ଆସୁଛି ୨୦୨୬-୨୭ ରାଜ୍ୟ ବଜେଟ୍, କେତେ ପୂରଣ ହେବ ଦିବ୍ୟାଙ୍ଗଙ୍କ ଆଶା ଓ ଆକାଂକ୍ଷା?

ଆଗାମୀ ରାଜ୍ୟ ବଜେଟ୍ ଏହି ବିଶାଳ ଦିବ୍ୟାଙ୍ଗ ବର୍ଗଙ୍କ ସ୍ୱାର୍ଥ ତଥା ଆଶା ଓ ଆକାଂକ୍ଷାକୁ ଧ୍ୟାନ ଦେବ ବୋଲି ଆଶା କରାଯାଏ। ସର୍ବୋପରି ଆର୍ଥିକ ଦୁର୍ବଳ ସ୍ତରରେ ରହିଯାଇଥିବା ଏହି ଜନସଂଖ୍ୟାର ସିଂହଭାଗ ବର୍ଗଙ୍କୁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରାଇବା ସହ ଏଥି ମଧ୍ୟରେ ଶିକ୍ଷାଠାରୁ ଆରମ୍ଭ କରି ପ୍ରଯୁକ୍ତି ଜ୍ଞାନକୌଶଳ ଓ ପାରା-କ୍ରୀଡ଼ା ପ୍ରଭୃତି ବିଭିନ୍ନ ବିଭାଗରେ ପାରଦର୍ଶିତା ପ୍ରଦର୍ଶନ କରୁଥିବା ନୂତନ ଆକାଂକ୍ଷୀ ଭିନ୍ନକ୍ଷମ ବର୍ଗଙ୍କ ସ୍ୱାର୍ଥକୁ ମଧ୍ୟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।

ପ୍ରତିବର୍ଷ କେନ୍ଦ୍ରୀୟ ବଜେଟ୍‌ର ଉପସ୍ଥାପନା ପରେ ପରେ ରାଜ୍ୟମାନେ ସେମାନଙ୍କର ନିଜସ୍ୱ ଆର୍ଥିକ ବର୍ଷର ପ୍ରସ୍ତାବିତ ଆୟ ଓ ବ୍ୟୟର ବଜେଟ୍‌କୁ ଉପସ୍ଥାପନ କରିଥାନ୍ତି । ଏହା ଏକ ରୁଟିନ୍‌ଗତ ପ୍ରକ୍ରିୟା ହୋଇଥିଲେ ହେଁ ଗୋଟିଏ ଆର୍ଥିକ ବର୍ଷ ପାଇଁ ରାଜ୍ୟବାସୀଙ୍କ ଆଶା ଓ ଆକାଂକ୍ଷା, ଲକ୍ଷ୍ୟ ଓ ଭବିଷ୍ୟତ ଓ ସର୍ବୋପରି ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ନୂତନ ଯୋଜନା ସବୁର ଚିତ୍ର ପ୍ରତିଫଳିତ ହୋଇଥାଏ ।

ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ଫେବୃଆରୀ ୨୦ ତାରିଖରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ଯଦିଓ କେନ୍ଦ୍ର ବଜେଟ୍‌ର ଆୟ ଓ ବ୍ୟୟର କାର୍ଯ୍ୟକାରିତା ରାଜ୍ୟ ସହ ସଂପୃକ୍ତ, ମାତ୍ର ରାଜ୍ୟର ନିଜସ୍ୱ ବଜେଟ୍ ସାମ୍ବିଧାନିକ ଉତ୍ତରଦାୟିତ୍ୱ ଏବଂ ଏକ ସାମଗ୍ରିକ ଓ ସମାବେଶୀ ବିକାଶର ଚିତ୍ରକୁ ଉତ୍ତୋଳିତ କରିଥାଏ । ବିଶେଷକରି ଭିନ୍ନକ୍ଷମ ବର୍ଗଙ୍କ ନିମନ୍ତେ ଆବଣ୍ଟିତ ଅର୍ଥରାଶି ସିଧାସଳଖ ଭାବେ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ସାମାଜିକ ସୁରକ୍ଷା, ଗତିଶୀଳତା ଏବଂ ସର୍ବୋପରି ସାମାଜିକ କ୍ଷେତ୍ରରେ ଅଂଶଗ୍ରହଣକୁ ପ୍ରଭାବିତ କରିଥାଏ । ସୁତରାଂ ଏକ ଅଭିଳଷିତ ସମାବେଶୀ ସମାଜ ଇନ୍‌କ୍ଲୁସିଭ୍‌ ସୋସାଇଟି ବା ସମ୍ମିଳିତ ସମାଜର ଗଠନରେ ଦିବ୍ୟାଙ୍ଗଙ୍କ ଭବିଷ୍ୟତ ପାଇଁ ଏହି ବଜେଟ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଯଦିଓ ବିଗତ ଆର୍ଥିକ ବର୍ଷଗୁଡ଼ିକରେ ଭିନ୍ନକ୍ଷମ ବର୍ଗଙ୍କ ନିମନ୍ତେ ବଜେଟ୍‌ରେ ଆବଣ୍ଟିତ ଅର୍ଥରାଶିର ବୃଦ୍ଧି ଘଟିଛି, ମାତ୍ର ଏହି ସୀମିତ ବ୍ୟୟବରାଦ ଭିନ୍ନକ୍ଷମ ଅଧିକାର ଆଇନର କାର୍ଯ୍ୟାନ୍ୱୟନ, ଆନ୍ତଃ-ବିଭାଗୀୟ ସମନ୍ୱୟ, ଦିବ୍ୟାଙ୍ଗଙ୍କ ନିକଟରେ ଉପଲବ୍ଧ ହେଉଥିବା ସେବାର ଗୁଣାତ୍ମକତା ଏବଂ ସର୍ବୋପରି ଗ୍ରାମୀଣ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହାର କାର୍ଯ୍ୟକାରିତାକୁ ସଂକୁଚିତ କରିଛି ।

ଦେଶର ନାଗରିକ ଭାବେ ସମ୍ବିଧାନ ପ୍ରଦତ୍ତ ସମାନତା ଓ ବିଭେଦହୀନ ସମ୍ମାନଜନକ ଜୀବନ ନିର୍ବାହ କରିବାକୁ ହେଲେ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ବଜେଟ୍‌ରେ ବହୁଆୟାମୀ ଅର୍ଥ ବ୍ୟବସ୍ଥାର ଆବଶ୍ୟକତା ରହିଛି।

ଏଣୁ ଏସବୁ ଦିଗକୁ ଦୃଷ୍ଟିରେ ରଖି ଏକ ଦୂରଦର୍ଶିତାପୂର୍ଣ୍ଣ ଅର୍ଥବ୍ୟବସ୍ଥାର ପ୍ରାବଧାନ ରାଜ୍ୟ ସରକାରଙ୍କ ଠାରୁ ଆଶା କରାଯାଏ । ନିକଟରେ ଏକ ସର୍ଭେରୁ ହସ୍ତଗତ ହୋଇଥିବା ତଥ୍ୟରୁ ପ୍ରତୀୟମାନ ହୁଏ ଯେ, ଭାରତର ଅନ୍ୟ ବିକଶିତ ଓ ବିକାଶଶୀଳ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ବଜେଟ୍‌ରେ ଦିବ୍ୟାଙ୍ଗଜନଙ୍କ ନିମନ୍ତେ ଆବଣ୍ଟିତ ଅର୍ଥରାଶି ଅପେକ୍ଷାକୃତ ଯଥେଷ୍ଟ କମ୍ ।

