® ISSN : 3107-4979 | A Bilingual (Odia & English) Bimonthly Special Newspaper Covering News and Views on Disabilities | ® RNI Regd. No. ODIBIL/2016/67738

ପ୍ରସ୍ତୁତି ଓ ଉପସ୍ଥାପନା –ବିରଜା ରାଉତରାୟ
ସହଯୋଗୀତା – ଗୋଲାପ ରାଉତ

କୁହାଯାଏ ଯାହାର କ୍ଷମତା ତାହାର ଶକ୍ତି । ଯାହାର ସେତିକି ନାହିଁ ସେ ଦୁର୍ବଳ ଓ ନିର୍ବଳ । ମାନବ ସଭ୍ୟତାର ଇତିହାସ ଯେଉଁ ପ୍ରାଚୀନ, ମଧ୍ୟମ ଓ ଆଧୁନିକ କାଳଖଣ୍ଡର କଷୋଟି ଗାରରେ ଆଗକୁ ଅଗ୍ରସର ହୋଇଛି, ତାହାରି ମୂଳରେ ରହିଛି କ୍ଷମତା ବା ଶକ୍ତି। ଯିଏ ଶକ୍ତିଶାଳୀ ସିଏ ରାଜତ୍ଵ କରିଛି । ରାଜତନ୍ତ୍ରରୁ ଗଣତନ୍ତ୍ରର ଏହି ପର୍ଯ୍ୟାୟ ଜନପ୍ରତିନିଧିମୂଳକ ଶାସନ ବ୍ୟବସ୍ଥାରେ ଆସି ପହଞ୍ଚିଛି । ଅର୍ଥାତ୍ ପ୍ରତିନିଧିତ୍ଵ ହିଁ କ୍ଷମତାର ନୂଆ ପରିଚୟ। ନୂଆ ପରିଭାଷା । ଏହି ପ୍ରତିନିଧିତ୍ୱର ଆଜିର ଦୌଡ଼ ପ୍ରତିଯୋଗିତାରେ ଅର୍ଥବଳ ଓ ଲୋକବଳ ପରି ମାନଦଣ୍ଡ ସହ ଦଳୀୟ ସୁପାରିସ ବା ଟିକଟ ଜରୁରୀ ହୋଇପଡିଛି । ସେହି ନିର୍ବାଚନୀ କ୍ଷେତ୍ରରେ ଆଢ଼ୁଆଳ ହୋଇ ରହିଯାଇଥିବା ଯୋଗ୍ୟ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ଅବା ପଚାରେ କିଏ ?

ସ୍ଵାଧୀନତା ପୂର୍ବରୁ ଭାରତ ପରି ଏକ ରକ୍ଷଣଶୀଳ ସାମାଜିକ ବ୍ୟବସ୍ଥା ଓ ଧାର୍ମିକ ନିୟମ ନିଗଡ଼ର ଲୋକାଚାର ଓ ସଂକୀର୍ଣ୍ଣ ବିଚାରର ବଳୟ ମଧ୍ୟରେ ସବୁଠାରୁ ଅଧିକ ମାନସିକ ନିପୀଡ଼ିତ, କୋଣଠେସା, ଅନୁନ୍ନତ, ଅବହେଳିତ, ଦରିଦ୍ର ତଥା ପଛୁଆ ଅଣଦେଖାବର୍ଗ ହୋଇ ରହିଯାଇଥିବା ଗୋଷ୍ଠି ହେଉଛନ୍ତି ଭିନ୍ନକ୍ଷମ। ଜାତି, ବର୍ଣ୍ଣ , ଧର୍ମ ଓ ଭୂଖଣ୍ଡ ନିର୍ବିଶେଷରେ ଏମାନଙ୍କର କ୍ଷୀଣକାୟ ଉପସ୍ଥିତି ସବୁଠି ରହିଛି । ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ମିଳିତ ଜାତିସଂଘର ପ୍ରତିଷ୍ଠା ହୁଏ । ଏହା ପରେ ୧୯୪୯ ମସିହାର ପ୍ରଥମ ବିଶ୍ଵସ୍ତରୀୟ ଯୁଗାନ୍ତକାରୀ ମାନବ ଅଧିକାରର ଉଦଘୋଷଣା ପରବର୍ତ୍ତୀ ସମୟରେ ଅନେକ ମାନବକୈନ୍ଦ୍ରିକ ନିତି ଓ ନିୟମ ପ୍ରଣିଧାନରେ ସହାୟକ ହୋଇଥିଲା । ଏହା ସହିତ ଭିନ୍ନକ୍ଷମ ବ୍ୟକ୍ତିବିଶେଷମାନଙ୍କ ଅଧିକାର ସମ୍ପର୍କିତ ଆଇନ ପ୍ରସ୍ତୁତି ନିମନ୍ତେ ଆନ୍ତର୍ଜାତୀୟ ସ୍ତରରେ ବାଟ ଫିଟିଲା । ୧୯୭୫ ମସିହାରେ ମିଳିତ ଜାତିସଂଘର ସାଧାରଣ ପରିଷଦ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ଅଧିକାର ସମ୍ପର୍କିତ ଏକ ଘୋଷଣାନାମାକୁ ସ୍ଵୀକୃତି ଦିଏ। ୨୦୦୬ ମସିହାରେ ମିଳିତ ଜାତିସଂଘର ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ସମ୍ପର୍କିତ କନଭେନସନ୍(UNCRPD) ବିଭିନ୍ନ ଦେଶମାନଙ୍କରେ ସ୍ଵତନ୍ତ୍ର ଆଇନ ପ୍ରଣୟନର ମାର୍ଗକୁ ପ୍ରସସ୍ଥ କରେ । ଏହା ପୂର୍ବରୁ ଆମ ଦେଶରେ ୧୯୯୫ ମସିହାରେ ପ୍ରଥମ ଭିନ୍ନକ୍ଷମ ଆଇନ ପାରିତ ହୋଇଥିଲା । ୨୦୦୬ ମସିହା ମିଳିତ ଜାତିସଂଘର ସ୍ଵୀକୃତ ଅଧିକାର ଅନୁଯାୟୀ ବିଭିନ୍ନ ସାମାଜିକ ସଂଗଠନ ଓ ଭିନ୍ନକ୍ଷମ ଅଧିକାର କର୍ମୀଙ୍କ ଆନ୍ଦୋଳନ ଫଳରେ ୨୦୧୬ ମସିହାରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ନିମନ୍ତେ ଏକ ନୂତନ ବିସ୍ତୃତ ଓ ଶକ୍ତିଶାଳୀ ଅଧିନିୟମ ପ୍ରଣୟନ କରାଯାଇଛି ।

