ଅନ୍ତର୍ଭୁକ୍ତି (ଇନକ୍ଲୁସିଭନେସ) ସଭ୍ୟତାର ଅଗ୍ରଗତିର ଅନ୍ୟତମ ପ୍ରଧାନ ସୂଚକ । ଏକ ସଭ୍ୟ ସମାଜ କେବଳ ଅର୍ଥନୈତିକ ଉନ୍ନୟନ ମାଧ୍ୟମରେ ନୁହଁ ବରଂ ତାହାର ପ୍ରାନ୍ତିକ ଏବଂ ଭିନ୍ନ କ୍ଷମତା ସମ୍ପନ୍ନ ମଣିଷକୁ କେତେ ମର୍ଯ୍ୟାଦା, ଅଧିକାର ଏବଂ ସୁଯୋଗ ଦେଇ ପାରିଛି ତାହାଦ୍ୱାରା ମଧ୍ୟ ମୂଲ୍ୟାୟିତ ହୁଏ । ସେଥିପାଇଁ ଆଧୁନିକ ଗଣତାନ୍ତ୍ରିକ ସମାଜରେ ପ୍ରତିବନ୍ଧି ବ୍ୟକ୍ତିମାନଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ।
ଭାରତୀୟ ସମାଜରେ ଶତାବ୍ଦୀ ଶତାବ୍ଦୀ ଧରି ଶାରିରୀକ ପ୍ରତବନ୍ଧକତାକୁ କରୁଣା ଅକ୍ଷମତା ବା ସାମାଜିକ ବୋଝ ଭାବରେ ଦେଖା ଯାଇଛି । ସମୟର ପରିବର୍ତ୍ତନ ଏବଂ ସଭ୍ୟତାର ଅଗ୍ରଗତି ସହିତ ବର୍ତ୍ତମାନ ସମୟରେ ଦୟା ବା ସହାନୁଭୂତି ବଦଳରେ ଅଧିକାର ଓ ଅନ୍ତର୍ଭୁକ୍ତିର ଧାରଣା ଅଧିକ ଗୁରୁତ୍ୱ ପାଉଛି । ପ୍ରତିବନ୍ଧକତା କେବଳ ଶାରିରୀକ କ୍ଷେତ୍ରରେ ସୀମାବଦ୍ଧ ନୁହଁ । ଏହା ସାମାଜିକ, ଅର୍ଥନୈତିକ ଏବଂ ମାନସିକ କ୍ଷେତ୍ରରେ ମଧ୍ୟ ହୋଇପାରେ ।
ଜଣେ ଦୃଷ୍ଟିହୀନ ବ୍ୟକ୍ତି ସେତେବେଳେ ହିଁ ପ୍ରକୃତ ଅର୍ଥରେ ବଞ୍ଚିତ ହୁଅନ୍ତି ଯେତେବେଳେ ସମାଜରେ ତାଙ୍କର ଚଳପ୍ରଚଳ ଶିକ୍ଷା ବା କର୍ମ ସଂସ୍ଥାନର ଉପଯୁକ୍ତ ବ୍ୟବସ୍ଥା ଓ ସୁଯୋଗ ରହେନାହିଁ । ଅର୍ଥାତ ସମସ୍ୟାର ମୂଳ ଅନେକ ସମୟରେ ବ୍ୟକ୍ତି ଭିତରେ ନୁହଁ ସମାଜର ବ୍ୟବସ୍ଥା ଏବଂ ଇନଫ୍ରାଷ୍ଟ୍ରକଚର ଭିତରେ ନିହିତ ଥାଏ ।
ଭାରତରେ ୨୦୧୧ ଜନଗଣନା (ସେନ୍ସ୍ସ ) ରିପୋର୍ଟ ଅନୁସାରେ ପ୍ରତିବନ୍ଧି ମଣିଷଙ୍କର ସଂଖ୍ୟା ୨.୬୮ କୋଟି । ପନ୍ଦର ବର୍ଷ ପରେ ଓ଼ବେ ଏହି ସଂଖ୍ୟା ତିନି କୋଟିରୁ ଡେଇଁ ଯାଇଥିବ । ଅଥଚ ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ କିମ୍ବା ସାଂସ୍କୃତିକ ଜୀବନରେ ଏମାନଙ୍କର ଅଂଶଗ୍ରହଣ ଏବେବି ସୀମିତ । ଗ୍ରାମୀଣ ଇଲାକା ଏବଂ ସମାଜର ପ୍ର।