ମହାରାଷ୍ଟ୍ର ପରି ରାଜ୍ୟରେ ଦିବ୍ୟାଙ୍ଗଙ୍କ ପାଇଁ ବଜେଟ୍‌ରେ ମୁଣ୍ଡପିଛା ଅର୍ଥରାଶି ୮୯ ଟଙ୍କା ହୋଇଥିବା ବେଳେ, ତାମିଲନାଡୁରେ ୧୧୬ ଟଙ୍କା ଏବଂ ଉତ୍ତରାଖଣ୍ଡରେ ସର୍ବାଧିକ ୧୪୧ ଟଙ୍କା ଅଟେ । ସେହିପରି ଅନ୍ୟ ରାଜ୍ୟମାନଙ୍କ ତୁଳନାରେ କେରଳର ବଜେଟ୍‌ରେ ଦିବ୍ୟାଙ୍ଗ କ୍ଷେତ୍ର ନିମନ୍ତେ ସର୍ବାଧିକ ଅର୍ଥବ୍ୟବସ୍ଥା ପରିଲକ୍ଷିତ ହୁଏ । କର୍ଣ୍ଣାଟକ ରାଜ୍ୟ ସରକାରଙ୍କ ବଜେଟ୍ ବ୍ୟୟବରାଦରେ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ପୌରସଂସ୍ଥା ପ୍ରଭୃତିରେ ବଜେଟ୍‌ର ଶତକଡ଼ା ୫ ଭାଗ ଅର୍ଥ ଦିବ୍ୟାଙ୍ଗ କ୍ଷେତ୍ର ନିମନ୍ତେ ଉଦ୍ଦିଷ୍ଟ ଥାଏ । ଦିବ୍ୟାଙ୍ଗମାନଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ କ୍ଷେତ୍ରରେ କର୍ଣ୍ଣାଟକ ପରି ବିକଶିତ ରାଜ୍ୟର ଦିବ୍ୟାଙ୍ଗ-ଅନୁକୂଳ ଯୋଜନା ପ୍ରଶଂସନୀୟ ଓ ଉଦାହରଣୀୟ ଅଟେ। ସେଠାରେ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସରକାରୀ ଯୋଜନାର ତୃଣମୂଳ ସ୍ତରରେ ସଫଳ ରୂପାୟନ ଓ ଆବଣ୍ଟିତ ଅର୍ଥର ପୂର୍ଣ୍ଣ ବିନିଯୋଗ ସମ୍ଭବ ହୋଇପାରୁଛି । ଏହାକୁ ସଫଳ କରିବା ପଛରେ ‘ଦିବ୍ୟାଙ୍ଗ ମିତ୍ର’ ପରି ଏକ ବ୍ୟାପକ ସ୍ୱେଚ୍ଛାସେବୀ ବାହିନୀର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ । ଏମାନଙ୍କ ସଂଖ୍ୟା ପାଖାପାଖି ୬୦୦୦ ଅଟେ, ଯେଉଁମାନେ ଦିବ୍ୟାଙ୍ଗମାନଙ୍କ ପାଇଁ ଯୋଜନା ପ୍ରଣୟନ ଓ ତୃଣମୂଳ ସ୍ତରରେ ରୂପାୟନ ପାଇଁ ସୈନିକ ସଦୃଶ କାର୍ଯ୍ୟ କରିଥାନ୍ତି ।

ସେହି ତୁଳନାରେ ଆମ ରାଜ୍ୟ ଓଡ଼ିଶାର ଚିତ୍ର ଭିନ୍ନ । ଅଧିକାଂଶ ଜିଲ୍ଲାରେ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ଆବଣ୍ଟିତ ଅର୍ଥ, ସଚେତନତା ଓ ଆବଶ୍ୟକ ପଡ଼ୁଥିବା ବ୍ୟାପକ ମାନବ ସମ୍ବଳର ଅଭାବ ହେତୁ ଅଭିଳଷିତ ଲକ୍ଷ୍ୟର ନିକଟବର୍ତ୍ତୀ ହୋଇପାରୁନାହିଁ । କେତେକ ଯୋଜନାରେ ଆବଣ୍ଟିତ ଅର୍ଥ ଖର୍ଚ୍ଚ ନ ହୋଇ ଶେଷରେ ଫେରିଯାଉଛି । ୨୦୨୬-୨୭ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍‌ ଦିବ୍ୟାଙ୍ଗଙ୍କ ପାଇଁ ଏକ ଦୂରଦୃଷ୍ଟିପୂର୍ଣ୍ଣ ଓ ସମାବେଶୀ ବିକାଶର ଭରସା, ତଥା ବିବିଧ ଦିବ୍ୟାଙ୍ଗ ବର୍ଗମାନଙ୍କ ଆଶା ଓ ଆକାଂକ୍ଷାକୁ ପରିପୂରଣରେ ସହାୟକ ହେବ ବୋଲି ଆଶା କରାଯାଏ ।

“ପୁନର୍ବାସ ସମାଚାର” ପକ୍ଷରୁ ରାଜ୍ୟର ବିଭିନ୍ନ ବର୍ଗ ଓ କ୍ଷେତ୍ରର ବିଦ୍ଵାନ ପ୍ରତିନିଧିମାନଙ୍କୁ ଚଳିତ ରାଜ୍ୟ ବଜେଟ୍‌କୁ ନେଇ ସେମାନଙ୍କର ଅଭିଳାଷ ଓ ଆବଶ୍ୟକତା ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ସେଥିରୁ ଯେଉଁ ସବୁ ଚିତ୍ର ପ୍ରତିଫଳିତ ହୋଇଛି, ତାହା ଏଠାରେ ଉପସ୍ଥାପିତ କରୁଛୁ । ସେମାନେ ବଜେଟ୍‌ରୁ ଯାହା ପ୍ରତ୍ୟାଶା ରଖନ୍ତି:

“ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଆଇନ, ୨୦୧୬ ସହିତ ସମନ୍ଵୟ ରଖି, ଆମେ ଓଡ଼ିଶା ସରକାରଙ୍କୁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ପାଇଁ ବଜେଟ୍ ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରିବାକୁ ଅନୁରୋଧ କରୁଛୁ । ପ୍ରାଥମିକତା କ୍ଷେତ୍ରଗୁଡ଼ିକ ମଧ୍ୟରେ ସାର୍ବଜନୀନ ଭିତ୍ତିଭୂମି ଏବଂ ପରିବହନରେ ସାର୍ବଜନୀନ ସୁଗମତା, ଅନ୍ତର୍ଭୁକ୍ତ ଏବଂ ସହାୟକ ଶିକ୍ଷା, ଦକ୍ଷତା ବିକାଶ ଏବଂ ନିଯୁକ୍ତି ପ୍ରୋତ୍ସାହନ, ସମୁଦାୟ-ଭିତ୍ତିକ ପୁନର୍ବାସ, ସୁଲଭ ସ୍ୱାସ୍ଥ୍ୟସେବା ଏବଂ ସହାୟକ ଉପକରଣ, ଏବଂ ଭିନ୍ନକ୍ଷମ ପେନସନ ସମେତ ସାମାଜିକ ସୁରକ୍ଷା ପଦକ୍ଷେପ ଅନ୍ତର୍ଭୁକ୍ତ । ଓଡ଼ିଶାର ସାମାଜିକ-ଆର୍ଥିକ ବିକାଶରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମର୍ଯ୍ୟାଦା, ସମାନତା ଏବଂ ପୂର୍ଣ୍ଣ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟାନ୍ୱୟନ, ସେବା ପ୍ରଦାନକାରୀଙ୍କ କ୍ଷମତା ନିର୍ମାଣ ଏବଂ ଦୃଢ଼ ତଦାରଖ ବ୍ୟବସ୍ଥା ପାଇଁ ଉତ୍ସର୍ଗୀକୃତ ପାଣ୍ଠି ଅତ୍ୟନ୍ତ ଜରୁରୀ ।”

ଅଶୋକ କୁମାର ସର

ବରିଷ୍ଠ ପ୍ରଫେସର, କିଟ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର

ସୁଦୀପ୍ତା ମିଶ୍ର

ସ୍ୱତନ୍ତ୍ର ଶିକ୍ଷକ ତଥା ମସ୍ତିଷ୍କ ପକ୍ଷାଘାତ ବ୍ୟକ୍ତିବିଶେଷ, ଓପନ ଲର୍ଣ୍ଣିଂ ସିଷ୍ଟମ୍, ଭୁବନେଶ୍ୱର

“ମୁଁ କେବଳ ଭିନ୍ନକ୍ଷମତା ପରିସୀମାରେ ଥିବା ସବୁଠୁ ଦୁର୍ବଳ ବର୍ଗର ଅଧିକ ଗୁରୁତର ଓ ଗମ୍ଭୀର ଭିନ୍ନକ୍ଷମମାନଙ୍କ ସପକ୍ଷରେ କେତୋଟି କଥା କହିବି। କାରଣ, ସେମାନଙ୍କ ସ୍ୱାସ୍ଥ୍ୟର ଭଲଭାବରେ ଯତ୍ନ ନିଆଯାଇ ପାରୁ ନ ଥାଏ ଏବଂ ସେମାନେ ପ୍ରାୟ ଅବହେଳିତ ଅଛନ୍ତି । ଏହା ବ୍ୟତୀତ ଯେଉଁମାନେ ସ୍ଵଳ୍ପ ଓ ମଧ୍ୟମ ସ୍ତରର ଭିନ୍ନକ୍ଷମତା ବର୍ଗରେ ଆସୁଛନ୍ତି ଏବଂ ଯଦିଓ ସେମାନେ ଶିକ୍ଷାପ୍ରାପ୍ତ, ମାତ୍ର ସେହି ଅନୁଯାୟୀ ଚାକିରି ପାଉନାହାନ୍ତି । ଏହାକୁ ଛାଡ଼ି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ମାସିକ ୧୦୦୦ ଟଙ୍କାର ଭତ୍ତା ଯଥେଷ୍ଟ ନୁହେଁ ବୋଲି ମୁଁ କହିବି।”

