କହିବାକୁ ଗଲେ,୨୦୨୫ ବର୍ଷ ଥିଲା ଜେନ୍-ଜିମାନଙ୍କର ବର୍ଷ । ନେପାଳ ଦେଶରେ ଆରମ୍ଭ ହୋଇଥିବା ଜେନ୍-ଜିମାନଙ୍କର ବ୍ୟବସ୍ଥା ବିରୁଦ୍ଧରେ ପ୍ରତିବାଦ ଓ ସଂଘର୍ଷ ପ୍ରଥମ ଥର ପାଇଁ ଅହିଂସାରୁ ହିଂସାର ଚରମ ଦାବାନଳକୁ ପ୍ରଦର୍ଶିତ କରିଥିଲା । ଚକିତ ହୋଇ ଚାହିଁଥିଲା ସାରା ବିଶ୍ୱ ।
ଏକବିଂଶ ଶତାବ୍ଦୀର ନବ ପ୍ରଜନ୍ମ ପିଢ଼ିଙ୍କ ମଧ୍ୟରେ ଅବଦମିତ ହୋଇ ରହିଥିବା ଶାସନ ତନ୍ତ୍ରର ଦୁର୍ନୀତି,ଅନୀତି ଓ ବିଶେଷ କରି ଏହି ପିଢ଼ିଙ୍କ ମଧ୍ୟରେ ଥିବା କର୍ମନିଯୁକ୍ତିର ଅଭାବଜନିତ ହା’ ହା’ କାର ବିଶ୍ଵମାନବର ହୃଦୟ ତନ୍ତ୍ରୀକୁ ଗୋଟାପଣ ଥରାଇ ଦେଇଥିଲା ।
କିଏ କହେ ୟାକୁ ଜୁମର,କିଏ ନାମିତ କରେ ଡିଜିଟାଲ ସ୍ୟାଭି ଆଉ କିଏ କହେ ଇଣ୍ଟରନେଟ ପିଢ଼ି । ଏମାନଙ୍କର ବଢ଼ଣ ଗଢ଼ଣ ଓ ବିଚାର ମଧ୍ୟରେ ଅନେକ ତାଳମେଳ ଥାଏ ।ଏମାନେ ସଭିଏଁ ଡିଜିଟାଲ ଦୁନିଆର ଏନ୍ତୁଡ଼ି ମଧ୍ୟ ଦେଇ ବିକଶିତ । ସାମାଜିକ ଗଣମାଧ୍ୟମଦ୍ୱାରା ପ୍ରଭାବିତ । ହାରାହାରି ୧୯୯୭ ରୁ ୧୦୧୨ ମଧ୍ୟରେ ଜନ୍ମିତ ବର୍ଗଙ୍କୁ ଏହି ଜେନ୍-ଜି ପର୍ଯ୍ୟାୟଭୁକ୍ତ କରାଯାଏ । ତେବେ ନୂଆ ନୂଆ ଚାରିତ୍ରିକ ବିଚାରଗତ ଲକ୍ଷଣ ଦୃଷ୍ଟିରୁ ଯଦି ଏହି ଗତ ପାଞ୍ଚ ଦଶକ ସମୟର ପିଢ଼ି ସବୁର ବର୍ଗୀକରଣ କରିବା,ତେବେ ଏହି ସମୟକାଳକୁ ଜେନ୍-ଜିର ଭାଷାରେ ଚିହ୍ନାଇ ବୁଝାଇ କହି ପାରିବ – ବୁମରମାନଙ୍କଠାରୁ ଜୁମରମାନଙ୍କ ପର୍ଯ୍ୟନ୍ତ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଦୁଇ ଦଶକ ସାରା ପୃଥିବୀରେ ଜନ୍ମହାର ସୋପାନରେ ଏକ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ ହୁଏ । ସେଥିପାଇଁ ଏହି ସମୟରେ ଜନ୍ମିତ ପିଢ଼ିଙ୍କୁ ବେବି ବୁମର୍ କୁହାଯାଏ । ସେମାନେ ଥିଲେ ସେହିପରି ତାଙ୍କ ପୂର୍ବପିଢ଼ିଠାରୁ କିଛି ଲାକ୍ଷଣିକ ନୂତନତ୍ବରେ ଭରା । ସେହିପରି ଠିକ୍ ତା ପଛକୁ ଆସନ୍ତି ଜେନେରେସନ୍ ଏକ୍ସ,ତା ପଛକୁ ଜେନେରେସନ୍ ୱାଇ । ଏବେ ଜେନ୍-ଜି ପରେ ଜେନ୍ ଆଲ୍ଫାର ସମୟ (୨୦୧୩) ଉପଗତ ହୋଇ ସାରିଛି ।
ଜେନ୍-ଜି ପର୍ଯ୍ୟାୟ ମଧ୍ୟରେ ଆମେ ଯେଉଁ ଗୁଣଗତ ବିଶିଷ୍ଟତା, ସୂଚନା ଓ ପ୍ରଯୁକ୍ତି ପଟୁତାକୁ ଆବିଷ୍କାର କରୁ,ସେହି ଦୃଷ୍ଟିରୁ ଜେନ ଜି ଦିବ୍ୟାଙ୍ଗମାନେ ସମକକ୍ଷ କି ?
