କିପରି ସରଳ ଭାବରେ ବୁଝିବା ଅଟିଜିମ୍?

ଅଟିଜିମ୍ ଆକ୍ରାନ୍ତ ପିଲାମାନେ ସୁସ୍ଥ ସବଳ ଦେଖାଯାଇଥାଆନ୍ତି; ମାତ୍ର ମସ୍ତିଷ୍କର (ସ୍ନାୟୁ-ନ୍ୟୁରୋଲୋଜିକାଲ୍) ଗଠନ ବା ଆଘାତ ହେତୁ ଏବଂ କେତେକ ବିଶେଷ ଅସୁବିଧା କାରଣରୁ ସେମାନଙ୍କଠାରେ ଅକ୍ଷମତା ଦେଖାଦେଇଥାଏ । ମସ୍ତିଷ୍କର ସ୍ନାୟବିକ ଅସୁବିଧା ହେତୁ କେତେକ ପିଲା ନିଜର ଭାବକୁ ଠିକ୍ ଭାବରେ ପ୍ରକାଶ କରିପାରନ୍ତି ନାହିଁ ।

ଶିଶୁ ହସିଲେ ଜଗତ ହସେ । ଅଟିଷ୍ଟିକ୍ ଅକ୍ଷମତା ସମ୍ପନ୍ନ ପିଲାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମାଜର ସବୁ ବର୍ଗର ବ୍ୟକ୍ତିବିଶେଷ, ପରିବାର ଲୋକ, ସରକାର ତଥା ସ୍ୱତନ୍ତ୍ର ଶିକ୍ଷା ତାଲିମପ୍ରାପ୍ତ ଶିକ୍ଷକଙ୍କ ଭୂମିଳା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସେମାନଙ୍କର ସମସ୍ୟା ଆଡ଼କୁ ସାମାନ୍ୟ ଦୃଷ୍ଟିଦେଲେ, ଅଟିଜିମ୍ ଆକ୍ରାନ୍ତ ପିଲାମାନଙ୍କର ମେଧାର ବିକାଶ ଘଟିବ ।

ଅକ୍ଷମତା ମାନବ ଜୀବନର ଏକ ଅଂଶବିଶେଷ । ମଣିଷ ଯେତେ ସ୍ୱାସ୍ଥ୍ୟବାନ୍, ବୁଦ୍ଧିମାନ୍ ଏବଂ କୁଶଳୀ ହେଉ ପଛେ, ସମସ୍ତଙ୍କ ପାଖରେ ଅକ୍ଷମତା ବିଭିନ୍ନ ଭାବରେ ପରିଲକ୍ଷିତ ହୋଇଥାଏ । ସୁସ୍ଥ ବ୍ୟକ୍ତି ପାଖରେ ରାଗ, କ୍ରୋଧ, ଭୟ, ବିତୃଷ୍ଣା, ଆବେଗ ପ୍ରଭୃତି ମଧ୍ୟ ଦେଖାଦେଇଥାଏ ଓ ଅକ୍ଷମତା ଭିନ୍ନକ୍ଷମ ଶିଶୁ ବା ବ୍ୟକ୍ତିଙ୍କ ପାଖରେ ବିଶେଷ ଭାବରେ ଦେଖିବାକୁ ମିଳେ ।

ଲକ୍ଷଣ ଏବଂ କାରଣଗତ ହେତୁ ଭିନ୍ନକ୍ଷମ, ଅକ୍ଷମତାକୁ ଏକୋଇଶ ପ୍ରକାରର ଶ୍ରେଣୀଭୁକ୍ତ କରାଯାଇପାରେ । ବିଶେଷ ଭାବରେ, ଦୃଷ୍ଟିଗତ ସମସ୍ୟା, ଶାରୀରିକ, ବୁଦ୍ଧିଗତ ଓ ବିକାଶାତ୍ମକ, ସ୍ନାୟବିକ, ରକ୍ତଗତ ଅକ୍ଷମତା ଇତ୍ୟାଦି । ଅନ୍ୟ ଭାବରେ କହିବାକୁ ଗଲେ ଏହି ଭିନ୍ନକ୍ଷମ ଶିଶୁଙ୍କ ମଧ୍ୟରୁ କିଏ କିଏ ଦୃଷ୍ଟିବାଧିତ, ଶ୍ରବଣ ବାଧିତ, ବାକ୍ ବାଧିତ, ଚଳନଶକ୍ତି ରହିତ, ବାମନ, ବୌଦ୍ଧିକ ଅନଗ୍ରସର, କୁଷ୍ଠରୋଗରୁ ଆରୋଗ୍ୟ ବ୍ୟକ୍ତି, ମାଂସପେଶୀ ଅନିୟମିତତା, ସ୍ନାୟୁଜନିତ ସମସ୍ୟା, ରକ୍ତ ଶିକୁଳି ଭଳି ଅସୁବିଧାରେ ପଡ଼ିଥାନ୍ତି । ଅଟିଜିମ୍ ବୃଦ୍ଧିଗତ ତଥା ବିକାଶାତ୍ମକ ଅକ୍ଷମତାର ଅନ୍ତର୍ଭୁକ୍ତ ।