ନ୍ତିକ କ୍ଷେତ୍ରରେ ପରିସ୍ଥିତି ଆହୁରି ଜଟିଳ । ଦାରିଦ୍ର୍ୟ, ଅଶିକ୍ଷା ଏବଂ ସାମାଜିକ କୁସଂସ୍କାର ପ୍ରତିବନ୍ଧି ବ୍ୟକ୍ତିମାନଙ୍କୁ ସମାଜର ମୁଖ୍ୟସ୍ରୋତରୁ ଆହୁରି ବିଛିନ୍ନ କରି ରଖିଥାଏ । ଏହି ପ୍ରେକ୍ଷାପଟରେ ଭାରତର ସମ୍ବିଧାନ ଏବଂ ଆଇନ୍ ଏକ ଗୁରୁତ୍ୱପୂଣ୍ଣ ଭୂମିକା ପାଳନ କରୁଛି । ଭାରତର ସମ୍ବିଧାନର ଅନୁଛେଦ ୧୪ ଭାରତର ସବୁ ନାଗରିକଙ୍କୁ ସମାନ ଅଧିକାରର କଥା କହେ । ଅନୁଛେଦ ୨୧ ସବୁ ନାଗରିକଙ୍କର ମର୍ଯ୍ୟାଦାପୂର୍ଣ୍ଣ ଜୀବନର ଅଧିକାର ନିଶ୍ଚିତ କରିବା କଥା କହେ । ଏହା ଛଡା ରାଷ୍ଟ୍ର ପରିଚାଳନା ନୀତିରେ ଦୁର୍ବଳ ଜନଗୋଷ୍ଠୀର ଶିକ୍ଷା ଓ କର୍ମସଂସ୍ଥାନ ପ୍ରତି ବିଶେଷ ଗୁରୁତ୍ୱ ଦେବା କଥା କୁହାଯାଇଛି । ଅର୍ଥାତ ସମ୍ବିଧାନରେ ପ୍ରତିବନ୍ଧିମାନଙ୍କର ଅଧିକାରକୁ ସୁରକ୍ଷିତ କରିବାର ଏବଂ ସେମାନଙ୍କ ଅଭବୃଦ୍ଧିର ସୁଯୋଗ ଦେବାର ବ୍ୟବସ୍ଥା କରାଯାଇଛି । ଆଇନ୍ କଥା ଯଦି ଦେଖାଯିବ ତେବେ ପ୍ରତିବନ୍ଧି ଅଧିକାର ରକ୍ଷା କ୍ଷେତ୍ରରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଆଇନ୍ ହେଲା ୨୦୧୬ରେ ପ୍ରଣୀତ କରାଯାଇଥିବା Rights of Persons with Disabilities Act . ପ୍ରତିବନ୍ଧିମାନଙ୍କର ଅଧିକାର ଆଇନ୍ । ଏ ଆଇନ୍ଟି ଜାତିସଂଘର ପ୍ରତିବନ୍ଧି ଅଧିକାର ସନନ୍ଦ ସହିତ ସାମଞ୍ଜସ୍ୟ ରଖି ତିଆରି କରାଯାଇଛି । ଏ ଆଇନରେ ପ୍ରତିବନ୍ଧିତାର ଧରଣକୁ ବଢ଼ାଇ (୭ରୁ ୨୧) ଦିଆଯାଇଛି । ଶିକ୍ଷା ପ୍ରତିଷ୍ଠାନ, ସରକାରୀ ଅଫିସ, ଗଣ ପରିବହନ, ଏବଂ ଜନ ପରିସରକୁ ସହଜଗମ୍ୟ କରିବାର ନିର୍ଦ୍ଦେଶ ଦିଆ ଯାଇଛି । ସରକାରୀ ଚାକିରିରେ ପ୍ରତିବନ୍ଧିମାନଙ୍କର ସଂରକ୍ଷଣକୁ ମଧ୍ୟ ବୃଦ୍ଧି କରାଯାଇଛି । ଏହା ଛଡା ବିଭିନ୍ନ ସମୟରେ ସରକାରଙ୍କ ତରଫରୁ ପ୍ରତିବନ୍ଧି ମାନଙ୍କ ପାଇଁ ଅନେକ ଗୁଡିଏ ଯୋଜନା ମଧ୍ୟ କରାଯାଇଛି । 