ଦିବ୍ୟାଙ୍ଗଜନ ବଜେଟ୍ ବିକୃତ ନ ହେଉ

ଏହାକୁ ଦୃଷ୍ଟିରେ ରଖି ଆଗାମୀ ବଜେଟ୍ ରେ ଏଥିପାଇଁ ଯଥେଷ୍ଟ ଅଧିକ ପ୍ରାବଧାନ ରଖିବା ସହ ଏହାର ସମୟାନୁଯାୟୀ ଓ ସାର୍ଥକ ବିନିଯୋଗ ଉପରେ ସରକାର ପ୍ରାଧାନ୍ୟ ଦେବା ଉଚିତ୍ । ଦିବ୍ୟାଂଗଜନ ବଜେଟ୍‌କୁ ବିକଳାଙ୍ଗ ନ କରି ଏହାକୁ ସାମର୍ଥ୍ୟବାନ କରିବା ଦିଗରେ ବଜେଟ୍‌ର ଗୁରୁତ୍ୱ ପ୍ରଦାନ ଏକାନ୍ତ ବାଞ୍ଛନୀୟ ।

ଶାରୀରିକ ଓ ମାନସିକ ଅକ୍ଷମତା ଥିବା ବ୍ୟକ୍ତିବିଶେଷମାନଙ୍କ ସ୍ଵାଭିମାନ ଓ ଆତ୍ମମର୍ଯ୍ୟାଦାକୁ ଗୁରୁତ୍ଵ ଦେଇ ଆମ ଦେଶର ପ୍ରଧାନମନ୍ତ୍ରୀ ୨୦୧୫ ମସିହାରେ ‘ବିକଳାଙ୍ଗ’ ପରିବର୍ତ୍ତେ ‘ଦିବ୍ୟାଙ୍ଗ’ ଶବ୍ଦ ପ୍ରୟୋଗ କଲେ । ୨୭ ସେପ୍ଟେମ୍ବର ୨୦୧୫ରେ ଏହି ଶବ୍ଦ ସ୍ଵତନ୍ତ୍ର ଭାବେ ବ୍ୟବହାର ଓ ପ୍ରୟୋଗକୁ ଆସିଲା । ଦିବ୍ୟାଙ୍ଗତା ସାଧାରଣତଃ ଦୁଇ ପ୍ରକାରର; ଯଥା – ଶାରୀରିକ ଓ ମାନସିକ । ଏହି ଉଭୟ ପ୍ରକାରର ଦିବ୍ୟାଙ୍ଗତା କିଛି ଜନ୍ମସୂତ୍ରରୁ ଆସିଥିବା ବେଳେ ଆଉ କିଛି ଅସ୍ଵାଭାବିକ ପରିସ୍ଥିତି ଯୋଗୁଁ ଘଟିଥାଏ, ଯଥା – ଦୁର୍ଘଟଣାଜନିତ କିମ୍ବା ମାନସିକ ବିଷାଦଜନିତ । ୨୦୧୧ ମସିହାର ସରକାରୀ ଜନଗଣନା ଅନୁଯାୟୀ, ଆମ ଦେଶର ମୋଟ ଜନସଂଖ୍ୟାର ୨.୨୦ ପ୍ରତିଶତ ଦିବ୍ୟାଙ୍ଗ, ଯାହା ପାଖାପାଖି ୨ କୋଟି ୬୮ ଲକ୍ଷ । ମାତ୍ର ବିଶ୍ଵବ୍ୟାଙ୍କର ରିପୋର୍ଟ ଏହି ତଥ୍ୟକୁ ଖଣ୍ଡନ କରି କହେ ଯେ ଏହି ସଂଖ୍ୟା ଆମ ଜନସଂଖ୍ୟାର ୪ ରୁ ୮ ପ୍ରତିଶତ । ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ICMR) ରିପୋର୍ଟ ମଧ୍ୟ କହେ ଏହା ୪.୫୨ ପ୍ରତିଶତରୁ ଅଧିକ । 

