® ISSN : 3107-4979 | A Bilingual (Odia & English) Bimonthly Special Newspaper Covering News and Views on Disabilities | ® RNI Regd. No. ODIBIL/2016/67738

ବିବିଧତା ହିଁ ଏହି ବୈଚିତ୍ର୍ୟମୟ ସୃଷ୍ଟିର ସ୍ୱରୂପ । କାରଣ,ଦୃଶ୍ୟମାନ ଜଗତର ସବୁକିଛି ଯଦି ଏକ ପ୍ରକାର ବୋଲି ଲାଗିଥାନ୍ତା,ତେବେ ସେହି ଦିନଟି ହିଁ ଜଣେ ଦେଖଣାହାରୀକୁ ସବୁଠାରୁ ବିରକ୍ତିକର ଦିନଟିର ଅନୁଦାର ଅନୁଭବ ଆଣି ଦେଇଥାନ୍ତା ! ସୃଷ୍ଟିକର୍ତ୍ତାଙ୍କ ଏହି ବିବିଧତାମୟ ସର୍ଜନା କି ସୁଦୃଶ୍ୟ କି ବିସଦୃଶ୍ୟ,ସମସ୍ତ ପ୍ରାଣୀମାନଙ୍କ ଭିତରେ ଭରି ରଖିଥାନ୍ତି ସମ୍ଭାବନାର ଶତେକ ଦିଗନ୍ତ ।

ଆଗରୁ ସିନେମା କିମ୍ବା ସର୍କସରେ ଯେଉଁ ଖର୍ବାକୃତି ମଣିଷମାନଙ୍କୁ ଆମେ ହସ ଓ କୌତୁକର ଉପାଦାନ ବୋଲି ଗ୍ରହଣ କରି ନେଇଥିଲେ,ସେହି ସବୁ ମଣିଷମାନଙ୍କ ମଧ୍ୟରେ ଅନାବିସ୍କୃତ ହୋଇ ରହି ଯାଇଥାଏ ଆକାଂକ୍ଷା ଓ ସାମର୍ଥ୍ୟର ଅନନ୍ୟ କାହାଣୀ । ବାମନ ମାତ୍ରେଇ ଯେ ହସ ଓ ବ୍ୟଙ୍ଗର ଉପଜୀବ୍ୟ, ଏହିପରି ଏକ ସାମାଜିକ ଭ୍ରାନ୍ତ ଧାରଣାକୁ ଭୁଲ ବୋଲି ପ୍ରମାଣିତ କରି ଏହି ଭାରତୀୟ ଆଧୁନିକ ସମାଜର ଦୁଇ ତରୁଣ ବାମନ ସେମାନଙ୍କର ଉଲ୍ଲେଖନୀୟ ଦକ୍ଷତା ଜାହିର କରି ପ୍ରଚଳିତ ସାମାଜିକ ଅସୂୟା ଦୃଷ୍ଟିକୁ ସମ୍ପୂର୍ଣ୍ଣ ଓଲଟ ପାଲଟ କରିଦେବାରେ ସକ୍ଷମ ହୋଇଛନ୍ତି । ସେହିପରି ଦୁଇ ବାମନତ୍ୱ ଅବୟବଧାରୀ ସଫଳ ମଣିଷଙ୍କର ଏହି କାହାଣୀ । ଜଣେ ପାଲଟିଛନ୍ତି ଜନପ୍ରିୟ ଡାକ୍ତର । ଆର ଜଣକ ଜଣେ ସଫଳ ଭାରତୀୟ ପାରା ଆଥଲେଟ୍ ।

ପ୍ରସ୍ତୁତି ଓ ଉପସ୍ଥାପନା: ବଂଶୀଧର ମହାନ୍ତି ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ଵାଇଁ

