® ISSN : 3107-4979 | A Bilingual (Odia & English) Bimonthly Special Newspaper Covering News and Views on Disabilities | ® RNI Regd. No. ODIBIL/2016/67738

ଜାପାନର ଆଇଚି ନାଗୋୟା ନ୍ୟାସନାଲ ଷ୍ଟାଡିୟମରେ ଗତ ଅକ୍ଟୋବର ମାସ ୧୮ ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ୫ମ ଏସିଆନ୍ ପାରା ଗେମ୍ସ । ପ୍ରତି ୪ ବର୍ଷରେ ହେଉଥିବା ଏହି ମେଗା ପ୍ରତିଯୋଗିତାରେ ୪୫ଟି ଦେଶରୁ ପ୍ରାୟ ୨୫୯୦ ଜଣ ପାରା ଆଥଲେଟ୍ ଅଂଶଗ୍ରହଣ କରିଥିଲେ । ୧୮ଟି ସ୍ପୋର୍ଟ୍ସ ଇଭେନ୍ଟରେ ମୋଟ ୨୦ଟି ବିଶ୍ଵ ରେକର୍ଡ ସୃଷ୍ଟି ହୋଇଥିଲା । ଭାରତୀୟ ଦଳ ତାର ସର୍ବ ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରି ୪ର୍ଥ ସ୍ଥାନ ଅଧିକାର କରିବା ସହ ୩୦ସ୍ଵର୍ଣ୍ଣ, ୩୦ରୌପ୍ୟ ଓ ୪୯ଟି ବ୍ରୋଞ୍ଚ ପଦକ ସହିତ ମୋଟ ୧୧୪ଟି ପଦକ ହାସଲ କରି ଏକ ନୂତନ ରେକର୍ଡ ହାସଲ କରିଛି । କେବଳ ଏତିକି ନୁହେଁ, କ୍ରମାଗତ ଗତ ୨୦୨୨ରେ ଅନୁଷ୍ଠିତ ୪ର୍ଥ ଏସିଆନ୍ ପାରା ଗେମ୍ସ ଓ ଚଳିତ ୨୦୨୬ର ୫ମ ସଂସ୍କରଣରେ କ୍ରମାଗତ ୨ୟ ଥର ପାଇଁ ୧୦୦ରୁ ଊର୍ଦ୍ଧ୍ଵ ପଦକର ଅଙ୍କକୁ ପାର କରିପାରିଛି । ଏହି ଅବିସ୍ମରଣୀୟ ଯାତ୍ରା ଦେଶର ପାରାକ୍ରିଡାବିତ୍ ମାନଙ୍କ ଆତ୍ମବିଶ୍ଵାସ ବୃଦ୍ଧି କରିବାସହ ଆତ୍ମ ପରିଚୟ ଦେବାରେ ଏକ ନୂଆ ଦିଗନ୍ତକୁ ଚିହ୍ନାଇ ଦେଇଛି । ଅଧିକନ୍ତୁ, ଏହି ଗୌରବମୟ ଯାତ୍ରାରେ ଓଡିଶାର ୪ଜଣ ଚଳିତ ବର୍ଷ କ୍ରୀଡାରେ ସାମିଲ ହୋଇ ସେମାନଙ୍କର କ୍ରୀଡା ସାମର୍ଥ୍ୟ ପ୍ରଦର୍ଶନ କରିବା ସହ ପଦକ ବିଜେତା ମଧ୍ୟ ହୋଇପାରିଛନ୍ତି ।

ଏଠାରେ ଉପସ୍ଥାପିତ କରୁଛୁ ଏସିଆନ୍ ପାରା ଗେମ୍ସରେ ଅଂଶ ଗ୍ରହଣ କରିଥିବା ସଫଳ ଓଡିଆ ପ୍ରତିଯୋଗୀ ତଥା ଜାତୀୟ ଓ ରାଜ୍ୟ ପାରାକ୍ରୀଡା ସଂଘ କର୍ମକର୍ତ୍ତାଙ୍କ ଅଭିଜ୍ଞତା, ଅନୁଭବ ଓ ଭବିଷ୍ୟତର ଆକାଂକ୍ଷାକୁ ନେଇ ଏକ ତିକ୍ତ ମଧୁର ଚିତ୍ର ।

