ଜୀବନ ପାତ୍ର ମୋର ଭରିଛ କେତେ ମୋତେ, ନ ଦେଲ ବୋଲି କିଛି କହିବି କିହେ ଆଉ ।
ଆମ୍ଭମାନଙ୍କ ଭିତରୁ ହୁଏତ କେହି କେହି ରହସ୍ୟବାଦୀ ବିଶିଷ୍ଠ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କର ଏହି ବହୁପଠିତ କବିତାର ଧାଡ଼ି ସହ ପରିଚିତ ଥିବେ । ଅଭାବ, କଷଣ ଓ ଦହନକୁ ପଛକରି ହୃଦୟର ପ୍ରସ୍ଫୁଟିତ ପୁଷ୍ପାଞ୍ଜଳିରେ ଈଶ୍ୱରଙ୍କୁ ଭାବନୈବେଦ୍ୟ ଅର୍ପଣ କରିବାର ଏହି ନିର୍ମଳଦୀପ୍ତ କବିତାଟି ଜଣାଇଥାଏ ସୃଷ୍ଟିକର୍ତ୍ତାଙ୍କ ପ୍ରତି କୃତଜ୍ଞତାର ପରିଭାଷା । ସେହିପରି ଆଜନ୍ମରୁ ହେଉ କିମ୍ବା ରୋଗଗ୍ରସ୍ତ ହୋଇ ମଣିଷର ସର୍ବଶ୍ରେଷ୍ଠ ଶାରିରୀକ ପୁଞ୍ଜିକୁ ହରାଇ ସାରିଥିବା ତିନିଜଣ ଦୃଷ୍ଟିବାଧିତା କଣ୍ଠଶିଳ୍ପୀଙ୍କ ଇଏ ଏକ ଅନନ୍ୟ କାହଣୀ । ପ୍ରତ୍ୟେକଟି କାହଣୀର ପଛରେ ରହିଛି ଅନ୍ତରର ଅନ୍ତହୀନପୀଡ଼ାକୁ ଜୟ କରିବାର ପ୍ରେରଣାଦାୟୀ କାହାଣୀ । ମଣିଷର ଏହି ସର୍ବଶ୍ରେଷ୍ଠ ପୁଞ୍ଜିରୁ ବଞ୍ଚିତ ହୋଇ ରହିଥିବା ସତ୍ତ୍ଵେ ସେମାନଙ୍କ କଣ୍ଠସ୍ଵରରେ ଅକୁହା ବେଦନା ବଦଳରେ ଆଶାବାଦର ଝଙ୍କାର ଝଙ୍କୃତ ହୋଇଥାଏ । ଦୁଃଖ,ବିଳାପ ଓ ଆର୍ତ୍ତି ବଦଳରେ ସେଠି ଝରିପଡ଼େ ବଣଝରଣାର ସୁମଧୁର କଳକଳ ନାଦ । ଜୀବନର ଜୟଗାନ ସହିତ ଗାୟନ ପ୍ରତିଭାର ନିପୁଣ ନିଦର୍ଶନ। ଇଶ୍ଵରଙ୍କ ସର୍ଜନାକୁ ମଥାପାତି ଆଦରି ନେଇଥିବା ଏହି ବିଶେଷ ପ୍ରତିଭାମୟୀ ଦୃଷ୍ଟିବାଧିତା କଣ୍ଠଶିଳ୍ପୀତ୍ରୟାଙ୍କ ସୃଜନମୟ ଓ କର୍ମମୁଖର ଜୀବନକୁ ନେଇ “ପୁନର୍ବାସ ସମାଚାର” ଚଳିତ ସଂଖ୍ୟାରେ ଆମେ ଉପସ୍ଥାପନ କରୁଛୁ ଏକ ବିଶେଷ ଆଲେଖ୍ୟ “କଣ୍ଠେ ମୋର ଭରିଦିଅ ଦିବ୍ୟଦୃଷ୍ଟି ପଥ” ।
ପ୍ରସ୍ତୁତି ଓ ଉପସ୍ଥାପନା : ବିରଜା ରାଉତରାୟ
ସ୍ପନ୍ଦିତ କଣ୍ଠର ଆଶାବରୀ : ଆଶା ବାହାଦୁର ଗୁରୁମ୍
