® ISSN : 3107-4979 | A Bilingual (Odia & English) Bimonthly Special Newspaper Covering News and Views on Disabilities | ® RNI Regd. No. ODIBIL/2016/67738

ପ୍ରସ୍ତୁତି ଓ ଉପସ୍ଥାପନା: ବିରଜା ରାଉତରାୟ
ସହଯୋଗିତା: ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ଵାଇଁ


ନିକଟ ଅଗଷ୍ଟ ମାସରେ ବୈତରଣୀ ନଦୀର ବନ୍ୟା ରାଜକନିକା ବ୍ଲକ କନପୁର ଗାଁ ସମେତ କୂଳବର୍ତ୍ତୀ ଅଞ୍ଚଳଗୁଡିକୁ ଜଳାର୍ଣ୍ଣବ କରି ଦେଇଥିଲା । ସେହି ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ବନ୍ୟାପୀଡିତ ଅଞ୍ଚଳ ସବୁର ଉଦ୍ଧାର ଓ ସହାୟତା କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ପ୍ରସାରଣ କରୁଥିଲେ । ସେହିପରି ଏକ ସନ୍ଧ୍ୟା ପ୍ରାଇମ୍ ଖବର ପ୍ରସାରଣର କେନ୍ଦ୍ର ପାଲଟିଥିଲା ରାଜକନିକାର ଏହି କନପୁର ଗାଁ । ଚ୍ୟାନେଲଟିରେ ପ୍ରସାରିତ ବନ୍ୟା ଖବରର ସେହି ପ୍ରସାରିତ ଦୃଶ୍ୟଟି ଥିଲା ମଧ୍ୟ ସେହିପରି ଉଲ୍ଲେଖନୀୟ ଦୃଷ୍ଟି ଆକର୍ଷଣକାରୀ । ସର୍ବୋପରି ପ୍ରେରଣାପ୍ରଦ ଏକ ଅନନ୍ୟ କାହାଣୀ ।

ଦୃଶ୍ୟଟିରେ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ଜଣେ ଭେଣ୍ଡା ଯୁବକ ପାଣି ବୋତଲ ଓ ଶୁଖିଲା ଖାଦ୍ୟର ପୁଡିଆକୁ ମୁଣ୍ଡାଇ ଛାତିଏ ପାଣିର ସିଆରକୁ କାଟି ଆଗକୁ ଅଗ୍ରସର ହେଉଥାଏ । କେବଳ ତା’ର ହାତକୁ ବାଟ କଢାଇ ନେବାପରି ଆଉ ଜଣେ ସାଙ୍ଗରେ ଚାଲିଥାଏ । ବନ୍ୟା ଜଳମଗ୍ନ ଅଞ୍ଚଳରେ ପୀଡିତ ଗ୍ରାମବାସୀଙ୍କ ନିକଟରେ ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ପହଞ୍ଚାଇବା ଥାଏ ତା’ର ଉଦ୍ଧେଶ୍ୟ ।

ଅଦ୍ଭୁତ ଲାଗୁଥାଏ ସେହି ଦୃଶ୍ୟ !ସତେ ଯେପରି ଫକୀର ମୋହନ ସେନାପତିଙ୍କ ସେଇ ଦୁର୍ଦ୍ଦଶ ଗାଁର ପୁଅ ରାଣ୍ଡିପୁଅ ଅନନ୍ତା ! ଯେଉଁ ଭୟଙ୍କର ବନ୍ୟା ସୁଅ ମୁହଁରୁ ଚକ୍ଷୁହୀନ ଅଥବା ଦୃଷ୍ଟିବାଧିତ ଲୋକଟିକୁ ସର୍ବପ୍ରଥମେ ଉଦ୍ଧାର କରାଯାଇ ନିରାପଦ ସ୍ଥାନରେ ଛାଡ଼ିବା କଥା,ସେହି ଲୋକଟି ପୁଣି ବନ୍ୟାପୀଡିତମାନଙ୍କ ତ୍ରାଣକର୍ତ୍ତା ପାଲଟି ତୁଷାର୍ତ୍ତ ମୁହଁରେ ପାନୀୟଜଳ ଓ କ୍ଷୁଦାର୍ଥଙ୍କ ମୁହଁରେ ଆହାର ବଣ୍ଟନ କରୁଛି । ପ୍ରଖର ସୁଅସହ ମାଡି ଆସୁଥିବା ବୈତରଣୀର ବନ୍ୟା ପାଣି ନା ତାକୁ ଡରାଇ ପାରୁଛି ନା ଆକଟ କରି ପାରୁଛି ! ସେହି ଭେଣ୍ଡିଆ ଯୁବକଟିର ନାଁ ସତ୍ୟରଞ୍ଜନ ନାୟକ । ଡାକ ନାମ ସତ୍ୟ । କନପୁର ଗାଁ ଯୁବକ ସଙ୍ଘ ଫ୍ରେଣ୍ଡସ୍ କ୍ଲବର ମ୍ୟାନେଜର ।

