® ISSN : 3107-4979 | A Bilingual (Odia & English) Bimonthly Special Newspaper Covering News and Views on Disabilities | ® RNI Regd. No. ODIBIL/2016/67738

କିଏ କହିଲା ଜୀବନ ଗାଡ଼ିର ଚକ ଥରେ ଭାଙ୍ଗିଗଲେ ଯୋଡ଼ିବା କଷ୍ଟ । ଯେପରି ରେଳପଟ୍ରି ଉପରୁ ଥରେ ରେଳଗାଡ଼ିର ଚକା ବିଚ୍ୟୁତ ହୋଇଗଲେ ଅଖଞ୍ଜ ହୋଇ ପଡ଼ିଯାଏ ଅଧା ବାଟକରେ । ଯେପରି କୁରୁକ୍ଷେତ୍ର ଯୁଦ୍ଧରେ ବାଟ ହୁଡ଼ିଥିଲା ଅଦ୍ୱିତୀୟ ବୀରକର୍ଣ୍ଣଙ୍କ ରଥର ଚକା । ଯାହା ଶେଷକୁ ପ୍ରାଣନାଶର କାରଣ ହୋଇଥିଲା, ବଦଳି ଯାଇଥିଲା କୁରୁକ୍ଷେତ୍ର ଯୁଦ୍ଧର ଜିତାପଟ୍ ।

ପ୍ରସ୍ତୁତି ଓ ଉପସ୍ଥାପନା –ବିରଜା ରାଉତରାୟ
ସହଯୋଗୀତା – ଗୋଲାପ ରାଉତ

ଜୀବନ ଗାଡ଼ିର ଚକା ହରାଇଥିବା ମଣିଷମାନେ ପୁଣିଥରେ ମୁଖ୍ୟଧାରା ଜୀବନର ଚଲାପଥକୁ ଫେରିବା ଖୁବ୍ କାଠିକର ପାଠ । ପ୍ରତିପକ୍ଷ ସମୟ ସହ ଲଢ଼ି ଅଭେଦ୍ୟ ପାଲଟି ଯାଇଥିବା ଅବଶିଷ୍ଟ ଜୀବନର ଚକ୍ରବ୍ୟୁହକୁ ଭେଦ କରି ସମୟ ସହ ତାଳ ମେଳାଇବା କମ୍ କଥା କି ! ସେହିପରି କିଛି ସକାରାତ୍ମକ ଆସ୍ଥାର କାହାଣୀ ଶୁଣାଉଥିବା କତିପୟ ମେରୁଦଣ୍ଡ ଆଘାତଗ୍ରସ୍ତ ଚଳନ ଶକ୍ତି ହରାଇ ସାରିଥିବା ଭିନ୍ନକ୍ଷମ ଯୁବକ ଯୁବତୀଙ୍କ ଉତ୍ସାହପଦ କାହାଣୀ। ଏମାନେ ସଭିଏଁ ସିନା ଶରୀରର ପ୍ରାକୃତିକ ଗତିଶୀଳତା ହରାଇ କୃତ୍ରିମ ହୁଇଲ୍ ଚେୟାରର ଉପରେ ଆସୀନ ହୋଇ ଜୀବନ ନିର୍ବାହନ କରନ୍ତି ସତ କିନ୍ତୁ ଏକ ଅଫୁରନ୍ତ ଆତ୍ମବିଶ୍ଵାସ ଧରି । ଆସନ୍ତୁ ଜାଣିବା ଏହି କୃତ୍ରିମ ଚକର ଗତିଶୀଳତାକୁ ନେଇ ଜୀବନ ବଞ୍ଚୁଥିବା ଓଡ଼ିଶାର ବିଭିନ୍ନ ପ୍ରାନ୍ତରର ପାଞ୍ଚଜଣ ଚକବୀରଙ୍କ କାହାଣୀ ।