ରାଜ୍ୟବର୍ଦ୍ଧନ ଧଳମହାପାତ୍ର

ପଟିଆ, ଭୁବନେଶ୍ୱର

ମୋ - ୯୪୩୭୪୨୭୬୯୧

ଯେହେତୁ ଏକ ସ୍ଵତନ୍ତ୍ର ଦିବ୍ୟାଙ୍ଗ ଗଣନା ପଦ୍ଧତି ଏଯାଏଁ ଅନୁସୃତ ହୋଇନାହିଁ, ଏଭଳି ପ୍ରତିଶତଗତ ପ୍ରମାଦ ରହିବା ସ୍ଵାଭାବିକ । ପରିସଂଖ୍ୟାନ ଯାହା ହେଉନା କାହିଁକି, ଆମ ଜନସଂଖ୍ୟାର ଏକ ପ୍ରମୁଖ ଭାଗ ଯେ ଦିବ୍ୟାଙ୍ଗ, ଏଥିରେ ସନ୍ଦେହ ନାହିଁ ।

ଗୋଟିଏ ଜନମଙ୍ଗଳକାରୀ ରାଷ୍ଟ୍ରରେ ଅନ୍ୟ ସମସ୍ତ ସାଧାରଣ ନାଗରିକଙ୍କ ପରି ସ୍ଵାଭିମାନ ଓ ସମ୍ମାନର ସହ ବଞ୍ଚିବାର ଅଧିକାର ଦିବ୍ୟାଙ୍ଗ ମାନଙ୍କର ମଧ୍ୟ ରହିଛି । କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଯେ, ସେମାନେ ଅନେକ ସ୍ଥାନରେ ପାରିବାରିକ ଅବହେଳାର ଶିକାର ହେବା ସହ ରାଷ୍ଟ୍ରୀୟ ଅଣଦେଖାର ଶିକାର ମଧ୍ୟ ହେଉଛନ୍ତି । ଆମ ବଜେଟ୍‌ରେ ଖର୍ଚ୍ଚର ବରାଦ ପ୍ରତିବର୍ଷ ବଢ଼ି ବଢ଼ି ଚାଲିଥିବା ବେଳେ, ଦୁର୍ଭାଗ୍ୟଜନକ ଭାବେ ଦିବ୍ୟାଙ୍ଗମାନଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥରାଶିର ପରିମାଣ କମିବାରେ ଲାଗିଛି । ୨୦୨୦-୨୧ରେ ଦିବ୍ୟାଙ୍ଗମାନଙ୍କ ପାଇଁ ବଜେଟ୍‌ରେ ୧୩୨୫ କୋଟି ଟଙ୍କାର ପ୍ରାବଧାନ ରଖାଯାଇଥିବା ବେଳେ, ୨୦୨୪-୨୫ ବଜେଟ୍‌ରେ ଏହା ଆସି ପହଞ୍ଚିଛି ୧୨୨୫ କୋଟିରେ, ଯାହା ଆମ ସମୁଦାୟ ବଜେଟ୍‌ର ମାତ୍ର ୦.୦୨୫ ପ୍ରତିଶତ । ଆମ ଜନସଂଖ୍ୟାର ଏକ ପ୍ରମୁଖ ଅଂଶ ଥିବା ଦିବ୍ୟାଙ୍ଗମାନଙ୍କ ବିକାଶ ପାଇଁ ଏହି ପରିମାଣ ଅତି ନଗଣ୍ୟ । ଅନେକ ସମୟରେ ଦେଖାଯାଏ ଯେ, ଏହି ସ୍ଥିରୀକୃତ ଅର୍ଥରାଶି ମଧ୍ୟ ପ୍ରଶାସନିକ ଲାଲ୍‌ଫିତା ଅନ୍ତରାଳରେ ବାନ୍ଧି ହୋଇ ଖର୍ଚ୍ଚ ନହୋଇ ପଡ଼ିରହେ ।