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ତା’ର ନିଆରା ପ୍ରକୃତିକ ବିଭବ ପାଇଁ ପରିଚିତ । କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କର ପ୍ରିୟ ପୈତୃକ କ୍ଷେତ୍ର । ଏହି ମାଟିର ମିଠା ପରଶ ନେଇ ଜନ୍ମ ନିଅନ୍ତି ଆଶା ବାହାଦୁର । ତାଙ୍କ ପିତାମାତାଙ୍କ ବିରାଟ ହୃଦୟ ଜନ୍ମରୁ ନିଜର ଦୃଷ୍ଟିଶକ୍ତି ହରାଇଥିବା ଝିଅଟି ମଧ୍ୟରେ ଆଶାର ଆକାଶ ହୁଏତ ଦେଖି ପାରିଥିଲେ ! ସେଥିପାଇଁ ଝିଅର ନାମ ଦେଥିଲେ “ଆଶା” । ପିତା କୁମଲ୍ ବାହାଦୁର ଓ ମାତା ଚୁମୁକି ବାହାଦୁରଙ୍କ କନ୍ୟା ସନ୍ତାନ ରୂପେ ୨୦୦୪ ମସିହା ଅଗଷ୍ଟ ମାସ ୨୩ ତାରିଖରେ ତାଙ୍କର ଜନ୍ମ । ପରବର୍ତ୍ତୀ ଜୀବନରେ ନିଜ ପିତାମାତାଙ୍କ ତା’ପ୍ରତି ଥିବା ଆତ୍ମବିଶ୍ଵାସକୁ ପ୍ରମାଣିତ କରିବାକୁ ଯାଇ ଜୀବନର ରଣାଙ୍ଗନରେ ଅଗ୍ରସର ହୁଅନ୍ତି ଏବଂ ନିଜର ନାମର ସାର୍ଥକତାକୁ ପ୍ରମାଣିତ କରନ୍ତି ।
ଜଣେ ଦୃଷ୍ଟିହୀନ ଛାତ୍ରୀଭାବେ ଦୃଢ ଇଚ୍ଛାଶକ୍ତି ସହ ଅଧ୍ୟୟନରେ ସଫଳତା ଲାଭକରନ୍ତି । ଭୁବନେଶ୍ଵରସ୍ଥିତ ଭୀମଭୋଇ ସରକାରୀ ଦୃଷ୍ଟିହୀନ ବିଦ୍ୟାଳୟରେ ପଢିବାର ସୁଯୋଗ ତାଙ୍କ ମଧ୍ୟରେ ଥିବା ଆତ୍ମବିଶ୍ଵାସକୁ ଦୁଇଗୁଣିତ କରିଥିଲା । ଶିକ୍ଷାର ମୂଳଦୁଆକୁ ସୁଦୃଢକରିଥିଲା । ଯାହାର ଭିତ୍ତିଭୂମି ଉପରେ ଭରାଦେଇ ସେ ଆଜି କଟକର ଶୈଳବାଳା ମହିଳା ମହାବିଦ୍ୟାଳୟର ଜଣେ ସଫଳ ଛାତ୍ରୀ । ରାଜନୀତି ବିଜ୍ଞାନ ଅନର୍ସ ସହ ଚଳିତ ବର୍ଷ ସିଏ ସ୍ନାତକ ଶେଷ ବର୍ଷର ଛାତ୍ରୀ ।
