ଆମ ଦେଶରେ ପ୍ରତି ଦଶବର୍ଷରେ ଥରେ ଜନଗଣନା କରାଯାଏ। ଜନଗଣନା କେବଳ ଲୋକଙ୍କ ସଂଖ୍ୟା ଗଣିବା କାର୍ଯ୍ୟ ନୁହେଁ,ଏହା ହେଉଛି ସରକାର ଆମକୁ ଦେଖିବାର ସବୁଠାରୁ ବଡ଼ ସୁଯୋଗ। ଏହି ଜନଗଣନାରେ ପୁରୁଷ,ମହିଳା, ଯୁବକ ଓ ଶିଶୁଙ୍କୁ ବୟସ ଅନୁଯାୟୀ ବର୍ଗୀକରଣ କରାଯାଏ। ତଦନୁଯାୟୀ ବିଭିନ୍ନ ଜନକଲ୍ୟାଣ ଯୋଜନା ପ୍ରସ୍ତୁତ ହୁଏ । ଆମ ଦେଶର ଜନସଂଖ୍ୟାର ୨.୨୧% ପ୍ରତିଶତ ଯାହା ୨୦୧୧ ମସିହା ଜନଗଣନା ଅନୁଯାୟୀ ଦୁଇକୋଟି ଅଠଷଠି ଲକ୍ଷ ଲୋକ ଦିବ୍ୟାଙ୍ଗ ଶ୍ରେଣୀଭୁକ୍ତ । ଆମ ଦେଶର ଜନସଂଖ୍ୟାକୁ ବିଚାର କଲେ ଏହା ଏକ ବୃହତ୍ତର ବର୍ଗ। ଯଦି ଜନଗଣନା ସମୟରେ ସେମାନଙ୍କର ସଠିକ୍ ଗଣନା ନ ହୁଏ, ତେବେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଜନମଙ୍ଗଳ କାର୍ଯ୍ୟ ଯଥା ବିଦ୍ୟାଳୟ, ଡାକ୍ତରଖାନା, କର୍ମସଂସ୍ଥାନ ଓ ସହାୟତା ଇତ୍ୟାଦି କାର୍ଯ୍ୟ ସଠିକ୍ ଭାବରେ କ୍ରିୟାନ୍ଵୟନ ହୋଇପାରିବ ନାହିଁ। ଜନଗଣନା ଓ ଦିବ୍ୟାଙ୍ଗତାର ସମ୍ପର୍କ ସିଧାସଳଖ ସେମାନଙ୍କ ଅଧିକାର ଓ ସୁଯୋଗ ସହ ଯୋଡ଼ିହୋଇ ରହିଥିବାରୁ ଦିବ୍ୟାଙ୍ଗମାନେ ଚଳନ୍ତି ଜନଗଣନାରେ ନିଜକୁ ସାମିଲ କରି ନିଜର ଅଧିକାର ଓ ଦିବ୍ୟାଙ୍ଗମାନଙ୍କ ପାଇଁ ଅଭିପ୍ରେତ ସୁଯୋଗକୁ ପ୍ରାପ୍ତ ହେବା ଉଚିତ୍।
୨୦୧୧ ମସିହା ଜନଗଣନାରେ ସାତ ପ୍ରକାରର ଦିବ୍ୟାଙ୍ଗତାକୁ ବିବେଚନା କରି ଗଣାଯାଉଥିଲା। ଯଥା – ଦୃଷ୍ଟି, ଶ୍ରବଣ,ଚଳନ,ମାନସିକ ଓ ବୌଦ୍ଧିକ ଇତ୍ୟାଦି। ମାତ୍ର ୨୦୧୬ ମସିହାରେ ନୂତନ ଦିବ୍ୟାଙ୍ଗମାନଙ୍କ ଅଧିକାର ଆଇ (ଆ
