® ISSN : 3107-4979 | A Bilingual (Odia & English) Bimonthly Special Newspaper Covering News and Views on Disabilities | ® RNI Regd. No. ODIBIL/2016/67738

୨୦୧୧ ମସିହାର ଜନଗଣନାର ଏକ ଲମ୍ବା ଅବଧି ପରେ ପୁନଃ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଏକାଧିକ ଦିଗରୁ ଜନଗଣନାର ତଥ୍ୟ ବା ଡାଟା ଗୋଟିଏ ଦେଶ ତା’ର ସାମଗ୍ରିକ ବିକାଶର ନୀଳନକ୍ସା ଆଙ୍କିବା ନିମନ୍ତେ ଅତ୍ୟାବଶ୍ୟକ ଅଟେ । ବିଶେଷ କରି ସାମାଜିକ,ଶୈକ୍ଷିକ ଓ ଅର୍ଥନୈତିକ ଦିଗରୁ ଏହି ତଥ୍ୟ ବା ଡାଟା ଏକ ଅପରିହାର୍ଯ୍ୟ ପରିସଂଖ୍ୟାନଗତ ଆଧାର ରୂପେ ଗ୍ରହଣ କରାଯାଇଥାଏ । ଗୋଟିଏ ବାକ୍ୟରେ କହିଲେ,ସଠିକ୍ ତଥ୍ୟ ବା ଡାଟା ବିନା ଯେ କୌଣସି ଯୋଜନାର ରୂପରେଖ ତା’ର ଯଥାର୍ଥ ବାସ୍ତବାୟନଠାରୁ ଅପହଞ୍ଚ ଓ ନିରର୍ଥକ ହୋଇ ରହିଯାଏ ।

ଚଳିତବର୍ଷ ସେହି ବହୁ ପ୍ରତୀକ୍ଷିତ ଜନଗଣନାର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ୨୦୨୬ ଏପ୍ରିଲ ମାସରୁ ତାହାର ପ୍ରଥମ ପର୍ଯ୍ୟାୟ ସେଲ୍ଫ-ଏନ୍ୟୁମରେସନ୍ ବା ସ୍ବଜନଗଣନା ପ୍ରକ୍ରିୟା ସରି ଯାଇଛି । ଏହାର ଦ୍ୱିତୀୟ ପର୍ଯ୍ୟାୟ ହୁଏତ ଆସନ୍ତା ଅକ୍ଟୋବର ମାସରୁ ଆରମ୍ଭ ହୋଇଯିବ । ଯାହା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି,ଯେ ଚଳିତ ଆର୍ଥିକ ବର୍ଷ ମାର୍ଚ୍ଚମାସ ଅନ୍ତିମ ଚରଣ ସୁଦ୍ଧା ସମଗ୍ର ଦେଶର ଜନସଂଖ୍ୟାର ଏକ ସ୍ପଷ୍ଟ ଚିତ୍ର ଉପଲବ୍ଧ ହୋଇଯିବ । ଭାରତ ଉପ ମହାଦେଶରେ ସର୍ବ ପ୍ରଥମେ ୧୮୮୧ ମସିହାରେ ଲର୍ଡ଼ ରିପନ୍‌ଙ୍କ ଦ୍ୱାରା ପ୍ରଥମେ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା । ସେହି ଦୃଷ୍ଟିରୁ ଯଦି ଗଣନା ପର୍ଯ୍ୟାୟର ନିରନ୍ତରତାକୁ ଅନ୍ତର୍ଭୁକ୍ତ କରିବା,ତେବେ ସମ୍ପ୍ରତି ଏହାର କ୍ରମ ୧୬ତମ ଜନଗଣନା ବୋଲି କୁହାଯିବ । ମାତ୍ର ଦେଶ ସ୍ୱାଧୀନତା ପରେ ପ୍ରଥମ ୧୯୫୧ ମସିହାର ଗଣନାକୁ ଯଦି ଧରି ବସିବା ତେବେ ଏହା ସପ୍ତମ ପର୍ଯ୍ୟାୟର ବୋଲି କୁହାଯିବ । ଜନଗଣନାର ଏହି ଦୀର୍ଘ ପର୍ଯ୍ୟାୟ କ୍ରମରେ ତଥ୍ୟ ଆହରଣର ପ୍ରକ୍ରିୟା ପରିବର୍ଦ୍ଧିତ ହୋଇ ଚାଲିଛି । ଗତ ୨୦୧୧ ମସିହାର ଜନଗଣନାଠାରୁ ଚଳିତ ବର୍ଷର ଗଣନାଟି ଅନେକ ଦୃଷ୍ଟିରୁ ଅଭିନବ ।

ପ୍ରଥମ – ଏହା ସମ୍ପୂର୍ଣ୍ଣ ଡିଜିଟାଇଜେସନ ମାଧ୍ୟମରେ ସଂଗୃହିତ ହେଉଛି । ମୋବାଇଲ ଆପ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଉଛି ।

ଦ୍ୱିତୀୟ – ଏଥିରେ ସ୍ଵ ଜନଗଣନା ବା ସେଲ୍ଫ – ଏନ୍ୟୁମରେସନ୍‌ର ଏକ ପର୍ଯ୍ୟାୟ ରହିଅଛି ।

ତୃତୀୟ – ଏକାଧିକ ସୁଚିନ୍ତିତ ପ୍ରଶ୍ନବାଳୀକୁ ଆଧାର କରି ଏହା ଏକ ବିସ୍ତୃତ ସର୍ଭେ ।

ଭାରତର ଜନଗଣନାରେ ପ୍ରକୃତ ଦିବ୍ୟାଙ୍ଗ କେତେ ?