ପ୍ରସ୍ତୁତି ଓ ଉପସ୍ଥାପନା: ପୁନର୍ବାସ ସମାଚାର

ପ୍ରମୋଦ ଭଗତ

ଆନ୍ତର୍ଜାତୀୟ ପାରାବ୍ୟାଡମିଣ୍ଟନ୍ ଖେଳାଳି ଏବଂ
ଚଳିତ ପାରା ଏସିଆଡର ବ୍ୟାଡମିଣ୍ଟନ୍ ବିଭାଗରେ ପୁରୁଷ ବର୍ଗରେ ରୌପ୍ୟ ଓ ମିକ୍ସ୍ଡ ବର୍ଗରେ କାଂଶ୍ୟ ପଦକ ବିଜେତା

ମୁଁ ଯୁବ ଖେଳାଳିମାନଙ୍କୁ କହିବି,ନିଜ ଉପରେ ବିଶ୍ୱାସ ରଖନ୍ତୁ,ନିୟମିତ ଅଭ୍ୟାସ କରନ୍ତୁ ଏବଂ ପରିଶ୍ରମ ଜାରି ରଖନ୍ତୁ । ଧୈର୍ଯ୍ୟର ସହ ପ୍ରଚେଷ୍ଟା ଜାରି ରଖିଥାନ୍ତୁ, ନିହାତି ସଫଳ ହେବେ ।

ପ୍ରମୋଦ ଭଗତ
ପ୍ରମୋଦ ଭଗତ

ପ୍ର: ଚଳିତ ବର୍ଷ ଆପଣଙ୍କର ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ ବହୁତ ଭଲ ଥିଲା, ତେବେ ପାରା-ଏସିଆନ୍‌ ପ୍ରତିଯୋଗିତାରେ ଆପଣଙ୍କ ଅନୁଭୂତି କିପରି ବୟାନ କରିବେ ?
ଉ: ଚଳିତ ବର୍ଷ ଏସିଆନ୍‌ ପ୍ରତିଯୋଗିତାରେ ମୋର ପ୍ରଦର୍ଶନ ଠିକ୍‌ଠାକ୍‌ ଥିଲା । ମୁଁ ଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲି,କିନ୍ତୁ ଫାଇନାଲ୍‌ରେ ଆଶା ଅନୁଯାୟୀ ଭଲ ଖେଳିପାରିଲି ନାହିଁ। ତଥାପି ରୌପ୍ୟ ପଦକ ଜିତିଥିବାରୁ ମୁଁ ବହୁତ ଖୁସି । ମୋ ଜୀବନରେ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାରୁ ରୌପ୍ୟ ପଦକ ନେଇ ଫେରିବା ମୋ ପାଇଁ ଏକ ବଡ଼ ସଫଳତା ଓ ଗର୍ବର ବିଷୟ ।

ପ୍ର: ଆଗାମୀ ଏସିଆନ୍‌ ପ୍ରତିଯୋଗିତାକୁ ନେଇ ଆପଣଙ୍କର ଲକ୍ଷ୍ୟ କ’ଣ ?
ଉ: ଆଗାମୀ ପ୍ରତିଯୋଗିତା ପାଇଁ ମୁଁ ଏବେଠାରୁ ପ୍ରସ୍ତୁତି ଜାରି ରଖିବି। ଗତ ପ୍ରତିଯୋଗିତାରେ ମୋର ଯେଉଁ ଦୁର୍ବଳତା ରହିଥିଲା,ସେଗୁଡ଼ିକୁ ଚିହ୍ନଟ କରି ସୁଧାରିବାକୁ ଚେଷ୍ଟା କରିବି । ଅଧିକ ପରିଶ୍ରମ ଓ ନିୟମିତ ଅଭ୍ୟାସ ମାଧ୍ୟମରେ ଆଗାମୀ ଥର ସ୍ୱର୍ଣ୍ଣ ପଦକ ଜିତିବା ମୋର ଲକ୍ଷ୍ୟ। ମୋର ବିଶ୍ୱାସ,ଭଲ ପ୍ରସ୍ତୁତି କରିପାରିଲେ ନିଶ୍ଚୟ ସେହି ସଫଳତା ହାସଲ କରିପାରିବି ।