ଅଟିଜିମ୍ କୁ ସ୍ୱପରାୟଣତା, ସ୍ୱଲୀନତା, ଆତ୍ମବିମୋହ କୁହାଯାଇପାରେ । ଅଟିଜିମ୍ ଆକ୍ରାନ୍ତ ପିଲାମାନେ ସୁସ୍ଥ ସବଳ ଦେଖାଯାଇଥାଆନ୍ତି; ମାତ୍ର ମସ୍ତିଷ୍କର (ସ୍ନାୟୁ-ନ୍ୟୁରୋଲୋଜିକାଲ୍) ଗଠନ ବା ଆଘାତ ହେତୁ ଏବଂ କେତେକ ବିଶେଷ ଅସୁବିଧା କାରଣରୁ ସେମାନଙ୍କଠାରେ ଅକ୍ଷମତା ଦେଖାଦେଇଥାଏ । ମସ୍ତିଷ୍କର ସ୍ନାୟବିକ ଅସୁବିଧା ହେତୁ କେତେକ ପିଲା ନିଜର ଭାବକୁ ଠିକ୍ ଭାବରେ ପ୍ରକାଶ କରିପାରନ୍ତି ନାହିଁ ।

ସମାଜର ସମବୟସ୍କ ପିଲା ବା ପରିବାରବର୍ଗ ଲୋକଙ୍କ ପାଖରେ ମଧ୍ୟ ନିଜର ଭାବକୁ ଠିକ୍ ଭାବରେ ଉପସ୍ଥାପନ କରିପାରନ୍ତି ନାହିଁ । ଶିଶୁ ଅଢେ଼ଇରୁ ତିନିବର୍ଷ ହେଲା ବେଳକୁ ଅଟିଜିମ୍ ର କେତେକ ଲକ୍ଷଣ ତାଙ୍କ ଠାରେ ବାରି ହୋଇଯାଏ । ପିତାମାତା, ପରିବାର ଲୋକ, ଆତ୍ମୀୟସ୍ୱଜନ ତଥା ସାଇପଡେ଼ାଶୀ ଠିକ୍ ଭାବରେ ପର୍ଯ୍ୟବେକ୍ଷଣ କଲେ, ଅଟିଜିମ୍ ର ଲକ୍ଷଣମାନ ଜଣାପଡ଼ିଥାଏ । ଅଟିଜିମ୍ ଆକ୍ରାନ୍ତ ପିଲାଙ୍କ ଭିତରୁ ପ୍ରାୟ ୬୦ରୁ ୭୦ ପ୍ରତିଶତ ପିଲାଙ୍କ ପାଖରେ ବୁଦ୍ଧିଗତ ଅସ୍ୱାଭାବିକତା ଦେଖାଯାଉଥିବାବେଳେ ଅନ୍ୟ ପିଲାଙ୍କ ପାଖରେ ଅତି ବୁଦ୍ଧିମାନ ବା ସାଧାରଣ ବୁଦ୍ଧିସମ୍ପନ୍ନ ଲକ୍ଷଣମାନ ଦେଖିବାକୁ ମିଳିଥାଏ । ଏହି ପିଲାମାନେ ବିଭିନ୍ନ ପ୍ରତିଭାର ଅଧିକାରୀ ବୋଲି ଗବେଷଣାରୁ ଜଣାଯାଏ । ବଂଶଗତ ବା ଶାରୀରିକ କାରଣ ହେତୁ ପ୍ରାୟତଃ ଅଟିଜିମ୍ ଆକ୍ରାନ୍ତ କରିଥାଏ । ସାମାଜିକ ଓ ମାନସିକ ସମସ୍ୟାମାନ ଅନ୍ୟ ଆନୁସଙ୍ଗିକ କାରଣ ହୋଇପାରେ । ଶିଶୁ ଜନ୍ମ ନେଲାବେଳେ କେତେକ ବିଶେଷ ଅସୁବିଧା, ଯଥା – ପ୍ରଚୁର ରକ୍ତସ୍ରାବ, ରୋଗ ପ୍ରତିରୋଧକ ଶକ୍ତିର ଅଭାବ, ଜୈବିକ ଓ ସ୍ନାୟବିକ ଅସ୍ୱାଭାବିକତା, ରେଟିକୁଲାର ଆକ୍ଟିଭେସନ୍ ସିଷ୍ଟମରେ କ୍ଷୁଦ୍ରାଣୁ (ଲିଜନ୍) ଥିଲେ ଅଟିଜିମ୍ ହେବାର ଆଶଙ୍କା ଥାଏ ।

