ଦିବ୍ୟାଙ୍ଗଙ୍କ ପ୍ରତି ନିଷ୍ଠୁରତା: କେବେ ବଦଳିବ ମାନସିକତା ?
ଗତ ଜୁନ୍ ମାସର ବିଭିନ୍ନ ଗଣମାଧ୍ୟମରେ ଦିବ୍ୟାଙ୍ଗଜନଙ୍କ ପ୍ରତି ଅନ୍ୟାୟର ଦୁଇଟି ଅଭାବନୀୟ ଖବର ପ୍ରକାଶିତ ହୋଇ ଜନସାଧାରଣଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ପୂର୍ବରୁ ସମାଜରେ ଭିନ୍ନକ୍ଷମମାନଙ୍କର ସୁବିଧା ଅସୁବିଧା ମୁଖ୍ୟସ୍ରୋତର ସମାଜ ଅନ୍ତରାଳ ମଧ୍ୟରେ ଲୁଚିହଜି ଯାଉଥିଲା । ଧୀରେ ଧୀରେ ଏହି ଅବହେଳିତ ସାମାଜିକ ବର୍ଗଙ୍କ ପ୍ରତି ସାମାଜିକ କର୍ତ୍ତବ୍ୟବୋଧର ଧାରଣା ସୃଷ୍ଟି ହେଲା । ଏହା ପଛରେ ଏହି ଦୁର୍ବଳବର୍ଗଙ୍କ ପାଇଁ ସ୍ଵତନ୍ତ୍ର ଭିନ୍ନକ୍ଷମ ଆଇନ ପ୍ରଣୟନ ଏବଂ ସଚେତନତାମୂଳକ କାର୍ଯ୍ୟକ୍ରମମାନ ରହିଅଛି । ଏହି ବର୍ଗଙ୍କ ପ୍ରତି ଦୃଷ୍ଟିଦେବା ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ରୂପେ ଏକ ସ୍ଵତନ୍ତ୍ର ବିଭାଗ ଖୋଲାଗଲା । ଅଥଚ, ଏତେସବୁ ପ୍ରୟାସ ସତ୍ତ୍ୱେ ସାମାଜିକ ମାନସିକତାରେ ସେହିପରି ସହାନୁଭୂତି ସଂଜାତ ହେବାର ଅଭାବ ପରିଲକ୍ଷିତ ହେଉଛି ।
ସେହି ଦୁଇଟି ଘଟଣା ମଧ୍ୟରେ ଦୁଇଜଣ ଗରିବ ଦୃଷ୍ଟିବାଧିତ ସ୍ଵାମୀ/ସ୍ତ୍ରୀ ନିକଟ ଅତୀତରେ ଆର୍ଥିକ ଠକାମୀର ଶିକାର ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିନ ପଳାସପୁର ଗ୍ରାମର ଦୃଷ୍ଟିବାଧିତ ସ୍ୱାମୀ ସୋନୁ ମଳିକ ସ୍ତ୍ରୀ-ରିଙ୍କି ମଳିକ ସରକାରୀ ସହାୟତା ଓ ଭିନ୍ନକ୍ଷମ ଭତ୍ତା ସହିତ ଭିକ୍ଷାବୃତ୍ତି କରି ପରିବାର ପ୍ରତିପୋଷଣ କରନ୍ତି । ତାଙ୍କ ଘର ପାଖରେ ଥିବା ଜନସେବା କେନ୍ଦ୍ରର ମାଲିକ ରଶ୍ମିରଞ୍ଜନ ସ୍ୱାଇଁ ରିଙ୍କି ମଳିକଙ୍କର ଟିପଚିହ୍ନ, ଆଧାରକାର୍ଡ ଓ ଅନ୍ୟାନ୍ୟ ତଥ୍ୟ ଥିବାର ସୁଯୋଗ ନେଇ ଏକ ବଡ଼ ଧରଣର ଠକେଇର ସୂତ୍ରପାତ କରିଛନ୍ତି ବୋଲି