ପ୍ର: ଜଣେ ସଫଳ ରେକର୍ଡଧାରୀ ପାରା କ୍ରୀଡାବିତ୍ ଭାବେ ପାରା ବ୍ୟାଡମିଣ୍ଟନ୍‌ରେ ଓଡ଼ିଶାରୁ ଯେଉଁମାନେ ନୂଆ ଖେଳୁଛନ୍ତି ସେମାନଙ୍କୁ କେମିତି ଉତ୍ସାହିତ କରିବେ ଓ କ’ଣ ବାର୍ତ୍ତା ଦେବେ ?
ଉ: ଓଡ଼ିଶାର ଏବେ ପାରା ବ୍ୟାଡମିଣ୍ଟନ୍‌ ଖେଳାଳିମାନେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି । ଏହା ଆମ ରାଜ୍ୟ ପାଇଁ ଗର୍ବର ବିଷୟ। ଏସିଆନ୍‌ ପ୍ରତିଯୋଗିତାକୁ ଓଡ଼ିଶାରୁ ଚାରିଜଣ ଖେଳାଳି ଯାଇଥିଲେ ଏବଂ ସେମାନେ ସମସ୍ତେ ପଦକ ଜିତି ଫେରିଥିଲେ। ସେଥିରେ ତିନୋଟି ରୌପ୍ୟ ପଦକ ଓ ଗୋଟିଏ ବ୍ରୋଞ୍ଜ ପଦକ ଥିଲା । ଏହା ଆମ ପାଇଁ ଏକ ବଡ଼ ଉପଲବ୍ଧି । ଆମେ ପ୍ରାୟ ୯୦ ପ୍ରତିଶତ ସଫଳତା ହାସଲ କରିଛୁ ବୋଲି କହିପାରିବବା । ଏହି ସଫଳତା ଦେଖି ଓଡ଼ିଶାର ଯୁବ ପିଢ଼ି ନିଶ୍ଚୟ ପ୍ରେରଣା ପାଇବେ ଏବଂ ଆଗାମୀ ଦିନରେ ପାରା ବ୍ୟାଡମିଣ୍ଟନ୍‌ କ୍ଷେତ୍ରରେ ଆହୁରି ଭଲ ପ୍ରଦର୍ଶନ କରିବେ ।

ଜୟନ୍ତୀ ବେହେରା

ଜୟନ୍ତୀ ବେହେରା

ଆନ୍ତର୍ଜାତୀୟ ପାରାଧାବିକା ଏବଂ
ଚଳିତ ପାରା ଏସିଆଡର ୪୦୦ ମିଟର ଦୌଡରେ ରୌପ୍ୟ ପଦକ ବିଜେତା

ଓଡ଼ିଶା ସରକାର ପାରା ଆଥଲେଟ୍‌ମାନଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ୍‌, ରହିବା ଓ ଖାଇବା ସୁବିଧା, ଉପଯୁକ୍ତ ଟ୍ରେନିଂ ବ୍ୟବସ୍ଥା ଏବଂ ଆବଶ୍ୟକ ସହାୟତା ଯୋଗାଇ ଦିଅନ୍ତୁ। ତେବେ ଓଡ଼ିଶାର ଅନେକ ପ୍ରତିଭାବାନ ପାରା ଆଥଲେଟ୍‌ ଆଗକୁ ଆସିବେ ଏବଂ ରାଜ୍ୟ ତଥା ଦେଶର ନାଁ ଉଜ୍ଜ୍ୱଳ କରିବେ ।

ପ୍ର: ଭାରତୀୟ ପାରା ଆଥଲେଟ୍‌ମାନଙ୍କର ପ୍ରଦର୍ଶନକୁ ଆପଣ କିପରି ଦେଖୁଛନ୍ତି ?
ଉ: ଭାରତୀୟ ପାରା ଆଥଲେଟ୍‌ମାନଙ୍କର ପ୍ରଦର୍ଶନ ଆଜି ଅତ୍ୟନ୍ତ ଉତ୍କୃଷ୍ଟ । ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଆମ ପାରା ଆଥଲେଟ୍‌ମାନେ ବହୁତ ପରିଶ୍ରମ ଓ ନିଷ୍ଠାର ସହିତ ଅଭ୍ୟାସ କରି ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି । ପ୍ରତ୍ୟେକ ପ୍ରତିଯୋଗିତାରେ ସେମାନଙ୍କର ପ୍ରଦର୍ଶନରେ ଉନ୍ନତି ହେଉଛି । କେହି ଚାଲିବାରେ ଅସମର୍ଥ, କାହାର ହାତରେ ସମସ୍ୟା ଅଛି, ତଥାପି ସମସ୍ତ ବାଧାବିଘ୍ନକୁ ପଛରେ ପକାଇ ସେମାନେ ପଦକ ଜିତି ଦେଶକୁ ଗୌରବାନ୍ୱିତ କରୁଛନ୍ତି । ଆନ୍ତର୍ଜାତୀୟ ମଞ୍ଚରେ ଭାରତର ଜାତୀୟ ପତାକା ଉଡ଼ାଇବା ନିଶ୍ଚିତ ଭାବେ ଆମ ପାଇଁ ଅତ୍ୟନ୍ତ ଖୁସି ଓ ଗର୍ବର ବିଷୟ ।