ତାଙ୍କର ଦାବି ରହିଛି :

୧. ଉଚ୍ଚଶିକ୍ଷାପ୍ରାପ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ନେଟ୍/ଗେଟ୍ (NET/GATE) ଆଦି ନିମନ୍ତେ ସ୍ୱତନ୍ତ୍ର କୋଚିଂ ଏବଂ ଫେଲୋସିପ୍ ପାଇଁ ପାଣ୍ଠିର ପ୍ରାବଧାନ ।

୨. ଉକ୍ତ ଶିକ୍ଷାନୁଷ୍ଠାନ କ୍ୟାମ୍ପସଗୁଡ଼ିକୁ ପ୍ରତିବନ୍ଧକହୀନ କରିବା ଏବଂ ଏହାର ପାଠାଗାର ଓ ଶୌଚାଳୟ ପ୍ରଭୃତିକୁ ସୁଗମ୍ୟ କରାଯିବା ସହିତ ରାମ୍ପ (Ramp) ନିର୍ମାଣ ପାଇଁ ବ୍ୟବସ୍ଥା ।

୩. ଗତିଶୀଳତା ଭତ୍ତା ବ୍ୟବସ୍ଥା ।

୪. ଆୟୁଷ୍ମାନ ଭାରତ ଯୋଜନା ପରି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବୀମା ।

୫. ପ୍ରତ୍ୟେକ ଛାତ୍ର ବା ଛାତ୍ରୀବାସକୁ ଦିବ୍ୟାଙ୍ଗ ଅନୁକୂଳ କରାଇବା ।

ବରଜ କୁମାର ଦାସ

ଶତକଡ଼ା ୯୦ ପ୍ରତିଶତ ଚଳନ ଶକ୍ତି ବାଧିତ ଭିନ୍ନକ୍ଷମ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନ ବିଷୟରେ ସ୍ନାତକୋତ୍ତର।

ରାହୁଲ କୁମାର ପାତ୍ର

ଶତକଡ଼ା ୧୦୦% ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଛାତ୍ର, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ

ଜଣେ ଦୃଷ୍ଟିବାଧିତ ଛାତ୍ର ଭାବେ ତାଙ୍କର ଦାବିକୁ ଉପସ୍ଥାପିତ କରି କୁହନ୍ତି, “ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ପ୍ରଚଳିତ ବହିଗୁଡ଼ିକ ବ୍ରେଲ୍ (Braille) ଲିପିରେ ଉପଲବ୍ଧ ହେଉ ନ ଥିବାରୁ ଘୋର ଅସୁବିଧାର ସମ୍ମୁଖୀନ ହେଉଛୁ । ୟୁ-ଟ୍ୟୁବ୍‌ରୁ ଶୁଣି କେତେ ପାଠ ବା ମନେରଖି ପାରିବୁ ? ରାଜ୍ୟ ସରକାର ବ୍ରେଲ୍ ଲିପିରେ ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ ଆବଶ୍ୟକ ବ୍ୟବସ୍ଥା କରନ୍ତୁ । ତା’ ଛଡ଼ା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ଦିବ୍ୟାଙ୍ଗ ଛାତ୍ରମାନଙ୍କ ପାଇଁ ହଷ୍ଟେଲଗୁଡ଼ିକରେ ରହିବା ନିମନ୍ତେ ସମ୍ପୂର୍ଣ୍ଣ ନିଶୁଳ୍କ ବ୍ୟବସ୍ଥା କରାଗଲେ ଶ୍ରେଣୀ କକ୍ଷରେ ଆମମାନଙ୍କର ଉପସ୍ଥାପନା ବୃଦ୍ଧି ପାଆନ୍ତା ।”