ସିଲେଇରାଣୀ ପୁନମ ଏକ୍କା

ସିଲେଇରାଣୀ ପୁନମ ଏକ୍କା

ଯାହାକୁ ଜୀବନ ବଦଳରେ ଆମ୍ବୁଲାନ୍ସ ଦେଇଥିଲା ଅଧାମରା ଦେହର ଭଗ୍ୟ । ସିଏ ହେଉଛନ୍ତି ପୁନମ ଏକ୍କା । ସୁନ୍ଦରଗଡ଼ ଜିଲ୍ଲା ଇସ୍ପାତ ନଗରୀ ରାଉରକେଲାର ନିକଟବର୍ତ୍ତୀ —- ଗ୍ରାମର ୧୩/୧୧/୨୦୧୮ ମସିହାରେ ଅସୁସ୍ଥ ଭାଇକୁ ଧରି ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ଯିବା ରାସ୍ତାରେ କାୟା ମେଲି ବସିଥିଲା ଛଦ୍ମବେଶୀ ଅଦୃଶ୍ୟ ଦୁର୍ଯୋଗ । ଅକସ୍ମାତ ସଂଗଠିତ ଦୁର୍ଘଟଣାରେ ଆମ୍ବୁଲାନ୍ସର ଜଣେ ସହଯାତ୍ରୀର ମୃତ୍ୟୁ ହେବା ସହ ପୁନମ ମଧ୍ୟ ଭୟଙ୍କର ଭାବେ ଶାରୀରିକ କ୍ଷତିଗ୍ରସ୍ଥ ହୋଇଥିଲା । ମେରୁଦଣ୍ଡ ଆଘାତ ହେତୁ ଶରୀରର ନିମ୍ନଭାଗ ଅଚଳ ହୋଇପଡ଼ିଥିଲା ସବୁଦିନ ପାଇଁ। ହରାଇଥିଲା ତା ଜୀବନ ଗାଡ଼ିର ଗତିଶୀଳତା ।

ଓଲଟପୁରସ୍ଥିତ ଏସ. ଭି. ନିରତାର ପୁନର୍ବାସ ପ୍ରଶିକ୍ଷଣ କେନ୍ଦ୍ରରେ ଥେରାପି ଚିକିତ୍ସା ନେଲା ସତ କିନ୍ତୁ ଆଉ ଲେଉଟି ପାରିନଥିଲା ପିଛିଲା ଭାଗ୍ୟ ।

ଦୁର୍ଘଟଣା ପୂର୍ବରୁ ପୁନମ ଏକ୍କା ଥିଲା ବେଶ୍ ସ୍ବାବଲମ୍ବୀ । ସିଲେଇ କାମକୁ ବୃତ୍ତିକରି ଅର୍ଥ ଉପାର୍ଜନ କରୁଥିଲା । ମାତ୍ର ମେରୁଦଣ୍ଡ ଆଘାତ ପରବର୍ତ୍ତୀ ଶରୀରକୁ ଧରି ପୁଣି ସିଲେଇକୁ କାମକୁ ଫେରିବାର କଳ୍ପନାଠାରୁ ଥିଲା ବହୁତ ଦୂରରେ । କିନ୍ତୁ ଘନଅନ୍ଧାର ପୂର୍ଣ୍ଣ ଜୀବନ ସୁଡଙ୍ଗରେ ଆଶାର କିରଣ ଦେଖିପାରିଥିଲା ପୁନମ । ଗୋଡ଼ ବ୍ୟତୀତ ହସ୍ତ ଚାଳନା ଉପଯୋଗୀ ସିଲେଇ ମେସିନ୍ ବ୍ୟବହାର କରି ପୁଣି ଫେରି ଆସିଲା ନିଜର ପୁରୁଣା ବୃତ୍ତିକୁ ଆହୁରି ଦ୍ଵିଗୁଣିତ ଉତ୍ସାହ ଓ ସ୍ୱପ୍ନକୁ ଆଖିରେ ଧରି । ସଂପ୍ରତି ମାସକୁ ୧୦ ହଜାର କେବେ ବାହାଘର ସିଜିନ ସମୟରେ ୧୫ ହଜାର ମାସକୁ ରୋଜଗାର କରି ପାରୁଥିବା ପୁନମ ସ୍ୱପ୍ନ ଦେଖନ୍ତି ନିଜ ପେଷାର ଏକା ବର୍ଦ୍ଧିଷ୍ଣୁ ରୂପକୁ ଯେଉଁଥିରେ ଏହି ସିଲେଇରାଣୀ ତାର ସ୍ୱପ୍ନର ବ୍ୟବସାୟ ସାମ୍ରାଜ୍ୟରେ ଆହୁରି ପିଲା ରଖି ଦେଇ ପାରୁଥିବ ନିଯୁକ୍ତି ଓ ବଢ଼ାଇ ପାରୁଥିବ ତାର ସିଲେଇ ବ୍ୟବସାୟର ସାମ୍ରାଜ୍ୟ ।

