ନୂଆବଜାରର କୁଷ୍ଠାଶ୍ରମ

ଯେଉଁମାନେ କାମ କରିବା ସ୍ଥିତିରେ ଥିଲେ ସେମାନଙ୍କୁ ରୋଜଗାର ପ୍ରଦାନ ଉଦ୍ଦେଶ୍ୟରେ କୁଷ୍ଠାଶ୍ରମ ପରିସରରେ ଜୋତା କାରଖାନା, ତନ୍ତବୁଣା ଆଦି ବ୍ୟବସ୍ଥା କରାଯାଇଥିଲା । କୁଷ୍ଠରୋଗୀମାନେ ସ୍ୱତନ୍ତ୍ର ଜୋତା ପିନ୍ଧୁଥିବାରୁ ସେମାନଙ୍କ ମାପ ଅନୁସାରେ ଜୋତା ମିଳୁନଥିଲା । ଏହାକୁ ଦୃଷ୍ଟିରେ ରଖି କୁଷ୍ଠାଶ୍ରମରେ ଜୋତା କାରଖାନା ପ୍ରତିଷ୍ଠା କରାଯାଇଥିଲା ।

ପ୍ରସ୍ତୁତି ଓ ଉପସ୍ଥାପନା : ରବିନାରାୟଣ ଦାଶ

ପାପବୋଧ, ସାମାଜିକ ଘୃଣା, ବିଦ୍ୱେଷ, ଅସ୍ପୃଶ୍ୟ ଭାବନା ସହ ଯୋଡ଼ି ହୋଇ ରହିଥିବା କୁଷ୍ଠରୋଗ ଆଜି ବି ଭାରତ ତଥା ଓଡ଼ିଶାରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ଦିନ ଥିଲା ଯେତେବେଳେ କୁଷ୍ଠ ଏକ ବୃହତ ସାମାଜିକ ସମସ୍ୟା ଭାବେ ଠିଆ ହୋଇଥିଲା । କିନ୍ତୁ ସମୟ କ୍ରମେ ସେହି ଚିତ୍ରରେ ପରିବର୍ତ୍ତନ ଆସିଛି ସତ ହେଲେ ସମୂଳେ ଧ୍ୱଂସ ହୋଇନାହିଁ । ଅତୀତରେ କୁଷ୍ଠ ରୋଗାକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ସମଗ୍ର ବିଶ୍ୱରେ ଭାରତ ସ୍ଥିତି ଅତି ଦୟନୀୟ ଥିଲା । ଠିକ୍ ସେହି କାରଣରୁ ଓଡ଼ିଶାର ସ୍ଥିତି ବି ଅତ୍ୟନ୍ତ ଖରାପ ଥିଲା । ପରାଧୀନ ଭାରତରେ କୁଷ୍ଠ ରୋଗୀଙ୍କ ଚିକିତ୍ସା ପାଇଁ କିଛି ଖ୍ରୀଷ୍ଟିଆନ୍ ମିସିନାରୀ କୁଷ୍ଠ ହସ୍ପିଟାଲ୍ ପ୍ରତିଷ୍ଠା କରିଥିଲେ । ସେହିକ୍ରମରେ ରାଜ୍ୟର ପ୍ରଥମ ତଥା ଦେଶର ଅନ୍ୟତମ ପୁରୁଣା କୁଷ୍ଠ ଚିକିତ୍ସାଳୟ ସ୍ଥାପନ କରାଯାଇଥିଲା କଟକର ନୂଆବଜାର ଅଞ୍ଚଳରେ । ମହାନଦୀ ପାର୍ଶ୍ୱ ନୂଆବଜାରରେ ଆମ୍ବ, ବରଗଛ ଓ ଅନ୍ୟାନ୍ୟ ଗଛ ଭର୍ତ୍ତି ଏକ ଆକର୍ଷଣୀୟ ପ୍ରାକୃତିକ ପରିବେଶରେ ୧୯୧୯ ମସିହାରେ ସ୍ଥାପନ କରାଯାଇଥିଲା କୁଷ୍ଠ ଚିକିତ୍ସାଳୟ । ପ୍ରାୟ ୧୦ ଏକର ଜମିରେ ହସ୍ପିଟାଲ୍ ଓ ଲେପ୍ରସି ହୋମ୍ ପ୍ରତିଷ୍ଠା କରାଯାଇଛି । ସେତେବେଳେ କୁଷ୍ଠ ରୋଗୀଙ୍କ ପାଇଁ ଏହା ଦେଶର ଏକ ପ୍ରମୁଖ ଚିକିତ୍ସାଳୟ ଥିଲା । ଗତ ଶହେ ବର୍ଷରୁ ଉର୍ଦ୍ଧ୍ଵକାଳ ଭିତରେ ଏହି ହସ୍ପିଟାଲରୁ ଲକ୍ଷାଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ମିସନାରୀଙ୍କ ଦ୍ୱାରା ଏଠାରେ ଏକ ଚର୍ଚ୍ଚ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା ।

