ଆଣ୍ଟିବାୟୋଟିକ ସଂସ୍ପର୍ଶରେ ଆସିବା ମାତ୍ରେ ବ୍ୟାକ୍ଟେରିଆ ଏହାର କବଳରୁ ନିଜକୁ ମୁକ୍ତ କରିବା ପ୍ରଚେଷ୍ଟା ଜାରି ରଖି ନିଜକୁ ମ୍ୟୁଟେସନ୍ ପ୍ରକ୍ରିୟା ମାଧ୍ୟମରେ ବଦଳେଇବାରେ ଲାଗିପଡେ । ଏପରି କ୍ରମାଗତ ପ୍ରକ୍ରିୟା ହେବା ଦ୍ୱାରା ସଂକ୍ରାମକ ଓ ମାରାତ୍ମକ ବ୍ୟାକ୍ଟେରିଆଗୁଡ଼ିକ ଗୋଟିଏ, ଦୁଇଟି କିମ୍ବା ଆଣ୍ଟିବାୟୋଟିକ୍ସ ପ୍ରତି ରେଜିଷ୍ଟାନ୍ସ ଶକ୍ତି ଅଧିଗ୍ରହଣ କରିଥାଆନ୍ତି ଯାହା ମଣିଷ ଜୀବନ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଥାଏ ।
ଏଲୋପାଥି ଔଷଧୀୟ ଆଧୁନିକ ଚିକିତ୍ସା କ୍ଷେତ୍ରରେ ଆଣ୍ଟିବାୟୋଟିକ୍ସର ବ୍ୟବହାର ଅପରିହାର୍ଯ୍ୟ । ଆଲେକଜାଣ୍ଡାର ଫ୍ଲେମିଙ୍ଗ୍ଙ୍କ ମାନବ ଜାତିକୁ ପେନ୍ସିଲିନ ଭେଟି ଜୀବନ ରକ୍ଷାକାରୀ ହୋଇ ପାରିଥିଲା । ପେନ୍ସିଲିନ ଆବିଷ୍କାର ପୂର୍ବରୁ ବ୍ୟାକ୍ଟେରିଆ ଜନିତ ନିମୋନିଆ, ଗନେରିଆ, ଟିଟାନସପେନିସିଲିନ, ବାତଜ୍ୱର ଇତ୍ୟାଦି ପାଇଁ କୌଣସି ଉପଶମ ନ ଥିଲା । ପରବର୍ତ୍ତୀ କାଳରେ ଅନେକ ନୂତନ ରୋଗ ଆବିର୍ଭାବ ହେବାଦ୍ୱାରା ବହୁ ସମୟୋପଯୋଗୀ ଆଣ୍ଟିବାୟୋଟିକମାନ ଉଦ୍ଭାବନ ହେଲା ।
ଉଦ୍ଭାବନ ପରବର୍ତ୍ତୀ ସମୟରେ ଆଣ୍ଟିବାୟୋଟିକ୍ସ ଏତେ ପରିମାଣରେ ବ୍ୟବହାର ବିଷୟରେ ଫ୍ଲେମିଙ୍ଗ୍ ୧୯୫୫ ମସିହାରେ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ କଳ୍ପନା କରିନଥିବେ । ଏହା ସତ୍ୟ ଯେ ଆଣ୍ଟିବାୟୋଟିକ୍ସ ଦୈନନ୍ଦିନ ପ୍ରାଣୀ ଚିକିତ୍ସାରେ ବର୍ତ୍ତମାନ ଏକ ସହଭାଗୀ ହୋଇସାରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୧୯ ମସିହାରେ ପ୍ରାୟ ୧୮୦ ପ୍ରକାର ବିଭିନ୍ନ ବର୍ଗୀୟ ଉପଲବ୍ଧ ଆଣ୍ଟିବାୟୋଟିକ୍ସର ଏକ ତାଲିକା ପ୍ରକାଶ କରିଥିଲେ ଯେଉଁଥିରେ ସେଫଲୋସ୍ପୋରିନ, ଟେଟ୍ରାସାଇକ୍ଲିନ, ଆମ୍ପିସିଲିନ, ଡକ୍ସିସାଇକ୍ଲିନ, ରିଫାମ୍ପିସିନ, ଆଜିଥ୍ରୋମାଇସିନ, କ୍ଲିଣ୍ଡାମାଇସିନ ଇତ୍ୟାଦି ଅନ୍ତର୍ଭୁକ୍ତ । ଆଜିକାଲି ଆଣ୍ଟିବାୟୋଟିକ୍ସ ଶସ୍ତାଦରରେ ମିଳେ ନାହିଁ ବରଂ ରୋଗର ଜଟିଳ ଜଟିଳତା ଅନୁଯାୟୀ ବଜାର ଦର ବୃଦ୍ଧି ଗୁଣବତ୍ତାକୁ ହୋଇଚାଲେ । ନିଜର ଅଣୁଜୀବ ନିରୋଧୀ ଗୁଣବତ୍ତାକୁ ନେଇ ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ କିମ୍ବା ପଞ୍ଚମ ଜେନେରେସନ ଆଣ୍ଟିବାୟୋଟିକ୍ସ ଭାବେ ନାମକରଣ ହୋଇଥାଏ ।
ଫ୍ଲେମିଙ୍ଗ୍ ପେନ୍ସିଲିନ ଏକ କବକ (ଫଜାଇ) ଠାରୁ ପ୍ରସ୍ତୁତ କରିଥିବା ବେଳେ ଆଣ୍ଟିବାୟୋଟିକ୍ସ ପ୍ରାକୃତିକ ଭାବେ ବ୍ୟାକ୍ଟେରିଆ ଠାରୁ ମଧ୍ୟ ଉପଲବ୍ଧ ହୋଇପାରେ । ହେଲେ ବର୍ତ୍ତମାନ ଏହା ତିନିଟି ମାଧ୍ୟମରୁ ପ୍ରସ୍ତୁତ ହୋଇ ଔଷଧ ଦୋକାନରେ ମିଳେ, ଯଥା- ନାଚୁରାଲ, ସିନ୍ଥେଟିକ ଓ ସେମି-ସିନ୍ଥେଟିକ । ସିନ୍ଥେଟିକଗୁଡ଼ିକ ରସାୟନ ବିଜ୍ଞାନୀଙ୍କ ପରୀକ୍ଷାଗାରରେ ନିର୍ମିତ ହୋଇଥାଏ । ସେମି-ସିନ୍ଥେଟିକଗୁଡ଼ିକ ନାଚୁରାଲ ଆଣ୍ଟିବାୟୋଟିକଗୁଡ଼ିକୁ ଅନୁଶୋଚନ କରି ଉନ୍ନତ ଗୁଣବତ୍ତା ସହିତ ପରୀକ୍ଷାଗାରରେ ନିର୍ମିତ ହୋଇଥାଏ ।
ଭାରତରେ ଆଣ୍ଟିବାୟୋଟିକ୍ସ ଯେ କୌଣସି ଔଷଧ ଦୋକାନରୁ ବିନା ଦ୍ୱିଧାରେ ଏପରିକି ବିନା ପ୍ରେସ୍କ୍ରିପ୍ସନ୍ରେ ଉପଲବ୍ଧ ହୋଇପାରେ । ପ୍ରବାସୀ ଭାରତୀୟମାନେ ସାଧାରଣ ଭାବେ ନିଜ ଦେଶକୁ ବୁଲିଆସି ଫେରିବା ବେଳେ ବିଭିନ୍ନ ଆଣ୍ଟିବାୟୋଟିକ୍ସ ନେଇଯାଆନ୍ତି; କାରଣ ବିଦେଶରେ ବିନା ପ୍ରେସ୍କ୍ରିପ୍ସନ୍ରେ ଏପରି ଔଷଧ ମିଳେନାହିଁ କିମ୍ବା ବିଦେଶୀ ଡାକ୍ତର ଭାରତ ଭଳି ସହଜରେ ଆଣ୍ଟିବାୟୋଟିକ୍ସ ଖାଇବାକୁ ଉପଦେଶ ଦିଅନ୍ତି ନାହିଁ । ଆମ ଦେଶରେ ସର୍ଦ୍ଧି, କାଶ ଭଳି ସାମାନ୍ୟ ଦେହ ଖରାପ ହେଲେ ମଧ୍ୟ ଡାକ୍ତର ଏହି ଔଷଧ ଦେବା କିଛି ନୂଆ ନୁହେଁ । ଏପରିକି ସାଧାରଣତଃ ଡାକ୍ତରଙ୍କ ଫିସ୍ ଦେବାରୁ ରକ୍ଷା ପାଇବାକୁ ରୋଗୀମାନେ ଔଷଧ ଦୋକାନୀଙ୍କ ପରାମର୍ଶ ସହିତ ଆଣ୍ଟିବାୟୋଟିକ୍ସର ବହୁଳ ବ୍ୟବହାର କରନ୍ତି । ଗବେଷଣା କହେ, ସମଗ୍ର ବିଶ୍ୱରେ ଘରେ ସର୍ବାଧିକ ପରିମାଣର ଆଣ୍ଟିବାୟୋଟିକ୍ସ ବ୍ୟବହାର ଭାରତରେ ହୋଇଥାଏ । ଭାରତୀୟମାନେ ଆଣ୍ଟିବାୟୋଟିକ୍ସର ସମ୍ପୂର୍ଣ୍ଣ କୋର୍ସ ନ ଖାଇ ପଇସା ବଞ୍ଚେଇବା ଉଦ୍ଧେଶ୍ୟରେ ରୋଗ ଟିକେ ଉପଶମ ହେବା ମାତ୍ରେ ଦୁଇ ଚାରିଟି ବଟିକା ଖାଇ ମନଇଚ୍ଛା ବନ୍ଦ କରି ଦେଉଥିବା ଦେଖାଯାଏ । ମିଳିଥିବା ତଥ୍ୟ ଅନୁସାରେ ଭାରତରେ ବ୍ୟାକ୍ଟେରିଆ ସଂକ୍ରମଣ ରିପୋର୍ଟ ରୋଗୀ ପାଖରେ ନ ଥିଲେ ମଧ୍ୟ ଆଣ୍ଟିବାୟୋଟିକ୍ସ ଡାକ୍ତର ବିଭିନ୍ନ କାରଣରୁ ସେବନ କରିବାକୁ ପରାମର୍ଶ ଦିଅନ୍ତି । ବହୁଳ ବ୍ୟବହାର କିମ୍ବା ଅସମ୍ପୂର୍ଣ୍ଣ କୋର୍ସ ଖାଇବା ଦ୍ୱାରା ସଂକ୍ରମଣ କରୁଥିବା ବ୍ୟାକ୍ଟେରିଆର ସେହି ଆଣ୍ଟିବାୟୋଟିକ୍ସ ପ୍ରତି ପ୍ରତିରୋଧ (ରେଜିଷ୍ଟାନ୍ସ) କ୍ଷମତା ବଢ଼ିଥାଏ କିମ୍ବା ସେ ନିଜକୁ ଏହି ଔଷଧରୁ ଭବିଷ୍ୟତରେ ରକ୍ଷା କରିବା ଉଦ୍ଧେଶ୍ୟରେ ଜିନ୍ ସ୍ତରରେ ପରିବର୍ତ୍ତନ କରି ମ୍ୟୁଟେସନ କରିଥାଏ । ଏପରି ହେବା ଦ୍ୱାରା ରୋଗୀମାନଙ୍କ ପାଇଁ ଆଣ୍ଟିବାୟୋଟିକ ରେଜିଷ୍ଟାନ୍ସ ଭଳି ସମସ୍ୟା ବୃଦ୍ଧିପାଇ ଏବେ ଡାକ୍ତରମାନଙ୍କ ମୁଣ୍ଡବିନ୍ଧାର କାରଣ ହେଉଛି । ରେଜିଷ୍ଟାଣ୍ଟ ବ୍ୟାକ୍ଟେରିଆମାନଙ୍କ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା କରିବା ସହଜ ହୋଇ ନ ଥାଏ; କାରଣ ସେମାନେ ପୂର୍ବ ଆଣ୍ଟିବାୟୋଟିକ୍ସ କିମ୍ବା ଅନ୍ୟ ଆଣ୍ଟିବାୟୋଟିକ୍ସ ଦ୍ୱାରା ପ୍ରଭାବିତ ନ ହୋଇ ରୋଗ ସମସ୍ୟା ବଢ଼ାଇ ରୋଗୀକୁ ମୃତ୍ୟୁମୁଖୀ କରିଥାନ୍ତି । ଏପରି କି ରୋଗୀମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ମଧ୍ୟ ଅତ୍ୟଧିକ ବୃଦ୍ଧି ଘଟେ । ମାତ୍ରାଧିକ ଆଣ୍ଟିବାୟୋଟିକ୍ସ ବ୍ୟବହାର ଶରୀର ମଧ୍ୟରେ ଅନେକ ପାଶ୍ୱର୍ପ୍ରତିକ୍ରିୟା ସହିତ ମେଟାବୋଲିକ ଓ ନିଓପ୍ଲାଷ୍ଟିକ ବ୍ୟତିକ୍ରମରେ କାରଣ ହୋଇ କ୍ୟାନ୍ସର