କେନ୍ଦ୍ରୀୟ ବଜେଟ୍‌ରେ ଦିବ୍ୟାଙ୍ଗ ଭାଗ : କମ୍ ତରଙ୍ଗ ବେଶୀ ନିସ୍ତରଙ୍ଗ

ମୋଟ୍ ଉପରେ ଦେଖିବାକୁ ଗଲେ ଚଳିତ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ର ଦିବ୍ୟାଙ୍ଗ ବର୍ଗଙ୍କ ପ୍ରତି ପ୍ରଭାବ ମୁଖ୍ୟତଃ ପରୋକ୍ଷ । ଦିବ୍ୟାଙ୍ଗମାନଙ୍କ ପାଇଁ ଜରୁରୀ ରହିଥିବା ଆହ୍ୱାନପ୍ରଦ କ୍ଷେତ୍ରଗୁଡ଼ିକରେ ସୁନିର୍ଦ୍ଧିଷ୍ଟ ହସ୍ତକ୍ଷେପ ପରି ଯୋଜନାର ଅଭାବ ଏଥିରେ ପରିଲକ୍ଷିତ ହୋଇଛି ।

ଦେଶର ବିକାଶର ମୁଖ୍ୟସ୍ରୋତରେ ଭିନ୍ନକ୍ଷମମାନଙ୍କୁ ପୂର୍ଣ୍ଣ ଅନ୍ତର୍ଭୁକ୍ତି ନିମନ୍ତେ ଯେପରି ଏକ ବହୁକ୍ଷେତ୍ରୀୟ ଅର୍ଥବ୍ୟବସ୍ଥାର ପ୍ରାବଧାନ ଚଳିତ ବଜେଟରେ ଆଶା କରାଯାଉଥିଲା, ତାହା ସମ୍ଭବତଃ କମ୍ ତରଙ୍ଗ ଓ ବେଶୀ ନିସ୍ତରଙ୍ଗ ପରି ପ୍ରତିୟମାନ ହୋଇଛି ।

ପ୍ରଥମତଃ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କେବଳ ସହାୟତା ଓ ସାମାଜିକ ସୁରକ୍ଷା ପ୍ରଦାନର ଗ୍ରହୀତା ରୂପେ ସୀମିତ ନ ରଖି ମର୍ଯ୍ୟାଦାପୂର୍ଣ୍ଣ ଜୀବନ ନିର୍ବାହନ ପାଇଁ ଆନୁସାଙ୍ଗିକ ସହଯୋଗର ଆଶା କରାଯାଉଥିଲା । ଅଧିକନ୍ତୁ ଏହା ସେମାନଙ୍କୁ ବରଂ ସମ୍ବିଧାନ ପ୍ରଦ ଅଧିକାର ସହିତ ସମ୍ପୂର୍ଣ୍ଣ ନାଗରିକ ଭାବେ ସ୍ୱୀକୃତି ଦେବାରେ ସହାୟକ ହୋଇଥାନ୍ତା । ଅଥଚ ଏ ଦିଗରେ କେବଳ ଦୁଇଟି ସ୍ୱତନ୍ତ୍ର ଯୋଜନା ବ୍ୟତୀତ ସେହିପରି କିଛି ଦୂରଦର୍ଶିତାପୂର୍ଣ୍ଣ ପ୍ରଭାବୀ ଯୋଜନାର ଉଲ୍ଲେଖ ରହିନାହିଁ ।