ଅଟିଷ୍ଟିକ୍ ପିଲା ସାଧାରଣତଃ ସିଧାସଳଖ ମୁହଁକୁ ଚାହିଁ କଥା ହେବାକୁ କୁଣ୍ଠା ପ୍ରକାଶ କରିଥାଆନ୍ତି । ମୁହଁକୁ ବୁଲେଇ ବଙ୍କାଇ ଅସ୍ୱାଭାବିକ ସ୍ୱରରେ କଥା କହିଥା’ନ୍ତି । ସେମାନଙ୍କ ଭାବଭଙ୍ଗୀ, ଚାଲିଚଳଣ ସାଧାରଣ ବୟସ୍କ ପିଲାଙ୍କଠାରୁ ଟିକିଏ ଅଲଗା ଥାଏ । ସେମାନେ ଏକୁଟିଆ ରହିବାକୁ ପସନ୍ଦ କରନ୍ତି, ନିଜକୁ ବା ଅନ୍ୟକୁ ବାଡେ଼ଇବା ବା ସେହିଭଳି, କାମୁଡ଼ିବା, ଏଣେତେଣେ ବୁଲିବା, ନିଜକୁ ଆଘାତ ଦେବା ସହ ଜୋରରେ ଚିତ୍କାର କରିଥା’ନ୍ତି । ଏଭଳି ପିଲା ମନକୁ ମନ ହସେ, ଖେଳେ, ବେଳେବେଳେ ବିଭିନ୍ନ ସ୍ୱରଭଙ୍ଗୀରେ ଉଚ୍ଚାରଣ କରିଥାଏ । କଥା କହିବା ଶୈଳୀରେ ବିଭିନ୍ନତା ବା ଅସ୍ୱାଭାବିକତା ତା’ଠାରେ ପରିଲକ୍ଷିତ ହୁଏ । ସର୍ବଦା ନିଜ ଦୁନିଆରେ ସେ ରହିବାକୁ ଭଲପାଏ । କେତେକ କଥା କହିବାକୁ ଆଦୌ ପସନ୍ଦ କରନ୍ତି ନାହିଁ ବା ବିଳମ୍ୱରେ କଥା କହନ୍ତି । ବେଳେବେଳେ କ୍ରୋଧରେ କର୍କଶ ବା ଟାଣ କଥା କହିପକାନ୍ତି । ଏକାପ୍ରକାର କାମକୁ ବାରମ୍ୱାର ମଧ୍ୟ କରିଥାଆନ୍ତି ।