ତାଙ୍କ ମତରେ ବିଗତ କିଛି ବର୍ଷ ହେଲା ଓଡ଼ିଶାର ପାରା କ୍ରୀଡ଼ାବିତ୍‌ମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରି ପଦକ ଜିତୁଛନ୍ତି । ମାତ୍ର ସେହି ଅନୁସାରେ ଓଡ଼ିଶାର ପାରା କ୍ରୀଡ଼ାବିତ୍‌ମାନଙ୍କୁ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ପ୍ରଦାନ କଲେ ସେମାନେ ଆହୁରି ଅଧିକ ସଫଳତା ଅର୍ଜନ କରି ରାଜ୍ୟ ପାଇଁ ସୁନାମ ଆଣିପାରନ୍ତେ, ଯାହାର ଅଭାବକୁ ଆମେ ଅନୁଭବ କରୁଛୁ ।

ମୋନାଲି ସ୍ୱାଇଁ

ଚଳନଶକ୍ତି ବାଧିତ ଦିବ୍ୟାଙ୍ଗ ପାରା-କ୍ରୀଡ଼ାବିତ୍ ଓ ଅନ୍ତର୍ଜାତୀୟ ପାରା ସନ୍ତରଣକାରୀ

୨୦୧୧ ଜନଗଣନାରେ ଓଡ଼ିଶାର ସମୁଦାୟ ଦିବ୍ୟାଙ୍ଗମାନଙ୍କ ସଂଖ୍ୟା ୧୨ ଲକ୍ଷ ୪୪ ହଜାର ୪୦୨ । ଏହି ପରିସଂଖ୍ୟାନ ତତ୍କାଳୀନ ୭ ପ୍ରକାର ଭିନ୍ନକ୍ଷମତା ଆଧାରିତ ଏକ ପରିଗଣନା । ଇତି ମଧ୍ୟରେ ଭିନ୍ନକ୍ଷମର ପ୍ରକାର ୭ରୁ ବୃଦ୍ଧି ପାଇ ୨୧ରେ ପହଞ୍ଚିଲାଣି । ତେଣୁ ସମ୍ପ୍ରତି ଏହି ୨୧ ପ୍ରକାର ବର୍ଗର ଭିନ୍ନକ୍ଷମ ଜନସଂଖ୍ୟା ପରିଗଣନା ନିଶ୍ଚିତ ଭାବେ ଏକ ବିଶାଳ ସଂଖ୍ୟାକୁ ସୂଚାଉଛି । କିଛି ସଂସ୍ଥା ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନର ଆକଳନରୁ, ଏହି ସଂଖ୍ୟାଟି ସମ୍ପ୍ରତି ୫୦ ଲକ୍ଷର ନିକଟବର୍ତ୍ତୀ ହେବ ବୋଲି ଅନୁମାନ କରାଯାଏ ।

ଆଗାମୀ ରାଜ୍ୟ ବଜେଟ୍ ଏହି ବିଶାଳ ଦିବ୍ୟାଙ୍ଗ ବର୍ଗଙ୍କ ସ୍ୱାର୍ଥ ତଥା ଆଶା ଓ ଆକାଂକ୍ଷାକୁ ଧ୍ୟାନ ଦେବ ବୋଲି ଆଶା କରାଯାଏ। ସର୍ବୋପରି ଆର୍ଥିକ ଦୁର୍ବଳ ସ୍ତରରେ ରହିଯାଇଥିବା ଏହି ଜନସଂଖ୍ୟାର ସିଂହଭାଗ ବର୍ଗଙ୍କୁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରାଇବା ସହ ଏଥି ମଧ୍ୟରେ ଶିକ୍ଷାଠାରୁ ଆରମ୍ଭ କରି ପ୍ରଯୁକ୍ତି ଜ୍ଞାନକୌଶଳ ଓ ପାରା-କ୍ରୀଡ଼ା ପ୍ରଭୃତି ବିଭିନ୍ନ ବିଭାଗରେ ପାରଦର୍ଶିତା ପ୍ରଦର୍ଶନ କରୁଥିବା ନୂତନ ଆକାଂକ୍ଷୀ ଭିନ୍ନକ୍ଷମ ବର୍ଗଙ୍କ ସ୍ୱାର୍ଥକୁ ମଧ୍ୟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।

Share the post

Leave a Reply

Your email address will not be published. Required fields are marked *

Proposal for Medical Board for Divyang at Jhuli Sub-District Hospital Pending; Disabled Organizations Demand Swift Implementation