ବିଶେଷ କରି ସରକାରୀ ଓ ଅଣସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଦିବ୍ୟାଙ୍ଗ କର୍ମଚାରୀଙ୍କ ପାଇଁ କୌଣସି ନୂତନ ଆୟକର ରିହାତି ଆଶା କରାଯାଉଥିଲା, ତାହା ନିରାଶ କରିଛି । ଏହି ରିହାତି ପ୍ରାପ୍ତି ସେମାନଙ୍କର ଯୁକ୍ତିଯୁକ୍ତ ପ୍ରତ୍ୟାଶା । କାରଣ ଅନ୍ୟ ସାଧାରଣ ବ୍ୟକ୍ତିବିଶେଷମାନଙ୍କ ଅପେକ୍ଷା ଦିବ୍ୟାଙ୍ଗ ବ୍ୟକ୍ତିମାନେ ସହାୟକ ଉପକରଣ କ୍ରୟ, ଥେରାପି ଚିକିତ୍ସା, ଗତାୟତ ଖର୍ଚ୍ଚ, ଦୈନିକ ଔଷଧ ଓ ବ୍ୟବହୃତ ସହାୟକ ସର୍ଜିକାଲ ଉପକରଣ, ସ୍ୱାସ୍ଥ୍ୟସେବା ଏବଂ ବିଶେଷ କରି ଗୁରୁତର ଭିନ୍ନକ୍ଷମତାଧାରୀଙ୍କ ସେବା ଓ ସହାୟତା ବାବଦରେ ନିଯୁକ୍ତ କେୟାର ଗିଭର୍ ବା ସହାୟକ ପ୍ରଭୃତିଙ୍କ ଦୈନିକ ଦେୟ ବା ବେତନ ପ୍ରମୁଖ ଆଦିରେ ତୁଳନାତ୍ମକ ଭାବେ ଅଧିକ ବ୍ୟୟ କରିବାକୁ ପଡିଥାଏ । ବର୍ଷକୁ ବର୍ଷ ଏହି ବାବଦରେ ମୁଦ୍ରାସ୍ଫୀତିଜନିତ ବ୍ୟୟ ବୃଦ୍ଧି ପାଇ ଚାଲିଥିବାବେଳେ ମାତ୍ର ଚଳିତ ବଜେଟରେ କୌଣସି ଅଧିକ ରିହାତି ବ୍ୟବସ୍ଥା ରଖାଯାଇ ନାହିଁ । ପୂର୍ବ ଆୟକର ବ୍ୟବସ୍ଥା ଅପରିବର୍ତ୍ତିତ ରହିଛି ।

ସେହିପରି ଏହି ବଜେଟରେ ଭିନ୍ନକ୍ଷମ ବ୍ୟକ୍ତିବିଶେଷ କୈନ୍ଦ୍ରିକ କୌଣସି ନୂତନ ସ୍ୱାସ୍ଥ୍ୟସେବା ଯୋଜନା ଓ ସହାୟକ ଉପକରଣ ବ୍ୟବସ୍ଥାର ଧର୍ଯ୍ୟ ଲକ୍ଷ୍ୟ ରଖାଯାଇନାହିଁ । ଯଦିଓ ପରୋକ୍ଷ ଭାବରେ ଏହି ବର୍ଗର ବ୍ୟକ୍ତିବିଶେଷମାନେ ଜନସ୍ୱାସ୍ଥ୍ୟ ସେବା ଓ ସ୍ୱାସ୍ଥ୍ୟବୀମାର ପରିସୀମା ମଧ୍ୟରେ ସୁବିଧା ପାଇ ପାରିବେ । ଆଉ ସେହିପରି ଦେଖିବାକୁ ଗଲେ, ଯେଉଁ ନିଯୁକ୍ତିଗତ ପ୍ରାଥମିକତା ଦିବ୍ୟାଙ୍ଗମାନେ ଆବଶ୍ୟକ କରିଥାନ୍ତି ଏବଂ ଯାହା ବାସ୍ତବରେ ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଇବା ସହିତ ସାମାଜିକ ମୁଖ୍ୟସ୍ରୋତରେ ସାମିଲ କରାଇଥାଏ । ଏହି ଦିଗରେ ଚଳିତ ବଜେଟରେ ସେହିପରି କିଛି ନିର୍ଦ୍ଧାରିତ ପ୍ରୋତ୍ସାହନ ରହିନାହିଁ । ଦିବ୍ୟାଙ୍ଗମାନଙ୍କ ଅଧିକରୁ ଅଧିକ ନିଯୁକ୍ତିଗତ ସମୃଦ୍ଧି ନିମନ୍ତେ କୌଣସି ନିର୍ଦ୍ଧିଷ୍ଟ ପାଣ୍ଠି ବ୍ୟବସ୍ଥା କରାଯାଇନାହିଁ ।

