ପ୍ରସ୍ତୁତି ଓ ଉପସ୍ଥାପନା: ବିରଜା ରାଉତରାୟ
ସହଯୋଗିତା: ଗୋଲାପ ରାଉତ
ସମ୍ପ୍ରତି ଆପଣ ବରି ବ୍ଲକର, ବରିପାଳ ଠାରେ ନୂତନ ଭାବେ ସ୍ଥାପିତ ହୋଇଥିବା ମୁନସପ୍ କୋର୍ଟର ହତାରେ ଭେଟି ପାରିବେ ଏକ ଭିନ୍ନ ଦୃଶ୍ୟକୁ। ଦୃଶ୍ୟଟି ଥିବ ଏହିପରି । ଗୋଟେ କମଳା ରଙ୍ଗର ବ୍ୟାଟେରୀ ଚାଳିତ ଅଟୋ ଠିକ୍ ସେଇ ଅଟୋର ପ୍ୟାସେଞ୍ଜର ସିଟ୍ ତଳେ ସମ୍ମୁଖରେ ଷ୍ଟୁଲ ପକେଇ ବସି ରହିଥିବେ ଜଣେ ପ୍ରାପ୍ତବୟସ୍କ ଯୁବକ । ତାଙ୍କ ସମ୍ମୁଖସ୍ଥ ଷ୍ଟୁଲ୍ ଉପରେ ଶୋଭା ପାଉଥିବ ଗୋଟିଏ ଷ୍ଟାଣ୍ଡ ଭେଣ୍ଡରର କାଠବାକ୍ସ। ଯହିଁରେ ଲେଖାଥିବ ବିବେକାନନ୍ଦ ଦ୍ୱିବେଦୀ ଷ୍ଟାମ୍ପ ଭେଣ୍ଡର । ପ୍ରଥମ ନଜରରେ ଆପଣ କି ଅନ୍ଯ ଯେ କେହି ଭାବି ବସିବେ ହଁ ହୋଇଥିବେ ଜଣେ ଷ୍ଟାମ୍ପ ଭେଣ୍ଡର, କିନ୍ତୁ ଆପଣଙ୍କର ଆଖି ଦେଖୁଥିବା ସେଇ ଛବିର ପାଚେରୀ ଆରପଟେ ରହିଥାଏ ଏକ ପ୍ରଲମ୍ବିତ ସୃଜନ ଓ ସାଧନାର କାହାଣୀ । କଣ୍ଠ ସଙ୍ଗୀତର ରାଗ ଓ ରାଗିଣୀ ଭରା ଏକ ସମର୍ପିତ ମୂର୍ଚ୍ଛନା। ଏବଂ ଏହା ଅନୁଭବ କରି ସାରିବା ପରେ ଛାଏଁ ଆପଣଙ୍କ ପାଟିରୁ ବାହାରି ଆସିବ ଇଂରାଜୀରେ ବହୁ ପ୍ରଚଳିତ ସେଇ ପଂକ୍ତିଟି ” A right man in a wrong place.”
ବିବେକାନନ୍ଦ ଦ୍ୱିବେଦୀ ଓରଫ୍ ଚଙ୍ଗୁନି । କେବଳ ବରି ଅଞ୍ଚଳ କାହିଁକି ଯାଜପୁର ମାଟିର , ଯାଜପୁର ଜିଲ୍ଲା ଅସ୍ମିତାର, ଯାଜପୁର ଜିଲ୍ଲା ସଂସ୍କୃତିର, ଯାଜପୁର ଜିଲ୍ଲା କଳା ସମ୍ପଦର କେବେ ଦିନେ ଏକ ତାରକା ରୂପେ ପରିଗଣିତ ହେଉଥିବା କଣ୍ଠଶିଳ୍ପୀ ବିବେକାନନ୍ଦ ଦ୍ୱିବେଦୀଙ୍କର ଏବେକାର ପରିଚୟ ଜଣେ ଷ୍ଟାମ୍ପ ଭେଣ୍ଡର । କେବେ ସ ବରି ପ୍ରଗତି କ୍ଳବରେ ଚାଲୁଥିବା ସଚ୍ଚିଦାନନ୍ଦ ସଙ୍ଗୀତ ବିଦ୍ୟାଳୟ।ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଦିକ୍ଷାଗୁରୁ ସାଜିଥିବା ଗୁରୁ ବିବେକାନନ୍ଦ ଥଇଥାନ ଭରା ଜୀବନର ଅନ୍ୱେଷଣରେ ଏବେ ରାଗହୀନ ମଣିଷ। ପ୍ରତି ସକାଳୁ ଯାହାଙ୍କ କୋଠରୀ ମଧ୍ୟରୁ ହାରମୋନୀୟମ ସହ କଣ୍ଠର ରୀୟାଜ ଶୁଭୁଥିଲା ଆଜି ସେଇ ଘର ଭୂତକୋଠି ପ୍ରାୟ ନୀରବ। କପଡ଼ାରେ ବନ୍ଧା ହୋଇ ହାରମୋନିଅମ୍ ଘରର