କବିତା ଗଳ୍ପ ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘ କାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ଧୂରୀଣ ସ୍ରଷ୍ଟା ଏଲ୍ ଆଇ ସି ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡାର ସ୍ଥାୟୀ ବାସିନ୍ଦା ଭାବେ କସ୍ତୁରୀ ନଗର, ରାୟଗଡାସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।
ପ୍ରଖର ପ୍ରତିଭା ସମ୍ପନ୍ନ ରାୟଗଡାର ସୁଖ୍ୟାତ ଗନ୍ତାୟତ ପରିବାରର ବଡପୁଅ ସତ୍ୟନାରାୟଣ । ସାନଭାଇ ଦିବଙ୍ଗତ ହାସ୍ୟବ୍ୟଙ୍ଗ ସ୍ରଷ୍ଟା ଗନ୍ତାୟତ ଶିବପ୍ରସାଦ ଓ ଦିବଙ୍ଗତା ବଡ ଭଉଣୀ ନିର୍ମଳା ମଧ୍ୟ ଥିଲେ ସୁଲେଖିକା। ସରସ୍ୱତୀଙ୍କ ଆଶୀର୍ବାଦର ଧାରା ଅବାରିତ ବର୍ଷି ହୋଇଯାଉଥିଲା ଏମାନଙ୍କ ଉପରେ । ସେ ସବୁକୁ ଧାରଣ କରିବାପାଇଁ ମଧ୍ୟ ସେମାନଙ୍କ ଅପ୍ରମିତ ଶକ୍ତି ସାମର୍ଥ୍ୟ ରହିଥିଲା । କିନ୍ତୁ ବୌଦ୍ଧିକ ସ୍ତରରେ ଏହି ପରିବାରଟି ଯେତିକି ଶକ୍ତିଶାଳୀ ଥୁଲା, ଶାରୀରିକ ସ୍ତରରେ ସେମାନେ ସେତିକି ନଥିଲେ । ନିୟତିର କେଉଁ ନିୟମରୁ କେଜାଣି ଆନୁବଂଶିକ ବର୍ଦ୍ଧିଷ୍ଣୁ ଅସ୍ଥିଗତ ଅକ୍ଷମତାକ୍ରାନ୍ତ ହୋଇ କ୍ରମାଗତ ଚଳତଶକ୍ତି ରହିତାବସ୍ଥାର କରୁଣ ଶୀକାର ହୋଇଗଲେ ସେମାନେ। ସତ୍ୟନାରାୟଣ ପିଲାଦିନୁ ବାପାଙ୍କ ବିୟୋଗ ସତ୍ତ୍ୱେ ହାଇସ୍କୁଲ ଶିକ୍ଷା ସମାପ୍ତି ପରେ ନିୟମିତ କଲେଜ ଯାଇ ସ୍ନାତକ ଶିକ୍ଷା ଶେଷ କରିଥିଲେ ।