ଆମେ ପ୍ରଥମେ ଧ୍ୟାନ ଦେବା ଯେ ଦିବ୍ୟାଙ୍ଗଜନଙ୍କର ଆବଶ୍ୟକତା କ’ଣ ? ଆବଶ୍ୟକତା ଅନୁଯାୟୀ ଶିକ୍ଷା, ସ୍ୱାସ୍ଥ୍ୟ ସହ ନିଯୁକ୍ତି ସୁବିଧା ଉପରେ ପ୍ରାଥମିକତା ପ୍ରଦାନ କରିବାର ଅଛି । ଦିବ୍ୟାଙ୍ଗଜନମାନଙ୍କର ସୁବିଧାଜନକ ଯାତାୟାତ ପାଇଁ ପ୍ରତ୍ୟେକ ଅଫିସ୍ ଓ ଶିକ୍ଷାନୁଷ୍ଠାନମାନଙ୍କରେ ରାମ୍ପ (Ramp) ଓ ଏଲେଭେଟର (Elevator) ର ବ୍ୟବସ୍ଥା ରହିବା ଆବଶ୍ୟକ । ଯଦିଓ ଏ ବିଷୟରେ ଆଇନ ପ୍ରଣୟନ ହୋଇଛି, ମାତ୍ର ସେହି ଆଇନର କାର୍ଯ୍ୟକାରିତା ଅନେକ ସ୍ଥାନରେ ଦେଖିବାକୁ ମିଳୁନାହିଁ । ଦିବ୍ୟାଙ୍ଗଜନଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକ ଓ ପ୍ରଶିକ୍ଷକମାନଙ୍କର ମଧ୍ୟ ଘୋର ଅଭାବ ରହିଛି । ସର୍ବସାଧାରଣ ଗମନାଗମନ ବ୍ୟବସ୍ଥାରେ ମଧ୍ୟ ଆମେ ଏପର୍ଯ୍ୟନ୍ତ ଦିବ୍ୟାଙ୍ଗଜନ ସହାୟକ ବ୍ୟବସ୍ଥା କରିପାରିନାହୁଁ ।

୨୦୨୫ ମସିହା ବଜେଟ୍‌ରେ ଦିବ୍ୟାଙ୍ଗଜନ ମଙ୍ଗଳ ଯୋଜନା ଅପେକ୍ଷା ଦିବ୍ୟାଙ୍ଗଜନ ସଶକ୍ତିକରଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । କାରଣ ସରକାରଙ୍କର ହୃଦ୍‌ବୋଧ ହୋଇଥିଲା ଯେ ଦିବ୍ୟାଙ୍ଗତା କେବଳ ଏକ ସାମାଜିକ ସମସ୍ୟା ନୁହେଁ, ଏହା ଏକ ଅର୍ଥନୈତିକ ସମସ୍ୟା ମଧ୍ୟ । ଅର୍ଥନୈତିକ ସର୍ଭେର ପର୍ଯ୍ୟବେକ୍ଷଣ ଅନୁଯାୟୀ, ଦିବ୍ୟାଙ୍ଗମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ ନ କରିବା ଫଳରେ ପାଖାପାଖି ସାଢ଼େ ଚାରି ଲକ୍ଷ କୋଟି ଟଙ୍କା ବାର୍ଷିକ କ୍ଷତି ଘଟୁଅଛି, ଯାହା ଆମ ମୋଟ ଘରୋଇ ଉତ୍ପାଦନର ଚାରି ପ୍ରତିଶତ । ଦିବ୍ୟାଙ୍ଗଜନଙ୍କ ସଂଖ୍ୟା ନେଇ ଯାହାବି ଦ୍ୱନ୍ଦ୍ୱ ଥାଉ, ମୋଟାମୋଟି ତିନି କୋଟି ଲୋକଙ୍କ ସୃଜନାତ୍ମକ ତଥା ଶ୍ରମଶକ୍ତିକୁ ଆମେ ଅବହେଳା କରି ଏଭଳି କ୍ଷତି ଘଟାଇ ଚାଲିଛୁ । ଏହାର ମୁଖ୍ୟ କାରଣ ହେଉଛି ଦିବ୍ୟାଙ୍ଗଜନଙ୍କ ସଂଖ୍ୟାର ସଠିକ୍ ନିରୂପଣର ଅଭାବ ଏବଂ ସେମାନଙ୍କୁ ସେମାନଙ୍କ ଯୋଗ୍ୟତାଭିତ୍ତିକ କାର୍ଯ୍ୟ ଯୋଗାଇବାରେ ଆମର ଅସାମର୍ଥ୍ୟ ।

ଜଣେ ସାଧାରଣ ଲୋକ ଅପେକ୍ଷା ଜଣେ ଦିବ୍ୟାଂଗର ଖର୍ଚ୍ଚ ଅଧିକ । ସେମାନେ ଅଫିସ୍ ଯାଆନ୍ତୁ କି ପାଠ ପଢ଼ିବାକୁ ଯାଆନ୍ତୁ, ଗମନାଗମନ ପାଇଁ ତାଙ୍କୁ ଅନ୍ୟର ସାହାଯ୍ୟ ଓ ସାହଚର୍ଯ୍ୟର ଆବଶ୍ୟକତା ପଡେ଼ । ସେଥିପାଇଁ ତାଙ୍କୁ ଅନ୍ୟର ସାହାଯ୍ୟ ଓ ସାହଚର୍ଯ୍ୟର ଆବଶ୍ୟକତା ପଡେ଼ । ସେଥିପାଇଁ ତାଙ୍କୁ ଅଧିକ ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ । ବଡ଼ ବଡ଼ ସହରମାନଙ୍କରେ ଏ ସମସ୍ୟା ଅଧିକ ଏବଂ ଜଟିଳ ମଧ୍ୟ । ତେଣୁ ସେଠାରେ ଦିବ୍ୟାଂଗଜନଙ୍କର ଜୀବନଧାରଣର ଖର୍ଚ୍ଚ ଅଧିକ । ମାତ୍ର ଦିବ୍ୟାଙ୍ଗଜନମାନଙ୍କର ଏ ସମସ୍ୟା ପ୍ରତି କୌଣସି ବଜେଟ୍‌ରେ ଧ୍ୟାନ ଦିଆଯାଇନାହିଁ । ସହଜଗମ୍ୟ ଭାରତ ଯୋଜନା ମାଧ୍ୟମରେ ଲକ୍ଷ୍ୟ ରଖାଯାଇଥିଲା ଯେ, ପଚାଶ ପ୍ରତିଶତ ସରକାରୀ କାର୍ଯ୍ୟାଳୟକୁ ଦିବ୍ୟାଂଗମାନଙ୍କ ପାଇଁ ସୁଗମ ଯାତାୟାତର ବ୍ୟବସ୍ଥା କରାଯିବ । ମାତ୍ର ଧାର୍ଯ୍ୟ ସମୟସୀମା କେବେଠାରୁ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏ ଦିଗରେ ଯଥେଷ୍ଟ ପ୍ରଗତି ସମ୍ଭବ ହୋଇପାରିନାହିଁ । ସେହିଭଳି ଯାତାୟାତ କ୍ଷେତ୍ର ଯଥା ବସ୍ ଓ ଟ୍ରେନ୍ ରେ ମଧ୍ୟ ସହଜ ଆରୋହଣ ଓ ଅବତରଣର ସୁବିଧା ଦେବା ଏଯାଏଁ ସମ୍ଭବ ହୋଇନାହିଁ ।

