ଦୁଇହଜାର ଏଗାର ମସିହା ଜନଗଣନା ଅନୁଯାୟୀ ଆମ ଦେଶର ଜନସଂଖ୍ୟାର ୨.୨୧ ପ୍ରତିଶତ ଅର୍ଥାତ୍ ଦୁଇହେକାଟି ଅଡ଼ଷଠି ଲକ୍ଷ ଲୋକ ଦିବ୍ୟାଙ୍ଗ ଶ୍ରେଣୀଭୁକ୍ତ । ବିଗତ ପନ୍ଦର ବର୍ଷ ହେଲାଣି ଆଉ ଜନଗଣନା କରାଯାଇନାହିଁ । ସମ୍ପ୍ରତି ଆରମ୍ଭ ହୋଇଥିବା ଜନଗଣନାରେ ଏ ସଂଖ୍ୟା ନିଶ୍ଚୟ ବୃଦ୍ଧି ପାଇବ । ଆମର ମୋଟ୍ ଜନସଂଖ୍ୟାର ଏକ ବୃହତ୍ ଅଂଶ ଯଦିଓ ଦିବ୍ୟାଙ୍ଗ ଶ୍ରେଣୀଭୁକ୍ତ, ମାତ୍ର ଆଜିଯାଏ ସେମାନଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ଆମ ରାଜନୀତିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇନାହିଁ । ଫଳରେ ଦିବ୍ୟାଙ୍ଗମାନେ ସମ୍ମୁଖୀନ ହେଉଥିବା ନାନାବିଧ ସମସ୍ୟା ସମ୍ପର୍କରେ ଯେଭଳି ସ୍ୱର ଉଠିବା କଥା, ତାହା ଆଜିଯାଏ ହୋଇପାରିନାହିଁ । ଯେଉଁ ଅଳ୍ପ କେତେକ ପଦକ୍ଷେପ ଦିବ୍ୟାଙ୍ଗ କଲ୍ୟାଣ ସକାଶେ ନିଆଯାଇଅଛି, ତାହା କେବଳ ସହାନୁଭୂତି ନ୍ୟାୟରେ ଏଥିରେ ସମାନୁଭୂତି ନାହିଁ ।
ସମାଜରେ ପଛୁଆ ବର୍ଗ ବୋଲି ବିଚାର କରି ଅନୁସୂଚୀତ ଜାତି ଓ ଜନଜାତିଙ୍କ ପାଇଁ ରାଜନୈତିକ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଅଛି । ଫଳରେ ପଞ୍ଚାୟତ ସ୍ତରରୁ ସଂସଦ ଯାଏଁ ଜନସଂଖ୍ୟାର ଅନୁାତ ଅନୁଯାୟୀ ସେମାନେ ସଂରକ୍ଷଣର ସୁବିଧା ପାଇପାରୁଅଛନ୍ତି । ମାତ୍ର ବିଡ଼ମ୍ବନାର ବିଷୟ ଆମ ଜନସଂଖ୍ୟାର ତିନି ଶତାଂଶ ଲୋକଙ୍କ ପାଇଁ ଆମେ ଅଦ୍ୟାବଧି ସଂରକ୍ଷଣର ପରିକଳ୍ପନା କରିାରିନାହାନ୍ତି । କେବଳ ସେମାନଙ୍କୁ ସହାନୁଭୂତି ଜଣାଇ ଭୋଟଦାନର ଅଧିକାର ପ୍ରଦାନ ସହ ସୁଗମ ଭୋଟଦାନ ପାଇଁ ବ୍ୟବସ୍ଥା କରାଯାଇଅଛି । ଅଦ୍ୟାବଧି ଆମେ ସେମାନଙ୍କୁ କେବଳ ଭୋଟର ପର୍ଯ୍ୟାୟରେ ରଖିଛୁ କିନ୍ତୁ କେବେ ପ୍ରାର୍ଥୀ କରିନାହିଁ ।