ଅନ୍ୟ ଯେଉଁ ଦିଗଟି ଏକ ଇନକ୍ଲୁସିଭ୍ ସୋସାଇଟି ବା ସମ୍ମିଳିତ ସମାଜ ନିମନ୍ତେ ନିତ୍ୟାନ୍ତ ଆବଶ୍ୟକ, ତାହା ହେଉଛି ଭିତ୍ତିଭୂମିଗତ ସୁଗମତା ବା ଆକ୍ସେସେବୁଲ୍ ଇନ୍ଫ୍ରାଷ୍ଟ୍ରକ୍‌ଚର୍ । ଏହି କ୍ଷେତ୍ରଟିକୁ ମଧ୍ୟ ଚଳିତ ବଜେଟ୍ ନିରାଶ କରିଛି । ଗମନାଗମନ ଭିତ୍ତିଭୂମି ଓ ପରିବହନ ବ୍ୟବସ୍ଥାକୁ ସୁଗମତାଯୁକ୍ତ ବା ଆକ୍ସେସେବୁଲ୍ କରିବା ଦିଗରେ କୌଣସି ଆର୍ଥିକ ବ୍ୟବସ୍ଥା ରହିନାହିଁ ।

କେବଳ ଦୁଇଟି ନୂତନ ଯୋଜନା, ଯଥା- (୧) ଦିବ୍ୟାଙ୍ଗ ଜନ କୌଶଳ ଯୋଜନା, (୨) ଦିବ୍ୟାଙ୍ଗ ଜନ ସାହାରା ଯୋଜନା ବ୍ୟତୀତ ମାନସିକ ସ୍ୱାସ୍ଥ୍ୟ ସେବା ପାଇଁ ବାଙ୍ଗାଲୋରସ୍ଥିତ ନିମ୍‌ହାସ ପ୍ରତିଷ୍ଠାନ ପରି ଉତ୍ତର ଭାରତରେ ଦ୍ୱିତୀୟ ନିମ୍‌ହାସ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ସରକାର ଯୋଜନା ରଖିଛନ୍ତି । ସେହିପରି ରାଞ୍ଚିସ୍ଥିତ ଜାତୀୟ ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ତେଜପୁରସ୍ଥିତ ଆଞ୍ଚଳିକ କେନ୍ଦ୍ରର ପରିବୃଦ୍ଧି ନିମନ୍ତେ ବିଚାର ରଖିଛନ୍ତି ।

ଅନ୍ୟ ଏକ ପ୍ରାବଧାନରେ ଦୁସ୍ଥ, ଦରିଦ୍ର ଓ ଅସହାୟ ବର୍ଗଙ୍କ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଏବଂ ସ୍ୱାସ୍ଥ୍ୟସେବା ଜନିତ ଅପ୍ରତ୍ୟାଶିତ ବ୍ୟୟଭାରର ମୁକାବିଲା ନିମନ୍ତେ ଯୋଜନା ରହିଛି । ଯେଉଁଥିରେ ଜିଲ୍ଲା ସଦର ମହକୁମାରେ ଥିବା ଚିକିତ୍ସାଳୟରେ ଜରୁରୀକାଳୀନ ଟ୍ରଉମା କେୟାର କେନ୍ଦ୍ରର ପ୍ରତିଷ୍ଠା ଅନ୍ତର୍ଭୁକ୍ତ ରହିଛି । ଯାହାର ସୁବିଧା ପରୋକ୍ଷ ଭାବରେ ଦିବ୍ୟାଙ୍ଗ ଜନ ପାଇପାରିବେ ।