RPwD Act)ରେ ଏହି ଦିବ୍ୟାଙ୍ଗତାର ପ୍ରକାରକୁ ଏକୋଇଶିକୁ ବୃଦ୍ଧି କରାଯାଇଅଛି। ଏଥିରେ ଅଟିଜିମ୍, ଆଲାସେମିଆ, ଏସିଡ଼ ଆକ୍ରମଣ ଜନିତ ଦିବ୍ୟାଙ୍ଗତା ଓ ମାନସିକ ବ୍ୟାଧିକୁ ମଧ୍ୟ ସାମିଲ କରାଯାଇଅଛି।
ଆମ ଦେଶରେ ବିଗତ ଗତ ଜନଗଣନା ସମୟରେ ଦିବ୍ୟାଙ୍ଗଙ୍କ ସଂଖ୍ୟା ଯେତିକି ଦର୍ଶାଯାଇଥିଲା, ପ୍ରକୃତ ସଂଖ୍ୟା ତାହାଠାରୁ ଯଥେଷ୍ଟ ଅଧିକ। କାରଣ ଅନେକ ପରିବାର ସାମାଜିକ ଲଜ୍ଜା ପାଇଁ ଏ ତଥ୍ୟକୁ ଲୁଚାନ୍ତି। ମାନସିକ ଓ ବୌଦ୍ଧିକ ଦିବ୍ଯାଙ୍ଗତା ସଠିକ୍ ନିର୍ଣ୍ଣୟ କରାଯାଇପାରେନା। ଏତଦ୍ବ୍ୟତୀତ ପରିବାର ଦ୍ଵାରା ଅବାଞ୍ଛିତ ହୋଇ ରାସ୍ତାକଡ଼ରେ କିମ୍ବା କୌଣସି ଅନୁଷ୍ଠାନରେ ରହୁଥିବା ଦିବ୍ୟାଙ୍ଗମାନେ ଏହି ଗଣନାରୁ ବଞ୍ଚିତ ହୋଇ ରହିଯାଆନ୍ତି ।
ଜନଗଣନାରେ ଦିବ୍ୟାଙ୍ଗତା ସମ୍ପର୍କୀୟ ସଠିକ୍ ତଥ୍ୟ ଦ୍ଵାରା ହିଁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟ, ଦିବ୍ୟାଙ୍ଗମାନଙ୍କ ସୁଗମ ଯାତାୟାତ ପାଇଁ ରାମ୍ପ, ବସ୍ ଓ ରେଳରେ ସ୍ଥାନ ସଂରକ୍ଷଣ, ପେନସନ୍ ଓ ସେମାନଙ୍କୁ ସ୍ଵାବଲମ୍ବୀ କରିବାକୁ ବଜେଟ୍ ଇତ୍ୟାଦି ପ୍ରସ୍ତୁତ କରାଯାଏ । ଯଦି ଏହି ଗଣନାରେ ସଠିକ୍ ସଂଖ୍ୟା ନ ଆସେ ତେବେ ସେମାନଙ୍କ ପାଇଁ ଯେଉଁ ସ୍ଵତନ୍ତ୍ର ପ୍ରାବଧାନ କରା କରାଯିବା କଥା ତାହା ହୋଇପାରେନା। ସେମାନଙ୍କ ସଠିକ୍ ତଥ୍ୟ ନ ମିଳିବାର ପ୍ରମୁଖ କାରଣ ହେଲା ଜନଗଣନାକାରୀଙ୍କ ପ୍ରଶିକ୍ଷଣ ଓ ସଚେତନତାର ଅଭାବ, ଦିବ୍ୟାଙ୍ଗମାନଙ୍କର ସେମାନଙ୍କ ଅଧିକାର ସମ୍ପର୍କରେ ଅସଚେତନତା। ଏତଦ୍ବ୍ୟତୀତ ଯେଉଁ ସୂଚନା ଓ ଆବେଦନ ଫର୍ମ ଦିଆଯାଉଅଛି, ତା’ର କ୍ଲିଷ୍ଟତା ଓ ଦୃଷ୍ଟି ବାଧିତମାନଙ୍କର ଅସୁବିଧା ।