ଆମର ନୀତି ନିର୍ଦ୍ଧାରକମାନଙ୍କର ଧାରଣା ଯେ ଦିବ୍ୟାଙ୍ଗମାନଙ୍କୁ ସଂରକ୍ଷଣ ଦେଲେ ସେମାନେ ତାଙ୍କର ଦାୟିତ୍ୱ ନିର୍ବାହ ପ୍ରତି ନ୍ୟାୟ ପ୍ରଦାନ କରିାରିବେ ନାହିଁ । ମାତ୍ର ଆମର ଭୁଲିଯିବା ଉଚିତ୍ ନୁହେଁ ଯେ ପ୍ରଥମ ଦିବ୍ୟାଙ୍ଗ ଦୃଷ୍ଟିହୀନ ସାଧନା ଗୁପ୍ତା ଏହି ଧାରଣାକୁ କେବଳ ଭ୍ରାନ୍ତ ବୋଲି ପ୍ରମାଣିତ କରିନାହାନ୍ତି, ବରଂ ନିଜର ବିଦ୍ବତ୍ତା ଓ ବାଗ୍ମୀତାରେ ଆମ ସଂସଦରେ ସ୍ମରଣୀୟ ଛାପ ଛାଡ଼ିବାରେ ସମର୍ଥ ହୋଇଅଛନ୍ତି । ତାଙ୍କର ରାଜନୈତିକ ସାମର୍ଥ୍ୟର ସହାୟତାରେ ସେ ଭାରତର ଦୃଷ୍ଟିବାଧିତମାନଙ୍କ ପାଇଁ ଏକ ଜାତୀୟ ପ୍ରତିଷ୍ଠାନ ପ୍ରତିଷ୍ଠା କରିବାରେ ସମର୍ଥ ହୋଇଥିଲେ ।
ଆମ ଓଡ଼ିଶାର ଝିଅ ମିନତୀ ବାରିକ ଯିଏ ସମ୍ପୂର୍ଣ୍ଣ ଚଳତ୍ଶକ୍ତି ଶୂନ୍ୟା ହୋଇ ଗୋଟିଏ ଚକଲଗା ଚେୟାର ବସି ଯାତାୟାତ କରନ୍ତି, ସିଏ କଣ୍ଟାବଣିଆ ଗ୍ରାମପଞ୍ଚାୟତର ସରପଞ୍ଚ ହୋଇ ସେହି ପଞ୍ଚାୟତର ପରିମଳ ଓ ସ୍ୱାସ୍ଥ୍ୟ ସମସ୍ୟାରେ ଦୃଷ୍ଟାନ୍ତଯୋଗ୍ୟ ଉନ୍ନତି ଆଣିଥିଲେ । ତେଣୁ ଆମ ଭିତରେ ଯେଉଁ ଅବବୋଧ ରହିଛି ଯେ, ଦିବ୍ୟାଙ୍ଗମାନେ ରାଜନୀତିରେ ପରାକାଷ୍ଠା ଦେଖାଇ ପାରିବେ ନାହିଁ ତାକୁ ଦୂର କରିବା ଉଚିତ୍ ।
ସମ୍ବିଧାନର ଧାରା ୧୪, ୧୯ ଓ ୨୧ କେବଳ ପ୍ରାବଧାନ କରିଛି ଯେ, ଭୋଟଦାନ ପାଇଁ ଦିବ୍ୟାଙ୍ଗମାନଙ୍କ ପାଇଁ ସୁଗମ ବ୍ୟବସ୍ଥା, କେବଳ ଭୋଟଦାନର ଅଧିକାର ଓ ଭୋଟ ପ୍ରଦାନର ସୁଗମ ବ୍ୟବସ୍ଥା କରିଦେଲେ ତାହା ସେମାନଙ୍କ ପାଇଁ ଯଥେଷ୍ଟ ହେବନାହିଁ, ସେମାନଙ୍କୁ ଏହି ନିର୍ବାଚନୀ ପ୍ରକ୍ରିୟାରେ ସଂରକ୍ଷଣ ଦେଇ ସେମାନଙ୍କର ପ୍ରତିନିଧିତ୍ୱକୁ ସୁନିଶ୍ଚିତ କରିବା ଆବଶ୍ୟକ । ଏ ଦିଗରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଧ୍ୟାନ ଦେଇ ଦୂର କରିବା ଆବଶ୍ୟକ । ଦିବ୍ୟାଙ୍ଗମାନେ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକ ଗୁଡ଼ିକ ହେଲା :
୧ । ମନୋନୟନ ପତ୍ର ଦାଖଲରେ ପ୍ରତିବନ୍ଧକ –