ଭଳି ମାରାତ୍ମକ ରୋଗର କାରକ ହେଉଥିବା ଦେଖାଯାଉଛି । ଏତଦ୍ ବ୍ୟତୀତ, ରେଜିଷ୍ଟାଣ୍ଟ ବ୍ୟାକ୍ଟେରିଆଗୁଡ଼ିକ ଅନ୍ୟ ରୋଗୀମାନଙ୍କୁ ସଂକ୍ରମିତ କରି ଜୀବନ ମୃତ୍ୟୁମୁଖୀ କରାଇପାରେ । ଏହି ରେଜିଷ୍ଟାଣ୍ଟ ବ୍ୟାକ୍ଟେରିଆଗୁଡ଼ିକ ନିଜର ମାରତ୍ମକତା ଯୋଗୁଁ “ସୁପରବଗ’ ଆଖ୍ୟା ଦିଆଯାଇଛି ।
ସୁପରବଗଗୁଡ଼ିକ ପ୍ରାକୃତିକ ଭାବେ ସୃଷ୍ଟିହେବା ମଧ୍ୟ ସମ୍ଭବ ହେଲେ ଏଗୁଡ଼ିକ ସାଧାରଣତଃ ଅତ୍ୟଧିକ ଆଣ୍ଟିବାୟୋଟିକ ବ୍ୟବହାର ଯୋଗୁଁ ହେଉଥିବା ବେଳେ ଡାକ୍ତରଖାନାଗୁଡ଼ିକ ଏହାର ଏନ୍ତୁଡ଼ିଶାଳ ବୋଲି ବିବେଚନା କରାଯାଏ । ଆଣ୍ଟିବାୟୋଟିକ ସଂସ୍ପର୍ଶରେ ଆସିବା ମାତ୍ରେ ବ୍ୟାକ୍ଟେରିଆ ଏହାର କବଳରୁ ନିଜକୁ ମୁକ୍ତ କରିବା ପ୍ରଚେଷ୍ଟା ଜାରି ରଖି ନିଜକୁ ମ୍ୟୁଟେସନ୍ ପ୍ରକ୍ରିୟା ମାଧ୍ୟମରେ ବଦଳେଇବାରେ ଲାଗିପଡେ । ଏପରି କ୍ରମାଗତ ପ୍ରକ୍ରିୟା ହେବା ଦ୍ୱାରା ସଂକ୍ରାମକ ଓ ମାରାତ୍ମକ ବ୍ୟାକ୍ଟେରିଆଗୁଡ଼ିକ ଗୋଟିଏ, ଦୁଇଟି କିମ୍ବା ଆଣ୍ଟିବାୟୋଟିକ୍ସ ପ୍ରତି ରେଜିଷ୍ଟାନ୍ସ ଶକ୍ତି ଅଧିଗ୍ରହଣ କରିଥାଆନ୍ତି ଯାହା ମଣିଷ ଜୀବନ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଥାଏ ।
ଭାରତ ସରକାର ଏହାକୁ ଉପଲବ୍ଧି କରି ଅନେକ ଆଣ୍ଟିବାୟୋଟିକ୍ସ ନିରୋଧ ପଦକ୍ଷେପ ନେଇଛନ୍ତି । ଜଳବାୟୁ ମନ୍ତ୍ରଣାଳୟ ୨୦୨୦ ମସିହାରେ ଡ୍ରଗ ରେଜିଷ୍ଟାଣ୍ଟ ବ୍ୟାକ୍ଟେରିଆ ସୃଷ୍ଟି ରୋକିବା ପାଇଁ ବର୍ଜ୍ୟଜଳରେ ସର୍ବାଧିକ କେତେ ପରିମାଣରେ ଆଣ୍ଟିବାୟୋଟିକ୍ସ ରହିବ ତାହାର ନୂତନ ମାନକ ନିଦ୍ଧାରଣ କରିଛନ୍ତି । ୨୦୨୪ ମସିହାରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ ନିର୍ଦ୍ଧିଷ୍ଟ ଆଣ୍ଟିବାୟୋଟିକ୍ସଗୁଡ଼ିକୁ ମାଂସ, ଦୁଗ୍ଧ, କୁକୁଡ଼ା ମାଂସ କିମ୍ବା ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ବ୍ୟବହାରକୁ ବାରଣ କରିଛନ୍ତି । ବହୁଳ ବ୍ୟବହାର ରୋକିବା ପାଇଁ କିଛି ନିର୍ଦ୍ଧିଷ୍ଟ ଆଣ୍ଟିବାୟୋଟିକ୍ସ ସହିତ ପେନ୍କିଲର, ପାରାସିଟାମଲ, ଭିଟାମିନ ଭଳି ମିଶ୍ରିତ ଔଷଧ ସମୂହର ଉତ୍ପାଦନ ନିଷେଧ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏକ ନୂତନ ଆଣ୍ଟି ମାଇକ୍ରୋବିଆଲ ପଲିସି ନିର୍ଦ୍ଧାରିତ କରି କାର୍ଯ୍ୟକାରୀ କରିଛନ୍ତି ।
ଧନ୍ୟବାଦ ଦେବା ରସାୟନ ବିଜ୍ଞାନୀ ତଥା ଚିକିତ୍ସା ଶାସ୍ତ୍ରୀମାନଙ୍କୁ ଯେଉଁମାନେ ଏହି ସୁପରବଗ ସମସ୍ୟାକୁ ସାମ୍ନା କରିବାକୁ ଓ ସାଥୀ ମଣିଷକୁ ମୃତ୍ୟୁମୁଖରୁ ବଞ୍ଚାଇବା ଉଦ୍ଧେଶ୍ୟରେ ପଞ୍ଚମ ଜେନେରେସନ ଆଣ୍ଟିବାୟୋଟିକ୍ସ ମାନ ତିଆରି କରିବା ପାଇଁ ଅହର୍ନିଶ ଗବେଷଣା ଜାରି ରଖିଛନ୍ତି ଯାହା ବିଭିନ୍ନ ସୁପରବଗମାନଙ୍କୁ ପ୍ରତିରୋଧ କ୍ଷମତାଶୀଳ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଣ୍ଟିବାୟୋଟିକ ରେଜିଷ୍ଟାନ୍ସକୁ ସମଗ୍ର ମାନବ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଘୋଷଣା କରି ବାର୍ଷିକ ୪୫ ଲକ୍ଷ ଲୋକ ଏହି କାରଣରୁ ମୃତ୍ୟୁବରଣ କରୁଥିବା ଭଳି ସମ୍ବେଦନଶୀଳତାକୁ ଦର୍ଶାଇଛନ୍ତି ।
ତେବେ ସରକାରଙ୍କ ବ୍ୟତୀତ ନାଗରିକମାନେ ମଧ୍ୟ ସେମାନଙ୍କ କର୍ତ୍ତବ୍ୟ ପାଳନ କଲେ ଏପରି ସମସ୍ୟାରୁ ମୁକ୍ତି ମିଳିପାରେ । ନିଜକୁ ତଥା ନିଜ ପରିବେଶକୁ ସଫା ରଖିବାକୁ ପ୍ରାଥମିକତା ଦେବା ସହିତ ନିର୍ମଳ ଖାଦ୍ୟ, ବିଶ୍ରଦ୍ଧ ଜଳ ବ୍ୟବହାର ବେଳେ ନିଜ ହାତକୁ ସାବୁନରେ ଧୋଇବା ଆବଶ୍ୟକ । ଅଯଥା ବା ଅଧାପନ୍ତରିଆ ଭାବେ ଆଣ୍ଟିବାୟୋଟିକ୍ସ ବ୍ୟବହାରରୁ ନିବୃତ୍ତ ରହିବା ସହିତ ଔଷଧ ଦୋକାନୀ ପରାମର୍ଶ ନ ନେଇ ଡାକ୍ତର ପରାମର୍ଶ ଦ୍ୱାରା ପୂର୍ଣ୍ଣାଙ୍ଗ ଡୋଜ୍ ଔଷଧ ସେବନ ଭଳି ସତର୍କତା ଅବଲମ୍ବନ କରିପାରିଲେ ଆଣ୍ଟିବାୟୋଟିକ୍ସ ରେଜିଷ୍ଟାନ୍ସ କିମ୍ବା ସୁପରବଗ ସମସ୍ୟାରୁ ନିଜକୁ ରକ୍ଷା କରିପାରିବା ।