ତାଜାକୁ ସ୍ଥାନାନ୍ତର ହୋଇ ସାରିଲାଣି କେବେଠୁ । ପେଟର ଗଣିତ ପାଠ ଆଗରେ ମନର ସଙ୍ଗୀତ ନିଶା ଦଳି ଚକଟି ହୋଇ ଅସ୍ଥିତ୍ଵ ଲିଭାଇ ସାରିଲାଣି , କପଡ଼ାରୁ କର୍ପୂର ବାସ୍ନା ଉଡ଼ିଯିବା ପରି ଜୀବନ ଓ ଜୀବିକାର ଡାକରେ ଦାୟରେ ଲାଗି ସାରିଲାଣି ବିବେକାନନ୍ଦଙ୍କ ସଙ୍ଗୀତ ସାଧନା ।
ସ୍ମୃତିର ଅର୍ଗଳି ଓ ବିଡ଼ମ୍ବିତ ଭାଗ୍ୟ
ଜନ୍ମ ପରଠୁ ଅନ୍ୟ ସାଧାରଣ ପିଲାଙ୍କ ପରି କଡ ଲେଉଟାଇବା, ଆଣ୍ଠେଇବା, ଗୁରୁଣ୍ଡିବା, ଠିଆ ହୋଇ ଠୁକୁଠୁକୁ ଚାଲିବା, ଦୌଡ଼ିବା, ଖେଳିବା ସବୁକିଛି ସାଧାରଣ ପ୍ରାୟ ଥିଲା ବିବେକାନନ୍ଦଙ୍କର। ତାଙ୍କୁ ଚାରିବର୍ଷ ବୟସ ହୋଇଥିବା ବେଳେ ଦିନେ ସନ୍ଧ୍ୟାରେ ଚକାଚକା ଭଉଁରୀ ଖେଳ ପରେ ହଠାତ୍ ଦେହହାତ ଦରଜ ହେବାକୁ ଲାଗିଲା, ଜ୍ୱର ଆସିଲା ଏବଂ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ପରେ ଜଣା ପଡିଲା ତାଙ୍କ ଶରୀରର ଅଣ୍ଟାତଳ ଭାଗ ଅଂଶଟି କାମ କରୁନାହିଁ। ଛୋଟ ଡାକ୍ତରଖାନାରୁ ବଡ଼ ଡ଼ାକ୍ତରଖାନା । ଶିଶୁଭବନରୁ ଓଲଟପୁର । ସବୁଆଡୁ ଘୁରି ଆସିବା ପରେ ନିରାଶ ହୋଇଥିଲେ ତାଙ୍କ ପରିବାର ଲୋକେ। ସବୁଦିନ ପାଇଁ ବିବେକାନନ୍ଦ ପାଲଟି ଯାଇଥିଲେ ଚଳନଶକ୍ତି ବାଧିତ ଦିବ୍ୟାଙ୍ଗ।
ଶିକ୍ଷା ଓ ସଙ୍ଗୀତ ପାଇଁ ପ୍ରେରଣା :-
ଗୃହବନ୍ଦୀ ବିବେକାନନ୍ଦଙ୍କର ସୌଭାଗ୍ୟ ଥିଲା ଯେ ତାଙ୍କ ମାତାପିତା ଉଭୟେ ଏହି ସନ୍ତାନ ପାଇଁ ଚିନ୍ତିତ ରହିଥିଲେ । ସେଥିପାଇଁ ଚାରିବର୍ଷ କାଳ ନିଜର ଏହି ଚଳନଶକ୍ତି ବାଧିତ ଏହି ପିଲାଟି ନିମନ୍ତେ ଘରେ ପାଠଶାଳାର ବ୍ୟବସ୍ଥା କରାଇଥିଲେ। ପ୍ରାୟ ପାଞ୍ଚବର୍ଷ କାଳ କେଳୁଚରଣ ଜେନା ନାମକ ଜଣେ ଶିକ୍ଷକ ତାଙ୍କର ବାଲ୍ୟଶିକ୍ଷକ ରୂପେ ଘରେ ପାଠ ପଢ଼ାଇ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଏକକାଳୀନ ଚତୁର୍ଥ ଶ୍ରେଣୀରେ ତାଙ୍କ ନାମ ଲେଖା ଯାଇଥିଲା । ସେବେଠାରୁ ଅନ୍ୟମାନଙ୍କ ସାହାରାରେ ସାଇକେଲ ପଛରେ ବସି ଦଶମ ଶ୍ରେଣୀ ପର୍ଯ୍ୟନ୍ତ କାମ ଚଳାଇ ନେଇଥିଲେ । ୧୯୯୦ ମସିହାରେ ତାଙ୍କୁ ତିନିଚକିଆ ସାଇକେଲଟି ପାଇବାର ସୌଭାଗ୍ୟ ମିଳିଥିଲା । ଜଷ୍ଟିସ ରଙ୍ଗନାଥ ମିଶ୍ର ହରିପୁର ଠାରେ ଆୟୋଜିତ ଏକ ଶିବିରରେ ତାଙ୍କୁ ପ୍ରଥମ କରି ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ । ସେ ପର୍ଯ୍ୟନ୍ତ ବୋଉର କାନ୍ଧରେ ଓହଳି କିମ୍ବା ଆ ତା ସାଇକେଲ କେରୀୟରରେ ବସି ମ୍ୟାଟ୍ରିକ ପର୍ଯ୍ୟନ୍ତ ଯେନେ ତେନେ କାଟିବାକୁ ବାଧ୍ୟ ହୋଇଥିଲେ । ଟ୍ରାଇ ସାଇକେଲ ମିଳିବା ପରେ ବରି କଲେଜରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିବା ସମ୍ଭବ ହୋଇଥିଲା ।
ସଙ୍ଗୀତରେ ପ୍ରବେଶ :-
ଛୋଟବେଳୁ ସଙ୍ଗୀତ ପ୍ରତି ବିବେକାନନ୍ଦଙ୍କ ମଧ୍ୟରେ ରହିଥିଲା ଆସକ୍ତି। ତାଙ୍କ ମଧ୍ୟରେ ସଙ୍ଗୀତ ପ୍ରତି ଏହି ଆକର୍ଷଣକୁ ଦେଖି କକେଇ ସୋମନାଥ ଦ୍ବିବେଦୀ ତାଙ୍କୁ ହାରମୋନୀୟମ୍ ଶିକ୍ଷାଦାନ କରିଥିଲେ । କକେଇ ଥିଲେ ଜଣେ ଓଡ଼ିଶୀ ସଙ୍ଗୀତଶିଳ୍ପୀ । ଏହାପରେ ସେ ଗୁରୁ ଶ୍ରୀ ନିହାର ରଞ୍ଜନ ପତିଙ୍କ ଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ । ଯାଜପୁର କୁଆଖିଆ ସ୍ଥିତ କଳିଙ୍ଗ ଭାରତୀ ସଙ୍ଗୀତ ଶିକ୍ଷା ନିକେତନର ଗୁରୁ ଶ୍ରୀ ନିହାର ରଞ୍ଜନ ପତିଙ୍କ ତତ୍ତ୍ଵାବଧାନରେ ଶିକ୍ଷା ଗ୍ରହଣ କରି ଅଖିଳଭାରତୀୟ ଗାନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳ ମୁମ୍ବାଇରୁ ସଙ୍ଗୀତ ବିଷାରଦ ଅଧ୍ୟୟନ ସମ୍ପୂର୍ଣ୍ଣ କରିଥିଲେ । ଏହା ସହିତ ଯାଜପୁର ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ଅଧିକାଂଶ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିବେକାନନ୍ଦଙ୍କ ଉପସ୍ଥିତି ରହିଥିଲା ଅନିର୍ବାଯ୍ୟ । କେବଳ ନିଜ ଜିଲ୍ଲା ଯାଜପୁରରେ ନ ଅଟକି ତାଙ୍କ ଭାବ ଗମ୍ଭୀର କଣ୍ଠ ସ୍ୱରର ସୌରଭ କଟକ ଓ ଭୁବନେଶ୍ୱରରେ ଅନୁଷ୍ଠିତ ସାଙ୍ଗିତୀକ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ଆକାଶବାଣୀ, କଟକ ଓ ଦୂରଦର୍ଶନ ଯାଏଁ ସମ୍ପ୍ରସାରିତ ହୋଇଥିଲା । ତତ୍କାଳୀନ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସରୋଜ ନନ୍ଦଙ୍କର ବିବେକାନନ୍ଦ ରହିଥିଲେ ଆଖିର