ଆମ ନିର୍ବାଚନ ପ୍ରକ୍ରିୟାରେ ଭାଗନେବାକୁ ହେଲେ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ମନୋନୟନ ପତ୍ର ଦାଖଲ ସହ ଏକ ସତ୍ୟପାଠ ଦେବାକୁ ପଡ଼ିଥାଏ । କିନ୍ତୁ ଏହି ମନୋନୟନ ପତ୍ରରେ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ସୂଚନା ଓ ତଥ୍ୟ ପ୍ରଦାନ ପାଇଁ ପ୍ରାବଧାନ ନାହିଁ । ଦିବ୍ୟାଙ୍ଗ ଶ୍ରେଣୀର ସୂଚନା ପ୍ରଦାନ ଯେହେତୁ ମନୋନୟନ ପତ୍ରରେ ଉଲ୍ଲେଖ କରିବାର ପ୍ରାବଧାନ ନାହିଁ । ତେଣୁ ଏହା ମାନିବାକୁ ବାଧ୍ୟହେବା ଯେ ଦିବ୍ୟାଙ୍ଗମାନଙ୍କୁ ଏହି ରାଜନୈତିକ ଧାରାରେ କୌଣସି ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଉନାହିଁ । ଏପରିକି ଦୃଷ୍ଟିବାଧିତ ଦିବ୍ୟାଙ୍ଗମାନଙ୍କ ପାଇଁ ମନୋନୟନ ପତ୍ରରେ ସ୍ୱତନ୍ତ୍ର ଲିିର ବ୍ୟବସ୍ଥା ମଧ୍ୟ ନାହିଁ ।
୨ । ଆନୁଷ୍ଠାନିକ ପୃଷ୍ଠପୋଷକତା –
ଆମ ନିର୍ବାଚନ ପ୍ରଣାଳୀରେ ଧାର୍ଯ୍ୟ ନିୟମାବଳୀ ଓ ଆଦର୍ଶ ନିର୍ବାଚନ ଆଚରଣ ବିଧିରେ ଦିବ୍ୟାଙ୍ଗମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଇନାହିଁ । ନିର୍ବାଚନ ପରଚାଳନା ଖର୍ଚ୍ଚ ଯାହା ଜଣେ ସାଧାରଣ ପ୍ରାର୍ଥୀ ପାଇଁ ଉଦ୍ଧିଷ୍ଟ ଓ ସ୍ଥିରୀକୃତ ସେତିକି ମଧ୍ୟ ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ । ଯେହେତୁ କେବଳ ବିଜୟ ଲକ୍ଷ୍ୟରେ ଲଢୁଥିବା ରାଜନୈତିକ ଦଳମାନେ ଜଣେ ଦିବ୍ୟାଙ୍ଗକୁ ସହଜରେ ପ୍ରାର୍ଥୀ କରିବାକୁ ରାଜି ହୁଅନ୍ତି ନାହିଁ, ବିନା ଦଳର ସହାୟତାରେ ଜଣେ ଦିବ୍ୟାଙ୍ଗ ନିର୍ବାଚନ ଲଢ଼ିବା ଓ ଏହାର ଖର୍ଚ୍ଚକୁ ମେଣ୍ଟାଇବା ଅସମ୍ଭବ ମନେହୁଏ । ତେଣୁ ବିନା ରାଜନୈତିକ ଦଳର ଚିହ୍ନ ଓ ସହାୟତାରେ ଲଢୁଥିବା ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କୁ ସରକାର ନିଜଦ୍ୱାରା ସ୍ଥିରୀକୃତ ଖର୍ଚ୍ଚରାଶି ଯୋଗାଇଦେବା ଆବଶ୍ୟକ ।
୩ । ରାଜନୈତିକ ଦଳର ଇଚ୍ଛାଶକ୍ତିର ଅଭାବ –