ଗଣେଶ ବରୈୟା: ହେଲେ ଏମ୍‌ବିବିଏସ୍‌ ଡାକ୍ତର

ପ୍ରଥମ ଜଣକ ଗୁଜୁରାଟ ନିବାସୀ । ପୂରା ନାମ ଗଣେଶ ବରୈୟା । ଯାହାଙ୍କର ସମୁଦାୟ ଉଚ୍ଚତା ତିନି ଫୁଟରୁ କମ୍ । ଏତିକି ଖବର ହିଁ ଯଥେଷ୍ଟ ଥିଲା ସର୍କସ ପାଟିର ଚାଲାଣକାରୀଙ୍କ ପାଇଁ । ବାସ୍ ଆସି ଘରେ ଆସି ପହଞ୍ଚି ଯାଇଥିଲା ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଅଫର । ପ୍ରତି ବଦଳରେ ପିଲାଟିକୁ ମିଳିଥାନ୍ତା ସର୍କସ ପାର୍ଟିରେ ଚିରାଚରିତ ହାସ୍ୟ ବିଦୂଷକର ଭୂମିକା । ଅନ୍ୟ କୌଣସି ଅଭାବୀ ଚାଷୀ ପରିବାରଟିଏ ହୋଇଥିଲେ ବୋଧହୁଏ ତାହା ହିଁ ଘଟିଥାନ୍ତା ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ସେହି ଗଣେଶଙ୍କ ଭାଗ୍ୟରେ । ମାତ୍ର ତାଙ୍କ ପିତା ଏକ ବହୁ କୁଟୁମ୍ବୀ ଅଭାବୀ ଚାଷୀଟିଏ ଥାଇ ସୁଦ୍ଧା ଉକ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ନିଜ ଜୀବନର ଏହି ନିର୍ଣ୍ଣାୟକ ମୋଡ଼ ପରିବର୍ତ୍ତନ ସବୁଦିନ ପାଇଁ ତାଙ୍କ ଭାଗ୍ୟର ଗତି ପଥକୁ ବଦଳାଇ ଦେଇଥିଲା ।

