® ISSN : 3107-4979 | A Bilingual (Odia & English) Bimonthly Special Newspaper Covering News and Views on Disabilities | ® RNI Regd. No. ODIBIL/2016/67738

ବିନା ଆଇନାରେ ଆପଣ ପ୍ରସାଧନ କରିପାରିବେ କି ? ଆଇନାରେ ନିଜକୁ ଦେଖି ହିଁ ଆମେ ସ୍ଥିର କରୁ କେଉଁଠି କେମିତି ମେକପ୍ କରିବେ, ଆଉ ନିଜକୁ କେମିତି ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବେ । କେଉଁଠି ଆପଣଙ୍କର ଦୋଷ, ଦୁର୍ବଳତା ରହିଛି ତାହା କହିବ ଆପଣଙ୍କ ଆଇନା । ସେହିପରି ଗୋଟିଏ ଦେଶ ପାଇଁ ଆଇନା ହେଉଛି ଏହି ଜନଗଣନା । ଆପଣ ହୁଏତ ଯୁକ୍ତି କରିପାରନ୍ତି ଯେ ଆଇନା ବସ୍ତୁତଃ ବାହାର ଚେହେରାର କଥା ହିଁ କହିବ । ଭିତରର କଥା କହିବନି । ଭିତରର କଥା କହିବ ଏକ୍ସ-ରେ ବା ଅନ୍ୟାନ୍ୟ ସ୍କାନିଂ ରିପୋର୍ଟ । ତେବେ ଆମେ ସମସ୍ତେ ମାନିବା ଯେ, ଦେହ ଭିତରେ ଯଦି କିଛି ଅସୁବିଧା ଥାଏ, ତାହା ଆପଣଙ୍କ ଚେହେରାରୁ ଧରାପଡିବ । ସେହିପରି ଜନଗଣନା ଏମିତି ଏକ ପ୍ରକ୍ରିୟା ଯେଉଁଥିରୁ ଉଦ୍ଧୃତ ହେଉଥିବା ଡାଟା ଓ ପରିସଂଖ୍ୟାନରୁ ଜଣାପଡିବ ଗୋଟିଏ ଦେଶ ଓ ପ୍ରଦେଶର ଉଭୟ ବାହାର ତଥା ଭିତରର ଅବସ୍ଥା କଣ । 

ଏହି ଡାଟା ଓ ପରିସଂଖ୍ୟାନକୁ ନେଇ ପ୍ରଶାସନ ପରିକଳ୍ପନା କରିବ, କଣ ହେବ ଦେଶର ଯୋଜନା ଓ କାର୍ଯ୍ୟସୂଚି ଅଥବା ବିଭିନ୍ନ ପ୍ରକଳ୍ପ । ଏଣୁ ଦେଶର ଏହି ଆଇନାଟି ଯେପରି ସ୍ୱଚ୍ଛ, ନିର୍ମଳ ରହିବ, ଚିତ୍ରର ମାନ ମଧ୍ୟ ସେହିପରି ତୃଟିଶୂନ୍ୟ ରହିବ ।

