କବିତା ତାଙ୍କ ପାଇଁ ଏକ ନିଶ୍ୱାସ, କବିତା ତାଙ୍କର ଥରଥର ପାଦକୁ ସମ୍ଭାଳି ରଖିବା ପାଇଁ ଏକ ଅତିକ୍ରମ୍ୟ ତପସ୍ୟା । କବିତା ତାଙ୍କ କବି ଜୀବନର ପରମାର୍ଥ । ଏକ ସାର୍ଥକତା । ବାଟ ଚାଲିବା ଯଦି ଜୀବନର ଲକ୍ଷ୍ୟ ହୁଏ ତେବେ ତାଙ୍କ ମଥାରେ ଆଶୀର୍ବାଦ ପଡୁ କି ଅଭିଶାପ ତାଙ୍କୁ କିଛି ଶବ୍ଦ ସୁଜିବାକୁ ହିଁ ପଡ଼ିବ । ଏହି ଅଙ୍ଗୀକାର ବଦ୍ଧତାକ ସେ ବ୍ରତ କରି ବଞ୍ଚିଛନ୍ତି । ଜୀବନ ତାଙ୍କୁ ଦେଇଛି ଯେତିକି ତାଠାରୁ ଅଧିକ ତାଙ୍କ ଠାରୁ ଛଡ଼ାଇ ନେଇଛନ୍ତି । ତଥାପି ତାଙ୍କର କାହା ପାଖରେ କିଛି ଆପତ୍ତି ଅଭିଯୋଗ ନାହିଁ । ସେ ନିରବ ସାଧିକାଟିଏ ପରି ବଞ୍ଚିଛନ୍ତି । ଅଭିଷିକ୍ତା ହୋଇ ବଞ୍ଚିଛନ୍ତି, ସାରସ୍ୱତ ପ୍ରତିଭା ତାଙ୍କୁ ସିକ୍ତ କରିଛନ୍ତି । ପ୍ରଜ୍ଞା ପ୍ରତିଭାର ପ୍ରାଚୁର୍ଯ୍ୟରେ ସେ ଧନ୍ୟା ହୋଇଛନ୍ତି । ଓଡ଼ିଶାର ସାରସ୍ୱତ ଭଣ୍ଡାରକୁ ତାଙ୍କର ସୃଷ୍ଟି ସମୃଦ୍ଧ କରିଛି । ଏହି ପ୍ରତିଭାମୟୀ ହେଉଛନ୍ତି ପ୍ରତିଭା ପରିଡ଼ା । ତାଙ୍କର ପ୍ରତିଭାସିଗ୍ଧ କାବ୍ୟଜଗତ ହେଉଛି – ହଠାତ୍ ଈଶ୍ୱର ପାଲଟିଯିବା ମୋହରେ, ତୁମ ଠିକଣା ମୋତେ କେଉଁ ବା ଜଣା, ଈଶ୍ୱର ଈଶ୍ୱରୀୟ, ଏମିତି ଆତଯାତ ଓ ବାଳି । ସେହିପରି ତାଙ୍କର ଏକ ଗଳ୍ପ ସଂକଳନ ରହିଛି ‘ଚମ୍ପାବତୀର ମୃତ୍ୟୁ’ । ଏକାଙ୍କିକା – ‘ତର୍ପଣ’ ।
ପ୍ରତିଭା ପରିଡ଼ାଙ୍କର ଜନ୍ମ କଟକ ସହରରେ । କିନ୍ତୁ ତାଙ୍କର ପୈତୃକ ଭିଟାମାଟି ଜଗତସିଂହପୁର ।
ଶୈଶବରୁ ରଙ୍ଗୀନ୍ ପ୍ରଜାପତି ପରି ଘୁରି ବୁଲୁ ଥିବା କିଶୋରୀଟିଏ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତା ହୋଇ ବର୍ଷ ବର୍ଷ ଧରି ହସ୍ପିଟାଲର ବେଡ଼ରେ ଓ ଘରର ଚାରି କାନ୍ଥ ଭିତରେ ପଡ଼ି