ଏହା ବ୍ୟତିରେକ ଭାରତୀୟ ସମ୍ବିଧାନ ଧାରା – ୧୪,୧୫, ୧୬ ଓ ଧାରା – ୨୧ ପ୍ରଭୃତିରେ ସମାନତା ଭେଦଭାବହୀନତା, ସମାନ ସୁଯୋଗ ଏବଂ ସର୍ବୋପରି ମାନବୀୟ ମର୍ଯ୍ୟାଦାପୂର୍ଣ୍ଣ ଜୀବନର ଅଧିକାର ପ୍ରଦାନ କରିଥାଏ । ଏହା ସହିତ ନୂତନ ଭିନ୍ନକ୍ଷମ ଆଇନର ଧାରା – ୧୧ ଦିବ୍ୟାଙ୍ଗମାନଙ୍କ ନିର୍ବାଚନ ପ୍ରକ୍ରିୟାରେ ଭୋଟଦାନର ଅଧିକାର ଓ ଅଂଶଗ୍ରହଣକୁ ଅଧିକ ସୁଗମ୍ୟ କରିଛି । ଗତ ୧୮ତମ ସାଧାରଣ ନିର୍ବାଚନରେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ଵାରା ‘ ସକ୍ଷମ ‘ ଆପ୍ ଓ “୧୨ଘ” ଫର୍ମ ମାଧ୍ୟମରେ ଗୁରୁତର ଭିନ୍ନକ୍ଷମମାନଙ୍କ ପାଇଁ ଘରେ ଭୋଟଦାନର ବ୍ୟବସ୍ଥା ପ୍ରଭୃତି ଭାରତୀୟ ନିର୍ବାଚନ ବ୍ୟବସ୍ଥାକୁ ଅଧିକ ସମାବେଶୀ ଓ ଦିବ୍ୟାଙ୍ଗ ଅନୁକୂଳ କରି ପାରିଛି ସତ କିନ୍ତୁ ରାଜନୀତିକ ପ୍ରତିନିଧିତ୍ଵ କ୍ଷେତ୍ରରେ ଭିନ୍ନକ୍ଷମମାନଙ୍କ ପ୍ରବେଶ ଓ ଉପସ୍ଥିତି ଅତ୍ୟନ୍ତ ନଗଣ୍ୟ ବା ଆଦୌ ଦୃଶ୍ୟମନ୍ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ । ଯଦିଓ ସଚେତନାର ବିବିଧ ଉପାୟ ଅବଲମ୍ବନ ଦ୍ଵାରା ଭୋଟଦାନ ପ୍ରକ୍ରିୟାରେ ଦିବ୍ୟାଙ୍ଗ ଭୋଟରମାନଙ୍କ ଅଂଶଗ୍ରହଣ ପୂର୍ବାପେକ୍ଷା ଆଶାତୀତଭାବେ ବୃଦ୍ଧି ପାଇଛି, ମାତ୍ର ପ୍ରତିନିଧିତ୍ଵର ସୁଯୋଗ ପ୍ରଦାନରେ ଏବେ ସୁଦ୍ଧା ରାଜନୈତିକ ଦଳଗୁଡିକର ବିଶ୍ଵାସ ଜିଣିପାରିନାହାନ୍ତି ଏହି କ୍ଷେମତା ବାହାରେ ରହିଥିବା ବର୍ଗ ।