ଗଣେଶ ବରୈୟା
ଗଣେଶ ବରୈୟା

ମନ ଦେଇ ପଢିଲେ ଗଣେଶ । ଡାକ୍ତର ହେବାର ଉଚ୍ଚ ଆଶାକୁ ନେଇ ଦ୍ୱାଦଶ ଶ୍ରେଣୀରେ ୮୭% ନମ୍ବର ରଖିବା ସହିତ ନିଟ୍ ପରୀକ୍ଷା ଦେଇ ଡାକ୍ତରୀ ପଢିବାକୁ ଯୋଗ୍ୟ ବିବେଚିତ ହେଲେ । ତଥାପି ତାଙ୍କର ସମସ୍ୟା ସରି ନ ଥିଲା,ବରଂ ତାଙ୍କ ଖର୍ବ ଶରୀର ୭୨% ଅଚଳ ଥିବା ଦର୍ଶାଇ ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ ତାଙ୍କୁ ଏମ୍‌ବିବିଏସ୍‌ ସିଟ୍ ଖଣ୍ଡେ ଦେବାକୁ ମନା କରିଦେଲେ । ହେଲେ ସେତିକିରେ ହାରି ନ ଥିଲେ ସେ । ଜିଲ୍ଲା କଲେକ୍ଟର,ରାଜ୍ୟ ଶିକ୍ଷାମନ୍ତ୍ରୀ,ଗୁଜୁରାଟ ହାଇକୋର୍ଟ ଆଉ ଶେଷରେ ପହଞ୍ଚିଥିଲେ ସୁପ୍ରିମକୋର୍ଟରେ । ପରିଶେଷରେ ୨୦୧୮ ଅକ୍ଟୋବର ୨୨ ତାରିଖରେ ସୁପ୍ରିମ କୋର୍ଟ ଗଣେଶଙ୍କ ସପକ୍ଷରେ ରାୟ ଦେଲେ । କେବଳ ଉଚ୍ଚତା ତାଙ୍କ ଡାକ୍ତରୀ ପଢାକୁ ରୋକି ପାରିବ ନାହିଁ ବୋଲି ବିବେଚିତ ହେଲା । ୨୦୧୯ ମସିହାରେ ଭାବନଗରସ୍ଥିତ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇଲେ । ମେଡିକାଲ କାଉନସିଲ୍‌କୁ ଭୁଲ ବୋଲି ପ୍ରମାଣିତ କଲେ । ୨୦୨୫ ନଭେମ୍ବର ୨୭ ତାରିଖରେ କ୍ଲାସ୍‌ ଟୁ ମେଡିକାଲ୍‌ ଅଫିସର୍ ଭାବେ ଭାବନଗରସ୍ଥିତ ସାର୍ ତଖତ୍‌ସିଂହଜୀ ଜେନେରାଲ୍‌ ହସ୍ପିଟାଲ୍‌ରେ ନିଯୁକ୍ତ ପାଇଲେ । ଯାହା ବଦଳାଇ ଦେଇଥିଲା ତାଙ୍କ ପରିଚୟ ଏମ୍‌ବିବିଏସ୍‌ ଗଣେଶ ଭାବରେ । ତାଙ୍କ ଶରୀରର ଆକାରକୁ ଦେଖି ଡାକ୍ତର ରୂପେ ଅବିଶ୍ୱାସ କରି ବସୁଥିବା ନିଜ ପ୍ରାରମ୍ଭିକ ଡାକ୍ତରୀ ଜୀବନରେ ରୋଗୀମାନଙ୍କ ସମ୍ପର୍କରେ ଯାହା ଦେଖି ସେ କୁହନ୍ତି,“ମୋତେ ପ୍ରଥମେ ଦେଖୁଥିବା କେତେକ ରୋଗୀ କଦାଚିତ୍ ଚମକି ପଡନ୍ତି । ” ତାହା ଛଡା କେବଳ ସାଧାରଣ ଡାକ୍ତର ହୋଇ ରହିବା ବଦଳରେ ଆଗକୁ ଶିଶୁରୋଗ,ଚର୍ମରୋଗ ଅଥବା ରଞ୍ଜନରଶ୍ମି ବିଭାଗରେ ସ୍ପେସାଲାଇଜ୍ କରିବାର ଉଚ୍ଚ ଆକାଂକ୍ଷା ପୋଷଣ କରନ୍ତି ଏହି ଡାକ୍ତରୀ ଡିଗ୍ରୀର ବିରଳ କୀର୍ତ୍ତି ଲଭି ସାରିଥିବା ଖର୍ବକାୟ ଗଣେଶ ।

ନବଦୀପ ସିଂହ ଶେଓରାନ୍

ନବଦୀପ ସିଂହ ଶେଓରାନ୍: ପଦକ ଯାହାର ନିଶା

ସେହିପରି ଦ୍ୱିତୀୟ ଜଣକ ହେଉଛନ୍ତି ନବଦୀପ ସିଂହ ଶେଓରାନ୍ । ଗତ ଅକ୍ଟୋବର ମାସରେ ଜାପାନର ଆଇଚି-ନାଗୋୟାଠାରେ ଅନୁଷ୍ଠିତ ହୋଇଯାଇଥିବା ୫ମ ପାରା ଏସିଆନ୍ ଗେମ୍ସରେ ଜାଭେଲିନ୍ ଥ୍ରୋ ଏଫ୍୪୧ ବର୍ଗରେ ବ୍ରୋଞ୍ଚ୍ ପଦକ ଜିତି ପୁଣି ଥରେ ନିଜର ଅସାମାନ୍ୟ କ୍ରୀଡା ନୈପୁଣ୍ୟତାକୁ ପ୍ରଦର୍ଶନ କରି ପାରିଛନ୍ତି ନବଦୀପ ସିଂହ । ଇଏ ମଧ୍ୟ ଜଣେ ପ୍ରଥାସିଦ୍ଧ ବାମନର ଭାଗ୍ୟକୁ ବଦଳାଇ ନିଜ ପାଇଁ ନିଜ ଆକାରଠାରୁ ବହୁ ଗୁଣରେ ବୃହତ ଆକାରର ପରିଚୟ ସୃଷ୍ଟି କରି ପାରିଛନ୍ତି । ଆଜି ସିଏ ଜଣେ ସଫଳ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପାରା ଆଥଲେଟ୍ ।