ଶୈଶବରୁ ଯେଉଁ ସାରସ୍ଵତ ସୃଜନର ଉନ୍ମେଷ ହୋଇଥିଲା ତା’ର କ୍ରମବିକାଶ ହେଉଥିଲା । ଶିଶୁ ପତ୍ରିକାମାନଙ୍କରେ ସତ୍ୟଙ୍କର ଲେଖା ବାହାରୁଥିଲା । ଖୁବ୍ ମେଧାବୀ ଛାତ୍ର ଥିଲେ ସତ୍ୟ । କେବଳ ପାଠରେ ନୁହେଁ ପ୍ରବନ୍ଧ, ବକ୍ତୃତା, ତର୍କ, ସାଧାରଣଜ୍ଞାନ, ଗଳ୍ପ କବିତା ଆଦି ବିଭିନ୍ନ ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନ ଅଧିକାର କରୁଥିଲେ । ଉତ୍ତରାଧିକାର ସୂତରେ ସେ ପରିବାରଟି ପ୍ରଜ୍ଞାପ୍ରତିଭାର ଅଧୁକାରୀ ଥିଲା । ରାୟଗଡ଼ା ପାଇଁ ଏକ ସ୍ଥାୟୀ ସାହିତ୍ୟ ଅନୁଷ୍ଠାନ ନ ଥିବା ବେଳେ ଅନ୍ୟର ସାଇକେଲ ପଛରେ ବସି ଅକ୍ଳାନ୍ତ ପରିଶ୍ରମ କରି ଏକ ସୃଜନଶୀଳ ପରିବେଶ ସୃଷ୍ଟି କରିଥିଲେ ସତ୍ୟ । ଗଢ଼ିଥିଲେ ନିରୁତା ସୃଜନ ମଗ୍ନଙ୍କ ପାଇଁ ରାୟଗଡ଼ା ସାହିତ୍ୟ ସଂସଦ’ । କ୍ରମେ ସେ ରାୟଗଡା ଜିଳ୍ଲା ହେବା ପରେ ହେଲେ ଜିଲ୍ଲାର ଓଡିଶା ସାହିତ୍ୟ ଏକାଡେମୀର ପ୍ରଥମ ସଦସ୍ୟ । ଦୁଇଥର ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ରହିଛନ୍ତି ସେ। ରାୟଗଡ଼ା ସାହିତ୍ୟ ସଂସଦ ଆନୁକୁଲ୍ୟରେ ପ୍ରକାଶିତ ‘କିଛି କଥା କିଛି କବିତା ଓ ରାୟଗଡ଼ା ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ପ୍ରକାଶିତ “ରାୟଗଡ଼”କୁ ସେ ସଂପାଦନା କରିଥିଲେ । ଶୈଶବରୁ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ସାରସ୍ଵତ ସର୍ଜନାମାନ ପ୍ରକାଶିତ ହେଉଥିଲା । ସତ୍ୟନାରାୟଣଙ୍କର ବିଭିନ୍ନ ପତ୍ରପତ୍ରିକାରେ ଯୁକ୍ତିନିଷ୍ଠ ପ୍ରବନ୍ଧ ଓ କବିତାମାନ ପ୍ରକାଶିତ ହେଉଛି । ଏ ପର୍ଯ୍ୟନ୍ତ ଦୈନିକ ସମ୍ବାଦ ପତ୍ରରେ ନିୟମିତ ବ୍ୟବଧାନରେ ବହୁ ବର୍ଷ ଧରି ଲଳିତ ନିବନ୍ଧ ଧର୍ମୀ ସ୍ତମ୍ଭ ସେ ଲେଖି ଆସୁଛନ୍ତି । ଆକାଶବାଣୀ ଜୟପୁରରୁ ତାଙ୍କର ବହୁବାର କବିତା ଓ ଆଲୋଚନା ପ୍ରସାରିତ ହୋଇଛି । ‘ଥୁଣ୍ଟା ଗଛ’ ଓ ‘ଛବିର ମଣିଷ’ ଶୀର୍ଷକରେ ତାଙ୍କର ଦୁଇଟି କବିତା ସଂକଳନ ରହିଛି । ସତ୍ୟ ନାରାୟଣ ବୃତ୍ତିଗତ ଜୀବନରେ ଏଲ୍.