ସମ୍ପ୍ରତି ଦେଶର ୧୬ତମ ଜନଗଣନା ପ୍ରକ୍ରିୟା ଚାଲୁରହିଛି । ଏହାର ପୂର୍ବବର୍ତ୍ତୀ ୨୦୧୧ ମସିହାର ଜନଗଣନା ଅନୁଯାୟୀ ଭାରତରେ ୨.୬୮ କୋଟି ଲୋକ ଅର୍ଥାତ୍ ସମୁଦାୟ ଜନସଂଖ୍ୟାର ୨.୨୧% ପ୍ରତିଶତ ଭିନ୍ନକ୍ଷମ । ତାହା ପୁଣି ସେତେବେଳର ୭ଗୋଟି ପ୍ରକାରର ଭିନ୍ନକ୍ଷମତାକୁ ଆଧାର କରି । ଏହା ମଧ୍ୟରେ ୨୦୧୬ ମସିହାରେ ପ୍ରଣିତ ନୂତନ ଭିନ୍ନକ୍ଷମ ଆଇନରେ ଏହା ୨୧ ପ୍ରକାରକୁ ପହଞ୍ଚି ସାରିଛି । ଏବେ ଜାରି ରହିଥିବା ଜନଗଣନାର ପରିଣାମ ୨୦୨୭କୁ ଆସିବ । କିନ୍ତୁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବିଶ୍ୱବ୍ୟାଙ୍କର ତଥ୍ୟ ଅନୁଯାୟୀ ସାରା ବିଶ୍ୱ ଜନସଂଖ୍ୟାର ଶତକଡ଼ା ୧୫ ଭାଗ ଲୋକ ଅଳ୍ପ ବହୁତେ ଭିନ୍ନକ୍ଷମତାର ଶିକାର ଅଟନ୍ତି । ସେହି ଅନୁଯାୟୀ ଗୋଟେ ଆନୁମାନିକ ପରିସଂଖ୍ୟାନ କଲେ ଭାରତର ୧୫ କୋଟିରୁ ଉର୍ଦ୍ଧ୍ଵ ଲୋକ କିଛିନା କିଛି ଭିନ୍ନକ୍ଷମତାଭୁକ୍ତ ରହିଥିବେ ବୋଲି କହିହେବ ।

ସେହିପରି ଓଡ଼ିଶାରେ ଭିନ୍ନକ୍ଷମଙ୍କ ପରିସଂଖ୍ୟାନ ଯଦି ଦେଖିବା ୨୦୧୧ ମସିହା ଅନୁଯାୟୀ ୧୨ଲକ୍ଷ ,୪୪ହଜାର,୪୦୨ ଅର୍ଥାତ୍ ୨.୯୬ % ପ୍ରତିଶତ । କିନ୍ତୁ ଏହି ବର୍ଗରୁ ଓଡ଼ିଶାର ରାଜନୀତିକ ଦୃଶ୍ୟପଟ୍ଟରେ ପ୍ରତିନିଧିତ୍ଵ ଖୋଜି ବସିଲେ ନିରାଶାର ଏକ ବହଳ କୁହୁଡ଼ି ବାଟ ଓଗାଳି ବସିବ । ଏହାର ଅର୍ଥ ନୁହେଁ ଯୋଗ୍ୟତା, ମେଧା ଓ ଦକ୍ଷତାର ମାପକାଠିରେ ଏମାନେ ସମସ୍ତେ ପଛୁଆ । ସାଧାରଣ ମାନସିକତାରେ ଭିନ୍ନକ୍ଷମବ୍ୟକ୍ତିର ସାମର୍ଥ୍ୟ ଓ ପରିବାପଣର ପାରଦ ତଥାକଥିତ ଯୋଗ୍ୟତାର ଥର୍ମୋମିଟରରେ ସର୍ବଦା ନିଚ୍ଚା ରହିଆସିଛି । ଏପରି କି ଭାରତରେ ଥିବା ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳ ଅନୁସୂଚିତ ଜାତି,ଜନଜାତି, କୃଷକ ଓ ମହିଳାମାନଙ୍କ ନିମନ୍ତେ ସ୍ଵତନ୍ତ୍ର ସେଲ୍ ସ୍ଥାପନା କରିଥିବା ବେଳେ ଭିନ୍ନକ୍ଷମବର୍ଗଙ୍କ ଏତେଗୁଡ଼ିଏ ସଂଖ୍ୟା ଥାଇ ସୁଦ୍ଧା କୌଣସି ସ୍ୱତନ୍ତ୍ର ଦଳୀୟ ଅନ୍ତର୍ଭୂକ୍ତି ନିର୍ବାଚନୀ ନିତି କେବଳ ଜାତୀୟ କଂଗେସ ଦଳକୁ ଛାଡ଼ି ଅନ୍ୟ କେହି କରି ନାହାଁନ୍ତି । ପ୍ରଥମକରି ୨୦୨୪ ମସିହାରେ କଂଗେସ ଦଳ ତରଫରୁ ଖୋଲିଥିବା ଏହି ଡିଜାବିଲିଟି ସେଲ୍ ଏକମାତ୍ର ଓଡ଼ିଶା ପ୍ରଦେଶ ଓ ଏହାର କିଛି ଜିଲ୍ଲାଗୁଡ଼ିକରେ ଗଠିତ ହୋଇ ସକ୍ରିୟ ରହିଛି ।