ତେବେ କେତେ ପଛରେ ଅଛନ୍ତି ଆମ ଦେଶର ଏଇ ଜେନ୍-ଜି ଦିବ୍ୟାଙ୍ଗ । ଏକଥା ସତ,ଅଧିକାଂଶ ଜେନ୍-ଜି ଦିବ୍ୟାଙ୍ଗଙ୍କ ହାତରେ ଏବେ ଆଣ୍ଡ୍ରଏଡ଼ ମୋବାଇଲ ଫୋନ୍ । କୋରନାକାଳୀନ ବିଚ୍ଛିନ୍ନତାରେ ଏମାନେ ଅନ୍ୟ ସାଧାରଣ ଜେନ୍-ଜିମାନଙ୍କ ପରି ଡିଜିଟାଲ୍ ମାଧ୍ୟମ ସହ ଗଢ଼ି ହୋଇ ଯାଇଛନ୍ତି । ପ୍ରାୟ ସଭିଙ୍କର ଫେସବୁକ୍ ଇନ୍ଷ୍ଟାଗ୍ରାମ୍ ପରି ସୋସିଆଲ୍ ମିଡିଆରେ ଚଳନ୍ତି ଖାତା ରହିଛି । ଏହା ଛଡ଼ା ବିଭିନ୍ନ ପିଅର ଗ୍ରୁପ୍ ସବୁରେ ଏମାନେ ମଧ୍ୟ ବେଶ ସକ୍ରିୟ ରହିଥାନ୍ତି । ରିଲ୍ ଅପଲୋଡ଼ କରିବା ହେଉ କି ୱାଟ୍ସଆପ୍ ୟୁନିଭର୍ସିଟିରୁ ତଥ୍ୟ ଖୋଜି ଯୁକ୍ତି ବାଢିବା ପୁଣି ଆକାଉଣ୍ଟରେ ଅନୁଗାମୀ ବନ୍ଧୁ ଯୋଡିବା ପରି ସମସ୍ତ ପ୍ରଯୁକ୍ତି ଚାଳିତ ବ୍ୟବହାରିକ ଦକ୍ଷତାରେ ସିଦ୍ଧହସ୍ତ । ପରନ୍ତୁ, ଜେନ୍-ଜି ଦିବ୍ୟାଙ୍ଗମାନଙ୍କର ଅନ୍ୟ ସାଧାରଣ ତୁଳନାରେ ଥିବା ଏହିପରି କିଛି ଦକ୍ଷତା ସେମାନଙ୍କୁ ସମତୁଲ ପର୍ଯ୍ୟାୟର ବୋଲି କହି ପାରିବା କି ? ତଥାପି ଅନେକ କ୍ଷେତ୍ରରେ ଏବେ ମଧ୍ୟ ବାରି ହୋଇପଡ଼େ ବିଷମତା । ପଛୁଆ ପଣ ।
ୟୁନିସେଫ୍ର ଆକଳନ ଅନୁସାରେ ଭାରତ ଆଜି ବିଶ୍ୱର ସର୍ବବୃହତ ଯୁବରାଷ୍ଟ୍ର । ତା’ର ଆକଳନ ଅନୁସାରେ ଦେଶର ସମୁଦାୟ ଜନସଂଖ୍ୟାର ପ୍ରାୟ ୩୭.୧ କୋଟି ବା ୩୭୧ ମିଲିଅନ ଏହି ପନ୍ଦରରୁ ୨୯ ବର୍ଷ ବୟସର । ଯାହାକୁ ବିଶ୍ୱର ସର୍ବ ବୃହତ୍ ଯୁବ ଜନସଂଖ୍ୟା ବୋଲି କହିହେବ । ମାତ୍ର ଏହା ମଧ୍ୟରେ ଥିବା ଜେନ୍-ଜି ଦିବ୍ୟାଙ୍ଗ,ଶିକ୍ଷାଠାରୁ ଆରମ୍ଭ କରି ନିଯୁକ୍ତି,ଗ୍ରାମ-ସହର ବୈଷମ୍ୟ ପରି ଦକ୍ଷତା ଓ ସୁଯୋଗ ତୁଳନାରେ ବହୁ ପଛରେ । ୨୦୧୮ ମସିହାର ଜାତୀୟ ନମୁନା ସର୍ଭେକ୍ଷଣ ପରିସଂଖ୍ୟାନ ଅନୁସାରେ ଦେଶରେ ଦିବ୍ୟାଙ୍ଗ ଯୁବ ଶକ୍ତିଙ୍କ କାର୍ଯ୍ୟରେ ଅଂଶଗ୍ରହଣ ହାର ମାତ୍ର ୨୨. ୮ ପ୍ରତିଶତ । ଅର୍ଥାତ ଅଧିକାଂଶ କାର୍ଯ୍ୟକ୍ଷଣ ବୟସର ଦିବ୍ୟାଙ୍ଗ ବ୍ୟକ୍ତି ନିଜକୁ ଶ୍ରମ ବଜାରରେ ସାମିଲ କରି ପାରିନାହାନ୍ତି । ଯଦିଓ ଏହି ମଧ୍ୟବର୍ତ୍ତୀ ୮ ବର୍ଷର ସମୟ କାଳ ନୂତନ ଦିବ୍ୟାଙ୍ଗ ଆଇନ,ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ,ବୈଷୟିକ ତାଲିମ୍ ଓ ପ୍ରଯୁକ୍ତିଗତ କୁଶଳତା ପରି ବିଭିନ୍ନ ଦିଗରେ ଜେନ୍-ଜି ଦିବ୍ୟାଙ୍ଗମାନଙ୍କ ପାଇଁ ଉତ୍ସାହଜନକ ଅବସର ସୃଷ୍ଟି କରିଛି । କିନ୍ତୁ ମୂଖ୍ୟଧାରାକୁ ପଥ ଯେ ଆହୁରି ବାକି,ଏକଥା ନିଃସନ୍ଦେହ ।
ସେହିପରି ସେମାନଙ୍କ ମାନସିକ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଜନିତ ଆହ୍ୱାନ ଗ୍ରାମୀଣ ମାନସିକତାରେ ଅଦ୍ୟାବଧି ଦୂରୀଭୂତ ହୋଇ ପାରି ନ ଥିବା କର୍ମବାଦ ଓ ରୂଢିବାଦୀ ଦୃଷ୍ଟି ଅନେକାଂଶରେ ବାଟ ଓଗାଳି ଥାଏ । ବିଶେଷ କରି ଶିକ୍ଷା,ସାମାଜିକ,ସାଂସ୍କୃତିକ,ଆର୍ଥନୀତିକ ଏବଂ ପ୍ରଯୁକ୍ତିଜ୍ଞାନ ଗତ କ୍ଷେତ୍ରମାନଙ୍କରେ ରହିଥିବା ଅସୁଗମ୍ୟତା ସେମାନଙ୍କୁ ପୂର୍ଣ୍ଣାଙ୍ଗ ଭାବେ ଏକ ସମ୍ମିଳିତ ସମାଜ ଓ ସଭ୍ୟତାର ସମ୍ମାନପ୍ରଦ ଏକ ସହଭାଗୀ ଅଂଶବିଶେଷ ରୂପେ ପରିଚୟ ଦେବାରେ ପ୍ରତିବନ୍ଧକ ହୋଇ ରହିଛି ।