ଚଳନ୍ତି ଜନଗଣତା ସମୟରେ ଦିବ୍ୟାଙ୍ଗମାନଙ୍କର ସଠିକ୍ ଅନ୍ତର୍ଭୁକ୍ତିକରଣ ପାଇଁ ଏହା ଉପରେ ବିଶେଷ ଧ୍ୟାନ ଦେବା ସହ ପ୍ରତ୍ୟେକ ଗଣନାକାରୀଙ୍କର ଧ୍ୟାନ ଓ ଧେୟ ରହିବା ଉଚିତ୍ ଯେ ତାଙ୍କର ଏ କାର୍ଯ୍ୟରେ ଯେମିତି ଜଣେ ହେଲେ ଦିବ୍ୟାଙ୍ଗ ବଞ୍ଚିତ ରହି ନ ଯାଏ । ଏତଦ୍ବ୍ୟତୀତ ଯେଉଁ ପରିବାରରେ ଦିବ୍ୟାଙ୍ଗଜନ ଅଛନ୍ତି, ସେ ପରିବାରର ବ୍ୟକ୍ତିମାନେ ଦିବ୍ୟାଙ୍ଗ ସମ୍ପର୍କୀୟ ସୂଚନା ପ୍ରଦାନରେ ସଂକୋଚତା ଓ ପ୍ରତିଷ୍ଠା କ୍ଷୁଣ୍ଣର ଭୟକୁ ପରିହାର କରି ସଠିକ୍ ସୂଚନା ପ୍ରଦାନ କରନ୍ତୁ ।
ଗଣନାରେ ସଠିକ୍ ତଥ୍ୟ ପ୍ରଦାନ ନ କଲେ କିପରି ସମସ୍ୟା ସୃଷ୍ଟି ହୁଏ, ତାହା ଆମ ଓଡ଼ିଶାର ଏକ ଦୃଷ୍ଟାନ୍ତରୁ ସହଜରେ ଅନୁମେୟ। ସୁମିତ୍ରା ବେହେରା । ଘର ଗଞ୍ଜାମ ଜିଲ୍ଲାରେ। ଆଜନ୍ମରୁ ତାଙ୍କର ଦୁଇଟି ପାଦ କାମ କରୁ ନ ଥିଲା । ୨୦୧୧ ମସିହାର ଜନଗଣନା ସମୟରେ ଝିଅର ଦିବ୍ୟାଙ୍ଗତାକୁ ଲୁଚାଇ ପରିବାର ଲୋକେ ଲଜ୍ଜାବଶତଃ ସଠିକ୍ ତଥ୍ୟ ଦେଇ ନ ଥିଲେ,କେବଳ କହିଥିଲେ ସେ ଭଲଅଛି। ୨୦୧୮ ମସିହାରେ ସେହି ଗ୍ରାମର ଆଶାକର୍ମୀ ଓ ଡି.ପି.ଓ. ତାଙ୍କୁ ବୁଝାଇଲେ ତୁମ ନାମ ଦିବ୍ୟାଙ୍ଗଙ୍କ ତାଲିକାଭୁକ୍ତ ହେଲେ, ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ସୁଯୋଗ ତୁମେ ପାଇପାରିବ। ୨୦୧୧ ମସିହା ଜନଗଣନା ସମୟରେ ତୁମ ପରିବାର ଲୋକେ ତୁମ ସମ୍ପର୍କୀୟ ତଥ୍ୟ ପ୍ରଦାନ ନ କରିଥିବାରୁ ତୁମେ ସେ ସୁବିଧାରୁ ବଞ୍ଚିତ ରହଛ। ସୁମିତ୍ରା ତା’ପରେ ନିଜେ ସର୍ଭେ ଆବେଦନ ପତ୍ରରେ ନିଜ ନାମ ଯୋଡ଼ିଲେ,ଯୋଡ଼ିବା ପରେ ତାଙ୍କୁ ମାସିକ ଦିବ୍ୟାଙ୍ଗ ଭତ୍ତା ମିଳିବା ସହ ଗୋଟିଏ ତିନିଚକିଆ ସାଇକେଲ ମିଳିଲା। ଏବେ ସେ ସେହି ଗାଆଁର ସ୍ଵୟଂ ସହାୟକ ଗୋଷ୍ଠୀରେ ହିସାବରକ୍ଷକ କାର୍ଯ୍ୟ କରୁଅଛନ୍ତି। ଏବେ ସେ କହୁଛନ୍ତି – ମୁଁ ଯେତେବେଳେ ଗଣା ହେଲି, ସେତେବେଳେ ମୋ ପାଇଁ ଦୁନିଆର ଦ୍ଵାର ଖୋଲିଗଲା।
