ମାର୍ଚ୍ଚ ୧୧,୨୦୨୬ରେ ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ଏକ ବହୁ ପ୍ରତୀକ୍ଷିତ ବିଚାର ପ୍ରକ୍ରିୟା ସଂଗଠିତ ହୋଇଯାଇଛି । ଦେଶର ପ୍ରଥମ ବ୍ୟକ୍ତି ଭାବେ ସର୍ବୋଚ୍ଚ ନ୍ୟାୟାଳୟଙ୍କଠାରୁ ଇଚ୍ଛାମୃତ୍ୟୁର ଅନୁମତି ପ୍ରାପ୍ତ ହୋଇଥିଲେ ଗାଜିଆବାଦର ୩୧ ବର୍ଷୀୟ ହରୀଶ ରାଣା । ୨୦୧୩ ମସିହାରୁ କୋମାରେ ରହିଥିବା ପଞ୍ଜାବ ବିଶ୍ଵବିଦ୍ୟାଳୟର ଏହି ବିଟେକ୍ ଛାତ୍ର ଚତୁର୍ଥ ମହଲାର ବାଲକୋନିରୁ ଖସିପଡି ପକ୍ଷାଘାତର ଶିକାର ହେବା ସହ କୋମା ଅବସ୍ଥାକୁ ଚାଲିଯାଇ ଶତକଡା ୧୦୦% ପ୍ରତିଶତ ଅକ୍ଷମତା ଭୋଗୁଥିଲେ । ସେବେଠାରୁ ତାଙ୍କୁ ଲାଇଫ ସପୋର୍ଟରେ ରଖି ଚିକିତ୍ସା ପ୍ରଦାନ କରାଯାଉଥିଲା । ପୁଅର ଯନ୍ତ୍ରଣା ସହ୍ୟ କରିନପାରି ବାପା ମା’ ପୁଅର ଇଚ୍ଛା ମୃତ୍ୟୁ ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ଏହା ଖାରଜ ହେବାରୁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରଦତ୍ତ ଏହି ଇଚ୍ଛାମୃତ୍ୟୁ ଇଚ୍ଛାବରର କ୍ରିୟାନ୍ୱୟନ ଦିଗରେ ଏକ ଐତିହାସିକ ରାୟ ରହିଥିଲା କହିଲେ ଅତ୍ଵିକ୍ତି ହେବନାହିଁ । ସମ୍ବିଧାନର ଧାରା ୨୧ ଅନ୍ତର୍ଗତ ଜୀବନ ଧାରଣର ଅଧିକାର ମଧ୍ୟରେ ମାନବୀୟ ମର୍ଯ୍ୟାଦାପୂର୍ଣ୍ଣ ଅଧିକାରଗତ ମରଣ ଏହି ଅଧିକାର ପରିସରଭୁକ୍ତ ବୋଲି ସୁପ୍ରିମ କୋର୍ଟ ବିବେଚନା କରିଛନ୍ତି ।
ଏହି ରାୟ ବଳରେ ଭାରତ ପରିପ୍ରେକ୍ଷୀରେ ୟୁଥାନେସିଆ ବା ଇଚ୍ଛାମୃତ୍ୟୁର ଏକ ଲମ୍ବା ବିଚାରଗତ ପ୍ରକ୍ରିୟାର ଅନ୍ତ ଘଟିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏହାକୁ ଚୂଡାନ୍ତ ରୂପରେଖ ପ୍ରଦାନ ନିମନ୍ତେ ପ୍ରକ୍ରିୟାଗତ ସ୍ୱଚ୍ଛତା ଓ ସରଳୀକୃତ ମାର୍ଗଦର୍ଶିକାର ପ୍ରଣୟନ ମଧ୍ୟ ସମ୍ଭବପର ହୋଇ ପାରିଛି ।