ଅଟିଜିମ୍ ଶିଶୁଙ୍କ ପାଇଁ ଏକ ସାମୟିକ ଅକ୍ଷମତା ବୋଲି ବିବେଚନା କରାଯାଇପାରେ, ଯଦିଓ କେତେକ କ୍ଷେତ୍ରରେ ବିଶେଷ ସକ୍ଷମତା ମଧ୍ୟ ପରିଲକ୍ଷିତ ହୁଏ । କେତେକ ବିଷୟ ପ୍ରତି ଧ୍ୟାନଦେଲେ କିଛିଟା ସୁଧାର ହେବାର ସମ୍ଭାବନା ଥାଏ । ବିଶେଷକରି, ପିଲାଟି ସହିତ ଧୈର୍ଯ୍ୟର ସହିତ କଥାହେବା, ତା’ କଥାକୁ ବୁଝିବା । ଅନ୍ୟମାନଙ୍କ କଥାକୁ ଧୈର୍ଯ୍ୟର ସହିତ ଶୁଣିବା ପାଇଁ ଶିଶୁଟିକୁ ପ୍ରୋସାହିତ କରିବା, ଶିଶୁଟି ଅନ୍ୟମାନଙ୍କ ସହିତ ମିଳିମିଶି ଚଳିବା ପାଇଁ ପରିବେଶ ତିଆରି କରିବା ଓ ପ୍ରୋତ୍ସାହିତ କରିବା । ସୁଦକ୍ଷ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଶିଶୁଟିର ଚିକିତ୍ସା ଯଥାଶୀଘ୍ର କରାଇନେଲେ ଭଲ ।

କଥୋପକଥନ, ଶାରୀରିକ ବ୍ୟାୟାମ, ବ୍ୟାବହାରିକ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇବା, ଖେଳ ମାଧ୍ୟମରେ କିଛି ମାତ୍ରାରେ ସୁଧାର ଆସିପାରେ । ଏମାନଙ୍କୁ ବୁଝିବା ଏବଂ ବୁଝାଇବା ତଥା ଶିକ୍ଷା ଦେବା ପାଇଁ ଅସୀମ ଧୈର୍ଯ୍ୟ, ସ୍ନେହ ଆଦର ଆବଶ୍ୟକ । ସ୍ୱତନ୍ତ୍ର ତାଲିମପ୍ରାପ୍ତ ଶିକ୍ଷକ, ବ୍ୟକ୍ତି, ଅଭିଜ୍ଞ ଡାକ୍ତରୀ ଜ୍ଞାନସମ୍ପନ୍ନ ବ୍ୟକ୍ତିଙ୍କ ଦ୍ୱାରା ଚିକିତ୍ସା କଲେ, ଉପକାର ମିଳିବାର ସମ୍ଭାବନା ଅଧିକ । ଅଟିଜିମ୍ ପିଲାଙ୍କର ବ୍ୟାବହାରିକ ତଥା ପ୍ରଜ୍ଞା ପ୍ରକାଶ ପାଇଁ ଅନୁକୂଳ ପରିସ୍ଥିତି ପ୍ରସ୍ତୁତ କରିବା, ପସନ୍ଦ ଏବଂ ଗ୍ରହଣୀୟ ଶିକ୍ଷା ପଦ୍ଧତି, ଦକ୍ଷ ଶିକ୍ଷକଙ୍କ ଦ୍ୱାରା ପ୍ରଦାନ କରିବା ପାଇଁ ଉଦ୍ୟମ ହେବା ଆବଶ୍ୟକ । ଆମକୁ ମନେ ରଖିବାକୁ ହେବ ଯେ ସଠିକ୍ ଧାରାରେ ହିଁ ଯିବା ଦରକାର । ସେମାନଙ୍କ ପାଇଁ ସମାଜରେ ସମୟ ଓ ସ୍ଥାନ ବାହାର କରିବା ଜରୁରୀ ।

