ଓଡିଶାର ରାଜନୈତିକ ଦୃଶ୍ୟପଟ୍ଟରେ ଖୁବ କ୍ଵଚିତ୍ ଭିନ୍ନକ୍ଷମମାନଙ୍କ ପଦଚିହ୍ନର ନଜିର ରହିଛି । ସମାଜର ମାନସିକତାରେ ଏବେ ମଧ୍ୟ ସେମାନଙ୍କ ରାଜନୈତିକ ଦକ୍ଷତା ପ୍ରତି ପ୍ରଶ୍ନ ଚିହ୍ନ ଜୀବନ୍ତ ହୋଇ ରହିଛି । ଏସବୁ ପ୍ରତିକୁଳତା ମଧ୍ୟରେ ଦୃଢ ଇଚ୍ଛାଶକ୍ତି ଓ ଲୋକମାନଙ୍କୁ ସେବାକାରିବାର ପ୍ରତିବଦ୍ଧତା ନେଇ କତିପୟ ଭିନ୍ନକ୍ଷମ ଯୁବଶକ୍ତି ଆଗକୁ ଅଣ୍ଟା ଭିଡିଛନ୍ତି । ସେହିମାନଙ୍କ ସମ୍ପର୍କରେ “ପୁନର୍ବାସ ସମାଚାର”ର ଏହି ସ୍ଵତନ୍ତ୍ର ଅଲେଖ୍ୟ ସମ୍ବିଳିତ ସାକ୍ଷାତ୍କାର ।
“ଏକ ସମାବେଶୀ ଓ ନ୍ୟାୟଭିତ୍ତିକ ଗଣତନ୍ତ୍ର ପାଇଁ ସଂରକ୍ଷଣ ଆବଶ୍ୟକ “
ପ୍ରଥମ ଦିବ୍ୟାଙ୍ଗ ସରପଞ୍ଚ ଓ ଜିଲ୍ଲାପରିଷଦ ସଦସ୍ୟ
ସୁରେଶ ଚୌଧୁରୀ ।
ସୁରେଶ ଚୌଧୁରୀ କହିଲେ ଯେଉଁ ବ୍ୟକ୍ତିତ୍ୱର ଚେହେରା ଝଲସି ଉଠେ ତାହା ହେଉଛି ଜଣେ ସଫଳ ଦିବ୍ୟାଙ୍ଗ ରାଜନୈତିକ ବ୍ୟକ୍ତିତ୍ୱର । ଶତକଡ଼ା ୬୦% ଚଳନଶକ୍ତି ବାଧିତ ଥାଇ ରାଜନୀତି କ୍ଷେତ୍ରରେ ନିଜର ସଫଳ ମୁଦ୍ରାଙ୍କ ରଖି ପାରିଥିବା ଏହି ଅଭିଜ୍ଞ ଯୁବ ରାଜନୀତିଜ୍ଞ ଜନସେବକର ସ୍ୱପ୍ନକୁ ଏକ ବୃହତ୍ତର ପୃଷ୍ଠ ପଟ୍ଟରେ ସାକାର କରିବାର ଅଭିପ୍ସା ରଖନ୍ତି । ୧୯୭୮ ମସିହାରେ ଜନ୍ମିତ ସୁରେଶ ବାବୁ ମାତ୍ର ୨୭ ବର୍ଷ ବୟସରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡ଼ା ପଞ୍ଚାୟତର ସରପଞ୍ଚ ରୂପେ ବିଜୟ ଲାଭ କରନ୍ତି । ଗଭୀର ଆତ୍ମବିଶ୍ଵାସ ଓ ଲୋକ ସମ୍ପର୍କକୁ ଆଧାର କରି ଏହି କ୍ଷେତ୍ରରେ ଆଗକୁ ଅଗ୍ରସର ହୁଅନ୍ତି । ଯେତେବେଳେ ସାମାଜିକ ଦୃଷ୍ଟିକୋଣ ଭିନ୍ନକ୍ଷମଟିର ରାଜନୈତିକ ପ୍ରାର୍ଥୀ ରୂପେ ଅସ୍ଥିତ୍ଵକୁ ହେୟ ଓ ନକରାତ୍ମକ ଚକ୍ଷୁରେ ଦେଖୁଥିଲା, ସେହି ସମୟରେ ସୁରେଶ ଚୌଧୁରୀଙ୍କ ସଫଳତା ଏବଂ ଅଦ୍ୟାବଧି ରାଜନୀତି କ୍ଷେତ୍ରରେ ନିରନ୍ତର ସକ୍ରିୟତା ଦିବ୍ୟାଙ୍ଗଙ୍କ ରାଜନୈତିକ ସଶକ୍ତିକରଣ କ୍ଷେତ୍ରରେ ଏକ ଆସ୍ଥାପ୍ରଦ ସୂଚନା କହିଲେ ଅତ୍ୟୁକ୍ତି ହେବନାହିଁ । ୨୦୨୨ ମସିହାରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଜୋନ- ୨ର