ମହାରାଷ୍ଟ୍ରର ଅରୁଣା ସାନବାଗଙ୍କ କରୁଣ ଓ ଦୟନୀୟ ଜୀବନର ଅବସାନକୁ ନେଇ ନ୍ୟାୟାଳୟରେ ଇଚ୍ଛାମୃତ୍ୟୁର ଆବେଦନଠାରୁ ଆରମ୍ଭ ହୁଏ ଏହି ମାନବୀୟ ଗରିମାପୂର୍ଣ୍ଣ ଜୀବନ ନିର୍ବାପନ ଅଧିକାରର କାହାଣୀ । ହାଇକୋର୍ଟରୁ ସୁପ୍ରିମକୋର୍ଟ ମଧ୍ୟ ଦେଇ ଗତି କରୁଥିବା ଏହି ମାନବୀୟ ମୃତ୍ୟୁ ଅଧିକାର ହାସଲ ନିମନ୍ତେ ଲଢେଇର ସୁଦୀର୍ଘ କାହାଣୀ । ଯେତିକି ଲୁହ ଛଳ ଛଳ, ସେତିକି ମଧ୍ୟ କରୁଣ ସହାନୁଭୂତିପୂର୍ଣ୍ଣ ସମ୍ବେଦନାରେ ସିକ୍ତ ।
ଭାରତରେ ୟୁଥାନେସିଆ ବା ଇଚ୍ଛାମୃତ୍ୟୁର କାର୍ଯ୍ୟକାରୀତାକୁ ନେଇ ୨୦୧୮ ମସିହାରେ କମନ୍ କଜ୍ ବନାମ୍ ୟୁନିୟନ୍ ଅଫ୍ ଇଣ୍ଡିଆ ମାମଲାରେ ସୁପ୍ରିମକୋର୍ଟ ଯେଉଁ ଐତିହାସିକ ଆଦେଶ ପ୍ରଦାନ କରିଥିଲେ, ସେଥିରେ ଇଚ୍ଛାମୃତ୍ୟୁ (Euthanasia) କାର୍ଯ୍ୟକାରିତାର ଜଟିଳ ପ୍ରକ୍ରିୟାକୁ ପୂର୍ବାପେକ୍ଷା ସରଳୀକୃତ କରାଗଲା ଯାହାର ମୁଖ୍ୟ ବିଶେଷତ୍ୱ ନିମ୍ନଭାବରେ ପରିଲକ୍ଷିତ ।
ଯେପରି ପ୍ରଥମଥର :
୧. ମର୍ଯ୍ୟାଦା ସହ ମରିବାର ଅଧିକାରକୁ ସ୍ୱୀକୃତି ଏବଂ ଏହା ସମ୍ବିଧାନର ଧାରା ୨୧ର ଏକ ଅଂଶ । ଅର୍ଥାତ୍, ଜୀବନର ଅଧିକାର ମାନେ କେବଳ ବଞ୍ଚିବା ନୁହେଁ, ସମ୍ମାନ ସହିତ ମୃତ୍ୟୁ ପାଇବା ମଧ୍ୟ ।
୨. ଏହି ଆଦେଶ ଦ୍ଵାରା ନିଷ୍କ୍ରିୟ ଇଚ୍ଛାମୃତ୍ୟୁକୁ ଆଇନସମ୍ମତ କରାଯାଇଲା । ଅର୍ଥାତ୍, Passive euthanasia ଦ୍ଵାରା ଜୀବନ ରକ୍ଷା ଯନ୍ତ୍ର ହଟାଇବା କିମ୍ବା ଚିକିତ୍ସା ବନ୍ଦ କରିବାକୁ ନିର୍ଦ୍ଦିଷ୍ଟ ସର୍ତ୍ତରେ ଅନୁମତି ଦିଆଗଲା । କିନ୍ତୁ Active euthanasia ବା ସିଧାସଳଖ ମୃତ୍ୟୁ ଦେବା ଅବୈଧ ରହିଲା ।
୩. ‘ଲିଭିଂ ୱିଲ୍’ (Living Will)ର ସ୍ୱୀକୃତି । ଅର୍ଥାତ୍, ବ୍ୟକ୍ତି ଆଗୁଆ ଲେଖି ରଖିପାରିବେ ଯେ ଗଭୀର ରୋଗ କିମ୍ବା କୋମା ଅବସ୍ଥାରେ ତାଙ୍କୁ କେମିତି ଚିକିତ୍ସା ଦିଆଯିବ କିମ୍ବା ନାହିଁ। ଏହାକୁ “Advance Directive” ବୋଲି ମଧ୍ୟ କୁହାଯାଏ ।