ରହିବା ପ୍ରତିଭାଙ୍କ ପ୍ରତି ନିୟତିର କମ୍ ବଡ଼ ଉପହାସ ନୁହେଁ । ଯେଉଁ ସମୟରେ ଜୀବନର ଲବ୍ଧ ଅଭିଜ୍ଞତା ସଂଗ୍ରହ କରି ଅନେକ ସମ୍ଭାବନାର ପଥ ଅବରୁଦ୍ଧ ହୋଇଯିବାର ଆଶଙ୍କା ଭିତରେ ସେ ତାଙ୍କର ଶୈଶବ କାଟିଲେ । ପିତାଙ୍କର ଥିଲା ଅମାପ ବହି ନିଶା । ନିଜେ ପଢ଼ନ୍ତି । ଅହରହ ରୋଗ ଶଯ୍ୟାରେ କଣପାଇଁ ବହିର ପାହାଡ଼ ସୃଷ୍ଟି କରି ଦିଅନ୍ତି ପିତା । ବାଗ୍ମିତା ପରି ନିଜ ଶୟନ ଶଯ୍ୟା ଭିତରେ ଗଢ଼ି ହେଉଥିଲା ଗୋଟିଏ କବିପ୍ରାଣ । ଘରୋଇ ଭାବରେ ପାଠ୍ୟକ୍ରମ ସହ ଏହି ପୁସ୍ତକ ରାଶିକୁ ସେ ବନ୍ଧୁ ରୂପେ ଗ୍ରହଣ କରିଥିଲେ । ଏହି ପୁସ୍ତକମାନଙ୍କରୁ ରସ ସଂଗ୍ରହ କରି ଏକ ସର୍ଜନାୟକ ବୀଜ କ୍ରମଶଃ ପ୍ରକାଶ ଲୋଡ଼ୁଥିଲା । କିନ୍ତୁ ତାଙ୍କ ପିତା କେବେ ବି ଚାହୁଁ ନଥିଲେ ତାଙ୍କର ପ୍ରତିଭାମୟୀ କନ୍ୟା ତାଙ୍କ ପ୍ରତିଭା ଲୋକ ଲୋଚନକୁ ଆସୁ । ଶାରିରୀକ କଷ୍ଟ ଭୋଗୁଥିବା କନ୍ୟାର ପ୍ରତିଭାରେ ଆହୁରି କାହାର ନଜର ଲାଗି ମାନସିକ ସ୍ତରରେ ମଧ୍ୟ ପଙ୍ଗୁ ହୋଇଯାଉ । ମା ମଧ୍ୟ ତାଠାରୁ ଆହୁରି ବିଚିତ୍ର ଭାବ ଭିତରେ ବଞ୍ଚୁଥିଲେ । ମୋ ଅଲିଅଳି କନ୍ୟା ସେମିତି ଅଲିଅଳି ହୋଇ ରହୁ । ସେ ଜୀଇ ବଞ୍ଚି ରହୁ । ମୋର ନୟନ ପିତୁଳା ହୋଇରହୁ । ମୋ ପ୍ରତିଭା ମୟୀ କନ୍ୟାର ପ୍ରତିଭା ଉପରେ ଆଉ କାହାର ଦୃଷ୍ଟି ନ ପଡୁ । ଶାରୀରିକ ସ୍ତରରେ ଯେତିକି ଯନ୍ତ୍ରଣା ସେ ଭୋଗୁଛି ତାହାର ଅନ୍ତ ହେଉ । ସୁସ୍ଥ ଜୀବନଟିଏ ବଞ୍ଚୁ ମୋ ଝିଅ । କ’ଣ ମିଳିବ ସେ ପ୍ରତିଭାରୁ, ସେ ଯଦି ଏମିତି ସାରା ଜୀବନ ଅସୁସ୍ଥ ଜୀବନଟିଏ ବଞ୍ଚିଲା । ମୁଁ ତାକୁ ମୋ କାନି ତଳେ ସାତଗଣ୍ଠି ଦେଇ ରଖିବି । କୌଣସି ଅପଦୃଷ୍ଟି ଆଉ ତା’ର ମାନସିକ ସ୍ତରର ଯେମିତି କିଛି କ୍ଷତି ନ କରୁ । ସ୍ନେହଶୀଳା ମାଆ ଓ ସନ୍ତାନ ବତ୍ସଳ ବାପାଙ୍କର ଥିଲା ଏହି ବିଚାର ।