ଅଟିଜିମ୍ ଏକ ବିକାଶ ବାଧକ ପ୍ରକ୍ରିୟା । ଖାଲି ଦେଢ଼ବର୍ଷରୁ ୩ ବର୍ଷ ପିଲା ନୁହନ୍ତି କେତେକ କ୍ଷେତ୍ରରେ ୮-୯ ବର୍ଷରେ ମଧ୍ୟ ଅଟିଜିମ୍ ପରିଲକ୍ଷିତ ହୁଏ । ଅଟିଜିମ୍ ଗୋଟିଏ ସାମାଜିକ କଥୋପକଥନ ଅନିୟମିତତା । ଆଜି ବହୁବିଧ ସୁବିଧା ଏବଂ ବ୍ୟବସ୍ଥାମାନ ଉପଲବ୍ଧ ହେଲାଣି । ଅଟିଷ୍ଟିକ୍ ପିଲାଙ୍କୁ ଭଲ କରିବାରେ ଚାରିଜଣଙ୍କର ପ୍ରମୁଖ ଭୂମିକା ରହିଛି – ପିତା, ମାତା, ଶିଶୁ ମନୋଚିକିତ୍ସକ ଓ ଦକ୍ଷ ତାଲିମପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକ । ପିଲାଟି ଏକ ମୁହୂର୍ତ୍ତରେ କ’ଣ କରୁଛି ତାଙ୍କୁ ବିଚାରକୁ ନେଇ ଆନୁସଙ୍ଗିକ ସୁବିଧା ଯୋଗାଇବା ଦରକାର । ଅଟିଜିମ୍ ଏକ ରୋଗ ଅସୁସ୍ଥତା ଅଂଶଭୁକ୍ତ ବୋଲି ଭାବିବା ଠିକ୍ ହେବନି; ବରଂ ଏହା ଏକ ଭିନ୍ନ ଧରଣର ବ୍ୟବହାର ବୋଲି ଧରି ସୁଧାର ଆଣିବାକୁ ଚେଷ୍ଟିତ ହେଲେ, ଅଟିଷ୍ଟିକ୍ ଶିଶୁଟି ସମାଜର ମୁଖ୍ୟ ସ୍ରୋତକୁ ଫେରିବାର ସମ୍ଭାବନା ରହିଛି ।

ଅଟିଜିମ୍ ସ୍ପେକ୍ଟ୍ରମ୍ ଡିସ୍‌ଅର୍ଡର ଅଣ-ମାରାତ୍ମକ ସ୍ୱାସ୍ଥ୍ୟ ବୋଝର ଏକ ପ୍ରମୁଖ କାରଣ:

ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଅଟିଜିମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର (ଏଏସ୍ଡ଼ି) ୨୦ ବର୍ଷରୁ କମ୍ ବୟସର ଯୁବକମାନଙ୍କ ମଧ୍ୟରେ ଅଣ-ମାରାତ୍ମକ ସ୍ୱାସ୍ଥ୍ୟ ବୋଝର ଶୀର୍ଷ ୧୦ଟି କାରଣ ମଧ୍ୟରେ ସ୍ଥାନ ପାଇଛି । ନିକଟରେ ଦ ଲାନସେଟ୍ ସାଇକିଆଟ୍ରିରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ୨୦୨୧ରେ ବିଶ୍ୱରେ ପ୍ରାୟ ୬୨ ନିୟୁତ ଲୋକ, ଯାହା କି ପ୍ରତି ୧୨୭ ଜଣଙ୍କ ମଧ୍ୟରୁ ଜଣେ ଅଟିଜମ୍ ସ୍ପେକ୍ଟ୍ରମରେ ଅଛନ୍ତି ବୋଲି ଆକଳନ କରାଯାଇଛି । ୨୦୨୧ରେ ଗ୍ଲୋବାଲ ବର୍ଡେନ୍ ଅଫ୍ ଡିଜିଜ୍, ଇଞ୍ଜୁରି ଆଣ୍ଡ ରିସ୍କ ଫ୍ୟାକ୍ଟରସ୍ (ଜିବିଡି)ର ଏକ ଅଂଶ ଭାବରେ ଏହି ଅଧ୍ୟୟନ କରାଯାଇଥିଲା । ପୁରୁଷମାନଙ୍କ ମଧ୍ୟରେ ଏଏସ୍ଡ଼ିର ବିଶ୍ୱବ୍ୟାପୀ ବ୍ୟାପକତା ଯଥେଷ୍ଟ ଅଧିକ ଥିବା ବେଳେ ଏହି ଗବେଷଣାରେ ଅସମାନତା ଉପରେ ମଧ୍ୟ ଆଲୋକପାତ କରାଯାଇଛି । ପ୍ରତି ୧,୦୦,୦୦୦ ପୁରୁଷରେ ୧,୦୬୫ ମାମଲା ରହିଛି । ଏହି ସଂଖ୍ୟା ଚିନ୍ତାଜନକ କାରଣ ଏହି ଅଞ୍ଚଳ ଅନୁଯାୟୀ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଭିନ୍ନ ଭିନ୍ନ ଥିବାରୁ ଏହା ପ୍ରାୟ ଦ୍ୱିଗୁଣିତ ବିଶ୍ୱବ୍ୟାପୀ ସଂକ୍ରମଣ । ଉଦାହରଣ ସ୍ୱରୂପ, ଜାପାନ ସମେତ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିଶ୍ୱରେ ସର୍ବାଧିକ ସଂକ୍ରମଣ ରେକର୍ଡ କରାଯାଇଛି, ଯେଉଁଥିରେ ପ୍ରତି ୧,୦୦,୦୦୦ ଲୋକରେ ୧,୫୬୦ ଜଣ ଅଛନ୍ତି, କିନ୍ତୁ ଟ୍ରପିକାଲ ଲାଟିନ ଆମେରିକା ଏବଂ ବାଂଲାଦେଶରେ ଏହା ସର୍ବନିମ୍ନ ରହିଛି । ଜନସଂଖ୍ୟା ବୃଦ୍ଧି କାରଣରୁ ବଢୁଥିବା ଭିନ୍ନକ୍ଷମ-ସଂଶୋଧିତ ଜୀବନ-ବର୍ଷ (ଡିଏଏଲୱାଇ) ସହିତ ଲିଙ୍ଗ ଏବଂ କ୍ଷେତ୍ରରେ ପାର୍ଥକ୍ୟ ସତ୍ତ୍ୱେ ଅଟିଷ୍ଟିକ୍ ଲୋକମାନେ ବିଶ୍ୱସ୍ତରରେ ସମସ୍ତ ବୟସ ବର୍ଗରେ ଉପସ୍ଥିତ ଅଛନ୍ତି।

ଏହି ଗବେଷଣାରେ ଅଟିଜିମ୍ କୁ ଶୀଘ୍ର ଚିହ୍ନଟ କରିବା ଏବଂ ବିଶ୍ୱବ୍ୟାପୀ ଅଟିଷ୍ଟିକ୍ ଲୋକ ଏବଂ ସେମାନଙ୍କ ରକ୍ଷଣାବେକ୍ଷକମାନଙ୍କୁ ସହାୟତା କରିବାର ଜରୁରୀ ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରାଯାଇଛି । ଏହି ଅଧ୍ୟୟନରେ ଏହା ମଧ୍ୟ ପରାମର୍ଶ ଦିଆଯାଇଛି ଯେ, ଏହି ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ବୋଝର ମୁକାବିଲା କରିବା ପାଇଁ, ପ୍ରାରମ୍ଭିକ ଚିହ୍ନଟ କାର୍ଯ୍ୟକ୍ରମ ପାଇଁ ସମ୍ବଳକୁ ପ୍ରାଥମିକତା ଦେବା ଗୁରୁତ୍ୱପୂର୍ଣ୍ଣ, ବିଶେଷକରି ନିଦାନ ଉପକରଣ ବୃଦ୍ଧି କରି । ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶମାନଙ୍କରେ ବୟସ୍କ ଏବଂ ବ୍ୟକ୍ତିବିଶେଷଙ୍କ ପାଇଁ ଏହା ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ, ଯେଉଁଠାରେ ଅଟିଷ୍ଟିକ୍ ବ୍ୟକ୍ତିଙ୍କ ଜୀବନକାଳ ମଧ୍ୟରେ ବିକଶିତ ଆବଶ୍ୟକତା ଅନୁଯାୟୀ ଯତ୍ନ, ଯତ୍ନଶୀଳ ସହାୟତା ଏବଂ ସେବାଗୁଡିକର ଉପଲବ୍ଧତା ସୀମିତ ହୋଇପାରେ । ଏହାବ୍ୟତୀତ ଭୌଗୋଳିକ ତଥ୍ୟ କଭରେଜ୍ କୁହ ବିସ୍ତାର କରିବା ଏବଂ ଆତ୍ମହତ୍ୟା ଭଳି କୋମର୍ବିଡିଟି ଏବଂ ମୃତ୍ୟୁ ବିପଦର ମୁକାବିଲା ପାଇଁ ଲକ୍ଷ୍ୟଭିତ୍ତିକ ହସ୍ତକ୍ଷେପ କାର୍ଯ୍ୟକାରୀ କରିବା ଏହି ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଗୋପାଳ କୃଷ୍ଣ ନନ୍ଦ
ଚେତନା ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟ, ଭୁବନେଶ୍ୱର

