ଯେଉଁ ଅଧ୍ୟାପକ ଧନୀ, ଗରିବ, ମେଧା, ସ୍ୱଳ୍ପ ମେଧା, ବୁଦ୍ଧିମାନ ଓ ସାଧାରଣ; ବିବିଧ ଛାତ୍ରମାନଙ୍କୁ ସେମାନଙ୍କର ସାମର୍ଥ୍ୟ ଅନୁସାରେ ବୁଝି ସଫଳ ଶିକ୍ଷାଦାନ କରିପାରେ, ତାକୁ ହିଁ ଜଣେ ଭଲ ଅଧ୍ୟାପକ କୁହାଯିବ ।”
ବାଃ! ବାବାଇ! ବାଃ!
ରାଜନୀତି ବିଜ୍ଞାନରେ ପିଏଚ୍ଡି ହାସଲ କଲେ ଦୃଷ୍ଟିବାଧିତ ଅଧ୍ୟାପକ ଡ଼ ବାବାଇ ନନ୍ଦୀ । ନିକଟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଅଧିନରେ ନିଜର ଗବେଷଣାତ୍ମକ ସନ୍ଦର୍ଭ ନିମନ୍ତେ ପିଏଚ୍ଡି ଡିଗ୍ରୀ ହାସଲ କରିବାରେ ପ୍ରଥମ ଦୃଷ୍ଟିବାଧିତ ସ୍କଲାର୍ ଭାବେ ଏକ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ଡକ୍ଟର ବାବାଇ ନନ୍ଦୀ । ସମ୍ପ୍ରତି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଭାବେ ଅବସ୍ଥାପିତ ଡଃ.ନନ୍ଦୀ ନିଜ ଜୀବନରେ ଆଲୋକ ଓ ଅନ୍ଧରର ଲୁଚକାଳି ସହ ସଂଘର୍ଷ କରି ନିଜ ପାଇଁ ସୃଷ୍ଟି କରି ନିଜ ଅପୂର୍ବ ପରାକାଷ୍ଠାର ନିଦର୍ଶନ ତିଆରିଛନ୍ତି । ଜୀବନର ମୋଡ଼ ମଧ୍ୟ ଅଦ୍ଭୁତ ! ଗତ ବର୍ଷ ବୟସ ପର୍ଯ୍ୟନ୍ତ ଦୃଷ୍ଟିଶକ୍ତିସମ୍ପନ୍ନ ଅନ୍ୟମାନଙ୍କ ସହ ସାଧାରଣ ସ୍କୁଲରେ ପାଠ ପଢୁଥିବା ବାଳକ ବାବାଇଙ୍କ ଜୀବନରେ ଅତର୍କିତ ଭାବେ ମାଡି ଆସିଥିଲା ଅନ୍ଧାରର ଝଡ଼ । ନା କାହାର ଅନୁମାନ ଥିଲା ! ନା କାହାର ଥିଲା କଳ୍ପନା ! ଦୁଃସ୍ୱପ୍ନ… ଦୁର୍ଭାଗ୍ୟ… ଦୁର୍ଦିନ… ଦୁର୍ଯୋଗ… ସବୁ ମିଶି ଯେପରି ଏକାବେଳେ ଏହି କୋମଳମତୀ ବାଳକର ଭାଗ୍ୟକୁ ଅନ୍ଧତ୍ୱର କଳା ଚାଦରରେ ଢାଙ୍କି ଦେଇଥିଲେ । ଆଖିରେ ସାମାନ୍ୟ ଯନ୍ତ୍ରଣା ହେବାରୁ ଉପଶମ ପାଇଁ ବାପା କିଣି ଆଣିଥିଲେ ଗୋଟେ ଆଖି ଡ୍ରପ୍ । ଛଦ୍ମବେଶୀ ଦୁର୍ଯୋଗ ଯେପରି ଅପେକ୍ଷା କରିଥିଲା ଏହି ମୁହୂର୍ତ୍ତକୁ । ହୁଏତ ସେଇ ଆଖି ଡ୍ରପ୍ର ଏକ୍ସପାରୀ ତାରିଖ ଗତ ହୋଇ ଯାଇଥିଲା କିମ୍ବା ଅନ୍ୟ କିଛି; ଯାହାର କେଇ ବୁନ୍ଦା ଆଖିରେ ପଡିବା କ୍ଷଣି ଗୁରୁତର ପ୍ରତିକ୍ରିୟା ଆରମ୍ଭ ହୋଇ ଯାଇଥିଲା । ଯାହାର ତତ୍କାଳ ପରିଣାମ ଥିଲା ଦୃଷ୍ଟିହୀନତା ।