ଆଇ.ସି. ଅଫିସରରୁ ଆରମ୍ଭ କରି ସେହି ସେବା ପ୍ରାୟ ଚାରି ଦଶନ୍ଧି ଧରି ନିର୍ବାହ କରିବା ପରେ ସମ୍ପ୍ରତି ସେବା ନିବୃତ୍ତ ସତ୍ୟ ଓ ଶିବ ଦୁଇ ଭାଇଙ୍କର ବୃତ୍ତି ଥିଲା ଏଲ୍.ଆଇ.ସି. । ସାନଭାଇ ଶିବ ଅଳ୍ପାୟୁ ଥିଲେ । ଦୁଇ ଭାଇ ଦୁଇ ବନ୍ଧୁ ପରି ଥିଲେ । ଶିବ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ। ମାତ୍ର ଚାଳିଶି ବର୍ଷ ବୟସରେ ଶିବଙ୍କ ଆକସ୍ମିକ ବିୟୋଗରେ ଖୁବ୍ ଭାଙ୍ଗି ପଡ଼ିଥିଲେ ସତ୍ୟ । କ୍ରମେ ନିଜକୁ ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ଭାଳିଲେ । ନିଜର ସୃଷ୍ଟି ସର୍ଜନା ଉପରେ ବେଶି ଗୁରୁତ୍ୱ ନଦେଇ ସେ ସାନ ଭାଇର ସାରସ୍ବତ ସୃଷ୍ଟିର ସଂରକ୍ଷଣ ଓ ପ୍ରକାଶ ପାଇଁ ସମସ୍ତ ସମୟ ଦେଲେ । ତାଙ୍କର ପ୍ରଚେଷ୍ଟାରେ ଶ୍ରୀରାମଚନ୍ଦ୍ର ଭବନରେ ଶିବଙ୍କର ତୈଳଚିତ୍ର ଶୋଭା ପାଇଲା ।
ନିଜର ବୈବାହିକ ଓ ପାରିବାରିକ ଜୀବନ ସଂପର୍କରେ ସତ୍ୟ କହନ୍ତି – ମୁଁ ପ୍ରଥମେ ବିବାହ କରିବାକୁ ଅରାଜି ଥୁଲି । କିନ୍ତୁ ପରିବାର ଓ ଅଆତ୍ମୀୟ ସ୍ଵଜନଙ୍କ ଚାପରେ ରାଜି ହେଲି । ରୀନାଙ୍କ ସହ ଯେତେବେଳେ ମୋର ପ୍ରସ୍ତାବ ପଡ଼ିଲା, ମୁଁ ଭାବିଥିଲି ତାଙ୍କ ଘର ଲୋକେ ଓ ରୀନା ମୋତେ ଦେଖୁ ଦେଖୁ ବିବାହ ପାଇଁ ରାଜି ହେବେ ନାହିଁ । କିନ୍ତୁ ମତେ ଦେଖିବା ପରେ ରୀନା ହିଁ ପ୍ରଥମେ ସହର୍ଷ ସମ୍ମତି ଦେଲେ । ପରିବାର ଲୋକ ମଧ୍ଯ ଅରାଜି ନ ଥିଲେ । ସେ ଜଣେ ଧର୍ମ ପରାୟଣା ମହିଳା ଓ ଗୃହକର୍ମ ନିପୁଣା । ଆମ ଦରଭଙ୍ଗା ସଂସାରକୁ ସୁନ୍ଦର ଭାବରେ ସଜାଡ଼ି ଧରିଛନ୍ତି । ମୋ ପାଖରେ ତାଙ୍କର କେବେ ବି କିଛି ଆପତ୍ତି