ଶାରୀରିକ ବିକଳାଙ୍ଗ (Physical Handicapped), ଶାରୀରିକ ଅକ୍ଷମ (Physically Disabled) ଓ ଭିନ୍ନକ୍ଷମ (Differently Abled); ଏହି ତିନିଗୋଟି ଶବ୍ଦ ସ୍ଥୂଳତଃ ମଣିଷର ଗୋଟିଏ ଅବସ୍ଥାକୁ ବୁଝାଏ ବୋଳି ସାଧାରଣ ଲୋକେ ଗ୍ରହଣ କରିଥାନ୍ତି । ବାସ୍ତବରେ ଶବ୍ଦଗୁଡ଼ିକ ମଣିଷର ଭିନ୍ନ ଭିନ୍ନ ଅବସ୍ଥାକୁ ପ୍ରକାଶ କରିଥାନ୍ତି । ବ୍ୟକ୍ତିର ଆଙ୍ଗିକ ବା ଶାରୀରିକ ଅପୂର୍ଣ୍ଣତା ମୁଖ୍ୟତଃ ଦୁଇଟି କାରଣରୁ ଆମ ମନରେ ବ୍ୟକ୍ତିର ନିର୍ଦ୍ଧିଷ୍ଟ ଚିତ୍ର ଆଙ୍କିଥାଏ । ପ୍ରଥମଟି ଶାରୀରିକ ବା ଆଙ୍ଗିକ ଅଭାବ ଯାହାକୁ ଦେଖି ଆମେ ଗୁରୁତ୍ୱ ଦେଇଥାଉ ଏବଂ ସେହି ଅନୁସାରେ ଚିତ୍ର ଆଙ୍କି ନାମ ଦେଉ । ଅନ୍ୟଟି ମନର ସ୍ଥିତି ଯାହା ଏକ ନିର୍ଦ୍ଧିଷ୍ଟ ନକାରାତ୍ମକ ମନସ୍ତାତ୍ତ୍ୱିକ ଭାବ ଦ୍ୱାରା ନିୟନ୍ତ୍ରିତ ହୁଏ । ସେହି ଭାବ ଆଧାରିତ ଚିତ୍ରଟିକୁ ସବୁଦିନ ପାଇଁ ମନ ଭିତରେ ସ୍ଥାନିତ କରି ନାମକରଣ କରୁ । କିନ୍ତୁ ଆମେ ଭୁଲିଯାଉ ଯେ ଭିନ୍ନକ୍ଷମ ଶବ୍ଦ ମାଧ୍ୟମରେ ବ୍ୟକ୍ତି ଏକ ସୁନ୍ଦର ଓ ସକ୍ଷମ ରୂପେ ଗ୍ରହଣ କରିପାରେ । ଫଳରେ ଏକାଧିକ ବିଶେଷ ଦକ୍ଷତା ବା ଯୋଗ୍ୟତା ଦ୍ୱାରା ବ୍ୟକ୍ତି ଅନ୍ୟ ପ୍ରକାରେ ସକ୍ଷମ ହୋଇପାରେ ।
ଉଦାହରଣତଃ ଜଣେ ଦୃଷ୍ଟିବାଧିତ ବ୍ୟକ୍ତିର ଦର୍ଶନେନ୍ଦି୍ରୟ ସମ୍ପୂର୍ଣ୍ଣ ଅକ୍ଷମ ହୋଇଥାଏ ସିନା ତାଙ୍କର ସ୍ପର୍ଶେନ୍ଦ୍ରିୟ (ଛୁଇଁକରି ଜାଣିବା) ଓ ଶ୍ରବଣେନ୍ଦ୍ରିୟ (ଶବ୍ଦ ବା ସ୍ୱର ଶୁଣି ଚିହ୍ନିବା) ଶକ୍ତି ଅନେକ ଗୁଣରେ ସକ୍ରିୟ ଅଟେ । ସତେ ଯେମିତି ସେଇ ଇନ୍ଦ୍ରିୟ ଦୁଇଟି ଦିବ୍ୟଶକ୍ତି ସମ୍ପନ୍ନ ହୋଇ ବ୍ୟକ୍ତି ଜଣକୁ ଦିବ୍ୟାଙ୍ଗ କରି ଦେଇଛନ୍ତି ।
ସେହିପରି ସ୍ନାୟୁଗତ ବିକାଶ ବାଧିତ (Autism) ବ୍ୟକ୍ତିମାନେ ସାମାଜିକ ଭାବବିନିମୟ, ଯୋଗାଯୋଗ ଓ ବ୍ୟାବହାରିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଯେଉଁମାନେ ମାନସିକ ସ୍ତରରେ ଅନଗ୍ରସର ବା ଅକ୍ଷମ (Mentally Retarded or Disabled) ସେମାନଙ୍କର ମାନସିକ ସ୍ଥିତି ବା ଅବସ୍ଥା ବ୍ୟକ୍ତିର ଦକ୍ଷତାକୁ ସୀମିତ କରିଥିବା