ଅଭିଯୋଗ ଆସିଅଛି । ଜନସେବା କେନ୍ଦ୍ରର ମାଲିକ ରଶ୍ମିରଞ୍ଜନଙ୍କ ସ୍ତ୍ରୀ ମାନସୀ ସ୍ୱାଇଁ, ଭାରତ ଫାଇନାନ୍ସ କମ୍ପାନୀର ଋଣ ପରିଚାଳିକା ଥିବାରୁ ରିଙ୍କି ମଳିକଙ୍କ ନାମରେ ଏକ ଲକ୍ଷ୍ୟରୁ ଊର୍ଦ୍ଧ୍ଵ ଟଙ୍କା ଋଣ ଉଠାଇଅଛନ୍ତି । ଯାହାକି ଏହି ଦୃଷ୍ଟିବାଧିତ ଦମ୍ପତ୍ତି ସମ୍ପୂର୍ଣ ଅନଭିଜ୍ଞ । ଋଣର ଅର୍ଥ ପରିଶୋଧ ନ ହେବାରୁ ଭାରତ ଫାଇନାନ୍ସ କମ୍ପାନୀ ତରଫରୁ ଶାଖା ପରିଚାଳକ ଋଣ ପରିଶୋଧ ପାଇଁ ରିଙ୍କି ମଳିକଙ୍କ ଘରକୁ ଯାଇଥିଲେ । ରିଙ୍କି ମଳିକଙ୍କ ନାମରେ ଥିବା ଋଣ କଥା ଶୁଶି ଉଭୟ ଦମ୍ପତ୍ତି ହତୋତ୍ସାହ ହୋଇ ପଡିଲେ ଏବଂ ଶେଷରେ ବିଭିନ୍ନ ସମାଜସେବୀଙ୍କ ଦ୍ଵାରା ସବୁ ତଥ୍ୟ ପଦାକୁ ଆସିଲା ।
ଏହା ପରେ କିଛି ସମାଜସେବୀଙ୍କ ମାଧ୍ୟମରେ ଉଭୟ ଦମ୍ପତ୍ତି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଆଧାରରେ ଥାନା କେଶ୍ ନଂ: ୩୮୧ / ୨୦୨୫ ରେ ବିଏନଏସ ର ଧାରା ୩୧୮ (୪), ୨୯୬, ୩୫୧ (୨) ଓ ୩ (୫) ଅନୁଯାଇ ମାମଲା ରୁଜୁ ହୋଇଅଛି । ଉକ୍ତ କେଶ୍ ମାମଲାର ତଦନ୍ତ ଏତଲା ଦେବାର ୬ମାସ ଅତିବାହିତ ହୋଇଯାଇଥିଲେ ମଧ୍ୟ ସମ୍ପୃକ୍ତ ଅପରାଧୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ପରିଶେଷରେ ଦୃଷ୍ଟିବାଧିତ ଉଭୟ ପତିପତ୍ନୀ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ତା ୨୫.୦୬.୨୦୨୬ ରିଖରେ ଏକ ଲିଖିତ ଅଭିଯୋଗ ପ୍ରଦାନ କରି ଉକ୍ତ ଠକେଇରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।