ନିୟତିର ବିଚାର ଥିଲା ଅନ୍ୟ ପ୍ରକାର । ପ୍ରତିଭା କ’ଣ କୋଉଠି କେବେ ଚାପି ହୋଇ ରହିପାରେ ? ତାର ଉଦ୍ଗୀରଣ ହେବ ହିଁ ହେବ । ସେ ଯେତେବେଳେ ପ୍ରକାଶ ଲୋଡେ଼ ସାତତାଳ ପଙ୍କ ଓ ସାତତାଳ ପାଣିକୁ ମଧ୍ୟ ଅନାୟସରେ ଭେଦି ବାହାରକୁ ଆସିପାରେ । ପ୍ରତିଭାମୟୀ ପ୍ରତିଭାଙ୍କ କ୍ଷେତ୍ରରେ ତାହାହିଁ ହୋଇଥିଲା । ତାଙ୍କର ପ୍ରତିଭା ତାଙ୍କୁ ଦ୍ୱିତୀୟ ଈଶ୍ୱରୀ ଆସନରେ ଅଧିଷ୍ଠିତା କରାଇଲା । ସେ ହଠାତ୍ ଈଶ୍ୱରୀ ପାଲଟିଗଲେ । ତାଙ୍କର ଈଶ୍ୱରୀୟ କବିତାମାନ ପାଠକଙ୍କ ହୃଦୟରେ ଐଶ୍ୱରିକ ଚେତନା ଭରିଦେଲା । ଯଥେଷ୍ଟ ଶ୍ରଦ୍ଧା ସମ୍ମାନ ଓ ଆଶୀର୍ବାଦର ପୁଷ୍ପ ତାଙ୍କ ଅଞ୍ଜଳିରେ ଅଜାଡ଼ି ହୋଇ ପଡ଼ିଲା । ତାଙ୍କର ଲେଖନୀ ଅଜସ୍ର ସ୍ରାବୀ ହେଲା । ତାଙ୍କ ସୃଷ୍ଟିର ମୁଖ୍ୟ ସ୍ୱର ହେଲା ଆଧ୍ୟାତ୍ମିକତା । କେବଳ ଆଧ୍ୟାତ୍ମିକତା ଭିତରେ ତାଙ୍କର ଦୃଷ୍ଟିକୋଣ ସୀମିତ ରହିଲା ନାହିଁ । ନିତ୍ୟନୈମିତିକ ଜୀବନ ସାଉଁଟିଥିବା ଅଜସ୍ର ଅନୁଭୂତି ହେଲା ତାଙ୍କର ସୃଷ୍ଟିର କ୍ୟାନଭାସ । ଆଉ ମାଆଙ୍କ ପରି ସାଧାରଣ ମଣିଷଟିଏ ମଧ୍ୟ ତାଙ୍କର “ଗୀତ” ଶୁଣି ଭାବ ବିହ୍ୱଳ ହୋଇଗଲେ । ସେ ମଧ୍ୟ ପ୍ରତିଭାମୟୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଗଲେ । ତାଙ୍କର ପ୍ରତିଭା ସର୍ବବ୍ୟାପୀ ହୋଇଗଲା । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କର ଲେଖା ପ୍ରକାଶିତ ହେଲା । ତାଙ୍କର ସାକ୍ଷାତ୍କାର ପ୍ରକାଶ କରିବା ପାଇଁ ଆଗ୍ରହ ପ୍ରକାଶ କଲେ । ଆକାଶବାଣୀ କଟକଙ୍କ ଆନୁକୂଲ୍ୟରେ କବିତା ଗଳ୍ପ ଏକାଙ୍କିକାମାନ ପ୍ରଚାରିତ ହେଲା । ତାଙ୍କର ଆଲୋକିତ ଅନ୍ଧାର ଏକାଙ୍କିକା ଅଗଷ୍ଟ ୧୯୯୬ରେ ପ୍ରକାଶିତ ହେଲା । ତାଙ୍କର ଆଲୋକିତ ଅନ୍ଧାର ଏକାଙ୍କିକା ଅଗଷ୍ଟ ୧୯୯୬ରେ ପ୍ରକାଶିତ ହୋଇଥିବା ବେଳେ ଅଗଷ୍ଟ ୧୯୯୪ ମାର୍ଚ୍ଚରେ ପ୍ରକାଶିତ ହୋଇଥିଲା ଅନୁରାଧା ଏକାଙ୍କିକା । ଏହାଛଡ଼ା ଆକାଶବାଣୀ କର୍ତ୍ତୃପକ୍ଷ ତାଙ୍କର ଏକ ସାକ୍ଷାତ୍କାର ମଧ୍ୟ ପ୍ରଚାରିତ କରିଥିଲେ ।
ପ୍ରତିଭା ଆଉ ପଛକୁ ଫେରି ନାହାଁନ୍ତି । ଶାରୀରିକ ଅକ୍ଷମତା ତାଙ୍କ ପ୍ରତିଭାର ବିକାଶ ପାଇଁ ଆଉ ପ୍ରତିବନ୍ଧକ ହୋଇ ରହିନାହିଁ । କବିତା କଳ୍ପ ଉପନ୍ୟାସ ଏକାଙ୍କିକା ପ୍ରବନ୍ଧ ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ଅଜସ୍ର ପାଠକୀୟତା ଅର୍ଜନ କରିଛନ୍ତି । ରାଜ୍ୟ ଓ ସର୍ବଭାରତୀୟ ସ୍ତରରେ ବହୁ ଲବ୍ଧ ପ୍ରତିଷ୍ଠିତ ସାରସ୍ୱତ ସ୍ରଷ୍ଟାମାନଙ୍କ ଲେଖା ସହ ତାଙ୍କ ଲେଖା ସ୍ଥାନ ପାଇଲା । ତାଙ୍କର ଲେଖାଗୁଡ଼ିକ ହିନ୍ଦୀ ଭାଷାରେ ଅନୁଦିତ ହୋଇ ସର୍ବଭାରତୀୟ ସ୍ୱୀକୃତୀ ପାଇଲା । ତାଙ୍କର ପ୍ରକାଶିତ ସାରସ୍ୱତ କୃତି ମାନଙ୍କ ମଧ୍ୟରେ ରହିଛି –
୧. ହଠାତ୍ ଈଶ୍ୱର ପାଲଟି ଯିବାର ମୋହରେ (କବିତା), ୨. ତୁମ ଠିକଣା ମୋତେ କେଉଁ ବା ଜଣା (କବିତା), ୩. ଈଶ୍ୱର ଈଶ୍ୱରୀୟ (କବିତା), ୪. ବାଜି (କବିତା), ୫. ଏଇମିତି ଆତଯାତ (କବିତା), ୬. କିଛି କବିତା (କବିତା), ୭. କିଛି କବିତା ପୁଣି ଥରେ (କବିତା), ୮. ଚମ୍ପାବତୀର ମୃତ୍ୟୁ(ଗଳ୍ପ), ୯. ଆଉଆ ମା ଓ ଅନ୍ୟାନ୍ୟ ଗଳ୍ପ, ୧୦. ମଣିଷ ମହାପ୍ରୁ (ଉପନ୍ୟାସ),୧୧. ବାଲିଘର (ଉପନ୍ୟାସ), ୧୨. ତିଳ ତର୍ପଣ (ଏକାଙ୍କିକା), ୧୩. ମୋ କବିତାର କଥା (ପ୍ରବନ୍ଧ) ।