କମ୍ପ୍ୟୁଟର କୁଶଳୀ ଆଶିଷ

କମ୍ପ୍ୟୁଟର କୁଶଳୀ ଆଶିଷ

ଜଗତସିଂହପୁର ଜିଲ୍ଲା ନାଉଗାଁର ଗାରୋଇ ବଜାରରେ ଆଶିଷ ବିଶ୍ଵାଳଙ୍କ ଜନସେବା କେନ୍ଦ୍ର କହିଲେ ଲୋକେ ସିଧା ଆଙ୍ଗୁଠି ଦେଖାଇ ଗୋଟେ ଅତି ଚିହ୍ନା ଜାଗାକୁ ସୂଚାଇ ଥାଆନ୍ତି । ଯେଉଁଠି ଲେଖା ଥାଏ ଆଶିଷ ଷ୍ଟେସନାରୀ।ଗ୍ରାହକ ମାନଙ୍କ ସହିତ ତାଙ୍କର ଅମାୟିକ ବ୍ୟବହାର ଓ ବିବିଧ ଅନଲାଇନ ସେବା ପ୍ରଦାନର ଦକ୍ଷତାକୁ ଦେଖିଲେ କେହି ବିଶ୍ୱାସ କରି ପାରିବ ନାହିଁ । ଏହି ବାବୁ ଜଣକ ଏକ ଗତି ରହିତ ବ୍ୟକ୍ତି ବୋଲି ।

