ଭାରତୀୟ ଶିକ୍ଷା ବ୍ୟବସ୍ଥାର ଚିତ୍ରକୁ ନେଇ ନିକଟରେ ପ୍ରକାଶ ପାଇଥିବା ନିତି ଆୟୋଗର ରିପୋର୍ଟ ଦେଶରେ ଥିବା ସରକାରୀ ସ୍କୁଲ ଗୁଡ଼ିକର ମୌଳିକ ସୁବିଧାର ଉପଲବ୍ଧତା ଓ ସୁଗମ୍ୟତାକୁ ନେଇ ଏକାଧିକ ପ୍ରଶ୍ନ ଉତ୍ଥାପନ କରିଛି । ଉକ୍ତ ରିପୋର୍ଟରେ ପ୍ରକାଶିତ ତଥ୍ୟ ଦେଶର ସ୍କୁଲ ବ୍ୟବସ୍ଥାର ଭିତ୍ତିଭୂମିଗତ ଦୟନୀୟ ଚିତ୍ରକୁ ଉତ୍ତଳିତ କରିଥାଏ । ଯେପରି ସ୍କୁଲରେ ବିଜୁଳି ସଂଯୋଗର ସୁବିଧା, ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବହାର ଯୋଗ୍ୟ ଶୌଚାଳୟର ସ୍ଥିତି, ପାନୀୟ ଜଳର ବ୍ୟବସ୍ଥା ଓ ସାଇନ୍ସ ଲ୍ୟାବ ପରି ଆନୁସଙ୍ଗିକ ଭିତ୍ତିଭୂମିର ନୈରାଶ୍ୟ ଜନକ ଚିତ୍ରକୁ ଉପସ୍ଥାପିତ କରିଥାଏ । ପୁନଶ୍ଚ ଏହି ରିପୋର୍ଟ ମଧ୍ଯ ସ୍କୁଲରେ ଥିବା ଶିକ୍ଷକ ଓ ଛାତ୍ର ଅନୁପାତ, ଶୂନ୍ୟ ପଡ଼ିଥିବା ପଦବୀ ସଂଖ୍ୟା, ଶିକ୍ଷାଦାନର ଯୋଗ୍ୟତା ଏବଂ ବିଶେଷ କରି ବିବିଧ କାର୍ଯ୍ୟରେ ନିୟୋଜିତ ରହି ନଷ୍ଟ ହେଉଥିବା ଶିକ୍ଷାଦାନ ଦିବସ ପ୍ରଭୃତି ବିଷୟରେ ତଥ୍ୟ ପ୍ରଦାନ କରିଅଛି ।
କିନ୍ତୁ ସବୁଠାରୁ ଚିନ୍ତା ଉଦ୍ରେକକାରି ତଥ୍ୟ ହେଉଛି ଏହି ସ୍କୁଲ ମାନଙ୍କରେ ପାଠ ପଢ଼ୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସମ୍ପର୍କିତ ଚିନ୍ତାଜନକ ତଥ୍ୟ। ସମଗ୍ର ଶିକ୍ଷା ଅଧିନ ଅନ୍ତର୍ଗତ 0-୧୮ ବର୍ଷ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯେଉଁମାନଙ୍କୁ ସି.