ପ୍ର: ପାରା ଆଥଲେଟ୍‌ମାନେ ଏବର୍ଷ ବହୁତ ଭଲ ପ୍ରଦର୍ଶନ କଲେ,କିନ୍ତୁ ଓଡିଶାରୁ ମାତ୍ର ଦୁଇ ଜଣ ଯୋଗ ଦେଇଥିଲେ । ତେବେ ଜାତୀୟ ସ୍ତରରେ ଆମ ରାଜ୍ୟର ପ୍ରତିନିଧିତ୍ବ କେମିତି ଭଲ ହୋଇ ପାରିବ ?
ଉ: ଆମ ଦଳରେ ପ୍ରାୟ ୬୨ ଜଣ ଆଥଲେଟ୍‌ ଚୟନ ହୋଇଥିଲେ ଏବଂ ଆମେ ଭଲ ପ୍ରଦର୍ଶନ କରି ଦୁଇଟି ପଦକ ମଧ୍ୟ ଜିତିଛୁ।
ପ୍ରଥମ କଥା ହେଉଛି ଓଡ଼ିଶାର ପାରା ଆଥଲେଟ୍‌ମାନଙ୍କ ପାଇଁ ଆବଶ୍ୟକ ସୁବିଧାର ଅଭାବ ରହିଛି । ସାଧାରଣ ଆଥଲେଟ୍‌ମାନଙ୍କୁ ଯେଉଁ ସୁବିଧା ମିଳୁଛି,ପାରା ଆଥଲେଟ୍‌ମାନେ ସେହି ଅନୁପାତରେ ସୁବିଧା ପାଉନାହାନ୍ତି । ସରକାରଙ୍କ ସହିତ ବିଭିନ୍ନ ସଂସ୍ଥା ଓ ସ୍ପନସରମାନେ ମଧ୍ୟ ସାଧାରଣ ଆଥଲେଟ୍‌ମାନଙ୍କୁ ସହଯୋଗ କରୁଛନ୍ତି । କିନ୍ତୁ ପାରା ଆଥଲେଟ୍‌ମାନଙ୍କ ପାଇଁ ଏପରି ସହଯୋଗ ଓ ସୁବିଧା ଯଥେଷ୍ଟ ନୁହେଁ । ଯଦି ପାରା ଆଥଲେଟ୍‌ମାନଙ୍କୁ ରହିବା,ଖାଇବା ଓ ନିୟମିତ ଅଭ୍ୟାସ କରିବାର ସୁବିଧା ମିଳେ, ତେବେ ଅଧିକରୁ ଅଧିକ ପିଲା କ୍ରୀଡ଼ା କ୍ଷେତ୍ରକୁ ଆସିବେ । ରାଜ୍ୟସ୍ତରରେ ଯଦି ମାତ୍ର ୫୦୦ ଜଣ ପିଲା ଭାଗ ନେବାକୁ ଆସିଥିଲେ,ତେବେ ଜାତୀୟ ସ୍ତରରେ ୪୦-୫୦ ଜଣ ଖେଳାଳି ଗଲେ ଖେଳିବାକୁ । ତେବେ ଆନ୍ତର୍ଜାତୀୟ ସ୍ତରକୁ କାହିଁକି ଯାଇ ପାରିବେନି ।

