ମହାନଗରୀ ବେଙ୍ଗାଲୁରୁର ଫୋନିକ୍ସ ମଲ୍ ନିକଟରେ ଅବସ୍ଥିତ ଏହି ସ୍ଥାନଟି ତାର ଅନନ୍ୟ ଆତିଥେୟତାର ଏକ ଅଭୁଲା ନିଦର୍ଶନ ଛାଡ଼ିଥାଏ ଏଠାକୁ ଆସିଥିବା ପ୍ରତିଟି ଅତିଥିଙ୍କ ମନରେ । ବିଶେଷ କରି ପ୍ରସିଦ୍ଧି ଅର୍ଜନ କରିଥିବା ଏହାର ବିଶେଷତ୍ୱଗୁଡ଼ିକ ମଧ୍ୟରେ ସବୁଠାରୁ ଉଲ୍ଲେଖ ଯୋଗ୍ୟ ହେଉଛି ଏହାର ଭିନ୍ନକ୍ଷମ କର୍ମଚାରିବୃନ୍ଦ । ଯେଉଁମାନେ ସମସ୍ତେ ଶ୍ରବଣ ଏବଂ ବାକ୍ ଶକ୍ତି ବାଧିତ । ସହାସ୍ୟ ମୁଖମଣ୍ଡଳ ଓ ସାଙ୍କେତିକ ବାର୍ତ୍ତାରେ ଏମାନଙ୍କର ଉଷ୍ମ ଓ ପ୍ରାଣ ଛଳଛଳ ସାନିଧ୍ୟ ପ୍ରତିଟି ମୁହୂର୍ତ୍ତକୁ ସ୍ମରଣୀୟ କରିଦିଏ । ଏହାଛଡ଼ା ଏହି ‘ ଇଶାରା ‘ ରେଷ୍ଟୁରାଣ୍ଟର ହୃଦୟଜୟୀ ପରିବେଶ ଏବଂ ସାଜସଜ୍ଜା ଓ ଖାଦ୍ୟ ପାନୀୟ ଏକ ଦିବ୍ୟ ସଂଯୋଗର ଭ୍ରମ ଆଣିଥାଏ ।
ଇଶାରାର ଏହି କର୍ମଚାରୀଗଣ ଏକ ବିଶ୍ଵସ୍ତରୀୟ ରେଷ୍ଟୁରାଣ୍ଟର ଅଭ୍ୟର୍ଥନାପୂର୍ଣ୍ଣ ପେଷାଗତ ବ୍ୟବହାରରେ ଏପରି ତାଲିମପ୍ରାପ୍ତ ଯେ ସେମାନଙ୍କ ହସହସ ସାଙ୍କେତିକ ପରିପ୍ରକାଶ ଓ ଆଗନ୍ତୁକ ଅତିଥିଙ୍କ ସହ ସଂଯୋଗ ସ୍ଥାପନ ଏକ ବିଶେଷତା ବହନ କରେ । ଏହାର ଆଦାନ ପ୍ରଦାନ ଧର୍ମି ଡାଇନିଂ ବ୍ୟବସ୍ଥାରେ ମେନୁଗୁଡ଼ିକ ମଧ୍ୟ ହସ୍ତ ସଂକେତ ଚିତ୍ର ମାଧ୍ୟମରେ ପ୍ରକାଶିତ । ଯାହା ଆଗନ୍ତୁକ ଅତିଥିଙ୍କ ମାନସପଟ୍ଟରେ ଏକ ପ୍ରଭାବୀ ଅନୁଭବର ଛାପ ଛାଡିଥାଏ ।
ଏହି ଅଭିନବ ରେଷ୍ଟୁରାଣ୍ଟଟି ପ୍ରଶାନ୍ତ ଇଶାରାଙ୍କ ସହ ‘ଅନୁଜ ସାହା’ ଏବଂ ରିୟାଜ ଆମ୍ଲାନିଙ୍କ ଦ୍ଵାରା ମିଳିତ ଭାବେ ସ୍ଥାପିତ । “ବେଲୋନା ହସ୍ପିଟାଲିଟି ସର୍ଭିସେସ ଲିମିଟେଡ଼” ଦ୍ଵାରା ଏହା ପରିଚାଳିତ ହୋଇଥାଏ। ଏହି ରେଷ୍ଟୁରାଣ୍ଟଟି ତାହାର ଆଧୁନିକ ଭାରତୀୟ ସ୍ଵାଦିଷ୍ଟ ଖାଦ୍ୟ ପରିବେଷଣ ପାଇଁ ଯେତିକି ସୁପରିଚିତ ଏହାଠାରୁ ଅଧିକ ଶ୍ରବଣ ଓ ବାକ୍ ଶକ୍ତି ବାଧିତ ସର୍ଭିସ୍ ଷ୍ଟାଫ୍ ମାନଙ୍କ ଦ୍ଵାରା ପରିଚାଳିତ ସଂସ୍ଥା ରୂପେ ସୁନାମ ଅର୍ଜନ କରିଛି । ବେଙ୍ଗାଲୁରୁର ଫୋନିକ୍ସ ମଲ ବ୍ୟତୀତ ଏହାର ଏକ ଏକକ ଶାଖା ସେହି ବେଙ୍ଗାଲୁରୁ ମହାନଗରୀର ଚର୍ଚ୍ଚଗେଟ୍ ଠାରେ ମଧ୍ୟ ରହିଅଛି ।
ଇଶାରା ନାମଟି କେଉଁଠାରୁ ଆସିଛି ? ଇଶାରା ହେଉଛି ହିନ୍ଦୀ ଓ ଉର୍ଦୁ ମିଶ୍ରିତ ଶବ୍ଦ । ଯାହାର ଅର୍ଥ ସଙ୍କେତ ବା ଠାର ।