ବିଭିନ୍ନ ସମୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମାନ୍ୟବର ସୁପ୍ରିମକୋର୍ଟ ଭିନ୍ନକ୍ଷମ ମାନଙ୍କ ପ୍ରତି ଅସୂୟାତ୍ମକ,ଆକ୍ଷେପମୂଳକ ଓ ଅପମାନବୋଧକ ଶବ୍ଦର ବ୍ୟବହାରକୁ ନେଇ ନିଷିଦ୍ଧାଜ୍ଞା ଜାରି କରିଛନ୍ତି । ଏହାଛଡ଼ା ଭିନ୍ନକ୍ଷମମାନଙ୍କ ଅଧିକାରକୁ ନେଇ ପ୍ରଣୀତ ନୂତନ ଦିବ୍ୟାଙ୍ଗ ଆଇନ – ୨୦୧୬ ଅନ୍ତର୍ଗତ ଧାରା -୯୨(କ) ଏହିପରି ଆକ୍ଷେପାତ୍ମକ ଶବ୍ଦର ସର୍ବସାଧାରଣ କ୍ଷେତ୍ରରେ ପ୍ରୟୋଗକୁ ଅପରାଧ ରୂପେ ବିବେଚନା କରାଯାଇଛି । ମାତ୍ର ନିକଟରେ ଘଟି ଯାଇଥିବା ଦୁଇଟି ଘଟଣା ଏ ଦିଗରେ ସଚେତନତାର ଏକ ନୈରାଶ୍ୟଜନକ ଚିତ୍ରକୁ ଉପସ୍ଥାପିତ କରିଥାଏ। ତାହା ପୁଣି ଦୁଇଜଣ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ବ୍ୟବସ୍ଥାରେ ଜନପ୍ରତିନିଧି ହେବାର ଗରିମାପ୍ରାପ୍ତ ବ୍ୟକ୍ତି ବିଶେଷ। ପ୍ରଥମ ଘଟଣାଟି ଘଟିଥିଲା ୦୨ , ଏପ୍ରିଲ ବିଶ୍ଵ ଅଟିଜିମ୍ ସଚେତନତା ଦିବସରେ । ଓଡ଼ିଶାର ପ୍ରତିଷ୍ଠିତ ବିଶ୍ଵବିଦ୍ୟାଳୟ କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କର ଏକ ଭାଷଣର ଭିଡ଼ିଓ ଭାଇରାଲ ହୋଇ ଏକ ବଡ଼ ବିବାଦର ଚର୍ଚ୍ଚା ସୃଷ୍ଟି କରିଥିଲା । ସେହି ଦିନଟି ଥିଲା ବିଶ୍ଵ ଅଟିଜିମ୍ ସଚେତନତା ଦିବସ । ପୂର୍ବଜନ୍ମର ମନ୍ଦ କାର୍ଯ୍ୟର ପରିଣାମ ଯୋଗୁଁ ଅଟିଜିମ୍ ଶିଶୁ ଜନ୍ମ ହୁଅନ୍ତି ବୋଲି ମତବ୍ୟକ୍ତ କରିଥିଲେ ଏବଂ ଏହା ପଛରେ ଆଧ୍ୟାତ୍ମିକ ଆଧାର ରହିଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ପରେ ବିଭିନ୍ନ ବର୍ଗରେ ପ୍ରତିକ୍ରିୟା ସହିତ ଉକ୍ତ ସଭାରେ ଉପସ୍ଥିତ ଥିବା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସଶକ୍ତିକରଣ ମନ୍ତ୍ରୀ ପରେ ଏହିପରି ମନ୍ତବ୍ୟକୁ ଅଗ୍ରହଣୀୟ ବୋଲି ଟିପ୍ପଣୀ ଦେଇଥିଲେ । ସେହିପରି ସାମାଜିକକର୍ମୀ ଶ୍ରୁତି ମହାପାତ୍ର ମଧ୍ୟ ଏହାକୁ ଅବୈଜ୍ଞାନିକ ମନ୍ତବ୍ୟ କହି ଘୋର ସମାଲୋଚନା କରିଥିଲେ ।
ଦ୍ଵିତୀୟ ଘଟଣାଟି ସେହିପରି ତାମିଲନାଡୁ ରାଜ୍ୟର । ନିକଟରେ ଏହାର ଜଣେ ମହିଳା ମନ୍ତ୍ରୀ ଏସ୍. କୀର୍ତ୍ତନାଙ୍କ ଦ୍ଵାରା ଭିନ୍ନକ୍ଷମ ବ୍ୟକ୍ତିଙ୍କ ସମ୍ପର୍କିତ ତାଙ୍କର ରକ୍ଷଣଶୀଳ ଅପଶବ୍ଦର ପ୍ରୟୋଗ ପାଇଁ ନିନ୍ଦା ସହିବାକୁ ପଡ଼ିଛି।ଗଣମାଧ୍ୟମ ସହିତ ଏକ ଆଲୋଚନା ସମୟରେ ତାମିଲ ଶବ୍ଦ “ଓନାମୁଟ୍ରୋ” ଅର୍ଥାତ୍ ବିକଳାଙ୍ଗ ପରି ଆଇନତ ନିଷିଦ୍ଧ ଶବ୍ଦ ବ୍ୟବହାର କରିଥିଲେ, ଯେଉଁଥି ପାଇଁ ତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା ଏବଂ ସାମାଜିକ ଗଣମାଧ୍ୟମଠାରୁ ଆରମ୍ଭକରି ବିଭିନ୍ନ ମିଡ଼ିଆ ପ୍ରସାରଣରେ ସମଲୋଚିତ ହେବାକୁ ପଡ଼ିଥିଲା । ବାଧ୍ୟ ହୋଇ ସେ ନିଜର ଏହି ମନ୍ତବ୍ୟ ପାଇଁ ସୋସିଆଲ ମିଡ଼ିଆ ପୋଷ୍ଟରେ କ୍ଷମା ପ୍ରାର୍ଥନା କରିଥିଲେ।
ଉପରୋକ୍ତ ଦୁଇଟି ଘଟଣା ଏକା ସାଙ୍ଗରେ ଆଶା ଓ ନୈରାଶ୍ୟର ଦୁଇଟି ଗବାକ୍ଷକୁ ଆମ ଆଗରେ ଖୋଲିଥାଏ । ପ୍ରଥମଟି ନୈରାଶ୍ୟବାଦକୁ ଇଙ୍ଗିତ କରିଥାଏ। ତାହା ହେଉଛି ସମାଜର ଶ୍ରେଷ୍ଠ ପ୍ରତିନିଧିମାନଙ୍କ ମଧ୍ୟରୁ ଜଣେ ଜନପ୍ରତିନିଧି ତାମିଲନାଡ଼ୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ହେବା ସହ ବ୍ୟବସ୍ଥାପିକାର ମଧ୍ୟ ଅଂଶିଦାର ଅଟନ୍ତି । ଅନ୍ୟ ଜଣେ ଦେଶର ସର୍ବୋଚ୍ଚ ନିୟାମକ ସଂସ୍ଥା ସାଂସଦର ସଦସ୍ୟ ରଖିଥିବା ଅଭିଜ୍ଞ ବ୍ୟକ୍ତି ବିଶେଷମାନଙ୍କ ମଧ୍ୟରେ ଜଣେ । ସେମାନଙ୍କ ଦ୍ଵାରା ଏହି ତ୍ରୁଟି ଆଦୌ ବାଞ୍ଛନୀୟ ନ ଥିଲା । କାରଣ ସାଧାରଣ ଜନତାଙ୍କ ପାଇଁ ସେମାନଙ୍କ ବିଚାର ଓ ଆଚରଣ ପାଇଁ ସର୍ବଦା ଆଦର୍ଶ ସ୍ଥାନୀୟ ହୋଇ ରହିଥାନ୍ତି ଏପରି ବ୍ୟକ୍ତି ବେଶେଷ। ପ୍ରତିଟି ସାମାଜିକ ସଂସ୍କାରର ମଙ୍ଗୁଆଳ ହେବା ସେମାନଙ୍କ ଠାରୁ ଆଶା କରାଯାଏ । ଅଥଚ ସେମାନଙ୍କର ଏହି ନକାରାତ୍ମକ ଆଭିମୁଖ୍ୟ ମୁଖାତଳର ରୂପକୁ ସୂଚାଇ ଦେଇଥାଏ । ଯାହା ଗୋଟିଏ ଇନକ୍ଲୁସିଭ୍ ସୋସାଇଟ ଵା ସମ୍ମିଳିତ ସମାଜର ପରିପନ୍ଥୀ ।
ଦ୍ଵିତୀୟଟି ହେଉଛି ଏହି ନୈରାଶ୍ୟଜନକ ମନୋବୃତ୍ତିର କଳାବାଦଲ ପିଠିରେ ଝଲସି ଉଠିଥିବା ଆଶାର ଧାରେ ବିଜୁଳି । ଯାହା ହେଉଛି ସଚେତନ ଗଣମାଧ୍ୟମ ଓ ଦିବ୍ୟାଙ୍ଗ ସନ୍ତାନମାନଙ୍କ ପିତାମାତା ଏବଂ ସାମାଜିକକର୍ମୀ ସ୍ତରରେ ପ୍ରକାଶ ପାଇଥିବା ପ୍ରତିକ୍ରିୟାର ବିସ୍ଫୋରଣ । ଯାହା ସୂଚାଇଥାଏ ଯେ ସମାଜର ବିଭିନ୍ନ ଜାଗ୍ରତ ଅଂଶିଦାରମାନେ ଆଖିକାନ ବୁଜି ନିଜକୁ ସମ୍ବେଦନଶୂନ୍ୟ କରି ଏସବୁ ମାମଲାରେ ଆଉ ନିଜକୁ ଅଟକାଇ ରଖିବେ ନାହିଁ । କ୍ରିୟାର ପ୍ରତିକ୍ରିୟା ଅବଶ୍ୟ ଭୋଗିବାକୁ ହେବ !!