ସୁମିତ୍ରାଙ୍କ ପରି ହଜାର ହଜାର ଦିବ୍ୟାଙ୍ଗ ଏମିତି ଅଦୃଶ୍ୟ ଅବସ୍ଥାରେ ରହିଯାଇ ନିଜକୁ ଅଭିଶପ୍ତ ମଣି ଭାଗ୍ୟ ବିରୁଦ୍ଧରେ ଅଭିସମ୍ପାତ ଢାଳୁଛନ୍ତି । ତେଣୁ ଚଳନ୍ତି ଜନଗଣନା ସମୟରେ ଦିବ୍ୟାଙ୍ଗମାନଙ୍କୁ ଯଥାଯଥ ଭାବରେ ତାଲିକାଭୁକ୍ତ କରିବାର ଦାୟିତ୍ଵ ପ୍ରତ୍ୟେକ ବ୍ୟକ୍ତିବିଶେଷ, ଦିବ୍ୟାଙ୍ଗଜନ ଥିବା ପରିବାର, ଦିବ୍ୟାଙ୍ଗଙ୍କୁ ସାହାଯ୍ୟ ଓ ସହାୟତା ପ୍ରଦାନ କରୁଥିବା ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନମାନଙ୍କର ରହିଅଛି। ଆମେ କେବେ ଭାବିବା ନାହିଁ ଯେ ଏହି ଜନଗଣନା ହେଉଛି, ସରକାରଙ୍କର ଏକ ଔପଚାରିକତା, ଏହା ହେଉଛି ଏକ ପ୍ରତିଶ୍ରୁତି ଯେ ଅନ୍ୟ ସମସ୍ତ ସାଧାରଣ ମଣିଷମାନଙ୍କ ପରି ଦିବ୍ୟାଙ୍ଗମାନେ ମଧ୍ୟ ଏ ଦେଶର ଅଂଶ । ସେମାନେ ସଠିକ୍ ଭାବରେ ଗଣାହେଲେ ସେମାନଙ୍କୁ ତାଙ୍କର ସମାନ ଅଧିକାର ପ୍ରଦାନ କ୍ଷେତ୍ରରେ ଆମେ ଆଉ ଗୋଟିଏ ପଦକ୍ଷେପ ଆଗକୁ ଯାଇପାରିବା । ଜନଗଣନା ହେଉଛି ଦେଶର ଚମକରେ ତା’ର ସଦୃଶ୍ୟତାରେ ମନମୋହିବ, ଯେତେବେଳେ ପ୍ରତିଟି ଦିବ୍ୟାଙ୍ଗ ତାଙ୍କର ପ୍ରକୃତ ବର୍ଗ ଅନୁଯାୟୀ ଏଥିରେ ସାମିଲ ହେବେ। ପ୍ରତ୍ୟେକ ଦିବ୍ୟାଙ୍ଗ ଏହାକୁ ମନେ ରଖିବା ଉଚିତ୍ ଯେ, ସେମାନେ ଗଣନା ହେଲେ ହିଁ ଗଣତିରେ ଆସିବେ, ଏବଂ ଗଣତିରେ ଆସିଲେ ହିଁ ନାଗରିକ ଅଧିକାର ସାବ୍ୟସ୍ତ ସହ ମର୍ଯ୍ୟାଦା ପାଇ ପାରିବେ।
ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର
ସମ୍ପର୍କ : ୭୦୦୮୦୨୭୨୮୩