ଜିଲ୍ଲାପରିଷଦ ସଦସ୍ୟ ରୂପେ ବିଜୟଲାଭ କରିବା ତାଙ୍କର କାର୍ଯ୍ୟଧାରା ଓ ଲୋକ ସମ୍ପର୍କକୁ ଦର୍ଶାଇ ଥାଏ । ସମ୍ପ୍ରତି କର୍ଲାମୁଣ୍ଡା ବ୍ଲକ କଂଗ୍ରେସ ସଭାପତି ଓ ଜିଲ୍ଲା କଂଗ୍ରେସ କମିଟି ଡିଜାବିଲିଟି ସେଲର ଜିଲ୍ଲା ସଂଯୋଜକର ଦାୟିତ୍ୱରେ ରହିଥିବା ଶ୍ରୀ ଚୌଧୁରୀ ଖୁବ୍ ଦୃଢ଼ ସ୍ବରରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ରାଜନୀତିରେ ସଂରକ୍ଷଣର ବ୍ୟବସ୍ଥା ସମ୍ପର୍କରେ ମତ ଦେଇଥାନ୍ତି ।
ପୁନର୍ବାସ ସମାଚାର ସହିତ ଦିବ୍ୟାଙ୍ଗଙ୍କ ରାଜନୈତିକ ଅନ୍ତର୍ଭୁକ୍ତି ସମ୍ପର୍କିତ ଏକ ସାକ୍ଷାତକାରରେ ସେ ନିମ୍ନମତେ ତାଙ୍କ ଦୃଷ୍ଟିକୋଣକୁ ଉପସ୍ଥାପିତ କରିଛନ୍ତି ।
ପ୍ରଶ୍ନ୧- ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ସମ୍ପର୍କିତ ନୂତନ ଆଇନ ପ୍ରଣୟନ ହେବାର ବହୁ ପୂର୍ବରୁ ଆପଣ ରାଜନୀତିକ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ , ବିଶେଷ କରି ଯେଉଁ ସମୟରେ ଭିନ୍ନକ୍ଷମଙ୍କ ପ୍ରତି ସେତେଟା ସାମାଜିକ ସଚେତନତା ନ ଥିଲା । ସେହି ଅନୁଭୂତିର କଠିନତା ଆପଣଙ୍କ ପାଇଁ କିପରି ରହିଥିଲା ?
RPwD Act – ୨୦୧୬ ଆସିବା ପରେ ଅନେକ କ୍ଷେତ୍ରରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି ହୋଇଛି।ଏହି ଆଇନର ଉପଯୁକ୍ତ ପ୍ରୟୋଗ ହେଲେ ଦିବ୍ୟାଙ୍ଗମାନେ ଆଗକୁ ବିଭିନ୍ନ କ୍ଷେତ୍ରରେ ସଫଳ ହୋଇପାରିବେ । ଛାତ୍ର ସମୟରୁ ମୋର ସମାଜସେବା ପ୍ରତି ରୁଚିଥିଲା। ପରବର୍ତ୍ତୀ ସମୟରେ ଲୋକଙ୍କ ଅତି ନିକଟତର ହୋଇ ରାଜନୀତିକୁ ପ୍ରବେଶ କଲି । ଏବଂ ମୋର ନିଜ ଗ୍ରାମ ପଞ୍ଚାୟତରୁ ୨୦୦୭ରେ ସରପଞ୍ଚ ଭାବେ ନିର୍ବାଚିତ ହେଲି। ସେହି ସମୟରେ ଦିବ୍ୟାଙ୍ଗ ମାନଙ୍କ ପ୍ରତି ସାଧାରଣ ଲୋକଙ୍କ ଦୃଷ୍ଟିଭଙ୍ଗୀ, ଅସୁଗମ୍ୟ ପରିବେଶ , ଆର୍ଥିକ ସମସ୍ୟା ଏବଂ ଘରକୁ ଘର ବୁଲି ପ୍ରଚାର ଓ ଯାତାୟାତ ବ୍ୟବସ୍ଥା ମୋ ପାଇଁ କଷ୍ଟକର ଥିଲା ।
ପ୍ରଶ୍ନ-୨ ସଂପ୍ରତି ଦିବ୍ୟାଙ୍ଗମାନଙ୍କ ପ୍ରତି ରାଜନୀତି କ୍ଷେତ୍ରରେ କ’ଣ ଦୃଷ୍ଟିକୋଣ ବଦଳିଛି ?