ଏଠାରୁ ସଂପୂର୍ଣ୍ଣ ସୁସ୍ଥ ହୋଇସାରିବା ପରେ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ପାଇଁ ଆକ୍ରାନ୍ତମାନଙ୍କୁ ରାଜ୍ୟର ୮୬ କଲୋନୀରେ ଥଇଥାନ କରାଯିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରାଯାଉଛି । ନୂଆବଜାରରେ ମଧ୍ୟ ଦୁଇଟି କଲୋନୀ ପ୍ରତିଷ୍ଠା କରାଯାଇ କୁଷ୍ଠରୋଗରୁ ଆରୋଗ୍ୟ ଲାଭ ପରେ ଥଇଥାନ କରାଯାଇଛି । ଗାନ୍ଧି ପଲ୍ଳୀ ଓ ନେହରୁ କଲୋନୀରେ ପାଖାପାଖି ହଜାରେ ପରିବାରଙ୍କୁ ଥଇଥାନ କରାଯାଇଛି । ସେଥିମଧ୍ୟରୁ ଅନେକ ପରିବାରକୁ ସ୍ଥାୟୀ ଜମି ପଟ୍ଟା ବି ପ୍ରଦାନ କରାଯାଇଛି । ପରବର୍ତ୍ତୀ ସମୟରେ ସେମାନଙ୍କ ଉତ୍ତର ପିଢ଼ି ଏଠାରେ ସ୍ୱାଭାବିକ ଭାବେ ରହିସାରିଲେଣି । ଏଠାରୁ ଅନେକ ଲୋକ ସୁସ୍ଥ ହୋଇ ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । କେହି ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି ତ କେହି ସମାଜସେବୀ ଭାବେ କାମ କରୁଛନ୍ତି । ଅନେକ ବିଭିନ୍ନ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରି ପରିବାର ଚଳାଉଛନ୍ତି ।

