ସ୍ଥିତି ଓ ଆକାଂକ୍ଷାକୁ ନେଇ ଆହ୍ଵାନ୍
ଏକବିଂଶ ଶତାବ୍ଦୀର ଭାରତ ହେଉଛି ଯୁବଶକ୍ତିର ଭାରତ । ଦେଶର ସର୍ବବୃହତ ଶକ୍ତି ହେଉଛି ଏହାର ଯୁବପିଢ଼ି, ଯେଉଁମାନଙ୍କ ମଧ୍ୟରେ ଜେନ୍-ଜି (Generation Z) ଏକ ନୂତନ ଯୁଗର ପ୍ରତିନିଧି । ପ୍ରାୟ ୧୯୯୭ ରୁ ୨୦୧୨ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଏହି ପିଢ଼ି ପ୍ରଯୁକ୍ତି ସହିତ ବଢ଼ିଉଠିଛି । ସେମାନେ ଡିଜିଟାଲ୍ ଦକ୍ଷ, ନୂତନ ଚିନ୍ତାଧାରାର ଅଧିକାରୀ ଏବଂ ପରିବର୍ତ୍ତନକୁ ସ୍ୱାଗତ କରୁଥିବା ପିଢ଼ି । କିନ୍ତୁ ଏହି ପିଢ଼ିର ଦିବ୍ୟାଙ୍ଗ ଯୁବକ ଓ ଯୁବତୀମାନଙ୍କ ଜୀବନ ବାସ୍ତବତା ଅନେକ କ୍ଷେତ୍ରରେ ଭିନ୍ନ । ସୁଯୋଗ ବଢ଼ିଥିଲେ ମଧ୍ୟ ଚ୍ୟାଲେଞ୍ଜ ମଧ୍ୟ ବହୁଗୁଣ ବୃଦ୍ଧି ପାଇଛି ।
ଭରତର ସମୁଦାୟ ଭିନ୍ନକ୍ଷମମାନଙ୍କ ସଂଖ୍ୟା ୨୦୧୧ ଜନଗଣନା ଆଧାରରେ ୨.୬୮କୋଟି ରହିଥିବାବେଳେ ଏହା ମଧ୍ୟରେ ନୂତନ ଦିବ୍ୟାଙ୍ଗ ଆଇନ ସଂଖ୍ୟା ୭ରୁ ୨୧କୁ ବୃଦ୍ଧି ପାଇସାରିଛି । ପରବର୍ତ୍ତୀ ଜନଗଣନା ଜାରି ରହିଥିବା ବେଳେ ଏହି ସଂଖ୍ୟା ୧୦ରୁ ୧୫କୋଟି ହେବ ବୋଲି ଅନେକ ସଂସ୍ଥା ପୂର୍ବାନୁମାନ କରିଛନ୍ତି । ଏହି ବିଶାଳ ଜନସଂଖ୍ୟାର ଏକ ବଡ଼ ଅଂଶ ହେଉଛନ୍ତି ଜେନ୍-ଜି ଦିବ୍ୟାଙ୍ଗ ଯୁବପିଢ଼ି ।
ଏହି ଜେନ୍-ଜି ପରେ ଓ ଏହାର ପରବର୍ତ୍ତୀ ପରିବର୍ଦ୍ଧିତ ସଂସ୍କରିତ ପିଢି ଜେନ-ଆଲ୍ଫା ନୂତନ ପୃଥିବୀରେ ପାଦ ଥାପି ସାରିଲେଣି । ଏମାନଙ୍କ ମଧ୍ୟରେ ରହିଥିବା ଦିବ୍ୟାଙ୍ଗ ବର୍ଗର ଜେନ୍-ଜି ଅନେକ ଦୃଷ୍ଟିରୁ ସମକାଳୀନ ଆଶା ଓ ଆକାଂକ୍ଷାକୁ ପ୍ରତିପୋଷଣ କରନ୍ତି ସତ କିନ୍ତୁ ତୁଳନାତ୍ମକ ଭାବେ ଏମାନଙ୍କ ବାସ୍ତବ ଚିତ୍ର ଟିକେ ଅଲଗା ।