ସମ୍ପ୍ରତି ବିଭିନ୍ନ କ୍ଷେତ୍ରରେ ଦିବ୍ୟାଙ୍ଗ ମାନେ ସଫଳତା ପାଇଁ ଲୋକଲୋଚନକୁ ଆସିଲେଣି । ଗାଆଁରୁ ଆରମ୍ଭ କରି ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଦିବ୍ୟାଙ୍ଗ ସଂଗଠନ ହେଲାଣି।ରାଜନୈତିକ ଦଳମାନେ ମଧ୍ଯ ଦିବ୍ୟାଙ୍ଗଙ୍କୁ ତାଙ୍କ ଇସ୍ତାହାରରେ ସ୍ଥାନ ଦେଲେଣି । ଅନେକ ଦିବ୍ୟାଙ୍ଗ ସକ୍ରିୟ ଭାବେ ବିଭିନ୍ନ ରାଜନୈତିକ ଦଳରେ ସାମିଲ ହେଲେଣି । ବର୍ତ୍ତମାନ ମୁଁ ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ଜିଲ୍ଲାପରିଷଦ ଭାବେ ନିର୍ବାଚିତ ହୋଇଛି । ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳର ପ୍ରାର୍ଥୀକୁ ପରାଜିତ କରି କଳାହାଣ୍ଡି ଜିଲ୍ଲାରେ ମୁଁ ଜଣେ ମାତ୍ର ଜିଲ୍ଲାପରିଷଦ ସଦସ୍ୟ । ଲୋକଙ୍କ ପାଖକୁ ଗଲେ ଅନେକ ଜିନିଷ ଜାଣିହୁଏ । ସରକାରଙ୍କ ଅନେକ ଯୋଜନା ରହିଛି କିନ୍ତୁ ଲୋକେ ଜାଣି ନାହାଁନ୍ତି । ମୁଁ ବିଭିନ୍ନ ବର୍ଗର ଲୋକଙ୍କ ସହିତ ମିଶି ସରକାରଙ୍କ ଦ୍ଵାରା ପ୍ରସ୍ତୁତ ଯୋଜନାରେ ସାମିଲ କରେ ।
ପ୍ରଶ୍ନ-୩ ରାଜନୀତିରେ ଭିନ୍ନକ୍ଷମ ବର୍ଗଙ୍କୁ ସଂରକ୍ଷଣ ଦାବୀ ସପକ୍ଷରେ ଆପଣ ତିନିଗୋଟି ବଳିଷ୍ଠ କାରଣ ଉଲ୍ଲେଖ କରିବେ କି ?
ଆଜିକାଲି ଦିବ୍ୟାଙ୍ଗ ମାନେ ଆଇ.ଏ.ଏସ, ଓ. ଏ.ଏସ. ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲେଣି । କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଅନେକ ସଫଳତା ଅର୍ଜନ କରିଛନ୍ତି । ଦିବ୍ୟାଙ୍ଗ ବ୍ୟକ୍ତିମାନେ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତେଣୁ ବିଧାନସଭା,ଲୋକସଭା ଓ ସ୍ଥାନୀୟ ସଂସ୍ଥା ଗୁଡ଼ିକରେ ଦିବ୍ୟାଙ୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଆବଶ୍ୟକ ରାହିଛି । ଏକ ସମାବେଶୀ ଓ ନ୍ୟାୟଭିତ୍ତିକ ଗଣତନ୍ତ୍ର ଗଠନ ପାଇଁ ରାଜନୀତିରେ ଦିବ୍ୟାଙ୍ଗଙ୍କୁ ଉପକୁକ୍ତ ସଂରକ୍ଷଣ ଓ ପ୍ରତିନିଧିତ୍ବ ଦେବା ଆବଶ୍ୟକ ।
ସଂରକ୍ଷଣ ଦିବ୍ୟାଙ୍ଗଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବଢ଼ାଇବା ସହ ସମାଜରେ ମାନବ ଅଧିକାର ଓ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହନ ଦେବ ।
ସଂରକ୍ଷଣ ଦ୍ଵାରା ଦିବ୍ୟାଙ୍ଗ ବ୍ୟକ୍ତିମାନେ ନିଜ ସମସ୍ୟା ଓ ଆବଶ୍ୟକତାକୁ ସିଧାସଳଖ ଭାବେ ସରକାରଙ୍କ ସମ୍ମୁଖରେ ଉପସ୍ଥାପନା କରି ପାରିବେ। ଶିକ୍ଷା,ଚାକିରି, ସ୍ବାସ୍ଥ୍ୟସେବା, ସୁଗମ ପରିବହନ ଓ ସାମାଜିକ ସୁରକ୍ଷା ପ୍ରତି କ୍ଷେତ୍ରରେ ଉନ୍ନତ ନୀତି ପ୍ରଣୟନରେ ସହାୟତା ହେବ ।
ପ୍ରଶ୍ନ-୪ ଆପଣ ତୃଣମୂଳସ୍ତରରେ ସରପଞ୍ଚ ଓ ଜିଲ୍ଲା ପରିଷଦର ସଭ୍ୟ ରୂପେ ନିର୍ବାଚିତ ହେବାର ଗୌରବ ଓ ଅନୁଭବ ମଧ୍ୟ ସାଉଁଟି ସାରିଛନ୍ତି । ଏହି କାର୍ଯ୍ୟକାଳ ମଧ୍ୟରେ ଆପଣ ନିଜର କେଉଁ ବିଶିଷ୍ଟ ଅବଦାନ ବା ଦୃଷ୍ଟାନ୍ତଯୋଗ୍ୟ ଭୂମିକାକୁ ଉଲ୍ଲେଖ କରି ଅନ୍ୟ ସାଧାରଣ ଜନପ୍ରତିନିଧିଙ୍କ ଠାରୁ ଅଧିକ ଯୋଗ୍ୟ ବୋଲି ଯୁକ୍ତି ଉପସ୍ଥାପନ କରିବାକୁ ଚାହିଁବେ ?
