍ରଥମ ବିଶ୍ୱଯୁଦ୍ଧ
ପ୍ରଥମ ବିଶ୍ୱଯୁଦ୍ଧ ୧୯୨୪ରୁ ୧୯୧୮ ପର୍ଯ୍ୟନ୍ତ ହୋଇଥିବା ଏକ ବିଶ୍ୱସ୍ତରୀୟ ଯୁଧ୍ୟ ଥିଲା । ଏହାକୁ “ବଡ ଯୁଦ୍ଧ” ମଧ୍ୟ କୁହାଯାଏ । ଏହି ଯୁଧ୍ୟ ୟୁରୋପରୁ ଆରମ୍ଭ ହୋଇ ସାରା ବିଶ୍ୱକୁ ପ୍ରଭାବିତ କରିଥିଲା ।
ଯୁଦ୍ଧର କାରଣ: ରାଷ୍ଟ୍ରବାଦ ବୃଦ୍ଧି, ସାମ୍ରାଜ୍ୟବାଦ, ସାମରିକତା, ମିଳିତ ମୋର୍ଚ୍ଚା
ପ୍ରଥମ ବିଶ୍ୱଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା?
ମିତ୍ର ଶକ୍ତି : ବ୍ରିଟେନ, ଫ୍ରାନ୍ସ, ରୁଷିଆ, ଆମେରିକା
କେନ୍ଦ୍ରୀୟ ଶକ୍ତି : ଜର୍ମାନୀ, ଅଷ୍ଟ୍ରିଆ-ହଙ୍ଗେରୀ, ଅଟୋମାନ ସାମ୍ରାଜ୍ୟ, ବୁଲଗେରିଆ
ପ୍ରଥମ ବିଶ୍ୱଯୁଦ୍ଧ ଓ ଭିନ୍ନକ୍ଷମତା :
(୧୯୧୪–୧୯୧୮) ହେଉଛି ପ୍ରଥମ ବଡ଼ ଆନ୍ତର୍ଜାତୀୟ ଯୁଦ୍ଧ, ଯେଉଁଥିରେ ବହୁ ଦେଶ ଯୋଗ ଦେଇଥିଲେ। ଏହି ଯୁଦ୍ଧରେ ଲକ୍ଷେ ଲକ୍ଷ ସେନା ଓ ସାଧାରଣ ଲୋକ ଆହତ ଓ ନିହତ ହୋଇଥିଲେ।
ପ୍ରଥମ ବିଶ୍ଵଯୁଦ୍ଧର ପରିଣାମରେ ସଂଜାତ ବିବିଧ ଭିନ୍ନକ୍ଷମତା
ପ୍ରଥମ ବିଶ୍ୱଯୁଦ୍ଧ ପରେ ଅନେକ ସେନା ନିମ୍ନଲିଖିତ ଭିନ୍ନକ୍ଷମତାରେ ପୀଡ଼ିତ ହେଲେ:
୧. ଶାରୀରିକ ଅସମର୍ଥତା: ହାତ, ପାଦ କଟିଯିବା, ଦେହରେ ଗୁରୁତର ଆଘାତ, ଦୃଷ୍ଟି ବା କର୍ଣ୍ଣ ଶକ୍ତି ହ୍ରାସ
୨. ମାନସିକ ଭିନ୍ନକ୍ଷମତା: ଭୟ, ଉଦବେଗ, ଡିପ୍ରେସନ
୩. ରସାୟନିକ ଆଘାତ: ଗ୍ୟାସ ଆକ୍ରମଣରୁ ଫୁସଫୁସ ଓ ଆଖିର କ୍ଷତି
ପରିଣାମ ଓ ପରିବର୍ତ୍ତନ
ପ୍ରଥମ ବିଶ୍ୱଯୁଦ୍ଧ ପରେ ଭିନ୍ନକ୍ଷମ ଲୋକଙ୍କ ପାଇଁ କିଛି ନୂତନ ପଦକ୍ଷେପ ନିଆଯାଇଥିଲା: ପୁନର୍ବାସ କେନ୍ଦ୍ରର ପ୍ରତିଷ୍ଠା, କୃତ୍ରିମ ଅଙ୍ଗ ଉତ୍ପାଦନ, ସରକାରୀ ସହାୟତା ଓ ପେନ୍ସନ, ସମାଜରେ ଭିନ୍ନକ୍ଷମଙ୍କ ପ୍ରତି ଦୃଷ୍ଟିକୋଣର ପରିବର୍ତ୍ତନ।
ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ପ୍ରାୟ ୨ କୋଟି ସେନା ଆହତ ହୋଇଥିଲେ। ଏହାର ମଧ୍ୟରୁ ପ୍ରାୟ ୮୦ ଲକ୍ଷ ଲୋକ ସ୍ଥାୟୀ ଭିନ୍ନକ୍ଷମ ହୋଇଥିଲେ ।
କେଉଁ କେଉଁ ପ୍ରକାର ଭିନ୍ନକ୍ଷମତା ହୋଇଥିଲା?
୧. ଶାରୀରିକ ଭିନ୍ନକ୍ଷମତା : ହାତ, ପାଦ କଟିଯିବା, ଶରୀରର ଅଂଶ ଗୁରୁତର ଆହତ ।
୨. ଦୃଷ୍ଟି ଓ ଶ୍ରବଣ ନଷ୍ଟ : ବିସ୍ଫୋରଣ ଓ ଗ୍ୟାସ ଆକ୍ରମଣ ଫଳରେ ଅନେକେ ଅନ୍ଧ ହୋଇଥିଲେ, କାନର କ୍ଷତି ।
୩. ମାନସିକ ଭିନ୍ନକ୍ଷମତା : Post-Traumatic Stress Disorder (PTSD) ଭୟ, ଆତଙ୍କ, ମନୋଦୁର୍ବଳତା
୪. ରାସାୟନିକ ଆକ୍ରମଣର ପ୍ରଭାବ: ବିଷାକ୍ତ ଗ୍ୟାସ ଫଳରେ ଚର୍ମ ଓ ଫୁସଫୁସ ନଷ୍ଟ, ଦୀର୍ଘକାଳୀନ ଶ୍ୱାସକଷ୍ଟ
ଦ୍ୱିତୀୟ ବିଶ୍ଵଯୁଦ୍ଧ
ଦ୍ୱିତୀୟ ବିଶ୍ୱଯୁଦ୍ଧ ୧୯୩୯ଠାରୁ ୧୯୪୫ ପର୍ଯ୍ୟନ୍ତ ଘଟିଥିବା ଏକ ବିଶ୍ୱବ୍ୟାପୀ ଓ ଅତ୍ୟନ୍ତ ଭୟାବହ ଯୁଦ୍ଧ ଥିଲା, ଯେଉଁଥିରେ ପ୍ରାୟ ସମସ୍ତ ଦେଶ ଦୁଇଟି ଶକ୍ତି ଅକ୍ଷ ଶକ୍ତି (ଜର୍ମାନୀ, ଇଟାଲୀ, ଜାପାନ) ଓ ମିତ୍ର ଶକ୍ତି (ବ୍ରିଟେନ, ଆମେରିକା, ସୋଭିଏତ ସଂଘ, ଫ୍ରାନ୍ସ, ଚୀନ)ରେ ବିଭକ୍ତ ହୋଇ ଯୁଦ୍ଧ କରିଥିଲେ ।