୪. କଠୋର ପ୍ରକ୍ରିୟା (Safeguards) ନିର୍ଦ୍ଦେଶ । ଅର୍ଥାତ୍, ଡାକ୍ତର, ମେଡିକାଲ ବୋର୍ଡ ଓ ନ୍ୟାୟିକ ମାନ୍ୟତା ସହ ଏହାକୁ କାର୍ଯ୍ୟକରୀ କରିବା ସହ ଏହାର ଦୂରୁପଯୋଗ ରୋକିବା ପାଇଁ ବହୁସ୍ତରୀୟ ଯାଞ୍ଚ ବ୍ୟବସ୍ଥାର ପ୍ରାବଧାନ ।
୫. ରୋଗୀର ସ୍ୱାଧୀନତା (Autonomy)କୁ ଗୁରୁତ୍ଵ । ଅର୍ଥାତ୍, ବିଚାର ପ୍ରକ୍ରିୟାରେ ବ୍ୟକ୍ତିଗତ ଇଚ୍ଛା ଓ ମର୍ଯ୍ୟାଦାକୁ ବିଶେଷ ପ୍ରାଧାନ୍ୟ । ଚିକିତ୍ସାରେ ରୋଗୀଙ୍କ ସମ୍ମତି ।
ମୂଳ ଗ୍ରୀକ୍ ଶବ୍ଦ ୟୁଥାନେସିଆ, ଯାହାର ଅର୍ଥ -ଇଚ୍ଛାମୃତ୍ୟୁ । ଗୁରୁତର ରୋଗ,ଅସହ୍ୟ ବେଦନା କିମ୍ବା ଅନାରୋଗ୍ୟ ଅବସ୍ଥାରେ ଥିବା ରୋଗୀଙ୍କୁ ତାଙ୍କର ଇଚ୍ଛାରେ କିମ୍ବା କେତେକ ସମୟରେ ପରିବାର/ଡାକ୍ତରଙ୍କ ସହମତିରେ ଜୀବନ ଶେଷ କରାଇବାକୁ ଏହା ବୁଝାଏ । ଏହାର ଉଦ୍ଦେଶ୍ୟ ହେଉଛି — ଅସହ୍ୟ କଷ୍ଟରୁ ମୁକ୍ତି ଦେବା । ତେବେ ଏହା ଦୁଇ ପ୍ରକାର, ଯଥା:-ସକ୍ରିୟ ୟୁଥାନେସିଆ ଓ ନିଷ୍କ୍ରିୟ ୟୁଥାନେସିଆ । ନିଷ୍କ୍ରିୟ ୟୁଥାନେସିଆ କହିଲେ,ଜୀବନ ରକ୍ଷା କରୁଥିବା ଚିକିତ୍ସା (ଯେମିତି ଭେଣ୍ଟିଲେଟର) ବନ୍ଦ କରିଦିଆଯାଏ । ରୋଗୀକୁ ପ୍ରାକୃତିକ ଭାବେ ମୃତ୍ୟୁ ହେବାକୁ ଛାଡ଼ାଯାଏ । ସେହିପରି ଡାକ୍ତର କିମ୍ବା ଅନ୍ୟ ଜଣେ ସଜାଗ ଭାବରେ କିଛି କାର୍ଯ୍ୟ କରି ଜୀବନ ଶେଷ କରାନ୍ତି (ଯେମିତି ଔଷଧ ଦେବା),ସକ୍ରିୟ ୟୁଥାନେସିଆକୁ ବୁଝାଏ ।
ସମ୍ପ୍ରତି ଏହି “ଇଚ୍ଛା ମୃତ୍ୟୁ” (Euthanasia) ପୃଥିବୀର କିଛି ଦେଶରେ ଆଇନ ସମ୍ମତ ଭାବରେ ଅନୁମୋଦିତ ଅଛି । କିନ୍ତୁ ସବୁଠାରେ ଏହାର ନିୟମ ଓ ପ୍ରକ୍ରିୟା ଭିନ୍ନ ଭିନ୍ନ ଅଟେ। ଇଛା ମୃତ୍ୟୁ ଆଇନସମ୍ମତ ଥିବା ସବୁଠାରୁ ପ୍ରଥମ ଦେଶ ହେଉଛି ନେଦରଲ୍ୟାଣ୍ଡ । ଏହା ବ୍ୟତୀତ ବେଲଜିୟମ୍, ଲକ୍ସମବର୍ଗ, କାନାଡା, କଲମ୍ବିଆ, ନ୍ୟୁଜିଲ୍ୟାଣ୍ଡ ପ୍ରଭୃତି ଦେଶଗୁଡ଼ିକରେ ଡାକ୍ତରଙ୍କ ନିରୀକ୍ଷଣ ଏବଂ କଠିନ ନିୟମ ମଧ୍ୟରେ euthanasia କରାଯାଏ। ସେହିପରି “Assisted Suicide” (ସହାୟତା ସହିତ ମୃତ୍ୟୁ) ଆଇନସମ୍ମତ ଥିବା ଦେଶ ମଧ୍ୟରେ ସ୍ୱିଜରଲ୍ୟାଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକାର କିଛି ରାଜ୍ୟ ଏବଂ ଜର୍ମାନୀରେ କିଛି ନିୟମ ସହ ଏହାକୁ ଅନୁମତି ପ୍ରଦାନ କରାଯାଇଛି ।