ଉପରେ ଉଲ୍ଲିଖିତ ଦୁଇଟି ନୂତନ ଯୋଜନା ମଧ୍ୟରୁ ଦିବ୍ୟାଙ୍ଗ ଜନ କୌଶଳ ଯୋଜନା ଅଧିନରେ ଆଇଟି, ଆନିମେସନ୍, ଭିଜୁଆଲ ଇଫେକ୍ଟ, ହସ୍ପିଟାଲିଟି, ପ୍ରଯୁକ୍ତି ଓ ଖାଦ୍ୟ ପ୍ରକ୍ରିୟାକରଣ ପ୍ରଭୃତି କ୍ଷେତ୍ରରେ ଦିବ୍ୟାଙ୍ଗମାନଙ୍କୁ କୌଶଳ ଓ ତାଲିମ୍ ପ୍ରଦାନ କରି ସମ୍ମାନଜନକ ଜୀବିକାର ସୁଯୋଗ ସୃଷ୍ଟି କରିବା ଏହି ବଜେଟର ଏକ ଉତ୍ସାହଜନକ ବ୍ୟବସ୍ଥା ବୋଲି କହିହେବ । ଚଳିତ ଆର୍ଥିକ ବର୍ଷ ପାଇଁ ଏଥିରେ ଦୁଇଶହ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି । ଯାହାକୁ ଏନ୍ଆରପିଡ଼ିର ସାଧାରଣ ସମ୍ପାଦକ ଭି ମୁରଲୀଧରନ୍ ଏକ ନାମମାତ୍ର ପ୍ରଭାବହୀନ କୌଶଳ ତାଲିମ୍ ଯୋଜନାର ନାମାନ୍ତରକରଣ ବୋଲି ଅଭିହିତ କରିଛନ୍ତି ।

ଚଳିତ ବଜେଟ୍ କେନ୍ଦ୍ରୀୟ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ପୂର୍ବବର୍ଷ ତୁଳନାରେ ୩୦% ଅଧିକ ପାଣ୍ଠିର ବ୍ୟୟ ବରାଦ କରାଯାଇଛି । ଏହି ବର୍ଦ୍ଧିତ ତିନିଶହ କୋଟିର ପାଣ୍ଠି ଉପର ଲିଖିତ ଦୁଇଟି ଯୋଜନା ପାଇଁ ଅଭିପ୍ରେତ । ପ୍ରଥମଟି ଦିବ୍ୟାଙ୍ଗଜନ କୌଶଳ ଯୋଜନା ପାଇଁ ଦୁଇଶହ କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ଦ୍ୱିତୀୟଟି ଦିବ୍ୟାଙ୍ଗଜନ ସାହାରା ଯୋଜନା ନିମନ୍ତେ ୧୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି । ଏହି ଦ୍ୱିତୀୟ ଯୋଜନାରେ ସହାୟକ ଉପକରଣର ଉତ୍ପାଦନ ବୃଦ୍ଧି, ଏ ଦିଗରେ ଗବେଷଣା, ବିକାଶ ତଥା କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସଂଯୋଗୀକରଣ ପାଇଁ ସୁନିର୍ଦ୍ଧିଷ୍ଟ କରାଯାଇଛି । ଏଥିରେ ଏନ୍ୟ ଏକ ନୂତନତ୍ୱ ହେଉଛି, ଦିବ୍ୟାଙ୍ଗଜନଙ୍କ ପାଇଁ ସହାୟକ ଉପକରଣ ବିକ୍ରୟର ରିଟେଲ୍ କାଉଣ୍ଟର ସୃଷ୍ଟିର ପରିକଳ୍ପନା । ଯାହାକୁ ‘ଆସିଷ୍ଟିଭ୍ ଟେକ୍ନୋଲୋଜି ମାର୍ଟ’ ରୂପେ ନାମିତ କରାଯାଇଛି ।

