® ISSN : 3107-4979 | A Bilingual (Odia & English) Bimonthly Special Newspaper Covering News and Views on Disabilities | ® RNI Regd. No. ODIBIL/2016/67738

ପ୍ରତିଦିନ ବିଭିନ୍ନ ସମ୍ବାଦପତ୍ରରେ ବିଭିନ୍ନ ପ୍ରକାର ସମ୍ବାଦ ପ୍ରକାଶ ପାଇଥାଏ । କିଛି ପାଠକମାନେ ମୁଖ୍ୟତଃ ପ୍ରାୟ ସମ୍ବାଦପତ୍ରର ହେଡ୍ ଲାଇନ୍‌କୁ ଦେଖନ୍ତି ଏବଂ କିଛି ସିରିୟସ୍ ପାଠକମାନେ ନିଜ ରୁଚି ଅନୁଯାୟୀ କେତେକ ଖବର ଓ ସ୍ତମ୍ଭଲେଖ ପଢନ୍ତି । ଆଉ କିଛି ଥାଆନ୍ତି ଅବସର ସମୟରେ ସକାଳର ପଢିସାରିଥିବା ସମ୍ବାଦକୁ ପୁନର୍ବାର ପଢନ୍ତି । ତହିଁ ମଧ୍ୟରେ ଥାଏ ସେହି ଦିନର କୌଣସି ହୃଦୟସ୍ପର୍ଶୀ ବା ଚିତ୍ତଆଲୋଡନକାରୀ ସମ୍ବାଦ ବା ସତକାହାଣୀଟି । ଯାହା ତାଙ୍କ ପାଇଁ ସେଦିନ ଖବରକାଗଜର ଭଲ ଓ ମୁଖ୍ୟ ବିଷୟବସ୍ତୁ ମନେ ହୋଇଥାଏ

ଏହିଭଳି ଗୋଟିଏ ସମ୍ବାଦ କିଛିଦିନ ତଳେ ଗୋଟିଏ ପ୍ରତିଷ୍ଠିତ ଦୈନିକ ଖବର କାଗଜର ରବିବାର ସ୍ତମ୍ଭରେ ପ୍ରକାଶ ପାଇଥିଲା । ଯେଉଁ ଲେଖାଟି ପଢ଼ି ଆଜିର ଦିନରେ ସମାଜସେବୀ ବୋଲି ନିଜକୁ ପରିଚୟ ଦେଉଥିବା ବ୍ୟକ୍ତିବିଶେଷମାନେ ନିଜକୁ ନ୍ୟୁନ ମନେ କରି ବସିବେ । ତୁଳନାତ୍ମକ ଭାବେ ସେମାନେ ଏହିଭଳି ବ୍ୟକ୍ତିତ୍ୱଙ୍କ ନିକଟରେ ଯେ କେତେ ନଗଣ୍ୟ ଅଟନ୍ତି ତାହା ନିଜେ ଅନୁଭବ କରିପାରିବେ ।

ଏହି ବାସ୍ତବ କାହାଣୀଟି ଏହିପରି । କେରଳର ଥିରୁଅନନ୍ତପୁରମର ଏକ ସାଧାରଣ ପରିବାରର ଝିଅ ଶୀଜା । ସ୍ନାତକ ପଢିବା ସମୟରେ ତାଙ୍କର ବିବାହ ହେଲା, କିନ୍ତୁ ଉଭୟ ପକ୍ଷଙ୍କ ସହମତି ଓ ବୁଝାମଣାରେ ଶୀଜା ପାଠପଢା ଚାଲୁରଖିବେ ବୋଲି ସ୍ଥିର ହେଇଥିଲା । ପରବର୍ତ୍ତୀ ଅବସ୍ଥାରେ ସେ ବି.ଇଡି. ମଧ୍ଯ କଲେ । କିନ୍ତୁ ପାଠ୍ୟପୁସ୍ତକ ଅପେକ୍ଷା ଶୀଜା ଅଧିକ ଆକୃଷ୍ଟ ଥିଲେ କ୍ରୀଡା ଓ ବିବିଧ ସାମାଜିକ କାର୍ଯ୍ୟଧାରା ପ୍ରତି । ଏସବୁ ପ୍ରତି ତାଙ୍କ ମଧ୍ୟରେ ଥାଏ ଅଦ୍ୟମ ଉତ୍ସାହ ।

