® ISSN : 3107-4979 | A Bilingual (Odia & English) Bimonthly Special Newspaper Covering News and Views on Disabilities | ® RNI Regd. No. ODIBIL/2016/67738

ଦିବ୍ୟାଙ୍ଗ ପ୍ରାର୍ଥୀଙ୍କର କାର୍ଯ୍ୟକ୍ଷମତାର ହେବ ବ୍ୟକ୍ତିଗତ ମୂଲ୍ୟାଙ୍କନ

ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ଭର୍ତ୍ତି ପାଇଁ ଆବେଦନ କରୁଥିବା ବେଞ୍ଚମାର୍କ ଦିବ୍ୟାଙ୍ଗତାସମ୍ପନ୍ନ ଛାତ୍ରଛାତ୍ରୀମାନଙ୍କୁ ଏବେ ସେମାନଙ୍କର ବ୍ୟକ୍ତିଗତ କାର୍ଯ୍ୟକ୍ଷମତା (Functional Ability) ଆଧାରରେ ମୂଲ୍ୟାଙ୍କନ କରାଯିବ। ଉଦ୍ଦେଶ୍ୟ ହେଉଛି, ଯୁକ୍ତିସଙ୍ଗତ ସୁବିଧା (Reasonable Accommodation) ପ୍ରଦାନ କରାଗଲେ ସେମାନେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ଆବଶ୍ୟକ ମୌଳିକ ଦକ୍ଷତା (Essential Competencies) ଅର୍ଜନ କରିପାରିବେ କି ନାହିଁ, ତାହା ନିର୍ଣ୍ଣୟ କରିବା । ଏହି ମର୍ମରେ ଜାତୀୟ ମେଡିକାଲ୍ କମିଶନ୍ (NMC) ଜାରି କରିଥିବା ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ମେଡିକାଲ୍ ବୋର୍ଡ କୌଣସି ପ୍ରାର୍ଥୀଙ୍କ ଦିବ୍ୟାଙ୍ଗତାର ପ୍ରକାର କିମ୍ବା ପ୍ରତିଶତକୁ ମାତ୍ର ଆଧାର କରି ନିଷ୍ପତ୍ତି ନେବେ ନାହିଁ । ବରଂ ପ୍ରତ୍ୟେକ ପ୍ରାର୍ଥୀଙ୍କର କାର୍ଯ୍ୟକ୍ଷମତାର ବ୍ୟକ୍ତିଗତ ମୂଲ୍ୟାଙ୍କନ କରାଯିବ।
ନୂତନ ବ୍ୟବସ୍ଥା ଅନୁଯାୟୀ, ନିର୍ଦ୍ଦିଷ୍ଟ ମେଡିକାଲ୍ ଆସେସମେଣ୍ଟ ବୋର୍ଡ ପ୍ରତ୍ୟେକ ପ୍ରାର୍ଥୀଙ୍କର ସ୍ୱତନ୍ତ୍ର ମୂଲ୍ୟାଙ୍କନ କରିବ। ନିର୍ଦ୍ଦେଶିକାରେ ସ୍ପଷ୍ଟ କରାଯାଇଛି ଯେ, କେବଳ ରୋଗ ନିର୍ଣ୍ଣୟ କିମ୍ବା ବେଞ୍ଚମାର୍କ ଦିବ୍ୟାଙ୍ଗତାର ପ୍ରତିଶତ ଆଧାରରେ କୌଣସି ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିବ ନାହିଁ । ବରଂ ସେମାନଙ୍କର କାର୍ଯ୍ୟକ୍ଷମତା, Competency-Based Medical Education (CBME) ପାଠ୍ୟକ୍ରମର ଆବଶ୍ୟକ ଦକ୍ଷତା ଏବଂ ଯୁକ୍ତିସଙ୍ଗତ ସୁବିଧା ମାଧ୍ୟମରେ ସେହି ଦକ୍ଷତା ହାସଲ କରିବାର ସମ୍ଭାବନାକୁ ବିଚାର କରାଯିବ।

ସୁପ୍ରିମକୋର୍ଟଙ୍କ ଯୁକ୍ତିସଙ୍ଗତ ସୁବିଧା (Reasonable Accommodation) ନିର୍ଦ୍ଦେଶନାମାର ହେବ ଅନୁପାଳନ

ୟୁସିଏମ୍‌ଏସ୍‌ (UCMS) ଓ ଜିଟିବି ହସ୍ପିଟାଲ୍‌ର ଏନେବ୍ଲିଙ୍ଗ ୟୁନିଟ୍‌ର ସମନ୍ୱୟକାରୀ ପ୍ରଫେସର ସତେନ୍ଦ୍ର ସିଂହ କହିଛନ୍ତି, “ସୁପ୍ରିମକୋର୍ଟଙ୍କ ଲଗାତାର ନିର୍ଦ୍ଦେଶ ପରେ ଏନ୍‌ଏମ୍‌ସି ଶେଷରେ ଏହାର ଅନ୍ତରୀଣ ନିର୍ଦ୍ଦେଶନାମା ସଂଶୋଧନ କରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଏମ୍‌ବିବିଏସ୍‌ ଭର୍ତ୍ତି ପାଇଁ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଛି। ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ଦିବ୍ୟାଙ୍ଗତାର ପ୍ରତିଶତ ପରିବର୍ତ୍ତେ କାର୍ଯ୍ୟକ୍ଷମତାକୁ ଆଧାର କରି ଯୋଗ୍ୟତାର ମୂଲ୍ୟାଙ୍କନ । କ୍ଲିନିକାଲ୍‌ କ୍ଷେତ୍ରରେ ଯୁକ୍ତିସଙ୍ଗତ ସୁବିଧା ପ୍ରଦାନ କରିବା ଦ୍ୱାରା ଦିବ୍ୟାଙ୍ଗ ମେଡିକାଲ୍‌ ଛାତ୍ରଛାତ୍ରୀମାନେ ଶିକ୍ଷାର ମାନ କିମ୍ବା ରୋଗୀଙ୍କ ସୁରକ୍ଷାକୁ କ୍ଷୁଣ୍ଣ ନକରି କ୍ଲିନିକାଲ୍‌ ପ୍ରଶିକ୍ଷଣ ଓ ରୋଗୀ ସେବାରେ ଅଂଶଗ୍ରହଣ କରିପାରିବେ।”

ନୂତନ ନିର୍ଦ୍ଦେଶନାମାରେ ମେଡିକାଲ୍‌ ବୋର୍ଡକୁ ସହାୟକ ଉପକରଣ (Assistive Devices), ଅନୁକୂଳ ପ୍ରଯୁକ୍ତି (Adaptive Technology), ଯୋଗାଯୋଗ ସହାୟତା (Communication Support) ଏବଂ ଅନ୍ୟାନ୍ୟ ଯୁକ୍ତିସଙ୍ଗତ ସୁବିଧା ବିଷୟରେ ବିଚାର କରିବାକୁ କୁହାଯାଇଛି । କୌଣସି ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରାଗଲେ, ତାହାର ସ୍ପଷ୍ଟ ଚିକିତ୍ସାଗତ ଓ କାର୍ଯ୍ୟକ୍ଷମତା ଆଧାରିତ ପ୍ରମାଣ ଲିଖିତ ଭାବରେ ଦର୍ଶାଇବା ବାଧ୍ୟତାମୂଳକ।

ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ପାଇଁ ରହିବ ଅପିଲ୍‌ ବ୍ୟବସ୍ଥା

ଅନ୍ତର୍ଭୁକ୍ତିମୂଳକ ଶିକ୍ଷାକୁ ପ୍ରାଧାନ୍ୟ ଦେଇଥିଲେ ମଧ୍ୟ ଏନ୍‌ଏମ୍‌ସି ସ୍ପଷ୍ଟ କରିଛି ଯେ, ରୋଗୀଙ୍କ ସୁରକ୍ଷା ସର୍ବଦା ଗୁରୁତ୍ୱପୂର୍ଣ୍ଣ ରହିବ। ତଥାପି, ନିଷ୍ପତ୍ତି କୌଣସି ପୂର୍ବଧାରଣା କିମ୍ବା ଦିବ୍ୟାଙ୍ଗତାକୁ ନେଇ ଥିବା ରୂଢ଼ ଧାରଣା ଆଧାରରେ ନୁହେଁ; ବରଂ ବସ୍ତୁନିଷ୍ଠ ଚିକିତ୍ସାଗତ ଓ କାର୍ଯ୍ୟକ୍ଷମତା ମୂଲ୍ୟାଙ୍କନ ଆଧାରରେ ହେବ । ଏହା ସହିତ ଏନ୍‌ଏମ୍‌ସି ସମଗ୍ର ଦେଶରେ ଏକ ସମାନ ମୂଲ୍ୟାଙ୍କନ ପ୍ରକ୍ରିୟା, ମାନକ ଯୋଗ୍ୟତା ପ୍ରମାଣପତ୍ର ଏବଂ ମେଡିକାଲ୍‌ ଆସେସମେଣ୍ଟ ବୋର୍ଡର ନିଷ୍ପତ୍ତିରେ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ପାଇଁ ଅପିଲ୍‌ ବ୍ୟବସ୍ଥା ମଧ୍ୟ ପ୍ରଚଳନ କରିଛି । ଏହି ନୂତନ ନିର୍ଦ୍ଦେଶନାମା ଜାତୀୟ ମେଡିକାଲ୍ କମିଶନ୍ ଆଇନ, ୨୦୧୯ ଏବଂ ସ୍ନାତକ ମେଡିକାଲ୍ ଶିକ୍ଷା ଅଧିନିୟମ, ୨୦୨୩ ଅନୁସାରେ ଜାରି କରାଯାଇଛି ଏବଂ ତତକ୍ଷଣାତ କାର୍ଯ୍ୟକାରୀ ହୋଇଛି ।

About Author
punarbasasamachar
View All Articles

Leave a Reply

Your email address will not be published. Required fields are marked *

Related Posts