କିଛିଦିନ ଆଗରୁ ଅନ୍ତର୍ଜାତୀୟ ବିମାନବନ୍ଦର ଗୁଡ଼ିକରେ ହ୍ୱିଲଚେୟାର ସହାୟତାର ଅପବ୍ୟବହାରକୁ ନେଇ ଏନଡିଟିଭି ଏବଂ ଏନଡିଟିଭି ୱାର୍ଲ୍ଡର ପ୍ରସାରିତ ରିପୋର୍ଟ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା । ଭାରତ ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକ ମଧ୍ୟରେ ଚଳାଚଳ କରୁଥିବା ବିମାନର ବୋର୍ଡିଂ ଗେଟ୍ରେ ହ୍ୱିଲଚେୟାରଧାରୀ ଯାତ୍ରୀଙ୍କ ଲମ୍ବା ଧାଡ଼ିର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ବିତର୍କ ମୁଣ୍ଡ ଟେକିଥିଲା । ଉକ୍ତ ରିପୋର୍ଟ ଆଧାରରେ କେତେକ ଦୂରଗାମୀ ବିମାନରେ ପ୍ରାୟ ଏକ ତୃତୀୟାଂଶ ଯାତ୍ରୀ ହ୍ୱିଲଚେୟାର ପାଇଁ ଅନୁରୋଧ କରିଥିଲେ । ଏହାଦ୍ୱାରା ବିମାନବନ୍ଦର କର୍ମଚାରୀଙ୍କ ଉପରେ ଚାପ ବଢ଼ିବା ସହ ବିମାନ ଉଡ଼ାଣରେ ବିଳମ୍ବ ଏବଂ ପ୍ରକୃତ ଦିବ୍ୟାଙ୍ଗ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଏହି ରିପୋର୍ଟ ପ୍ରକାଶ କରିଛି ।
କେତେକ ବିଶେଷଜ୍ଞ ଏହାକୁ ଲମ୍ବା ଧାଡ଼ି, ସୁରକ୍ଷା ଯାଞ୍ଚ ଏବଂ ଇମିଗ୍ରେସନ୍ ପ୍ରକ୍ରିୟାରୁ ବର୍ତ୍ତିଯିବା ପାଇଁ ସୁସ୍ଥ ସବଳ ଯାତ୍ରୀଙ୍କ ଏକ “ସର୍ଟକଟ୍ ଉପାୟ” ବୋଲି ବିବେଚନା ମଧ୍ୟ କରିଥିଲେ । ଏକ ଉପଲବ୍ଧ ତଥ୍ୟରୁ ଜଣାପଡେ କେବଳ ଏୟାର ଇଣ୍ଡିଆରେ ମାସକୁ ପ୍ରାୟ ଏକଲକ୍ଷ ଯାତ୍ରୀ ବିମାନଯାତ୍ରାରେ ହ୍ୱିଲଚେୟାର ସହାୟତା ପାଇଁ ଆବେଦନ କରିଥାଆନ୍ତି । ଯାହା ଦିବ୍ୟାଙ୍ଗ ଯାତ୍ରୀମାନଙ୍କ ପାଇଁ ରହିଥିବା ଆକ୍ସେସାବିଲିଟି ସୁବିଧାର ଅପବ୍ୟବହାର ବୋଲି କହିହେବ । ଯାହାଫଳରେ ଭାରତର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ନୂଆ ନିୟମାବଳୀ ଜାରି କରିଛନ୍ତି । ଏହି ସଂଶୋଧିତ ନିୟମ ଅନୁଯାୟୀ, ସ୍ଥାୟୀ ଦିବ୍ୟାଙ୍ଗ କିମ୍ବା ଅସୁସ୍ଥ ଯାତ୍ରୀଙ୍କ ପାଇଁ ହ୍ୱିଲଚେୟାର ସେବା ସମ୍ପୂର୍ଣ୍ଣ ଯୋଗାଇ ଦିଆଯିବ ବୋଲି ସ୍ଥିର କରାଯାଇଛି ।