ହେତୁ ଜୀବନଚର୍ଯ୍ୟାର ପରିଚାଳନାଗତ ସମସ୍ୟାଦ୍ୱାରା ପୀଡ଼ିତ ହୁଅନ୍ତି । ବିଶେଷ କରି ବୌଦ୍ଧିକ ସମସ୍ୟାର ସମାଧାନ କରିପାରନ୍ତି ନାହିଁ । ସ୍ନାୟୁଗତ ବିକାଶ ବାଧା (Autism) ଏବଂ ମାନସିକ ଅନଗ୍ରସରତା (Mentally Disabled / Retarded) – ଏହି ଦୁଇ ପ୍ରକାରର ମଣିଷମାନଙ୍କୁ ଚିକିତ୍ସାବିଜ୍ଞାନୀମାନେ ସମ୍ପ୍ରତି ବୌଦ୍ଧିକ ଅକ୍ଷମତା (Intellectual Disability) ପର୍ଯ୍ୟାୟଭୁକ୍ତ କରିଛନ୍ତି । ଏହା ଏକପ୍ରକାର ସ୍ନାୟବିକ ବିକାଶ ଅବସ୍ଥା (Neurodevelopmental Condition) ଯାହାଫଳରେ ବ୍ୟକ୍ତିର ବୌଦ୍ଧିକ କାର୍ଯ୍ୟକାରିତା (Intellectual Funcioning) ସୀମିତ ବା ଅଚଳ ହୋଇଥାଏ ।
ଏହି ସମସ୍ତ ସମସ୍ୟାଗତ ପରିସ୍ଥିତି ମଧ୍ୟରେ ବଞ୍ଚୁଥିବା ମଣିଷମାନଙ୍କୁ ଈଶ୍ୱର ସୃଷ୍ଟି କରିଛନ୍ତି ଏବଂ ସେଥିପାଇଁ ସେ ଦାୟୀ । ମାତ୍ର ସେହି ବିଶେଷ ମଣିଷମାନଙ୍କୁ ଜୀବନର ମୁଖ୍ୟସ୍ରୋତରେ ସମ୍ମାନର ସହ ବେଞ୍ଚଇବା ନିମିତ୍ତ ସାମାଜିକ, ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତି ହିଁ ଉତ୍ତରଦାୟୀ । ଏହି ସତ୍ୟଟିକୁ ଅଣଦେଖା କରାଯାଇପାରିବ ନାହିଁ । ଏକଥା ସର୍ବଦା ସ୍ୱୀକାର୍ଯ୍ୟ ଯେ ସ୍ୱତନ୍ତ୍ର ମଣିଷମାନଙ୍କୁ ସ୍ୱତନ୍ତ୍ର ଜୀବନଶୈଳୀରେ ଜୀଇବାକୁ ସ୍ୱତନ୍ତ୍ର ଶିକ୍ଷାବ୍ୟବସ୍ଥା ମାଧ୍ୟମରେ ପ୍ରସ୍ତୁତ କରିବାକୁ ପଡ଼ିବ ଏବଂ ପରିବାର ହେବ ଆଦ୍ୟ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ।
ପ୍ରଥମତଃ ପିତାମାତା/ ଅଭିଭାବକମାନେ ଭିନ୍ନକ୍ଷମ ଶିଶୁମାନଙ୍କୁ ଲକ୍ଷଣ ଅନୁସାରେ ଚିହ୍ନଟ କରି ସେମାନଙ୍କ ଠାରେ ଥିବା ଦକ୍ଷତାକୁ ଉତ୍ସାହିତ କରିବା ଆବଶ୍ୟକ । ଶିଶୁମାନଙ୍କ ଠାରେ ଅକ୍ଷମତା ପ୍ରତି ସଚେତନ ରହି ସେଥିପ୍ରତି ସେମାନଙ୍କ ଦୃଷ୍ଟି ଆକର୍ଷଣ କରିବା ଉଚିତ୍ ନୁହେଁ । କେତେକ ମୌଳିକ ଶିକ୍ଷା ପ୍ରଦାନ କରିବା ପିତାମାତାଙ୍କ ପକ୍ଷେ ସହଜ ଓ ସମ୍ଭବ । କାରଣ ଅନ୍ୟ କୌଣସି ବ୍ୟକ୍ତିଠାରୁ ତାହା ଗ୍ରହଣ କରିବା ଶିଶୁ ପକ୍ଷେ ସହଜରେ ଗ୍ରହଣୀୟ ହୋଇ ନ ଥାଏ । ବାକ୍ ଶକ୍ତିହୀନ ଶିଶୁ ନିମନ୍ତେ ଓଠଚାଳନା (Lip Movement), ହାତ ଦ୍ୱାରା ସେଙ୍କତ ପ୍ରଦାନ (Sign), ଆଖିର ଇସାରା ଇତ୍ୟାଦି ସହଜରେ ଶିଶୁପାଇଁ ଶିକ୍ଷଣୀୟ ହୁଏ । ଚକ୍ଷୁହୀନଙ୍କ ନିମନ୍ତେ ଧ୍ୱନି ସଂକେତ ଦ୍ୱାରା ଅନୁସରଣ କରି ଚାଲିବା ଶିକ୍ଷା ଦିଆଯାଇପାରିବ । ବିଶେଷ କରି ବୌଦ୍ଧିକ ଅକ୍ଷମ (Intellectually Disable) ଶିଶୁମାନଙ୍କ ନିମନ୍ତେ ମାଆମାନେ ହିଁ ସର୍ବୋକ୍ରୃଷ୍ଟ ଶିକ୍ଷାଦାତ୍ରୀ ଅଟନ୍ତି । ନିର୍ଦ୍ଧିଷ୍ଟ ସେଙ୍କତ ଦ୍ୱାରା ଶିଶୁ ମାଆଙ୍କୁ ସହଜରେ ଅନୁକରଣ କରିଥାଏ ।
ଶିଶୁ ଅଙ୍ଗଚାଳନା ଶିକ୍ଷା କରିପାରେ । ଶବ୍ଦ ଉଚ୍ଚାରଣ ବେଳେ ମୁଖର ଆକୃତିକୁ ଅନୁକରଣ କରିବା ସହଜ ହୁଏ । ବୈଦୁ୍ୟତିକ ଜ୍ଞାନକୌଶଳ ଦ୍ୱାରା Digital Lip Sync ଏବଂ Animation ଦ୍ୱାରା ଓଠ ଚାଳନା କରି ଶବ୍ଦ/ ଧ୍ୱନି ସୃଷ୍ଟି ଶିକ୍ଷା ଦିଆଯାଇପାରୁଛି । ଏପରି ସ୍ଥଳେ ସରକାରୀ ଅନୁଷ୍ଠାନ ଓ ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ପୃକ୍ତ ପିତାମାତାଙ୍କୁ ମାର୍ଗଦର୍ଶନ କରିପାରୁଛନ୍ତି । ପରିବାର, ଗ୍ରାମ ଓ ସମାଜରେ ଚଳିବାପାଇଁ ଶିଶୁ ମନରେ ଆତ୍ମପ୍ରତ୍ୟୟ ହିଁ ପିତାମାତା / ଅଭିଭାବକ ସୃଷ୍ଟି କରିପାରିବେ । ଶିଶୁ ମନରେ ‘I can do’ ଭାବ ସୃଷ୍ଟି ହୋଇପାରିଲେ ପ୍ରଥମ ପାହାଚ ଅତିକ୍ରମ କରିବା ସମ୍ଭବ ହେବ । କେତେକ ସ୍ଥଳେ ଶିଶୁମାନଙ୍କୁ ମଧ୍ୟ ନିର୍ଦ୍ଧାରିତ ସମୟ ନିମନ୍ତେ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ/ ଅନୁଷ୍ଠାନରେ ପ୍ରାରମ୍ଭିକ ସ୍ତରର ଶିକ୍ଷା ଦିଆଯାଉଛି, ଯେଉଁଠି ନୂତନ ପରିବେଶ, ଶିକ୍ଷଣ ବ୍ୟବସ୍ଥା, ଦୃଷ୍ଟିକୋଣ, ମାନସିକ ସ୍ଥିତି ପ୍ରଭୃତି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଏହାକୁ ପ୍ରବେଶିକା ତାଲିମ (Induction) ବା ଅନୁସ୍ଥାପନ ତାଲିମ (Orientation) କୁହାଯାଇପାରେ ଏବଂ ଶିଶୁ ନିମନ୍ତେ ଦିଗ ନିର୍ଦ୍ଧେଶ କରାଯାଏ । ଫଳରେ ଶିଶୁଟି ବୃହତ୍ତର ପରିବେଶ ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ମାନସିକ ସ୍ତରରେ ପ୍ରସ୍ତୁତ ହୁଏ । ଏହି ପର୍ଯ୍ୟାୟ ଶିକ୍ଷା ଦ୍ୱାରା ଶିକ୍ଷକ ଓ ଅଭିଭାବକ ଶିଶୁର ଚିନ୍ତାଧାରା ଜାଣିପାରି ପରବର୍ତ୍ତୀ ପଦକ୍ଷେପ ନିର୍ଦ୍ଧାରଣ କରିବାକୁ ସକ୍ଷମ ହୋଇଥାନ୍ତି ।
