® ISSN : 3107-4979 | A Bilingual (Odia & English) Bimonthly Special Newspaper Covering News and Views on Disabilities | ® RNI Regd. No. ODIBIL/2016/67738

୨୦୨୭ ଜନଗଣନା ଗଣତି ପାଇଁ ମାତ୍ର ୯ଟି ଶ୍ରେଣୀ ପ୍ରସ୍ତାବିତ କରାଯାଇଛି । ଏଥିପାଇଁ ବିଭିନ୍ନ ଭିନ୍ନକ୍ଷମ ସଂଗଠନଗୁଡ଼ିକ ସ୍ୱର ଉତ୍ତୋଳନ କରିଛନ୍ତି। ଲଦାଖ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶର ବରଫାବୃତ ଅଞ୍ଚଳଗୁଡ଼ିକ ପାଇଁ ନିକଟରେ ଆରମ୍ଭ ହୋଇଥିବା ଆତ୍ମ-ଗଣତି ପ୍ରକ୍ରିୟାରେ ଦିଆଯାଇଥିବା ଫର୍ମକୁ ଆଧାର କରି ସେମାନେ ଏହି ଚିନ୍ତା ପ୍ରକଟ କରିଛନ୍ତି । ବରଫାବୃତ ଅଞ୍ଚଳଗୁଡ଼ିକ ପାଇଁ ଜନସଂଖ୍ୟା ଗଣନାର ଦ୍ଵିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧ ରୁ ୩୦ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଚଳିତ ବର୍ଷ ମାର୍ଚ୍ଚ ମାସରେ, ଜନଗଣନା ୨୦୨୭ରେ ୨୧ ପ୍ରକାରର ଭିନ୍ନକ୍ଷମତାର ତଥ୍ୟ ସଂଗ୍ରହ କରାଯିବ ଏବଂ ଏହି ପ୍ରକ୍ରିୟା ଭିନ୍ନକ୍ଷମମାନଙ୍କ ପାଇଁ ଲକ୍ଷ୍ୟଭିତ୍ତିକ ନୀତି ପ୍ରଣୟନ କରିବାର ଏକ ଐତିହାସିକ ସୁଯୋଗ ହେବ ବୋଲି କହିଥିଲେ ।

‘ପଲିଟିକ୍ସ ଆଣ୍ଡ ଡିଜେବିଲିଟି ଫୋରମ୍’ ଦ୍ବାରା ପ୍ରାପ୍ତ ସୂଚନା ଅନୁଯାୟୀ ବିବୃତିରେ କୁହାଯାଇଛି ଯେ, ଏହି ଗଣତିରେ ମାତ୍ର ୯ଟି ଭିନ୍ନକ୍ଷମତା ଶ୍ରେଣୀକୁ ରେକର୍ଡ କରିବାକୁ ପ୍ରସ୍ତାବ ଦିଆଯାଇଛି: ଦୃଷ୍ଟିଶକ୍ତି, ଶ୍ରବଣଶକ୍ତି, ବାକ୍-ଶକ୍ତି , ଚଳପ୍ରଚଳ , ବୌଦ୍ଧିକ ଅକ୍ଷମତା, ମାନସିକ ଅସୁସ୍ଥତା, ଏସିଡ୍ ଆକ୍ରମଣ ଜନିତ ଅକ୍ଷମତା, ଦୀର୍ଘକାଳୀନ ସ୍ନାୟୁଗତ ଜନିତ ଅକ୍ଷମତା ଏବଂ ରକ୍ତ ସମ୍ୱନ୍ଧୀୟ ରୋଗ ଜନିତ ଅକ୍ଷମତା । ୨୦୧୧ ଜନଗଣନାରେ ଏଥିମଧ୍ଯରୁ ୬ଟି ଶ୍ରେଣୀ ସାମିଲ ଥିଲା ଏବଂ ସେଥିରେ ୨.୬୮ କୋଟି ଭିନ୍ନକ୍ଷମ ବ୍ୟକ୍ତି ଗଣତି ହୋଇଥିଲେ, ଯାହା ଦେଶର ମୋଟ ଜନସଂଖ୍ୟାର ୨.୨୧% ଥିଲା । ମାତ୍ର ୯ଟି ଶ୍ରେଣୀ ସାମିଲ କରାଯିବା ନେଇ ଦି ଇଣ୍ଡିଆନ୍ ଏକ୍ସପ୍ରେସ୍ ଦ୍ବାରା ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଭାରତର ରେଜିଷ୍ଟ୍ରାର୍ ଜେନେରାଲ୍ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜନସଂଖ୍ୟା ଗଣନା ପ୍ରଶ୍ନାବଳୀରେ ଉଲ୍ଲେଖ କରାଯାଇଥ‌ିବା ୯ଟି ଶ୍ରେଣୀ ହେଉଛି ବ୍ୟାପକ ବର୍ଗ , ଯାହା ଅଧୀନରେ ଅନ୍ୟ ସମସ୍ତ ବିସ୍ତୃତ ନିର୍ଦ୍ଦିଷ୍ଟ ଭିନ୍ନକ୍ଷମତାଗୁଡ଼ିକ ଅନ୍ତର୍ଭୁକ୍ତ ରହିଛି । ଏହା ସହିତ, ଗମ୍ଭୀରତା କ୍ରମରେ ଏକାକୀ ଭିନ୍ନକ୍ଷମତା (ତିନୋଟି ପର୍ଯ୍ୟନ୍ତ) ରେକର୍ଡ କରିବାର ବିକଳ୍ପ ମଧ୍ଯ ପ୍ରଶ୍ନାବଳୀରେ ଉପଲବ୍ଧ ଅଛି । ଗଣତି ପାଇଁ ଶ୍ରେଣୀଗୁଡ଼ିକୁ ଚୂଡ଼ାନ୍ତ କରିବା ପୂର୍ବରୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଭିନ୍ନକ୍ଷମ ବ୍ୟକ୍ତି ସଶକ୍ତିକରଣ ବିଭାଗ ତଥା ଅନ୍ୟ ଅଂଶୀଦାରମାନଙ୍କ ସହିତ ଆଲୋଚନା କରାଯାଇଛି । ଗଣତିକାରୀ ଏବଂ ସୁପରଭାଇଜରମାନଙ୍କ ପାଇଁ ପ୍ରଶ୍ନାବଳୀର ସମସ୍ତ ଦିଗକୁ ବୁଝିବା ପାଇଁ ତିନି ଦିନିଆ ତାଲିମ ପ୍ରଦାନ କରାଯାଏ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ବିଭିନ୍ନ ଭିନ୍ନକ୍ଷମତାର ଆକଳନ କିମ୍ଵା ନିଶ୍ଚିତ କରିବା ପାଇଁ ବୈଷୟିକ ଭାବେ ଯୋଗ୍ୟ ନୁହଁନ୍ତି । ଏହାଛଡ଼ା, ୨୦୨୭ ଜନଗଣନାରେ ୨୦୧୧ ଜନଗଣନା ତୁଳନାରେ ଅଧିକ ସଂଖ୍ୟକ ବୋଲି ଅଧିକାରୀ ଜଣକ ପ୍ରକାଶ କରିଛନ୍ତି ।