Share the post

Leave a Reply

Your email address will not be published. Required fields are marked *

Autism Spectrum Disorder: 21st Century's New Challenge

ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ : ଏକବିଂଶ ଶତାବ୍ଦୀର ନୂତନ ଆହ୍ୱାନ୍

ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ (Autism Spectrum Disorder) ଏକ ସ୍ନାୟୁଗତ ବିକାଶ ଜନିତ ସ୍ଥିତି । ବିଗତ କିଛି ବର୍ଷ ମଧ୍ୟରେ ଅଟିଜିମ୍ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଥିଲେ ମଧ୍ୟ, ବର୍ତ୍ତମାନ ସମୟରେ ଏହି...
New Stream in Denial of Disability: Combined Effort of Technology, Humanity, and Social Justice

ଦିବ୍ୟାଙ୍ଗତା ନିରାକରଣ କ୍ଷେତ୍ରରେ ନୂତନ ଧାରା: ପ୍ରଯୁକ୍ତିବିଦ୍ୟା, ମାନବିକତା ଏବଂ ସାମାଜିକ ନ୍ୟାୟର ମିଳିତ ପ୍ରୟାସ

ଦିବ୍ୟାଙ୍ଗତାକୁ ସମ୍ବୋଧିତ କରିବାର ନୂତନ ପଥ ଏକ ବ୍ୟାପକ ଏବଂ ଅନ୍ତର୍ଭୁକ୍ତିକାରୀ (Inclusive) ଦୃଷ୍ଟିକୋଣକୁ ଗ୍ରହଣ କରେ । ଏହା କେବଳ ବ୍ୟକ୍ତିବିଶେଷଙ୍କର କ୍ଷତିପୂରଣ ଉପରେ ଗୁରୁତ୍ଵ ନ ଦେଇ, ସେମାନଙ୍କର ସମ୍ଭାବନାକୁ (Potential)...

ବରଫ ତରଳିବା ଆରମ୍ଭ କରିଛି…ଦିବ୍ୟାଙ୍ଗଙ୍କ ପ୍ରତି ଦୃଷ୍ଟି ବଦଳୁଛି

ଖୁବ୍ ଛୋଟ ବୟସରୁ ପୋଲିଓଗ୍ରସ୍ଥ ହୋଇ ଶାରୀରିକ ଭାବେ ଚଳନଶକ୍ତି ବାଧିତ ହୋଇଥିଲେ ସତ, କିନ୍ତୁ ନିଜର ଦୃଢ ମନୋବଳ ଓ ମେଧାଶକ୍ତିର ବିନିମୟରେ ଯେଉଁ ସଂଖ୍ୟାଧିକ ଗବେଷଣା ନିଃସୃତ ନିଦର୍ଶନ ସୃଷ୍ଟି କରି...
Lifestyle-Induced Spinal Problems and Progressive Disability

ଜୀବନଶୈଳୀ ଜନିତ ମେରୁଦଣ୍ଡ ସମସ୍ୟା ଓ କ୍ରମବର୍ଦ୍ଧିଷ୍ଣୁ ଅକ୍ଷମତା

ମେରୁଦଣ୍ଡର ଅନେକ ସମସ୍ୟା ମଧ୍ୟରେ, ପିଠି ଯନ୍ତ୍ରଣା ସବୁଠାରୁ ସାଧାରଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ ପ୍ରାୟ ୬୧୯ ନିୟୁତ ଲୋକ ପିଠି ଯନ୍ତ୍ରଣା ସହିତ ବଞ୍ଚନ୍ତି। ଏହା ମଧ୍ୟ ଅକ୍ଷମତାର...
New Disability Law and Call

ନୂତନ ଭିନ୍ନକ୍ଷମ ଆଇନ୍ ଓ ଆହ୍ୱାନ

ଏହି ନୂତନ ଆଇନ୍ ପ୍ରଣୟନର ଏକ ଦଶନ୍ଧି ସନ୍ନିକଟ ଯାତ୍ରାର ନିକଟବର୍ତ୍ତୀ ହୋଇ ମଧ୍ୟ ତାହାର ସୁଫଳ ଓ ପ୍ରଭାବର ଆଶାନୁରୂପକ ଲକ୍ଷ୍ୟଠାରୁ ତଥାପି ଆମେ ବହୁ ଦୂରରେ ।