ପୂର୍ବ ଜନଗଣନାର ପରିସଂଖ୍ୟାନ,ଜାତୀୟ ସର୍ଭେ ଏବଂ ଆନ୍ତର୍ଜାତୀୟ ସଂସ୍ଥମାନଙ୍କ ଅଧ୍ୟୟନରୁ ଯାହା ଜଣାପଡେ,ସେମାନଙ୍କ ପ୍ରକୃତ ସଂଖ୍ୟା ତୁଳନାରେ ସଂଖ୍ୟା କମ୍ ରେକର୍ଡ କରାଯାଇଛି । କାରଣ ୨୦୦୧ ମସିହାର ଜନଗଣନାରେ ମୋଟ୍ ଜନସଂଖ୍ୟାର ୨.୧୩ % ରହିଥିଲେ ଦିବ୍ୟାଙ୍ଗ । ସେହିପରି ୨୦୧୧ ମସିହାରେ ୨.୨୧% । ୨୦୧୮ ମସିହାରେ ଜାତୀୟ ସର୍ଭେକ୍ଷଣ ରିପୋର୍ଟରେ ଏହି ବର୍ଗର ସଂଖ୍ୟା ୨.୨% ମାତ୍ର ଏଥିରେ ଥିବା ବିରୋଧାଭାସ ହେଉଛି, ୨୦୦୧-୨୦୧୧ ମଧ୍ୟରେ ଦେଶର ଜନସଂଖ୍ୟା ପ୍ରାୟ ୧୮ କୋଟି ବୃଦ୍ଧି ପାଇଥିଲେ ମଧ୍ୟ ଦେଶରେ ସେମାନଙ୍କ ଉପସ୍ଥିତି ହାରର ପ୍ରତିଶତ ଖୁବ୍ କମ୍ ଦର୍ଶାଯାଇଛି ।

ଏହା ମଧ୍ୟରେ ଦେଶରେ ନୂତନ ଦିବ୍ୟାଙ୍ଗ ଆଇନ ପ୍ରଣୟନ ସହ ଭିନ୍ନକ୍ଷମତାର ପ୍ରକାର ମଧ୍ୟ ୨୧ କୁ ବୃଦ୍ଧି ପାଇଛି । ତେଣୁ ଏହି ସଦ୍ୟତମ ଜନଗଣନା ଶତ ପ୍ରତିଶତ ଦିବ୍ୟାଙ୍ଗ ଇନକ୍ଲ୍ୟୁସିଭ୍ ହୋଇ ପାରିଲେ ଏକ ସଦ୍ୟତମ ତଥ୍ୟ ସାମ୍ନାକୁ ଆସି ପାରିବ । ଏଥିପାଇଁ ରହିଥିବା ପୂର୍ବର ପ୍ରତିବନ୍ଧକ, ଯେପରି –

କ- ଦିବ୍ୟାଙ୍ଗତାକୁ ସାମାଜିକ କଳଙ୍କ ଭାବି ତଥ୍ୟ ଲୁଚାଇ ରଖିବାର ମାନସିକତା

ଖ-ଦିବ୍ୟାଙ୍ଗତାର ବିବିଧତାକୁ ଚିହ୍ନଟ ପାଇଁ ଗଣନାକାରୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ।

ଗ-ବିଶେଷ କରି ଇନ୍ -ଭିଜିବୁଲ୍ ବା ଦୃଶ୍ୟମାନ ହେଉ ନ ଥିବା ଦିବ୍ୟାଙ୍ଗତା ପ୍ରଭୃତିକୁ ଗଣନାର ପରିସରଭୁକ୍ତ କରିବା ।

ଘ-ସାମାଜିକ ସ୍ୱୀକୃତିରେ ଭେଦଭାବ ଦିବ୍ୟାଙ୍ଗତାକୁ ନେଇ ରହିଥିବା ଭେଦଭାବଜନିତ ତଥ୍ୟ ଅପ୍ରକାଶ୍ୟର ମାନସିକତା ।

ଙ-ଶିଶୁମାନଙ୍କ ବିକାଶଗତ ବାଧକକୁ ଅଣଦେଖା କରି ଦିବ୍ୟାଙ୍ଗ ପରିସରରୁ ବାଦ୍ ଦେବାର ପ୍ରବୃତ୍ତି ।

ଏହି ସବୁ ପ୍ରତିବନ୍ଧକ ବ୍ୟତୀତ ଯାହା ସର୍ବପରି,ତାହା ହେଉଛି ସ୍ୱୟଂ ନିଜେ ଦିବ୍ୟାଙ୍ଗଜନ ଓ ତା’ର ପରିବାର । ଏହି ପରିଗଣନାର ଅଂଶବିଶେଷ ରୂପେ ସ୍ୱତଃ ଆଗେଇ ଆସିବା ଉଚିତ ।

କାରଣ ଏକ ପ୍ରଭାବି ସରକାରୀ ଯୋଜନା,ବଜେଟ ବଣ୍ଟନ,ସମାବେଶି ଶିକ୍ଷା,ସ୍ୱାସ୍ଥ୍ୟସେବା,ପୁନର୍ବାସ ସମ୍ପର୍କିତ ସହାୟକ ଉପକରଣ ଯୋଗାଣ,ଶିକ୍ଷା,ନିଯୁକ୍ତି ଓ ଉନ୍ନୟନ ଯୋଜନାରେ ସରଂକ୍ଷଣର ପ୍ରାବଧାନ ପ୍ରଭୃତି ଦିଗଗୁଡିକର ସମୁଚିତ ପ୍ରଣୟନ ଓ ବାସ୍ତବାୟନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

 


ଡ଼ ବିରଜା ରାଉତରାୟ

ମୁଖ୍ୟ ସମ୍ପାଦକ

Leave a Reply

Your email address will not be published. Required fields are marked *

Related Posts