ଏହି ଯୁଦ୍ଧର ଆରମ୍ଭ ୧ସେପ୍ଟେମ୍ବର ୧୯୩୯ରେ ଜର୍ମାନୀ ଦ୍ୱାରା ପୋଲାଣ୍ଡ ଉପରେ ଆକ୍ରମଣ ସହ ହୋଇଥିଲା ଓ ପରେ ଏହା ସମଗ୍ର ବିଶ୍ୱକୁ ଆବର୍ତ୍ତ କରିଥିଲା । ଏହାର ପ୍ରମୁଖ କାରଣ ଥିଲା ପ୍ରଥମ ବିଶ୍ୱଯୁଦ୍ଧ ପରେ ଜର୍ମାନୀର ଅସନ୍ତୋଷ, ଭର୍ସାଇଲ୍ସ ଚୁକ୍ତିର କଠୋର ନିୟମ ଓ ଆଡଲଫ୍ ହିଟଲରଙ୍କ ବିସ୍ତାରବାଦୀ ନୀତି । ଯୁଦ୍ଧ ସମୟରେ ପର୍ଲ ହାର୍ବର ଆକ୍ରମଣ, ଷ୍ଟାଲିଙ୍ଗ୍ରାଡ୍ ଯୁଦ୍ଧ ଓ ନର୍ମାଣ୍ଡି ଆକ୍ରମଣ ପରି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିଲା। ଶେଷରେ ୧୯୪୫ ମସିହାରେ ଜର୍ମାନୀ ଓ ଜାପାନ ଆତ୍ମସମର୍ପଣ କରିବା ସହ ଯୁଦ୍ଧର ଶେଷ ହେଲା । ଏହି ଯୁଦ୍ଧରେ ପ୍ରାୟ ୪୦ ଠାରୁ ୫୦ ମିଲିୟନ୍ ଲୋକ ମୃତ୍ୟୁବରଣ କରିଥିଲେ, ଯାହା ଏହାକୁ ଇତିହାସର ସବୁଠାରୁ ମାରାତ୍ମକ ଯୁଦ୍ଧ କରିଥାଏ । ଏହା ପରେ ବିଶ୍ୱର ରାଜନୈତିକ ପରିସ୍ଥିତି ବଦଳିଗଲା ଓ ନୂତନ ବିଶ୍ୱ ବ୍ୟବସ୍ଥା ଗଠିତ ହେଲା ।
ଦ୍ୱିତୀୟ ବିଶ୍ଵଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ଦୁଇଟି ପ୍ରମୁଖ ଶକ୍ତିମଧ୍ୟରେ ହୋଇଥିଲା:
ଅକ୍ଷ ଶକ୍ତି : ଜର୍ମାନୀ, ଇଟାଲୀ ଓ ଜାପାନ ।
ମିତ୍ର ଶକ୍ତି : ବ୍ରିଟେନ, ଫ୍ରାନ୍ସ, ସୋଭିଏତ ସଂଘ, ଆମେରିକା, ଚୀନ
ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ଭିନ୍ନକ୍ଷମତା : ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଓ ପରେ ଭିନ୍ନକ୍ଷମ ଲୋକମାନଙ୍କ ଉପରେ ଗଭୀର ପ୍ରଭାବ ପଡ଼ିଥିଲା। ଏହାକୁ ଦୁଇ ଭାଗରେ ବୁଝିପାରିବା:
୧. ଯୁଦ୍ଧ ସମୟରେ ଭିନ୍ନକ୍ଷମତା : ବହୁ ସେନା ଯୋଦ୍ଧା ଆହତ ହୋଇ ଶାରୀରିକ ଭିନ୍ନକ୍ଷମତା (ହାତ/ପାଦ ହରାଇବା, ଦୃଷ୍ଟି ହରାଇବା) ହେଲେ। ମାନସିକ ଆଘାତ ମଧ୍ୟ ବହୁତ ଦେଖାଗଲା। ବୋମା ଓ ଆକ୍ରମଣରେ ସାଧାରଣ ଲୋକମାନେ ମଧ୍ୟ ଅପାହିଜ ହେଲେ।
୨. ନାଜି ଜର୍ମାନୀର ନୀତି “ଆଡଲଫ୍ ହିଟଲର୍” : ଜର୍ମାନୀର ନାଜି ଦଳର ନେତା ଓ ଏକ ନିରଙ୍କୁଶ ଶାସକ ଥିଲେ, ଯିଏ ୧୯୩୩ ଠାରୁ ୧୯୪୫ ପର୍ଯ୍ୟନ୍ତ ଦେଶରେ ଶାସନ କରିଥିଲେ। ସେ ଜର୍ମାନୀକୁ ସଶକ୍ତ କରିବା ଓ ତାହାର ସୀମା ବିସ୍ତାର କରିବା ପାଇଁ ଆକ୍ରମଣାତ୍ମକ ନୀତି ଅନୁସରଣ କରିଥିଲେ। ୧୯୩୯ ମସିହାରେ ପୋଲାଣ୍ଡ ଉପରେ ତାଙ୍କ ଆକ୍ରମଣ ଦ୍ୱାରା ଦ୍ୱିତୀୟ ବିଶ୍ୱଯୁଦ୍ଧର ଆରମ୍ଭ ହୋଇଥିଲା। ତାଙ୍କ ଶାସନକାଳରେ ହୋଲୋକଷ୍ଟ ନାମକ ଭୟାବହ ଘଟଣା ଘଟିଥିଲା, ଯେଉଁଥିରେ ଲକ୍ଷେ ଲକ୍ଷେ ଲୋକ ମାରିଯାଇଥିଲେ। ୧୯୪୫ ମସିହାରେ ସେ ଆତ୍ମହତ୍ୟା କରିଥିଲେ। ତାଙ୍କ ନେତୃତ୍ୱରେ ନାଜି ଶାସନ ଭିନ୍ନକ୍ଷମ ଲୋକଙ୍କୁ “ଅନୁପଯୋଗୀ” ବୋଲି ଭାବିଥିଲା ।
“ଆକ୍ସନ୍ T4” ନାଜି ଜର୍ମାନୀର ଏକ ଗୁପ୍ତ ଓ ଅମାନବିକ କାର୍ଯ୍ୟକ୍ରମ ଥିଲା, ଯାହା ୧୯୩୯ ଠାରୁ ୧୯୪୧ ପର୍ଯ୍ୟନ୍ତ ମୁଖ୍ୟତଃ ଚାଲିଥିଲା । ଏହାକୁ ଆଡଲଫ୍ ହିଟଲରଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିଲା ଓ ଏହାର ଉଦ୍ଦେଶ୍ୟ ଥିଲା ଶାରୀରିକ ଓ ମାନସିକ ଭିନ୍ନକ୍ଷମତା ଥିବା ଲୋକମାନଙ୍କୁ ହତ୍ୟା କରିବା । ଏହି କାର୍ଯ୍ୟକ୍ରମରେ ଗ୍ୟାସ, ଔଷଧ ଓ ଅନ୍ୟ ପ୍ରକାରର ଉପାୟ ଦ୍ୱାରା ପ୍ରାୟ ୭୦,୦୦୦ ରୁ ଅଧିକ ଲୋକଙ୍କୁ ମାରାଯାଇଥିଲା । ପରେ ଏହା ଗୁପ୍ତଭାବେ ଚାଲୁ ରହିଥିଲା ଏବଂ ଏହାକୁ ହୋଲୋକଷ୍ଟର ପ୍ରାରମ୍ଭିକ ପର୍ଯ୍ୟାୟ ଭାବେ ମନାଯାଏ) ନାମକ ପ୍ରକଳ୍ପରେ ହଜାର ହଜାର ଭିନ୍ନକ୍ଷମ ଲୋକଙ୍କୁ ହତ୍ୟା କରାଯାଇଥିଲା । ଏହା ମାନବଅଧିକାରର ଭୟଙ୍କର ଉଲ୍ଲଂଘନ ଥିଲା।
ଯୁଦ୍ଧ ପରେ ପରିବର୍ତ୍ତନ :
ଯୁଦ୍ଧ ପରେ ଭିନ୍ନକ୍ଷମ ସେନାଙ୍କ ପାଇଁ ପୁନର୍ବାସ ବ୍ୟବସ୍ଥା ଆରମ୍ଭ ହେଲା। ନୂତନ ଚିକିତ୍ସା ଓ କୃତ୍ରିମ ଅଙ୍ଗ ଉନ୍ନତି କଲା। ଭିନ୍ନକ୍ଷମ ଲୋକଙ୍କ ଅଧିକାର ପ୍ରତି ଜାଗରୁକତା ବଢ଼ିଲା ।
କେତେ ଲୋକ ଭିନ୍ନକ୍ଷମ ହୋଇଥିଲେ?