ଭିନ୍ନକ୍ଷମମାନଙ୍କ ନିମନ୍ତେ ପ୍ରସ୍ତୁତ ଜାତୀୟ ନୀତି ଅନୁସାରେ ସେମାନଙ୍କ ପାଇଁ ଏଭଳି ଏକ ପରିବେଶ ରହିବା ଦରକାର ଯେଉଁଥିରେ ସେମାନଙ୍କୁ ସମାଜରେ (କ) ସମାନ ସୁଯୋଗ (ଖ) ସେମାନଙ୍କ ଅଧିକାରର ସୁରକ୍ଷା (ଗ) ସଂପୂର୍ଣ୍ଣ ଅଂଶଗ୍ରହଣ କରିବାର ସୁବିଧା ମିଳୁଥିବ । ଏଗୁଡିକ ପାଇବାକୁ ହେଲେ ଆମକୁ ଦରକାର ସେମାନଙ୍କ ବାବଦରେ ସଠିକ୍ ତଥ୍ୟ ବା ପରିସଂଖ୍ୟାନ । ଗତ ଜନଗଣନା ୨୦୧୧ ଅନୁସାରେ ସମୁଦାୟ ଜନସଂଖ୍ୟାର ଶତକଡା ୨.୨୧ ଲୋକ କୌଣସି ନା କୌଣସି ପ୍ରକାରର ଭିନ୍ନକ୍ଷମ/ଦିବ୍ୟାଙ୍ଗ ଥିଲେ । କିନ୍ତୁ ଏହି ସଂଖ୍ୟା ବିଶ୍ୱର ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସଂକ୍ରାନ୍ତୀୟ ସଂଖ୍ୟା ସହ ଆଦୌ ମେଳ ଖାଉ ନ ଥିଲା । ବିଶ୍ୱରେ ପ୍ରତି ଛଅ ଜଣଙ୍କ ଭିତରେ ଜଣେ ଭିନ୍ନକ୍ଷମ ଥିବା ବେଳେ ଆମର ସଂଖ୍ୟା ଏ ତୁଳନାରେ ଅତି କମ୍ ଥିଲା, ଯେଉଁଥିରୁ ଜଣା ପଡୁଥିଲା ଯେ, ଅନ୍ତତଃ ଭିନ୍ନକ୍ଷମ ମାନଙ୍କ କ୍ଷେତ୍ରରେ ଜନ ଗଣନାଟି ସଠିକ୍ ହୋଇ ନଥିଲା ଓ ଏଥିରେ ଅନେକ ତୃଟି ବିଚ୍ୟୁତି ରହିଥିଲା । ଏବେ ଦୀର୍ଘ ୧୫ ବର୍ଷ ପରେ ଆମେ ପାଉଛେ ଆଉ ଗୋଟିଏ ଜନ ଗଣନା, ଏଣୁ ପୂର୍ବ ଜନ ଗଣନାରେ ଭିନ୍ନକ୍ଷମଙ୍କ ବାବଦରେ ଥିବା ସଂଖ୍ୟାରେ ଥିବା ତୃଟିର କାରଣ ଖୋଜି ନୂତନ ଜନ ଗଣନାରେ ତାହାର ନିରାକରଣ କରିବା ଅତ୍ୟନ୍ତ ଆବଶ୍ୟକୀୟ ହୋଇ ପଡିଛି ।

ବସ୍ତୁତଃ ଏହାର ମୂଳ କାରଣ ଥିଲା ଭିନ୍ନକ୍ଷମମାନଙ୍କ ବାବଦରେ ଆମର ସଠିକ୍ ଧାରଣାର ଅଭାବ । ଏହି କଥାକୁ ଆଧାର କରି ଆମର ପ୍ରଚେଷ୍ଟା ରହିଲା ୨୦୨୭ ଜନଗଣନା କିପରି ତୃଟିଶୂନ୍ୟ ରହିବ । ଭିନ୍ନକ୍ଷମମାନଙ୍କ ପାଇଁ କାର୍ଯ୍ୟ କରୁଥିବା ବିଶାଳ ନେଟଓ୍ୱର୍କର ସାହାଯ୍ୟ ତଥା “ଭିନ୍ନକ୍ଷମ ଅଧିକାର ଅଧିନିୟମ ୨୦୧୬” ର ଆଧାରରେ ପୁରୁଣା ଢାଞ୍ଚାକୁ ସଂପୂର୍ଣ୍ଣ ବଦଳ କରି ୨୧ଟି ଭିନ୍ନକ୍ଷମ ବର୍ଗକୁ ଏଥିରେ ସାମିଲ କରାଯାଇଛି । ଗତ ଜନ ଗଣନାରେ ଥିବା ସୀମିତ ଆଠଗୋଟି ବର୍ଗର ଭିନ୍ନକ୍ଷମର ବ୍ୟାଖ୍ୟାନ, ଡାକ୍ତରୀ ସୂଚନା ଅନୁସାରେ କରାଯାଇଥିବାବେଳେ ଅନେକ କ୍ଷେତ୍ର, ଯେପରି ବୌଦ୍ଧିକ ଅକ୍ଷମତା, ରକ୍ତ ସଂପର୍କିତ ଅବସ୍ଥା ଓ ବହୁବିଧ ଅକର୍ମଣ୍ୟତା ଆଦି ଦିବ୍ୟାଙ୍ଗ ଶ୍ରେଣୀ ବାବଦରେ ଏହା ଜନଗଣନାକାରୀ ମାନଙ୍କୁ ଚିହ୍ନଟ କରିବାରେ ଅସୁବିଧା ହେଉଥିଲା । ଏହାଛଡା ଲୋକମାନଙ୍କ ପାଖରେ ଥିବା ବିଭିନ୍ନ କୁସଂସ୍କାର, ଅନ୍ଧବିଶ୍ୱାସ ଓ ଲୋକଲଜ୍ୟା ଯୋଗୁଁ ପରିବାର ଥିବା ଏହିପରି ଭିନ୍ନକ୍ଷମ ପିଲା ବା ବ୍ୟକ୍ତିମାନଙ୍କ ବାବଦରେ ପରିବାରଠୁ ସୂଚନା ମିଳିବାରେ ମଧ୍ୟ ଅସୁବିଧା ଥିଲା ।