1999ରେ ଆଉ ଗୋଟିଏ ଆଇନ ବଳରେ କେତେକ ମାନସିକ ପ୍ରତିବନ୍ଧିତାରେ ଭୋଗୁଥିବା ଲୋକମାନଙ୍କ ପାଇଁ ଉତ୍ସର୍ଗୀକୃତ ଏକ ଜାତୀୟ ସଂଗଠନ ତିଆରି କରିବା କଥା କୁହାଯାଇଛି । ୧୯୯୨ ର Rehabilitation Council of India କୁ ୧୯୯୩ରେ ଗୋଟେ ବୈଧାନିକ ସଂସ୍ଥା ଭାବରେ ସ୍ଥାପନ କରାଗଲା । ଏଥିରେ ପୁନର୍ବାସ କ୍ଷେତ୍ରରେ କାମ କରୁଥିବା ଶିକ୍ଷକମାନଙ୍କର ଟ୍ରେନିଂ କଥା କୁହାଯାଇଛି । ତାଙ୍କର ଯେଉଁ ପାଠ୍ୟକ୍ରମକୁ ଜ ଷ୍ଟାଣ୍ଡାର୍ଡାଇଜ କରିବାକଥା କୁହାଯାଇଛି ।
ଯଦି ସରକାରୀ ଯୋଜନା ଗୁଡିକ କଥା କୁହାଯାଏ ତେବେ ୨୦୧୫ରେ ‘ସୁଗମ୍ୟ ଭାରତ ଅଭିଯାନ’ ବୋଲି ଗୋଟେ ଯୋଜନା ଆରମ୍ଭ କରାଯାଇଥିଲା । ଏଥିରେ ପ୍ରତିବନ୍ଧି ଲୋକମାନଙ୍କର ଗମନାଗମନ ଏବଂ ଆକ୍ସେସ୍କୁ ସହଜ କରିବା ଦିଗରେ ଜୋର ଦିଆଯାଇଥିଲା । ବିଲ୍ଟ୍ ଇନଫ୍ରାଷ୍ଟ୍ରକଚର ବା ଘରଦ୍ୱାର, ଟ୍ରନସପୋର୍ଟ ସିଷ୍ଟମ ପରିବହନ ଏବଂ ଇନଫରମେସନ ଆଣ୍ଡ କମୁନିକେସନ ଟେକନ୍ଲୋଜି ବା ଆଇସିଟି ରେ ପ୍ରତିବନ୍ଧିମାନେ ଯେମିତି ସହଜରେ ଆକ୍ସେସ୍ କରପାରିବେ ତାହା ଦେଖିବା ଏହି ଯୋଜନାର ଉଦ୍ଦେଶ୍ୟ ଥିଲା । ଦିବ୍ୟାଙ୍ଗମାନଙ୍କ ପାଇଁ ଗୋଟେ ୟୁନିକ୍ ଆଇ ଡି ଯାହାକୁ ୟୁଡି ଆଇଡି ବୋଲି କୁହାଯାଉଛି ତାହା କରିବାର ମଧ୍ୟ ଯୋଜନା ଚାଲିଛି । ଗୋଟେ ସୁଗମ୍ୟ ଭାରତ ଆପ ମଧ୍ୟ କରାଯାଇଛି । ଭାରତୀୟ ସାଇନ୍ ଲାଙ୍ଗୁଏଜ୍ର ଉନ୍ନତି ପାଇଁ ମଧ୍ୟ ବେଶ୍ କିଛି ବ୍ୟବସ୍ଥା କରାଯାଇଛି ।