ଆମେ ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି । ବିଭିନ୍ନ ଫୋରମରେ ସାଧାରଣ ଜନତାଙ୍କ ହକ୍ ଅଧିକାର କଥା ଉପସ୍ଥାପନ କରି ସେମାନଙ୍କ ସମସ୍ୟା ସମାଧାନ ଆମର ମୁଖ୍ୟ କାମ । ପ୍ରତିଦିନ ବିଭିନ୍ନ ଗାଁ’ ମାନଙ୍କୁ ଯାଇ ଲୋକଙ୍କ ସହିତ ମିଶିବା ମୋର ଦୈନନ୍ଦିନ କାର୍ଯ୍ୟର ଏକ ଅଂଶ ।
“ସୁଯୋଗ ମିଳିଲେ ମୋ ପଞ୍ଚାୟତକୁ ଛୋଟ ଆଦର୍ଶ ସହର ପରି ଗଢିତୋଳିବି” ।
ପ୍ରଥମ ଦୃଷ୍ଟି ବାଧିତ ସରପଞ୍ଚ ପ୍ରାର୍ଥୀ
ଶାନ୍ତିଲାଲ ଶବର
ଶତକଡା ଶହେ ପ୍ରତିଶତ ଦୃଷ୍ଟି ବାଧିତ ଶାନ୍ତିଲାଲ୍ ଶବର ନୂଆପଡ଼ା ଜିଲ୍ଲାର ଜଣେ ଉତ୍ସାହୀ ଯୁବକ।ନିଜର ଏହି ଦୃଷ୍ଟିଶକ୍ତି ଜନିତ ପ୍ରତିବନ୍ଧକତା ତାଙ୍କୁ ରାଜନୈତିକ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ଜନସେବା କରିବାର ଅଭିଳାଷରୁ ବିରତ ରଖିନାହିଁ । ପ୍ରଥମ ଥର ସେ ୨୦୦୭ମସିହା ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ର ଗଣ୍ଡମେର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରୂପେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୁଅନ୍ତି । ପୂର୍ବରୁ ନିଜର ପଞ୍ଚାୟତ ଗ୍ରାମବାସୀ ଙ୍କ ଆସ୍ଥାଭାଜନ ହୋଇପରିଥିବା ଦୃଷ୍ଟି ବାଧିତ ଶାନ୍ତିଲାଲଙ୍କ ପାର୍ଥିତ୍ଵ ଗ୍ରହଣ କରିବାରେ କୌଣସି କୁଣ୍ଠା ପ୍ରକାଶ କରିନଥିଲେ । ଉକ୍ତ ନିର୍ବାଚନରେ ବିଜୟୀ ହୋଇ ପାରିନଥିଲେ ସତ କିନ୍ତୁ ତାଙ୍କ ସପକ୍ଷରେ ପଡ଼ିଥିବା ଭୋଟ ଦାନର ପରିମାଣ ଖୁବ୍ ସନ୍ତୋଷ ଜନକ ରହିଥିଲା । ସେହି ପ୍ରଥମ ଉତ୍ସାହ ତାଙ୍କୁ ପରବର୍ତ୍ତୀ ସମୟରେ ୨୦୨୨ ମସିହାର ସରପଞ୍ଚ ନିର୍ବାଚନରେ ମଧ୍ୟ ଆଉ ଥରେ ଲଢ଼ିବା ପାଇଁ ସାହାସ ଦେଇଥିଲା । ନାମାଙ୍କନ ପତ୍ର ଯାଞ୍ଚ୍ ସମୟରେ ବ୍ରେଲ ମାଧ୍ୟମରେ ପ୍ରଶିକ୍ଷିତ ଦୃଷ୍ଟି ବାଧିତ ଶାନ୍ତି ଲାଲ୍ ଓଡିଆ ଭାଷା ପଢ଼ି ଲେଖି ଜାଣି ନ ଥିଲେ ବୋଲି ତା ରିଟରର୍ଣିଂ ଅଫସରଙ୍କ ଦ୍ଵାରା ନାକଚ ହୋଇଥିଲା । ମାମଲାଟି ଶେଷରେ ଜିଲ୍ଲାକୋର୍ଟରୁ ହାଇକୋର୍ଟ ପର୍ଯ୍ୟନ୍ତ ଯାଇ ଏବେ ପୁନଃ ନିର୍ବାଚନ ପ୍ରକ୍ରିୟା ପାଇଁ ଝୁଲି ରହିଛି ।
ପୁନର୍ବାସ ସମାଚାର କୁ ପ୍ରଦାନ କରିଥିବା ସାକ୍ଷାତକାର ରେ ସେ ନିଜର ସେହି ଅତୃପ୍ତ ଜନସେବାର ଇଚ୍ଛାକୁ ସାକାର କରିବାର ସୁଯୋଗ ନିମନ୍ତେ ଦିବ୍ୟାଙ୍ଗ ମାନଙ୍କ ପାଇଁ ରାଜନୈତିକ କ୍ଷେତ୍ରରେ ସଂରକ୍ଷଣ ସପକ୍ଷରେ ଯୁକ୍ତି ବାଢ଼ି ଥାଆନ୍ତି ।
ପ୍ରଶ୍ନ୧- ଆପଣ ଜଣେ ଦୃଷ୍ଟି ବାଧିତ ବ୍ୟକ୍ତି ବିଶେଷ ହୋଇ ଏହିପରି ପ୍ରତିବନ୍ଧକତା ସତ୍ତ୍ଵେ ରାଜନୈତିକ ପ୍ରତି କାହିଁକି ଆଗ୍ରହ ବଳାଇଲେ ?
ଉତ୍ତର -: ମୁଁ ଛୋଟବେଳେ ଯେତେବେଳେ ଭବାନୀପାଟଣା ରେଡକ୍ରସ୍ ବିଦ୍ୟାଳୟରେ ପଢୁଥିଲି ସେଠାକୁ ଅନେକ ସମୟରେ ମନ୍ତ୍ରୀ ଓ ରାଜନେତାମାନେ ଆସିଥାନ୍ତି । ଧୀରେ ଧୀରେ ଜାଣିବାକୁ ପାଇଲି ଯେ ପାୱାର ବା କ୍ଷମତା ଥିଲେ ବହୁତ୍ କିଛି କରି ହୁଏ।ଧୀରେ ଧୀରେ ବଡ ହେଲା ପରେ ଜାଣିପାରିଲି ପାୱାର ବା କ୍ଷମତା ଥିଲେ ଲୋକଙ୍କର ବହୁତ୍ କିଛି କାମ କରିହୁଏ । ମୁଁ ଚାହିଁଲି ମୁଁ ଯଦି ଦୃଷ୍ଟିହୀନ ହୋଇ ସଫଳ ରାଜନୀତି କରିପାରିବି ଓ ଲୋକଙ୍କ ସେବା କରିପାରିବି ତାହା ହେଲେ ତାହା ସମାଜକୁ ସୁସ୍ଥବାର୍ତ୍ତା ଦେବ ।
ପ୍ରଶ୍ନ -୨ – ୨୦୦୭ ନିର୍ବାଚନର ଦୀର୍ଘ ପନ୍ଦର ବର୍ଷର ନୀରବତା ପରେ ପୁଣି କାହିଁକି ୨୦୨୨ ମସିହା ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଚାହିଁଲେ । ?
ଉ – ମୁଁ ନୀରବ ରହି ଯାଇନଥିଲି କିମ୍ୱା ମୋର ରାଜନୀତିକ ସ୍ୱପ୍ନର ଅନୁଧାବନକୁ ଛାଡ଼ି ନଥିଲି । ଲୋକ ମାନଙ୍କ ସହିତ ଥିଲି ଏବଂ ଲୋକମାନଙ୍କ କାମ ମଧ୍ଯ କରୁଥିଲି । ୨୦୦୭ ମସିହାର ନିର୍ବାଚନରେ ଅଂଶଗ୍ରହଣ ଦ୍ୱାରା ଲୋକଙ୍କ ମଧ୍ୟରେ ବିଶ୍ୱାସ ଆସିଯାଇଥିଲା ଯେ ଜଣେ ଦୃଷ୍ଟିବାଧିତ ମଧ୍ଯ ରାଜନୀତି କରିବାରେ ଦକ୍ଷତା ରଖିଥାଏ। ତାହା ଛଡ଼ା ସରପଞ୍ଚ ସିଟ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ସାମାଜିକ ବର୍ଗଙ୍କ ନିମନ୍ତେ ସଂରକ୍ଷିତ ରହୁଥିଲା।ସେଥିପାଇଁ ୨୦୨୨ ନିର୍ବାଚନରେ ପୁଣି ସେଇ ସୁଯୋଗ ଆସିଲା ମୁଁ ପୁଣି ପ୍ରତିଯୋଗୀତାରେ ଭାଗ ନେଲି । ମୋର ଛିଡ଼ା ହେବାଟା ଅନ୍ୟ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଥିଲା। ମାତ୍ର ଓଡ଼ିଆ ଭାଷା ଲେଖି ଶିଖିନଥିବାର ମାନଦଣ୍ଡରେ ମୋତେ ସ୍କୁଟିନିରେ କାଟି ଦିଆ ଯାଇଥିଲା । ଯାହାର ପରିଣାମ ତ ଆପଣ ଜାଣିଛନ୍ତି ।
ପ୍ରଶ୍ନ ୩- ଜଣେ ଭିନ୍ନକ୍ଷମ ପ୍ରାର୍ଥୀ ଭାବେ ରାଜନୀତି ପରି ଏକ ଗତିଶୀଳ ଓ ଲୋକାଭିମୁଖୀ ପରିଚିତି ରଖୁଥିବା କ୍ଷେତ୍ରରେ କ’ଣ ସବୁ ବାଧକ ଓ ସୁଯୋଗ ରହିଛି ବୋଲି ମନେ କରନ୍ତି ?
ଉ :- ମୋଟାମୋଟି ଭାବେ ଆପଣ ଯେଉଁ ଦିଗକୁ ଇଙ୍ଗିତ କରୁଛନ୍ତି ତାହା ମୁଁ ବୁଝିପାରୁଛି । କିନ୍ତୁ ମୋ କ୍ଷେତ୍ରରେ ସେପରି କୌଣସି ଅସୁବିଧା ଉପୁଜିଥିବା ମୁଁ ଅନୁଭବ କରୁନାହୁଁ । ମୁଁ ଅଦ୍ୟାବଧି କୌଣସି କ୍ଷମତା ପାଇନଥିଲେ ମଧ୍ଯ ଆମ ପଞ୍ଚାୟତର ଯେ କୌଣସି ସମସ୍ୟା ହେଉ ସେ ରେଭେନ୍ୟୁ ଭିଲେଜ୍ କଥା କିମ୍ବା ରାସ୍ତାଘାଟ କଥା ହେଉ ଏ ସବୁଥିରେ ମୋର ମତାମତକୁ ନେଇ ଚାଲନ୍ତି । କାରଣ ମୁଁ ବର୍ଷବର୍ଷ ଧରି ସବୁପ୍ରକାର ସାମାଜିକ ଓ ଉନ୍ନତିମୂଳକ କାର୍ଯ୍ୟରେ ରହି ଆସୁଛି । ଆପଣ ଜାଣି ଖୁସି ହେବେ ଆମ ଗାଆଁରେ ” ବିର୍ସା ମୁଣ୍ଡା ମୁକ୍ତ ଶିକ୍ଷାନୁଷ୍ଠାନ” ନାମରେ ଏକ ସଂଗଠନ କରିଛି । ଯେଉଁଥିରେ ଶିକ୍ଷିତ ଯୁବକ ଯୁବତୀ ମାନେ ପଢ଼ି ପାରୁନଥିବା ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି।ସେଥିପାଇଁ ମୁଁ ଭାବୁଛି ମୁଁ ସଫଳ ରାଜନୀତି କରିପାରିବି ।
ପ୍ରଶ୍ନ ୪- ଏବେ ଭିନ୍ନକ୍ଷମ ମାନଙ୍କ ପାଇଁ ଆଇନ ପ୍ରଣୟନ ହୋଇ ନିଯୁକ୍ତି ଓ ଶିକ୍ଷା ପ୍ରଭୃତି କ୍ଷେତ୍ରରେ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି, ଯଦ୍ୱାରା କି ସେମାନେ ମୁଖ୍ୟ ସ୍ରୋତର ସମାଜକୁ ଆସିପାରିବେ । ଏହା ବାଦ ଆପଣ ଭାବୁଛନ୍ତି କି ରାଜନୀତି କ୍ଷେତ୍ରରେ ପ୍ରତିନିଧିତ୍ବ କରିବା ପାଇଁ ଦିବ୍ୟାଙ୍ଗ ମାନଙ୍କୁ ସଂରକ୍ଷଣ ମଧ୍ଯ ମିଳୁ ?