ଏହି ଜେନ୍-ଜି ଦିବ୍ୟାଙ୍ଗ ପିଢିର ଆଖିର ସ୍ଵପ୍ନ ଓ ମନର ଭାଷା ବୁଝିବାକୁ ହେଲେ ସେମାନଙ୍କ ପୃଷ୍ଠପଟ୍ଟର ସତ୍ୟକୁ ମଧ୍ୟ ଆକଳନ କରିବାର ଆବଶ୍ୟକତା ରହିଛି । ନିକଟରେ ଦିଲ୍ଲୀରେ ସଂଘଠିତ ହୋଇଥିବା ଜେନ୍-ଜି ଆନ୍ଦୋଳନ ଓ ହିଂସାକୁ ଏମାନେ କେଉଁ ଦୃଷ୍ଟିରେ ଦେଖନ୍ତି ଏବଂ ଜେନ୍-ଜି ସାଧାରଣବର୍ଗଙ୍କ ତୁଳନାରେ ଏମାନଙ୍କର ଦକ୍ଷତା ଓ ସାମର୍ଥ୍ୟକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଏହି ବର୍ଗଙ୍କୁ ବୁଝିବା ପାଇଁ ଏକ ଅବକାଶ ସୃଷ୍ଟିକରେ । “ପୁନର୍ବାସ ସମାଚାର” ପକ୍ଷରୁ କତିପୟ ଶିକ୍ଷାର୍ଥୀ ଓ ନିଯୁକ୍ତି ଆଶାୟୀଙ୍କ ସହ ଭାବବିନିମୟ କରାଯାଇ ଥିଲା । ଯାହା ପାଠକଙ୍କ ନିମନ୍ତେ ଅବତାରଣା କରୁଛୁ ।
-ସମ୍ପ୍ରତି ଦିଲ୍ଲୀର ଯନ୍ତରମନ୍ତରଠାରେ ଜେନ୍-ଜି ଯୁବବର୍ଗଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିବା ପ୍ରତିବାଦକୁ ଯଥାର୍ଥ ବୋଲି ଦର୍ଶାନ୍ତି ବରଜ । ମାତ୍ର ଏହାର ହିଂସାତ୍ମକ ରୂପକୁ ସେ ଗ୍ରହଣ କରନ୍ତି ନାହିଁ । ତାଙ୍କ ମତରେ ବିଗତ କିଛି ଦିନ ମଧ୍ୟରେ ବିଭିନ୍ନ ପରୀକ୍ଷା ପରିଚାଳନରେ ଯେଉଁ ତ୍ରୁଟି ପରିଲକ୍ଷିତ ହୋଇଥିଲା, ଏପରି ହେବା ସ୍ଵାଭାବିକ ଥିଲା ।
-ପୁନଶ୍ଚ, ଜେନ୍-ଜି ସାଧାରଣମାନଙ୍କ ତୁଳନାରେ ଜେନ୍-ଜି ଦିବ୍ୟାଙ୍ଗମାନେ ମଧ୍ୟ ସାମାଜିକ ଗଣମାଧ୍ୟମ ବିଭିନ୍ନ ଡିଜିଟାଲ ପ୍ଳାଟଫର୍ମସହ ଅଭ୍ୟସ୍ତ । ସେମାନେ ମଧ୍ୟ ମୋବାଇଲ ଓ ସୋସିଆଲ ମିଡିଆ ମାଧ୍ୟମରେ ଦେଶବିଦେଶର ସାମ୍ପ୍ରତିକ ଘଟଣାବଳି ସହ ନିଜକୁ ଅବଗତ ରଖିପାରୁଛନ୍ତି । ମାତ୍ର ଶିକ୍ଷା କମ୍ ବା ଶିକ୍ଷାରୁ ବଞ୍ଚିତ ରହିଯାଇଥିବା ଜେନ୍-ଜି ଦିବ୍ୟାଙ୍ଗମାନଙ୍କର ଦୃଷ୍ଟି କୋଣ ଟିକେ ଅଲଗା ରହିବ । କାରଣ ସେମାନେ କେବଳ ସୋସିଆଲ ମିଡିଆ ଉପରେ ଭରସା କରି ଯେତିକି ତଥ୍ୟ ପାଆନ୍ତି, ତାକୁ ହିଁ ଠିକ ବୋଲି ଭାବି ନିଅନ୍ତି । ଅନ୍ୟପାଖଟିକୁ ଦେଖିପାରନ୍ତି ନାହିଁ । ଏହାଛଡା ଗ୍ରାମାଞ୍ଚଳର ଦିବ୍ୟାଙ୍ଗ ଯୁବକମାନେ ମଧ୍ୟ ସୁଯୋଗ ଓ ତାଲିମର ଅଭାବରୁ କିଛିଟା ପଛରେ ରହିଛନ୍ତି ବୋଲି କହି ହେବ ।
ବରଜ କୁମାର ଦାସ,
ଚଳନଶକ୍ତି ବାଧିତ, କେନ୍ଦ୍ରାପଡ଼ା
ଉତ୍କଳ ବିଶ୍ଵବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକତ୍ତୋର ଉପାଧି ପ୍ରାପ୍ତ ଓ ନିଯୁକ୍ତି ଆଶାୟୀ
ଦୀପିକା ଦାସ
ଜଗତସିଂପୁର, ସ୍ୱଳ୍ପ ଦୃଷ୍ଟିବଧିତା
ପଦାର୍ଥ ବିଜ୍ଞାନ ସ୍ନାତକତ୍ତୋର ଉତ୍କଳ ବିଶ୍ଵବିଦ୍ୟାଳୟ ଓ ନିଯୁକ୍ତି ଆଶାୟୀ
ବରଜଙ୍କ ପରି ଦୀପିକା ମଧ୍ୟ ଦିଲ୍ଲୀର ଯନ୍ତରମନ୍ତରଠାରେ ଜେନ୍-ଜି ପ୍ରତିବାଦକ ସମର୍ଥନ କରନ୍ତି । କିନ୍ତୁ ହିଂସାକୁ ନୁହେଁ । ଉଦାହରଣ ଦେଇ କୁହନ୍ତି, ସାମାନ୍ୟ କୌଣସି ନିଯୁକ୍ତି ପାଇଁ ଆବେଦନ କଲାବେଳେ ୱେବସାଇଟଠାରୁ ଆରମ୍ଭ କରି ବିଭିନ୍ନ ପର୍ଯାୟରେ ପ୍ରଶ୍ନପତ୍ର ଲିକ୍ ଠାରୁ ନାନାଦି ତ୍ରୁଟି ଓ ଅସୁବିଧାକୁ ଆମେ ଦେଖି ଅସୁଅଛୁ । ସମ୍ପ୍ରତି ନିଟ୍ କୁ ନେଇ କରାଯାଇଥିବା ବିକ୍ଷୋଭ କହିବାକୁ ଗଲେ ଦୀର୍ଘବର୍ଷର ପୁଞ୍ଜିଭୁତ ଅସନ୍ତୋଷର ଏକ ପରିଣାମ ଥିଲା ।
ତାଙ୍କ ମତରେ ଜେନ୍-ଜି ଦିବ୍ୟାଙ୍ଗ ଶିକ୍ଷିତବର୍ଗ ଡିଜିଟାଲ ପ୍ଳାଟଫର୍ମସହ ଭଲ ଭାବରେ ଅଭ୍ୟସ୍ତ ଅଛନ୍ତି । ଏହି ମାଧ୍ୟମରେ ପଢିବା, ଆବେଦନ କରିବା, ପରୀକ୍ଷା ଦେବା ପ୍ରଭୁତି ତାଙ୍କ ପାଇଁ ସହଜ ଅଟେ ।
ସରସ୍ଵତୀ ପରିଡାଙ୍କ ମତରେ ତାଙ୍କ ପରି ଗୁରୁତର ଭିନ୍ନକ୍ଷମତା ରହିଥିବା ଦୃଷ୍ଟିବାଧିତାମାନଙ୍କ ପାଇଁ ଅନ୍ୟ ଜେନ୍-ଜି ତୁଳନାରେ ପ୍ରଯୁକ୍ତି ଓ ଶୈକ୍ଷିକ ବିକାଶରେ ବାଧକ ରହିଛି । ସେମାନେ ଯୁକ୍ତଦୁଇ ପର୍ଯ୍ୟନ୍ତ ବ୍ରେଲ ଭାଷାରେ ପାଠ ପଢିବାର ସୁଯୋଗ ପାଇଥିବାବେଳେ ଯୁକ୍ତ୩ ଓ ଏହା ଉପରକୁ ବ୍ରେଲ ଭାଷାରେ ପଢିବାର ସୁଯୋଗ ନାହିଁ । ରେକର୍ଡିଂ ଓ ୟୁଟୁବରୁ ଶୁଣି ସଂପୂର୍ଣ୍ଣ ପାଠ ମନେରଖିବା କଷ୍ଟ ହେଉଛି । ତେଣୁ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଅନ୍ୟମାନଙ୍କ ତୁଳନାରେ ପଛରେ ପଡିରହିବା ସ୍ଵଭାବିକ ।