ଏସବୁ ବ୍ୟତୀତ ସର୍ବଭାରତୀୟ ସ୍ତରରେ ସଂକଳିତ ପତ୍ରପତ୍ରିକା ଓ ସଂକଳନମାନଙ୍କରେ ପ୍ରକାଶିତ ପୁସ୍ତକମାନଙ୍କ ଭିତରେ ରହିଛି ରଶ୍ମିଧାବନଙ୍କ “ମହାନଦୀ ସେ ମନ୍ଦାକିନୀ” ପୁସ୍ତକରେ ପ୍ରତିଭାଙ୍କ କବିତା ହିନ୍ଦି ଭାଷାରେ ଅନୁଦିତ ହୋଇ ସ୍ଥାନ ପାଇଛି । ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତାଙ୍କ ଅନୁଦିତ ହିନ୍ଦି ସଂକଳନରେ ତାଙ୍କର କବିତା ଅନୁଦିତ ହୋଇ ସ୍ଥାନ ପାଇଛି ।
ଏତଦ୍ ବ୍ୟତୀତ କର୍ତ୍ତାର ସିଂ ଜୁଗଲ୍, ସାଦଦ୍ ହାସନ୍ ମଣ୍ଟୋ କେଦାର କାନନ ଓ ରାଜୀବ ବରୁଆଙ୍କର ଗଳ୍ପମାନଙ୍କୁ ସେ ଅନୁବାଦ କରିଛନ୍ତି । ଏଗୁଡ଼ିକ କଥା ମନୋରମା ଶତଭିୁଷା ଆଦି ପତ୍ରିକାରେ ପ୍ରକାଶିତ ହୋଇଛି ।
ପ୍ରତିଭାଙ୍କର ଜୀବନ ବ୍ୟାପୀ ସାଧାନାକୁ ଓଡ଼ିଶାବାସୀ ସସମ୍ମାନେ ସ୍ୱୀକୃତି ଦେଇଛନ୍ତି । ତାଙ୍କର ଓଟିଭି, ଇଟିଭି ଓ ଡିଡି-୧ରେ ସାକ୍ଷାତ୍କାର ପ୍ରସାରିତ ହୋଇଛି । ଓଡ଼ିଶା ସାହିତ୍ୟ ଏକାଡେମୀୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ଆୟୋଜିତ ବିଭିନ୍ନ ଅଧିବେଶନମାନଙ୍କରେ ଯୋଗ ଦେଇ କବିତା ଆବୃତ୍ତିରେ ଅଂଶ ଗ୍ରହଣ କରିଛନ୍ତି । (ଗୋପଳପୁର, ବିଶାଖାପାଟଣା, କଲିକତା) ଏନ୍ବିଟି ଆନୁକୂଲ୍ୟରେ ପ୍ରକାଶିତ ଗଳ୍ପ ଓ କବିତା ସଂକଳନରେ ତାଙ୍କର କବିତା ଇଂରେଜୀ ଭାଷାକୁ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ରାଜେନ୍ଦ୍ର ପ୍ରସାଦ ମିତ୍ରଙ୍କର ନିର୍ବାଚିତ ଓ ଅନୁଦିତ ସୁନ୍ଦରୀ ଚିଡ଼ିଆରେ ପ୍ରତିଭାଙ୍କର ଅନୁଦିତ ହିନ୍ଦି କବିତା ପ୍ରକାଶିତ ହୋଇଛି । ଓଡ଼ିଆ ପାଠକ ପାଠିକା ପ୍ରତିଭାଙ୍କ ପ୍ରତିଭାକୁ ସ୍ୱୀକୃତି ଦେଇଛନ୍ତି ।