ଆକାଶ ଉଡ଼ାଣରେ ଏହିପରି ଏକ କପଟତାପୂର୍ଣ୍ଣ ହ୍ୱିଲଚେୟାର ଅପବ୍ୟବହାରର ବିଷମଚିତ୍ର ଦେଖିବାକୁ ମିଳିଥିବା ବେଳେ ଗତ ଅକ୍ଟୋବର ମାସରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ବିମାନଯାତ୍ରାରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ଅସୁବିଧାକୁ ନେଇ ଜାରି ନୋଟିସ୍ ପୁଣିଥରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ଆକାଶ ଉଡ଼ାଣ ପ୍ରସଙ୍ଗଟିକୁ ଚଳଚଞ୍ଚଳ କରିଦେଇଛି।
ଦିବ୍ୟାଙ୍ଗ ଯାତ୍ରୀମାନେ ଯେପରି ବିମାନଯାତ୍ରାର ପ୍ରତିଟି ସ୍ତର ଯଥା ବୁକିଂ, ୱେବ୍ ଚେକ୍-ଇନ୍, ବିମାନବନ୍ଦରରେ ପ୍ରବେଶ, ସୁରକ୍ଷା ଯାଞ୍ଚ, ଡିଜି ଯାତ୍ରା ପ୍ରକ୍ରିୟା, ଇମିଗ୍ରେସନ୍, ବୋର୍ଡିଂ ଏବଂ ବିମାନ ଭିତର ସେବାରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ସୁବିଧା ନଥିବା ଦର୍ଶାଇ ଦାୟର ହୋଇଥିବା ଏହି ଆବେଦନରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ବିମାନ ଚଳାଚଳ ବଜାର ମଧ୍ୟରୁ ଅନ୍ୟତମ ହୋଇଥିଲେ ମଧ୍ୟ ଲକ୍ଷ ଲକ୍ଷ ଦିବ୍ୟାଙ୍ଗ ଯାତ୍ରୀ କାହିଁକି ଅପମାନ, ବାଧା, ଭଙ୍ଗା ଉପକରଣ ଏବଂ ଡିଜିଟାଲ୍ ବୈଷମ୍ୟର ଶିକାର ହେଉଛନ୍ତି ?
ମୁମ୍ବାଇର କମ୍ପାନୀ ସେକ୍ରେଟାରୀ ତଥା ଆଇନଜୀବୀ ତୁରବ ଚିମଥାନାୱାଲା (ଯିଏ ‘ଲେବର୍ସ କନଜେନିଟାଲ୍ ଆମାଉରୋସିସ୍’ ନାମକ ଦୃଷ୍ଟିବାଧିତ ରୋଗରେ ପୀଡ଼ିତ) ଦାୟର କରିଥିବା ଏହି ଆବେଦନ ଉପରେ କୋର୍ଟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଡିଜିସିଏ , ଭାରତୀୟ ବିମାନବନ୍ଦର ପ୍ରାଧିକରଣ , ସିଆଇଏସଏଫ୍ ଏବଂ ଡିଜି ଯାତ୍ରା ଫାଉଣ୍ଡେସନକୁ ଆନୁଷ୍ଠାନିକ ନୋଟିସ୍ ଜାରି କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶା ଯାଇଛି ବର୍ତ୍ତମାନ ଭାରତ ଯେ ବିଶ୍ୱର ତୃତୀୟ ବୃହତ୍ତମ ବିମାନ ଚଳାଚଳ ବଜାର ଅଟେ, ଯେଉଁଠାରେ ବାର୍ଷିକ ୩୫ କୋଟିରୁ ଅଧିକ ଯାତ୍ରୀ ଯାତାୟାତ କରନ୍ତି । ୨୦୧୧ ଜନଗଣନା ଅନୁଯାୟୀ ୨.୨୧% ଦିବ୍ୟାଙ୍ଗ ହାରକୁ ହିସାବକୁ ନେଲେ ମଧ୍ୟ ବାର୍ଷିକ ୭୦ ଲକ୍ଷରୁ ଅଧିକ ଦିବ୍ୟାଙ୍ଗ ବିମାନଯାତ୍ରୀ ପ୍ରଭାବିତ ହେଉଛନ୍ତି । ନିକଟରେ ଫ୍ରାଙ୍କ୍ଫର୍ଟରୁ ଆସୁଥିବା ଜଣେ ହ୍ୱିଲ୍ଚେୟାର ବ୍ୟବହାରକାରୀ ଯାତ୍ରୀଙ୍କୁ ଦିଲ୍ଲୀ ବିମାନବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯାଇଥିବା ଖବରକୁ ମଧ୍ୟ ଏହି ଆବେଦନରେ ଉଲ୍ଲେଖ କରାଯାଇଛି ।