ଦ୍ୱିତୀୟ ପର୍ଯ୍ୟାୟରେ ଶିଶୁ ଅନ୍ତର୍ନିବେଶୀ ଶିକ୍ଷା (Inclusive Education) ଗ୍ରହଣ କରିପାରେ । ସାଧାରଣତଃ ଯେଉଁମାନେ ସର୍ବନିମ୍ନ ବା ସାମାନ୍ୟ ରୂପେ ଭିନ୍ନକ୍ଷମ ହୋଇଥାନ୍ତି ଏବଂ ଶିକ୍ଷାର ମୁଖ୍ୟସ୍ରୋତରେ ଚାଲିବାର ଅଧିକ ସମ୍ଭାବନା ଥାଏ, ସେମାନେ ସାଧାରଣ ଶିକ୍ଷାନୁଷ୍ଠାନରେ ଯୋଗ ଦେଇପାରନ୍ତି । ମାତ୍ର ସ୍ୱତନ୍ତ୍ର ଶ୍ରେଣୀର ଶିଶୁଙ୍କ ନିମନ୍ତେ ସହାୟତା ବ୍ୟବସ୍ଥା (Support System) ଅତ୍ୟାବଶ୍ୟକ ଅଟେ । ଯେଉଁଠି ସ୍ୱତନ୍ତ୍ର ଶିକ୍ଷା/ ବିଶେଷ ଶିକ୍ଷା (ଋଙ୍ଘମକ୍ଷଙ୍କଗ୍ଦସଙ୍ଖର ଋୟଙ୍କମବଗ୍ଧସକ୍ଟଦ୍ଭ) ଉପଲବ୍ଧ ଅଟେ । ଏହି ଶିକ୍ଷାନୁଷ୍ଠାନରେ ନିର୍ଦ୍ଧିଷ୍ଟ ଶ୍ରେଣୀର ଶିଶୁ ସ୍ୱତନ୍ତ୍ର ଶିକ୍ଷା ପାଆନ୍ତି ଏବଂ ସେଥି ନିମନ୍ତେ ସ୍ୱତନ୍ତ୍ର ଶୈକ୍ଷିକ ଉପାଦାନ ଉପକରଣ (Exclusive Education) ଉପଲବ୍ଧ କରାହୁଏ । ଯେମିତିକି ଦୃଷ୍ଟିହୀନ ଏବଂ ମୂକବଧିର ଶିଶୁମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଦ୍ୟାଳୟ ତଥା ଶିକ୍ଷା ଉପକରଣ ନିର୍ଦ୍ଧାରିତ ହୋଇଥାଏ । ଏହି ବିଦ୍ୟାଳୟଗୁଡ଼ିକ ଆବାସିକ ମଧ୍ୟ ହୋଇପାରେ । ଏମାନଙ୍କ ମଧ୍ୟରୁ ଦୃଷ୍ଟିହୀନ ଶିଶୁ ମଧ୍ୟ ଅନ୍ତର୍ନିବେଶୀ ଶିକ୍ଷାଲାଭ କରି ମୁଖ୍ୟସ୍ରୋତରେ ସହଜରେ ପ୍ରବେଶ କରିପାରିବେ । କାରଣ ଅନ୍ତର୍ନିବେଶୀ ଶିକ୍ଷା (Inclusive Education) ବ୍ୟବସ୍ଥାରେ ସବୁଶ୍ରେଣୀର ଛାତ୍ର ଶିକ୍ଷାଲାଭ କରନ୍ତି ଏବଂ ଏହି ଶିକ୍ଷା ସମସ୍ତଙ୍କ ପାଇଁ ଉଦ୍ଧିଷ୍ଟ । ଏହି ଶିକ୍ଷା ପ୍ରଣାଳୀ ଜ୍ଞାନାତ୍ମକ (Cognitive) ଅଟେ ।