ଆଜିକୁ ପାଖାପାଖି ୨୦ ବର୍ଷ ହୋଇ ଯିବନି ଆଶିଷ ଜୀବନର ମୋଡ଼କୁ ବଦଳେଇ ଦେଇଥିବା ଦୁଃସ୍ଵପ୍ନ ପରି ଏକ ଘଟଣା । ସେଦିନ ଥାଏ ଅପ୍ରେଲ ୨୭ ତାରିଖ, ୧୯୯୭ ମସିହା । ନବମ ଶ୍ରେଣୀ ପରୀକ୍ଷା ସରିଥାଏ ଆଉ ପାଠର ଭୟ ନଥାଏ । ପରଦିନ ସାଙ୍ଗସାଥୀଙ୍କ ଗହଣରେ ଆମ୍ବ ଗଛରେ ଚଢ଼ି ଖେଳକୁଦରେ ମାତିଥାଆନ୍ତି ଆଶିଷ । କିଏ ଅବା ଜାଣିଥିଲା ସେଇ ଦିନ ହେବ ତାଙ୍କ ଜୀବନର ଶେଷ ଖେଳକୁଦ ! ଅଚାନକ ଗଛରୁ ଖସିପଡ଼ି ଅଣ୍ଟା ତଳେ ମାଡ଼ ହୋଇଥିଲା । ତା ପରଠୁ କଟକ ବଡ଼ ଡ଼ାକ୍ତରଖାନାରେ ଦେଢ଼ ମାସର ରହଣି । ପରେ ଶାନ୍ତା ମେମୋରିଆଲ ରିହାବିଲିଟେଶନ ସେଣ୍ଟରରେ ଦୁଇ ମାସର ପୁନର୍ବାସ କୈନ୍ଦ୍ରିକ ପ୍ରଶିକ୍ଷଣ ପରେ ଘରକୁ ଫେରିଥିଲେ ଆଶିଷ । କିନ୍ତୁ ଆଉ ଫେରି ପାଇନଥିଲେ ନିଜ ଶରୀର ଅଣ୍ଟାତଳର ଅବୟବ ଗତିଶୀଳତା । ଏଣେ ପାଠ ପଢା ଗୋଟାଏ ବର୍ଷ ପଛକୁ ଚାଲି ଯାଇଥାଏ । ଅନେକ ଦ୍ଵନ୍ଦ ଓ ହତାଶାବୋଧ ମଧ୍ୟରେ ପୁଣି ପାଠଶାଳାରେ ମନଯୋଗ କରିଥଲେ ଆଶିଷ । ଘରୋଇ ଛାତ୍ର ଭାବେ ୨୦୦୦ ମସିହାରେ ମେଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ପାଖ କଲେଜରେ ଯୁକ୍ତ ଦୁଇ କଳା ଅଧ୍ୟୟନ କରି ପାସ୍ କରନ୍ତି । କେବଳ ସେତିକି ନୁହେଁ ଷ୍ଟେନୋଗ୍ରାଫି ଓ ଏଲିମେଣ୍ଟାରି ଶିକ୍ଷା ପାଠ୍ୟକ୍ରମ ବିଷୟରେ ଡିପ୍ଲୋମା ପ୍ରଭୃତି ଡିଗ୍ରୀ ହାସଲ କରନ୍ତି । ସମସ୍ତ ଶାରୀରିକ ପ୍ରତିକୂଳ ମଧ୍ୟରେ ତାଙ୍କର ଲକ୍ଷ୍ୟ ଥାଏ ଅନେକ ସଫଳ ଯୁବକ ଯୁବତୀଙ୍କ ପରି ଏକ ସରକାରୀ ଚାକିରି । ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ଦିଅନ୍ତି । ପରିଶେଷରେ ଯେଉଁ ସଫଳତା ମିଳେ ତାହା ମଧ୍ୟ ଅପୂର୍ଣ୍ଣ ହୋଇ ରହିଯାଏ । ଶାରୀରିକ ପ୍ରତିବନ୍ଧକତା ନିମନ୍ତେ କ୍ଷତ୍ର ସ୍ତରୀୟ ପରିସଂଖ୍ୟାନ କର୍ମୀ ରୂପେ ନିଯୁକ୍ତି ପାଇବା ସ୍ଵତ୍ତେ ଜଗତସିଂହପୁର ଜିଲ୍ଲା ଅଧିକାରୀଙ୍କ ଦୃଷ୍ଟିରେ ନିଯୁକ୍ତି ଯୋଗ୍ୟ ବିବେଚିତ ହୋଇ ପାରନ୍ତି ନାହିଁ । ବାଧ୍ୟ ହୋଇ ଆଶିଷ ନିଜର ଚାକିରି ସ୍ୱପ୍ନକୁ ଜଳାଞ୍ଜଳି ଦେଇ ସ୍ବାବଲମ୍ବୀ ହେବା ପାଇଁ ଅଣ୍ଟା ଭିଡ଼ନ୍ତି । ଆରମ୍ଭ ହୁଏ ନାଉଗାଁ ଗାରୋଇ ବଜାରରେ ଜନସେବା କେନ୍ଦ୍ର । ତାହା ସହିତ ଆଶିଷ ଷ୍ଟେସନାରୀ । ଏବେ ମାସିକ ଦଶ ହଜାର ଟଙ୍କା କେବେ ଏହା ଠାରୁ ଉର୍ଦ୍ଧ୍ଵ ଟଙ୍କା ରୋଜଗାର କରି ପାରୁଛନ୍ତି ପ୍ରତିକୂଳତାର ଲହଡ଼ିରେ ପହଁରି ଜୀବନ ଜିଁବାର କଳା ଶିଖି ଯାଇଥିବା ଆଶିଷ ଆଗକୁ ନିଜର ଏହି ଛୋଟ ଉଦ୍ୟୋଗକୁ ଆହୁରି ବଡ଼ ରୂପରେ ଦେଖିବାର ଇଚ୍ଛା ରଖନ୍ତି ।