ଏଥିରେ ପ୍ରାୟ ୩ କୋଟି ଲୋକ ଆହତ ହୋଇଥିଲେ । ଏହାରୁ ପ୍ରାୟ ୧–୧.୫ କୋଟି ଲୋକ ସ୍ଥାୟୀ ଭିନ୍ନକ୍ଷମ ହୋଇଥିଲେ ।
କେଉଁ କେଉଁ ପ୍ରକାର ଭିନ୍ନକ୍ଷମତା ହୋଇଥିଲା?
୧. ଶାରୀରିକ ଭିନ୍ନକ୍ଷମତା : ହାତ, ପାଦ କଟିଯିବା, ଗୁରୁତର ଶରୀରିକ ଆହତ
୨. ଦୃଷ୍ଟି ଓ ଶ୍ରବଣ ନଷ୍ଟ : ବୋମା ବିସ୍ଫୋରଣ ଫଳରେ ଅନ୍ଧତ୍ୱ, ଶବ୍ଦ ଓ ବିସ୍ଫୋରଣ ଯୋଗୁ
୩. ମାନସିକ ଭିନ୍ନକ୍ଷମତା : ଯୁଦ୍ଧ ଆଘାତ, ଡିପ୍ରେସନ୍, ଭୟ, ଆତଙ୍କ
୪. ରାସାୟନିକ ଓ ପରମାଣୁ ପ୍ରଭାବ : ବିଷାକ୍ତ ରାସାୟନିକ ପଦାର୍ଥ ଫଳରେ ଫୁସଫୁସ ଓ ଚର୍ମ କ୍ଷତି, ହିରୋଶିମା ଓ ନାଗାସାକି ପରମାଣୁ ବିସ୍ଫୋରଣ ପରେ ରେଡିଏସନ୍ ଫଳରେ ଦୀର୍ଘକାଳୀନ ରୋଗ ଓ ଭିନ୍ନକ୍ଷମତା ।
୫. ପୋଷଣ ଓ ରୋଗଜନିତ ସମସ୍ୟା : ଯୁଦ୍ଧ ସମୟରେ ଖାଦ୍ୟ ଅଭାବ, ରୋଗ ଫଳରେ ଦୃବଳତା ଓ ଶାରୀରିକ ଅସମର୍ଥତା,
ଗଲ୍ଫ ଯୁଦ୍ଧ
୯୦ ଦଶକର ଉପସାଗରୀୟ ଯୁଦ୍ଧ, ୯୦ ଦଶକର ଉପସାଗରୀୟ ଯୁଦ୍ଧ “ଗଲ୍ଫ ଯୁଦ୍ଧ” କୁ ସାଧାରଣତଃ ୧୯୯୦–୯୧ ମଧ୍ୟରେ ଘଟିଥିବା ଏକ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ଥିଲା । ୧୯୯୦ ରେ ଇରାକ, କୁୱେତ ଉପରେ ଆକ୍ରମଣ କରିଥିଲା, ଯାହାର ପରେ ଯୁକ୍ତ ରାଷ୍ଟ୍ର ଆମେରିକା ନେତୃତ୍ୱରେ ଅନେକ ଦେଶ ମିଶି ଇରାକ ବିରୋଧରେ ସେନା ଅଭିଯାନ ଆରମ୍ଭ କଲେ। ୧୯୯୧ ରେ ଏହି ଯୁଦ୍ଧରେ ଇରାକ ପରାଜିତ ହେଲା ଏବଂ କୁୱେତ ମୁକ୍ତ ହେଲା, ଯାହା ମଧ୍ୟପ୍ରାଚ୍ୟର ରାଜନୈତିକ ପରିସ୍ଥିତିକୁ ଗୁରୁତ୍ୱପୂର୍ଣ୍ଣ ଭାବେ ପ୍ରଭାବିତ କଲା ।
ଏହାର ମୂଳ କାରଣ ଓ ଘଟଣାବଳୀ ନିମ୍ନରୂପ:
ପ୍ରଧାନ ଘଟଣା : ୧୯୯୦ ଅଗଷ୍ଟ ୨ରେ ଇରାକ ର ନେତା ସଦ୍ଦାମ ହୁସେନ୍ କୁୱେତ ଉପରେ ଆକ୍ରମଣ କଲେ। ଇରାକ୍ କୁୱେତ୍କୁ ନିଜ ଦେଶର ଅଂଶ କରିବାକୁ ଚେଷ୍ଟା କଲା। ଆନ୍ତର୍ଜାତୀୟ ପ୍ରତିକ୍ରିୟା ଜାତିସଂଘ ଇରାକ୍କୁ ପଛକୁ ହଟିବାକୁ ଆଦେଶ ଦେଲା । ଯୁକ୍ତ ରାଷ୍ଟ୍ର ଆମେରିକା ନେତୃତ୍ୱରେ ୩୦ରୁ ଅଧିକ ଦେଶର ଏକ ସଂଘଟନୀୟ ସେନା ଗଠିତ ହେଲା ।
ଯୁଦ୍ଧର ପର୍ଯ୍ୟାୟ : ଅପରେସନ୍ ଡେଜର୍ଟ ଶିଲ୍ଡ (୧୯୯୦) । ସାଉଦି ଆରବକୁ ସୁରକ୍ଷା ଦେବା ପାଇଁ ସେନା ପଠାଯାଇଥିଲା। ଅପରେସନ୍ ଡେଜର୍ଟ ଶିଲ୍ଡ ୧୯୯୧ । ଜାନୁଆରୀ ରେ ବିମାନ ଆକ୍ରମଣ ଆରମ୍ଭ। ଫେବ୍ରୁଆରୀରେ ଭୂମି ଆକ୍ରମଣ କରି କୁୱେତ୍କୁ ମୁକ୍ତ କରାଗଲା ।
ଫଳାଫଳ : କୁୱେତ୍ ସ୍ୱାଧୀନ ହେଲା । ଇରାକ୍ରେ କଠିନ ଅର୍ଥନୈତିକ ପ୍ରତିବନ୍ଧ ଲାଗୁ ହେଲା । ମଧ୍ୟପ୍ରାଚ୍ୟରେ ଆମେରିକାର ପ୍ରଭାବ ବଢିଗଲା ।
ଗୁରୁତ୍ୱ : ଏହା ପ୍ରଥମ ଯୁଦ୍ଧ ଯେଉଁଥିରେ ଟେକ୍ନୋଲୋଜି (ସ୍ମାର୍ଟ ବମ୍ବ, ଲାଇଭ୍ ଟିଭି କଭରେଜ୍) ବ୍ୟାପକ ଭାବେ ବ୍ୟବହୃତ ହେଲା । ଆଧୁନିକ ଯୁଦ୍ଧ ପ୍ରଣାଳୀର ଉଦାହରଣ ହେଲା । ୯୦ ଦଶକର ଉପସାଗରୀୟ ଯୁଦ୍ଧ ଗଲ୍ଫ ଯୁଦ୍ଧ ଭିନ୍ନକ୍ଷମ ଲୋକମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ଏହାର କିଛି ମୁଖ୍ୟ ତଥ୍ୟ ନିମ୍ନରୂପ ।
ପ୍ରଥମେ : ଯୁଦ୍ଧ ସମୟରେ ବହୁ ସୈନ୍ୟ ଓ ସାଧାରଣ ଲୋକ ଆହତ ହୋଇ ଶାରୀରିକ ଭିନ୍ନକ୍ଷମତାରେ ପଡ଼ିଥିଲେ । ବୋମା ଆକ୍ରମଣ, ମାଇନ୍ ବିସ୍ଫୋରଣ ଓ ରାସାୟନିକ ପ୍ରଭାବ ଫଳରେ ଅଙ୍ଗଭଙ୍ଗ, ଅନ୍ଧତ୍ୱ ଓ ଶ୍ରବଣ ଶକ୍ତି ହ୍ରାସ ଦେଖାଗଲା ।
ଦ୍ୱିତୀୟତଃ : “ଗଲ୍ଫ ୱାର ସିଣ୍ଡ୍ରୋମ୍” ନାମକ ଏକ ରୋଗ ଅନେକ ସେନାଙ୍କ ମଧ୍ୟରେ ପ୍ରକାଶିତ ହେଲା । ଏଥିରେ ଥକିପଡିବା, ସ୍ମୃତି ସମସ୍ୟା, ମୁଣ୍ଡ ବେଦନା, ଏବଂ ମନୋସାମାଜିକ ସମସ୍ୟା ଥିଲା, ଯାହା ଦୀର୍ଘମିୟାଦୀ ଭିନ୍ନକ୍ଷମତାକୁ ଜନ୍ମ ଦେଇଥିଲା ।