ଝୁଲିରହିଛି ଉପଖଣ୍ଡ ଡାକ୍ତରଖାନାରେ ଦିବ୍ୟାଙ୍ଗଙ୍କ ପାଇଁ ମେଡିକାଲ ବୋର୍ଡର ପ୍ରସ୍ତାବ ଶୀଘ୍ର କାର୍ଯ୍ୟକାରିତା ପାଇଁ ଭିନ୍ନକ୍ଷମ ସଂଘଠନର ଦାବି

ଲୋକଙ୍କ ସମସ୍ୟା ତଥା ପଡ଼ି ରହିଥ‌ିବା ଲକ୍ଷାଧିକ ଆବେଦନକୁ ଦୃଷ୍ଟିରେ ରଖି ଉପଖଣ୍ଡ ଚିକିତ୍ସାଳୟରେ ୟୁଡିଆଇଡି କାର୍ଡ ବଣ୍ଟନ ଆରମ୍ଭ କରିବାକୁ ଚଳିତ ଜୁଲାଇ ମାସରେ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ‌(ଏସ୍ଏସ୍‌ଇପିଡି) ବିଭାଗ...
Dead Freeing the Blind: Posthumous Eye Donations Surge in Odisha

ଅନ୍ଧତ୍ୱ ମୁକ୍ତ କରୁଛନ୍ତି ମୃତକ

ସୂଚନା ଅନୁସାରେ ୨୦୦୭ରୁ ୨୦୧୭ମଧ୍ୟରେ ୫, ୭୧୪ ସ୍ଵଚ୍ଛପଟଳ ସଂଗ୍ରହ କରାଯାଇଥିବାବେଳେ ୪୭୯୫ ଜଣ ଏଥିଯୋଗୁଁ ଉପକୃତ ହୋଇଛନ୍ତି । ସେହିପରି ଆରମ୍ଭରୁ ଗତ ଜୁଲାଇ ୨୦୨୫ ସୁଦ୍ଧା ମୋଟ ପ୍ରାୟ ୧୯ ହଜାର...
Disability's New Terror: Parkinson's Disease

ଅକ୍ଷମତାର ନୂଆ ଆତଙ୍କ: ପାର୍କିନସନ ରୋଗ

୨୦୨୧ରେ ଯେତେ ସଂଖ୍ୟକ ପାର୍କିନସନ ରୋଗୀ ଥିଲେ ୨୦୫୦ ବେଳକୁ ତାହା ୧୧୨% ବୃଦ୍ଧି ପାଇବ ବୋଲି ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ସୁତରାଂ ପାର୍କିନସନ ରୋଗୀଙ୍କ ସଂଖ୍ୟା ବଢ଼ିବା ଫଳରେ...
0-6 Years Old Disabled Children Early Identification For Extensive Survey Begins

୦-୬ ବର୍ଷ ବୟସର ଭିନ୍ନକ୍ଷମ ପିଲାମାନଙ୍କ ପ୍ରାଥମିକ ଚିହ୍ନଟ ପାଇଁ ବ୍ୟାପକ ସର୍ଭେ ଆରମ୍ଭ

ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମବ୍ୟକ୍ତିଙ୍କ ସଶକ୍ତିକରଣ (ଏସଏସଇପିଡି) ବିଭାଗ ଦ୍ଵାରା ଘୋଷଣା କରାଯାଇଥିବା ଏହି ପଦକ୍ଷେପ ଭିନ୍ନକ୍ଷମବ୍ୟକ୍ତିଙ୍କ ଅଧିକାର (ଆରପିଡବ୍ଲୁଡି) ଆଇନ, ୨୦୧୬ ଅନୁଯାୟୀ ପରିଭାଷିତ ସମସ୍ତ ୨୧ ପ୍ରକାରର ଅକ୍ଷମତାକୁ ଅନ୍ତର୍ଭୁକ୍ତ କରିବ...
High-Support Disabled Persons to Receive ₹40,000 Assistance

ଉଚ୍ଚ-ସହାୟତା ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ମିଳିବ ୪୦,୦୦୦ ଟଙ୍କାର ସହାୟତା

ଗୋଆ ସରକାର ଗୁରୁତର ଭିନ୍ନକ୍ଷମ ବର୍ଗର ବ୍ୟକ୍ତିବିଶେଷମାନଙ୍କ ନିମନ୍ତେ ଏକ ଆର୍ଥିକ ସହାୟତା ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରେ ଉଚ୍ଚ-ସହାୟତା ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ଏକକାଳୀନ ସହାୟତା ରାଶି ଭାବରେ ୪୦,୦୦୦...