ଅଦ୍ୟାବଧି ଭାରତୀୟ ମୁଖ୍ୟ ସ୍ରୋତର ଜୀବନଯାତ୍ରାଠାରୁ ଖୁବ୍ ପଛରେ ରହିଯାଇଥିବା ଏହି ବର୍ଗଟିର ନିଯୁକ୍ତି, ଶିକ୍ଷା ପ୍ରଭୃତି କ୍ଷେତ୍ରରେ ସଂରକ୍ଷଣ ପରି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନଠାରୁ ବିଧାନସଭା ଓ ଲୋକସଭା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପ୍ରତିନିଧିତ୍ୱର ଆବଶ୍ୟକତା ରହିଛି ବୋଲି ଅନେକ ନିତି ନିର୍ଦ୍ଧାରକ, ସାମାଜିକ ସଂଗଠନ ଓ ଭିନ୍ନକ୍ଷମ ଅଧିକାରକର୍ମୀମାନେ ଦାବି ଉପସ୍ଥାପନ କରିଥାନ୍ତି । ସେମାନଙ୍କ ମତରେ ଗୋଟିଏ ସମାବେଶୀ ବା ସମ୍ମିଳିତ ସମାଜର ପ୍ରକୃତ ବାସ୍ତବାୟନ ସେତିକି ବେଳେ ସମ୍ଭବ ହେବ ଯେତେବେଳେ ଏହି ଅଣପ୍ରତିନିଧିତ୍ୱ ପଛୁଆ ବର୍ଗର ପ୍ରାର୍ଥୀ ନିୟାମକ ପ୍ରଣୟନ ଓ ନିତିନିର୍ଦ୍ଧାରଣରେ ସକ୍ରିୟ ଭୂମିକା ଗ୍ରହଣ କରିବେ । ଅନ୍ୟଥା , ସେଇ ବର୍ଗର ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ରହିଥିବା ଅନଗ୍ରସରତା ଓ ଯଥାର୍ଥ ଆବଶ୍ୟକତାର ଅନୁଭବ ଏବଂ ଅଭିଜ୍ଞତା ଓ ସର୍ବୋପରି ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଯୋଜନାର ଅଙ୍ଗୀଭୂତଅଂଶ ହୋଇ ପାରିବ ନାହିଁ । କେବଳ ବାହ୍ୟସ୍ତରରେ ପରିବର୍ତ୍ତନ ବ୍ୟତୀତ ଯୋଜନାର ସୁଫଳ ଅନ୍ତଃସ୍ତର ନିକଟରେ ଅପହଞ୍ଚ ହୋଇ ରହିଯିବ ।

ସେମାନେ ମଧ୍ୟ ଯୁକ୍ତି କରନ୍ତି ଯେପରି ସମ୍ବିଧାନର ଧାରା – ୩୩୦ ଏବଂ ୩୩୨ ରାଜ୍ୟ ବ୍ୟବସ୍ଥାପିକା ଓ ସଂସଦରେ ପ୍ରତିନିଧିତ୍ୱ ନିମନ୍ତେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣର ପ୍ରାବଧାନ ରଖିଛି । ଏହା ସହିତ ୭୩ତମ ସାମ୍ବିଧାନିକ ସଂଶୋଧନ ଦ୍ୱାରା ଧାରା – ୨୪୩ ଡି ତ୍ରୀସ୍ତରୀୟ ପାୟତିରାଜ ବ୍ୟବସ୍ଥା ଏବଂ ମ୍ୟୁନିସପାଲିଟି ଗୁଡ଼ିକରେ ଏହି ସବୁ ବର୍ଗର ପ୍ରତିନିଧିତ୍ୱ ନିମନ୍ତେ ସଂରକ୍ଷଣର ସୁବିଧା କରାଯାଇଛି । ଏହିପରି ଅବିକଳ ଭାବରେ ପ୍ରତିନିଧିତ୍ଵ କ୍ଷେତ୍ରରେ ପ୍ରାୟତଃ ଅଦୃଶ୍ୟମାନ୍ ରହିଥିବା, ସାମାଜିକ ଅର୍ଥନୀତିକ ସୀମାବଦ୍ଧତା ଓ ନକରାତ୍ମକ ଦୃଷ୍ଟିକୋଣ ଏବଂ ସର୍ବାଗ୍ରେ ନିଜର ଶାରିରୀକ , ମାନସିକ, ସ୍ନାୟବିକ, ଇନ୍ଦ୍ରିୟଗତ ପ୍ରତିବନ୍ଧକତା ଓ ବୌଦ୍ଧିକ ବିକାଶ ବାଧକତା ହେତୁ ମାନବୀୟ ବିକାଶର ସର୍ବନିମ୍ନ ସୂଚକାଙ୍କ ଠାରୁ ଢେର୍ ପଛରେ ରହିଯାଇଥିବା ଏହି ବର୍ଗଙ୍କୁ ସରକ୍ଷଣର ଆବଶ୍ୟକତା ରହିଛି ।

ଏହାଛଡା ଯଦି ରାଜନୈତିକ ସାମର୍ଥ୍ୟର ମାପକାଠି ଓ ବିଧେୟକ ତଥା ନିୟାମକ ପ୍ରସ୍ତୁତି ପ୍ରଣୟନରେ ଦୂରଦର୍ଶୀତାକୁ ଅନ୍ୟତମ ଶ୍ରେଷ୍ଠ ମାପକାଠି ବୋଲି ଗ୍ରହଣ କରାଯାଏ ତେବେ ଏ ଦିଗରେ ଭାରତୀୟ ରାଜନୀତିର ମାନଚିତ୍ରରେ ଭିନ୍ନକ୍ଷମ ବ୍ୟକ୍ତି ବିଶେଷମାନେ ସେମାନଙ୍କର ସଫଳ ଉଦାହରଣ ସୃଷ୍ଟି କରି ପାରିଛନ୍ତି । ଦେଶର ପ୍ରଥମ ଦୃଷ୍ଟିବାଧିତ ସାଂସଦ ଭାବେ ‘ସାଧନ ଚନ୍ଦ୍ର ଗୁପ୍ତା ‘ , ଚଳନଶକ୍ତି ବାଧିତ ପାଞ୍ଚଥର ସାଂସଦ ରହି ସାରିଥିବା ‘ ଜୟପାଲ ରେଡ୍ଡୀ ‘ , ଓ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ‘ ହରିଦେବ ଯୋଶୀ ‘ ଏବଂ ରାଜ୍ୟସଭାର ସାଂସଦ ‘ସଦାନଦ ମାଷ୍ଟର ‘ ପ୍ରମୁଖ ନିଜର ଦକ୍ଷତାର ନିଦର୍ଶନ ଛାଡ଼ି ଯାଇଛନ୍ତି । ଏହା ନୁହେଁ ଯେ ଶାରିରୀକ ବା ଇନ୍ଦ୍ରିୟଗତ ଅକ୍ଷମତା ସେମାନଙ୍କୁ ନିଜର ଉତ୍କର୍ଷ ପ୍ରତିପାଦିତ କରିବାରେ ପ୍ରତିବନ୍ଧକ ସାଜିଛି । ମାତ୍ର ଏହିପରି ସୌଭାଗ୍ୟ ଅବା କେତେ ଜଣଙ୍କୁ ମିଳୁଛି ? ଭିନ୍ନକ୍ଷମ ବର୍ଗଙ୍କ ଏତେବଡ଼ ସଂଖ୍ୟା ଦୃଷ୍ଟିରୁ ଏବଂ ବିବିଧତାର ବାସ୍ତବତା ଦୃଷ୍ଟିରୁ ପ୍ରତିନିଧିତ୍ୱର ପରିସର ଓ ବ୍ୟାପକତାକୁ ସୁନିଶ୍ଚିତ କରିବା ନିମନ୍ତେ ସଂରକ୍ଷଣ ଏକ ପ୍ରଭାବୀ ମାର୍ଗ ହୋଇପାରିବ ବୋଲି ଅନେକ ସମାଜତତ୍ତ୍ଵବିତ୍ ଓ ଭିନ୍ନକ୍ଷମ ଅଧିକାର କର୍ମୀଙ୍କ ମତ । ଗଣତାନ୍ତ୍ରିକ କ୍ଷମତାର ବିକେନ୍ଦ୍ରୀକରଣ ପ୍ରକ୍ରିୟାରେ ସମସ୍ତ ଦୁର୍ବଳ ଏବଂ ଅବହେଳିତ ବର୍ଗକୁ ପ୍ରତିନିଧିତ୍ଵ କରିପାରିଲେ ଏକ ସୁସ୍ଥ ସମାବେଶୀ ସମାଜ ସମ୍ଭବପର ।

କ୍ଷମତା ବିକେନ୍ଦ୍ରିକରଣର ଏହି ବିଷମତାକୁ ଉପଲକ୍ଷ କରି ଦୀର୍ଘ କିଛି ବର୍ଷ ହେବ ବିଭିନ୍ନ ସାମାଜିକ ସଂଘଠନ, ରାଜ୍ୟସ୍ତରରେ ଦିବ୍ୟାଙ୍ଗମାନଙ୍କ ପାଇଁ କାର୍ଯ୍ୟକରି ଆସୁଥିବା ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନ ବିଭିନ୍ନ ଫୋରମରେ ସ୍ଵର ଉତ୍ଥାପନ କରିଆସୁଛନ୍ତି । ଏହିପରି କାର୍ଯ୍ୟରତ ସଂଗଠନମାନଙ୍କ ଏକ ରାଜ୍ୟସ୍ତରୀୟ ନେଟୱାର୍କ ବା ଓଏସଡିନ୍ ର ଆବାହକ ତଥା ପଶ୍ଚିମ ଓଡିଶାର ଏକ ପ୍ରମୁଖ ସାମାଜିକ ସଂଗଠନ (ୟୁଥ୍ ସର୍ଭିସ ସେଣ୍ଟର)ର ନିର୍ଦ୍ଦେଶକ ସାମାଜିକକର୍ମୀ ଉମେଶ ପୁରୋହିତ ଦିବ୍ୟାଙ୍ଗମାନଙ୍କ ରାଜନୈତିକ ଅନ୍ତର୍ଭୂକ୍ତିରେ ସରକ୍ଷଣର ସପକ୍ଷରେ ମତ ଉପସ୍ଥାପନ କରନ୍ତି । ଦୀର୍ଘ ୨୦ବର୍ଷରୁ ଉର୍ଦ୍ଧ୍ଵକାଳ ଦିବ୍ୟାଙ୍ଗବ୍ୟକ୍ତିଙ୍କ ଅଧିକାର ନିମନ୍ତେ ସ୍ଵର ଉତ୍ତୋଳନ କରିଆସୁଥିବା ଶ୍ରୀ ପୁରୋହିତ “ପୁନର୍ବାସ ସମାଚାରକୁ” ସାକ୍ଷାତକାର ମାଧ୍ୟମରେ ଅନେକ ତଥ୍ୟପୂର୍ଣ୍ଣ ଆଧାରକୁ ନିମ୍ନମତେ ସୂଚାଇଥାନ୍ତି ।

ସାମାଜିକ କର୍ମୀ ଉମେଶ ପୁରୋହିତ

ପ୍ରଶ୍ନ୧- ଜଣେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାରକର୍ମୀ ଭାବେ ଆପଣଙ୍କ ଦୀର୍ଘବର୍ଷର ଅଭିଜ୍ଞତା ରହିଛି । ଭିନ୍ନକ୍ଷମଙ୍କ ନୂତନ ଆଇନ ପ୍ରଣୟନ ହେବା ପରେ ଅନେକ କ୍ଷେତ୍ରରେ ସେମାନଂକୁ ସୁବିଧା ଓ ସରକ୍ଷଣ ମିଳୁଛି । ସେମାନଙ୍କ ବିକାଶ ନିମନ୍ତେ ମୌଳିକ କ୍ଷେତ୍ରରେ ଆହୁରି କାର୍ଯ୍ୟଧାରାର ଆବଶ୍ୟକତା ରହିଥିବା ବେଳେ ଆପଣ ରାଜନୀତି କ୍ଷେତ୍ରରେ ସରକ୍ଷଣକୁ କାହିଁକି ଗୁରୁତ୍ୱପୂର୍ଣ୍ଣ ମନେ କରୁଛନ୍ତି ?

ଉ -: ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଗଣତନ୍ତ୍ରରେ ସମାନ ଅଧିକାର ରହିଛି। ଭାରତର ସମ୍ବିଧାନ ମଧ୍ୟ ସମସ୍ତ ବ୍ୟକ୍ତିମାନଙ୍କୁ ଧାରା-୧୪ରେ ଆଇନ ଆଗରେ ସମାନ । ଧାରା-୧୫ରେ ପାତର ଅନ୍ତର କରିବାରେ ନିଷେଧ, ଧାରା-୪୧ରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଓ ସହଯୋଗ ଏବଂ ସର୍ବୋପରି ଧାରା ୩୪୬ରେ ଭୋଟ ଦେବାର ଅଧିକାର ଦେଇଛି। ଭିନ୍ନକ୍ଷମ ବ୍ୟକ୍ତିମାନେ ମଧ୍ୟ ରାଜନୀତିରେ ଅଂଶଗ୍ରହଣ କରିପାରିବେ ,ଯାହାକି ରାଜନୀତି ଦଳରେ ସଦସ୍ୟ ନେବା,ନିର୍ବାଚନରେ ପ୍ରାର୍ଥୀ ହେବା , ଭୋଟ ଦେବା ଭଳି କାର୍ଯ୍ୟରେ ସାମିଲ ହେବାର ଅଧିକାର ରହିଛି । ମିଳିତ ଜାତିସଂଘର ଭିନ୍ନକ୍ଷମ ଅଧିକାର ସନ୍ଧିପତ୍ର(UNCRPD ) ୨୦୦୬ ଧାରା-୨୯ ହିସାବରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ରାଜନୀତିରେ ଅଂଶ ଗ୍ରହଣ କରିବାର ପ୍ରାବଧାନ କ୍ରମେ ସମସ୍ତ ରାଷ୍ଟ୍ର ମାନଙ୍କ ପାଇଁ ଏକ ଦିଶା ନିର୍ଦ୍ଦେଶ ଜାରି କରାଗଲା ଭାରତରେ ମଧ୍ୟ RPwD Act – ୨୦୧୬ ପରେ ଭିନ୍ନକ୍ଷମ ବ୍ୟକ୍ତିମାନେ ରାଜନୀତିରେ ଅଂଶ ଗ୍ରହଣ କରିବାର ଏକ ପ୍ରାବଧାନ ଆଇନ ପରିସରକୁ ଆସିଲା। ଏହିକ୍ଷେତ୍ରରେ ଅନେକ ପରିବର୍ତନ ଆସିଲା ପରେ ମଧ୍ୟ ଭିନ୍ନକ୍ଷମ ମାନଙ୍କ ପାଇଁ ରାଜନୀତିରେ ସ୍ଥାନ ସଂରକ୍ଷଣକୁ ସରକାର କିମ୍ବା ରାଜନୀତିକ ଦଳମାନେ ଗୁରୁତ୍ୱ ଦେଇ ନାହାଁନ୍ତି । ଅନୁସୂଚିତ ଜାତି,ଜନଜାତି, ମହିଳା ମାନଙ୍କ ପାଇଁ ଯଦିଓ ସ୍ଥାନ ସଂରକ୍ଷଣ ରହିଛି ଏମାନଙ୍କ ପାଇଁ କୌଣସି ବିଧିବ୍ୟବସ୍ଥା ନାହିଁ। ରାଜନୀତି କ୍ଷେତ୍ରରେ ସଂରକ୍ଷଣ ହେଲେ ସେମାନଙ୍କ ପ୍ରତିନିଧିତ୍ଵକୁ ଗୁରୁତ୍ୱ ଦିଆଯାଇପାରିବ ଏବଂ ଏକ ସମାଵେଶୀ ଗଣତନ୍ତ୍ରକୁ ସାକାର କରାଯାଇ ପାରିବ।