କିନ୍ତୁ ବିବାହପରେ ନାରୀଟିଏ ମାତୃତ୍ୱ ଲାଭ ପାଇଁ ସବୁବେଳେ ଆଗ୍ରହୀ ଥାଏ । ତାହା ମଧ୍ୟ ସାକାର ହେଲା ୨୦୧୦ ମସିହା ମାର୍ଚ୍ଚ ମାସ ୨୫ ତାରିଖ ଦିନ । ବିବାହ ପରେ କେରଳର ଥିରୁଅନନ୍ତପୁରମ୍ ସ୍ଥିତ ଏକ ଡାକ୍ତରଖାନାରେ ଶୀଜା ଜନ୍ମ ଦେଲେ ଏକ କନ୍ୟା ସନ୍ତାନ । ଆଉ ସେହି ନିଷ୍କପଟ ଝିଅଟିର ଶୀଜା ନାଁ ରଖିଥିଲେ ସୈଣ୍ଡା । କିନ୍ତୁ ମାତୃତ୍ୱ ଲଭିବାର ଆନନ୍ଦ ଶୀଜା ପାଇଁ ଥିଲା କ୍ଷଣସ୍ଥାୟୀ । କିଛି ସମୟ ପରେ ଡାକ୍ତରମାନେ କହିଲେ ସୈଣ୍ଡା ଏକ ମାରାତ୍ମକ ରୋଗରେ ମାତୃଗର୍ଭରୁ ପୀଡିତ । ଆଉ ରୋଗଟିର ନାଁ ମାଇକ୍ରୋସେଫଲି । ଏହି ବିରଳ ବ୍ୟାଧ ଯୋଗୁଁ ମସ୍ତିଷ୍କ ଯଥେଷ୍ଟ ବିକଶିତ ହୋଇପାରେ ନାହିଁ । ଆଉ ଏହି ମାଇକ୍ରୋସେଫଲି ବ୍ୟାଧିର ପୀଡିତ ପିଲାମାନେ ସାଧାରଣତଃ ବଞ୍ଚନ୍ତି ନାହିଁ ।

ଡାକ୍ତରଙ୍କ କଥା ଶୁଣି ଶୀଜା ଅନୁଭବ କରୁଥିଲେ ସତେ ଯେମିତି ଏକ ବିସ୍ତୃତ ମରୁଭୂମିର ମଧ୍ୟ ଭାଗରେ ସେ ସୈଣ୍ଡା ସହ ଉପନୀତ । ସୈଣ୍ଡା ଯଦି ବଞ୍ଚିବନି ତେବେ ସେ ମଧ୍ୟ ବଞ୍ଚିପାରିବେ ନାହିଁ । କିନ୍ତୁ ସେହି ପରି ନକରାତ୍ମକ ଭାବାବେଗରେ ଭାସି ନ ଯାଇ ସେ ଦୃଢ ନିଷ୍ପତ୍ତି ନେଲେ – ନା, ସୈଣ୍ଡାକୁ ବଂଚେଇ ରଖୁବା ପାଇଁ ପ୍ରଥମେ ମୋତେ ବଂଚିବା ପାଇଁ ପଡିବ ।

ଏହା ପରଠୁ ଝିଅକୁ ବଞ୍ଚେଇବେ ରଖିବା ପାଇଁ ଆରମ୍ଭ ହେଲା ଶୀଜାଙ୍କ ସଂଗ୍ରାମ। ତାଙ୍କର ଦିନ ସବୁ କଟୁଥିଲା ହିସ୍‌ପିଟାଲ କରିଡର ଓ ଆଇସିୟୁରେ । ସୈଣ୍ଡାକୁ ଥରକୁ ଥର ବାତ ମାରୁଥିଲା । ଏମିତିକି ଦିନକୁ ପ୍ରାୟ ୨୦ଥର ବାତ ମାରେ । ସୈଣ୍ଡାର ଚିକିତ୍ସା ପାଇଁ ଔଷଧପତ୍ର ଥିଲା ବିକଳ୍ପହୀନ ଓ ବ୍ୟୟବହୁଳ । ଏବଂ ସେହି ନବଜାତ ପ୍ରତ୍ୟେକ ମୁହୂର୍ତ୍ତରେ ଲୋଡୁଥୁଲା ତତ୍ୱାବଧାନ ।