ଡବ୍ଲୁ. ଏସ. ଏନ ବା ସ୍ଵତନ୍ତ୍ର ଆବଶ୍ୟକତା ରଖୁଥିବା ଶିଶୁମାନେ ଅନ୍ତର୍ଗତ। ରିପୋର୍ଟ ଉନ୍ମୋଚନ କରୁଥିବା ତଥ୍ୟ ଅନୁଯାୟୀ ଅଧିକାଂଶ ସ୍କୁଲ ତଥାପି ବାଧାରହିତ ଶ୍ରେଣୀକକ୍ଷ, ସ୍ପର୍ଶ ଅନୁକୂଳ ପଥ ଓ ଉଚ୍ଚତା ନିୟନ୍ତ୍ରଣ ଯୋଗ୍ୟ ଆସବାବ ପତ୍ର ପରି ମୌଳିକ ସୁବିଧା ଉପଲବ୍ଧ ନାହିଁ । ଏହି ଅଭାବ ଜନିତ ପ୍ରତିବନ୍ଧକତା ଚଳନଶକ୍ତି ଓ ଦୃଷ୍ଟିଶକ୍ତି ବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ସ୍କୁଲ ଉପସ୍ଥାପନରେ ପ୍ରତିକୂଳ ସାବ୍ୟସ୍ତ ହେଉଛି । କେତେକ କ୍ଷେତ୍ରରେ ନିରାପଦ ଓ ଆକ୍ସେସେବଲ ସ୍ଥାନର ଅଭାବ ବିଶେଷ କରି ଭିନ୍ନକ୍ଷମତା ରହିଥିବା କୈଶୋର ପ୍ରାପ୍ତ ବାଳିକା ମାନଙ୍କର ସ୍କୁଲରେ ଉପସ୍ଥାପନାକୁ ମଧ୍ଯ ନୀରବରେ ପ୍ରଭାବିତ କରୁଅଛି ।
ମାତ୍ର ଏହି ରିପୋର୍ଟଟି ପୂର୍ବ ଦଶନ୍ଧି ତୁଳନାରେ ଅନେକ ଦିଗରୁ ହୋଇଥିବା ଓ ପରିଦୃଶ୍ୟ ହେଉଥିବା ଅଗ୍ରଗତି ଗୁଡ଼ିକ ମଧ୍ୟ ଉଲ୍ଲେଖ କରିଛି । ବିଶେଷ କରି ସ୍କୁଲ୍ ଗୁଡ଼ିକରେ ହୋଇଥିବା ଭିତ୍ତିଭୂମିଗତ ସୁଗମ୍ୟତାର ଉନ୍ନତିକୁ ଉଲ୍ଲେଖ କରିଛି । ଏହି ରିପୋର୍ଟର ତଥ୍ୟ ଅନୁଯାୟୀ ୨୦୧୪-୧୫ ବର୍ଷରେ ସ୍କୁଲଗୁଡ଼ିକରେ ଉପଲବ୍ଧ ଥିବା ରାମ୍ପର ପ୍ରତିଶତ ୫୯.୭୭ ରହିଥିବା ବେଳେ ଏହା ୨୦୨୪-୨୫ ଶିକ୍ଷାବର୍ଷରେ ୩୨ ଭାଗ ଅଭିବୃଦ୍ଧି ଘଟି ୭୯.୧ ପ୍ରତିଶତରେ ପହଂଚିଛି । ସେହିପରି ୨୦୧୪-୧୫ ବର୍ଷରେ ସ୍କୁଲ ମାନଙ୍କରେ ଏହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ରହିଥିବା କାର୍ଯ୍ୟକ୍ଷମ ଶୌଚାଳୟ ୧୬.୬୪ ପ୍ରତିଶତରୁ ଦୁଇ ଗୁଣା ବୃଦ୍ଧି ପାଇ ୨୦୨୪-୨୫ ରେ ୩୩.୪ ପ୍ରତିଶତ ରେ ପହଁଚିଛି ।