ପ୍ରଶ୍ନ-୨ ଓଡିଶାପରି ରାଜ୍ୟରେ ଭିନ୍ନକ୍ଷମବର୍ଗଙ୍କ ରାଜନୈତିକ ଅନ୍ତର୍ଭୁକ୍ତି ଦ୍ୱାରା କେଉଁ ଦିଗଗୁଡିକ ଉପକୃତ ହୋଇ ପାରିବ ବୋଲି ଆପଣ ମନେ କରୁଛନ୍ତି ?

ଉ:- ଏହି ପ୍ରକ୍ରିୟା ପ୍ରଥମେ ପଞ୍ଚାୟତସ୍ତରରେ ସରକାରଙ୍କ ଦ୍ୱାରା ବ୍ୟବସ୍ଥିତ ହେବ ଦରକାର। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ସରକାର ଓ ରାଜନୀତି ଦଳମାନେ ବିଶେଷ କରି ଜିଲ୍ଲା ପରିଷଦରେ ଦଳୀୟ ଚିହ୍ନ ଆଧାରରେ ଭିନ୍ନକ୍ଷମମାନଙ୍କ ସ୍ଥାନ ସଂରକ୍ଷଣ କରି ସୁଯୋଗ ଦେଲେ ତୃଣମୂଳ ସ୍ତରରରେ ଏମାନେ ଯୋଜନା ଓ ସିଦ୍ଧାନ୍ତ ନେବାର କ୍ଷମତା ଜାହିର କରି ପାରନ୍ତେ । ଓଡିଶାରେ ଗରିବୀ ଓ ଭିନ୍ନକ୍ଷମତାର ଏକ ବଡ଼ ସମ୍ପର୍କ ରହିଛି। ଭୌଗୋଳିକ ଦୃଷ୍ଟିକୋଣରୁ ମଧ୍ୟ ଓଡିଶାରେ ଅନେକ ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳରେ ଭିନ୍ନକ୍ଷମ ମାନେ ଅଛନ୍ତି ଯେଉଁମାନେ କି ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ଅଛନ୍ତି ।ଶିକ୍ଷା,ରୋଜଗାର,ସାମାଜିକ ସୁରକ୍ଷା,ସୁଗମ୍ୟତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ପାରିବ।

ପ୍ରଶ୍ନ-୩ ସମାଜରେ ଦିବ୍ୟାଙ୍ଗମାନଙ୍କ ରାଜନୀତି କ୍ଷେତ୍ରରେ ସାମର୍ଥ୍ୟକୁ ଅନେକ ନକରାତ୍ମକ ମନୋଭାବ ରହିଛି । କିପରି ଏହି ବର୍ଗଙ୍କ ସପକ୍ଷରେ ଆପଣ ଯୁକ୍ତି ରଖିବାକୁ ଚାହିଁବେ ?