ଉଚ୍ଚଶିକ୍ଷାରେ ଅଧ୍ୟୟନ ସହିତ ତାଙ୍କର ପରିଚୟର ଅନ୍ୟତମ ପାରଦର୍ଶିତା ହେଉଛି ଜଣେ ସୁମଧୁର କଣ୍ଠଶିଳ୍ପୀ । ଭଜନ ଓ ଜଣାଣ ପ୍ରଭୁତି ଗାଇବା ସମୟରେ ତାଙ୍କୁ ଶୁଣିଥିବା ଶ୍ରୋତା କିଛି ସମୟ ପାଇଁ ଭାବରାଜ୍ୟରେ ହଜି ଯାଇଥାଏ । ଶାସ୍ତ୍ରୀୟ ସଙ୍ଗୀତର ତାଲିମ ନେଇଥିବା ଆଶା ବାହାଦୁର ହିନ୍ଦୀ ସଙ୍ଗୀତ କ୍ଷେତ୍ରରେ ଲତା ମଙ୍ଗେସକରଙ୍କୁ ନିଜର ସର୍ବକାଳୀନ ଆଦର୍ଶ ବୋଲି ଗ୍ରହଣ କରନ୍ତି । ସେହିପରି ଓଡିଆ ସଙ୍ଗୀତ ଜଗତର ସୁପରିଚିତା କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କୁ ବେଶ୍ ପସନ୍ଦ କରିଥାଆନ୍ତି । ଏହା ମଧ୍ୟରେ ସେ ନିଜେ ମଧ୍ୟ ଅନେକ ସଙ୍ଗୀତ ମଞ୍ଚରେ ନିଜ ପ୍ରତିଭା ପ୍ରଦର୍ଶନ କରିସାରିଛନ୍ତି । ଅଦ୍ୟାବଧି ଓଡିଶାର ବିଭିନ୍ନ ପ୍ରତିଷ୍ଠିତ ଷ୍ଟୂଡିଓରେ ତାଙ୍କର ଦଶଟିରୁ ଊର୍ଦ୍ଧ୍ଵ ଭକ୍ତିସଙ୍ଗୀତ ଶ୍ରୋତାମାନଙ୍କ ଦ୍ଵାରା ଆଦୃତ ହୋଇପାରିଛି ।
ଭବିଷ୍ୟତର ଜୀବନରେ ଜଣେ ଆଦର୍ଶ ଶିକ୍ଷୟତ୍ରୀ ହେବ ସହ ସଙ୍ଗୀତର ଆଧ୍ୟାତ୍ମ ମୂର୍ଚ୍ଛନାକୁ ଜୀବନର ପାଥେୟ କରି ବଞ୍ଚିବାକୁ ମନସ୍ଥ କରିଛନ୍ତି ଆଶା । ତାଙ୍କର ଏହି ସାର୍ଥକ ଜୀବନ ମାର୍ଗରେ ନିଜର ପିତାମାତା ଓ ମା’ ପରି ସ୍ନେହ ଢାଳିଥିବା ମାଉସୀ ସବିତା ଲାମାଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଥାନ୍ତି ।
ସଙ୍ଗୀତର ବାରିଦମାଳା: ମେଘମାଳା ପଣ୍ଡା
“ଅନ୍ତରେ ମୋର ଭରିଦିଅ ପ୍ରଭୁ ମହାଚେତନାର ସ୍ଵର” ।
ମହାମାରୀ କରୋନା ସମୟରେ ଯେତେବେଳେ ନିସ୍ତବ୍ଧ ପଡିଯାଇଥିଲା ଚାରିପାଖର ପୃଥିବୀ, ସେତେବେଳେ ୟୁଟ୍ୟୁବରେ ଘୁରିବୁଲୁଥିବା ମେଘମାଳାଙ୍କ ଦ୍ଵାରା ସ୍ଵରରେ ସଜାଯାଇଥିବା ଓ ବୋଲିଥିବା ଏହି ଗୀତଟି ଅନେକ ବଳ ପ୍ରଦାନ କରିଥିଲା ଶ୍ରୋତାମାନଙ୍କୁ । ଉଭୟ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ବିଷାରଦ ଓ ଓଡିଶୀ ସଙ୍ଗୀତରେ ଭାସ୍କର ଉପାଧିପ୍ରାପ୍ତା ଏହି ଦୃଷ୍ଟିବାଧିତା କଣ୍ଠଶିଳ୍ପୀ ସମ୍ପ୍ରତି ଭବାନୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷାୟତ୍ରୀରୂପେ କାର୍ଯ୍ୟରତା । ୟୁଟ୍ୟୁବରେ ଭକ୍ତିସଙ୍ଗୀତ ବ୍ୟତୀତ ଏହି କଣ୍ଠଶିଳ୍ପୀ ମଧ୍ୟ ଆକାଶବାଣୀ ଜୟପୁର ଓ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରେ ସଂଖ୍ୟାଧିକ ଗୀତ ଗାଇଛନ୍ତି ।
ବିଶେଷକରି ଗୀତିକାର ଓ ଦୃଷ୍ଟିବାଧିତ ପ୍ରଶାସକ ସନ୍ୟାସ ବେହେରାଙ୍କ ଦ୍ଵାରା ଲିଖିତ ଭକ୍ତି ସଙ୍ଗୀତଗୁଡିକର ସ୍ଵର ସଂଯୋଜନା ଓ କଣ୍ଠଦାନ କରି ବହୁଳ ଭାବେ ଶ୍ରୋତାମାନଙ୍କ ନିକଟରେ ପରିଚିତ କରାଇଛନ୍ତି ।
କୁହାଯାଏ ତୁଲସୀ ଦୁଇ ପତ୍ରରୁ ବାସେ । ସେହିପରି ମେଘମାଳାକୁ ଯେତେବେଳେ ମାତ୍ର ୫ ବର୍ଷ ବୟସ ସେ ନିଜ ଭିତରର ଏହି ସାଙ୍ଗୀତିକ ପ୍ରତିଧ୍ଵନୀକୁ ଶୁଣି ପାରନ୍ତି । ସାହସ କରି ଭବାନୀପାଟଣା ସହର ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ “ମହାବୀର ସାଂସ୍କୃତିକ ଅନୁଷ୍ଠାନ”ରେ ଆୟୋଜିତ ହେଉଥିବା ଏକ ପ୍ରତି ଯୋଗିତାରେ ଅଂଶଗ୍ରହଣ କରନ୍ତି । ସେଥିରେ ସେ ପରିବେଷଣ କରନ୍ତି ଜଗନ୍ନାଥଙ୍କ ଭଜନ “ଜୟ ଜୟ ଜଗନ୍ନାଥ ସନ୍ଧ୍ୟା ଧୂପବେଳେ”। ଆଶ୍ଚର୍ଯ୍ୟ! ବିଚାରପତିମାନଙ୍କୁ ମୁଗ୍ଧ କରିଥିବା ତାଙ୍କର ସେହି ସଙ୍ଗୀତ ଗାୟନ ପାଇଁ ମିଳେ ସ୍ଵାନ୍ତନାମୂଳକ ପୁରସ୍କାର । ଯେଉଁଥିରେ ଥାଏ ଏକ ପ୍ରମାଣପତ୍ର ଏବଂ ଗୋଟିଏ ଷ୍ଟିଲ ଗ୍ଳାସ୍ । ଯାହା ତାଙ୍କୁ ସଙ୍ଗୀତ କ୍ଷେତ୍ରରେ ଆଗକୁ ଅଗ୍ରସର ହେବା ପାଇଁ ଉତ୍ସାହିତ କରିଥିଲା ।
ଜନ୍ମରୁ ଦୃଷ୍ଟିବାଧିତା ଥାଇ ଭୂମିଷ୍ଠ ହୋଇଥିବା ମେଘମାଳାଙ୍କ ଜନ୍ମ ୧୫ ଏପ୍ରିଲ ୧୯୮୦ ମସିହା । କଳାହାଣ୍ଡିର ଭବାନୀପାଟଣା ସହରରେ ତାଙ୍କର ଜନ୍ମ । ପିତା ଅରକ୍ଷିତ ପଣ୍ଡା ଓ ମାତା ନିରୁମଣି ପଣ୍ଡା । ତାଙ୍କର ପିତା ଜଣେ ଦରିଦ୍ର କୃଷକ ଥିବାରୁ ଘରର ଆୟ ସେତେଟା ସ୍ଵଚ୍ଛଳ ନଥିଲା । ଏପରିକି ସଚେତନତାର ଅଭାବ ହେତୁ ପିତାମାତା ତା’ର ଏହି ଦୃଷ୍ଟିହୀନତାକୁ ଖୁବ ବିଳମ୍ବରେ ଜାଣିପାରିଥିଲେ । ୨୦୦୧ ରେ ପିତାଙ୍କର ଦେହାନ୍ତ ହୁଏ । ଏହା ପରଠୁ ମେଘମାଳାଙ୍କ ଯାତ୍ରା ସାହାରାହୀନ ହୋଇପଡିଥିଲେ ହେଁ ମନବଳରେ ଦୃଢଥାଇ ସଙ୍ଗୀତ କ୍ଷେତ୍ରରେ ନିଜର ସ୍ଵତନ୍ତ୍ର ଉପସ୍ଥିତି ପ୍ରତିପାଦିତ ହୋଇ କରିବାକୁ ଯଥେଷ୍ଟ ଆଗ୍ରହ ପ୍ରକାଶ କରନ୍ତି ।
ଜନ୍ମ ସମୟରେ ଦୃଷ୍ଟିବାଧିତା ବିଷୟରେ ଅଜ୍ଞଥାଇ ତାଙ୍କର ବଡ ମା’ ଅତ୍ୟନ୍ତ ଶ୍ରଦ୍ଧାରେ ଯେଉଁ ନାମଟି ରଖିଥିଲେ ମେଘମାଳା, ଆଜି ତାଙ୍କ କଣ୍ଠରୁ ନିସୃତ ଭକ୍ତିଗୀତର ଲହର ଯେତେବେଳେ ଶୂନ୍ୟର ଗର୍ଭକୁ ଛୁଇଁ ଖଣ୍ଡଖଣ୍ଡ ଭସାମେଘର ପିଠିରେ ବସି ମହୀମଣ୍ଡଳର ପରିକ୍ରମଣ କରିବସୁଥାନ୍ତି ବୋଲି ଶ୍ରୋତାର ମନରେ ଦିବ୍ୟ ଅନୁଭବଟିଏ ଜାତ ହୁଏ, ଲାଗେ, ସିଏ ନାମଟିକୁ ଯଥାର୍ଥରେ ସାର୍ଥକ କରିଛନ୍ତି ।
ଝରାକଣ୍ଠର ଶ୍ରୀ: ଜ୍ୟୋତିଶ୍ରୀ ରାଉତ
୧୯୮୩ ମସିହା ୨୬ ସେପ୍ଟେମ୍ବରେ ଜାତ ହେଲା ପରେ, ସତକୁ ସତ ସିଏ ଥିଲେ ଘରର ଜ୍ୟୋତି । ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ୍, ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ଧୂଁପୁର ଗ୍ରାମରେ ତାଙ୍କର ଜନ୍ମ । ପିତା ହାଡିବନ୍ଧୁ ରାଉତ ଓ ମାତା ଲତିକା ରାଉତଙ୍କ ସବାସାନ ଅଲିଅଳି ଝିଅର ଭାଗ୍ୟ ଯେ ଆଗକୁ ଏକ ଅନ୍ଧାରୀ ଦିଗନ୍ତ ଆଡକୁ ଯେ ମୁଁହାଇ ଯାଉଛି, ସେକଥା ବା ଜଣାଥିଲା କାହାକୁ ? ଘରେ ଦୁଇ ଭାଇ ଦୁଇ ଭଉଣୀଙ୍କ ସହ ଖୁସି ଓ ଆନନ୍ଦର ଜୀବନ ଯାତ୍ରା ଜାରି ରହିଥିବାବେଳେ ହଠାତ୍ ଉପସ୍ଥିତ ହୁଏ ଆସି ଦୁଃଖର କଳାପାହାଡ । ଅନ୍ୟ ସାଧାରଣ ଛୋଟ ଛୁଆଙ୍କ ପରି ଜ୍ୟୋତିଶ୍ରୀଙ୍କର ଥିଲା ସ୍କୁଲ ଯିବାର ବୟସ । ପାଠ ସହ ଖେଳକୁଦର ବୟସ । ଏତିକିବେଳେ ମିଳିମିଳା ରୋଗରେ ଆକ୍ରାନ୍ତ ହୁଅନ୍ତି ଜ୍ୟୋତିଶ୍ରୀ ।