ସଂକ୍ଷେପରେ କହିଲେ ସରକାରୀ ସ୍ତରରେ ବେଶ୍ କିଛି ପଦକ୍ଷେପ ନିଆଯାଇଛି । ସମସ୍ୟା ହେଉଛି ଯେ ଆଇନ୍ କରିଦେଲେ ଯେ ପ୍ରତିବନ୍ଧିମାନେ ସମାଜରେ ଅନ୍ତର୍ଭୁକ୍ତ ହେଇଯିବେ ତାହା କହିହେବ ନାହିଁ । ଏପର୍ଯ୍ୟନ୍ତ ଅନେକ ବେସରକାରୀ ଭବନ କଥା ଛାଡିଦିଅନ୍ତୁ ,ସରକାରୀ ଭବନରେ ବି ହୁଇଲ୍ ଚେୟାର ନେଇ ପଶିବା ପାଇଁ ର୍ୟାମ୍ପ ତିଆରି ହେଇନାହିଁ । ଗଣ ପରିବହନରେ ଦୃଷ୍ଟିପ୍ରତିବନ୍ଧି, ଶବଣ ପ୍ରତିବନ୍ଧିମାନଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ । ବହୁ ଶିକ୍ଷା ପ୍ରତିଷ୍ଠାନରେ ବିଶେଷ ପ୍ରଶିକ୍ଷିତ ଶିକ୍ଷକ ବା ସହାୟକ ପ୍ରଯୁକ୍ତିର ଅଭାବ ରହିଛି । କର୍ମକ୍ଷେତ୍ରରେ ପ୍ରତିବନ୍ଧି ବ୍ୟକ୍ତିମାନଙ୍କର ଦକ୍ଷତା ପରିବର୍ତ୍ତେ ସେମାନଙ୍କର ସୀମାବଦ୍ଧତା ପ୍ରତି ଅଧିକ ନଜର ଦିଆଯାଏ ଏବଂ ସେମାନଙ୍କୁ ଚାକିରିରେ ନିଆଯାଏ ନାହିଁ । ଏମିତି କ୍ଷେତ୍ରରେ, ଏହି ପରିସ୍ଥିତିରେ ସମାଜରେ ପ୍ରତିବନ୍ଧିମାନଙ୍କର ପ୍ରକୃତ ଅନ୍ତର୍ଭୁକ୍ତି ବଢ଼େଇବାପାଇଁ ହେଲେ କେତେଗୁଡିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ପ୍ରୟୋଜନ ।

ପ୍ରଥମ – ସାମାଜିକ ମାନସିକତାର ପରିବର୍ତ୍ତନ ଜରୁରୀ । ପ୍ରତିବନ୍ଧି ବ୍ୟକ୍ତିମାନଙ୍କୁ କରୁଣାର ପାତ୍ର ଭାବରେ ନୁହଁ ସମଅଧିକାର ସମ୍ପନ୍ନ ନାଗରିକ ଭାବରେ ଦେଖିବା ପାଇଁ ପଡିବ । ପରିବାର, ବିଦ୍ୟାଳୟ ଏବଂ ଗଣମାଧ୍ୟମ ଏ ମାନସିକତା ଗଠନରେ ଗୋଟେ ବଡ ଭୂମିକା ନେଇପାରେ ।
ଦ୍ୱିତୀୟ – ଶିକ୍ଷା ବ୍ୟବସ୍ଥାକୁ ଆହୁରି ଅନ୍ତର୍ଭୁକ୍ତିମୂଳକ କରିବାପାଇଁ ପଡିବ । ବିଦ୍ୟାଳୟରେ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀମାନଙ୍କ ପାଇଁ ବ୍ରେଲ ବହି ଓ ପ୍ରଶିକ୍ଷିତ ଶିକ୍ଷକଙ୍କ ବ୍ୟବସ୍ଥା ରହିବା ଦରକାର । ଉଚ୍ଚଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପ୍ରତିବନ୍ଧି ଶିକ୍ଷାର୍ଥୀମାନଙ୍କ ପାଇଁ ବୃତ୍ତି ଏବଂ ଅଧିକ ପ୍ରୋତ୍ସାହନ ବୃଦ୍ଧି କରିବା ଦରକାର ।