ଅଧୁରାସ୍ୱପ୍ନର ଅଭିଯାତ୍ରୀ ଅନୁପମା

ଅଧୁରାସ୍ୱପ୍ନର ଅଭିଯାତ୍ରୀ ଅନୁପମା

ଅନୁପମାଙ୍କ କାହାଣୀ ସବୁ ଭାଙ୍ଗି ପଡ଼ୁଥିବା ସାହସ ମାନଙ୍କ ପାଇଁ ଗୋଟେ ଆଶ୍ରା କହିଲେ ଅତ୍ୟୁକ୍ତି ହେବନାହିଁ । ସେହି ଆଶ୍ରାର ପୁଣି ଚାରୋଟି ଗୋଡ଼ ଯଥାକ୍ରମେ ଧୈର୍ଯ୍ୟ, ସହନଶୀଳତା, ପ୍ରଚେଷ୍ଟା ଓ ଆଶାବାଦ । ପାଖାପାଖି ୨୦ବର୍ଷ ହୋଇଯିବନି ଏକ ସକ୍ରିୟ ଜୀବନରୁ ଏହିପରି ଏକ ଭିନ୍ନ ଜୀବନର ଏରୁଣ୍ଡି ଅତିକ୍ରମ କରିବା ଅନୁପମାଙ୍କୁ । ଯାଜପୁର ଜିଲ୍ଲାର ଦରକୁଣ୍ଡି ନିକଟସ୍ଥ ମସୁରପୁର ଗ୍ରାମରେ ଅନୁପମାଙ୍କ ଘର । ପୁରାନାମ ଅନୁପମା ପୁହାଣ । ଇଂରାଜୀ ବିଷୟକୁ ଅନର୍ଶ ରୂପେ ରଖି ୨୦୦୫ ମସିହାରେ ସଫଳତାର ସହ ବି. ଏ. ପାସ୍ କରିଥିଲେ । ଲକ୍ଷ୍ୟଥିଲା କମ୍ପ୍ୟୁଟର ଶିଖି କୌଣସି ସରକାରୀ ନିଯୁକ୍ତି ପାଇଁ ନିଜକୁ ପ୍ରସ୍ତୁତ କରିବା । ମାତ୍ର ଭାଗ୍ୟର ବିଡମ୍ବନା ଥାଏ ଅନ୍ୟପ୍ରକାରର । ଯେଉଁ ସ୍ୱପ୍ନକୁ ଆଖିରେ ଧରି ଅନୁପମା ନିଜର ଏକ ଅନୁପମ ଭବିଷ୍ୟତର ପରିକଳ୍ପନା କରିଥିଲେ ତାହା ଏକ ଜୀବନ ଝଡ଼ରେ ଚାହୁଁଚାହୁଁ ଧ୍ଵସ୍ତ ବିଧ୍ଵସ୍ତ ହୋଇଗଲା ।

ସେଦିନ ଥାଏ ୨୦୦୬ ମସିହା ଅଗଷ୍ଟ ମାସ । ଏହି ଅଗଷ୍ଟ ମାସ ଆସିଲେ ସମସ୍ତଙ୍କ ମନରେ ଭରି ଆସେ ଏକ ସ୍ୱାଧୀନତାର ସ୍ୱପ୍ନଚିତ୍ର । ମାତ୍ର ସେଥରର ଅଗଷ୍ଟ ମାସ ଏକ କାଳରୂପି ମାସ ହୋଇ ଉଭା ହୋଇଥିଲା ଅନୁପମାଙ୍କ ଜୀବନରେ । ସେହି ଅଶୁଭ ଅଗଷ୍ଟ ୨୯ ତାରିଖ ଦିନ ଛାତରୁ ପଡ଼ି ମେରୁଦଣ୍ଡ ଅଘାତର ଶିକାର ହୋଇଇଥିଲେ । ମେରୁଦଣ୍ଡର ଏଲ୍ ଲେବଲରେ ଆଘାତ ହେତୁ ଅଣ୍ଟା ତଳକୁ ଦୁଇଟି ଗୋଡ଼ ସବୁଦିନ ପାଇଁ ଅଚଳ ହୋଇଯାଇଥିଲା । ବଦଳି ଯାଇଥିଲା ଅନୁପମାଙ୍କ ଜୀବନର ମୋଡ଼ । ସ୍ଵପ୍ନଭରା ମସୃଣ ଚକଚକ୍ ତରୁଣ୍ୟର ରାସ୍ତାରୁ ଖାଲଖମା ଓ ଅନ୍ଧାର ଭରା ଅନିଶ୍ଚିତ ଜୀବନପଥ । କଟକ ବଡ଼ ଡ଼ାକ୍ତରଖାନାରେ ଦୀର୍ଘ ଦଶମାସର ଚିକିତ୍ସା କୌଣସି ଚମତ୍କାରିତା ଆଣି ପାରିଲା ନାହିଁ ତାଙ୍କ ପ୍ରାଣହୀନ ଦୁଇ ଗୋଡ଼ରେ । ସେବେଠାରୁ ଏଇ ହୁଇଲ ଚେୟାର ବା ଚକର ଚଉକି ପାଲଟି ଯାଇଥିଲା ତାଙ୍କ ଅବଶିଷ୍ଟ ଜୀବନର ସାହାରା ।

କିନ୍ତୁ ସବୁ ନିରାଶାର ଅନ୍ଧକାର ଭିତରେ ଆଶାର ଧାପେ କିରଣ ଦେଖି ପାରୁଥିଲେ ଅନୁପମା । ଓଲଟପୁର ସ୍ଥିତ ନିରତାର୍ ପୁନର୍ବାସ ପ୍ରଶିକ୍ଷଣ କେନ୍ଦ୍ରରେ ରହି ହୁଇଲ ଚେୟାର ସହ ଜୀବନ ଜିଁବାର ତାଲିମ୍ ନେବା ପରଠାରୁ ନିଜ ଭିତରେ ପୁଣି ଥରେ ଫେରି ପାଇଥିଲେ ଆତ୍ମବିଶ୍ୱାସ । ପିଲାଙ୍କୁ ଟିୟୁସନ୍ ପଢ଼ାଇବା ସହ ଚାକିରି ନିମନ୍ତେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ମଧ୍ୟ ଚଳାଇଛନ୍ତି । ସଂପ୍ରତି ଟିୟୁସନ୍ ବୃତ୍ତିରୁ ମାସକୁ ସାତ ହଜାର ଭଳି ରୋଜଗାର ଟଙ୍କାରେ ସ୍ବାବଲମ୍ବୀ ଜୀବନ ଟିଏ ନିର୍ବାହ କରିପାରୁଛନ୍ତି । ତଥାପି ନିଜର ଅଧୁରା ସ୍ୱପ୍ନକୁ ପୂରଣ କରିବା ଇଚ୍ଛାକୁ ଛାଡ଼ି ନାହାଁନ୍ତି ଅନୁପମା। ଭବିଷ୍ୟତରେ ଗୋଟେ ସରକାରୀ ଚାକିରି କରିବା ପାଇଁ ଆଶା ତାଙ୍କ ମଧ୍ୟରେ ଏବେବି ବଳବତ୍ତର ଅଛି ।

ରହିଯା’ ନୁହେଁ , ଚାଲିବାର ନାମ ରାକେଶ

କିଏ ସାଇକେଲ ଚଲାଇବା ପରେ ଦୁଇଚକିଆ ଗାଡ଼ି ଚଲାଇବାର ସ୍ୱପ୍ନ ଦେଖେ କିନ୍ତୁ ଏହି ବ୍ୟତିକ୍ରମ ଯୁବକ ଜଣକ ଏକାଥରେ ଦେଖିଥିଲେ ଚାରିଚକିଆ ଗାଡି ଚଲାଇବାର ସ୍ୱପ୍ନ । ସେତେବେଳ ତାଙ୍କର ଯୁକ୍ତଦୁଇ ପାଠ ପଢ଼ିବା ବୟସ। ସେହି ବୟସ ସାଧାରଣତଃ ଚପଳାମି ଓ ଚଗଲା ହେବାର ବୟସ । ଘରେ ଥାଏ ଗୋଟିଏ ଚାରି ଚକିଆ ଗାଡ଼ି । ଦିନେ ସେ ପିଲାର ଚଗଲା ମନ ଚାରି ଚକିଆ ଯାନ ଚଲାଇବାର ନିଶାରେ ଘରଠାରୁ ଦୁଇ କିଲୋମିଟର ଦୂରଯାଏଁ ଗାଡ଼ିକୁ ଚଲାଇ ନେଇଯାଏ । ଚଲାଇ ସିନା ନେଇଯାଏ କିନ୍ତୁ ଗାଡ଼ି ଚଲାଇବାର ନା ଥାଏ ତାର ଅଭିଜ୍ଞତା ଓ ତାଲିମ । ପରିଣାମରେ ଗାଡ଼ିଟି ଖସିପଡେ ଖାଲକୁ ଆଉ ସେଇ ନିରୀହ ଚଗଲା ପିଲାର ଭାଗ୍ୟ ବଦଳି ଯାଏ ଏକ ଦୂର୍ଯୋଗର ଖାତ ଭିତରକୁ ।