ଦୁଃଖ ଯେତେବେଳେ ଆସେ ସେ ତା’ର ଜ୍ଞାତି କୁଟୁମ୍ବକୁ ଧରି ଆସେ । ତାହା ହିଁ ଘଟିଲା ଶୀଜାର ଭାଗ୍ୟରେ । ସୈଣ୍ଡାର ତତ୍ତ୍ୱବଧାନ ନିମନ୍ତେ ତାଙ୍କୁ ସବୁବେଳେ ହସ୍‌ପିଟାଲରେ ରହିବାକୁ ପଡ଼ୁଥାଏ । ଏହା ମାସେ କି ବର୍ଷକର କଥା ନୁହେଁ । କିଛି ମାସକାଳ, ଶୀଜା ଓ ତାଙ୍କର ସେଇ ନିଷ୍ପାପ ଝିଅଟି ଜୀବନ ବଞ୍ଚାଇବା ପାଇଁ ହସ୍ପିଟାଲ୍ ପାଲଟି ଯାଇଥିଲା ତାଙ୍କ ଘର । ଫଳରେ ଶୀଜାଙ୍କର ଶାଶୁଘରେ ଅଶାନ୍ତି ଲାଗିରହିଲା । ସୈଣ୍ଡାର ମେଡିକାଲ୍ ବିଲ୍ ବଢି ବଢି ଚାଲିବା ସହ ତା ପ୍ରତି ଯତ୍ନଶୀଳ ହେବା ପୂର୍ଣ୍ଣକାଳୀନ ଦାୟିତ୍ୱ ପାଲଟିଗଲା ଶୀଜା ପାଇଁ I ଯାହା ଫଳରେ ତାଙ୍କର ବିବାହ ବିଚ୍ଛେଦ ମଧ୍ୟ ଘଟିଲା । ମାତ୍ର ଏଥିରେ ଶୀଜା ବିଚଳିତ ନ ହୋଇ ନିଜର ଜନ୍ମିତ ଦିବ୍ୟାଙ୍ଗ କନ୍ୟା ସନ୍ତାନ ପାଇଁ ଜାରି ରଖିଥାଏ ମମତ୍ଵ ଓ ମାତ୍ତୃସୁଲଭ କର୍ତ୍ତବ୍ୟ । ଅବାରିତ ସ୍ନେହ ଓ ଯତ୍ନ। ସେଥିପାଇଁ ସେ ଅର୍ଥ ରୋଜଗାର ନିମନ୍ତେ ଟେଲରିଂକୁ ମାଧ୍ୟମ ରୂପେ ବାଛିନେଲା। ଏ ସବୁ ଜଞ୍ଜାଳ ସହ ଶୀଜା ଶିକ୍ଷକତା ତାଲିମ୍ ଶେଷ କରିଥିଲା ସତ ମାତ୍ର ତା ଭାଗ୍ୟରେ ଚାକିରି ଉପଲବ୍ଧ ହୋଇ ନ ଥିଲା ।

ଏହିଭଳି ମାସେ ନୁହେଁ କି ବର୍ଷେ ନୁହେଁ, ଏହିପରି ଶୀଜାଙ୍କର ଦୀର୍ଘ ୧୬ ବର୍ଷ ଧରି ଚାଲିଥିଲା ସଂଘର୍ଷମୟ ଜୀବନ । କିନ୍ତୁ ତାଙ୍କର ଏହି ଅନୁଭୂତି ଅନ୍ୟ ଦିବ୍ୟାଙ୍ଗ ସନ୍ତାନ ମାତାମାନଙ୍କ କଷ୍ଟକର ଜୀବନର ଉପଲବ୍ଧି ଆଣି ଦେଇଥିଲା। ଶାରୀରିକ ଅକ୍ଷମତା ଥିବା ପିଲାମାନଙ୍କର ମାଆମାନେ ଏକୁଟିଆ ପିଲାମାନଙ୍କର ଯତ୍ନ ନିଅନ୍ତି । ସ୍ଵାମୀ କିମ୍ବା ପରିବାର ଖୁବ୍ ଲୋକଙ୍କ ସହାୟତା ମିଳିଥାଏ । ସେମାନେ ଧୀରେ ଧୀରେ ହସ୍ପିଟାଲକୁ ଆସିବା ବନ୍ଦ କରିଦିଅନ୍ତି । ଏମିତି କେତେକ ସ୍ତ୍ରୀ ଲୋକମାନଙ୍କର ସ୍ଵାମୀମାନେ ଛାଡି ଚାଲିଯାଇଛନ୍ତି । ତେଣୁ ଶୀଜା ନିଷ୍ପତ୍ତି ନେଲା, ଏହିଭଳି ଶାରିରୀକ, ମାନସିକ ଓ ଆର୍ଥିକ ଯନ୍ତ୍ରଣା ଭୋଗୁଥିବା ମହିଳାମାନଙ୍କ ପାଇଁ ଏକ ଟ୍ରଷ୍ଟ ଗଠନ କରିବେ। ଯାହାର ନାମ ରଖିଲେ “ସ୍ନେହାସାଣ୍ଡ୍ରମ୍ ଚାରିଟେବୁଲ ଟ୍ରଷ୍ଟ” । ୨୦୨୧ ମସିହା ଅଗଷ୍ଟ ମାସରେ ସେ ଏହି ଟ୍ରଷ୍ଟ ପଞ୍ଜିକୃତ କରାଇ କେବଳ ଭିନ୍ନକ୍ଷମ ଶିଶୁମାନଙ୍କ ଜନ୍ମଦାତ୍ରୀଙ୍କ ନିମନ୍ତେ ଏହାର ସଦସ୍ୟତା ଉନ୍ମୁକ୍ତ କଲେ ।