ତୃତୀୟତଃ : ମନୋସାମାଜିକ ପ୍ରଭାବ ମଧ୍ୟ ବହୁତ ଗଭୀର ଥିଲା। ଅନେକ ସେନା ଓ ନାଗରିକ PTSD (Post-Traumatic Stress Disorder) ରେ ପୀଡ଼ିତ ହୋଇଥିଲେ, ଯାହା ତାଙ୍କର ଦୈନିକ ଜୀବନକୁ ଅସୁବିଧାରେ ପକାଇଥିଲା ।
ଚତୁର୍ଥତଃ : ଯୁଦ୍ଧ ପରେ ସ୍ୱାସ୍ଥ୍ୟ ସେବା ଓ ପୁନର୍ବାସନ ବ୍ୟବସ୍ଥା ଅନେକ ଦେଶରେ ଅପର୍ଯ୍ୟାପ୍ତ ଥିଲା, ଯାହାର ଫଳରେ ଭିନ୍ନକ୍ଷମ ଲୋକମାନେ ସମାଜରେ ପୂର୍ଣ୍ଣ ଭାବେ ମିଶି ପାରୁନଥିଲେ ।
ପଞ୍ଚମତଃ : ଯୁଦ୍ଧ ପରେ ଜନ୍ମ ନେଇଥିବା କିଛି ଶିଶୁଙ୍କ ମଧ୍ୟରେ ଜନ୍ମଜାତ ଅସୁସ୍ଥତା ଜନ୍ମଜାତ ତ୍ରୁଟି ଦେଖାଗଲା, ଯାହାକୁ କେତେକ ଶୋଧକ ଯୁଦ୍ଧ ସମୟର ବିଷାକ୍ତ ପରିବେଶ ସହିତ ସମ୍ପର୍କ କରିଛନ୍ତି ।
ଏକବିଂଶ ଶତକର ପ୍ରମୁଖ ଯୁଦ୍ଧ ଓ ଏହାର ଭୟାବହତା
ଏକବିଂଶ ଶତକରେ ଯୁଦ୍ଧ କେବଳ ସୀମା ମଧ୍ୟରେ ସୀମିତ ନରହି ଏକ ବ୍ୟାପକ ମାନବୀୟ ସଙ୍କଟରେ ପରିଣତ ହୋଇଛି । ଆଧୁନିକ ଅସ୍ତ୍ରଶସ୍ତ୍ର ଓ ବଦଳୁଥିବା ଯୁଦ୍ଧ କୌଶଳ ଯୋଗୁଁ ମୃତ୍ୟୁସଂଖ୍ୟା ବଢ଼ିବା ସହ ଶାରୀରିକ ଓ ମାନସିକ ଅକ୍ଷମତା (Disability) ର ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସୁଛି ।
ଚଳିତ ଶତାବ୍ଦୀରେ ଅନେକ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି, ଯାହାକି କୋଟି କୋଟି ଜୀବନକୁ ପ୍ରଭାବିତ କରିଛି:
ଋଷ-ୟୁକ୍ରେନ ଯୁଦ୍ଧ: ୨୦୨୩ ସୁଦ୍ଧା ଏହି ଯୁଦ୍ଧରେ ପ୍ରାୟ ୮୩,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।
ସିରିଆ ଗୃହଯୁଦ୍ଧ: ଏଥିରେ ପ୍ରାୟ ୩୦ ଲକ୍ଷରୁ ଅଧିକ ଲୋକ (ଅଧିକାଂଶ ସାଧାରଣ ନାଗରିକ) ମୃତ୍ୟୁବରଣ କରିଥିବାବେଳେ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି ।
ଇଥିଓପିଆ ସଂଘର୍ଷ: ୨୦୨୨ରେ ଏହି ଯୁଦ୍ଧରେ ପ୍ରାୟ ୧୦୦,୦୦୦ ଲୋକଙ୍କର ମୃତ୍ୟୁ ଘଟିଛି ।
ଅନ୍ୟାନ୍ୟ ସଂଘର୍ଷ: ଆଫଗାନିସ୍ତାନ, ଇରାକ, ୟେମେନ ଏବଂ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ମାନବ ସମାଜ ପାଇଁ ବଡ଼ କ୍ଷତି ପହଞ୍ଚାଇଛି ।
ଯୁଦ୍ଧର ପରିଣାମ ଓ ଭିନ୍ନକ୍ଷମତା (War and Disability)
ଯୁଦ୍ଧ କେବଳ ଲୋକଙ୍କୁ ମାରେ ନାହିଁ, ବରଂ ଅବଶିଷ୍ଟ ଜୀବନ ପାଇଁ ସେମାନଙ୍କୁ ଅକ୍ଷମ କରିଦିଏ । ଏହାକୁ “ମାସ୍ ଡିସଏବଲିଙ୍ଗ୍ ଇଭେଣ୍ଟ” (Mass Disabling Event) କୁହାଯାଉଛି ।
1. ଶାରୀରିକ ଅକ୍ଷମତା: ବୋମା ବିସ୍ଫୋରଣ ଓ ଗୁଳିମାଡ଼ ଯୋଗୁଁ ଅଙ୍ଗ ହରାଇବା (Amputation), ମେରୁଦଣ୍ଡରେ ଆଘାତ (Spinal cord injuries) ଏବଂ ଦୃଷ୍ଟିଶକ୍ତି ବା ଶ୍ରବଣଶକ୍ତି ହରାଇବା ଭଳି ଘଟଣା ସାଧାରଣ ହୋଇଛି।
ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ନଷ୍ଟ ହେବା ଫଳରେ ରୋଗୀମାନେ ଉପଯୁକ୍ତ ଚିକିତ୍ସା ନପାଇ ଚିରଦିନ ପାଇଁ ଭିନ୍ନକ୍ଷମ ହୋଇଯାଉଛନ୍ତି।
2. ମାନସିକ ଅକ୍ଷମତା (Psychosocial Disability): ଯୁଦ୍ଧ ଯୋଗୁଁ ଲୋକଙ୍କ ମଧ୍ୟରେ PTSD (Post-Traumatic Stress Disorder), ଅବସାଦ (Depression) ଏବଂ ଉଦ୍ବେଗ (Anxiety) ର ମାତ୍ରା ୨ ରୁ ୩ ଗୁଣ ଅଧିକ ଦେଖାଯାଉଛି । ତଥ୍ୟ ଅନୁସାରେ, ଯୁଦ୍ଧ ପରିସ୍ଥିତିରେ ଥିବା ଲୋକଙ୍କ ମଧ୍ୟରେ ପ୍ରାୟ ୩୦.୭% ଅନୁଭବ କରନ୍ତି ଚିନ୍ତା (Anxiety), ୨୮.୯% ଅବସାଦ ଏବଂ ୨୩.୫% PTSD ର ଶିକାର ହୁଅନ୍ତି।
3. ଶିଶୁ ଓ ମହିଳାଙ୍କ ଉପରେ ପ୍ରଭାବ: ବିଶ୍ୱର ପ୍ରାୟ ୧୦୦ କୋଟିରୁ ଅଧିକ ଶିଶୁ ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ରହୁଛନ୍ତି, ଯେଉଁମାନେ ପୁଷ୍ଟିହୀନତା ଓ ଶାରୀରିକ ଆଘାତ ଯୋଗୁଁ ଦୀର୍ଘକାଳୀନ ଅକ୍ଷମତାର ସମ୍ମୁଖୀନ ହେଉଛନ୍ତି।