ସେହିଦିନଠାରୁ ବାବାଇଙ୍କ ପିତାମାତା ପୁଅ ଜୀବନର ସେଇ ଅମୂଲ୍ୟ ରତ୍ନକୁ ଉଦ୍ଧାର କରିବାକୁ ଯାଇ ଚେନ୍ନାଇର ଶଙ୍କର ନେତ୍ରାଳୟଠାରୁ ଆରମ୍ଭ କରି ହାଇଦ୍ରାବାଦ ଓ ବେଙ୍ଗାଲୁରର ପ୍ରସିଦ୍ଧ ନେତ୍ର ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁ ଘୁରି ବୁଲିଥିଲେ । କ୍ଷୀଣ ଆଲୋକ ପ୍ରାପ୍ତିର ଆଶା ରଖି ବର୍ଷ ପରେ ବର୍ଷ ଏଠି ସେଠି ଘୁରି ପୁଅର ଚିକିତ୍ସା ଚଲାଇ ରଖିଥିଲେ । ଏହା ସହିତ ଜାରି ରହିଥିଲା ମଧ୍ୟ ବାବାଇଙ୍କ ଭିନ୍ନ ମାଧ୍ୟମରେ ଶିକ୍ଷାଗ୍ରହଣ । ନିଜ ଶୈଶବର ସେହି ଚରମ ଦୋ’ଛକି ସମ୍ପର୍କରେ ପ୍ରକାଶ କରିବାକୁ ଯାଇ କୁହନ୍ତି, “ମୁଁ ଯେତେବେଳେ ସମ୍ପୂର୍ଣ୍ଣ ହତାଶ ହୋଇ ଯାଇଥିଲି । ଜାଣିପାରୁ ନ ଥିଲି, ଦୃଷ୍ଟିଶକ୍ତି ବିନା କେମିତି ଆଗକୁ ପଢ଼ିବି ଓ କିପରି ପଢ଼ିବି । ସେହି ସମୟରେ ଦେବଦୂତ ପରି ମୋ ଜୀବନରେ ଉଭା ହୋଇଥିଲେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଦୃଷ୍ଟିହୀନ ବିଦ୍ୟାଳୟର ତତ୍କାଳୀନ ଦୃଷ୍ଟିବାଧିତ ଶିକ୍ଷକ ବଟକୃଷ୍ଣ ବାରିକ । ସେ ହିଁ ଭରସା ଦେଇ କହିଥିଲେ, ବିନା ଆଖିରେ ବି ପଢିବାକୁ ଗୋଟେ ମାଧ୍ୟମ ରହିଛି । ଯେଉଁଥିରେ ତୁ ଆଗକୁ ପଢି ପାରିବୁ । ତାହା ହେଉଛି ବ୍ରେଲ୍ ଲିପି । ସିଏ ହିଁ ପ୍ରଥମେ ଆଙ୍ଗୁଠି ଛୁଆଇଁ ଶିଖାଇଥିଲେ ବ୍ରେଲ୍ ଲିପିର ବର୍ଣ୍ଣମାଳା । ତା ପରଠୁଁ ଆଉ ପଛକୁ ଫେରି ଚାହିଁନି ।”