ଏହି ସବୁକୁ ଆଖି ଆଗରେ ରଖି ଜନଗଣନା ତରଫରୁ ପ୍ରଶ୍ନାବଳୀ (Questionnaire) ପ୍ରସ୍ତୁତ କରାଯାଇଛି ଯାହା ସଠିକ୍ ଭାବରେ ଗଣନାକାରୀମାନଙ୍କୁ ବିଭିନ୍ନ ପ୍ରକାର ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବ । ପ୍ରଥମ କରି ରକ୍ତଜନିତ ଦିବ୍ୟାଙ୍ଗ, ପାର୍କିନସନ୍ ଆକ୍ରାନ୍ତ ବ୍ୟକ୍ତି (ଦେହ ହାତ ଥରୁଥିବା), ବାମନ ଶ୍ରେଣୀର ଦିବ୍ୟାଙ୍ଗ ମାନଙ୍କୁ ଜନଗଣନାରେ ସାମିଲ କରାଯାଇଛି ଓ ଏହାକୁ ଅସାଧାରଣ ଦିବ୍ୟାଙ୍ଗ ପରିଚୟ ପତ୍ର (UDID) ଢାଞ୍ଚା ସହ ଯୋଡାଯାଇଛି, ଯେଉଁଥିରୁ ଜନଗଣନା ସହ ଦିବ୍ୟାଙ୍ଗମାନେ ପାଉଥିବା ସାମାଜିକ ସୁରକ୍ଷା, ସୁବିଧା ଗୁଡିକ ବିଷୟରେ ମଧ୍ୟ ସୂଚନା ମିଳିପାରୁଥିବ । ପ୍ରଥମ ପର୍ଯ୍ୟାୟରେ ଘରଗଣନା (House listing) କରାଯାଇସାରିଥିବା ବେଳେ ଦ୍ୱିତୀୟରେ ପରବର୍ତ୍ତୀ ସମୟ (୨୦୨୭ ଫେବୃଆରୀ ମାସଠାରୁ) ସିଧାସଳଖ ଜନଗଣନା କାର୍ଯ୍ୟ ଆରମ୍ଭ ହେବ । ଘରଗଣନା ପାଇଁ ଥିବା ପ୍ରଶ୍ନାବଳୀରେ ୩୧ ଟି ପ୍ରଶ୍ନ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଥିବା ଜନଗଣନା ନିମନ୍ତେ ଥିବା ପ୍ରଶ୍ନାବଳୀ ରେ ୯ ଟି ପାରାମିଟର ରହିଛି ଏବଂ “ଦିବ୍ୟାଙ୍ଗତା” ବିଷୟଟି ପାରା ୯ ରେ ଉଲ୍ଲେଖ କରାଯାଇଛି ।