ଦର୍ଶାଯାଇଥିବା ପ୍ରମୁଖ ସମସ୍ୟାଗୁଡ଼ିକ ମଧ୍ୟରେ –
୧ – ଦୃଷ୍ଟିବାଧିତ ବିମାନଯାତ୍ରୀ ସିଡି ବ୍ୟବହାର କରି ପାରୁଥିଲେ ମଧ୍ୟ ସେମାନଙ୍କୁ ହ୍ଵିଲ୍ଚେୟାର ବାଧ୍ୟତାମୂଳକ କରାଯାଇଛି ।
୨ – ବ୍ୟାଟେରୀ ଚାଳିତ ହ୍ଵିଲ୍ଚେୟାର ବ୍ୟବହାର କରୁଥିବା ଦିବ୍ୟାଙ୍ଗଙ୍କ ଏହି ଗୁରୁତ୍ୱପର୍ଣ୍ଣ ସହାୟକ ଉପକରଣ ଗ୍ରାଉଣ୍ଡ ଷ୍ଟାଫ୍ଙ୍କ ଅବହେଳା ଯୋଗୁଁ ନଷ୍ଟ ହେଉଛି ।
୩ – ବିମାନ ଭିତରେ ଦୃଷ୍ଟିବାଧିତ ବିମାନଯାତ୍ରୀ ମାନଙ୍କ ପାଇଁ ଅନୁକୂଳ ସୂଚନା ଓ ଯୋଗାଯୋଗ ସେଟିଂର ଅଭାବ । ସାଇଲେଣ୍ଟ ଏୟାରପୋର୍ଟ’ ବା ନୀରବ ବିମାନ ବନ୍ଦର ଗୁଡ଼ିକରେ ରିଅଲ୍ – ଟାଇମ୍ ଅଡିଓ ସୂଚନା, ଭିଜୁଆଲ୍ ଆଲର୍ଟ କିମ୍ବା ହ୍ୱାଟସଆପ୍ ଅପଡେଟ୍ ଭଳି ବିକଳ୍ପ ବ୍ୟବସ୍ଥା ନାହିଁ ।
୪ – ଡିଜିଟାଲ୍ ଅସୁବିଧା: ଏୟାରଲାଇନ୍ସର ମୋବାଇଲ୍ ଆପ୍ ଏବଂ ବୁକିଂ ୱେବସାଇଟ୍ ଗୁଡ଼ିକ ସ୍କ୍ରିନ୍ ରିଡରକୁ ସପୋର୍ଟ କରେ ନାହିଁ । ଚେକ୍-ଇନ୍ ସମୟରେ ଦିବ୍ୟାଙ୍ଗ ସହାୟତା ମାଗିବା ପାଇଁ କୌଣସି ବାଧ୍ୟତାମୂଳକ ବିକଳ୍ପ ନଥାଏ ଏବଂ ପେମେଣ୍ଟ ଗେଟୱେ ମଧ୍ୟ ସହଜ ନୁହେଁ ।
୫ – ଅଭିଯୋଗ ବ୍ୟବସ୍ଥାର ଅଭାବ: ଦିବ୍ୟାଙ୍ଗ ଯାତ୍ରୀଙ୍କ ସମସ୍ୟା ଜଣାଇବା ପାଇଁ ଏୟାରଲାଇନ୍ସଗୁଡ଼ିକର କୌଣସି ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ ନାହିଁ । ଉକ୍ତ ଆବେଦନରେ ଯେଉଁ ପ୍ରମୁଖ ଦିଗଟିକୁ ସୂଚିତ କରାଯାଇଛି ତାହା ହେଉଛି ସୁଗମତା ବା Accesability । ଏହା କେବଳ ଏକ ଆଇନଗତ ଅଧିକାର ନୁହେଁ ବରଂ ସମାନତା, ସମ୍ମାନ ଏବଂ ସ୍ୱାଧୀନ ଭାବେ ଯାତାୟାତ କରିବାର ମୌଳିକ ଅଧିକାରର ଏକ ଅଂଶ ଅଟେ ବୋଲି ଉଲ୍ଳେଖ କରାଯାଇଛି ।
ଅତଏବ ଆକାଶ ଉଡ଼ାଣର ଏହି ଦୁଇ ବିରୋଧାଭାସିତ ଚିତ୍ର ଏକସମୟରେ Accessability ବା ସୁଗମତା ସୁଯୋଗର ଅପବ୍ୟବହାରକୁ ଚିତ୍ରଣ କରୁଥିବାବେଳେ ଆରପଟେ ଏହି ଆବଶ୍ୟକ ସୁଗମତାରୁ ଉପେକ୍ଷିତ ପ୍ରକୃତ ଦିବ୍ୟାଙ୍ଗ ଯାତ୍ରୀମାନଙ୍କ ଆକାଶ ଉଡ଼ାଣର ଶୋଚନୀୟ ବାସ୍ତବ ସ୍ଥିତିକୁ ଦର୍ଶାଉଛି ।