ଅଭିଯୋଗ ନାହିଁ । ଦୁଇଟି ସନ୍ତାନ ମୋତେ ଦେଇଛନ୍ତି । ଶ୍ରୀୟା ଓ ମହିମା । ଦୁହେଁ ଦୁହିଁଙ୍କ କ୍ଷେତ୍ରରେ ବେଶ୍ ପ୍ରତିଭା ସମ୍ପନ୍ନ । ମନେହୁଏ ଯେଉଁ ପ୍ରଜ୍ଞାପ୍ରତିଭା ପରିବାରର ସଦସ୍ୟମାନଙ୍କ ସହ ରହିଛି ତାହାର ପୂର୍ଣ୍ଣ ବିକାଶ ହେବାରେ କିଛି ବାଧା ଥିଲା, ନିୟତି ସେ ସବୁ ସଜାଡି ସକଳ ଆଶୀର୍ବାଦ ମହିମା ମୁଣ୍ଡରେ ଅଜାଡ଼ି ଦେଇଛନ୍ତି । କିଶୋରୀ ବୟସରୁ ମହିମା ତାର ସାରସ୍ଵତ ସୃଷ୍ଟି ପାଇଁ ସର୍ବ ଭାରତୀୟ ସ୍ୱୀକୃତି ପାଇସାରିଲାଣି ।
ପତ୍ନୀ ରୀନା ଦେବୀ ପରିବାରର ସକଳ ଜଞ୍ଜାଳ ଆପଣାଇ ସତ୍ୟଙ୍କର ସୃଜନ କର୍ମପାଇଁ ଅନୁକୂଳ ପରିବେଶ ସୃଷ୍ଟି କରି ଆସିଛନ୍ତି । ସେବା ନିବୃତ୍ତି ପରେ ସୁଦ୍ଧା ସତ୍ୟଙ୍କର ଲେଖନୀ ନିଷ୍କ୍ରିୟ ହୋଇନାହିଁ। ସେ ଲେଖୁଛନ୍ତି, ଚିନ୍ତା କରୁଛନ୍ତି । କେତେକ ସମାଜ କଲ୍ୟାଣ ଅନୁଷ୍ଠାନ ସହ ଜଡ଼ିତ ଅଛନ୍ତି । ବିଶେଷତଃ ଭାଇ ଶିବ ପ୍ରସାଦ ଓ ଭଉଣୀ ନିର୍ମଳାଙ୍କର ଅପ୍ରକାଶିତ ପାଣ୍ଡୁଲିପି ମାନଙ୍କୁ ଲୋକଲୋଚନକୁ ଆଣିବା, ପ୍ରକାଶିତ ପୁସ୍ତକଗୁଡ଼ିକୁ ସଂକଳିତ କରିବାରେ ସେ ବ୍ୟସ୍ତ ରହୁଛନ୍ତି ।
ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଦକ୍ଷତା ଥିଲେ ସୁଦ୍ଧା ସେ ଓଡ଼ିଆରେ ହିଁ ଲେଖନ୍ତି , ଯଦିଓ ଇଂରାଜୀ ଭାଷାରେ ବି ସେ କବିତା ଲେଖୁଛନ୍ତି ।
ପିତାଙ୍କ ପ୍ରେରଣାରେ ତାଙ୍କର ସୃଜନ ଉନ୍ମେଷ ହୋଇଥିଲା । ସେଥିରେ ପାଣିପବନ ଯୋଗାଇଥିଲେ ସାହିତ୍ୟ ପ୍ରାଣ ସ୍କୁଲ ଶିକ୍ଷକ ନବୀନ ଚନ୍ଦ୍ର ପାଢ଼ୀ ରାୟଗଡ଼ାର ବିଶିଷ୍ଟ ରହସ୍ୟ ଉପନ୍ୟାସ ଲେଖକ ଗିରିଧାରୀ ମହାରଣା, ବିଶିଷ୍ଟ ସର୍ବୋଦୟ କର୍ମୀ ଓ ସାମ୍ବାଦିକ ଗଙ୍ଗାଧର ଦାସ ପ୍ରମୁଖ । ଗଙ୍ଗାଧର ଦାସଙ୍କ ସମ୍ପାଦିତ ପତ୍ରିକା “ନୂଆଯୁଗ”ରେ ତାଙ୍କର ପ୍ରଥମ କବିତା ସେ ଅଷ୍ଟମ ଶ୍ରେଣୀରେ ପଢିବା ବେଳେ ପ୍ରକାଶିତ ହୋଇଥିଲା ।