ଏହି ଦ୍ୱିତୀୟ ଯୋଜନାକୁ ମଧ୍ୟ ନିରୁତ୍ସାହଜନକ ବୋଲି ଉଲ୍ଲେଖ କରିଛନ୍ତି ଏନ୍ଆରପିଡ଼ିର ସାଧାରଣ ସମ୍ପାଦକ ଭି ମୁରଲୀଧରନ୍ । ତାଙ୍କ ମତରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କୃତ୍ରିମ ସହାୟକ ଉପକରଣ ଉତ୍ପାଦନ କେନ୍ଦ୍ର ବା ଆଲିମକୋର ବାର୍ଷିକ ବଜେଟର ଏକ ରି-ପ୍ୟାକେଜିଙ୍ଗ୍ ।

ମୋଟ୍ ଉପରେ ଦେଖିବାକୁ ଗଲେ ଚଳିତ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ର ଦିବ୍ୟାଙ୍ଗ ବର୍ଗଙ୍କ ପ୍ରତି ପ୍ରଭାବ ମୁଖ୍ୟତଃ ପରୋକ୍ଷ । ଦିବ୍ୟାଙ୍ଗମାନଙ୍କ ପାଇଁ ଜରୁରୀ ରହିଥିବା ଆହ୍ୱାନପ୍ରଦ କ୍ଷେତ୍ରଗୁଡ଼ିକରେ ସୁନିର୍ଦ୍ଧିଷ୍ଟ ହସ୍ତକ୍ଷେପ ପରି ଯୋଜନାର ଅଭାବ ଏଥିରେ ପରିଲକ୍ଷିତ ହୋଇଛି । ଦେଖିବାକୁ ଗଲେ, ଏହା ସାର୍ବଜନୀନ କଲ୍ୟାଣଯୋଜନା ଓ ଆର୍ଥିକ ସହାୟତାର ବଳୟ ମଧ୍ୟରେ ସମାଜର ଅନ୍ୟ ଅବହେଳିତ ବର୍ଗଙ୍କ ପରି ଦିବ୍ୟାଙ୍ଗମାନଙ୍କୁ ମଧ୍ୟ ପରୋକ୍ଷରେ ପରିସରଭୁକ୍ତ କରିଛି । ଯଦିଓ ପ୍ରଚଳିତ ସୁବିଧା ଓ ସାମାଜିକ ସୁରକ୍ଷା ପ୍ରଭୃତିର ଧାରାବାହିକତାକୁ ସୁନିଶ୍ଚିତ କରାଇଛି, ମାତ୍ର ନୂତନ ଭିନ୍ନକ୍ଷମ ଅଧିକାର ଆଇନ୍ ଅନ୍ତର୍ଗତ ବିବିଧ ସମ୍ଭାବନାପୂର୍ଣ୍ଣ ଦିଗ ଓ ଭିନ୍ନକ୍ଷମ ସଂଗଠନମାନଙ୍କ ଦୀର୍ଘକାଳୀନ ଦାବିକୁ ଗୁରୁତ୍ୱାରୋପ କରିନାହିଁ ।

Share the post

Leave a Reply

Your email address will not be published. Required fields are marked *

Autism Spectrum Disorder: 21st Century's New Challenge

ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ : ଏକବିଂଶ ଶତାବ୍ଦୀର ନୂତନ ଆହ୍ୱାନ୍