ପିତୁଳା । ତାଙ୍କ ନିର୍ଦ୍ଦେଶିତ ଅଧିକାଂଶ ସଙ୍ଗୀତରେ ଟ୍ରାକରେ କଣ୍ଠ ଦାନ କରିବାର ସୌଭାଗ୍ୟ ତାଙ୍କୁ ମିଳିଥିଲା । ବରି ମହୋତ୍ସବ ଠାରୁ ଯାଜପୁର ଜିଲ୍ଳା ମହୋତ୍ସବ ପର୍ଯ୍ୟନ୍ତ ଆଞ୍ଚଳିକରୁ ଜିଲ୍ଲା ସ୍ତରୀୟ କାର୍ଯ୍ଯକ୍ରମ ଗୁଡ଼ିକରେ ତାଙ୍କ କଣ୍ଠ ସଙ୍ଗୀତର ପରିବେଷଣ ଭାବମୁଗ୍ଧ କରିଥାଏ ଦର୍ଶକ ମଣ୍ଡଳୀକୁ ।
ବୟସର ପଚାଶ ଗୋଟି ଗାର ଅତିକ୍ରମ କରି ସାରିଥିବା ବିବେକାନନ୍ଦଙ୍କ ଦୁଇ ପ୍ରାଣହୀନ ପାଦର ଅବୟବ ଆଉ ଉପରିଭାଗ ଶରୀରର ଭାର ବହନ କରିବାକୁ ଅକ୍ଷମ ହେଇ ପଡ଼ୁଛି । ପୂର୍ବପରି କାହା ନା କାହା ମଟର ସାଇକେଲ ପଛକୁ ଉଠି ସାଙ୍ଗିତୀକ କାର୍ଯ୍ଯକ୍ରମରେ ଅଂଶଗ୍ରହଣ କରିବାର ଅବାରିତ ଆନନ୍ଦ ଠାରୁ ଏବେ ସେ ବିରତ । କେବେ ପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପାଖରୁ ଭୁବନେଶ୍ୱର ସ୍ଥିତ ଲୁଇସ୍ ରୋଡ଼ ବାସଭବନକୁ ଯାଇ ସୁଗମ ସଙ୍ଗୀତ ଶିକ୍ଷା ଗ୍ରହଣ କରୁଥିଲେ । ଦୁଇହଜାର ମସିହା ଆଦ୍ୟ ଭାଗରେ ପଛକୁ ପଛ ତାଙ୍କ କଣ୍ଠ ସଙ୍ଗୀତରେ ରେକର୍ଡ଼ ହୋଇଥିବା କ୍ୟାସେଟ୍ ସବୁ ଯଥେଷ୍ଟ ସୁନାମ ତାଙ୍କୁ ଆଣି ଦେଇଥିଲା । ସେଇ ସବୁ ଅତୀତର କ୍ୟାସେଟ୍ ଗୁଡ଼ିକ ମନେ ପକାଇଲେ ମୋ ବରି ମହାନ୍, ବନ୍ଦେ ବରି ମାଟି, ଶ୍ରୀ ଶ୍ରୀ ବଳଦେବ ଅଷ୍ଟକମ୍, ଶ୍ରୀ ଶ୍ରୀ ଜଗନ୍ନାଥ ଅଷ୍ଟକମ ପ୍ରଭୃତି କ୍ୟାସେଟ୍ ଗୁଡ଼ିକ ତାଙ୍କୁ ଶ୍ରୋତା ମହଲରେ ବେଶ୍ ପରିଚିତି ଆଣି ଦେଇଥିଲା ।
ଗତାୟୁ ସମୟ ଓ ଅବଦମିତ ସ୍ଵପ୍ନ:-
ଗତାୟୁ ସମୟର ସେହି ସ୍ପନ୍ଦିତ ଓ ସ୍ପର୍ଦ୍ଧିତ କାଳଖଣ୍ଡ ଏବେବି ତାଙ୍କ ହୃଦୟ କୋଣରେ ଅମ୍ଳାନ ସ୍ମୃତି ହୋଇ ଅକ୍ଷତ ରହିଛି । ତଥାପି ଇଚ୍ଛା ଅଛି, ନିଜ ଅନ୍ତରର ଏହି ତରଙ୍ଗାୟିତ ପ୍ରଭୃତିକୁ ଧରି ଯଦି ସଙ୍ଗୀତରେ ଅବଶିଷ୍ଟ ଦିନ ପ୍ରାଣଭରି ବଞ୍ଚି ହୁଅନ୍ତା ସାର୍ଥକ ଲାଗନ୍ତା ଜୀବନଟା ! ଏତିକି କହିବା କ୍ଷଣି କ୍ଷୋଭରେ ତାଙ୍କ କଣ୍ଠ ଛାଏଁ ଦୋହୋରାଇ ଉଠିଲା କେବେ ରେଡ଼ିଓ ‘ ବନ୍ଦନା ‘ କାର୍ଯ୍ଯକ୍ରମରେ ଗାଇଥିବା ଶ୍ରୁତି ମଧୁର ଭଜନଟି – ” ସବୁ ଥାଇ ପ୍ରଭୁ ତୁମେ ନାହଁ ଯଦି କିଛି ନାହିଁ ଜୀବନରେ….”