ସାହିପଡିଶା ପିଲାଙ୍କ ହାସ୍ୟ ବ୍ୟଙ୍ଗର ସରବ୍ୟ ପାଲଟୁଥିବାରୁ ଦିନ ଦିନ ମାସାଧିକ କାଳ ମଧ୍ୟ ଘରୁ ବାହାରକୁ ବାହାରୁ ନ ଥିଲେ ନବଦୀପ । ଏହା ପଛରେ କାରଣ ରହିଥିଲା,ତାଙ୍କର ଖର୍ବକାୟ ଶରୀର । ତାଙ୍କୁ ଦୁଇ ବର୍ଷ ବୟସ ହେବା ବେଳକୁ ସେ ଜଣା ପଡ଼ିଥିଲେ ନିଜର ବାମନ ଅବୟବ ପାଇଁ । ତାଙ୍କର ଜନ୍ମ ହରିୟାଣାର ପାନିପତ ଜିଲ୍ଲାର ବୁଆନା ଲାଖୁ ଗ୍ରାମରେ । ପିତା ଦଲବୀର ସିଂହ ଜଣେ ଜାତୀୟ ସ୍ତରର କୁସ୍ତି କ୍ରୀଡାବିତ୍ । କ୍ରୀଡା ପ୍ରତି ତାଙ୍କର ଆଗ୍ରହ ସ୍ୱଭାବତଃ ନିଜ ପରିବାରରୁ ହିଁ ସଂଜାତ ହୋଇଥିଲା । ପିତାଙ୍କ ସଦୃଶ ସିଏ ମଧ୍ୟ ଚାହିଁଥିଲେ ଜଣେ କୁସ୍ତି ଖେଳାଳି ହେବା ପାଇଁ । ମାତ୍ର ଏଥିରେ ଉପୁଜିଥିବା ଶାରୀରିକ ବାଧା ତାଙ୍କ କ୍ରୀଡାକ୍ଷେତ୍ରର ରୂପରେଖକୁ ବଦଳାଇ ଦେଇଥିଲା । ପରେ ସେ ଦୌଡ଼ ଓ ଅନ୍ୟାନ୍ୟ ଆଥଲେଟିକ୍ସରେ ଭାଗ ନେଲେ। ପରିଶେଷରେ ଜାଭେଲିନ୍ ଥ୍ରୋକୁ ନିଜର ମୁଖ୍ୟ ଖେଳ ଭାବେ ବାଛିଥିଲେ ନବଦୀପ ସୂଚନାଯୋଗ୍ୟ କି ପୂର୍ବରୁ ଅନେକ ସଫଳତା ଆଣି ଦେଇଛନ୍ତି ସେ ଦେଶ ପାଇଁ । ୨୦୧୭ ମସିହାର ଏସିଆନ ୟୁଥ ପାରା ଗେମ୍ସରେ ସ୍ଵର୍ଣ୍ଣ ପଦକ,୨୦୧୯ ରେ ଇୟୁ୨୦ ୱାର୍ଲଡ ପାରା ଆଥଲେଟିକ୍ସରେ ସ୍ଵର୍ଣ୍ଣ ପଦକ, ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ସ୍ଵର୍ଣ୍ଣ ପଦକ,ୱାର୍ଲଡ ପାରା ଆଥଲେଟିକ୍ସ ୨୦୨୪ରେ ବ୍ରୋଞ୍ଚ ପଦକ,ୱାର୍ଲଡ ପାରା ଆଥଲେଟିକ୍ସ ୨୦୨୫ରେ ରୌପ୍ୟ ପଦକ ହାସଲ କରିଛନ୍ତି ସେ ।

Leave a Reply

Your email address will not be published. Required fields are marked *

Related Posts