ଆପଣମାନେ ଏତିକି ସଂକ୍ଷିପ୍ତ ବୃତ୍ତାନ୍ତରୁ ଜାଣି ପାରୁଥିବେ ଯେ ଉଦ୍ୟମ କି ଉଦ୍ୟୋଗ ପୁଣି ସାହାସ କି ସଦିଚ୍ଛା,ଏସବୁ କରିବା ପାଇଁ ପ୍ରତିବନ୍ଧକ ସାଜି ନ ଥାଏ ଦୃଷ୍ଟି କିମ୍ବା ଏକ ପୂର୍ଣ୍ଣାଙ୍ଗ ଚଳମାନ ଶରୀର ।

ନିଜ ଗାଁର ବନ୍ୟା ପୀଡିତଙ୍କ ପାଇଁ ଏହିପରି କେତେ ନା କେତେଥର ଫି’ ବନ୍ୟାକୁ ଅଣ୍ଟା ଭିଡି ମୁକାବିଲା କରିବାକୁ ବାହାରି ସାରିଛି ସତ୍ୟ ଓରଫ ସତ୍ୟରଞ୍ଜନ ନାୟକ । ନିଜ ଗାଁର ଖାଲଖମା ରାସ୍ତା ସହ ବେଶ୍ ପରିଚିତ ଥିବା ସତ୍ୟ ପ୍ରତିଥର ବନ୍ୟାପାଣିର ତୋଡକୁ କାଟି ଆଗକୁ ବଢ଼େ । ଆପଦବିପଦରେ ଥିବା ଗାଁ ଲୋକଙ୍କ ପାଖରେ ଜରୁରୀ ସାମଗ୍ରୀ ସବୁ ପହଞ୍ଚାଇଥାଏ ।

ସବୁଠାରୁ ବିଚିତ୍ର କଥା ହେଉଛି,ସତ୍ୟର ଏହି ଦୃଷ୍ଟି ବାଧକତା ଆଜନ୍ମ ନ ଥିଲା । ବରଂ ଥିଲା ଏକ ଅବୋଧ ଦୁଷ୍ଟାମୀର ପରିଣାମ । ସତ୍ୟକୁ ସେତେବେଳେ ବାର ବର୍ଷ ବୟସ । କନପୁର ମାଇନର ସ୍କୁଲରେ ଷଷ୍ଠ ଶ୍ରେଣୀର ଛାତ୍ର ଥାଏ ସତ୍ୟ । ଖେଳ ଛୁଟିରେ ସାଙ୍ଗସାଥୀଙ୍କ ସହ ମାଡଗୋଳ କରୁ କରୁ ଡଟପେନ୍ ମୁନ ଭୂଷି ହୋଇଯାଏ ଗୋଟେ ଆଖିରେ ।

ନଈ ପାରି ସରଳ ଗ୍ରାମ ଜୀବନରେ ଆଶୁ ଓ ଉପଯୁକ୍ତ ଚିକିତ୍ସା କଥା ମୁଣ୍ଡରେ ନ ଥାଏ । ସତ୍ୟକୁ ପ୍ରଥମେ ନିଆଯାଏ ସ୍ଥାନୀୟ ଡାକ୍ତରଖାନା । ସେଠାରୁ ପୁଣି ଯାଏ ଭଦ୍ରକ ଡାକ୍ତରଖାନାକୁ । ଦୁଇ ଆଡୁ ନିରାଶ ହୋଇ ଶେଷରେ ଯାଏ ପୁଣି କଲିକତା । ସେତବେଳକୁ ଚିକିତ୍ସାରେ ବହୁତ ବିଳମ୍ବ ହୋଇ ସାରିଥାଏ । ଏପଟେ ଅର୍ଥର ଅଭାବ ତ ଆରପଟେ ଗଡି ସାରିଥାଏ ସମୟ । ଏହିପରି ମାସେକାଳ ଚିକିତ୍ସା ପାଇଁ ବିଭିନ୍ନ ଜାଗାକୁ ବୁଲି ନିରାଶ ହୋଇ ଫେରେ । କ୍ଷତାକ୍ତ ଚକ୍ଷୁଟି ନଷ୍ଟ ହୁଏ ସତ ଏହା ସହିତ ସଂକ୍ରମଣରେ ଆରଟି ମଧ୍ୟ ପ୍ରଭାବିତ ହୁଏ । ଯାହା ଫଳରେ ସମ୍ପୂର୍ଣ୍ଣ ଦୃଷ୍ଟି ଶକ୍ତି ତାକୁ ହରାଇବାକୁ ପଡିଥିଲା ।