ଉ-: ଭିନ୍ନକ୍ଷମ ବ୍ୟକ୍ତିମାନେ ରାଜନୀତି କ୍ଷେତ୍ରରେ ଅନେକ ଉଦାହରଣ ସୃଷ୍ଟି କରିଛନ୍ତି । ସାଧନ ଚନ୍ଦ୍ର ଗୁପ୍ତା ପ୍ରଥମ ଦୃଷ୍ଟିବାଧିତ ବ୍ୟକ୍ତି ସଂସଦ ହେବା ଜୟପାଳ ରେଡି ପାଞ୍ଚଥର ସଂସଦ, ହରିଦେବ ଯୋଶୀ ରାଜସ୍ଥାନର ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ ସଦାନନ୍ଦ ମାଷ୍ଟର ରାଜ୍ୟସଭାର ସଂସଦ ଭଳି ଅନେକ ଭିନ୍ନକ୍ଷମବ୍ୟକ୍ତିମାନେ ନିଜର ଉତ୍କର୍ଷତା ପ୍ରତିପାଦନ କରିଛନ୍ତି । ଏପର୍ଯ୍ୟନ୍ତ ସରକାରୀ ସ୍ତରରେ କିମ୍ବା ରାଜନୀତିକ ଦଳ ମାନଙ୍କ ତରଫରୁ ଏହାର ପ୍ରୟାସ କରାଯାଇ ନାହିଁ । ସଂସଦ କାଲୀମୋଝି କରୁଣାକରଙ୍କ ପ୍ରଶ୍ନ ସଂଖ୍ୟା ୩୮୬ର ଉତ୍ତର ଦେଇ ସାମାଜିକ ସୁରକ୍ଷା ମନ୍ତ୍ରୀ କହିଲେ ପଞ୍ଚାୟତ ଆଇନ ରାଜ୍ୟସରକାରଙ୍କ ପରିସରଭୁକ୍ତ ଏବଂ ଏପର୍ଯ୍ୟନ୍ତ କୌଣସି କେନ୍ଦ୍ରୀୟ ପ୍ରାବଧାନ ନାହିଁ । ଛତିଶଗଡ଼ ଏବଂ ତାମିଲନାଡୁ ସରକାର ନିଜ ରାଜ୍ୟରେ ଭିନ୍ନକ୍ଷମମାନଙ୍କ ପାଇଁ ପଞ୍ଚାୟତିରାଜ ଆଇନରେ ପରିବର୍ତ୍ତନ ଆଣି ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିସାରିଛନ୍ତି।
ଅନେକ ମଧ୍ୟ ଏବେ ସରପଞ୍ଚ, ଜିଲ୍ଲାପରିଷଦ, ୱାର୍ଡମେମ୍ବର ଆସିଛନ୍ତି । ଏଣୁ ଏକ ସକାରାତ୍ମକ ଜାଗରଣ ଏବଂ ଅଭିଯାନର ଆବଶ୍ୟକ ରହିଛି। ଏମାନେ ବି ଅନ୍ୟମାନଙ୍କଠାରୁ କୌଣସି ଗୁଣରେ କମ୍ ନୁହନ୍ତି ଏହି ମନୋଭାବ ସୃଷ୍ଟି କରିବାରଅଛି। ଏଥିପାଇଁ ନିଜେ ଭିନ୍ନକ୍ଷମ ବ୍ୟକ୍ତିମାନେ ଏଦିଗରେ ଆଗେଇ ଆସିବାର ଦରକାର।

ପ୍ରଶ୍ନ-୪ ନୂତନ ଭିନ୍ନକ୍ଷମ ଆଇନର ପ୍ରଣୟନ ପରେ ସାମାଜିକ ଦୃଷ୍ଟିକୋଣରେ କ’ଣ ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି ?

ଉ -: RPwD ଆଇନ ଆସିଲା ପରେ ଅନେକ ସକାରାତ୍ମକ ପରିବର୍ତ୍ତନ ହୋଇଛି। ନିର୍ବାଚନ ଆୟୋଗଙ୍କ ହିସାବରେ ୨୯୨୪ ନିର୍ବାଚନରେ ୮୮.୪ ଲକ୍ଷ ଭିନ୍ନକ୍ଷମ ବ୍ୟକ୍ତିମାନେ ଭୋଟର ଭାବରେପଞ୍ଜିକରଣ କରିଛନ୍ତି। ପୋଲିଂ ବୁଥ ମାନଙ୍କରେ ସୁଗମ୍ୟତା କରିବା, ଘରେ ଭୋଟ ଦେବା , ବୁଥକୁ ଆଣିବା ପାଇଁ ଗାଡି ବା ପରିବହନ ବ୍ୟବସ୍ଥା ଆଦି କରାଯାଇଛି। ରାଜନୀତି ଦଳମାନେ ପ୍ରଚାର କ୍ଷେତ୍ରରେ ସୁଗମ୍ୟତା, ବିଭିନ୍ନ କାର୍ଯ୍ୟରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ନିୟୋଜନ କରିବା,କୌଣସି ସମ୍ମାନ ହାନି ଭଳି ଶବ୍ଦ ବ୍ୟବହାର ନକରିବା ଏକ ଉତ୍ତମ ପଦକ୍ଷେପ ।

କିନ୍ତୁ ଏହି ଆଇନର ସାମାଜିକ ସ୍ତରରେ ପ୍ରଭାବ ଏବେ ବି ଦେଖାଯାଉନାହିଁ। RPwD ACT ଆଜକୁ ଦଶ ବର୍ଷ ହୋଇଗଲା,ଆଜିପର୍ଯ୍ୟନ୍ତ ଏହାର ପ୍ରସାର ପ୍ରଚାର ଗ୍ରାମାସ୍ତରରେ ପହଞ୍ଚି ପାରିଲା ନାହିଁ ଯାହାକି ସରକାରଙ୍କ ତଥା ସାମାଜିକ ଅନୁଷ୍ଠାନ ଏକ ବଡ଼ ଦାୟିତ୍ୱ ସେକ୍ସନ-୭ ଯାହାକି ଭିନ୍ନକ୍ଷମଙ୍କ ହିଂସା,ଶୋଷଣ ,ଅପରାଧରୁ ସୁରକ୍ଷା ଏବଂ ସେକ୍ସନ-୯୨ଯାହାକି ଅପମାନ ,ମାନବ ଅଧିକାର କ୍ଷୁର୍ଣ୍ଣ ଦଣ୍ଡ ବିଧାନ ଗୁରୁତ୍ୱପୂର୍ଣ୍ଣ ଦିଗ ବିଷୟରେ ସର୍ବସାଧାରଣରେ ଅବଗତ କରିବା ଦରକାର ଅଛି ।

Leave a Reply

Your email address will not be published. Required fields are marked *

Related Posts