ସେହିପରି ଲର୍ଣିଂ ଡିଜାବିଲିଟି ବା ଶିକ୍ଷଣ ଅକ୍ଷମତା ସମ୍ପର୍କରେ ନିତି ଆୟୋଗର ରିପୋର୍ଟ ଖୁବ୍ ଗମ୍ଭୀର ଭାବେ ନିଜର ଉଦବିଘ୍ନତା ପ୍ରକାଶ କରି କହିଛି ଯେ ଭାରତୀୟ ମୁଖ୍ୟ ଧାରାର ଶିକ୍ଷା ବ୍ୟବସ୍ଥାରେ ଏହି ଦିଗଟି ବହୁ ଭାବରେ ଅଣଦେଖା ହୋଇ ରହିଛି । ପ୍ରାଥମିକ ସ୍କିନିଗ ବା ପରୀକ୍ଷଣରେ, ଡିସଲେକସିଆ , ଡିସକାଲୁକୁଲିଆ ପରି ଶିକ୍ଷଣ ବିଶୃଙ୍ଖଳଜନିତ ଭିନ୍ନକ୍ଷମତା ଚିହ୍ନଟ ହୋଇପାରୁନାହିଁ । ଏହାର କାରଣ ଶିକ୍ଷକ ମାନଙ୍କ ମଧ୍ୟରେ ସ୍ୱଳ୍ପ ସଚେତନତା ଓ ଆବଶ୍ୟକ ସହାୟକ ସହଯୋଗକ୍ଷେତ୍ରର ଅଭାବ ବୋଲି ଏଥିରେ ଉଲ୍ଳେଖ ହୋଇଅଛି। ବହୁ କ୍ଷେତ୍ରରେ ଏହିପରି ଛାତ୍ର ମାନଙ୍କୁ କମ୍ ମେଧାଯୁକ୍ତ ବୋଲି ଭୁଲ ଭାବରେ ଚିହ୍ନଟ କରାଯାଉଥିବାରୁ ଏହା ସାମାଜିକ ଅପବାଦ, ହତାଶାବୋଧ ଓ ଶୈକ୍ଷିକମଣ୍ଡଳରୁ ଅପସାରଣରେ ସହାୟକ ହେଉଛି । ଅଦ୍ୟାବଧି ଶ୍ରେଣୀକକ୍ଷର ପରିବେଶ ଗୁଡ଼ିକ ଛାତ୍ର ଛାତ୍ରୀଙ୍କ ବିବିଧ ଅବବୋଧର ଆବଶ୍ୟକତାକୁ ପରିପୁରଣ ପାଇଁ ପ୍ରସ୍ତୁତ କରାଯାଇ ନାହିଁ। ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଖୁବ୍ କୋଚିତ୍ ଏହିପରି ଆହ୍ବାନକୁ ଚିହ୍ନଟ କରିବା ପାଇଁ ଅଭିଜ୍ଞ ପ୍ରଶିକ୍ଷକଙ୍କ ସହାୟତା ନିଆଯାଇଥାଏ। ରିପୋର୍ଟ ପୁଣି ପ୍ରକାଶ କରିଛି ଯେ ଯଦିଓ ଇନକ୍ଲୁସିଭ ଏଯୁକେଶନ ବା ସମାବେଶୀ ଶିକ୍ଷାର ବିସ୍ତାର ଘଟିଛି କିନ୍ତୁ ଏହାର ପ୍ରାଥମିକ ଭାବେ ଭୌତିକ ଓ ଇନ୍ଦ୍ରିୟ ବାଧିତ କ୍ଷେତ୍ର ଗୁଡ଼ିକରେ କେନ୍ଦ୍ରିତ ହୋଇ ରହିଛି । ଯାହାର ପରିଣାମ ସ୍ୱରୂପ ଶିକ୍ଷଣ ଅକ୍ଷମତା ଥିବା ଶିଶୁମାନେ ନିରବଚ୍ଛିନ୍ନ ଭାବେ ଅର୍ଥପୂର୍ଣ୍ଣ ଅଂଶଗ୍ରହଣରୁ ବ୍ୟାହତ ରହୁଛନ୍ତି, ଯଦିଓ ଏ ଦିଗରେ ସଫଳତାର ସମସ୍ତ ସମ୍ଭାବନା ଉପଯୁକ୍ତ ସହଯୋଗ ରହିଲେ ଏମାନେ ହାସଲ କରନ୍ତେ ।