ଦିବ୍ୟାଙ୍ଗ ବ୍ୟକ୍ତିଟି ବିଷୟରେ ସୂଚନା ସଂଗ୍ରହ କରୁଥିବାବେଳେ ବ୍ୟକ୍ତିଟିର ଭିନ୍ନକ୍ଷମତାର ବର୍ଗ, ପରିମାଣ, ମିଳୁଥିବା ସାମାଜିକ ସୁରକ୍ଷା ସୁବିଧା ଗୁଡିକ ବିଷୟରେ ସଂପୂର୍ଣ୍ଣ ତଥ୍ୟ ସେଥିରେ ସଠିକ୍ ଭାବରେ ଉଲ୍ଲେଖ କରାଯିବାର ବ୍ୟବସ୍ଥା ରହିଛି । ଶ୍ରବଣ ଶକ୍ତି ରହିତ ବର୍ଗର ବ୍ୟକ୍ତି ବିଶେଷଙ୍କଠାରୁ ସିଧା ସଳଖ ସୂଚନା ଗ୍ରହଣ କରାଯିବା ନିମନ୍ତେ ସାଙ୍କେତିକ ଭାଷା ଅନୁବାଦକ (S L I) ମାନଙ୍କର ବନ୍ଦୋବସ୍ତ ଏଥର କରାଯାଇଛି । ଏହା ସହ ବ୍ରେଲି ସ୍କ୍ରିନ୍ ରିଡର ର ମଧ୍ୟ ସୁବିଧା କରାଯାଇଛି ।

ଏଥର ଜନଗଣନାରେ ଏକ ନୂଆ ଜିନିଷ ଦେଖିବାକୁ ମିଳିବ । ଘର (ହାଉସହୋଲ୍ଡ) ମାନଙ୍କୁ ଅନଲାଇନରେ ସ୍ୱ-ପଞ୍ଜୀକରଣ କରିପାରିବାର ସୁବିଧା ଦିଆଯାଇଛି । ଏହା ଜନଗଣନାକାରୀ ମାନଙ୍କର ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ପୂର୍ବରୁ ହେବ ଯାହା ଫଳରେ ଉଭୟ ବ୍ୟକ୍ତି ବିଶେଷ ତଥା ଜନଗଣନାକାରୀ ମାନଙ୍କୁ ସହଜ ହେବ ତଥା ସଠିକ୍ ହେବ । ସେହିପରି ଜନଗଣନାକାରୀ ମାନେ ଜନଗଣନା ପରିଚାଳନା ଏବଂ ନିରୀକ୍ଷଣ ପ୍ରଣାଳୀ CMMS (ସେନସସ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ମନିଟରିଙ୍ଗ୍ ସିଷ୍ଟମ୍) ନାମକ ଏକ ମୋବାଇଲ୍ ଆପ୍ ଜରିଆରେ ତଥ୍ୟ ସଂଗ୍ରହ କରିବେ । ଏଣୁ ଏହାଦ୍ୱାରା ଉଭୟ ଡାଟା ସଂରକ୍ଷଣ, ବର୍ଗୀକରଣ ଏବଂ ରିଅଲ୍ ଟାଇମ୍ରେ ତଥ୍ୟ ପରିଚାଳନାର ସୁବିଧା ମିଳିବ । ଆସନ୍ତା ଜନଗଣନା ପାଇଁ ବିଭିନ୍ନ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଗୁଡିକ ସରକାର ତଥା କମିଶନ ଦ୍ୱାରା କରାଯାଉଛି ।

ଜନନଗଣନା କାର୍ଯ୍ୟକ୍ରମଟିର ଗୁରୁତ୍ୱ ଯେତିକି, ସେତିକି ବିରାଟ, ବିଶାଳ । ଏହାର କଳେବର ପ୍ରାୟ ୩୧ ଲକ୍ଷ ଗଣନାକାରୀ ଓ ସୁପରଭାଇଜର ଘରକୁ ଘର ବୁଲି ଉଦ୍ଦିଷ୍ଟ ଫର୍ମାଟ ଅନୁଯାୟୀ ତଥ୍ୟ ସଂଗ୍ରହ କରିବେ । ଏହି ୩୧ ଲକ୍ଷ ଜନଗଣନାକାରୀଙ୍କୁ ଆବଶ୍ୟକ ଟ୍ରେନିଙ୍ଗ୍ ଦେବା ପାଇଁ ପ୍ରାୟ ୪୫ ହଜାର କ୍ଷେତ୍ର ତାଲିମ ଅଧିକାରୀ ଓ ସେହି କ୍ରମରେ ୨୦୦୦ ମାଷ୍ଟର ଟ୍ରେନର ଓ ୧୦୦ ଜାତୀୟ ଟ୍ରେନର ନିଯୁକ୍ତି ହୋଇଛନ୍ତି ।