ନାମ ତାଙ୍କର ରାକେଶ କୁମାର ପ୍ରଧାନ । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜରିପଡ଼ା ଗ୍ରାମର ଲକ୍ଷ୍ମୀଧର ପ୍ରଧାନଙ୍କ ପୁତ୍ର । କଲେଜ ପଢୁଥିବା ସମୟରେ ୧୯ ଜାନୁୟାରୀ ୨୦୦୯ ମସିହା , ତାଙ୍କ ଆଦ୍ୟ ଚଳଚଞ୍ଚଳ ତାରୁଣ୍ୟ ଜୀବନର ପରିଣତିକୁ ଡାକି ନେଇଥିଲା । ଏହି ଦୁର୍ଘଟଣାରେ ସେ ମେରୁଦଣ୍ଡ ଆଘାତ ହେତୁ ହରାଇଥିଲେ ନିଜ ଚଳନଶକ୍ତି । ଦୁଇ ଗୋଡ଼ର ସକ୍ଷମତା ବିନା ହରିନଥିଲେ ନିଜର ମନ। ଉଠାଣି ଓ ଗଡାଣିର ମଣିଷର ଜୀବନ ଯାତ୍ରାରେ ରାକେଶ ନିଜକୁ ବେଶ୍ ଖାପ ଖୁଆଇ ନେଇ ସାରିଛନ୍ତି ଆଗକୁ । ୮୦ ପ୍ରତିଶତ ଭିନ୍ନକ୍ଷମତା ସତ୍ତ୍ୱେ ୧୦୦ ପ୍ରତିଶତ ମନୋବଳ ତାଙ୍କର ପରିଚୟ । କିଓରବେ ସ୍ୱାସ୍ଥ୍ୟ କ୍ଲିନିକର ଫ୍ରାନଚାଇଯ ଆଣି ସ୍ଵାଧୀନ ଭାବରେ ଆତ୍ମନିର୍ଭରଶୀଳ ରାକେଶଙ୍କର ଏବେ ମାସିକ ଆୟ ୧୦ ହଜାର ଟଙ୍କା ନହେଲେ କେବେ ଏହା ଠାରୁ ଅଧିକ । ଏବେବି ପାରା ସନ୍ତରଣକାରି ହେବାକୁ ଇଚ୍ଛା ପୁଣି ଉଡାଜାହାଜରେ କେବେ ବସି ପାରିନଥିବାର ଇଚ୍ଛାକୁ ସାକାର କରିବାକୁ ଚାହାଁନ୍ତି । ସବୁ ମେରୁଦଣ୍ଡ ଆଘାତ ଗ୍ରସ୍ଥ ଦିବ୍ୟାଙ୍ଗ ମାନଙ୍କୁ ସ୍ୱାଭିମାନର ସହ ବଞ୍ଚି ଶିଖିବା ଦରକାର ବୋଲି ଚାହାଁନ୍ତି ରାକେଶ ।