ଅଟିଜିମ୍ ସ୍ପେକଟ୍ରମ୍ ଡିସଅର୍ଡର୍ (Autism Spectrum Disorder) ଏକ ସ୍ନାୟୁଗତ ବିକାଶ ଜନିତ ସ୍ଥିତି । ବିଗତ କିଛି ବର୍ଷ ମଧ୍ୟରେ ଅଟିଜିମ୍ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଥିଲେ ମଧ୍ୟ, ବର୍ତ୍ତମାନ ସମୟରେ ଏହି...
New Stream in Denial of Disability: Combined Effort of Technology, Humanity, and Social Justice

ଦିବ୍ୟାଙ୍ଗତା ନିରାକରଣ କ୍ଷେତ୍ରରେ ନୂତନ ଧାରା: ପ୍ରଯୁକ୍ତିବିଦ୍ୟା, ମାନବିକତା ଏବଂ ସାମାଜିକ ନ୍ୟାୟର ମିଳିତ ପ୍ରୟାସ

ଦିବ୍ୟାଙ୍ଗତାକୁ ସମ୍ବୋଧିତ କରିବାର ନୂତନ ପଥ ଏକ ବ୍ୟାପକ ଏବଂ ଅନ୍ତର୍ଭୁକ୍ତିକାରୀ (Inclusive) ଦୃଷ୍ଟିକୋଣକୁ ଗ୍ରହଣ କରେ । ଏହା କେବଳ ବ୍ୟକ୍ତିବିଶେଷଙ୍କର କ୍ଷତିପୂରଣ ଉପରେ ଗୁରୁତ୍ଵ ନ ଦେଇ, ସେମାନଙ୍କର ସମ୍ଭାବନାକୁ (Potential)...

ବରଫ ତରଳିବା ଆରମ୍ଭ କରିଛି…ଦିବ୍ୟାଙ୍ଗଙ୍କ ପ୍ରତି ଦୃଷ୍ଟି ବଦଳୁଛି

ଖୁବ୍ ଛୋଟ ବୟସରୁ ପୋଲିଓଗ୍ରସ୍ଥ ହୋଇ ଶାରୀରିକ ଭାବେ ଚଳନଶକ୍ତି ବାଧିତ ହୋଇଥିଲେ ସତ, କିନ୍ତୁ ନିଜର ଦୃଢ ମନୋବଳ ଓ ମେଧାଶକ୍ତିର ବିନିମୟରେ ଯେଉଁ ସଂଖ୍ୟାଧିକ ଗବେଷଣା ନିଃସୃତ ନିଦର୍ଶନ ସୃଷ୍ଟି କରି...
Lifestyle-Induced Spinal Problems and Progressive Disability

ଜୀବନଶୈଳୀ ଜନିତ ମେରୁଦଣ୍ଡ ସମସ୍ୟା ଓ କ୍ରମବର୍ଦ୍ଧିଷ୍ଣୁ ଅକ୍ଷମତା

ମେରୁଦଣ୍ଡର ଅନେକ ସମସ୍ୟା ମଧ୍ୟରେ, ପିଠି ଯନ୍ତ୍ରଣା ସବୁଠାରୁ ସାଧାରଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ ପ୍ରାୟ ୬୧୯ ନିୟୁତ ଲୋକ ପିଠି ଯନ୍ତ୍ରଣା ସହିତ ବଞ୍ଚନ୍ତି। ଏହା ମଧ୍ୟ ଅକ୍ଷମତାର...
New Disability Law and Call

ନୂତନ ଭିନ୍ନକ୍ଷମ ଆଇନ୍ ଓ ଆହ୍ୱାନ

ଏହି ନୂତନ ଆଇନ୍ ପ୍ରଣୟନର ଏକ ଦଶନ୍ଧି ସନ୍ନିକଟ ଯାତ୍ରାର ନିକଟବର୍ତ୍ତୀ ହୋଇ ମଧ୍ୟ ତାହାର ସୁଫଳ ଓ ପ୍ରଭାବର ଆଶାନୁରୂପକ ଲକ୍ଷ୍ୟଠାରୁ ତଥାପି ଆମେ ବହୁ ଦୂରରେ ।