ରୋଗର ପରିଣାମ ତାଙ୍କ ଦୁଇଟି ଆଖିର ଦୃଷ୍ଟିଶକ୍ତିକୁ ସଂପୂର୍ଣ୍ଣ ପୋଛି ପକାଏ । ସେହି କଅଁଳ ବୟସରୁ ଆରମ୍ଭ ହୁଏ ଜ୍ୟୋତିଶ୍ରୀଙ୍କ ବେଦନା ଓ ସଂଘର୍ଷର ବକ୍ରିଳ ଜୀବନପଥ । ଏହି ବିଡମ୍ବନା ତାଙ୍କ ବିଦ୍ୟା ଅଧ୍ୟୟନକୁ ମଧ୍ୟ ବ୍ୟାହତ କରିଥିଲା । ଏତିକିବେଳେ ତାଙ୍କ ଜୀବନ ରାସ୍ତାର ମାର୍ଗଦର୍ଶକ ଓ ଶକ୍ତି ରୂପେ ଉଭା ହୋଇଥିଲେ ବଡ ଭଉଣୀ ଜୟନ୍ତୀ ରାଉତ । ସେବେଠୁ ତାଙ୍କରି ଆଖିରେ ଚାରିପଟର ପୃଥିବୀକୁ ଦେଖିବା ଓ ଅନୁଭବ କରିବା ଆରମ୍ଭ କରିଥିଲେ ସେ । ପାଦେ ପାଦେ ସାହାରା ରୂପେ ରହି ନୀରବରେ ତାଙ୍କ ଜୀବନକୁ ଗଢିଦେଇଥିଲେ ।
ପୁଣି ଥରେ ଯେ ସେ ପାଠପଢି ପାରିବେ, ଏହା ଥିଲା ତାଙ୍କ ଭାବନାର ବାହାରେ । ଧୀରେ ଧିରେ ଆତ୍ମବିଶ୍ଵାସ ଫେରି ପାଇଲେ ଜ୍ୟୋତିଶ୍ରୀ । ପୁଣି ପାଠ ପଢିବା ଆରମ୍ଭ କଲେ । ଶ୍ରେଣୀ କକ୍ଷରେ ଅନ୍ୟ ସାଧାରଣ ଛାତ୍ରଛାତ୍ରୀଙ୍କ ତୁଳନାରେ ଦେଖିବା ପଢିବାରେ ଅସହାୟ ମନେ କରୁଥିଲେବି ନିଜର ମନବଳ ହରାଇ ନଥିଲେ । ଘରେ ବାପା ଜଣେ ଦକ୍ଷ ସ୍କୁଲ ଶିକ୍ଷକ ହୋଇଥିବାରୁ ଅନେକ ସହଯୋଗ ଓ ସମର୍ଥନ ତାଙ୍କ ଠାରୁ ମିଳିଥିଲା । ବିଶେଷକରି ଦୂରଦର୍ଶନରେ ପ୍ରସାରିତ “ଏଇତ ଜୀବନ” କାର୍ଯ୍ୟକ୍ରମରେ ଥରେ ସେ ବିଶିଷ୍ଠ ଦୃଷ୍ଟିବାଧିତ ଶିକ୍ଷକ ବିପିନ ବିହାରୀ ତ୍ରିପାଠୀଙ୍କ ଜୀବନ କାହାଣୀ ଶୁଣିବାକୁ ପାଇଥିଲେ । ତାହା ତାଙ୍କ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥିଲା ।
ପ୍ରଥମେ ଜ୍ୟୋତିଶ୍ରୀଙ୍କ ସଙ୍ଗୀତ ପ୍ରତି ଅକୃଷ୍ଟ ହୁଅନ୍ତି ରେଡିଓକୁ ଶୁଣି । ସେହିପରି ସେ ମଧ୍ୟ ଗାଇବା ପାଇଁ ସ୍ଵପ୍ନ ଦେଖନ୍ତି । ସଂଯୋଗକୁ ସଙ୍ଗୀତ ଶିକ୍ଷା ପାଇଁ ତାଙ୍କୁ ଗୁରୁ ଅମିନ ମହାପାତ୍ରଙ୍କ ସାନିଧ୍ୟ ମିଳେ । ଏହିଠୁ ଆରମ୍ଭ ହୁଏ ଜ୍ୟୋତିଶ୍ରୀଙ୍କ ସଙ୍ଗୀତ ଆକାଶରେ ଉଡାଣ । ଯୁକ୍ତ ୩ ଶିକ୍ଷା ସମାପ୍ତ ପରେ ଚଣ୍ଡୀଗଡସ୍ଥିତ ପ୍ରାଚୀନ କଳାକେନ୍ଦ୍ରରୁ ଜ୍ୟୋତିଶ୍ରୀ ଓଡିଶୀ କଣ୍ଠସଙ୍ଗୀତରେ ବିଶାରଦ ଉପାଧି ପ୍ରାପ୍ତ ହୁଅନ୍ତି । ପ୍ରଥମେ ଓଡିଶା ଆସୋସିଏସନ ଫର୍ ଦି ବ୍ଲାଇଣ୍ଡ ଅନୁଷ୍ଠାନରେ ସଙ୍ଗୀତ ଶିକ୍ଷୟତ୍ରୀ ରୂପେ କାମ କରିବାର ସୁଯୋଗ ପାଆନ୍ତି । ୨୦୧୪ ମସିହାରେ ପ୍ରଥମେ ତାଙ୍କର ପ୍ରଥମ ଭଜନ “ପ୍ରଭୁ କୁହଗୋ” ଆତ୍ମପ୍ରକାଶ ପାଇଥିଲା । ଶ୍ରୋତାମାନଙ୍କୁ ଏହାର ଭଜନଗୁଡିକ ଖୁବ୍ ଆକୃଷ୍ଠ କରିଥିଲା । ଏହି ସଫଳତା ଜ୍ୟୋତିଶ୍ରୀଙ୍କୁ ସଙ୍ଗୀତଶିଳ୍ପୀ ରୂପେ ପରିଚିତି ଆଣିଦେବା ସହ ଏ ଦିଗରେ ଆଗକୁ ବଢିବା ପାଇଁ ଆତ୍ମବିଶ୍ଵାସ ଆଣି ଦେଇଥିଲା । ଏହା ପରଠୁ ଜ୍ୟୋତିଶ୍ରୀଙ୍କର ଅନେକ କଣ୍ଠସଙ୍ଗୀତ ୟୁଟ୍ୟୁବ ଓ ଆଲବମ ଜଗତରେ ଲୋକପ୍ରିୟତା ହାସଲ କରିଛି । ଉଭୟେ ଭକ୍ତି ସଙ୍ଗୀତ ଓ ରୋମାଣ୍ଟିକ ଆଲବମ୍ ଗୀତ ଗାଇବାର ଅନୁଭୂତି ଅର୍ଜନ କରିଥିବା ଜ୍ୟୋତିଶ୍ରୀଙ୍କ ପ୍ରତି ଶ୍ରୋତାମାନଙ୍କର ଆଦର ଅଦ୍ୟାବଧି ଅତୁଟ ରହିଛି ।
୨୦୧୮ ମସିହାରୁ ଜ୍ୟୋତିଶ୍ରୀ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅମ୍ବାପୁଆସ୍ଥିତ ରେଡକ୍ରସ ସ୍କୁଲ ଫର୍ ଦ ବ୍ଲାଇଣ୍ଡରେ ସଙ୍ଗୀତ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟରତା ଅଟନ୍ତି । ସଙ୍ଗୀତର ପରିପୂର୍ଣ୍ଣ ସ୍ଵପ୍ନକୁ ହୃଦୟରେ ଧରି ଜୀବନ ଅତିବାହିତ କରୁଥିବା ଜ୍ୟୋତିଶ୍ରୀ ଆଗକୁ ଦିନେ ସଙ୍ଗୀତ ଆକାଶର ବୁକୁରେ ଉଜ୍ଜ୍ଵଳ ନକ୍ଷତ୍ରଟିଏ ହୋଇ ଯେ ପ୍ରତିଭାତ ନ ହେବେ ସେ କଥା କିଏ ଜାଣେ ?