ସ୍ଵାଭିମାନୀ ସୁବ୍ରତ

ସ୍ଵାଭିମାନୀ ସୁବ୍ରତ

ଓଡ଼ିଶାର ଉପକୂଳ ଜିଲ୍ଲା କାହିଁକି ପ୍ରାୟେ ଓଡ଼ିଶାର ଗାଆଁ ମାନଙ୍କର ଯୁବଶକ୍ତି ଅର୍ଥ ଉପାର୍ଜନ ଲକ୍ଷ୍ୟରେ ଚେନ୍ନାଇ ହାଇଦ୍ରାବାଦ ବେଙ୍ଗାଲୁରୁ ପରି ବଡ଼ବଡ଼ ମେଟ୍ରୋ ସହରକୁ କାମ ଅନ୍ୱେଷଣରେ ଚାଲିଯିବା କିଛି ନୁଆ କଥା ନୁହେଁ । ସେମିତି ଦିନେ ମଧ୍ୟ ଚାଲିଯାଇଥିଲେ ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅଧୀନରେ ଥିବା ଚିତ୍ରାକୂଳା ଗ୍ରାମର ସୁବ୍ରତ ନାୟକ । ସୁଦୂର ହାଇଦ୍ରାବାଦର ଗୋଟିଏ ଘରୋଇ କମ୍ପାନୀରେ କାମ ମଧ୍ୟ କରୁଥିଲେ । ନିଜେ ରୋଜଗାରକ୍ଷମ ହେବା ସହ ମାସକୁ ମାସ ଘରକୁ ମଧ୍ୟ ଦୁଇ ପଇସା ପଠାଉ ଥିଲେ । ମାତ୍ର ସମୟର ଅଭିସନ୍ଧି ଥିଲା ଆଉ କିଛି । ୨୦୦୭ ମସିହାରେ ସେହି ମାର୍ଚ୍ଚ ମାସର ଅଶୁଭ ୧୭ ତାରିଖରେ ଗାଡ଼ିରୁ ଗଳିପଡ଼ି ତାଙ୍କର ମେରୁଦଣ୍ଡ ଆଘାତଗ୍ରସ୍ଥ ହେଲା । ଲୁମ୍ବାର ଜୋନ୍ କ୍ଷତିଗ୍ରସ୍ଥ ହେବାରୁ ସବୁଦିନ ପାଇଁ ହରାଇଥିଲେ ଚାଲିବାର ଶକ୍ତି । ଓଲଟପୁରରେ ରହି ଏଗାର ମାସ ଥେରାପି ଚିକିତ୍ସା ନେବା ସତ୍ତ୍ୱେ କୌଣସି ଫଳପ୍ରଦ ହୋଇନଥିଲା । ଘରେ ଦଶବର୍ଷ କାଳ ବିଛଣାରେ ପଡ଼ିରହିବା ଓ କାଆଁ ଭାଆଁ ପଦାକୁ ବାହାରିବା, ଏହିପରି ଗୋଟେ ଗତାନୁଗତିକ ଉତ୍ସାହହୀନ ଜୀବନ ପାଲଟି ଯାଇଥିଲା ସୁବ୍ରତଙ୍କର । ସାଙ୍ଗମାନଙ୍କ ପ୍ରେରଣା ଓ ତାଙ୍କ ବଡ଼ ଭାଇ ଚିନୁନନାଙ୍କ ଆର୍ଥିକ ସହାୟତା ପାଇ ଶେଷକୁ ଦୋକାନ ଟିଏ ଆରମ୍ଭ କଲେ । ପ୍ରଥମେ ମୋବାଇଲ ରିଚାର୍ଜ୍ ଓ ମୋବାଇଲ ମାଧ୍ୟମରେ ପଇସା ଉଠାଇବା ଓ ଡିପୋଜିଟ କରିବା କାମରୁ ଆରମ୍ଭ କରି ଏବେ ନିଜ ନ୍ୟୁ ବୋଲଟ୍ ହୁଇଲ ଚେୟାର ସ୍କୁଟିରେ ଗାଁ କୁ ଗାଁ ବୁଲି ବୃଦ୍ଧ ବୃଦ୍ଧା ମାନଙ୍କ ଭତ୍ତା ଟଙ୍କା ଉଠେଇ ପ୍ରଦାନ କରିବା ପରି ବିବିଧ କାର୍ଯ୍ୟରୁ ମାସକୁ ସାତ ହଜାର ଟଙ୍କା ଭଳି ରୋଜଗାର କରି ପାରୁଛନ୍ତି । ମାତ୍ର ଏତିକି ରାସ୍ତାରେ ଅଟକି ଯିବାକୁ ଚାହୁଁ ନାହାଁନ୍ତି ସୁବ୍ରତ । ନିଜର କାରବାରକୁ ବଢ଼ାଇବା ପାଇଁ ଏହି ଚକବୀର ନିଜର ଆଖିରେ ଧରି ରଖିଛନ୍ତି ଆଖିଏ ସ୍ୱପ୍ନ ।

Leave a Reply

Your email address will not be published. Required fields are marked *

Related Posts