ପ୍ର: ପାରା ଆଥଲେଟ୍‌ମାନଙ୍କ ପାଇଁ ଷ୍ଟାଡିୟମ୍‌ ଓ ହଷ୍ଟେଲ୍‌ ସୁବିଧା କେତେ ଜରୁରୀ ?
ଉ: ଏହା ଏକ ବଡ଼ ସମସ୍ୟା। ଓଡ଼ିଶାର ଅନେକ ପାରା ଆଥଲେଟ୍‌ ଷ୍ଟାଡିୟମ୍‌ରେ ଅଭ୍ୟାସ କରିବାକୁ ଆସୁଛନ୍ତି,କିନ୍ତୁ ସେମାନଙ୍କ ପାଇଁ ହଷ୍ଟେଲ୍‌ କିମ୍ବା ରହିବାର ସୁବିଧା ନାହିଁ। ଫଳରେ ସେମାନଙ୍କୁ ଭଡ଼ା ଘରେ ରହି ନିଜ ଖର୍ଚ୍ଚରେ ଖାଇବା ଓ ରହିବା ବ୍ୟବସ୍ଥା କରିବାକୁ ପଡ଼ୁଛି।
ବିଶେଷକରି ହ୍ୱିଲ୍‌ଚେୟାର ବ୍ୟବହାର କରୁଥିବା ନୂଆ ଖେଳାଳିମାନଙ୍କ ପାଇଁ ଏହା ଆହୁରି କଷ୍ଟକର। ସେମାନଙ୍କୁ ଉପଯୁକ୍ତ ଟ୍ରେନିଂ ଦରକାର । କିନ୍ତୁ ରହିବା ଓ ଅଭ୍ୟାସ କରିବାର ସୁବିଧା ନଥିଲେ ସେମାନେ କିପରି ନିୟମିତ ଅଭ୍ୟାସ କରିପାରିବେ ? ଯଦି ଷ୍ଟାଡିୟମ୍‌ ନିକଟରେ ପାରା ଆଥଲେଟ୍‌ମାନଙ୍କ ପାଇଁ ହଷ୍ଟେଲ୍‌, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଏ,ତେବେ ବହୁତ ଜୟନ୍ତୀ ବାହାରିବେ,ବହୁତ ସୁଚିତ୍ରା ବାହାରିବେ ।

ସୁନୀଲ କୁମାର ପ୍ରଧାନ

ସମ୍ପାଦକ, ଓଡିଶା ପାରାକ୍ରୀଡା ସଂଘ

ପ୍ର: ଚଳିତ ପାରା ଏସିଆନ୍‌ ଗେମ୍ସରେ ଭାରତ ପକ୍ଷରୁ ୧୬୭ ଜଣ ଆଥଲେଟ ୧୧ଟି ଶୃଙ୍ଖଳାରେ ଭାଗ ନେଇଥିବାବେଳେ ଓଡିଶାରୁ ମାତ୍ର ୪ ଜଣ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ । ଏହି ପ୍ରତିନିଧିତ୍ଵର ସଂଖ୍ୟାକୁ ଯଥେଷ୍ଟ ବୋଲି ମନେ କରନ୍ତି କି ?
ଉ: ଏଥର ଯେହେତୁ ଫେନ୍‌ସିଂର ଆମର ଚାରିଜଣ ସିଲେକ୍ସନ ହେଇଥିଲେ,କିନ୍ତୁ ଫେନ୍‌ସିଂର ଇଭେଣ୍ଟ ସ୍ପୋର୍ଟସ୍ ଅଥୋରିଟି ଅଫ୍ ଇଣ୍ଡିଆ ପଠେଇଲେ ନାହିଁ । ଯେହେତୁ ତାଙ୍କର ରାଙ୍କ୍ ଅଧିକ ଥିଲା ବୋଲି ନଚେତ୍ ଆମର ସେଇଟା ଆଠଜଣ ହେଇଥାନ୍ତେ । ଚାରିଜଣ କେବଳ ଇଣ୍ଡିଭିଜୁଆଲ୍ ଇଭେଣ୍ଟରେ ଗଲେ—ଆଥ୍‌ଲେଟିକ୍‌ରେ ଦୁଇଜଣ,ବ୍ୟାଡ୍‌ମିଣ୍ଟନ୍‌ରେ ଜଣେ ପ୍ରମୋଦ ଭଗତ, ଆଉ ପାୟଲ୍ ନାଗ ଆର୍ଚେରୀରେ ।