ସେହିପରି ଠିକ୍ ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରେ । ଏହି ଘଟଣାଟି ଆହୁରି ପୀଡାଦାୟକ । କାରଣ ପ୍ରଥମ ଘଟଣାଟି ଠକେଇଜନିତ ହୋଇଥିବାବେଳେ ଯାହାର ଅଭିଯୁକ୍ତ ଅପରାଧୀ ଜଣେ ଗ୍ରାମୀଣ ଜନସେବା କେନ୍ଦ୍ରର ପରିଚାଳକ । ମାତ୍ର ଦ୍ଵିତୀୟ ଘଟଣା ଏକ ଅଦୂରଦର୍ଶୀ ନିଷ୍ଠୁରତାର ପ୍ରଦର୍ଶନ । ଯାହା ପୁଣି ସଂଘଠିତ ହୋଇଛି ଜିଲ୍ଲା ପ୍ରଶାସନର ଜଣେ ଦାୟିତ୍ଵନ୍ୟସ୍ତ ଅଧିକାରୀଙ୍କ ଦ୍ଵାରା। ଘଟଣାଟି ଘଟିଛି ଗତ ଜୁନ୍ ମାସରେ । ଋଣ ନ କରି ଜଣେ ଦିବ୍ୟାଙ୍ଗ ବୃଦ୍ଧଙ୍କର ଘର ସିଲ୍ କରିଛି ଡିସିବି ବ୍ୟାଙ୍କ ତାହା ପୁଣି ସ୍ଥାନୀୟ ପ୍ରଶାସନର ସହାୟତାରେ । ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଗୌତମଟିକରା ପିପିଲପଡାର ୬୨ ବର୍ଷୀୟ ଦିବ୍ୟାଙ୍ଗବୃଦ୍ଧ ଧନଞ୍ଜୟ ପ୍ରଧାନଙ୍କ କ୍ଷେତ୍ରରେ । ଧନଞ୍ଜୟ ପ୍ରଧାନ ପରିବାର କହିଲେ ବୃଦ୍ଧାପତ୍ନୀ, ବିଧବା ବୋହୂ ଓ ଦୁଇଜଣ ଶିଶୁ ନାତି ଓ ନାତୁଣୀ ।
ଘଟଣାଟି ଘଟିଥିଲା ଜୁନ୍ ୫ ତାରିଖ ୨୦୨୬ଦିନ । ଦିବ୍ୟାଙ୍ଗବୃଦ୍ଧ କିମ୍ବା ତାଙ୍କ ପରିବାରର କୌଣସି ବ୍ୟକ୍ତି ଡିସିବି ବ୍ୟାଙ୍କରୁ ଋଣ ଆଣି ନଥିଲେ ମଧ୍ୟ ଜମନକିରାର ଅତିରିକ୍ତ ତହସିଲଦାର ଓ ଡିସିବି ବ୍ୟାଙ୍କର କର୍ତ୍ତୃପକ୍ଷ ପୋଲିସ ସହାୟତାରେ ତାଙ୍କ ବାସଗୃହକୁ ସିଲ୍ କରିଥିଲେ । ବୃଦ୍ଧ ଦିବ୍ୟାଙ୍ଗ ଧନଞ୍ଜୟ କାକୁତିମିନତି ହୋଇ ନିଜ ଘରର ପଟ୍ଟା ଓ ମାଲିକାନ ସମ୍ପର୍କିତ ଦସ୍ତାବିଜ୍ ଦେଖାଇଥିଲେ ମଧ୍ୟ ସମ୍ପୃକ୍ତ ତହସିଲଦାର ତାଙ୍କ କଥାକୁ ଗୁରୁତ୍ୱ ନଦେଇ ଘର ସିଲ୍ କରିଥିଲେ ଏବଂ ମାତ୍ର ଏକବଖରା ଘରକୁ ସେମାନଙ୍କର ଚଳିବା ନିମନ୍ତେ ଛାଡିଥିଲେ । ପ୍ରତିବାଦ କଲେ ଅବଶିଷ୍ଟ ବାସଗୃହକୁ ମଧ୍ୟ ସିଲ୍ କରିଦିଆଯିବ ବୋଲି କୁହାଯାଇଥିଲା ।