ଉ -: ହଁ ନିହାତି ଆବଶ୍ୟକ ରହିଛି। ସବୁପ୍ରକାର ଲୋକଙ୍କୁ ନେଇ ସମାଜ ଚାଲିଛି । ମୁଁ ଆପଣଙ୍କ ମାଧ୍ୟମରେ ଜଣାଇବାକୁ ଚାହେଁ ଯେ ଯେଉଁପଟେ ଲୋକଙ୍କ ସଂଖ୍ୟା ଅଧିକ ଥାଏ ତାହାକୁ ପ୍ରାଧାନ୍ୟ ଦିଆଯାଉଛି । ମୁଁ ତାକୁ ଭୁଲ୍ ବୋଲି କହିବି କାରଣ ଯଦି କେବେ ମୁଁ ସୁଯୋଗ ପାଇ କ୍ଷମତାକୁ ଆସେ ଓ ସେହି କ୍ଷମତାକୁ ଶତ ପ୍ରତିଶତ ଲୋକଙ୍କ କାମରେ ବ୍ୟବହାର କରେ ତେବେ ଲୋକେ ନିଶ୍ଚୟ ସ୍ବୀକାର କରିବେ ଯେ ଏମାନେ ମଧ୍ଯ ରାଜନୀତିକୁ ଆସିବା ଦରକାର ଓ ଏମାନଙ୍କ ପାଇଁ ସଂରକ୍ଷଣ ରହିବା ଆବଶ୍ୟକ, ଯଦ୍ୱାରା ସେମାନେ କିଛି କରିପାରିବେ ।
ପ୍ରଶ୍ନ ୫- ଆପଣ ରାଜନୀତି ମାଧ୍ୟମରେ ଭବିଷ୍ୟତର କଣ ସ୍ବପ୍ନ ରଖିଛନ୍ତି ?
ଉ -: ଭଗବାନଙ୍କ ଦୟାରୁ ମୁଁ ଯଦି କେବେ ସେମିତି ସୁଯୋଗ ପାଏ ଛୋଟରୁ ହିଁ କହିବି, ସରପଞ୍ଚଟିଏ ହେଲେ କିପରି ମୋ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ିତୋଳିବି । ଯେଉଁଠି ବ୍ୟାଙ୍କର ସୁବିଧା, ଶିକ୍ଷା ଓ ସ୍ଵାସ୍ଥ୍ୟର ସୁବିଧା ସହ ଗତାୟତ ପ୍ରଭୃତି ପ୍ରତିଟି କ୍ଷେତ୍ରରେ ଛୋଟସହର ପରି ସୁବିଧା ଦେଇ ପାରୁଥିବ ସେହିପରି କାର୍ଯ୍ୟ କରିବା ପାଇଁ ପରିକଳ୍ପନା ଅଛି ।
“ଗୁରୁଜନ ଓ ଗାଆଁ ଲୋକଙ୍କ ସେବା କରିବାକୁ ସୁଯୋଗ ମିଳିଲେ ପୁଣି ରାଜନୀତିକୁ ଫେରିବି ।”
ପ୍ରଥମ ଭିନ୍ନକ୍ଷମ ମହିଳା ପ୍ରତିନିଧି
ମିନତୀ ବାରିକ
ଏହା ମଧ୍ୟରେ ପାଖ ଖରସ୍ରୋତା ନଦୀରେ ଅନେକ ପାଣି ବହି ଗଲାଣି। ସେଦିନ ରାଜକନିକା ବ୍ଲକ ,ପାଟଣାବଣିଆ ପଞ୍ଚାୟତ ଅନ୍ତର୍ଗତ ବାଜିପୁର ଗାଁ ୧୧ ନମ୍ବର ୱାର୍ଡର ୱାର୍ଡମେମ୍ବର ଭାବେ ଯେଉଁ ଚଳନଶକ୍ତି ବାଧିତା ଯୁବତୀ ‘ ମିନତୀ ବାରିକ ‘ ଜୟଯୁକ୍ତ ହୋଇ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ। ଉଭୟ ଆଞ୍ଚଳିକ ଓ ଜାତୀୟ ଇଂରାଜୀ ଖବର କାଗଜରେ ସୁଦ୍ଧା ‘ମିନତୀ ବାରିକ’ଙ୍କ ହାତପେଡାଲ ଘୁରା ତିନିଚକିଆ ସାଇକେଲ ଚଲାଇବାର ଫଟୋ ପ୍ରକାଶିତ ହୋଇ ଚର୍ଚ୍ଚା ସୃଷ୍ଟି କରିଥିଲା। ଏବେ ସେହି ମିନତୀ ହାତଚଲା ଟ୍ରାଇ-ସାଇକେଲରୁ ତିନି ଚକିଆ ସ୍କୁଟି ଚଲାଇବା ଶିଖିଗଲାଣି । ୮୦ ପ୍ରତିଶତ ଭିନ୍ନକ୍ଷମ ଏଇ ଝିଅଟି ସୁଯୋଗ ମିଳିଲେ ପୁଣି ନିଜ ଗାଆଁ ପାଇଁ ରହିଯାଇଥିବା ଅଧୁରା କାର୍ଯ୍ୟ ପୂରଣର ସ୍ୱପ୍ନ ଦେଖନ୍ତି।
ପ୍ରଶ୍ନ ୧- ୨୦୧୭ ମସିହାରେ ଆପଣ ଯେବେ ୱାର୍ଡ଼ ମେମ୍ବର ପ୍ରାର୍ଥି ରୂପେ ମନସ୍ଥ କଲେ ସେ ନିଷ୍ପତ୍ତି ଆପଣଙ୍କ ନିଜର ଥିଲା ନା ଆଉ କାହାର ?