ମହାବିଦ୍ୟାଳୟ ସ୍ତରରେ ଇଂରେଜୀ ଅଧ୍ୟାପକ ବିଶିଷ୍ଟ ସମାଜସେବୀ ଓ ଚିନ୍ତକ ଭାଗବତ ପ୍ରସାଦ ରଥଙ୍କ ଘରେ ସ୍ରଷ୍ଟା ସାହିତ୍ୟ ସଂସଦର ଆସର ମାନ ହେଉଥିଲା । ଅଧ୍ୟାପକ ବସନ୍ତ ସାମନ୍ତ, ଅଧ୍ୟାପକ ବିଜୟ ନାୟକ,ପ୍ରଶାସକ ଦିଲ୍ଲୀପ ମହାନ୍ତି, ଗୋକୁଳ ଚନ୍ଦ୍ର ପତି, ସୁନିଲ୍ ପୃଷ୍ଟି, ସତ୍ୟବାଦୀ ରାଉତ, ପ୍ରକାଶ ମହାପାତ୍ରଙ୍କ ପରି ସାରସ୍ଵତ ସାଧକଙ୍କ ସାନ୍ନିଧ୍ୟ ସେଠାରେ ସତ୍ୟଙ୍କୁ ଆହୁରି ପରିପକ୍ଵ କରିଥିଲା ।
ସତ୍ୟଙ୍କର ଅନେକ ଅପ୍ରକାଶିତ ଲେଖା ରହିଛି। ସେଗୁଡ଼ି ସଂକଳିତ ହୋଇ ପୁସ୍ତକ ଆକାରରେ ପ୍ରକାଶିତ ହେଲେ ଓଡ଼ିଆ ସାହିତ୍ୟର ଭଣ୍ଡାର ସମୃଦ୍ଧ ହୁଅନ୍ତା । କିନ୍ତୁ ସେ ଏବେ ଶିବଙ୍କ ସାରସ୍ଵତ ସୃଷ୍ଟି ଉପରେ ଦୃଷ୍ଟି ନିକ୍ଷେପ କରିଛନ୍ତି । ସାନ ଭାଇର କୃତି ସମୂହକୁ ଲୋକଲୋଚନକୁ ଆଣିବା ନିଶ୍ଚିତ ଭାବରେ ମହତ୍ କାମ। ତେବେ ସେଥିପାଇଁ ନିଜ ସୃଷ୍ଟିକୁ ଅବହେଳା କରିବା ମଧ୍ୟ ଯଥାର୍ଥ ନୁହେଁ ।
ସଚରାଚର ସାହିତ୍ୟର ମୁଖ୍ୟ ସ୍ରୋତରୁ ନିଜକୁ ଦୂରରେ ରଖି ନିଜ ମତେ ସାରସ୍ୱତ ଜୀବନ ଜୀଉଥିବା ସତ୍ୟ ନାରାୟଣଙ୍କ ସାରସ୍ଵତ କୃତି ପ୍ରତି ଯଥେଷ୍ଟ ସମ୍ମାନ ଜଣାଇଛନ୍ତି ଓଡ଼ିଶାର ପାଠକ ଓ ସାହିତ୍ୟାନୁଷ୍ଠାନ ମାନେ । ଛତ୍ରପୁରର ବେଳାଧ୍ବନି ସାହିତ୍ୟ ସମ୍ମାନ, ପୁରୀର ସୁଲେଖା ସାହିତ୍ୟ ସମ୍ମାନ, ଜୟପୁରର ନିର୍ବାଣ ସାହିତ୍ୟ ସମ୍ମାନ, ଗୁଣପୁରର ବ୍ରହ୍ମକଳ୍ପ ସାହିତ୍ୟ ସମାଜ , ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ରାୟଗଡ଼ା ,ବନପ୍ରଭା ସାହିତ୍ୟ ସଂସଦ, ସୁନାବେଢ଼ା ,କଳିଙ୍ଗ ସାହିତ୍ୟ ସମାରୋହ, କୋରାପୁଟ, କୋରାପୁଟ ସାହିତ୍ୟ ଉତ୍ସବ, କୋରାପୁଟ , ରାୟଗଡା ବ୍ରାହ୍ମଣ ସାହି ଶାରଦୀୟ ପୂଜା କମିଟି, ତଥା ଉତ୍କଳ ସାହିତ୍ୟ ସମାଜ ,କଟକ ପ୍ରଭୃତି ଅନେକ ସାରସ୍ଵତ ସଂଗଠନ ତାଙ୍କୁ ସମ୍ମାନ ସମ୍ବର୍ଦ୍ଧନା ଦେଇଛନ୍ତି ।
ପ୍ରକୃତରେ ସେଇମାନେ ହିଁ ଅକ୍ଷମ ଯେଉଁମାନଙ୍କୁ ଈଶ୍ୱର ସୁନ୍ଦର ଶରୀରଟିଏ ଦେଇଥିଲେ ମଧ୍ୟ ସେମାନେ ତାର ଯଥାର୍ଥ ଉପଯୋଗ କରନ୍ତି ନାହିଁ । ଆଳସ୍ୟ ବିଳାସରେ କାଳ କାଟନ୍ତି । ନିଷ୍କର୍ମା ହୋଇ ରହିଥାନ୍ତି । ସେଇମାନେ ହିଁ ହେଉଛନ୍ତି ସମାଜର ବୋଝ । ସୃଷ୍ଟିର ଅଭିଶାପ । ବିଭୁଦତ୍ତ ପ୍ରତିଭାର ସଦୁପଯୋଗ ହିଁ ମଣିଷର ଚେତନାକୁ ଊର୍ଦ୍ଧ୍ଵାୟିତ କରେ । ସେ ମହତ୍ତର ଜୀବନଟିଏ ବଞ୍ଚେ । ଶରୀରଟା ଗୌଣ ଜିନିଷ । ଆତ୍ମିକ ଚେତନା, ଆତ୍ମୋପଲବ୍ଧି ଦ୍ୱାରା ହିଁ ମଣିଷ ଶ୍ରେଷ୍ଠ ବିବେଚିତ ହୋଇଥାଏ ।
ଏହାହିଁ ସତ୍ୟ ନାରାୟଣ ତାଙ୍କର ଜୀବନ କାଳ ଭିତରେ ଦେଖାଇ ଚାଲିଛନ୍ତି । ଜୀବନ ସହ ସତ୍ତ୍ୟବଦ୍ଧ ହୋଇ ସତରେ ସତ୍ୟନାରାୟଣ ଏକ ସାର୍ଥକ ଓ ମହତ୍ତର ଜୀବନ ଯାପନ କରୁଛନ୍ତି । ସଭିଙ୍କ ପାଇଁ ତାଙ୍କ ନିଷ୍କାମ ଓ ନିଷ୍ଠାପର ସେବାର ହାତ ବଢାଇ ଆସିଥିବା ସତ୍ୟନାରାୟଣ ସୃଜନ ଓ ଜୀବନକୁ ସମତାଳରେ ଆପଣାଇ ନେଇ ତହିଁରେ ଯେମିତି ସଦା ନିମଗ୍ନ, ସେଠି ତାଙ୍କ ଚଳତ ଶକ୍ତି ରହିତାବସ୍ଥାର ଯାତନା ବି ଆପେ ମନେ ହୁଏ ନ୍ୟୂନ ଓ ନଗଣ୍ୟ !!
ଡଃ. ବାସନ୍ତୀ ମହାନ୍ତି
ବିଶିଷ୍ଟ ଲେଖିକା ଓ ସ୍ତମ୍ଭକାର
୨୧୩ ସି-ବ୍ଲକ୍, ଏମେରାଲୁ ଆପାର୍ଟମେଣ୍ଟ୍, ଲକ୍ଷ୍ମୀସାଗର, ଭୁବନେଶ୍ବର-୭୫୧୦୦୬
ମୋ- ୯୪୩୭୦ ୩୩୦୭୪
E-mail: basantimohanty12@gmail.com