ନୂତକ ଶିକ୍ଷାନୀତି,୨୦୨୦ ଯଦିଓ ଏକ ଅନ୍ତର୍ଭୂକ୍ତି ଶିକ୍ଷାର ପ୍ରସ୍ତାବନା କରେ,କିନ୍ତୁ ବାସ୍ତବରେ ଅନେକ ବିଦ୍ୟାଳୟ ଓ କଲେଜରେ ରାମ୍ପ, ସୁଗମ୍ୟ ଶୌଚାଳୟ, ଲିପ୍ଟ, ବ୍ରେଲ ପାଠ୍ୟ ପୁସ୍ତକ,ସ୍କ୍ରିନ ରିଡର,ସାଂକେତିକ ଭାଷା ତାଲିମ୍ପ୍ରାପ୍ତ ସହାୟକ ପରି ଅନେକ ଅଭାବ ପରିଲକ୍ଷିତ ହୁଏ । ଏହାର ସିଧାସଳଖ ପ୍ରଭାବ ପଡିଥାଏ ଏହି ଜେନ୍-ଜି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଉପରେ । ସମ୍ପ୍ରତି ଶିକ୍ଷାଠାରୁ ଆରମ୍ଭ କରି ନିଯୁକ୍ତି ଓ ବିବିଧ କ୍ଷେତ୍ରର ଦ୍ରୁତ ଡିଜିଟାଲକରଣ ହୋଇ ଚାଲିଛି । କିନ୍ତୁ ଏହା ଜେନ୍-ଜି ଦିବ୍ୟାଙ୍ଗ ବର୍ଗ ନିମନ୍ତେ ଅଦ୍ୟାବଧି ବ୍ୟବହାରଯୋଗ୍ୟ ହୋଇ ପାରିନାହିଁ । ଅନେକ ଆବଶ୍ୟକ ୱେବସାଇଟ୍,ଆପ୍ ଓ ଅନଲାଇନ୍ ସେବା ଦୃଷ୍ଟି, ଶ୍ରବଣ କିମ୍ବା ବୌଦ୍ଧିକ ଦିବ୍ୟାଙ୍ଗତା ଥିବା ଯୁବକ ଯୁବତୀଙ୍କୁ ବଞ୍ଚିତ ରଖିଛି । ଏସବୁ ମାଧ୍ୟମକୁ ସେମାନଙ୍କ ବ୍ୟବହାର ଅନୁକୂଳ କରାଇବା ଏବେ ଏକ ବଡ଼ ଆହ୍ୱାନ ପାଲଟିଛି । ଯଦିଓ କିଛି ସ୍ୱତନ୍ତ୍ର ଆପ୍ ଏ ଦିଗରେ ପ୍ରାରମ୍ଭିକ ସେବା ପ୍ରଦାନ କରି ପାରୁଛି ।
ଜେନ୍-ଜି ସାଧାରଣ ଓ ଦିବ୍ୟାଙ୍ଗଙ୍କ ମଧ୍ୟରେ ରହିଥିବା ଯଦି ଏହି ଉପରୋକ୍ତ ଫାଟକୁ ଏକ ତ୍ୱରିତ ସମୟ ନିର୍ଦ୍ଧିଷ୍ଟ ସେତୁ ମାଧ୍ୟମରେ ସଂଯୋଗ ନ କରାଯାଏ,ତେବେ ଏହି ଫାଟର ଆଁ’ ମଧ୍ୟରେ ଅଟକି ରହିଯିବ ଦେଶ ଯୁବଶକ୍ତିର ଏକ ଅବିଛିନ୍ନ ଅଂଶ !!

ଡ଼ ବିରଜା ରାଉତରାୟ
ମୁଖ୍ୟ ସମ୍ପାଦକ