ଆର୍ଥିକ ଓ ସାମାଜିକ କ୍ଷତି
୨୦୨୩ରେ ଯୁଦ୍ଧ ଓ ହିଂସା ଯୋଗୁଁ ବିଶ୍ୱ ଅର୍ଥନୀତି ପ୍ରାୟ ୧୯.୧ ଟ୍ରିଲିୟନ ଡଲାର (Global GDP ର ୧୩.୫%) କ୍ଷତି ସହିଛି ।
ବର୍ତ୍ତମାନ ବିଶ୍ୱରେ ପ୍ରାୟ ୧୧ କୋଟି ଲୋକ ଯୁଦ୍ଧ ଯୋଗୁଁ ଶରଣାର୍ଥୀ କିମ୍ବା ବିସ୍ଥାପିତ ଭାବେ ଜୀବନ କାଟୁଛନ୍ତି ।
ଯୁଦ୍ଧର ଏହି ଭୟାବହତା କେବଳ ରକ୍ତପାତରେ ସୀମିତ ନାହିଁ, ଏହା ମାନବଜାତିର ଏକ ବଡ଼ ଅଂଶକୁ ଶାରୀରିକ ଓ ମାନସିକ ସ୍ତରରେ ଅକ୍ଷମ କରି ଆଗାମୀ ପିଢ଼ିକୁ ଏକ ଅନ୍ଧକାରମୟ ଭବିଷ୍ୟତ ଆଡ଼କୁ ଠେଲି ଦେଉଛି ।
ଋଷ-ୟୁକ୍ରେନ ଯୁଦ୍ଧ
ଋଷ-ୟୁକ୍ରେନ ଯୁଦ୍ଧରେ ଉଭୟ ସାମରିକ ଏବଂ ସାଧାରଣ ନାଗରିକଙ୍କ କ୍ଷେତ୍ରରେ ଭିନ୍ନକ୍ଷମତା (Disability) ଏକ ଗମ୍ଭୀର ସମସ୍ୟା ଭାବେ ଉଭୟ ଦେଶରେ ଦେଖାଦେଇଛି। ବିଭିନ୍ନ ଆନ୍ତର୍ଜାତୀୟ ରିପୋର୍ଟ ଅନୁଯାୟୀ ଏହାର କିଛି ପ୍ରମୁଖ ତଥ୍ୟ ନିମ୍ନରେ ପ୍ରଦାନ କରାଗଲା:
ୟୁକ୍ରେନରେ ଭିନ୍ନକ୍ଷମତା ସମ୍ପର୍କିତ ତଥ୍ୟ
ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭିନ୍ନକ୍ଷମଙ୍କ ସଂଖ୍ୟାରେ ବଡ଼ ଧରଣର ବୃଦ୍ଧି ଘଟିଛି ।
• ଭିନ୍ନକ୍ଷମଙ୍କ ସଂଖ୍ୟା ବୃଦ୍ଧି: ୟୁକ୍ରେନର ସାମାଜିକ ନୀତି ମନ୍ତ୍ରଣାଳୟ ଅନୁଯାୟୀ, ଯୁଦ୍ଧର ପ୍ରଥମ ୧୮ ମାସ ମଧ୍ୟରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୩୦୦,୦୦୦ ବୃଦ୍ଧି ପାଇଛି ।
• ଭିନ୍ନକ୍ଷମ ଭେଟେରାନ: ୨୦୨୫ ସେପ୍ଟେମ୍ବର ସୁଦ୍ଧା ୟୁକ୍ରେନରେ ପ୍ରାୟ ୧୩୦,୦୦୦ରୁ ଅଧିକ ସୈନ୍ୟ (Veterans) ଯୁଦ୍ଧଜନିତ ଆଘାତ ଯୋଗୁଁ ଭିନ୍ନକ୍ଷମ ହୋଇଛନ୍ତି ।
• ଅଙ୍ଗହାନୀ (Amputations): ୟୁକ୍ରେନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆକଳନ ଅନୁଯାୟୀ, ୨୦୨୪ ମଧ୍ୟଭାଗ ସୁଦ୍ଧା ଯୁଦ୍ଧ ଯୋଗୁଁ ପ୍ରାୟ ୧୦୦,୦୦୦ ଅଙ୍ଗ ପ୍ରତିରୋପଣ/କଟା (Amputations) ଅପରେସନ କରାଯାଇଛି ।
ଋଷରେ ଭିନ୍ନକ୍ଷମତା ସମ୍ପର୍କିତ ତଥ୍ୟ
ଋଷ ପକ୍ଷରୁ ସଠିକ୍ ସରକାରୀ ତଥ୍ୟ ପ୍ରଦାନ କରାଯାଉ ନଥିଲେ ମଧ୍ୟ ବିଭିନ୍ନ ଗବେଷଣା ସଂସ୍ଥା ଏହାର ଆକଳନ କରିଛନ୍ତି।
• ନୂତନ ଭିନ୍ନକ୍ଷମ: International Institute for Strategic Studies (IISS) ର ଆକଳନ ଅନୁଯାୟୀ, ୨୦୨୪ ଶେଷ ସୁଦ୍ଧା ପ୍ରାୟ ୩୭୬,୦୦୦ ଋଷୀୟ ସୈନ୍ୟ ଗମ୍ଭୀର ଭାବେ ଆହତ ହୋଇ ଭିନ୍ନକ୍ଷମ ହୋଇଛନ୍ତି ।
• ଅଙ୍ଗହାନୀ: ଋଷର ଶ୍ରମ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଯୁଦ୍ଧରେ ଆହତ ହୋଇ ଭିନ୍ନକ୍ଷମ ହୋଇଥିବା ପ୍ରାୟ ୫୪% ସୈନ୍ୟ ସେମାନଙ୍କ ହାତ କିମ୍ବା ଗୋଡ଼ ହରାଇଛନ୍ତି ।
ମାନସିକ ଅକ୍ଷମତା (Mental Health & PTSD)
ଶାରୀରିକ ଆଘାତ ବ୍ୟତୀତ ମାନସିକ ସ୍ତରରେ ମଧ୍ୟ ଲୋକମାନେ ବ୍ୟାପକ ଭାବେ ପ୍ରଭାବିତ ହୋଇଛନ୍ତି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଆକଳନ ଅନୁଯାୟୀ, ୟୁକ୍ରେନର ପ୍ରାୟ ୨୫% ଜନସଂଖ୍ୟା PTSD (Post-Traumatic Stress Disorder) ର ଶିକାର ହେବାର ଆଶଙ୍କା ରହିଛି ।
ୟୁକ୍ରେନର ପ୍ରାୟ ୩.୯ ନିୟୁତ (୩୯ ଲକ୍ଷ) ଲୋକ ମଧ୍ୟମରୁ ଗମ୍ଭୀର ମାନସିକ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
ଉପରୋକ୍ତ ତଥ୍ୟରୁ ଜଣାପଡ଼ୁଛି ଯେ ଯୁଦ୍ଧ କେବଳ ଧନଜୀବନ ନଷ୍ଟ କରୁନାହିଁ, ବରଂ ଲକ୍ଷ ଲକ୍ଷ ଲୋକଙ୍କୁ ଚିରଦିନ ପାଇଁ ଭିନ୍ନକ୍ଷମ କରି ଅସହାୟ କରିଦେଉଛି। ସଠିକ୍ ଚିକିତ୍ସା ଓ ପୁନର୍ବାସ ପାଇଁ ୟୁକ୍ରେନ WHO ଏବଂ World Bank ଭଳି ସଂସ୍ଥାଠାରୁ ସହାୟତା ଲୋଡୁଛି ।
ଇଥିଓପିଆ ସଂଘର୍ଷରେ ଭିନ୍ନକ୍ଷମତା ସମ୍ପର୍କିତ ତଥ୍ୟ