ଅନ୍ୟପକ୍ଷରେ ଏବେ ବି ନୂଆବଜାର କୁଷ୍ଠ ଚିକିତ୍ସାଳୟରେ ଅନେକ ରୋଗୀ ଚିକିତ୍ସିତ ହେଉଛନ୍ତି । ଗୁରୁତର ରୋଗୀଙ୍କୁ ହସ୍ପିଟାଲ୍ ବେଡ୍ ରଖି ଚିକିତ୍ସା କରାଯାଉଥିବାବେଳେ ଅନ୍ୟ ରୋଗୀଙ୍କୁ ଲେପ୍ରସି ହୋମ୍ ରେ ରଖାଯାଇଛି । ସୂଚନା ଅନୁସାରେ ଏବେ ହସ୍ପିଟାଲରେ ୮୨ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ହୋମ୍ ରେ ପ୍ରାୟ ୧୧୪ଜଣ ରୋଗୀ ଅଛନ୍ତି । ହିନ୍ଦ୍ କୁଷ୍ଠ ନିବାରଣ ସଂଘ ପକ୍ଷରୁ ହୋମ୍ ରେ ରହୁଥିବା ରୋଗୀଙ୍କ ସମସ୍ତ ଖର୍ଚ୍ଚ ବହନ କରାଯାଉଥିବାବେଳେ ରାଜ୍ୟ ସରକାର ହସ୍ପିଟାଲରେ ଥିବା ରୋଗୀଙ୍କ ଚିକିତ୍ସା ଓ ଅନ୍ୟାନ୍ୟ ସମସ୍ତ ଦାୟିତ୍ୱ ବୁଝୁଛନ୍ତି । ପ୍ରତି ରୋଗୀଙ୍କ ଖାଦ୍ୟ ପାଇଁ ଦିନକୁ ୧୧୦ଟଙ୍କା ଖର୍ଚ୍ଚ କରାଯାଉଛି । ବର୍ତ୍ତମାନ ସ୍ଥିତିରେ କିନ୍ତୁ ଏହି ହସ୍ପିଟାଲ୍ ନାନାବିଧ ସମସ୍ୟା ଭିତରେ ଅଛି । ଶହେ ବର୍ଷର ପୁରୁଣା ଏହି ହସ୍ପିଟାଲ୍ ସ୍ଥିତି ଉନ୍ନତ ହେବା ପରିବର୍ତ୍ତେ ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏଠାରେ ଅନୁମୋଦିତ ୧୦ଟି ଡାକ୍ତର ପଦବି ରହିଥିବାବେଳେ ଅଧୀକ୍ଷକଙ୍କୁ ମିଶାଇ ଅଛନ୍ତି ମାତ୍ର ୩ଜଣ । ସେହିପରି ୨୪ଜଣ ନର୍ସଙ୍କ ସ୍ଥାନରେ ମାତ୍ର ୫ଜଣ ରହିଥିବାବେଳେ ୧୨ଜଣ ଆଟେଣ୍ଡାଣ୍ଟଙ୍କ ଜାଗାରେ ଅଛନ୍ତି ମାତ୍ର ୩ଜଣ । କୁଷ୍ଠ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଡ୍ରେସର୍ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଏଠାରେ କୌଣସି ଅଭିଜ୍ଞ ଡ୍ରେସର୍ ନାହାନ୍ତି । ହସ୍ପିଟାଲର ଓଟିଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗୃହ ଭଲ ସ୍ଥିତିରେ ନାହିଁ । ଯନ୍ତ୍ରାଂଶ ଅଭାବ ଥିବାବେଳେ ଆଜବେଷ୍ଟସ୍ ଭାଙ୍ଗି ପାଣି ଗଳୁଛି । ଯେଉଁଠି ଏବେ ବି କୁଷ୍ଠ ରୋଗ ରାଜ୍ୟରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି ସେଠି ଚିକିତ୍ସା ଭିତ୍ତିଭୂମିରେ ଏଭଳି ସମସ୍ୟା ସ୍ୱାଭାବିକ ଭାବେ ମନରେ ଉଦବେଗ ସୃଷ୍ଟି କରିଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜାତୀୟ କୁଷ୍ଠ ନିରାକରଣ ଅଭିଯାନ କାରଣରୁ ଯଦିଓ କୁଷ୍ଠ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି କିନ୍ତୁ ଏହା ପୋଲିଓ ଭଳି ସଂପୂର୍ଣ୍ଣ ନିର୍ମୂଳ ହୋଇପାରୁନାହିଁ । ଓଲଟି ଦେଖିବାକୁ ଗଲେ ପ୍ରତିବର୍ଷ ହଜାର ହଜାର ନୂଆ କୁଷ୍ଠରୋଗୀ ଚିହ୍ନଟ ହେବା ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ କୁଷ୍ଠ ନିରାକରଣ ଅଭିଯାନ କାରଣରୁ ଯଦିଓ ରୋଗୀଙ୍କ ସଂଖ୍ୟା କମିଛି କିନ୍ତୁ ଏବେ ବି ଭାରତରେ ପ୍ରତିବର୍ଷ ଲକ୍ଷେ ୨୦ହଜାରରୁ ଲକ୍ଷେ ୩୦ ହଜାର ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଯାହାକି ସମଗ୍ର ବିଶ୍ୱରେ ଚିହ୍ନଟ ହେଉଥିବା ନୂଆ କୁଷ୍ଠ ରୋଗୀଙ୍କ ସଂଖ୍ୟାର ପାଖାପାଖି ୬୦ ପ୍ରତିଶତ । ଠିକ୍ ସେହିପରି ରାଜ୍ୟରେ ପ୍ରତିମାସରେ ୫ଶହରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । ୧୯୮୨-୮୩ରେ ରାଜ୍ୟରେ ପ୍ରତି ୧୦ହଜାର ଜନସଂଖ୍ୟାରେ କୁଷ୍ଠ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧.୪ ରହିଥିବାବେଳେ କୁଷ୍ଠ ନିରାକରଣ ଅଭିଯାନର ସଫଳତା କାରଣରୁ ୨୦୦୬-୦୭ରେ ଏହା ୦.୬୫କୁ ହ୍ରାସ ପାଇଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏହା ସଂପୂର୍ଣ୍ଣ ଲୋପ ପାଇବା ବଦଳରେ ପରବର୍ତ୍ତୀ ସମୟରେ ବୃଦ୍ଧି ପାଇଛି । ୨୦୧୭-୧୮ରେ ପ୍ରତି ୧୦ହଜାର ଜନସଂଖ୍ୟାରେ କୁଷ୍ଠରୋଗୀଙ୍କ ସଂଖ୍ୟା ୦.୬୫ରୁ ୧.୨୪କୁ ବୃଦ୍ଧି ପାଇଥିଲା । ଏମିତିକି ରାଜ୍ୟରେ ୨୧ଜିଲ୍ଲାରେ ୧୦ହଜାରରେ ଜଣେ ରୋଗୀ ଚିହ୍ନଟ ହେଉଛନ୍ତି । ହିସାବ ଅନୁସାରେ ୨୦୧୪-୧୫ରେ ରାଜ୍ୟରେ ୮ହଜାର ୪ଜଣ ନୂଆ କୁଷ୍ଠ ଆକ୍ରାନ୍ତ ଚିହ୍ନଟ ହୋଇଥିବାେଳେ ୨୦୧୫-୧୬ରେ ୧୦ହଜାର ୧୭୪, ୨୦୧୬-୧୭ରେ ୧୦ହଜାର ୪୫, ୨୦୧୭-୧୮ରେ ୯୫୭୬ଜଣ ଚିହ୍ନଟ ହୋଇଥିଲେ । ଏମିତିକି ୨୦୨୩-୨୪ରେ ରାଜ୍ୟରେ ୮ହଜାର ୩୯୬ଜଣ ନୂଆ କୁଷ୍ଠ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ସୃଷ୍ଟି କରିଛି । କୁଷ୍ଠ ରୋଗ ପ୍ରବଣତା ଦୃଷ୍ଟିରୁ ରାଜ୍ୟ ସରକାର ୨୬ଟି ଜିଲ୍ଲାର ୧୭୬ଟି ବ୍ଲକ୍ ଚିହ୍ନଟ କରି ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି । ୨୦୨୭ ସୁଦ୍ଧା ରାଜ୍ୟକୁ କୁଷ୍ଠମୁକ୍ତ କରିବାକୁ ଯୋଜନା ହୋଇଥିବାଳେଳେ ଏହି ଲକ୍ଷ୍ୟ ୨୦୩୦ରେ ହାସଲ କରିବାକୁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ହୋଇଥିବା କୁହାଯାଉଛି । ମାତ୍ର ଯେଉଁ ତତ୍ପରତା ସହ ପଦକ୍ଷେପ ନିଆଯିବା କଥା ତାହା ହେଉନାହିଁ ବୋଲି ଅଭିଯୋଗ ଉଠୁଛି । କୁଷ୍ଠ ହସ୍ପିଟାଲର ଭିତ୍ତିଭୂମି ସମସ୍ୟା ତାର ପ୍ରମାଣ ଦେଉଛି । ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କୁଷ୍ଠ ନିବାରଣ ସଂଘର ଉପାଧ୍ୟକ୍ଷ ହେଉଛନ୍ତି ଜିଲ୍ଳାପାଳ । ନିୟମିତ ବ୍ୟବଧାନରେ ସଂଘର ବୈଠକ ବସିବାରର ବ୍ୟବସ୍ଥା ଅଛି । ମାତ୍ର ଗତ ୫ ବର୍ଷ ହେବ ସଂଘର ବୈଠକ ବସିନଥିବା ଅଭିଯୋଗ ହେଉଛି ।