ଏ ସମ୍ପର୍କିତ ଖବର ଦୈନିକ ସମ୍ବାଦରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ୨୧ଦିନ ପରେ ତା ୨୫.୦୬.୨୦୨୬ରିଖ ତଦନ୍ତ କରି ଘରର ତାଲା ଖୋଲିଥିଲେ । ତଦନ୍ତରୁ ଜଣାପଡିଲା ଜମନକିରା ତହସିଲ ଅଧୁନା ଗୌଡପାଲି ଆର୍.ଆଇ. ସର୍କଲର କୁସୁଲି ମୌଜାର ଖାତା ନ” –୮୮ ଓ ପ୍ଳଟ ନଂ – ୨୮୪/ ୧୪୨୦ରେ ଦିବ୍ୟାଙ୍ଗ ଧନଞ୍ଜୟ ପ୍ରଧାନ ଓ ଅନ୍ୟ ପରିବାର ସଦସ୍ୟଙ୍କର ଜମିଅଛି । ଏହି ପ୍ଲଟରେ ୧୭ ଡିସିମିଲ୍ ଜମିରେ ଦିବ୍ୟାଙ୍ଗ ଧନଞ୍ଜୟ ପ୍ରଧାନଙ୍କର ବାସଗୃହ ଥିଲାବେଳେ ସେହି ପ୍ଲଟର ୧୧ ଡିସିମିଲ୍ ଜମିରେ ପ୍ରସନ୍ନ ପ୍ରଧାନଙ୍କ ନାମରେ ଅଛି । ପ୍ରସନ୍ନ ପ୍ରଧାନଙ୍କ ପୁଅ ସୁଦିପ୍ତ ପ୍ରଧାନ ଡିସିବି ବ୍ୟାଙ୍କରୁ ୧୭ ଲକ୍ଷଟଙ୍କା ଋଣ ନେଇଥିଲେ । କିନ୍ତୁ ଦୁଃଖର ବିଷୟ ବ୍ୟାଙ୍କ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନିକ ଅଧିକାରୀ ଉପର ଠାଉରିଆ ଭାବରେ ରଣ ନକରିଥିବା ଦିବ୍ୟାଙ୍ଗ ଧନଞ୍ଜୟ ପ୍ରଧାନଙ୍କ ଘରକୁ ସିଲ୍ କରିଥିଲେ । ପରିଣାମରେ ସପରିବାର ଜ୍ୟେଷ୍ଠ ମାସର ଅଗ୍ନିବର୍ଷୀ ସମୟରେ କେବଳ ଗୋଟିଏ ମାତ୍ର କୋଠରୀ ଭିତରେ ଆବଦ୍ଧ ରହି ଦୀର୍ଘ ୨୧ ଦିନ ଧରି ଅସହ୍ୟ କଷ୍ଟ ଓ ଯନ୍ତ୍ରଣା ଭୋଗିଲେ । ଏପରିକି ସ୍କୁଲରେ ପଢୁଥିବା ବୃଦ୍ଧ ଧନଞ୍ଜୟଙ୍କ ନାତିନାତୁଣୀ ଦୁଇଜଣଙ୍କ ବହିପତ୍ର ସିଲ୍ ହୋଇଥିବା ଘର ଭିତରେ ରହିଥିବାରୁ ସେମାନେ ସ୍କୁଲ ବନ୍ଦ କରିବା ସହ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଏ ସମ୍ବନ୍ଧ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବନ୍ଦର ଏହାକୁ ଗୁରୁତର ସହ ଗ୍ରହଣ କରି କୁଚିଣ୍ଡା ଉପଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଏହିସବୁ ଘଟଣାକୁ ଅବଲୋକନ କଲେ ମନରେ ଏବେବି ସ୍ଵତଃ ପ୍ରଶ୍ନ ଜାତ ହେଉଛି, ଦିବ୍ୟାଙ୍ଗଙ୍କ ପ୍ରତି ନିଷ୍ଠୁରତା: କେବେ ବଦଳିବ ମାନସିକତା ?
ବଂଶୀଧର ମହାନ୍ତି
ସାମାଜିକ କର୍ମୀ
ସମ୍ପର୍କ: ୮୨୪୯୦୧୦୦୮୫