ସୁନୀଲ କୁମାର ପ୍ରଧାନ
ସୁନୀଲ କୁମାର ପ୍ରଧାନ

ଆଥ୍‌ଲେଟିକ୍ସରେ ବହୁତ ପିଲା ପାଖାପାଖି ରାଙ୍କ୍ ଥିଲେ କିନ୍ତୁ ଯାଇପାରିଲେନି ଏଇଥିପାଇଁ କି ସେମାନଙ୍କର ଇଣ୍ଟରନ୍ୟାସନାଲ୍ କ୍ଲାସିଫିକେସନ୍ ହେଇନଥିଲା । ଯେମିତି ଜାନକୀ ବରାମ ହେଲା,ଯଦୁନାଥ ମାଝୀ ହେଲା—ଏମାନଙ୍କର କ୍ଲାସିଫିକେସନ୍ ହେଇନଥିଲା ନଚେତ୍ ଆଥ୍‌ଲେଟିକ୍‌ରେ ଆହୁରି ପିଲା ଯାଇଥାନ୍ତେ ।

ପ୍ର: ଓଡିଶାରେ ପାରାକ୍ରୀଡାର ଭିତ୍ତିଭୂମିକୁ କିପରି ରହିଛି ?
ଉ: ଭିତ୍ତିଭୂମି କହିଲେ,କଳିଙ୍ଗ ଷ୍ଟାଡିୟମ୍ ଅଛି । ସେମିତି ଷ୍ଟାଡିୟମ୍‌ରେ ପ୍ରାକ୍ଟିସ୍ କରିବାକୁ ଦିଆଯାଉଛି କିନ୍ତୁ ଅନ୍ୟ ଜିଲ୍ଲାସ୍ତରରେ ବି ଭଲ ପିଲା ଯଦି ପ୍ରାକ୍ଟିସ୍ କରନ୍ତେ ଆଉ ଷ୍ଟେଟ୍‌କୁ ରିପ୍ରେଜେଣ୍ଟେସନ୍ ଭଲ ହୁଅନ୍ତା, ତାହେଲେ ପାରା ପିଲାମାନେ ଆଗକୁ ଏସିଆନ୍,ୱାର୍ଲ୍ଡ ଚାମ୍ପିୟନ୍‌ସିପ୍ ଏବଂ ଅଲମ୍ପିକ୍‌ରେ ଯାଇପାରିବେ ।

ପ୍ର: ଚଳିତ ପାରା ଏସିଆଡରେ ଭାରତର ପ୍ରଦର୍ଶନ ଖୁବ୍ ଉଚ୍ଚକୋଟିର ରହିଥିଲା । ଏହାକୁ କିପରି ଦେଖନ୍ତି ?
ଉ: ଆଥ୍‌ଲେଟିକ୍‌ରେ ଟୋଟାଲ୍ ଆମର ୬୦ଟା କୋଟା ଥିଲା । ଟପ୍ ସିକ୍ସରେ ଆମର ୧୮୦ ଜଣ କେବଳ ଆଥ୍‌ଲେଟିକ୍‌ରେ କ୍ୱାଲିଫାଏ କରିଥିଲେ । କିନ୍ତୁ କେବଳ ଫାର୍ଷ୍ଟ,ସେକେଣ୍ଡକୁ ନିଆଯାଇଛି । ୬୩ ଜଣ ଯାଇଥିଲେ,୬୫ ଜଣ ପାଇଲେ। ଲାଷ୍ଟ ତିନିଜଣ,ତିନିଟା ସିଟ୍ ଆମକୁ ଆସିଲା ତ ୬୩ ହେଇଥିଲା । ତେବେ ଯଦି ଅଧିକ ଆମକୁ ମିଳିଥାନ୍ତା କୋଟା,ଲିମିଟେଡ୍ ନଥାନ୍ତା ତାହେଲେ ଆମର ମେଡାଲ୍ ଆହୁରି ବଢ଼ିଥାନ୍ତା ।