ଦିବ୍ୟାଙ୍ଗମାନଙ୍କ ପାଇଁ ସମାନ ସୁବିଧା ଓ ବାଛବିଚାର ନିୟମ ବିରୁଦ୍ଧରେ ଆଇନ ପ୍ରଣୟନ ହୋଇଥିଲେ ସୁଦ୍ଧା, ରାଜନୈତିକ ଦଳମାନେ ଏ ଦିଗରେ ବିହିତ ପଦକ୍ଷେପ ନେଇ ଶାସନ ପ୍ରକ୍ରିୟାରେ ଦିବ୍ୟାଙ୍ଗମାନଙ୍କୁ ସାମିଲ କରିବାରେ ବିଫଳ ହୋଇଅଛନ୍ତି । ନିର୍ବାଚନୀ ସଂକଳ୍ପପତ୍ରରେ ଦିବ୍ୟାଙ୍ଗମାନଙ୍କ ସୁବିଧା ସମ୍ପର୍କରେ ନାମମାତ୍ର ଉଲ୍ଲେଖ ଥାଏ ସିନା, କାର୍ଯ୍ୟତଃ କୌଣସି ପଦକ୍ଷେପ ନିଆଯାଇ ନ ଥାଏ । ତେଣୁ ଭାରତର ନିର୍ବାଚନ ଆୟୋଗ ଏହାକୁ ଦୃଷ୍ଟିରେ ରଖି ମନୋନୟନ ପତ୍ରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରାବଧାନ ରଖିବା ଉଚିତ୍ ।
୪ । ବହିଷ୍କାର ନିବାରଣ ଚକ୍ର ଭଙ୍ଗ –
ଏକ ନିଷ୍ପାପ ଓ ସୈଦ୍ଧାନ୍ତିକ ଅନ୍ତର୍ଭୁକ୍ତିକରଣ ପାଇଁ ସମ୍ପ୍ରତି ପ୍ରଚଳିତ ନିୟମ ଓ ପରମ୍ପରାକୁ ବଦଳାଇ ଦିବ୍ୟାଙ୍ଗମାନଙ୍କୁ ପ୍ରକୃତ ଗଣତାନ୍ତ୍ରିକ ପରମ୍ପରାରେ ନିର୍ବାଚନ ପ୍ରକ୍ରିୟାରେ ସ୍ୱତନ୍ତ୍ର ସୁବିଧା ପ୍ରଦାନ ନୁହେଁ, ବରଂ ପ୍ରଚଳିତ ହୋଇଆସୁଥିବା ପ୍ରତିବନ୍ଧକମାନଙ୍କୁ ହଟାଇବା ପାଇଁ ଉଦ୍ଧିଷ୍ଟ ।
ଏତଦ୍ବ୍ୟତୀତ ବିଭିନ୍ନ ରାଜ୍ୟରେ ଅଦ୍ୟାବଧି ପ୍ରଚଳିତ ହେଉଥିବା ପକ୍ଷପାତ ଆଇନର ପରିବର୍ତ୍ତନ ଆବଶ୍ୟକ ।
ଯେପରିକି ବିଭିନ୍ନ ରାଜ୍ୟରେ ଦିବ୍ୟାଙ୍ଗଙ୍କୁ ନିର୍ବାଚନରେ ଲଢ଼ିବା ପାଇଁ ଥିଲା ପ୍ରତିବନ୍ଧକ ହଟାଇବାକୁ ପଡ଼ିବ ଏବଂ ଯେଉଁ ସବୁ ରୋଗ ଓ ଶାରୀରିକ ଅକ୍ଷମତାର ଦ୍ୱାହି ଦେଇ ସେମାନଙ୍କୁ ନିର୍ବାଚନରେ ଲଢ଼ିବା ପାଇଁ ପ୍ରତିବନ୍ଧକ ସୃଷ୍ଟି କରାଯାଉଅଛି, ତାହାକୁ ଦୂର କରିବାକୁ ପଡ଼ିବ । ଆମ ଭିତରେ ଏପର୍ଯ୍ୟନ୍ତ ରହିଆସିଥିବା ବଦ୍ଧମୂଳ ଧାରଣା ଯେ ଦିବ୍ୟାଙ୍ଗମାନେ ସଫଳ ନେତୃତ୍ୱ ଦେଇପାରିବେ ନାହିଁ, ତାକୁ ପରିହାର କରିବାକୁ ପଡ଼ିବ । ଅନୁସୂଚୀତ ଜାତି ଓ ଜନଜାତିମାନଙ୍କ ପରି ସେମାନଙ୍କ ସଂଖ୍ୟା ଅନୁପାତରେ କିଛି ସ୍ଥାନ ଦିବ୍ୟାଙ୍ଗମାନଙ୍କ ପାଇଁ ସଂରକ୍ଷିତ ରହିବା ଆବଶ୍ୟକ । ସେମାନେ ଯେଉଁଦିନ ଶାସନତନ୍ତ୍ର ଓ ନୀତିନିର୍ଦ୍ଧାରଣରେ ସାମିଲ ହେବେ, ସେଦିନ ଦିବ୍ୟାଙ୍ଗମାନଙ୍କ ପାଇଁ ସମାନୁଭୂତି ସମ୍ପୂର୍ଣ୍ଣ ଆଇନ ପ୍ରଣୟନ ହୋଇ ସମାଜର ଏହି ବଞ୍ଚିତ ବର୍ଗଙ୍କର କଲ୍ୟାଣ ସାଧନ ହୋଇପାରିବ ।
ରାଜ୍ୟ ବର୍ଦ୍ଧନ ଧଳମହାପାତ୍ର
ବିଶିଷ୍ଟ ଲେଖକ ଓ ସ୍ତମ୍ଭକାର