ସ୍ଵାବଲମ୍ବୀ ହେବା ନିମନ୍ତେ ଭିନ୍ନକ୍ଷମ ସନ୍ତାନ ସନ୍ତତିଙ୍କ ମାଆମାନଙ୍କୁ ଟ୍ରଷ୍ଟ ସିଲାଇ ମେସିନ୍ ଯୋଗାଇ ଦେଲେ ଏବଂ ଟେଲରିଂ ତାଲିମ୍ ମଧ୍ଯ ଦିଆଗଲା । ତା’ ଛଡ଼ା ଛେଳି ଓ କୁକୁଡା ପାଳନ ଭଳି କାର୍ଯ୍ୟ ମଧ୍ୟ ଯୋଗାଇ ଦିଆଗଲା । ଏହାର ଉଦ୍ଦେଶ୍ୟ ଥିଲା ଅନ୍ୟ ଉପରେ ନିର୍ଭରଶୀଳ ନ ହୋଇ ନିଜେ ସ୍ୱାବାଲମ୍ବୀ ହେବା ସ‌ହିତ ନିଜର ଭିନ୍ନକ୍ଷମ ପିଲାମାନଙ୍କର ସ୍ୱଅର୍ଜିତ ଅର୍ଥରାଶିରେ ଭଲ ଚିକିତ୍ସା ମଧ୍ୟ କରାଇବା । ଏହି ଟ୍ରଷ୍ଟ ଯୋଗୁ ଅନେକଙ୍କର ଜୀବନ ମଧ୍ୟ ବଦଳିଗଲା । ଏବେ ଟ୍ରଷ୍ଟର ସଦସ୍ୟ ସଂଖ୍ୟା ପ୍ରାୟ ୨ଶହରୁ ଅଧିକ । ପାପାନମ୍‌କୋଡ ଠାରେ ଏହି ଟ୍ରଷ୍ଟର ଗୋଟିଏ ଛୋଟ ଅଫିସ୍ ଅଛି । କିନ୍ତୁ ସ୍ନେହାସାଣ୍ଡ୍ରମ୍ ଚାରିଟେବୁଲ ଟ୍ରଷ୍ଟର ଅଧ‌ିକାଂଶ କାର୍ଯ୍ୟ ସାଧନ ହୁଏ ଘରେ । ଇନ୍‌ଫର୍ମାଲ ସପୋର୍ଟ ନେଟ୍‌ଓ୍ୱାର୍କ ମାଧ୍ୟମରେ ।

ଶୀଜା କୁହନ୍ତି, “ଆମେ ହେଉଛୁ ଜୀବନ ପରୀକ୍ଷାରେ ବିଫଳ ହୋଇଥିବା ଜଣେ ଜଣେ ମାଆ । କିନ୍ତୁ ଆମେ ହାରିଯାଇନୁ । କୌଣସିମତେ ଜଣେ ଅନ୍ୟଜଣଙ୍କୁ ସାହାଯ୍ୟ କରି ଆଗେଇ ଚାଲିଛୁ । ନଗଣ୍ୟ ହେଲେ ବି ଏ ସଫଳତା ଆମର କ୍ଷୁଦ୍ର ବିଜୟ।”

 

ବଂଶୀଧର ମହାନ୍ତି

ସ୍ତମ୍ଭକାର ଓ ସମାଜିକକର୍ମୀ
ସମ୍ପର୍କ – ୮୨୪୯୦୧୦୦୮୫

Leave a Reply

Your email address will not be published. Required fields are marked *