ଏହି ସବୁ ପ୍ରତିବନ୍ଧକତା ତା’ ପାଠ ପଢ଼ିବାର ଡୋରକୁ ସବୁଦିନ ପାଇଁ ବାନ୍ଧି ଦେଇଥିଲା । ସତ୍ୟ କହେ -“ପଢିବା ପାଇଁ ଦୃଷ୍ଟିବାଧିତ ବିଦ୍ୟାଳୟ ଯାଇଥିଲି ସତ,ମାତ୍ର ସେଠାରେ ମୋତେ ଚଳିବାରେ ଅସୁବିଧା ହେବାରୁ ଘର ଲୋକ ପୁଣି ଗାଁକୁ ନେଇ ଆସିଥିଲେ ।”

ସେହି ଗାଁ ପାଲଟିଯାଇଛି ତା’ର ଅବଶିଷ୍ଟ ଠିକଣା । ଏବଂ କହିବାକୁ ଗଲେ ତା ପାଇଁ ସବୁକିଛି ଓ ତା’ ର ସର୍ବସ୍ବ ।

କନପୁର ଗାଁ ଫ୍ରେଣ୍ଡସ୍ କ୍ଲବର ପରିଚାଳକ ଭାବେ ତା’ କାନ୍ଧରେ ବଡ଼ ଗୁରୁ ଦାୟିତ୍ୱ । ଗାଁରେ ପାଖାପାଖି ତିନି ଶହ ଘର । ବାର ଶହ ଭୋଟର । ହେଲେ,ବନ୍ୟା ବିପଦ ବେଳେ ଏଇ ସତ୍ୟ ହିଁ ଏକମାତ୍ର ଆଗରେ ଠିଆ । କେବଳ କନପୁର ଗାଁ ନୁହେଁ,ବାରାହା ଦୋମଣ୍ଡା ପଞ୍ଚାୟତର ଅବଶିଷ୍ଟ ବନ୍ୟାପ୍ଲାବିତ ଗାଁ ଓ ପାଖ ମାନପୁର,ଗୁଣ୍ଠଳ ପ୍ରଭୃତି ନଦୀ କୂଳବର୍ତ୍ତୀ ଗ୍ରାମଗୁଡିକ ଅଧିକାଂଶ ବର୍ଷ ବୈତରଣୀ ବନ୍ୟାଦ୍ୱାରା ପ୍ରଭାବିତ ହୋଇଥାନ୍ତି । କନପୁର ଗାଁର ଷାଠିଏ ସତୁରି ଜଣ ପ୍ରାୟ ଯୁବକ ସମ୍ପ୍ରତି ଚେନାଇଠାରୁ ଆରମ୍ଭ କରି ହାଇଦ୍ରାବାଦ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅର୍ଥ ରୋଜଗାର କରୁଛନ୍ତି । ବିପଦ ଆସିଲେ ସତ୍ୟ ଏମାନଙ୍କୁ ଜଣକୁ ଜଣ କରି ଫୋନ୍‌ରେ ଖବର ପହଞ୍ଚାଇ ଦିଏ । ଫୋନ୍‌ରେ ପଇସା ଆସି ପହଞ୍ଚେ । ଏହି ସଂଗୃହିତ ଅର୍ଥକୁ ନେଇ ସେ ପାନୀୟ ଜଳ,ଶୁଖିଲା ଖାଦ୍ୟ ପରି ଆବଶ୍ୟକ ଦ୍ରବ୍ୟ ଯୋଗାଡ଼ କରି ବଣ୍ଟନ କରିଥାଏ । ଏହି ଅପରେସନ୍‌ର ନେତୃତ୍ୱ ନିଏ । ଅଣ୍ଟାଏ ହେଉ କି ଛାତିଏ । ବୈତରଣୀ ବନ୍ୟା ପାଣିର ତୋଡ ତାକୁ ଆକଟ କରି ରଖି ପାରେନା । ପଚାରିଲେ କହେ, “ମୋ ଗାଁ ପାଇଁ ଓ ଗାଁ ଲୋକଙ୍କ ପାଇଁ ସବୁକିଛି କରିବାକୁ ମୁଁ ପ୍ରସ୍ତୁତ ।”

Leave a Reply

Your email address will not be published. Required fields are marked *

Related Posts