ଜନସଂଖ୍ୟାର ଏକ ଆଖିଦୃଶିଆ ଅଂଶ ଦିବ୍ୟାଂଗଜନ ହୋଇଥିବା ବେଳେ ସେମାନଙ୍କ ପାଇଁ ଖର୍ଚ୍ଚର ବଜେଟ୍ ପ୍ରତିଶତ ବଢ଼ି ବଢ଼ି ଯିବା ସ୍ଥାନରେ କମିବାଟା ଚିନ୍ତାଜନକ । ତେଣୁ ସରକାର ଏ ଦିଗରେ ଧ୍ୟାନଦେବା ସହ ପ୍ରାବଧାନିତ ଅର୍ଥକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଖର୍ଚ୍ଚ କରିବାର ବ୍ୟବସ୍ଥା କରିବା ଆବଶ୍ୟକ । ଏହି ଦିବ୍ୟାଂଗଜନ ମଙ୍ଗଳ କାର୍ଯ୍ୟକ୍ରମ କେବଳ ସରକାରଙ୍କ ଦ୍ୱାରା କରିବା ବି ସମ୍ଭବପର ନୁହଁ । ସେମାନଙ୍କୁ ସାହାଯ୍ୟ, ସହଯୋଗ ଓ ଦିଗଦର୍ଶନ ପାଇଁ ବହୁ ସ୍ୱେଚ୍ଛାସେବୀ ସଂସ୍ଥା ଏ ଦିଗରେ କାର୍ଯ୍ୟରତ । ଦେଖାଯାଏ ଉପଯୁକ୍ତ ଆର୍ଥିକ ଅନୁଦାନ ଅଭାବରୁ ଜନସାଧାରଣଙ୍କ ବଦାନ୍ୟ ସହଯୋଗରେ ସେମାନେ ଏହି ସେବାକାର୍ଯ୍ୟକୁ ଆଗେଇ ନିଅନ୍ତି । ଏ ଦିଗରେ ନିଷ୍ଠାପର ଭାବରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କୁ ସରକାରା ଉପଯୁକ୍ତ ପରିମାଣର ସହାୟତା ପ୍ରଦାନ କରିବା ଉଚିତ୍ । ପ୍ରତ୍ୟେକ ରାଜ୍ୟରେ ଏ ଭଳି ବହୁ ସଂସ୍ଥା କାର୍ଯ୍ୟରତ । ସେମାନଙ୍କୁ ବିଶ୍ୱାସକୁ ନିଆଯାଇ ଯଦି ନିଷ୍ଠାର ସହ ଏ କାର୍ଯ୍ୟକୁ ଆଗେଇ ନିଆଯିବ ତେବେ ବହୁ ଦିବ୍ୟାଂଗ ସଶକ୍ତ ଓ ଆତ୍ମନିର୍ଭର ହୋଇ ଆମ ଦେଶର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିଲେ । ସେମାନେ ସଶକ୍ତ ହେଲେ ଆମ ମୋଟ୍ ଘରୋଇ ଉତ୍ପାଦାନ ର ଯେଉଁ ବିପୁଳ କ୍ଷତି ଘଟୁଛି, ତାହା ଭରଣା ହୋଇପାରିବା ସହ ଏକ ବିପୁଳ ଦିବ୍ୟାଂଗଜନ ସଂଖ୍ୟାର ମଙ୍ଗଳ ସହ ସ୍ୱାଭିମାନ ଓ ଆତ୍ମନିର୍ଭରତା ସୃଷ୍ଟି ହୋଇପାରିବ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ବଜେଟ୍ ରେ ଏଥିପାଇଁ ଯଥେଷ୍ଟ ଅଧିକ ପ୍ରାବଧାନ ରଖିବା ସହ ଏହାର ସମୟାନୁଯାୟୀ ଓ ସାର୍ଥକ ବିନିଯୋଗ ଉପରେ ସରକାର ପ୍ରାଧାନ୍ୟ ଦେବା ଉଚିତ୍ । ଦିବ୍ୟାଂଗଜନ ବଜେଟ୍‌କୁ ବିକଳାଙ୍ଗ ନ କରି ଏହାକୁ ସାମର୍ଥ୍ୟବାନ କରିବା ଦିଗରେ ବଜେଟ୍‌ର ଗୁରୁତ୍ୱ ପ୍ରଦାନ ଏକାନ୍ତ ବାଞ୍ଛନୀୟ ।

Share the post

Leave a Reply

Your email address will not be published. Required fields are marked *

Autism Spectrum Disorder: 21st Century's New Challenge

ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ : ଏକବିଂଶ ଶତାବ୍ଦୀର ନୂତନ ଆହ୍ୱାନ୍

ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ (Autism Spectrum Disorder) ଏକ ସ୍ନାୟୁଗତ ବିକାଶ ଜନିତ ସ୍ଥିତି । ବିଗତ କିଛି ବର୍ଷ ମଧ୍ୟରେ ଅଟିଜିମ୍ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଥିଲେ ମଧ୍ୟ, ବର୍ତ୍ତମାନ ସମୟରେ ଏହି...
New Stream in Denial of Disability: Combined Effort of Technology, Humanity, and Social Justice

ଦିବ୍ୟାଙ୍ଗତା ନିରାକରଣ କ୍ଷେତ୍ରରେ ନୂତନ ଧାରା: ପ୍ରଯୁକ୍ତିବିଦ୍ୟା, ମାନବିକତା ଏବଂ ସାମାଜିକ ନ୍ୟାୟର ମିଳିତ ପ୍ରୟାସ

ଦିବ୍ୟାଙ୍ଗତାକୁ ସମ୍ବୋଧିତ କରିବାର ନୂତନ ପଥ ଏକ ବ୍ୟାପକ ଏବଂ ଅନ୍ତର୍ଭୁକ୍ତିକାରୀ (Inclusive) ଦୃଷ୍ଟିକୋଣକୁ ଗ୍ରହଣ କରେ । ଏହା କେବଳ ବ୍ୟକ୍ତିବିଶେଷଙ୍କର କ୍ଷତିପୂରଣ ଉପରେ ଗୁରୁତ୍ଵ ନ ଦେଇ, ସେମାନଙ୍କର ସମ୍ଭାବନାକୁ (Potential)...

ବରଫ ତରଳିବା ଆରମ୍ଭ କରିଛି…ଦିବ୍ୟାଙ୍ଗଙ୍କ ପ୍ରତି ଦୃଷ୍ଟି ବଦଳୁଛି

ଖୁବ୍ ଛୋଟ ବୟସରୁ ପୋଲିଓଗ୍ରସ୍ଥ ହୋଇ ଶାରୀରିକ ଭାବେ ଚଳନଶକ୍ତି ବାଧିତ ହୋଇଥିଲେ ସତ, କିନ୍ତୁ ନିଜର ଦୃଢ ମନୋବଳ ଓ ମେଧାଶକ୍ତିର ବିନିମୟରେ ଯେଉଁ ସଂଖ୍ୟାଧିକ ଗବେଷଣା ନିଃସୃତ ନିଦର୍ଶନ ସୃଷ୍ଟି କରି...
Lifestyle-Induced Spinal Problems and Progressive Disability

ଜୀବନଶୈଳୀ ଜନିତ ମେରୁଦଣ୍ଡ ସମସ୍ୟା ଓ କ୍ରମବର୍ଦ୍ଧିଷ୍ଣୁ ଅକ୍ଷମତା

ମେରୁଦଣ୍ଡର ଅନେକ ସମସ୍ୟା ମଧ୍ୟରେ, ପିଠି ଯନ୍ତ୍ରଣା ସବୁଠାରୁ ସାଧାରଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ ପ୍ରାୟ ୬୧୯ ନିୟୁତ ଲୋକ ପିଠି ଯନ୍ତ୍ରଣା ସହିତ ବଞ୍ଚନ୍ତି। ଏହା ମଧ୍ୟ ଅକ୍ଷମତାର...
New Disability Law and Call

ନୂତନ ଭିନ୍ନକ୍ଷମ ଆଇନ୍ ଓ ଆହ୍ୱାନ

ଏହି ନୂତନ ଆଇନ୍ ପ୍ରଣୟନର ଏକ ଦଶନ୍ଧି ସନ୍ନିକଟ ଯାତ୍ରାର ନିକଟବର୍ତ୍ତୀ ହୋଇ ମଧ୍ୟ ତାହାର ସୁଫଳ ଓ ପ୍ରଭାବର ଆଶାନୁରୂପକ ଲକ୍ଷ୍ୟଠାରୁ ତଥାପି ଆମେ ବହୁ ଦୂରରେ ।