ତାଙ୍କର ବହୁବିଧ ପ୍ରତିଭାକୁ ସମ୍ମାନ ଜଣାଇ ବିଭିନ୍ନ ଅନୁଷ୍ଠାନ ତାଙ୍କୁ ସମ୍ମାନ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛି ୧. ଓଡ଼ିଶା ସ୍ପଞ୍ଜ ଆଇରନ୍ ଲି. ଦ୍ୱାରା ସଂସ୍କୃତି ସମ୍ମାନ-୧୯୯୨, ୨. ଗୋଦାବରୀଶ ସାହିତ୍ୟ ସଂସ୍କୃତି ସମ୍ମାନ-୧୯୯୬, ୩. ସୁଧନ୍ୟା ପତ୍ରିକା ସମ୍ମାନ- ୧୯୯୯, ୪. ସପ୍ତର୍ଷି (ସମ୍ବଲପୁର ବିଶ୍ୱବିଦ୍ୟାଳୟ) ସମ୍ମାନ – ୨୦୦୦, ୫. ଚଲାପଥ ସ୍ମୃତି ସମ୍ମାନ-୨୦୦୧ ୬. ଚିନ୍ତା ଓ ଚେତନା ସମ୍ମାନ – ୨୦୦୨, ୭. ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟସା-୨୦୦୫, ୮. ଦୁର୍ଗାମାଧବ ସ୍ମୃତି ସମ୍ମାନ-୨୦୦୫, ୯. ପୂଜ୍ୟପୂଜା ସ୍ମୃତି ସମ୍ମାନ-୨୦୦୬, ୧୦. ଇନର୍ ହୁଇଲ୍ ରୋଟାରୀ ସମ୍ମାନ-୨୦୦୮, ୧୧. ପଦ୍ମନାଭ ସ୍ମୃତି ସମ୍ମାନ-୨୦୦୯ ।
ପ୍ରତିଭାମୟୀ ପ୍ରତିଭାଙ୍କର ପ୍ରତିଭାରେ ଓଡ଼ିଆ ସାରସ୍ୱତ ଭଣ୍ଡାର ସମୃଦ୍ଧ ହୋଇଛି । ତାଙ୍କର ଅଜସ୍ର ସାବ୍ରୀ ଲେଖନୀ ଏବେ ସୁଦ୍ଧା ନିଷ୍କି୍ରୟ ହୋଇନାହିଁ । ସଚ୍ଚିବାଳୟରେ ନିଜର ଦୀର୍ଘ କର୍ମମୟ ଜୀବନରୁ ଅବ୍ୟାହତି ନେଇ ସେ ଏବେ ନିଜକୁ ସୃଜନ କର୍ମରେ ଲିପ୍ତ କରିଛନ୍ତି । ତାଙ୍କର ସରଳ ଅମାୟିକ ବ୍ୟବହାର ସହ ପ୍ରଜ୍ଞାଦୀପ୍ତ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଆକୃଷ୍ଟ କରେ । ତାଙ୍କର ଦୀର୍ଘ ନିରାମୟ ଓ ସୃଜନଶୀଳ ଜୀବନ ଆମେ କାମନା କରୁଛୁ ।
ଡ଼ ବାସନ୍ତୀ ମହାନ୍ତି
ବିଶିଷ୍ଟ ସାହିତ୍ୟିକା ଓ ସ୍ତମ୍ଭକାର
ଆସୋସିଏଟ୍ ପ୍ରଫେସର, ଓଡ଼ିଆ ବିଶ୍ୱବିଦ୍ୟାଳୟ
୨୧୩ ସି-ବ୍ଲକ୍, ଏମେରାଲ୍ଡ ଆପାର୍ଟମେଣ୍ଟ୍,
ଲକ୍ଷ୍ମୀସାଗର, ଭୁବନେଶ୍ୱର-୭୫୧୦୦୬
ମୋ- ୯୪୩୭୦୩୩୦୭୪
ଇ-ମେଲ -basantimohanty12@gmail.com