ଏକବିଂଶ ଶତାବ୍ଦୀରେ ଇଥିଓପିଆର ଟାଇଗ୍ରେ ସଂଘର୍ଷ (୨୦୨୦-୨୦୨୨) ଏକ ଭୟଙ୍କର ମାନବୀୟ ସଙ୍କଟ ସୃଷ୍ଟି କରିଛି। ଏହି ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ଭିନ୍ନକ୍ଷମତା (Disability) ର ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି ।
ଯୁଦ୍ଧ ଜନିତ କ୍ଷତି ଓ ଭିନ୍ନକ୍ଷମତା ବିଷୟରେ କିଛି ପ୍ରମୁଖ ତଥ୍ୟ ନିମ୍ନରେ ଦିଆଗଲା:
• ନୂତନ ଭିନ୍ନକ୍ଷମଙ୍କ ସଂଖ୍ୟା: ଇଥିଓପିଆର ଜାତୀୟ ପୁନର୍ବାସ କମିଶନଙ୍କ ସୂଚନା ଅନୁଯାୟୀ, କେବଳ ଟାଇଗ୍ରେ ଅଞ୍ଚଳରେ ପ୍ରାୟ ୪୩,୦୦୦ ରୁ ଅଧିକ ପୂର୍ବତନ ସୈନ୍ୟ (Combatants) ଯୁଦ୍ଧ ଯୋଗୁଁ ବିଭିନ୍ନ ପ୍ରକାରର ଶାରୀରିକ ଅକ୍ଷମତାର ଶିକାର ହୋଇଛନ୍ତି ଏବଂ ସେମାନଙ୍କୁ ପୁନର୍ବାସ ଓ ସହାୟତା ଆବଶ୍ୟକ।
• ସାଧାରଣ ନାଗରିକଙ୍କ ଆହତ: ଏକ ଗବେଷଣା ଅନୁଯାୟୀ, ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ପ୍ରାୟ ୬.୯% ସାଧାରଣ ନାଗରିକ ଶାରୀରିକ ଆଘାତର ସମ୍ମୁଖୀନ ହୋଇଥିଲେ। ଏହି ଆହତମାନଙ୍କ ମଧ୍ୟରୁ ପ୍ରାୟ ୫୬.୨% ଲୋକ ଚିରଦିନ ପାଇଁ ଭିନ୍ନକ୍ଷମ ହୋଇଯାଇଛନ୍ତି।
• ଭିନ୍ନକ୍ଷମତା ହାର: ଟାଇଗ୍ରେ ଅଞ୍ଚଳରେ ପରିବାର ଭିତ୍ତିରେ ଭିନ୍ନକ୍ଷମତା ହାର ପ୍ରାୟ ୩୦.୧% କୁ ବୃଦ୍ଧି ପାଇଛି, ଯାହାକି ଇଥିଓପିଆର ଜାତୀୟ ହାର (୨୦.୫%) ତୁଳନାରେ ଯଥେଷ୍ଟ ଅଧିକ।
• ଅଙ୍ଗହାନୀ ଓ ସେବା: ମେକେଲେ ଅର୍ଥୋ-ଫିଜିଓଥେରାପି ସେଣ୍ଟର ଗତ ତିନି ବର୍ଷ ମଧ୍ୟରେ ପ୍ରାୟ ୬୫,୦୦୦ ସେବା (ଯଥା: କୃତ୍ରିମ ଅଙ୍ଗ ଓ ଚିକିତ୍ସା) ପ୍ରଦାନ କରିଛି, ଯାହା ପୂର୍ବ ବର୍ଷଗୁଡ଼ିକ ତୁଳନାରେ ବହୁତ ଅଧିକ।
ମାନସିକ ଅକ୍ଷମତା (Mental Health Impact)
ଶାରୀରିକ ଆଘାତ ବ୍ୟତୀତ, ଯୁଦ୍ଧ ମାନସିକ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇଛି:
PTSD ଓ ଅବସାଦ: ବିସ୍ଥାପିତ ଲୋକଙ୍କ ମଧ୍ୟରେ ପ୍ରାୟ ୫୮% PTSD (Post-Traumatic Stress Disorder) ଏବଂ ୮୧% ରୁ ଅଧିକ ଲୋକ ଅବସାଦ (Depression) ର ଶିକାର ହୋଇଥିବା ଜଣାପଡ଼ିଛି।
ଗୁରୁତର ସମସ୍ୟା: ଆଫାର ଓ ଆମହାରା ଅଞ୍ଚଳରେ ଅତିକମରେ ୨୮,୫୬୦ ଜଣ ଲୋକ ଗୁରୁତର ମାନସିକ ରୋଗରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି, ଯେଉଁଥିରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି ।
ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିନାଶ :
ଯୁଦ୍ଧ ଯୋଗୁଁ ଟାଇଗ୍ରେ ଅଞ୍ଚଳର ପ୍ରାୟ ୮୨.୯% ହସ୍ପିଟାଲ ନଷ୍ଟ କିମ୍ବା ଆଂଶିକ କ୍ଷତିଗ୍ରସ୍ତ ହୋଇଛି, ଯାହା ଫଳରେ ଭିନ୍ନକ୍ଷମ ବ୍ୟକ୍ତିମାନେ ଉପଯୁକ୍ତ ଚିକିତ୍ସା ଓ ଥେରାପି ପାଇବାରୁ ବଞ୍ଚିତ ହେଉଛନ୍ତି ।
ଇଥିଓପିଆ ସଂଘର୍ଷ ମାନବ ଜାତି ପାଇଁ ଏକ ଦୁଃଖଦ ଅଧ୍ୟାୟ ହୋଇ ରହିଛି, ଯେଉଁଠି ଯୁଦ୍ଧର କ୍ଷତ ଲକ୍ଷ ଲକ୍ଷ ଲୋକଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ଅକ୍ଷମ କରିଦେଇଛି । ସମ୍ପ୍ରତି ଏହି ଅଞ୍ଚଳରେ ସହାୟତା ପାଇଁ UNHCR ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂସ୍ଥା କାର୍ଯ୍ୟ କରୁଛନ୍ତି ।
ଇସ୍ରାଇଲ ଓ ପାଲେଷ୍ଟାଇନ ଯୁଦ୍ଧ
ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ (ବିଶେଷ କରି ଗାଜା) ମଧ୍ୟରେ ଚାଲିଥିବା ସଂଘର୍ଷ, ବିଶେଷ କରି ଅକ୍ଟୋବର ୭, ୨୦୨୩ ପରଠାରୁ, ଏକ ଭୟଙ୍କର ମାନବୀୟ ସଙ୍କଟ ସୃଷ୍ଟି କରିଛି। ଏହି ଯୁଦ୍ଧରେ ହଜାର ହଜାର ଲୋକ ସ୍ଥାୟୀ ଭାବେ ଭିନ୍ନକ୍ଷମ (Disabled) ହୋଇଛନ୍ତି ।
ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର ତଥ୍ୟ ଅନୁଯାୟୀ ଏହାର ବିବରଣୀ ନିମ୍ନରେ ପ୍ରଦାନ କରାଗଲା:
ଗାଜା (ପାଲେଷ୍ଟାଇନ) ରେ ଭିନ୍ନକ୍ଷମତା ସମ୍ପର୍କିତ ତଥ୍ୟ
ଗାଜାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବାରୁ ଭିନ୍ନକ୍ଷମଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି:
ଆହତ ଓ ଅକ୍ଷମତା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ସେପ୍ଟେମ୍ବର ୨୦୨୪ ରିପୋର୍ଟ ଅନୁଯାୟୀ, ଗାଜାରେ ପ୍ରାୟ ୨୨,୫୦୦ ଜଣ ଲୋକ (ଯେଉଁମାନେ ଯୁଦ୍ଧରେ ଆହତ ହୋଇଛନ୍ତି) ସେମାନଙ୍କ ବାକି ଜୀବନ ପାଇଁ ଗୁରୁତର ଶାରୀରିକ ଅକ୍ଷମତାର ସମ୍ମୁଖୀନ ହେବେ ।
ଅଙ୍ଗହାନୀ (Amputations): ପ୍ରାୟ ୩,୧୦୦ ରୁ ୪,୦୦୦ ଜଣ ବ୍ୟକ୍ତି ସେମାନଙ୍କ ହାତ କିମ୍ବା ଗୋଡ଼ ହରାଇଛନ୍ତି। ଏଥିମଧ୍ୟରୁ ଅନେକ ଛୋଟ ପିଲା ଅଛନ୍ତି ।
ମେରୁଦଣ୍ଡ ଓ ମସ୍ତିଷ୍କ ଆଘାତ: ପ୍ରାୟ ୨,୦୦୦ ରୁ ଅଧିକ ଲୋକ ମେରୁଦଣ୍ଡରେ ଗଭୀର ଆଘାତ (Spinal cord injuries) ଏବଂ ମସ୍ତିଷ୍କରେ ଆଘାତ ଯୋଗୁଁ ପକ୍ଷାଘାତ (Paralysis) ର ଶିକାର ହୋଇଛନ୍ତି ।
ମାନସିକ ଅକ୍ଷମତା: ଗାଜାର ପ୍ରାୟ ୧୦ ଲକ୍ଷରୁ ଅଧିକ ଶିଶୁ PTSD ଏବଂ ଗଭୀର ମାନସିକ ଆଘାତର ଶିକାର ହୋଇଛନ୍ତି, ଯାହା ସେମାନଙ୍କୁ ମାନସିକ ସ୍ତରରେ ଅକ୍ଷମ କରିଦେଇଛି ।
ଇସ୍ରାଏଲ୍ରେ ଭିନ୍ନକ୍ଷମତା ସମ୍ପର୍କିତ ତଥ୍ୟ
ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ସୈନ୍ୟ ଏବଂ ସାଧାରଣ ନାଗରିକମାନେ ମଧ୍ୟ ବହୁଳ ଭାବେ ପ୍ରଭାବିତ ହୋଇଛନ୍ତି:
ଆହତ ସୈନ୍ୟ: ଅକ୍ଟୋବର ୭ ପରଠାରୁ ପ୍ରାୟ ୧୦,୦୦୦ ରୁ ଅଧିକ ସୈନ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏଥିମଧ୍ୟରୁ ପ୍ରାୟ ୩,୫୦୦ ସୈନ୍ୟ ସ୍ଥାୟୀ ଭାବେ ଭିନ୍ନକ୍ଷମ ଶ୍ରେଣୀଭୁକ୍ତ ହୋଇଛନ୍ତି ।
ମାନସିକ ସ୍ୱାସ୍ଥ୍ୟ: ପ୍ରାୟ ୩୦% ରୁ ଅଧିକ ଆହତ ସୈନ୍ୟ PTSD ଏବଂ ଅନ୍ୟାନ୍ୟ ମାନସିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଅଙ୍ଗହାନୀ: ବିସ୍ଫୋରଣ ଓ ଗୁଳିମାଡ଼ ଯୋଗୁଁ ଅନେକ ସୈନ୍ୟ ଓ ସାଧାରଣ ନାଗରିକ ଅଙ୍ଗ ହରାଇବା ସହ ଶ୍ରବଣ ଶକ୍ତି ମଧ୍ୟ ହରାଇଛନ୍ତି ।
ମୁଖ୍ୟ କାରଣ ଓ ଆହ୍ୱାନ
ବିସ୍ଫୋରକ ଓ କ୍ଷେପଣାସ୍ତ୍ର: ଅଧିକାଂଶ ଭିନ୍ନକ୍ଷମତା ଭାରୀ ବୋମା ବିସ୍ଫୋରଣ ଏବଂ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ହେଉଛି ।
ଚିକିତ୍ସାର ଅଭାବ: ଗାଜାରେ କୃତ୍ରିମ ଅଙ୍ଗ (Prosthetics) ଏବଂ ରିହାବିଲିଟେସନ୍ ସେଣ୍ଟରଗୁଡ଼ିକ ନଷ୍ଟ ହୋଇଯାଇଥିବାରୁ ଆହତମାନେ ଉପଯୁକ୍ତ ସହାୟତା ପାଇପାରୁ ନାହାନ୍ତି ।
ସାମାଜିକ ପ୍ରଭାବ: ଏହି ଭିନ୍ନକ୍ଷମତା କେବଳ ବ୍ୟକ୍ତିଗତ ନୁହେଁ, ବରଂ ପରିବାର ଓ ଅର୍ଥନୀତି ଉପରେ ଏକ ବଡ଼ ବୋଝ ହୋଇ ଠିଆ ହୋଇଛି ।
ଏହି ସଂଘର୍ଷରେ ଭିନ୍ନକ୍ଷମ ହୋଇଥିବା ଲୋକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି । ସମ୍ପ୍ରତି WHO ଏବଂ UNICEF ଭଳି ସଂସ୍ଥାଗୁଡ଼ିକ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରୁଛନ୍ତି ।
ସମ୍ପ୍ରତି ଚାଲିଥିବା ଆମେରିକା-ଇସ୍ରାଏଲ୍ ଏବଂ ଇରାନ ଯୁଦ୍ଧ
ସମ୍ପ୍ରତି ଚାଲିଥିବା ଆମେରିକା-ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ସଂଘର୍ଷ (୨୦୨୬) ଏକ ଭୟଙ୍କର ରୂପ ନେଇଛି, ଯେଉଁଥିରେ ଉଭୟ ସାମରିକ ଏବଂ ସାଧାରଣ ନାଗରିକଙ୍କ କ୍ଷେତ୍ରରେ ମୃତ୍ୟୁ ଏବଂ ଭିନ୍ନକ୍ଷମତା (Disability) ର ସଂଖ୍ୟା ବଢ଼ିବାରେ ଲାଗିଛି।