କୁଷ୍ଠାଶ୍ରମରେ ଗାନ୍ଧିଜୀଙ୍କ ସ୍ମୃତି –

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନିମନ୍ତ୍ରଣ କ୍ରମେ ୧୯୨୫ରେ ଗାନ୍ଧିଜୀ ଦ୍ୱିତୀୟ ଥର ଓଡ଼ିଶା ଆସିଥିଲେ । ଉତ୍କଳ ଟ୍ୟାନେରୀ ପାଇଁ ସହାୟତା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ପାଇଁ ମଧୁବାବୁ ସାବରମତି ଆଶ୍ରମ ଯାଇ ଗାନ୍ଧିଜୀଙ୍କୁ ଓଡ଼ିଶା ଆସିବା ପାଇଁ ଅନୁରୋଧ କରିଥିଲେ । ଅନୁରୋଧ ରକ୍ଷା କରି ଗାନ୍ଧିଜୀ ମହାଦେବ ଦେଶାଇଙ୍କ ସହ ୧୯୨୫ ମସିହା ଅଗଷ୍ଟ ୧୯ ଓ ୨୦ ତାରିଖ ଦୁଇ ଦିନ ଧରି କଟକରେ ରହିଥିଲେ । ଏହି ଅବସରରେ ଗାନ୍ଧିଜୀ ୧୯୨୫ ମସିହା ଅଗଷ୍ଟ ୨୦ ତାରିଖରେ ନୂଆବଜାରସ୍ଥିତ କୁଷ୍ଠାଶ୍ରମକୁ ଆସିଥିଲେ । ସେଠାରେ ଏକ ଗଛମୂଳରେ ସେ କୁଷ୍ଠ ରୋଗୀଙ୍କ ସେବା କରିବା ସହ କୁଷ୍ଠରୋଗୀଙ୍କ ପ୍ରତି ହେଉଥିବା ଭେଦଭାବ ଦୂର କରିବା ପାଇଁ ବାର୍ତ୍ତା ଦେଇଥିଲେ । ଚିକିତ୍ସା ସମୟରେ ରୋଗକୁ ଘୃଣା କର କିନ୍ତୁ ରୋଗୀଙ୍କୁ ନୁହେଁ ବୋଲି ଗାନ୍ଧିଜୀ କହିଥିଲେ । ଏହି ଅବସରରେ କୁଷ୍ଠାଶ୍ରମର ପ୍ରାକୃତିକ ପରିବେଶ ତାଙ୍କୁ ମୁଗ୍ଧ କରିଥିଲା । ହସ୍ପିଟାଲ୍ ଭିଜିଟର୍ସ ଖାତାରେ ଗାନ୍ଧିଜୀ ନିଜର ଅନୁଭୂତି ଲେଖିବା ସହ ଏଠାକାର ଆନନ୍ଦଦାୟକ ପରିବେଶ, କୁଷ୍ଠ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ । ଏହି ଖାତା ଏବେ ବି ହସ୍ପିଟାଲରେ ସୁରକ୍ଷିତ ଅଛି । ନୂଆବଜାର କୁଷ୍ଠାଶ୍ରମ ଦ୍ୱାରା ଗାନ୍ଧିଜୀ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ ପରବର୍ତ୍ତୀ କାଳରେ ୧୯୨୭ ମସିହା ଡିସେମ୍ବର ୨୭ ତାରିଖରେ ଓଡ଼ିଶା ଆଗମନ ଅବସରରେ ସେ ପୁଣି ଥରେ ଏଠାକୁ ଆସି ରୋଗୀ ସେବା କରିଥିଲେ । ଗାନ୍ଧିଜୀ ଯେଉଁ ଗଛ ମୂଳରେ ବସି ରୋଗ ସେବା କରିଥିଲେ ସେଠାରେ ଏକ ଗୋଲ୍ ଘର ନିର୍ମାଣ କରାଯାଇଥିଲା । ଗାନ୍ଧିଜୀଙ୍କ ସ୍ମାରକୀ ସ୍ୱରୂପ କାଠରେ ତିଆରି ଏହି ଗୋଲ ଘର ଦୀର୍ଘବର୍ଷ ରହିଥିଲା । ତେବେ ପରବର୍ତ୍ତୀ ସମୟରେ ଏହା ଭାଙ୍ଗିଯିବାରୁ ଚଳିତବର୍ଷ ଗାନ୍ଧିଜୀଙ୍କ ଆଗମନର ଶତବାର୍ଷିକୀ ଅବସରରେ ଗୋଲଘର ସ୍ଥାନରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ସହ ଏକ ଛୋଟ ଘର ମଧ୍ୟ ନିର୍ମାଣ କରାଯାଇଛି ।