ଭାରତ ପରିପ୍ରେକ୍ଷୀରେ ଇଚ୍ଛାମୃତ୍ୟୁ ଆମ ଦେଶର ପୁରାଣ ଓ କିମ୍ବଦନ୍ତୀ ସହ ବହୁ ଆଦ୍ୟ କାଳରୁ ଜଡିତ । ମହାଭାରତର ଅନ୍ୟତମ ଚରିତ୍ର ଭୀଷ୍ମ ପିତାମହ ଇଚ୍ଛାମୃତ୍ୟୁର ବରପ୍ରାପ୍ତ ହୋଇଥିବା ଆମେ ଜାଣୁ । କୁରୁକ୍ଷେତ୍ରର ଯୁଦ୍ଧରେ ଶରଶଯ୍ୟାରେ ଶୟନ ପୂର୍ବକ ଉତ୍ତରାୟଣ ପର୍ଯ୍ୟନ୍ତ ଅପେକ୍ଷା ଓ ଦେହତ୍ୟାଗ ଏହି ବିଶେଷ ଅଧିକାରକୁ ସୂଚାଇ ଥାଏ । ସେହିପରି ବିଭିନ୍ନ ପୁରାଣ ସବୁରେ ରହିଥିବା ଦାନବ ଓ ଅସୁରମାନଙ୍କ ମହାଦେବ କିମ୍ବା ବ୍ରହ୍ମଦେବଙ୍କୁ ସନ୍ତୁଷ୍ଟ କରି ଇଚ୍ଛାମୃତ୍ୟୁର ବର ପ୍ରାପ୍ତି ହେବା ବିଷୟରେ ମଧ୍ୟ ଆମେ ଜାଣୁ । ମାତ୍ରା ଆଧୁନିକ ଯୁଗରେ ଭାରତ ପରି ସମ୍ବିଧାନଦ୍ୱାରା ଶାସିତ ଦେଶରେ ଇଚ୍ଛାମୃତ୍ୟୁର ଆଇନ ସଙ୍ଗତ ଅଧିକାର ପ୍ରାପ୍ତି ଏକ ଦୁରୂହ ବ୍ୟାପାର ରହିଥିଲା ।
ବିଶେଷ କରି ଅନେକ ଦଶନ୍ଧି ପୂର୍ବେ ସାମାଜିକ ଓ ସ୍ୱାସ୍ଥ୍ୟଗତ ସୁରକ୍ଷାର ଘୋର ଅଭାବ ରହି ଆସିଥିଲା । ଗ୍ରାମାଞ୍ଚଳ ପ୍ରଭୃତିରେ ପକ୍ଷାଘାତ ଦଶାରେ ଆକ୍ରାନ୍ତ ହୋଇ ଶାରୀରିକ ଅକ୍ଷମତାର ଦୁର୍ବିସହ ଜୀବନ ଭୋଗୀ ଆସୁଥିଲେ ମହିଳା କିମ୍ବା ପୁରୁଷ ଭିନ୍ନକ୍ଷମଟିଏ । ନିର୍ଜନ ଘରର ସୁଯୋଗ ନେଇ ଦେହରେ ନିଆଁ ଲଗାଇ କିମ୍ବା ଇଟାଭାଟି,ବିଲବାଡ଼ିର ଆଢୁଆଳରେ ଯାଇ ଦାନାଦାର ପିଇ ଆତ୍ମହତ୍ୟା କରିବାର ଅସଂଖ୍ୟ କାହାଣୀର ନଜିର ଶୁଣିବାକୁ ମିଳିଥାଏ । ଯଦିଓ ଏହିସବୁ ମୃତ୍ୟୁଗୁଡ଼ିକ ଖୁବ୍ କମ୍ ପୋଲିସର ତଦନ୍ତ ପରିସରକୁ ଆସିଅଛି । ଦେହର ପୀଡା,ଅକ୍ଷମତା ହେତୁ ଅର୍ଥ ଉପାର୍ଜନରେ ବାଧା,ଆବଶ୍ୟକ ଔଷଧ ପାଇଁ କ୍ରୟଶକ୍ତିହୀନତା ଓ ବିଶେଷ କରି ପାରିପାର୍ଶ୍ଵିକ ସମାଜର ମାନସିକ ଗଞ୍ଜଣା ଓ ଆଲୋଡାପଣ ପ୍ରଭୃତି ଏପରି ଚରମ ନିଷ୍ପତ୍ତି ନେବାପାଇଁ ତାକୁ ବାଧ୍ୟ କରିଥାଏ । ଇଚ୍ଛାମୃତ୍ୟୁ ଆବେଦନର ମାନବୀୟ ଓ ସମ୍ବେଦନଶୀଳ ଯଥାର୍ଥତାକୁ ପ୍ରତିପାଦିତ କରିବାକୁ ଯାଇ ହିନ୍ଦୀ ଚଳଚ୍ଚିତ୍ରର ପ୍ରସିଦ୍ଧ ନିର୍ମାତା ଓ ନିର୍ଦ୍ଦେଶକ ସଞ୍ଜୟଲୀଳା ବଂଶାଲୀ “ଗୁଜାରିସ୍” ନାମକ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ଯେଉଁଥିରେ ଶତକଡା ୧୦୦% ସର୍ଭିକାଲ ମେରୁଦଣ୍ଡ ଆଘାତ ବା କ୍ଵାଡ୍ରିପ୍ଲେଜିକ୍ ବ୍ୟକ୍ତିର ଦୁର୍ଦିନଭରା ଅକଥନୀୟ ଜୀବନ ସ୍ଥିତିର ଚିତ୍ରଣ ଓ ୟୁଥାନେସିଆ ବା ଇଚ୍ଛାମୃତ୍ୟୁ ପାଇଁ ଓକିଲଙ୍କ ଜରିଆରେ ଆବେଦନ ଓ ବିଚାର ପ୍ରକ୍ରିୟାଗତ ସୀମିତତାକୁ ମାର୍ମିକ ଭାବେ ଉପସ୍ଥାପିତ କରାଯାଇଛି । ସାମାଜିକ ଗଣମଧ୍ୟମରେ ସମୟେ ସମୟେ ଆମ ଦୃଷ୍ଟିକୁ ଆସୁଥିବା ଯନ୍ତ୍ରଣା ଜର୍ଜରିତ ଗୁରୁତର ଅକ୍ଷମ ଲୋକଟିର ସଂକ୍ଷିପ୍ତ ଚିତ୍ରକାହାଣୀ ଅନେକ ଥର ଆମ ମୋବାଇଲର ହ୍ଵାଟ୍ସଆପ , ଫେସବୁକ ଓ ଇଂଷ୍ଟାଗ୍ରାମର ସ୍କ୍ରୀନକୁ ଥରାଇ ଛାତିକୁ ଯେ ନ ପ୍ରକମ୍ପିତ କରିଛି ସେହି ମର୍ମସ୍ପର୍ଶୀ ଅନୁଭୂତି ଆମ ସଭିଙ୍କର କିଛି ନା କିଛି ରହିଛି !
ଏହିପରି ଇଚ୍ଛାମୃତ୍ୟୁକୁ ନେଇ ଆମ ଦେଶୀୟ ଆଇନ ଓ ଭାବନା ନିୟନ୍ତ୍ରିତ ହୋଇ ଆସିଛି । ହରୀଶ ରାଣାଙ୍କୁ ଆଇନଗତ ଭାବେ ଇଚ୍ଛାମୃତ୍ୟୁର ଅନୁମତି ଏବେ ଏକାଧିକ ସମଦଶାଧାରୀମାନଙ୍କ ଆବେଦନର ମାର୍ଗକୁ ଉନ୍ମୁକ୍ତ କରିଦେଲା କହିଲେ ଠିକ୍ ହେବ । ନର୍କଦଶା ପ୍ରାୟ ଅତିଶୟ ଗମ୍ଭୀର ଶତ ପ୍ରତିଶତ ଭିନ୍ନକ୍ଷମତା ଭୋଗ କରୁଥିବା ଦାରୁଣ କ୍ଲେଶଗ୍ରସ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ଏହିପରି ସମ୍ମାନଜନକ ଇଚ୍ଛାବରର ଅପେକ୍ଷାକୁ ଯଥାର୍ଥ ରୂପ ଦେବା ପାଇଁ ଅନେକ ଆବେଦନ ପୁଣି ଯେ ନ୍ୟାୟାଳୟର ଦ୍ଵାରକୁ ଯେ କରାଘାତ ନ କରିବ, ସେ କଥା କିଏ କହିବ ???

ଡ଼ ବିରଜା ରାଉତରାୟ
ମୁଖ୍ୟ ସମ୍ପାଦକ