ଏଣ୍ଟ୍ରାନ୍ସ ପରୀକ୍ଷାରେ ସିଲେକ୍ଟ ହୋଇ ଭୁବନେଶ୍ୱର ସ୍ଥିତ ଭୀମଭୋଇ ସ୍କୁଲରେ ପାଠପଢି ୨୦୧୩ ମସିହାରେ ପ୍ରଥମ ଶ୍ରେଣୀରେ ମ୍ୟାଟ୍ରିକ୍ ପାସ କରିଥିଲେ । ଏହାପରେ ରେଭେନ୍ସା ପାଲଟି ଯାଇଥିଲା ତାଙ୍କର ପରବର୍ତ୍ତୀ ଶିକ୍ଷାପୀଠ । +୨ରେ ପ୍ରଥମ ଶ୍ରେଣୀ, +୩ରେ ପ୍ରଥମେ ଶ୍ରେଣୀ, ରାଜନୀତି ବିଜ୍ଞାନ ବିଷୟରେ ଏମ୍ଏରେ ପ୍ରଥମ ଶ୍ରେଣୀ ଏବଂ ଏହାପରେ ପ୍ରଥମ ପଦକ୍ଷେପରେ ୟୁଜିସି ନେଟ୍ ଓ ଜୁନିୟର ରିସର୍ଚ୍ଚ ଫେଲୋସିପ୍ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ।
ଷ୍ଟେଟ୍ ସିଲେକସନ୍ ବୋର୍ଡର ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବିଗତ ତିନିବର୍ଷ ଧରି ସେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି ।
ରେଭେନ୍ସା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ଡ଼ଃ ନେତାଜୀ ଅଭିନନ୍ଦନଙ୍କ ତତ୍ତ୍ୱାବଧାନରେ ସେ ଭାରତ ଓ ଆମେରିକା ବୈଦେଶିକ ସମ୍ପର୍କର କୁଟନୈତିକ ଓ ବିଭିନ୍ନ ଆନ୍ତର୍ଜାତିକ ଦିଗ ସମ୍ପର୍କରେ ସନ୍ଦର୍ଭ ପ୍ରସ୍ତୁତ କରି ପିଏଚଡ଼ି ଡିଗ୍ରୀର ଉପାଧିପ୍ରାପ୍ତ ହୋଇଛନ୍ତି । ଯାହାର ଚୂଡାନ୍ତ ପରୀକ୍ଷାରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଅରବିନ୍ଦ କୁମାର ଏକ୍ସଟରନାଲ୍ ଭାବେ ଯୋଗ ଦେଇଥିଲେ ।
ଶତ ପ୍ରତିଶତ ଦୃଷ୍ଟିବାଧିତ ଥାଇ ମଧ୍ୟ ନିଜ କ୍ୟାରିୟରକୁ ନେଇ ଉଚ୍ଚରୁ ଉଚ୍ଚତର ସ୍ୱପ୍ନର ଉଡାଣ ପାଇଁ ସେ ଆଗ୍ରହୀ । ଭଲ ଅଧ୍ୟାପକର ସଂଜ୍ଞା ଦେବାକୁ ଯାଇ କହନ୍ତି,
“ଯେଉଁ ଅଧ୍ୟାପକ ଧନୀ, ଗରିବ, ମେଧା, ସ୍ୱଳ୍ପ ମେଧା, ବୁଦ୍ଧିମାନ ଓ ସାଧାରଣ; ବିବିଧ ଛାତ୍ରମାନଙ୍କୁ ସେମାନଙ୍କର ସାମର୍ଥ୍ୟ ଅନୁସାରେ ବୁଝି ସଫଳ ଶିକ୍ଷାଦାନ କରିପାରେ, ତାକୁ ହିଁ ଜଣେ ଭଲ ଅଧ୍ୟାପକ କୁହାଯିବ ।”
ତାଙ୍କର ଏହି ସଫଳତା ଅନ୍ୟ ଦିବ୍ୟାଙ୍ଗ ଓ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ନିଜର ଅଭିଳଷିତ ସ୍ୱପ୍ନ ପୂରଣ ଦିଗରେ ପ୍ରେରିତ କରୁ ବୋଲି ସେ ଆଶା ପୋଷଣ କରନ୍ତି ।
