ଜୋତା କାରଖାନା ଓ ତନ୍ତ ସମିତି –

ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ପରେ କୁଷ୍ଠ ଆକ୍ରାନ୍ତମାନଙ୍କୁ ସ୍ୱାବଲମ୍ବୀ ଓ ଥଇଥାନ କରିବା ଉଦ୍ଦେଶ୍ୟରେ କୁଷ୍ଠାଶ୍ରମରେ ଅନେକ ପଦକ୍ଷେପ ଗ୍ରହଣ କରାଯାଉଥିଲା । ଯେଉଁମାନେ କାମ କରିବା ସ୍ଥିତିରେ ଥିଲେ ସେମାନଙ୍କୁ ରୋଜଗାର ପ୍ରଦାନ ଉଦ୍ଦେଶ୍ୟରେ କୁଷ୍ଠାଶ୍ରମ ପରିସରରେ ଜୋତା କାରଖାନା, ତନ୍ତବୁଣା ଆଦି ବ୍ୟବସ୍ଥା କରାଯାଇଥିଲା । କୁଷ୍ଠରୋଗୀମାନେ ସ୍ୱତନ୍ତ୍ର ଜୋତା ପିନ୍ଧୁଥିବାରୁ ସେମାନଙ୍କ ମାପ ଅନୁସାରେ ଜୋତା ମିଳୁନଥିଲା । ଏହାକୁ ଦୃଷ୍ଟିରେ ରଖି କୁଷ୍ଠାଶ୍ରମରେ ଜୋତା କାରଖାନା ପ୍ରତିଷ୍ଠା କରାଯାଇଥିଲା । ଆରୋଗ୍ୟ ଲାଭ କରିଥିବା କୁଷ୍ଠାଶ୍ରମ ଅନ୍ତେବାସୀମାନେ ଜୋତା ତିଆରି କରି ଅର୍ଥ ଉପାର୍ଜନ କରୁଥିଲେ । ଏହି ଜୋତା ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଯାଉଥିବା ସୂଚନା ମିଳିଛି । ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଦୀର୍ଘଦିନ ହେବ ଏହି କାରଖାନା ବନ୍ଦ ହୋଇଗଲାଣି । ସେହିପରି କୁଷ୍ଠ ରୋଗୀଙ୍କ ପାଇଁ ବ୍ୟାଣ୍ଡେଜ, ଗଜ୍ , ଲୁଙ୍ଗି, ଗାମୁଛା ଆଦି ତିଆରି କରିବା ପାଇଁ ଏଠାରେ ତନ୍ତ ସମବାୟ ସମିତି ପ୍ରତିଷ୍ଠା କରାଯାଇଥିଲା । ଉଭୟ ମହିଳା ଓ ପୁରୁଷ ଏଥିରେ ନିୟୋଜିତ ହେଉଥିଲେ । ବିଶେଷ କରି ମହିଳାମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରାଯାଉଥିଲା । ସେମାନେ ଗଜ୍ କପଡ଼ା, ବ୍ୟାଣ୍ଡେଜ୍, ଗାମୁଛା, ଲୁଙ୍ଗି, ଲୁଗା ଆଦି ତିଆରି କରି ବିଭିନ୍ନ ଜାଗାକୁ ପଠାଉଥିଲେ । ପାଖାପାଖି ୩୦ ବର୍ଷ ହେବା ବନ୍ଦ ହୋଇଯାଇଛି । କେବଳ ସେତିକି ନୁହେଁ ମହାନଦୀ ପାର୍ଶ୍ୱ ହୋଇଥିବାରୁ ଏଠାକାର ମାଟି ବେଶ୍ ଉର୍ବର ଓ ପାଣିର ସୁବିଧା ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଅନ୍ତେବାସୀମାନେ ପନିପରିବା ଚାଷ କରୁଥିଲେ । ଏହି ପନିପରିବା ହୋମ୍ ଓ ହସ୍ପିଟାଲରେ ରୋଗୀ ଖାଦ୍ୟରେ ବ୍ୟବହୃତ ହେଉଥିଲା । ଅନେକ ବର୍ଷ ହେବ ପନିପରିବା ଚାଷ ମଧ୍ୟ ବନ୍ଦ ହୋଇଯାଇଛି । କୁଷ୍ଠ ନିରାକରଣ ପାଇଁ କେବଳ ଚିକିତ୍ସା ନୁହେଁ ସଚେତନତା ସାଙ୍ଗକୁ ଚିକିତ୍ସା ଭିତ୍ତିଭୂମି ଓ ଥଇଥାନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ମତପ୍ରକାଶ ପାଇଛି ।