ତୃତୀୟ – କର୍ମ ସଂସ୍ଥାନରେ ସୁଯୋଗ ବଢ଼େଇବାର ପ୍ରୟୋଜନ । ସରକାରୀ ଏବଂ ବେସରକାରୀ ଉଭୟ କ୍ଷେତ୍ରରେ ପ୍ରତିବନ୍ଧି ବାନ୍ଧବ କର୍ମ ପରିବେଶ ସୃଷ୍ଟି କରିବାକୁ ପଡିବ । ପ୍ରଯୁକ୍ତି ନିର୍ଭର ନୂଆ କାର୍ଯ୍ୟ କ୍ଷେତ୍ରରେ ଏ ଅନ୍ତର୍ଭୁକ୍ତି ସହଜ ହେଇପାରେ ।
ଚତୁର୍ଥ – ସହର ଏବଂ ଗ୍ରାମରେ ଯେଉଁ ଇନଫ୍ରାଷ୍ଟ୍ରକଚର ରହିଛି ତାକୁ ୟୁନିଭରସାଲ ଡିଜାଇନ୍ ନୀତିରେ ଗଢ଼ିବା । ଯେଉଁଥିରେ ସମସ୍ତେ ତାକୁ ସହଜରେ ବ୍ୟବହାର କରିନେଇ ପାରିବେ । ରାସ୍ତା ହେଉ, ଫୁଟ୍ପାଥ ହେଉ, ଗଣ ପରିବହନ, ଡିଜିଟାଲ ପରିସେବା ସବୁକ୍ଷେତ୍ରରେ ଇମମରଗ୍ଦଗ୍ଦସଭସକ୍ଷସଗ୍ଧଚ୍ଚ ବା ବ୍ୟବହାର କରିବା ଯେମିତି ସହଜ ହେବ ତାକୁ ନିଶ୍ଚିତ କରିବାକୁ ପଡିବ । ଅନ୍ତର୍ଭୁକ୍ତି ଦାନ ନୁହଁ, ଦୟା ନୁହଁ ଏହା ପ୍ରତ୍ୟେକ ମଣିଷର ଏକ ମୌଳିକ ଅଧିକାର । ପ୍ରତିବନ୍ଧି ମଣିଷମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ଯୁକ୍ତ କରିବାମାନେ କେବଳ ସେମାନଙ୍କର ଜୀବନମାନକୁ ଉନ୍ନତ କରିବା ନୁହଁ ବରଂ ସମାଜକୁ ଆହୁରି ମାନବିକ, ନ୍ୟାୟଭିତ୍ତିକ ଓ ସମୃଦ୍ଧ କରି ତୋଳିବା । ପ୍ରକୃତ ଗଣତାନ୍ତ୍ରିକ ଏବଂ ଉନ୍ନତ ଭାରତ ସେତେବେଳେ ହିଁ ଗଢ଼ି ଉଠିବ ଯେତେବେଳେ ସମସ୍ତେ ସମାନ ସୁଯୋଗ ପାଇବେ, ଯେଉଁଥିରେ ଦିବ୍ୟାଙ୍ଗମାନଙ୍କ ପାଇଁ ମଧ୍ୟ ରାଜନୀତିରେ ପ୍ରତିନିଧିତ୍ଵ କରିବାର ସୁଯୋଗ ରହିଥିବ । ଏହା କେବଳ ସ୍ଲୋଗାନ ହେଇ ରହିବ ନାହିଁ ବରଂ ବାସ୍ତବ ଜୀବନର ଅଭିଜ୍ଞତାରେ ପରିଣତ ହେବ ।
ଡ଼ ମୃଣାଳ ଚାଟାର୍ଜୀ
ପୂର୍ବତନ ନିର୍ଦ୍ଦେଶକ
ଭାରତୀୟ ଗଣ ଯୋଗାଯୋଗ ସଂସ୍ଥାନ (IIMC)
ସଞ୍ଚାର ମାର୍ଗ, ଢେଙ୍କାନାଳ 759 001, ଓଡ଼ିଶା
www.mrinalchatterjee.com
91 94370 26194