ମିଳିଥିବା ସଦ୍ୟତମ ତଥ୍ୟ (ମାର୍ଚ୍ଚ ୨୦୨୬ ସୁଦ୍ଧା) ଅନୁଯାୟୀ ଏହାର ବିବରଣୀ ନିମ୍ନରେ ପ୍ରଦାନ କରାଗଲା:
ଇରାନରେ ହୋଇଥିବା କ୍ଷତି
ଆହତ ଓ ଭିନ୍ନକ୍ଷମ: ଇରାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଆନ୍ତର୍ଜାତୀୟ ରେଡ୍ କ୍ରସର ରିପୋର୍ଟ ଅନୁଯାୟୀ, ଇରାନରେ ପ୍ରାୟ ୨୦,୦୦୦ ରୁ ୨୪,୮୦୦ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଏକ ବଡ଼ ଅଂଶ ଗୁରୁତର ଆଘାତ ଯୋଗୁଁ ସ୍ଥାୟୀ ଭାବେ ଭିନ୍ନକ୍ଷମ ହେବାର ଆଶଙ୍କା ରହିଛି ।
ମୃତ୍ୟୁସଂଖ୍ୟା: ବିଭିନ୍ନ ସୂତ୍ର ଅନୁଯାୟୀ ଇରାନରେ ପ୍ରାୟ ୧,୯୦୦ ରୁ ୩,୪୦୦ ଜଣ ଲୋକ ପ୍ରାଣ ହରାଇଛନ୍ତି।
ଇସ୍ରାଏଲ୍ରେ ହୋଇଥିବା କ୍ଷତି
ଭିନ୍ନକ୍ଷମତା ବୃଦ୍ଧି: ୨୦୨୪ ରୁ ୨୦୨୬ ମଧ୍ୟରେ ଇସ୍ରାଏଲ୍ରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୨୪ ଶେଷ ସୁଦ୍ଧା ପ୍ରାୟ ୧.୩୨ ନିୟୁତ (୧୩.୨ ଲକ୍ଷ) ଲୋକ ପଞ୍ଜିକୃତ ଭିନ୍ନକ୍ଷମ ଥିଲେ, ଯାହା ପୂର୍ବ ବର୍ଷ ତୁଳନାରେ ଅଧିକ ।
ସାମ୍ପ୍ରତିକ ଆହତ: ଫେବୃଆରୀ ୨୮, ୨୦୨୬ ପରଠାରୁ ଇରାନର କ୍ଷେପଣାସ୍ତ୍ର ମାଡ଼ରେ ପ୍ରାୟ ୪,୮୦୦ ରୁ ୫,୫୦୦ ଜଣ ଇସ୍ରାଏଲୀ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ଦୀର୍ଘକାଳୀନ ପୁନର୍ବାସ (Rehabilitation) ଆବଶ୍ୟକ।
ଆମେରିକା ସୈନ୍ୟଙ୍କ କ୍ଷତି
ଆହତ ସୈନ୍ୟ: ପେଣ୍ଟାଗନ୍ (Pentagon) ର ସୂଚନା ଅନୁଯାୟୀ, ଏହି ସଂଘର୍ଷରେ ପ୍ରାୟ ୩୦୦ ରୁ ଅଧିକ ଆମେରିକୀୟ ସୈନ୍ୟ ଆହତ ହୋଇଛନ୍ତି।
ଗୁରୁତର ଆଘାତ: ଆହତମାନଙ୍କ ମଧ୍ୟରୁ କିଛି ସୈନ୍ୟଙ୍କୁ ଗୁରୁତର ଆଘାତ ଲାଗିଛି, ଯାହା ସେମାନଙ୍କୁ ସାମରିକ ସେବା ପାଇଁ ଅକ୍ଷମ କରିପାରେ।
ମାନସିକ ଭିନ୍ନକ୍ଷମତା (PTSD)
ଯୁଦ୍ଧ ଯୋଗୁଁ ଲକ୍ଷ ଲକ୍ଷ ଲୋକ ମାନସିକ ସ୍ତରରେ ଅକ୍ଷମ ହୋଇଛନ୍ତି:
ଇରାନ ଏବଂ ଲେବାନନରେ ପ୍ରାୟ ୪.୧ ନିୟୁତରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି ।
ଭୟଙ୍କର ବିସ୍ଫୋରଣ ଯୋଗୁଁ ଶିଶୁମାନଙ୍କ ମଧ୍ୟରେ PTSD ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦ୍ରୁତ ଗତିରେ ବଢ଼ୁଛି, ଯାହା ସେମାନଙ୍କର ସାଧାରଣ ଜୀବନଧାରଣକୁ ବାଧାପ୍ରାପ୍ତ କରୁଛି।
ଉପରେ ଆଲୋଚନା କରାଯାଇଥିବା ୧୦୦ ବର୍ଷରୁ ଉର୍ଦ୍ଧ୍ଵ ସମୟକାଳ ମଧ୍ୟରେ ସଂଘଠିତ ପ୍ରମୁଖ ଯୁଦ୍ଧସବୁର ପରିଣାମରୁ ଯାହା ଆକଳନ କରାଯାଏ ଯେପରି ପ୍ରତିଟି ଯୁଦ୍ଧ ଏକ ପ୍ରଚଣ୍ଡ ଝଡ । ପ୍ରତିଟି ଝଡ ଯେତିକି ଲୋମଟାଙ୍କୁରା ସେତିକି ରକ୍ତକ୍ଷରା । ଯେତିକି ବାରୁଦସ୍ତୂପର ପାହାଡ ସେତିକି ନିଆଁଗୋଳାର ପାହାର । ଯୁଦ୍ଧ ଖାଲି ଆତଙ୍କର କଳାବାଦଲକୁ ଡାକିଆଣେ ନାହିଁ, ଅଧିକନ୍ତୁ ହିଂସାର ନିଆଁଝୁଲ ସବୁ କଳପାଣିର ଟୋପା ସବୁ ଝରିଥାଆନ୍ତି ସେହି ବାଦଲ ପିଠିରୁ । କେବଳ ସେତିକି ନୁହେଁ, ଝଡପରି ଯୁଦ୍ଧର କରାଳ ଭୟଙ୍କର ଉପସ୍ଥିତି ଅପସରି ଗଲା ପରେ ବି ତା’ର କରୁଣ ଆର୍ତ୍ତନାଦ ଲମ୍ବିଯାଇଥାଏ ବହୁଦୂର ଯାଏଁ । ତାହା ହିଁ ମାନବ ସଭ୍ୟତାର ଦୟନୀୟ ଉପହାସ । ଯୁଦ୍ଧର କ୍ଷତ ଭରଣା କରିବାକୁ ଯାଇ ଅସଂଖ୍ୟ ଲୋକ ଶାରୀରିକ ଅଙ୍ଗ ହାନୀର ଦଶା ଭୋଗନ୍ତି ପୁଣି ସୀମାହୀନ ଲୋକ ଅଦୃଶ୍ୟ ମାନସିକ ଯନ୍ତ୍ରଣାର ଶିକାର ହୋଇଥାନ୍ତି । ଏହିପରି ଯୁଦ୍ଧ ଓ ଭିନ୍ନକ୍ଷମତାର ଅସଂଖ୍ୟ ଅବ୍ୟକ୍ତ କାହାଣୀ ! କେବେ ଅବା ଏ କାହାଣୀରୁ ଶିଖିପାରିବ ମାନବଜାତି ! ହିଂସା, ଦ୍ଵେଷ, ପରଶ୍ରୀକାତରତା, କ୍ଷମତାଲିପସା, ଔଦ୍ଧତ୍ୟ ଓ ଅହଂକାରର ଲଢେଇରେ କାଳେ କାଳେ ମଣିଷ ହିଁ ଭାସୁଥାଏ ରକ୍ତର ସୁଅରେ !!