Share the post

Leave a Reply

Your email address will not be published. Required fields are marked *

ଦିବ୍ୟାଙ୍ଗଙ୍କ ରାଜନୈତିକ ଅନ୍ତର୍ଭୁକ୍ତି ଓ ବର୍ଦ୍ଧିଷ୍ଣୁ ସଂରକ୍ଷଣର ସ୍ୱର

ଏବେ ସମୟ ଆସିଛି, ନୂତନ ଭିନ୍ନକ୍ଷମ ଆଇନ୍ ଅନ୍ତର୍ଗତ ଏହି ୨୧ ପ୍ରକାର ଭିନ୍ନକ୍ଷମ ସମୂହଙ୍କ ସ୍ୱାର୍ଥ ଓ ନ୍ୟାଯ୍ୟ ଦାବି ନିମନ୍ତେ ମିଳିତ ଭାବେ ଅଭିଯାନ ଆରମ୍ଭ ହେବା ଆବଶ୍ୟକ

ଦୁଇଟି ନ୍ୟାୟିକ ହସ୍ତକ୍ଷେପ ଓ ଆଶାବାଦର ଦୁଇଟି ଝଲକ

ଏହି ଐତିହାସିକ ଆଇନ୍ ସମାନତା ଏବଂ ଭେଦଭାବହୀନତାକୁ ସୁନିଶ୍ଚିତ କରାଇବା ସହିତ ରିଜନେବୁଲ ଆକମୋବେନ୍‌ର ସାମାଜିକ ସୁରକ୍ଷା ବ୍ୟବସ୍ଥା, ଅନ୍ତର୍ଭୁକ୍ତି ଶିକ୍ଷା ଏବଂ ଉଚ୍ଚଶିକ୍ଷା ଓ ନିଯୁକ୍ତି ପରି କ୍ଷେତ୍ରରେ ସଂରକ୍ଷଣର ସୁଯୋଗ ସୃଷ୍ଟି...