ଅନ୍ୟ ପକ୍ଷରେ ଏନପିଆର୍ଡି ପକ୍ଷରୁ ପ୍ରେସ୍ ବିବୃତିରେ କୁହାଯାଇଛି, ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ଅଟିଜିମ୍ ସ୍ପେକ୍ଟମ ଡିଜଅର୍ଡର, ନିର୍ଦ୍ଦିଷ୍ଟ ଶିକ୍ଷଣ ଅକ୍ଷମତା, ବାମନତା, କୁଷ୍ଠରୋଗରୁ ମୁକ୍ତ ବ୍ୟକ୍ତି ଏବଂ ଅନ୍ଧ-ବଧିରତା ସହିତ ଏକାଧିକ ଅକ୍ଷମତା ଭଳି ସ୍ଥିତିଗୁଡ଼ିକୁ ସ୍ବତନ୍ତ୍ର ସ୍ଥାନ ଦିଆଯାଇ ନାହିଁ। ବିବୃତିରେ ଏହା ମଧ୍ୟ ଦର୍ଶାଯାଇଛି ଯେ ବର୍ତ୍ତମାନର ଫର୍ମାଟ୍ ଅଧୀନରେ ଥାଲାସେମିଆ, ହେମୋଫିଲିଆ ଏବଂ ସିକିଲ୍-ସେଲ୍ କେବଳ ଗୋଟିଏ ଶ୍ରେଣୀ “ରକ୍ତ ସମ୍ୱନ୍ଧୀୟ ରୋଗ” ମଧ୍ୟରେ ହୋଇ ରହିଯାଉଛି ।

ନୂତନ ଭିନ୍ନକ୍ଷମ ଅଧିକାର ଆଇନ ୨୦୧୬ ପୂର୍ବ୧୯୯୫ର ଆଇନଠାରୁ ଭିନ୍ନକ୍ଷମତାର ଏକ ପ୍ରଗତିଶୀଳ ଏବଂ ବିକାଶଶୀଳ ଧାରଣାକୁ ସ୍ବୀକାର କରିବା ସହ ଏହାର ପ୍ରକାରକୁ ୭ ରୁ ୨୧ କୁ ବୃଦ୍ଧି କରିଥିଲା । ବାକ୍ ଓ ଭାଷାଗତ ଅକ୍ଷମତା ଏବଂ ନିର୍ଦ୍ଦିଷ୍ଟ ଶିକ୍ଷଣ ଅକ୍ଷମତା ଭଳି କେତେକ ଶ୍ରେଣୀ ପ୍ରଥମ ଥର ପାଇଁ ଏଥିରେ ଯୋଡ଼ା ଯାଇଥିଲା ।

ଅଧିକାର ସଂଗଠନଗୁଡ଼ିକ ଅନୁଯାୟୀ, ଏହି ପ୍ରକ୍ରିୟା ଭୁଲ୍ ତଥ୍ୟ ପ୍ରଦାନ କରିବ ଏବଂ ସରକାରୀ ପରିସଂଖ୍ୟାନରେ ଭିନ୍ନକ୍ଷମମାନଙ୍କର ଏକ ବଡ଼ ଗୋଷ୍ଠୀକୁ ‘ଅଦୃଶ୍ୟ’ କରିଦେବ । ସେମାନଙ୍କ କହିବା ଅନୁଯାୟୀ, ଏହା ନୀତି ନିର୍ଦ୍ଧାରଣ, କାର୍ଯ୍ୟକ୍ରମ ପ୍ରସ୍ତୁତି, ବଜେଟ୍ ବ୍ୟବସ୍ଥାକୁ ପ୍ରଭାବିତ କରିବ ।

Leave a Reply

Your email address will not be published. Required fields are marked *

Related Posts