ଅନ୍ୟ ଏକ ପ୍ରକାରର ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ବୌଦ୍ଧିକ ଅକ୍ଷମ ଛାତ୍ରମାନଙ୍କ ନିମନ୍ତେ ଉଦ୍ଧିଷ୍ଟ । ଏହି ଧରଣର ଶିକ୍ଷାନୁଷ୍ଠାନ ବିଶେଷ ଶ୍ରେଣୀଭୁକ୍ତ (Super Speciality) ଅଟେ । ଏହି ଶିକ୍ଷାର୍ଥୀମାନଙ୍କ ନିମନ୍ତେ ବିଶେଷ ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତ ହୋଇଥାନ୍ତି । ମୁଖ୍ୟତଃ ଶିକ୍ଷାର୍ଥୀମାନଙ୍କ ମାନସିକ ସ୍ଥିତି ପ୍ରତି ବିଶେଷ ଧ୍ୟାନ ଦିଆଯାଏ ଏବଂ ସ୍ନାୟୁ ବିଶେଷଜ୍ଞ କିମ୍ବା ଉପଯୁକ୍ତ ତାଲିମପ୍ରାପ୍ତ ଯୋଗ୍ୟତା ସମ୍ପନ୍ନ ପ୍ରଶିକ୍ଷକ ତଦାରଖ ଦାୟିତ୍ୱରେ ରହିଥାନ୍ତି । ସ୍ଥଳ ବିଶେଷରେ ଶିକ୍ଷାର୍ଥୀଙ୍କ ଅଭିଭାବକ ମଧ୍ୟ ବିଦ୍ୟାଳୟରେ ଶିକ୍ଷାଦାନ ସମୟରେ ଉପସ୍ଥିତ ରହିଥାନ୍ତି । ସାଧାରଣ ଉକ୍ତ ଅତିବିଶେଷ ବିଦ୍ୟାଳୟର ଶିକ୍ଷା ଜ୍ଞାନାତ୍ମକ (Cognitive) ନୁହେଁ । ଶିକ୍ଷାର୍ଥୀମାନଙ୍କୁ ପୁନର୍ବାସ ନିମନ୍ତେ ଚିକିତ୍ସା (Therapy), ସହାୟତା (Support) ଏବଂ ଧନ୍ଦାମୂଳକ (Vocational) ଶିକ୍ଷା ଦିଆଯାଏ । ମୁଖ୍ୟତଃ ଶିକ୍ଷାର୍ଥୀମାନେ ପୁନର୍ବାସ (Rehabilitation) ଅବସ୍ଥାରେ ନିଜେ ନିଜକୁ ଚଳାଇବାକୁ ସକ୍ଷମ ହୋଇପାରିବାର ଶିକ୍ଷା ପ୍ରଦାନ କରାଯାଏ ।
ଉପରୋକ୍ତ ଶିକ୍ଷା ବ୍ୟବସ୍ଥାର ପରିଚାଳନା ଓ ତଦାରଖ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହିଠାରେ ସାମାଜିକ, ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ଅନୁଭୂତ ହୁଏ । ଶିକ୍ଷାର୍ଥୀ ଚିହ୍ନଟ, ଶିକ୍ଷାନୁଷ୍ଠାନ ସ୍ଥାପନ, ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି, ଶିକ୍ଷା ଉପକରଣ ଯୋଗାଣ, ଆବାସିକ ବିଦ୍ୟାଳୟ ପରିଚାଳନା ଇତ୍ୟାଦି ନିର୍ଭର କରେ । ପ୍ରଶାସକ ଓ ରାଜନେତାଙ୍କ ମାନସିକତା, ସହାନୁଭୂତି, ତଥା ସ୍ୱତନ୍ତ୍ର ବ୍ୟୟ ଅଟକଳ କରିବାର ଇଚ୍ଛାଶକ୍ତି ଉପରେ । ପୁନଶ୍ଚ ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ବା ପୁନର୍ବାସ କେନ୍ଦ୍ରମାନଙ୍କ ପ୍ରତି ସରକାରଙ୍କ ଅନୁଦାନ ପର୍ଯ୍ୟାପ୍ତ ହେଉ ନ ଥିବା ଅନୁଭୂତ ହେଉଛି । ଶିକ୍ଷାର୍ଥୀମାନଙ୍କୁ ଜୀବନର ମୁଖ୍ୟସ୍ରୋତରେ ପ୍ରବେଶ କରିବା, ସେମାନଙ୍କର ଦକ୍ଷତା ମାପିବା, ଶିକ୍ଷାନୁଷ୍ଠାନ ଫେରନ୍ତା କେତେଜଣ ପୁନର୍ବାସ (Rehabilitation) ଜୀବନରେ କିପରି ଅଛନ୍ତି ତା’ର ହିସାବ ରଖିବା ଜରୁରୀ ଅଟେ । ଏପରିକି ସମାଜର ପ୍ରତ୍ୟେକ ସ୍ତରରୁ ସମ୍ବେଦନଶୀଳ ବ୍ୟକ୍ତିମାନେ ମେଧାବୀ ଶିକ୍ଷାର୍ଥୀମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ଉଦାହରଣ ସୃଷ୍ଟି କରିପାରିଲେ, ଅନେକ ସମସ୍ୟାର ସମାଧାନ ହୋଇପାରିବ । ଯେଉଁ କେତୋଟି ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କାର୍ଯ୍ୟରତ ଅଛନ୍ତି, ସେମାନଙ୍କୁ କାର୍ଯ୍ୟକଳାପ ତଦାରଖ କରାଯାଇ ସଫଳ ଅନୁଷ୍ଠାନମାନଙ୍କୁ ପ୍ରୋତ୍ସାହିତ କରାଯିବା ଉଚିତ । ସର୍ବନିମ୍ନ ଏତିକି ପରିମାଣର ସଚେତନତା ସୃଷ୍ଟି ହେଇପାରିଲେ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମ ଅନେକ ପରିମାଣରେ ଆଦୃତି ଲାଭ କରିବ ।
ପ୍ରଫେସର ଅଭୟ କୁମାର ବେହେରା
ମୋ-୭୮୪୮୦୨୫୮୯୦
ବିଜେବି କଲେଜ, ରେଭେନ୍ସା କଲେଜ ଓ ଏସ୍.ବି. ମହିଳା କଲେଜରେ ଅଧ୍ୟାପନା କରିବା ସହିତ ଉଚ୍ଚଶିକ୍ଷା ବିଭାଗର ଉପନିର୍ଦ୍ଧେଶକ ଏବଂ ସର୍ବଶିକ୍ଷା ଅଭିଯାନ, ଓଡ଼ିଶାର ଅତିରିକ୍ତ ନିର୍ଦ୍ଧେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି ।
୨୦୦୫ ମସିହାରେ ଓଡ଼ିଶାରେ ଅନୁଷ୍ଠିତ ଶିଶୁ ଗଣନା (Child Census) କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସମ୍ପୃକ୍ତ । ବିଭିନ୍ନ ବର୍ଗର ଶିଶୁ, ଦିବ୍ୟାଙ୍ଗ ଶିଶୁମାନଙ୍କୁ ଓଡ଼ିଶାରେ ଚିହ୍ନଟ ଓ ଟ୍ରାକିଂ କରିବାରେ ଉଲ୍ଲେଖନୀୟ ସଫଳତା ପାଇଁ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀଙ୍କ ସ୍ୱର୍ଣ୍ଣପଦକ ପ୍ରାପ୍ତ ହୋଇଥିଲେ । ବିକଳ୍ପ ଓ ଅଭିନବ ଶିକ୍ଷା (Alternative and Innovative Education) କାର୍ଯ୍ୟକ୍ରମର ତଦାରଖ ଓ ପରିଚାଳନାର ଅଭିଜ୍ଞତା ।
ଓଡ଼ିଆରେ ଅନେକ କ୍ଷୁଦ୍ରଗଳ୍ପ ଓ ଇତିହାସ ସମ୍ପର୍କିତ ପ୍ରବନ୍ଧ ରଚନା । ଇତିହାସ ବିଷୟରେ ଉକ୍ରର୍ଷତା ପାଇଁ ପ୍ରଫେସର ଘନଶ୍ୟାମ ଦାସ ସ୍ୱର୍ଣ୍ଣପଦକ ଆଦିର ପ୍ରାପକ । କରିଛନ୍ତି । ପ୍ରାୟ ୬୦ଗୋଟି ଗବେଷଣାମୂଳକ ପ୍ରକାଶନ ।