ଗତ ଜନଗଣନାରେ ଦିବ୍ୟାଙ୍ଗତାକୁ ନିରୁପଣ କରାଯିବା ପାଇଁ ବ୍ୟବହୃତ ଡାକ୍ତରୀ ମଡେଲକୁ ଏଥର ସଂପୂର୍ଣ୍ଣ ପରିହାର କରି ଜାତି ସଂଘ (ୟୁ. ଏନ୍.) ଦ୍ୱାରା ଅନୁମୋଦିତ ଆନ୍ତର୍ଜାତୀୟ ପଦ୍ଧତି /ମଡେଲ୍ ଯାହା ଓ୍ୱାଶିଙ୍ଗଟନ୍ ଗ୍ରୁପ୍ ଅନ୍ ଡିସାବିଲିଟି ଷ୍ଟାଟିଷ୍ଟିକ୍ସ ନାମରେ ପରିଚିତ, ତାର ଅନୁସରଣ କରାଯିବ । ଫଳରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସେମାନଙ୍କର ବିଭିନ୍ନ କାର୍ଯ୍ୟ କରିପାରୁଥିବା କ୍ଷମତାକୁ ନେଇ ସେମାନଙ୍କର ଗଣତି କରାଯିବ । ସର୍ବୋପରି ସେମାନଙ୍କର ସମ୍ମାନ, ମର୍ଯ୍ୟଦାକୁ ବଜାୟ ରଖି ଲୋକମାନଙ୍କୁ ସେମାନଙ୍କର ଭାଷାରେ କିପରି ଗଣନାକାରୀମାନେ ତଥ୍ୟ ସଂଗ୍ରହ କରିବେ ସେଥି ନିମନ୍ତେ ବିଶେଷ ଧ୍ୟାନ ଦେବା ପାଇଁ ତାଲିମ ଦିଆଯାଇଛି ।

ଏ ସବୁ ଗଲା ପ୍ରସ୍ତୁତିର କଥା ଯାହା ହୁଏତ କାଗଜ କଲମରେ ଠିକ୍ ଥାଇପାରେ । କିନ୍ତୁ କ୍ଷେତ୍ରରେ ଏହି କାମଟିକୁ ସଫଳ ଭାବେ ରୂପାୟନ କରିବା କେବଳ ଗଣନାକାରୀ ମାନଙ୍କ ଉପରେ ନିର୍ଭର କରେ । ସେହିପରି ଜନ ସାଧାରଣମାନଙ୍କୁ ନିର୍ଭୟରେ ତଥ୍ୟ ପ୍ରଦାନ କରିବା ଆବଶ୍ୟକ । ଜନଗଣନାକାରୀଙ୍କର ପ୍ରସ୍ତୁତି, ନିଷ୍ଠା ତଥା ସମ୍ବେଦନଶୀଳତା ତଥା ଲୋକଙ୍କର ସହଯୋଗ ଉପରେ ପରିସଂଖ୍ୟାନର ସଠିକତା ନିର୍ଭର କରେ । ସେହିପରି ବ୍ୟବହୃତ ଟେକ୍ନଲୋଜି, ସଫ୍ଟଓ୍ୱାୟାର କୁ ତଦାରଖ କରିବା ପାଇଁ ମଧ୍ୟ କ୍ଷେତ୍ର ପ୍ରସ୍ତୁତି ସଜାଗ ଅଛି ।

ଉଭୟ ଆଇନା ଓ ଚେହେରା ଯେତେବେଳେ ଆମ ନିଜର ଜନଗଣନା ପ୍ରତି ଭାବାବେଗ କେବଳ ଆମର ହିଁ ରହିବା ଦରକାର ।

 

ବ୍ରତତୀ ହରିଚନ୍ଦନ


ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ, ଓଡିଶା

ବ୍ରତତୀ ହରିଚନ୍ଦନ

Leave a Reply

Your email address will not be published. Required fields are marked *

Related Posts