-: ସମସ୍ତ ଗାଁ ଲୋକ ଏବଂ ପରିବାର ଲୋକ ମୋତେ ଏଥିପାଇଁ ସମର୍ଥନ ଓ ସହଯୋଗ କରିବାରୁ ମୁଁ ପ୍ରାର୍ଥି ରୂପେ ଛିଡ଼ା ହେବାକୁ ଆଗ୍ରହ ପ୍ରକାଶ କରିଥିଲି ।
ପ୍ରଶ୍ନ ୨ – ନିଜର କାର୍ଯ୍ୟକାଳ ଭିତରେ କ’ଣ ଏପରି ମନେ ରହିବା ପରି ଦୃଷ୍ଟାନ୍ତଯୋଗ୍ୟ କାମ କରିଛନ୍ତି ଯାହା ଆପଣଙ୍କୁ ସନ୍ତୋଷ ଦେଇ ପାରିଛି ବୋଲି ମନେ କରନ୍ତି ?
ଉ -: ହଁ ସେହି ସମୟରେ କରୋନା ମହାମାରୀ ପଡ଼ିଥିଲା, ମୁଁ ସେହି ସମୟରେ ଟ୍ରାଇ-ସାଇକେଲରେ ବୁଲିବୁଲି ମାସ୍କ ଓ ସାନିଟାଇଯର ବାଣ୍ଟିଥିଲି । ଆମ ଗାଁ’ରେ ଟ୍ୟୁବୱେଲ ଖଣ୍ଡେ ବସାଇଛି । ଲୋକଙ୍କୁ ଭତ୍ତା କରିଦେଇଛି । ଗରିବ ଲୋକଙ୍କୁ ଆବାସ ଘର କରିଦେଇଛି । ଏହିପରି କିଛିକାମ ସବୁ କରିଥିଲି ।
ପ୍ରଶ୍ନ ୩ – ତେବେ ଏତେ ସଫଳତାର ସ୍ଵାଦ ଥାଇ କାହିଁକି ପରବର୍ତ୍ତୀ ୨୦୨୨ରେଅନୁଷ୍ଠିତ ନିର୍ବାଚନରେ ଅଂଶ ଗ୍ରହଣ କଲେ ନାହିଁ ?
ଉ-: ସେତେବେଳେ ହାତଚଲା ଟ୍ରାଇ-ସାଇକେଲକୁ ଚଲାଇ ଥରକୁ ଥର ପଞ୍ଚାୟତ ଅଫିସକୁ ଯିବା ପୁଣି ମିଟିଂ ବା ଡକରା ପାଇ ପହଁଚିବାରେ ବହୁ କଷ୍ଟ ଅନୁଭବ କଲି । ସେଥିପାଇଁ ଆଉ ଚାହିଁଲି ନାହିଁ ।
ପ୍ରଶ୍ନ ୪ – ଏହା ମଧ୍ୟରେ ଦିବ୍ୟାଙ୍ଗ ମାନଙ୍କ ଯାତାୟାତ ପାଇଁ ଅନେକ ଆଧୁନିକ ସାଧନ ବାହାରି ପଡ଼ିଲାଣି । ଆପଣବି ଟ୍ରାଇ-ସାଇକେଲରୁ ଆସି ତିନିଚକିଆ ସ୍କୁଟି ଚଲାଇଲେଣି। ପୁଣି ଯଦି ଆଗକୁ ସେହିପରି ସୁଯୋଗ ମିଳେ ଆପଣ ନିର୍ବାଚନ ଲଢ଼ିବେ କି ?
ଉ-: ହଁ, ମୋତେ ଗାଁ ଲୋକଙ୍କ ସେବା ଓ ଉନ୍ନତି କାମ କରିବାକୁ ଭାରି ଖୁସି ଲାଗେ । ଯଦି ସେପରି ସୁଯୋଗ ମିଳିଲା ମୁଁ ନିଶ୍ଚୟ ଚାହିଁବି ।