ପାରାସ୍ପୋର୍ଟ୍‌ସରେ ମେଜର୍ ପ୍ରୋବ୍ଲେମ୍ ହେଉଛି କ୍ଲାସିଫିକେସନ୍। କିଏ କୋଉ କାଟାଗୋରୀରେ ଖେଳିବ,ତାହା କ୍ଲାସିଫିକେସନ୍ ହେଲାପରେ ହିଁ ଜଣାପଡ଼ିବ । ଏସିଆନ୍ ଗେମ୍‌ରେ ବିନା କ୍ଲାସିଫିକେସନ୍‌ରେ ପିଲାଙ୍କୁ ନେଇ ହେବନି । ପୁଣି ଇଣ୍ଟରନ୍ୟାସନାଲ୍ କ୍ଲାସିଫିକେସନ୍ ପାଇଁ ସ୍ଲଟ୍ ପ୍ରାୟ ମିଳେନି । ଯେମିତି କେବଳ ଇଣ୍ଡିଆରେ ମାର୍ଚ୍ଚ ମାସରେ ଗ୍ରାଣ୍ଡ ପ୍ରିକ୍ସ ଟୁର୍ଣ୍ଣାମେଣ୍ଟ ହେଇଥିଲା,ଆମକୁ ସ୍ଲଟ୍ କିଛିଟା ମିଳିଥିଲା କିନ୍ତୁ ଓଡ଼ିଶା ପିଲାଙ୍କ ଭାଗରେ ପଡ଼ିଲାନି । ବାହାରେ ଯାହା ସବୁ ଇଭେଣ୍ଟ ହେଲା,ଆମେ ବି ପଠେଇବା ପାଇଁ ଚେଷ୍ଟା କଲୁ,ସେଇ ଜାଗାରେ କ୍ଲାସିଫିକେସନ୍ ବିଶେଷ କରିକି ବ୍ଲାଇଣ୍ଡ ପିଲାଙ୍କର କ୍ଲାସିଫିକେସନ୍ ନଥିଲା । ଏଇ ବର୍ଷ ଯେମିତି ହେଲେ ବି ସେମାନଙ୍କର କ୍ଲାସିଫିକେସନ କରିଦେବୁ ।

ପ୍ର: ପାରା ଏସିଆନ କ୍ରୀଡ଼ାବିତଙ୍କ ସଫଳତା,ଏହା କିପରି ଆଗକୁ ପାରା କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହିତ କରି ପାରିବ ?
ଉ: ଆମ ଖେଳରେ ଯେଉଁମାନେ ଅଂଶଗ୍ରହଣ କରୁଛନ୍ତି,ସେମାନେ ଗୋଟିଏ ଇଭେଣ୍ଟରେ ନିରନ୍ତର ଭାବରେ ଯଦି ଧ୍ୟାନ ଦେବେ,ତେବେ ସେମାନେ ନିଶ୍ଚୟ ସଫଳ ହେବେ । ଆମର ଟ୍ୟାଲେଣ୍ଟେଡ଼ ପିଲାମାନେ ବି ଅଛନ୍ତି ।

ତୃଣମୂଳ ସ୍ତରରେ ଆମେ ଏବେଯାଏଁ ପହଞ୍ଚିନାହୁଁ । ଆମେ ଆଗରୁ ସ୍ପୋର୍ଟ୍ସ ଡିପାର୍ଟମେଣ୍ଟକୁ ଚିଠି କରିଥିଲୁ । ସେମାନେ ଜିଲ୍ଲାପାଳଙ୍କୁ ଇନ୍‌କ୍ଲୁଡ୍ କରିକି ଆମ ପିଲାମାନଙ୍କୁ ଡିଷ୍ଟ୍ରିକ୍ଟ ଚାମ୍ପିୟନ୍‌ସିପ୍‌ରେ ହେଲ୍ପ କରିବେ ବୋଲି । ଏବେ ଆମେ ସେଇ ଜାଗାରେ ପହଞ୍ଚିନାହୁଁ । ଡିଷ୍ଟ୍ରିକ୍ଟ ସ୍ତରରେ କି ବ୍ଲକ୍ ସ୍ତରରେ ପହଞ୍ଚିଛୁ କିନ୍ତୁ ଭଲ ଭାବରେ ପହଞ୍ଚିନୁ । ଆମକୁ ଜିଲ୍ଲା ସ୍ତରରେ ଆଉ ଟିକିଏ ସଚେତନ ହେବାର ଅଛି । ଆଉ କମିଟିଗୁଡିକୁ ଶକ୍ତ କରିବାର ଅଛି । ଆମେ ଚେଷ୍ଟା କରୁଛୁ ସବୁ ଜିଲ୍ଲାରେ ପହଞ୍ଚିବା ପାଇଁ । କିନ୍ତୁ ସେଠାକାର ଲୋକାଲ ଅର୍‌ଗାନାଇଯେସନ ହିଁ ସାହାର୍ଯ୍ୟ କରିବା ଦରକାର ।

Leave a Reply

Your email address will not be published. Required fields are marked *

Related Posts