ସରସ୍ଵତୀ ପରିଡା
ଶତପ୍ରତିଶତ ଦୃଷ୍ଟିବଧିତା, ଯାଜପୁର
ସମ୍ପ୍ରତି ଉତ୍କଳ ବିଶ୍ଵବିଦ୍ୟାଳୟରେ ଓଡିଆ ଏମଏ, ଶେଷ ବର୍ଷ ।
ମୋନାଲିସା ବଳ
ଚଳନଶକ୍ତି ବଧିତା
ପ୍ରାଣୀବିଜ୍ଞାନ ବିଭାଗ, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ।
ମୋନାଲିସାଙ୍କ ମତରେ ଏହିପରି ଏକ ପ୍ରତିବାଦର ଆବଶ୍ୟକତା ରହିଥିଲା । କାରଣ, ଥରେ ନୁହେଁ ବାରମ୍ବାର ଏହିପରି ଘଟୁଅଛି । ଏତେ କଷ୍ଟ ସ୍ଵୀକାର କରି ପିଲା ପଢୁଛନ୍ତି ତେଣୁ ଏପରି ପ୍ରତିକ୍ରିୟା ଆସିବା ସ୍ଵାଭାବିକ । କିନ୍ତୁ, ହିଂସାର ମାର୍ଗକୁ ସେ ବିରୋଧ କରନ୍ତି । ଆଗକୁ ସିଏ ମଧ୍ୟ ନିଯୁକ୍ତି ଆଶା ରଖିଥିବାରୁ ଏକ ତ୍ରୁଟିଶୂନ୍ୟ ବ୍ୟବସ୍ଥା ସପକ୍ଷରେ ମତ ଦିଅନ୍ତି ।
ଡିଜିଟାଲ, ଓ ଟେକ୍ନୋଲୋଜିର ପ୍ଳାଟଫର୍ମର ବ୍ୟବହାରରେ ତାଙ୍କର ଆଂଶିକ ଶାରୀରିକ ପ୍ରତିବନ୍ଧକତା ଜେନ୍-ଜି ସାଧାରଣବର୍ଗଙ୍କ ତୁଳନାରେ କୌଣସି ପାର୍ଥକ୍ୟ ପକାଏ ନାହିଁ ବୋଲି ସେ ମତ ପ୍ରକାଶ କରନ୍ତି । ଅଧିକନ୍ତୁ, ଅନ୍ୟାନ୍ୟ ଦିବ୍ୟାଙ୍ଗ ଜେନ୍-ଜି ବର୍ଗଙ୍କ ପାଇଁ ହୁଏତ, ଏହା ଅସୁବିଧା ସୃଷ୍ଟି କରୁଥାଇପାରେ ବୋଲି ସ୍ଵୀକାର କରନ୍ତି ।
ଜେନ୍-ଜି ଦିବ୍ୟାଙ୍ଗ ଯୁବପିଢ଼ି କୌଣସି ବୋଝ ନୁହେଁ; ସେମାନେ ମଧ୍ୟ ଭାରତର ଭବିଷ୍ୟତର ନିର୍ମାତାମାନଙ୍କ ମଧ୍ୟରେ ଜଣେ ଜଣେ । ସଠିକ୍ ସୁଯୋଗ, ସୁଗମ ପରିବେଶ, ଗୁଣାତ୍ମକ ଶିକ୍ଷା, ପ୍ରଯୁକ୍ତିର ସମାନ ପହଞ୍ଚ, ଯୁକ୍ତିସଙ୍ଗତ ସୁବିଧା ଏବଂ ସମ୍ମାନଜନକ ରୋଜଗାର ମିଳିଲେ ସେମାନେ କେବଳ ନିଜ ଜୀବନକୁ ନୁହେଁ, ଦେଶର ସାମାଜିକ ଓ ଆର୍ଥିକ ପ୍ରଗତିକୁ ମଧ୍ୟ ନୂତନ ଦିଗ ଦେଇପାରିବେ। ସେମାନଙ୍କୁ ସହାନୁଭୂତି ନୁହେଁ, ସମାନ ସୁଯୋଗ, ସମ୍ମାନ ଓ ଅଧିକାର ପ୍ରଦାନ କରିବା ହିଁ ଏକ ଯଥାର୍ଥ ଅନ୍ତର୍ଭୁକ୍ତିମୂଳକ ଭାରତ ଗଠନର ମୂଳମନ୍ତ୍ର ।

